Home / ସାହିତ୍ୟ ସଂସ୍କୃତି / ଇତିହାସ / ମଧୁବାବୁଙ୍କୁ ଚିହ୍ନିବାର ପ୍ରୟାସରେ (ସ୍ମୃତି ଦିବସ ଉପଲକ୍ଷେ )

ମଧୁବାବୁଙ୍କୁ ଚିହ୍ନିବାର ପ୍ରୟାସରେ (ସ୍ମୃତି ଦିବସ ଉପଲକ୍ଷେ )

Share Samadhwani

ଆଜକୁ ଶହେବର୍ଷ ତଳେ ଅର୍ଥାତ୍ ୧୯୦୭ ମସିହା ଡିସେମ୍ବର ୧୭ ସଂଖ୍ୟାର ‘ବନ୍ଦେମାତରମ’ ପତ୍ରିକାରେ ବିପ୍ଳବୀ ଅରବିନ୍ଦ ମଧୁବାବୁଙ୍କୁ(୧୮୪୮-୧୯୩୪) ଉଲ୍ଲେଖ କରି ଲେଖିଥିଲେ, ‘ଓଡ଼ିଶାରେ ବର୍ତ୍ତମାନ ଏକ ନବଚେତନା ଓ ନବଜାଗରଣର ସୂତ୍ରପାତ ହୋଇଛି । ଓଡ଼ିଶା ତାର ଅସ୍ତିତ୍ୱ ରକ୍ଷା ଲାଗି ଏକ ସୁଦକ୍ଷ ଶକ୍ତିଶାଳୀ ନେତାଙ୍କର ଅଧିନାୟକତ୍ୱରେ ଲାଗି ପଡ଼ିଥିବାର ଦେଖାଯାଏ । ଅରବିନ୍ଦ ସେତେବେଳେ ପୂର୍ଣ୍ଣମାତ୍ରାରେ ଜଣେ ବିପ୍ଳବୀ ଥିଲେ । ଯୋଗୀ ହୋଇନଥିଲେ । ସଶସ୍ତ୍ର ସଂଗ୍ରାମକୁ ମାଧ୍ୟମ କରି ଦେଶରେ ସାମାଜିକ ବିପ୍ଳବ ଏବଂ ପରାଧୀନତାରୁ ବିମୁକ୍ତି ସମ୍ଭବ ବୋଲି ବିଶ୍ୱାସ କରୁଥିଲେ ।

ବ୍ରିଟିଶ ଶାସନ ଆଗରେ ଆବେଦନ, ପ୍ରତିବେଦନ, ନିବେଦନ କରି ଦେଶର ଦୁର୍ଗତି ଦୂର କରିବାର ଯେଉଁ ରାଜନୈତିକ ପନ୍ଥା, ଯାହାକୁ ଉଦାରପନ୍ଥୀ ରାଜନୀତି ବା ନରମପନ୍ଥୀ ରାଜନୀତି ବୋଲି ଆମେ କହନ୍ତି, ତାର ସେ କେବେ ସମର୍ଥକ ନଥିଲେ । ବରଂ ତାର ବିରୋଧୀ ହେବାର ଭୂମିକା ନେଇଥିଲେ । ଲେଖିଥିବା ‘ବନ୍ଦେ ମାତରମ’ ପତ୍ରିକା ମଧ୍ୟ ବିପ୍ଳବୀ ରାଜନୀତିର ଏକ ମୁଖପତ୍ର ଭଳି କାମ କରୁଥିଲା । ତେଣୁ ଉଦାରପନ୍ଥୀ ମଧୁସୂଦନ ଦାସଙ୍କ ସମର୍ଥନରେ ବକ୍ତବ୍ୟ ରଖି କେବେ ଅରବିନ୍ଦ ପତ୍ରିକାର ପାଠକମାନଙ୍କଠାରୁ ଶସ୍ତା ଲୋକପ୍ରିୟତା ଆଶା କରି ନପାରନ୍ତି । ଅର୍ଥାତ୍ ମଧୁବାବୁଙ୍କ କୌଣସି ଏକ ସମର୍ଥକ ଗୋଷ୍ଠୀ ଗହଣରେ ଅରବିନ୍ଦ ଯାଇ ମଧୁସୂଦନଙ୍କୁ ଏମିତି ପ୍ରଶଂସା କରିଛନ୍ତି ବୋଲି ଆମେ କହିପାରିବା ନାହିଁ । ଅନ୍ତଃମନରେ ସେ ଓଡ଼ିଶାର ମଧୁସୂଦନ ଦାସଙ୍କୁ ନବଚେତନାର ବାର୍ତ୍ତାବହ ବୋଲି କଳ୍ପନା କରିଛନ୍ତି, ତାଙ୍କ ନେତୃତ୍ୱର ନିରୁତାପଣକୁ ଦେଖିପାରିଛନ୍ତି ବୋଲି ଓଡ଼ିଶା ନବଜାଗରଣର ଅଧିନାୟକ ରୂପେ ତାଙ୍କୁ ଚିତ୍ରିତ କରିଛନ୍ତି ।

ଏକ ପକ୍ଷରେ ଅରବିନ୍ଦଙ୍କର ବିପ୍ଳବାତ୍ମକ କାର୍ଯ୍ୟପନ୍ଥା ଯଦି ଏକ ରାଜନୈତିକ ସତ୍ୟ, ଅନ୍ୟପକ୍ଷରେ ମଧୁବାବୁ ସମକାଳୀନ ଉଦାରପନ୍ଥୀ ରାଜନୀତିର ଏକ ମୁଖ୍ୟ ସ୍ତମ୍ଭ ହେବା ବି ସେମିତି ଏକ ସତ୍ୟ । ଉଦାରପନ୍ଥୀ ଭାବରେ ସେ ବିନୀତ ସ୍ୱରରେ ବ୍ରିଟିଶ ପ୍ରଶାସନ ଆଗରେ ଜାତିର ଦୁର୍ଗତି କଥା କହିଛନ୍ତି ଆବେଦନ, ନିବେଦନ କରି ମେମୋରେଣ୍ଡମ ଲେଖି, ଡେଲିଗେସନରେ ଭେଟି ପ୍ରତିକାରର ବ୍ୟବସ୍ଥା କରିବାକୁ ଅନୁରୋଧ କରିଛନ୍ତି । କାରଣ ତାଙ୍କର ବିଶ୍ୱାସ ଯେ, ଯେଉଁ ଆଧୁନିକତା, ଶିଳ୍ପବିପ୍ଳବ,ବୈଜ୍ଞାନିକ ପ୍ରଗତି,ଗଣତାନ୍ତ୍ରିକ ମୂଲ୍ୟବୋଧର ଧାରା, ଇଂଲଣ୍ଡରେ ତଥା ଅନ୍ୟାନ୍ୟ ପାଶ୍ଚାତ୍ୟ ଦେଶରେ ପ୍ରବାହିତ,ସେହି ଉନ୍ନତିର ପ୍ରବାହ ଇଂରେଜମାନଙ୍କ ସହାୟତାରେ ଭାରତରେ ମଧ୍ୟ ହେବ । ତେଣୁ, ଇଂରେଜମାନଙ୍କୁ ବିରୋଧକରି ନୁହେଁ ବରଂ ସୁଶାସକର ଦାୟିତ୍ୱ ପ୍ରତି ସେମାନଙ୍କୁ ସଚେତନ କରାଇ ଜାତୀୟତାବାଦୀମାନେ ଜାତିର ଉନ୍ନତି କରିପାରିବେ ।

