ନାରୀ ମନର ଅନ୍ତର୍ନିହିତ ବେଦନାକୁ ଓ ଗହନ କଥାକୁ ଭାଷାରେ ପ୍ରକାଶ କରିବାର ସାହସ ରଖିଥିଲେ ଜଣେ ନାରୀବାଦୀ କବି ଖଗେଶ୍ୱର ଶେଠ । ତାଙ୍କର ସେହି ବୈପ୍ଲବିକ ଚେତନାର ଅନ୍ୟ ଏକ ସ୍ୱର ହେଲା ‘ନାରୀ ଗୁହାରି’ କାବ୍ୟ। କାବ୍ୟଟିର ରଚନା କାଳ ୧୯୪୦-୪୨ ଭିତରେ । କବିଙ୍କର କାବ୍ୟ ନାୟିକା ହେଉଛନ୍ତି ଜଣେ ସାଧାରଣ ଗାଉଁଲି ନାରୀ , ଯିଏକି ଦେବୀ ମହାଲକ୍ଷ୍ମୀଙ୍କନିକଟରେ ନିଜର ‘ଗୁହାରି’କୁ ଜଣାଏ । କେମିତି ସେ ସବୁ ସମୟରେ ପୁରୁଷର ଷଡଯନ୍ତ୍ରର ଶିକାର, କେମିତି ବେଦ, ପୁରାଣ ଠାରୁ ଆରମ୍ଭକରି ସବୁ ସ୍ଥାନରେ ତାକୁ ହିଁ ବଳି ଚଢେଇ ପୁରୁଷ ନିଜର ଅଧିପତ୍ୟକୁ ଜାହିର କରି ଆସିଛି । ଶୋଷକ, ଅତ୍ୟାଚାରୀ ପୁରୁଷତନ୍ତ୍ରକୁ ସାବାଡ଼ କରିବାକୁ ଗୁହାରି କରେ ସେ ମହାଲକ୍ଷ୍ମୀଙ୍କ ନିକଟରେ । ସେ ଅଭିଯୋଗ କରେ ଯେ ଆମ ସମାଜ ଯେଉଁ ନାରୀକୁ ଦେବୀ ରୂପରେ ପୂଜା ଆରାଧନା କରେ, ସେହି ନାରୀ ଉପରେ ପୁଣି ପୁରୁଷ ସମାଜ ଅକଥନୀୟ ଅତ୍ୟାଚାର କରେ, ଦମନ କରେ ଓ ସବୁବେଳେ ତାକୁ ନିଜର କବଳ ଭିତରେ ବାନ୍ଧିରଖିବାକୁ ପ୍ରୟାସ କରେ । ପୁରୁଷର ଏଭଳି ଅମାନବିକ ଦମନ ଲୀଳାକୁ ଦେବୀ ମା ଶାସ୍ତି ଦେବାକୁ ମହାଲକ୍ଷ୍ମୀଙ୍କୁ ଗୁହାରି କରେ।
‘ଜଗତ ପାଳନ ଧନ ଅଧିକାର ତୁମ୍ଭ ହସ୍ତେ ଅର୍ପି ଈଶ୍ୱର,
ବୀଣାପାଣି କରେ ଦେଲେ ସେ ପ୍ରକାରେ ବିଦ୍ୟା ଭାର ସାରା ବିଶ୍ୱର;
ଜନନୀ, ଦହି ହୁଏ ମର୍ମ ସନ୍ତାପେ;
ବିଦ୍ୟାଧନେ ନାରୀ ନୁହେଁ ଅଧିକାରୀ ମୁଢ଼ ସମାଜର ପ୍ରତାପେ । ।
ଶଇଶବେ ପିତା ଯଉବନେ ପତି ବାର୍ଦ୍ଧକ୍ୟ ଜୀବନେ କୁମର,
ନାରୀର ମହତ୍ୱ – ରକ୍ଷଣେ ଏମାନେ ଭିଡିଛନ୍ତି ବୀର କମର;
‘ଅବଳା’ ନାମ ଘେନି ନାରୀ ରହିବ,
ମାତୃତୁଲ୍ୟ ସବୁ ସହି ପାରିଲେ ସେ ‘ମହିଳା’ ପଦବୀ ବହିବ । ।
ଠକ ଅବିଶ୍ୱାସୀ ମୁର୍ଖ ମିଥ୍ୟାଭାଷୀ ପତି ଚଳେ ବିଶ୍ୱ-ଭବନେ,
ସତୀ ଗୁଣବତୀ ନହେଲେ ଯୁବତୀ ଗତି ନାହିଁ ସାରା ଜୀବନେ;
ଜନନୀ, କେଡ଼େ ପକ୍ଷପାତି ଧରମ,
ଏ ଧରମ ଗଢି-ଥିବା ସମାଜକୁ ନ ମାଡେ କି ଲାଜ ସରମ?
ଭ୍ରାନ୍ତି ଥିଲେ ଦେବୀ ଦୃଷ୍ଟି ଦିଅ ଦେବି, ଶାନ୍ତିଧାରା ଝରୁ ପରାଣେ
‘ନାରୀ ଧର୍ମ’ ଅଛି ‘ନରଧର୍ମ’ ବୋଲି ଲେଖା ନାହିଁ ଦେଖା ପୁରାଣେ;
ନାରୀର ଦାବୀ ନାହିଁ ଯଦି ବେଦରେ,
ବେଦାଦେଶ କିମ୍ପା ମାନିବ ରମଣୀ ପକ୍ଷପାତୀ ମତ ଭେଦରେ?’