(ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ) ଓଡ଼ିଆ ଏକ ସ୍ୱତନ୍ତ୍ର ଭାଷା ଓ ସ୍ୱତନ୍ତ୍ର ଜାତି

2 Min Read

୧୯୩୧ମସିହା ଠାରୁ ୧୯୩୫ ମସିହା ମଧ୍ୟରେ ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ଗଠନ ପାଇଁ ଓଡ଼ିଶାରେ ପ୍ରବଳ ଜନମତ ଗଠିତ ହୋଇଥିଲା । ନାନା ସ୍ଥାନରେ ପ୍ରତିବାଦ ସଭାମାନ କରାଯାଇ ସମସ୍ତ ବିଚ୍ଛିନ୍ନ ଓଡ଼ିଆଭାଷୀ ଅଞ୍ଚଳକୁ ନେଇ ଓଡ଼ିଶା ପ୍ରଦେଶ ଗଠିତ ହେଉ ବୋଲି ଦାବୀ କରାଯାଇଥିଲା । କିନ୍ତୁ ଜୟପୁର ଓ ପାରଳାଖେମୁଣ୍ଡି ମାଳ ଅଞ୍ଚଳ ଓଡ଼ିଶାରୁ ବାଦ ପଡ଼ିବାରୁ ପ୍ରବଳ ଆଲୋଡ଼ନ ୧୯୩୪ରେ ଦେଖାଦେଇଥିଲା ।

Support Samadhwani

ଖଣ୍ଡବିଖଣ୍ଡିତ ଅବସ୍ଥାରେ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଅର୍ଥହୀନ ବୋଲି ମତପ୍ରକାଶ ପାଇଲା । ୧୯୩୪ମସିହା ମାର୍ଚ୍ଚ ୧୭ତାରିଖ ଦିନ ସୀମା ପ୍ରତିବାଦ ଦିବସ ପାଳିତ ହେଲା । ୧୯୩୩ ମାର୍ଚ୍ଚ ୧୭ରେ ଶ୍ୱେତପତ୍ର (White paper)ପ୍ରକାଶ ପାଇଥିଲା ଏବଂ ସେଥିରେ ଏକ ବିଖଣ୍ଡିତ ଉତ୍କଳ ପ୍ରଦେଶ ପାଇଁ ପରାମର୍ଶ ଦିଆଯାଇଥିବାରୁ ପାରଳାଖେମୁଣ୍ଡି ଏବଂ ଓଡ଼ିଶାର ବହୁସ୍ଥାନରେ ଏକବର୍ଷ ପରେ ୧୯୩୪ ମାର୍ଚ୍ଚ ୧୭ରେ ପ୍ରତିବାଦ ଦିବସ ପାଳିତ ହୋଇଥିଲା ।

୧୯୩୪ ଡିସେମ୍ବରରେ ଓଡ଼ିଶା ପ୍ରଦେଶ ଗଠନ ସମ୍ବନ୍ଧରେ ବ୍ରିଟିଶ ସରକାର ଘୋଷଣା ପ୍ରକାଶ କଲେ । ସେତେବେଳେ ପୂର୍ବର ଶ୍ୱେତପତ୍ର ଲିଖିତ ସୀମା ସମ୍ବନେ୍ଧ ଶେଷ ନିଷ୍ପତ୍ତି ହୋଇନଥିଲା ।

ପରେ ଜୟପୁର ସମେତ ପାରଳାଖେମୁଣ୍ଡିର ୬୩୯ବର୍ଗମାଇଲରୁ ମୋଟେ ୧୯୧ବର୍ଗ ମାଇଲ ଓଡ଼ିଶାରେ ମିଶିଲା । ଏ ମଧ୍ୟରେ ବ୍ରହ୍ମପୁରରେ ସ୍ୱର୍ଗତଃ କଳ୍ପତରୁ ଦାସଙ୍କ ସଭାପତିତ୍ୱରେ ଉତ୍କଳ ସମ୍ମିଳନୀର ଏକ ଅଧିବେଶନ ହୋଇଥିଲା । ଖଲ୍ଲିକୋଟର ରାଜା ଓ ଲିଙ୍ଗରାଜ ପାଣିଗ୍ରାହୀ ଲଣ୍ଡନ ଯିବାପାଇଁ ସ୍ଥିର ହୋଇଥିଲା ।