ମଧୁବାବୁଙ୍କର ଏ ଯେଉଁ ବିଚାର ତାହା ସମକାଳୀନ ଅନ୍ୟାନ୍ୟ ନରମପନ୍ଥୀ ଏବଂ ଉଦାରପନ୍ଥୀଙ୍କଠାରେ ମଧ୍ୟ ଦେଖାଯାଏ । ସେଇଥି ପାଇଁ ଦାଦାଭାଇ ନାରୋଜୀ ଲେଖିଲେ, ‘ପଭର୍ଟି ଏଣ୍ଡ୍ ଦ ଅନ୍-ବ୍ରିଟିଶ ରୁଲ ଇନ୍ ଇଣ୍ଡିଆ’ (Poverty and the Un-British Rule in India)। ସେଥିରେ ସେ ଅଭିମାନ କରି କହିଲେ ଯେ, ଗୋଟିଏ ଗଣତନ୍ତ୍ରପ୍ରେମୀ ରାଷ୍ଟ୍ର ଭାବରେ ଇଂରେଜମାନେ ଯାହା ନକରିବା କଥା, ତାହା ଭାରତରେ କରାଯାଉଛି ଫଳରେ ଦାରିଦ୍ର‌୍ୟ ବଢ଼ୁଛି । ବ୍ରିଟିଶ ଶାସନର ସୁଗୁଣ ଉପରେ ନାରୋଜୀଙ୍କର କେତେ ଆସ୍ଥା ଥିଲା,ତାହା ଏଥିରୁ ସ୍ପଷ୍ଟହୁଏ । ଠିକ୍ ସେହିଭଳି ଓଡ଼ିଶାରେ ଫକୀରମୋହନ ରେଭେନ୍ସା ସାହେବଙ୍କର କମିଶନରି ସମୟକୁ ଓଡ଼ିଶା ଇତିହାସର ସୁବର୍ଣ୍ଣ ଯୁଗ ବୋଲି ବର୍ଣ୍ଣନା କରିଛନ୍ତି; (ଗଙ୍ଗାଧର ମେହେର ‘ଭିକ୍ଟୋରିଆ ସ୍ତବ’ ଗାଇଛନ୍ତି । ଅର୍ଥାତ୍ ଊନବିଂଶ ଶତାବ୍ଦୀର ଶେଷଭାଗ ହେଲା ଏମିତି ଏକ ଜାତୀୟତାର ଯୁଗ, ଯେତେବେଳେ ଆମ ବୁଦ୍ଧିଜୀବୀ ଇଂରେଜ ନିକଟତର ହୋଇ ଜାତିର ଦୁର୍ଗତି ଦୂର କରିବାକୁ ପ୍ରୟାସ କରୁଥିଲେ ।

ତାତ୍ପର୍ଯ୍ୟର ବିଷୟ ହେଲା ଯେ, ୧୯୨୦ ବେଳକୁ ନରମପନ୍ଥୀ ରାଜନୀତି ଆଉ ଜାତୀୟତାବାଦର ପ୍ରମୁଖ ସ୍ୱର ହୋଇ ରହିନାହିଁ । ରାଜନୀତିରେ ଗାନ୍ଧୀଙ୍କର ଉତ୍ଥାନ ପରେ ଆବେଦନ, ପ୍ରତିବେଦନରୁ ବାହାରି ଯାଇ ଭାରତୀୟ ଜାତୀୟତାବାଦ ଇଂରେଜଶାସନ ସାଙ୍ଗରେ ‘ଅସହଯୋଗ’କୁ ମୁଖ୍ୟ ସ୍ୱର କରିଛି । ତେଣିକି ଓକିଲମାନେ କୋର୍ଟକଚେରୀ ବର୍ଜନ ଦେଲେ, ଛାତ୍ରମାନେ ସରକାରୀ ସ୍କୁଲ୍କଲେଜ ଛାଡ଼ି ଜାତୀୟ ବିଦ୍ୟାଳୟ ଗଢ଼ିଲେ । ଏହି ସମୟରେ ଓଡ଼ିଶାରେ ଗୋପବନ୍ଧୁ ଦାସଙ୍କ ନେତୃତ୍ୱରେ ଯୁବ ଜାତୀୟତାବାଦୀ ଗୋଷ୍ଠୀ ଉତ୍କଳ ସମ୍ମିଳନୀକୁ ଜାତୀୟ କଂଗ୍ରେସରେ ମିଶାଇ ଦେଲେ ।

ଭାରତୀୟ ରାଜନୀତିରେ ଏ ଯେଉଁ ପଟ୍ଟ ପରିବର୍ତ୍ତନ, ସେତେବେଳେ ମଧ୍ୟ ମଧୁସୂଦନ ଦାସ ନିଜ ବିଚାର, ନିଜ ଜିଦରେ ଅଟଳ । ଅର୍ଥାତ୍ ତଥାପି ସେ ଉଦାରପନ୍ଥୀ । ତେଣୁ ‘ଉତ୍କଳ ସମ୍ମିଳନୀ’ର ଜାତୀୟ କଂଗ୍ରେସରେ ବିଲୀନ ହେବାଟାକୁ ମଧୁବାବୁ ବିରୋଧ କରିଛନ୍ତି । କେବଳ ଏତିକି ନୁହେଁ, ‘ଇମ୍ପେରିଆଲ ଲେଜିସ୍ଲେଟିଭ କାଉନସିଲ୍’ରୁ ଇସ୍ତଫା ଦେବା ଯେତେବେଳେ ହେଲା ଜାତୀୟତାବାଦୀ ଯୁଗ ଧର୍ମ, ସେତେବେଳେ ସେ ବିହାର-ଓଡ଼ିଶା ପ୍ରାଦେଶିକ ମନ୍ତ୍ରିମଣ୍ଡଳରେ ଯୋଗଦେଇ ଲୋକହସା ହୋଇଛନ୍ତି । ଫଳରେ ମନ୍ତ୍ରୀ ମଧୁସୂଦନ ଦାସଙ୍କୁ ଅଭ୍ୟର୍ଥନା ଦେବା ପାଇଁ ତାଙ୍କ ସମର୍ଥକଙ୍କ ଦ୍ୱାରା ୧୯୨୧ରେ ଆୟୋଜିତ ହୋଇଥିବା ଏକାଧିକ ସଭା, ପ୍ରଥମେ ପୁରୀରେ, ପରେ କଟକରେ ଭଣ୍ଡୁର ହୋଇଛି । କେବଳ ଏତିକିରେ ମଧୁବାବୁଙ୍କ ଉଦାରବାଦୀ ରାଜନୀତି ଶେଷ ହୋଇନି ।

