ଦୁଇଟି ସମାଧି କଥା( ସମ୍ପ୍ରୀତିର ସଂସ୍କୃତି)

ଜ୍ୟୋତି ନନ୍ଦ
ଜ୍ୟୋତି ନନ୍ଦ 156 Views
3 Min Read

ଦୁଇଟି ସମାଧି କଥାଚିତ୍ର ରେ ଦେଖିବେ ଦୁଇଟି ସମାଧି ରହିଛି । ଏହାକୁ ଟିକିଏ ଭଲଭାବରେ ଦେଖନ୍ତୁ ।

ସମାଧି ଦୁଇଟିକୁ ଦେଖିବା ପରେ ଏହା ସଂପର୍କରେ ତଳେ ଯେଉଁ ସଂକ୍ଷିପ୍ତ ବିବରଣୀଟି ରହିଛି ତାହାକୁ ଟିକିଏ ସମୟ ବାହାର କରି ପଢିବା ହୁଅନ୍ତୁ । ଉପସ୍ଥିତ ଲେଖକ ନିଜର ଶୁଦ୍ଧ ଅନ୍ତଃକରଣ ରେ ବିଶ୍ୱାସ କରେ ଯେ ,ଏହି ଦୁଇଟି କବର ସଂପର୍କିତ ସଂକ୍ଷିପ୍ତ ବିବରଣୀକୁ ପଢିବା ପରେ ଆପଣଙ୍କର ନିଶ୍ଚୟ ମନେ ହେବ, ଆମେ ଭାରତୀୟତାକୁ ବୁଝିବା ପାଇଁ ଯେଉଁ ଉଜ୍ଜଳ ପ୍ରତୀକ କୁ ଛବି ରୂପରେ ଖୋଜୁଛେ ତାହା ଅସଲରେ ସେଇଠି ଅଛି।ସେହି ଦୁଇଟି କବର ରେ ତାହା ଶାୟିତ।

ଛବିରେ ଯେଉଁ ଦୁଇଟି ସମାଧି ରହିଛି ସେଥିରୁ ବଡ ସମାଧିଟି ହେଉଛି ହାଜି ରୋଜବିହ୍ ବୋଲି ଜଣେ ସୁଫି ସନ୍ୟାସୀଙ୍କର । ସୁଫିମାନେ ଅତି ସଂକ୍ଷେପରେ କହିଲେ ଆମର ହିନ୍ଦୁ ମାନଙ୍କ ଭଳି ଏକ କୀର୍ତ୍ତନରତ ସନ୍ୟାସୀ ଙ୍କ ଦଳ।ସେମାନେ ଚାରିଆଡ ବୁଲି “ପରବରଦିଗାରେ ଆଲମ୍” “ଇନଶାଆଲ୍ଲାହ” ଙ୍କ ଗୁଣ କୀର୍ତ୍ତନ କରୁଥାନ୍ତି । ସେମାନଙ୍କ ଠାରୁ “ସମାହ” ବା ସାନ୍ଧ୍ୟଗାନର ଆସର କଥାଟି ଆସିଛି। ଆଲୋକ ତଥା ସମାହ ପାଖକୁ ପତଙ୍ଗ ବା “ପରବାନା ” ଯିବା ଭଳି ଜୀବ-ପରମର ପ୍ରତୀକଟି ତେଣୁ ଖୁବ୍ ଜନପ୍ରିୟ। ବିଶେଷରେ ସୁଫି ସନ୍ୟାସୀ ମାନେ ଇସଲାମ୍ ର ଏକ ଉଦାରପନ୍ଥୀ ଦଳ ଯେଉଁମାନେ ସେମାନଙ୍କର ମଠ ବା “ଖାନକ୍ୱାହ” ରେ ରହି ହିନ୍ଦୁ ମାନଙ୍କ ଭଳି ପ୍ରାଣାୟମ ସାଧନା କରିଥାନ୍ତି। ସେ ଯାହାହେଉ ହାଜି ରୋଜବିହ୍ ଦିଲ୍ଲୀକୁ ସର୍ବପ୍ରଥମେ ଆଗମନ କରିଥିବା ସୁଫି ସନ୍ୟାସୀଙ୍କ ମଧ୍ୟରେ ଅନ୍ୟତମ । ଦିଲ୍ଲୀ ସନ୍ନିକଟ ରାଇ ପିଥୋରା କିଲ୍ଲାରେ ଫତେ ବୁର୍ଜ ବୋଲି ସ୍ଥାନରେ ତାଙ୍କର ଏହି ସମାଧିଟି ରହିଛି । ସେହି ସ୍ଥାନକୁ ଲୋକେ ଲାଲକୋଟ୍ ବୋଲି କହିଥାନ୍ତି।