Support Samadhwani

ଶେଷରେ ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ଅକୁଣ୍ଠ ସହଯୋଗରେ ଓଡ଼ିଶାର ବହୁ ତୁଙ୍ଗନେତାଙ୍କ ଉଦ୍ୟମରେ ୧୯୩୬ ଏପ୍ରିଲ୧ତାରିଖରେ ଜନ୍ମନେଲା ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ । ଏହା ପୂର୍ଣ୍ଣାବୟବ ହୋଇପାରିଲା ନାହିଁ । ଗଞ୍ଜାମର ବହୁଳାଂଶ ମାନ୍ଦ୍ରାଜରେ ରହିଗଲା । ମଧ୍ୟପ୍ରଦେଶରେ ଖାଣ୍ଟି ଓଡ଼ିଆ ଜାଗା ରହିଗଲା ।

ସିଂହଭୂମି ପରି ଗୋଟିଏ ବିଶାଳ ଜିଲ୍ଲା ଓଡ଼ିଆଙ୍କ କର୍ମ ଓ ଭାଗ୍ୟ ଦୋଷରୁ ଓଡ଼ିଶା ବାହାରେ ରହିଗଲା । ଓଡ଼ିଆଭାଷୀ ଅଞ୍ଚଳ ବିଶାଖାପାଟଣା, ମାନଭୂମର ବରାହଭୂମି,ମେଦିନପୁରର କାନ୍ଥୀ, ଝାଡ଼ଗ୍ରାମର ଦାନ୍ତୁନ,ମୋହନପୁର,ନାରାୟଣଗଡ଼, କେଶିଆରୀ,ନୟାବସାଣ,ରାୟପୁରର ଫୁଲଝର, ବିଳାସପୁରର ଚନ୍ଦ୍ରପୁର,ପଦ୍ମପୁର ଓ ମାଳ ଖୋରଧା ଜମିଦାରୀ,ବସ୍ତର, ରାୟଗଡ଼ ଓ ସାରଙ୍ଗଗଡ଼ ଓଡ଼ିଶାର ସୀମାରେ ରହି ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶକୁ ଉପହାସ କଲା ।

ଏହାସତ୍ୱେ ୧୯୩୬ ଏପ୍ରିଲ ୧ତାରିଖର ଖଣ୍ଡିତ ସ୍ୱତନ୍ତ୍ର ଓଡ଼ିଶା ଓଡ଼ିଆ ଅସ୍ମିତାର ପରିଚୟ ଦେଇପାରିଛି । ୭୧ବର୍ଷ ପରେ ଆଜି ମଧ୍ୟ ଏହି ସୀମା ବାହାରେ ଥିବା ଓଡ଼ିଆମାନେ ନିଜକୁ ଓଡ଼ିଆ ବୋଲି ପରିଚିତ କରିବାକୁ ଗର୍ବ ଅନୁଭବ କରନ୍ତି । କାରଣ ଓଡ଼ିଆ ଏକ ସ୍ୱତନ୍ତ୍ର ଭାଷା ଓ ସ୍ୱତନ୍ତ୍ର ଜାତି ।

ସୌଜନ୍ୟ – ସମଦୃଷ୍ଟି(୧-୧୭ ଏପ୍ରିଲ ୨୦୦୭)

https://bit.ly/2UwsJA2

Share This Article
ଇତିହାସ ବିଭାଗର ପ୍ରଫେସର, ଗବେଷକ