ଏକଶିଂଘା ଭଳି ସେ ପରେ ମଧ୍ୟ ସଂଖ୍ୟାନ୍ୟୁନ ହେବା ସତ୍ତ୍ୱେ ଉଦାରବାଦୀତାରୁ ଉଭୁରି ନାହାନ୍ତି । ତେଣୁ ଜାତୀୟ କଂଗ୍ରେସ ଯେତେବେଳେ ଇଂରେଜ ପ୍ରଶାସନର ମୁହାଁ ମୁହିଁ ବିରୋଧ କରି ୧୯୨୧-୨୨ମସିହାରେ ‘ସ୍ୱରାଜ’ଦାବିରୁ ଆଗକୁ ବଢ଼ିଲା,୧୯୨୮-୨୯ମସିହା ବେଳକୁ ‘ପୂର୍ଣ୍ଣ ସ୍ୱରାଜ’କୁ ଜାତୀୟତାର ବୀଜମନ୍ତ୍ର କଲା, ସେତେବେଳେ ମଧ୍ୟ ୧୯୨୮ରେ ଭାଷାଭିତ୍ତିରେ ଓଡ଼ିଶା ପ୍ରଦେଶ ଗଠନ କରିବା ସକାଶେ ସେ ସାଇମନ କମିଶନକୁ ସ୍ମାରକପତ୍ର ଦେଇଛନ୍ତି । ଅର୍ଥାତ୍ ସାଇମନ୍ କମିଶନକୁ ‘ବୟ୍-କଟ’ କରିବା ହେଲା ସେତେବେଳେ ଜାତୀୟତାର ପ୍ରତୀକ,ମଧୁବାବୁ ଏକଘରିଆ ହୋଇ ସାଇମନକୁ ସ୍ୱାଗତ ଜଣାଇଛନ୍ତି ।

ଏଥିରୁ ଗୋଟିଏ କଥା ସ୍ପଷ୍ଟ ଯେ, କାହାରି ଅନୁକରଣ ନ କରିବା, ନିଜ ବିଚାରରେ ପର୍ବତଭଳି ଅଟଳ ରହିବା, ନିଜ ସାମାଜିକ ପ୍ରତିବଦ୍ଧତା ସକାଶେ ଯେତେ କଷ୍ଟ ହେଉ ପଛେ ସ୍ରୋତର ପ୍ରତିକୂଳରେ ଯିବା ହେଲା ମଧୁବାବୁଙ୍କ ରାଜନୀତିର ବିଶେଷତ୍ୱ । ଅନ୍ୟଥା ୧୯୨୮ମସିହା ବେଳକୁ ତାଙ୍କୁ ଅଶୀ ବର୍ଷ ବୟସ । ତାଙ୍କର ସମସାମୟିକ ପ୍ରାୟ ସମସ୍ତେ ତାଙ୍କୁ ଛାଡ଼ି ମୃତ୍ୟୁ ଲାଭ କରି ସାରିଲେଣି। ମଧୁସୂଦନ ରାଓ(୧୯୧୨),ରାଧାନାଥ ରାଏ(୧୯୦୮), ଫକୀରମୋହନ (୧୯୧୮)ଏବଂ ଗଙ୍ଗାଧର ମେହେର (୧୯୨୪)ରେ । ଏପରିକି ମଧୁବାବୁଙ୍କ ପୁତ୍ରତୁଲ୍ୟ ଗୋପବନ୍ଧୁ ଦାସଙ୍କର (୧୮୭୭-୧୯୨୮)ମଧ୍ୟ ସେହି ସମୟରେ ଦେହାବସାନ ହେଲା । ଭାଷା ଭିତ୍ତିରେ ଓଡ଼ିଶା ଗଠନ ହେଲେ, ତାଙ୍କ ଭଳି ଜଣେ ଅଶୀତିପର ବୃଦ୍ଧ ଶାସନରେ ଆସୀନ ହେବାର ସ୍ୱପ୍ନ ଦେଖିନପାରନ୍ତି । ଏମିତିରେ ବି ସେଭଳି ବ୍ୟକ୍ତିଗତ ମହତ୍ତ୍ୱାକାଂକ୍ଷାର ଊର୍ଦ୍ଧ୍ୱରେ ସେ ।

ଏହି ପରିପ୍ରେକ୍ଷୀରେ ଜୀବନର ସାୟଂକାଳରେ ଜାତୀୟତାବାଦୀ ସ୍ରୋତରେ ସାମିଲ ହୋଇ ସେ ସାଇମନକୁ ‘ବୟ-କଟ’ କରିବା କଥା । ଏହା ତାଙ୍କୁ ହୁଏତ ଲୋକପ୍ରିୟତା ଦେଇଥାନ୍ତା; ଜାତୀୟ କଂଗ୍ରେସରେ ନେତାର ପାହ୍ୟା ଦେଇଥାନ୍ତା । ମାତ୍ର ନିଜ ବିଚାରରେ ଅଟଳ ସେ । ଦୃଢ଼ ଆତ୍ମବିଶ୍ୱାସ ଏବଂ ଗଭୀର ସାମାଜିକ ପ୍ରତିବଦ୍ଧତା ବିନା ସ୍ରୋତର ପ୍ରତିକୂଳରେ ଯିବାର ଏମିତି ଦୁଃସାହସ କ’ଣ କେହି କରିପାରେ କେବେ? ମଧୁବାବୁଙ୍କ ବ୍ୟକ୍ତିତ୍ୱର ଏହି ଯେଉଁ ନିରୁତାପଣ ତାକୁ ପରବର୍ତ୍ତୀ ସମୟର କାଳଜୟୀ ଯୋଗୀପୁରୁଷ ଶ୍ରୀ ଅରବିନ୍ଦ ୧୯୦୭ରେ ଦେଖିପାରିଥିଲେ, ମଧୁବାବୁଙ୍କ ନେତୃତ୍ୱରେ ନବଜାଗରଣ ଏବଂ ନବ ଚେତନାର ଉନ୍ମେଷକୁ ଚିହ୍ନି ପାରିଥିଲେ ବୋଲି ପନ୍ଥାରେ ପାର୍ଥକ୍ୟ ରହିଥିବା ସତ୍ତ୍ୱେ ମଧୁବାବୁଙ୍କୁ ପ୍ରଶଂସା କରିଛନ୍ତି, ମଧୁବାବୁଙ୍କ ନେତୃତ୍ୱରେ ଆସ୍ଥା ପ୍ରକଟ କରିଛନ୍ତି ।

ଏଥିରୁ ଆଉଗୋଟିଏ କଥା ସ୍ପଷ୍ଟ ଯେ, କାର୍ଯ୍ୟପନ୍ଥା ଅଲଗା ଅଲଗା ହେବା ସତ୍ତେ୍ୱ, ଭିନ୍ନ ଭିନ୍ନ ଜାତୀୟତାବାଦୀ ଗୋଷ୍ଠୀମାନେ ସେମାନଙ୍କ ମଧ୍ୟରେ ଥିବା ଅନୁପୂରକତାକୁ ଚିହ୍ନି ପାରୁଥିଲେ । ପରସ୍ପରକୁ ସହଯୋଗ କରୁଥିଲେ । ତେଣୁ ବିପ୍ଳବୀ ହେବା ସତ୍ତ୍ୱେ ଅରବିନ୍ଦ ଶତମୁଖରେ ଉଦାରପନ୍ଥୀ ମଧୁବାବୁଙ୍କର ପ୍ରଶଂସା କରିପାରୁଥିଲେ, କାରଣ ସେମାନଙ୍କୁ ସମସ୍ତଙ୍କୁ ଜଣା ଯେ, ପ୍ରତ୍ୟେକ ଜାତୀୟତାବାଦୀର ଲକ୍ଷ୍ୟ ଏକ । ସେ ହେଲା – ଇଂରେଜ ଉପନିବେଶବାଦ ଏବଂ ଉପନିବେଶବାଦିତାରୁ ଭାରତୀୟ ମହାଜାତିକୁ ବିମୁକ୍ତ କରିବା, ସ୍ୱାଧୀନ କରିବା । ଆମେ ଏହି ମର୍ମରେ ସମସ୍ତ ଜାତୀୟତାବାଦୀର ସେହି ସାମୂହିକ ପ୍ରୟାସକୁ ବିସ୍ତାରରେ ସ୍ୱାଧୀନତା ସଂଗ୍ରାମ ବୋଲି ନାମିତ କରୁ ।

ଉପନିବେଶବାଦିତାରୁ ବିମୁକ୍ତି କଥା ଯେତେବେଳେ ପଡ଼େ, ସେତେବେଳେ ଇଂରେଜ ଶାସନରୁ ସ୍ୱତନ୍ତ୍ର ହେବା ପ୍ରଶ୍ନ ତ ଯୋଡ଼ିହୋଇ ରହିଥାଏ । ଏଥିରେ ଦ୍ୱିରୁକ୍ତି ନାହିଁ । ମାତ୍ର ରାଜନୈତିକ ସ୍ୱତନ୍ତ୍ରତାର ସୀମିତ ବର୍ଗକ୍ଷେତ୍ର ମଧ୍ୟରେ କେବଳ ପ୍ରସଙ୍ଗଟିକୁ ରଖି ଦେଖାଯାଇ ନପାରେ । ବ୍ରିଟିଶ ଉପନିବେଶବାଦ ପରାକ୍ରାନ୍ତ ଭାରତ ଭଳି ସମାଜ ଓ ଜାତି ପାଇଁ ଉପନିବେଶବାଦିତାର ବ୍ୟାପକ ଅର୍ଥ ହେବ ଏକ ଘୋର ମାନସିକ ଦାସତ୍ୱର ଅବସ୍ଥା, ଯେଉଁ ଅବସ୍ଥାରେ ଜାତିଟିଏ ତାର ପ୍ରତିଟି ଆବଶ୍ୟକତା ପାଇଁ, ସେ ରାଜନୈତିକ ଆବଶ୍ୟକତା ହେଉ ବା ସାଂସ୍କୃତିକ ଆବଶ୍ୟକତା ହେଉ, ଶାସକ ସମାଜଠାରେ ଆଶ୍ରିତ ରହେ ।

ଏକ ଜାତିକୁ ପ୍ରତି କଥାରେ ନିରନ୍ତର ଆଶ୍ରିତ ରଖିବା ଯଦି ହେଲା ଉପନିବେଶବାଦ ତେବେ ସେହି ଦାସତ୍ୱରୁ, ହୀନମନ୍ୟତାରୁ ବିମୁକ୍ତ ହେବା ସକାଶେ ଅବିରାମ ପ୍ରୟାସ କରିବା ହେବ ସ୍ୱାଧୀନତା ସଂଗ୍ରାମ । ଜାତି କେବେ ପିନ୍ଧାଯୋଗ୍ୟ ବସ୍ତ୍ର ପାଇଁ ଆଶ୍ରିତ ତ କେବେ ଅଭିବ୍ୟକ୍ତି ଯୋଗ୍ୟ ଭାଷାପାଇଁ ଆଶ୍ରିତ । ସଭ୍ୟ ବୋଲାଇବା ସକାଶେ, ସଂସ୍କୃତି ସକାଶେ, ପ୍ରଶାସନ ସକାଶେ ସେ ଆଶ୍ରିତ । ନିରନ୍ତର ଶାସକ ସମାଜର ଦୟା ଓ କରୁଣାରେ ଆଶ୍ରିତ ରହିବା ହୁଏ ତାର ନିୟତି । ସେ ଆତ୍ମ-ପ୍ରତ୍ୟୟ ଶୂନ୍ୟ-ଭାଷାରେ, ଆଶାରେ, ସ୍ୱପ୍ନରେ,ଚେତନାରେ, କାମରେ, କଥାରେ, ଆଚାରରେ ପୁଣି ବିଚାରରେ । ଉପରକୁ ଦେଖିଲେ ଜାତି ଚେଇଁଥାଏ,ହେଲେ ଅସଲରେ ସେ ଶୋଇ ରହିଥାଏ । ତା’ଭିତରେ ସ୍ୱାବଲମ୍ବୀ ହୋଇ ବଂଚିପାରିବାର ଭରସା ନଥାଏ ।

ଏଭଳି ଏକ ସାମାଜିକ ଦୁଃସମୟରେ ନବଚେତନାର ବାର୍ତ୍ତା ଶୁଣାଇବା ସକାଶେ ମଧୁସୂଦନ – ‘ଉଠରେ ଉଠରେ ଉତ୍କଳ ସନ୍ତାନ’ ବୋଲି ଗୀତ ଗାଆନ୍ତି । ଜାତିକୁ ନିଜ ଗୋଡ଼ରେ ଠିଆ ହେବାକୁ ପଡ଼ିବ;ସ୍ୱାବଲମ୍ବୀ ହେବାକୁ ପଡ଼ିବ । ଅଭିବ୍ୟକ୍ତି ସକାଶେ ତାକୁ ନିଜସ୍ୱ ଭାଷା ଗଢ଼ିବାକୁ ପଡ଼ିବ; ପାଦରେ ପିନ୍ଧିବା ସକାଶେ ତାକୁ ଉତ୍କଳ ଟେନେରୀରେ ଯୋତା ତିଆରି ବାକୁ ପଡ଼ିବ; ତାର “କୋଟିଏ ସନ୍ତାନ ଗୋଟିଏ ସ୍ୱରରେ ‘ଜନନୀ ଜନନୀ’ ଡାକ” ଦେବେ ବୋଲି ଉତ୍କଳ ସମ୍ମିଳନୀ ସ୍ଥାପନ କରିବାକୁ ହେବ; ତାର ଛୁଆର ପଢ଼ିବା ସକାଶେ ତାକୁ ନିଜସ୍ୱ ଉଦ୍ୟମରେ ପାଠଶାଳା ନିର୍ମାଣ କରିବାକୁ ହେବ । ଏସବୁ ତା’ପାଇଁ ଅନ୍ୟକେହି କଲେ ତାର ସୁଫଳ ମିଳିବ ନାହିଁ । ଅନ୍ୟ ଦୟା ଓ କରୁଣାର ପାତ୍ରହୋଇ କେବେ ସେ ଉପରକୁ ଉଠି ନପାରେ;ନିଜକୁ ସଭ୍ୟ, ଆଧୁନିକ, ସୁ-ସଂସ୍କୃତ ବୋଲାଇ ନପାରେ! ଏହି ଦୁର୍ବାର ସତ୍ୟଟିକୁ ମଧୁସୂଦନ ଅନ୍ତଃମନରେ ଅନୁମାନ ଓ ଅନୁଭବ କରିପାରିଥିଲେ ବୋଲି ବାରମ୍ବାର ଜାତି କାନରେ କହୁଥିଲେ, ‘ଆଲୋ ସଖି ଆପଣା ମହତ ଆପେ ରଖି ।’

ମହାଭାରତୀୟ ସ୍ୱାଧୀନତା ସଂଗ୍ରାମର ଏ ଯେଉଁ ବ୍ୟାପକ ପରିଧି, ତହିଁରେ ମହାତ୍ମା ଗାନ୍ଧୀଙ୍କର ଲବଣ ସତ୍ୟାଗ୍ରହ କରିବା, ଅନଶନରେ ବସିବା, ପଦଯାତ୍ରାରେ ଯିବା, ଭଗତ ସିଂଙ୍କର ଫାଶୀପାଇବା,ଜୟପ୍ରକାଶ ନାରାୟଣଙ୍କର ୧୯୪୨ରେ ହଜାରିବାଗ ଜେଲରୁ ପଳାୟନ କରିବା, ଗୋପବନ୍ଧୁ ଦାସଙ୍କର ‘ସତ୍ୟବାଦୀ’ ସ୍ଥାପନ କରିବା କିମ୍ବା ତିଳକଙ୍କର ଗଣେଶ ଓ ଶିବାଜୀ ଉତ୍ସବ ପାଳନ କରିବା ଅଥବା ବର୍ମାର ମାଣ୍ଡଲେ ଜେଲରେ ଦୀପାନ୍ତର ଦଣ୍ଡ ଭୋଗିବା ଯଦି ଗୋଟିଏ ଗୋଟିଏ ମହତ୍ୱପୂର୍ଣ୍ଣ ବିନ୍ଦୁ, ତେବେ ମଧୁସୂଦନ ଦାସଙ୍କର ୧୮୮୨ରେ ‘ଉତ୍କଳ ସଭା’ ଗଠନ କରିବା, ୧୯୦୩ରେ ‘ଉତ୍କଳ ସମ୍ମିଳନୀ’ ସ୍ଥାପନ କରିବା, ଓଡ଼ିଆଭାଷୀ ଅଞ୍ଚଳର ମିଶ୍ରଣ ଦାବିକରି ସରକାରଙ୍କୁ ପ୍ରତିବେଦନ ଜଣାଇବା ।

୧୯୦୫ରେ ‘ଉତ୍କଳ ଟେନେରୀ’ ଆରମ୍ଭ କରି ଦେଶୀୟ ଚର୍ମଶିଳ୍ପକୁ ପ୍ରୋତ୍ସାହନ ଦେବା,୧୮୯୬ ମସିହାରେ ସ୍ଥାନୀୟ କାରିଗରୀକୁ ସ୍ୱାବଲମ୍ବୀ ଓ ସମ୍ମାନଷ୍ପଦ କରିବା ପାଇଁ ‘ଓଡ଼ିଶା ଆର୍ଟ ୱେର’ ସଂସ୍ଥା ପ୍ରତିଷ୍ଠା କରିବା, କିମ୍ବା ଜାତିର ମନକଥା କହିବାପାଇଁ ‘ଦ ଓରିଆ’ପତ୍ରିକା କାଢ଼ିବା କିଛି କମ୍ ମହତ୍ୱପୂର୍ଣ୍ଣ ବିନ୍ଦୁ ହୋଇନପାରେ । ଏ ତ କେବଳ କେତୋଟି ଉଦାହରଣ ମାତ୍ର । ତା’ ବାହାରେ ‘ଉତ୍କଳ ସାହିତ୍ୟ ସମାଜ’ ଠାରୁ ଆରମ୍ଭ କରି ରଙ୍ଗମଞ୍ଚ ଯାଏଁ କେତେ ଯେ, ଅନୁଷ୍ଠାନ ଗଢ଼ି ମଧୁସୂଦନ ଆମ ଜାତୀୟଜୀବନକୁ ଗତିଶୀଳ କରିବାକୁ ପ୍ରୟାସ କରିଛନ୍ତି, ତାର ବ୍ୟାପକ ସୂଚୀ ତିଆରିବା ସହଜ ନୁହେଁ । ପ୍ରତ୍ୟେକଟି ଅନୁଷ୍ଠାନକୁ ଜାତିର ଉପନିବେଶବାଦୀତାରୁ ବିମୁକ୍ତ ହେବା ସକାଶେ ଗୋଟିଏ ଗୋଟିଏ ମାଇଲଖୁଣ୍ଟ ରୂପେ ଦେଖାଯାଇ ପାରେ ।

ଏକଥା ସର୍ବବିଦିତ ଯେ, ମଧୁସୂଦନ ଥିଲେ ‘ଜାତି’ ପାଇଁ ଜଣେ ପ୍ରତିବଦ୍ଧ ମଣିଷ । ନିଜସ୍ୱ ମହତ୍ତ୍ୱାକାଂକ୍ଷା ନାହିଁ; ଜାତିର ସାମୂହିକ ସ୍ୱାର୍ଥ ସକାଶେ ସେ ବ୍ୟକ୍ତିକ ସ୍ୱାର୍ଥକୁ ବଳି ଦେବାକୁ ନିରନ୍ତର ଆହ୍ୱାନ କରିଛନ୍ତି । ସ୍ୱାର୍ଥ-ମେଧ-ଯଜ୍ଞରେ ବଳିପଡ଼ି ଶେଷରେ ସେ ନିଜେ ୧୯୨୭ମସିହାରେ ଦେୱାଳିଆ ଘୋଷିତ ହେଲେ । ଏହି ମର୍ମରେ ପ୍ରଶ୍ନ ଉଠେ, ତାଙ୍କର ଏହି ଜାତିଟା କ’ଣ? ପ୍ରଶ୍ନଟିର ଏକ ଉପରଠାଉରିଆ ଉତ୍ତର ହେବ ‘ଓଡ଼ିଶା’ । ଓଡ଼ିଆଭାଷୀ ଅଞ୍ଚଳର ଏକତ୍ରିକରଣ ଲାଗି ସେ ସ୍ମାରକପତ୍ର ଲେଖୁଥିଲେ, ଭାଷାଭିତ୍ତିରେ ଓଡ଼ିଶା ପ୍ରଦେଶ ଗଠନ ଲାଗି ସେ ‘ଉତ୍କଳ ସମ୍ମିଳନୀ’ର ସ୍ଥାପନା କରିଥିଲେ । ଏପରିକି ଇଂରାଜୀରେ ଯେଉଁ ପତ୍ରିକାଟିଏ କାଢ଼ୁଥିଲେ, ତାର ନାଁ ଥିଲା, ‘ଦି ଓରିଆ’ । ‘ଉତ୍କଳ’ ଶବ୍ଦକୁ ବାଦ ଦେଇ ମଧୁବାବୁଙ୍କର ବ୍ୟକ୍ତିତ୍ୱକୁ ଆକଳନ କରିହେବ ନାହିଁ । ମାତ୍ର ତାଙ୍କର ଏହି ‘ଉତ୍କଳ’ ବା ‘ଉତ୍କଳ ଜନନୀ’ କଦାଚିତ ‘ଭାରତ ଜନନୀ’ର ପ୍ରତିଦ୍ୱନ୍ଦ୍ୱୀ  ନଥିଲା, ପରିପନ୍ଥୀ ବି ନଥିଲା । ନିଜର ଚିନ୍ତନକୁ ସମ୍ମାନ କରି ସେ ୧୯୦୩ ମସିହାରେ ‘ଜାତୀୟ ଜୀବନ’ ଶୀର୍ଷକ ଏକ ନିବନ୍ଧରେ ଲେଖିଛନ୍ତି:

‘ଉତ୍କଳ ଜନନୀ କଦାଚିତ ଭାରତ ଜନନୀଙ୍କର ସପତ୍ନୀ କିମ୍ବା ଶତ୍ରୁ ନୁହନ୍ତି । ଭାରତ ଜନନୀଙ୍କର ପାଞ୍ଚଛଅ ଗୋଟି ପୁତ୍ର । ଭିନ୍ନ ଭିନ୍ନ ଶିଶୁଙ୍କ ପାଇଁ ବିଭିନ୍ନପ୍ରକାର ପରିଚର୍ଯ୍ୟା ଆବଶ୍ୟକ । ଜନନୀ କେଉଁ ଶିଶୁକୁ କୋଡ଼ରେ ପୂରାଇ ମଧୁମୟ ସ୍ନେହଚକ୍ଷୁରେ ସ୍ତନ୍ୟପାନ କରାଉଛନ୍ତି, କେଉଁ ଶିଶୁର ଦୁଷ୍ଟ ଚରିତ୍ରକୁ ଦମନ କରିବା ପାଇଁ ବେତ୍ରାଘାତ କରୁଛନ୍ତି, କେଉଁ ଶିଶୁକୁ ନିକଟରେ ତା’ଠାରୁ ପରାମର୍ଶ ଗ୍ରହଣ କରୁଛନ୍ତି; ଅର୍ଥାତ୍ ଶିଶୁର ବିଭିନ୍ନ ଅବସ୍ଥାରେ ଜନନୀ ବିଭିନ୍ନ ରୂପ ଧାରଣ କରି ଦଣ୍ଡାୟମାନ ହେଉଅଛନ୍ତି । ଯେଉଁ ମଧୁମୟୀ ମୂର୍ତ୍ତିରେ ଜନନୀ ଶିଶୁକୁ ସ୍ତନ୍ୟପାନ କରାନ୍ତି, ଉକ୍ରଳ ଜନନୀ ଆଜି ସେହି ସ୍ନେହମୟୀ ମୂର୍ତ୍ତିରେ ଆମ୍ଭମାନଙ୍କ ସମ୍ମୁଖରେ ଉପସ୍ଥିତ ହୋଇଅଛନ୍ତି । ଏହି ମୂର୍ତ୍ତି ଭାରତମାତାଙ୍କର ଗୋଟିଏ ମୂର୍ତ୍ତିବିଶେଷ । ଏହି ରୂପଟି ଭାରତମାତାଙ୍କର ଗୋଟିଏ ଅବତାର ।’(ଉତ୍କଳଶ୍ରୀ, ବାଲେଶ୍ୱର, ୨୦୦୫, ପୃ-୩)

ଭାରତ ଓ ଉତ୍କଳ ଜାତି ମଧ୍ୟରେ ଦେଖିଥିବା ଏହି ଅଭିନ୍ନତା ଓ ଅନୁପୂରକତାକୁ ଆହୁରି ସୁସ୍ପଷ୍ଟ କରିବାକୁ ଯାଇ ମଧୁସୂଦନ ୧୯୦୮ ମସିହାର ଉତ୍କଳ ସମ୍ମିଳନୀରେ ଅଭିଭାଷଣ ଦେଲାବେଳେ ପୁଣି କହିଛନ୍ତି, ‘ଉତ୍କଳ ଜନନୀ ଓ ଭାରତ ଜନନୀ’ଙ୍କ ମଧ୍ୟରେ କୌଣସି ପ୍ରଭେଦ ନାହିଁ । ଶରୀରର କୌଣସି ଅଂଶ ପୀଡ଼ାହେଲେ, ସେହି ଅଂଶର ଚିକିତ୍ସା କରିବାକୁ ହେବ, କିନ୍ତୁ ଏହି ଅଂଶବିଶେଷର ଚିକିତ୍ସା ଦ୍ୱାରା ସମସ୍ତ ଶରୀରର ଉନ୍ନତି ହେବ । ଉତ୍କଳର ଚିକିତ୍ସାର ଉଦ୍ଦେଶ୍ୟ ଭାରତର ଉନ୍ନତି ।’(ସୁରସିଂହ ପଟ୍ଟନାୟକ ‘ମହାନାୟକ ମଧୁସୂଦନ’, ବ୍ରହ୍ମପୁର, ୧୯୯୭(ଦ୍ୱିତୀୟ ସଂସ୍କରଣ), ପୃ – ୧୧)  । ବିକାଶ ଓ ପ୍ରଗତି କ୍ଷେତ୍ରରେ ମହାଭାରତୀୟ ଜାତିଗୁଡ଼ିକ ମଧ୍ୟରେ ଉତ୍କଳ ପଛେଇଯାଇଛି ବୋଲି ମଧୁସୂଦନଙ୍କର ଏ ଯେଉଁ ଧାରଣା, ତାହାରି ଯୋଗୁଁ ଉତ୍କଳର ସ୍ୱାର୍ଥକୁ ସେ ପ୍ରାଥମିକତା ଦେଇଛନ୍ତି,ଅନ୍ୟଥା ମହାଭାରତୀୟ ଜାତୀୟତାକୁ ପକ୍ଷାଘାତ ହେବବୋଲି ସେ ଆଶଙ୍କା ପ୍ରକଟ କରିଛନ୍ତି । ଠିକ୍ ସେମିତି ବ୍ୟାପକ ଉତ୍କଳ ମଧ୍ୟରେ ସମାଜର ଏକ ‘ନିମ୍ନବର୍ଗ’ ଚର୍ମକାର ପଛେଇଯାଇଛି ବୋଲି ତା’ପାଇଁ ‘ଉତ୍କଳ ଟେନେରୀ’ର ଅନୁଷ୍ଠାନ ଗଢ଼ିଛନ୍ତି । ସେହି ମର୍ମରେ ‘ଉତ୍କଳ ଟେନେରୀ’କୁ ସମାଜର ଚର୍ମକାର ଭଳି ଏକ ପଛୁଆ ବର୍ଗ ନିମନ୍ତେ ସ୍ୱାଭିମାନ,ଆତ୍ମସମ୍ମାନ ଓ ସ୍ୱାବଲମ୍ବନଶୀଳତାର  ଏକ ସ୍ୱଦେଶୀ ପ୍ରୟୋଗ ରୂପେ ଦେଖାଯାଇ ପାରେ ।

କେବଳ ଚର୍ମକାର କାହିଁକି, ‘ତାଳଗୁଡ଼ ସଂଘ’ ସ୍ଥାପନା କରି ସେ ତାଳଗଛରୁ ରସ କାଢ଼ୁଥିବା ଦଳିତବର୍ଗ ପାଇଁ କର୍ମସଂସ୍ଥାନର ବିକଳ୍ପ ଦେଇଛନ୍ତି, ୧୯୧୨ମସିହାରେ ‘ପ୍ରଜାପ୍ରତିନିଧି ସଭା’ ଗଠନ କରି ସାଧାରଣ ଚାଷୀ ମୁହଁରେ ଭାଷା ଦେବାକୁ ପ୍ରୟାସ କରିଛନ୍ତି, ଏବଂ ତନ୍ତୀଭଳି ଏକ ପଛୁଆ ବର୍ଗର ହସ୍ତତନ୍ତରେ ‘ଫ୍ଲାଇ ସଟଲ’ଦେଇ ତାକୁ ଅଧିକ ଉତ୍ପାଦନକ୍ଷମ ତଥା ଅଧିକ ଉପାର୍ଜନକ୍ଷମ କରିବାକୁ ଚେଷ୍ଟା କରିଛନ୍ତି । ଓଡ଼ିଶା ସମାଜର ଏହିସବୁ ପଛୁଆବର୍ଗ ପାଇଁ କାମ କରି ମଧୁସୂଦନ ଓଡ଼ିଶାର ସାମୂହିକ ସ୍ୱାର୍ଥରେ ଯଦି ଆଞ୍ଚ ଆଣିନାହାନ୍ତି, ତେବେ ‘ଉତ୍କଳ ଜନନୀ’କୁ ମାଆ ମାଆ ବୋଲି ଡାକି ବା ସେ କାହିଁକି ‘ଭାରତମାତା’ର ଅପ୍ରିୟ ହେବେ? ଅନ୍ୟ ଅର୍ଥରେ ମଧୁସୂଦନଙ୍କର ଏ ଯେଉଁ ଉତ୍କଳ ପ୍ରୀତି,ତାକୁ ମହାଭାରତୀୟତା ବ୍ୟତୀତ ଅଲଗା କିଛି କୁହାଯାଇ ନପାରେ । ତା’ଠାରୁ ବଡ଼କଥା ହେଲା ଯେ, ତହିଁରେ ତାଙ୍କର ଖ୍ରୀଷ୍ଟିଆନ ଧର୍ମ ମଧ୍ୟ କେବେ ବାଧକ ସାଜିନି ।

ତେଣୁ ପୁରୀମନ୍ଦିରର ପରିଚାଳନା ଭାର ଯେତେବେଳେ ଖ୍ରୀଷ୍ଟିଆନ ଧର୍ମୀ ବ୍ରିଟିଶ ସରକାର ନିଜହାତକୁ ନେବାକୁ ଚେଷ୍ଟା କରିଛନ୍ତି, ସେତେବେଳେ ସେ ଧର୍ମରେ ଖ୍ରୀଷ୍ଟିଆନ, ପୁଣି ରାଜନୀତିକ ବିଚାରରେ ଉଦାରପନ୍ଥୀ ହେବା ସତ୍ତେ୍ୱ, ତାର ଦୃଢ଼ ପ୍ରତିବାଦ କରିଛନ୍ତି, କଚେରୀରେ ଯାଇ ସରକାର ବିରୁଦ୍ଧରେ ଲଢ଼େଇ କରିଛନ୍ତି ଏବଂ ଶେଷରେ ସଫଳ ମଧ୍ୟ ହୋଇଛନ୍ତି । ମଧୁସୂଦନ ଦାସ ଜଣେ ବହୁବିଧ ପ୍ରତିଭା, ବର୍ଣ୍ଣାଢ଼୍ୟ ଚରିତ୍ର । ସେ ‘ଓକିଲ’,ସେ ‘ଶତାବ୍ଦୀର ସୂର୍ଯ୍ୟ’,ସେ ‘ଉତ୍କଳ ଗୌରବ’, ସେ ‘ମି.ଦାସ’,ସେ ‘ମଧୁବାବୁ’,ସେ ‘ଦେଶ ପ୍ରାଣ’, ସେ ‘ମହାନାୟକ’, ପୁଣି ସେ ‘କୁଳବୃଦ୍ଧ’ ।

ତାଙ୍କୁ ଯଦି କୌଣସି ଧର୍ମୀୟ ଢାଞ୍ଚାର ସଂକୀର୍ଣ୍ଣତା ମଧ୍ୟରେ ଆବଦ୍ଧ କରାଯାଇ ପାରିବ ନାହିଁ, ତା’ହେଲେ କୌଣସି ଆଞ୍ଚଳିକତାର ସୀମିତ କ୍ଷେତ୍ର ମଧ୍ୟରେ ବି ବାନ୍ଧି ଦିଆଯାଇପାରିବ ନାହିଁ । ତାଙ୍କର ଉତ୍କଳୀୟତା ଯଦି ମହାଭାରତୀୟତାର ବାଧକ ନଥିଲା, ତେବେ ତାଙ୍କ ‘ମହାଭାରତୀୟତା’ କଦାଚିତ ‘ବିଶ୍ୱପ୍ରେମ’ ଆଗରେ ବି ଅନ୍ତରାୟ ସୃଷ୍ଟି କରି ନପାରେ । ସେଥିପାଇଁ ସେ ଏକା ଡାକରେ ‘ଉତ୍କଳ ଜନନୀ’କୁ ‘ମାଆ ମାଆ’ ଡାକୁଥିଲେ ସାଙ୍ଗରେ‘ସର୍ବେଷାଂ ନୋ ଜନନୀ ଭାରତ’ବୋଲି ସହଜରେ କହିପାରୁଥିଲେ । ତାଙ୍କର ‘ମାଆ ମାଆ’ ଡାକ ବିଶ୍ୱଜନନୀ ପ୍ରତି ମଧ୍ୟ ଏକାମାତ୍ରାରେ ପ୍ରଯୁଜ୍ୟ ଥିଲା । ସେହି କୋଟିଏ କଣ୍ଠର ସମ୍ମିଳିତ ଡାକ ବଳରେ ‘ଭୂମିକମ୍ପ ହେବ, ଧରଣୀ ଫାଟିବ, ଉଠିବେ ସହସ୍ର ଭୂଜା’ ବୋଲି ସେ ଯେଉଁ ଚିତ୍ରକଳ୍ପ ତିଆରିଛନ୍ତି, ତାହା ୧୯୦୭ ମସିହାର ବିପ୍ଳବୀ ଅରବିନ୍ଦଙ୍କ କଳ୍ପନାର ‘ବିପ୍ଳବ’ଠାରୁ ବୋଧହୁଏ ବେଶି ଅଲଗା ନୁହେଁ । ଦୁହିଁଙ୍କର ଚିତ୍ରକଳ୍ପ ମଧ୍ୟରେ ରହିଥିବା ଅନୁପୂରକତାକୁ ବିପ୍ଳବୀ ଅରବିନ୍ଦ ଦେଖି ପାରିଥିଲେ ବୋଲି ହୁଏତ ‘ବନ୍ଦେ ମାତରମ୍’ ପତ୍ରିକା ପୃଷ୍ଠାରେ ଆଜିକୁ ଶହେ ବର୍ଷ ତଳେ ଉଦାତ୍ତ କଣ୍ଠରେ ମଧୁସୂଦନଙ୍କର ପ୍ରଶଂସା କରିଥିଲେ । ଏହା କେବଳ ଅନୁମାନର କଥା ନୁହେଁ, ସାଙ୍ଗରେ ଗବେଷଣା ପ୍ରସୂତ ବସ୍ତୁନିଷ୍ଠ ଏକ ଐତିହାସିକ ତଥ୍ୟ ମଧ୍ୟ,  ଏଥିରେ ଦିରୁକ୍ତି ନାହିଁ ।

ସୌଜନ୍ୟ – ସମଦୃଷ୍ଟି

PHOTOCREDIT- https://www.google.co.in/search?q=MADHUSUDAN+DAS&hl=en&source=lnms&tbm=isch&sa=X&ved=0ahUKEwjns7SQ8ZfeAhWKjqQKHVomAJEQ_AUIDigB&biw=1366&bih=657#imgrc=55RBzm1dXqOUpM:


Share Samadhwani
Support Samadhwani

About ଡ଼ଃ ପ୍ରୀତୀଶ ଆଚାର୍ଯ୍ୟ

ଇତିହାସ ବିଭାଗର ପ୍ରଫେସର(ରିଜୋନାଲ କଲେଜ), ସ୍ତମ୍ବକାର

Check Also

‘ଡ଼େଙ୍ଗିଲି’ ଗାଁ’ର ସାଂସ୍କୃତିକ ଜୀବନୀ

Share Samadhwaniଆଶିଷ କୁମାର ବେହେରା ଆମ ଗାଁ’ର ନାମ ଡ଼େଙ୍ଗିଲି । ମୋହନ ବ୍ଲକ ବିରିକୋଟ ଗ୍ରାମପଂଚାୟତର ଏହା ଏକ …

One comment

  1. ସମଧ୍ୱନିର ପାଠକ ବନ୍ଧୁ ବିଶେଷକରି ଯେଉଁମାନେ ଆମ କାମକୁ ଅନେକ ସମୟରେ ଆଲୋଚନା ସମାଲୋଚନା କରି ଆଗେଇ ନେବାରେ ସହଯୋଗ କରିଛନ୍ତି ସମସ୍ତଙ୍କୁ ବିନମ୍ର ଅଭିନନ୍ଦନ। ଆପଣମାନଙ୍କ ଭିତରୁ ଏମିତି କିଛି ପାଠକ ଅଛନ୍ତି ଯେଉଁମାନେ କେତେକ ସ୍ଥାନରେ ଆମର ଭାଷାଗତ ତ୍ରୁଟିକୁ ସୁଚାଇଦେଇ ଆମକୁ ସଜାଗ ମଧ୍ୟ କରିଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଶ୍ରୀଯୁକ୍ତ ରଙ୍ଗନାଥ ରଥ ମହାଶୟ। ତାଙ୍କର ସହଯୋଗ ପାଇଁ ତାଙ୍କୁ ଆମେ ବିଶେଷ ଧନ୍ୟବାଦ ଜଣାଉଛୁ। ଆମେ ପୁଣି ଥରେ କହିବାକୁ ଚାହୁଁ ଯେ ଯଦିଓ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ସୁରକ୍ଷା କରିବା ପାଇଁ ସମଧ୍ୱନି ବଦ୍ଧପରିକର ତଥାପି ନିଜର ଭାଷା ଜ୍ଞାନ ଏତେ ଅଧିକ ନୁହଁ ଓ ନିଜର ଭାଷା ଉପରେ ଆମ ନିଜର ଏତେ ଭରଷା ନାହିଁ। ତଥାପି ଭାଷାକୁ ଭଲ ପାଇବା ଓ ସଂସ୍କୃତିକୁ ଭଲପାଇବା ଭିତରେ ଏହି କାମଟିକୁ ଆଦରି ନେଇଛୁ। ଯଦି କିଛି ଭାଷାଗତ ତ୍ରୁଟି ରହେ ତେବେ ଆମକୁ ଚେତାଇଦେଲେ ଆମେ ଉପକୃତ ହେବୁ। ଆମର ଲକ୍ଷ୍ୟ ତଥା ପ୍ରତିବଦ୍ଧତା ରେ କେବେ କିଛି ଉଣା ଦେଖିବେ ନାହିଁ ଏତିକି ବିଶ୍ୱାସ।