ହାଜି ରୋଜବିହ୍ ସେତେବେଳେ ଅର୍ଥାତ୍ ଖ୍ରୀଷ୍ଟୀୟ ତ୍ରୟୋଦଶ ଶତାବ୍ଦୀର ଆଦ୍ୟଭାଗରେ ଜଣେ ଅତ୍ୟନ୍ତ ଜନପ୍ରିୟ ସନ୍ଥ ଥିଲେ । ତାଙ୍କର ଅନୁଗାମୀଙ୍କ ସଂଖ୍ୟା ପ୍ରଚୁର ଥିଲା ।

ଆଜି ଆମର ଲକ୍ଷ୍ୟ ହେଉଛି ହାଜି ରୋଜବିହ୍ ଙ୍କ ସମାଧି ନିକଟରେ ରହିଥିବା ଦ୍ୱିତୀୟ ସମାଧି ଟି। ଏଇ ଦ୍ୱିତୀୟ ସମାଧିଟି ଯାହାର ସେ କାମନା କରିଥିଲେ ଯେ ସେ ଯେମିତି କୟାମତ୍ ଯାଏଁ ନିଜ ଗୁରୁଙ୍କ ସାନ୍ନିଧ୍ୟରୁ ବଞ୍ଚିତ ହୋଇ ନ ରହନ୍ତି। ତାଙ୍କର ଇଚ୍ଛା ପୂରଣ କରାଯାଇଥିଲା। ଦେହାବସାନ ପରେ ତାଙ୍କୁ ତାଙ୍କର ଗୁରୁଙ୍କ ସାନ୍ନିଧ୍ୟରେ କବରନସିନ୍ କରାଯାଇଥିଲା।

ଗୁରୁଙ୍କ ସାନ୍ନିଧ୍ୟରେ କବର ରେ ଚିରକାଳ ଶାୟିତ ହେବା ଭଳି ଏକ କାହାଣୀ ରେ କେଉଁ ବିଶେଷ ବୈଚିତ୍ର୍ୟ ରହିବ ?

ନିଶ୍ଚିତ ବୈଚିତ୍ର୍ୟ ଅଛି।

ଆମର ସମସ୍ତ ବଦ୍ଧମୂଳ ଧାରଣାକୁ ଭାଙ୍ଗି ଦେବାର ସାମର୍ଥ୍ୟ ଏହି କାହାଣୀ ରଖେ।ଦ୍ୱିତୀୟ କବର ଅର୍ଥାତ୍ ଆକାରରେ ଦେଖିବାକୁ ଛୋଟ କବରଟି ଯେତେବେଳେ ଜଣେ ନାରୀର ହୁଏ,ସେଇ ନାରୀ ଜଣକ ର ନାମ ଯଦି ଯେତେବେଳେ ହୋଇଥାଏ “ବିବି” ଆଉ ସେହି “ବିବି”ର ପିତା ଯେତେବେଳେ ଆମକୁ ଚମକାଇଦେଲା ଭଳି ଭାରତ ଇତିହାସର ଜଣେ ପ୍ରତିପତ୍ତିଶାଳୀ ନରପତି ହୋଇଥାନ୍ତି ,ତେବେ ନିଶ୍ଚୟ ଚମକ ତ ଲାଗିବ ଆମର ବିଶ୍ୱାସରେ।

ସେହି ରାଜା ଜଣକ ଆଜି ଯଦି ଥାଆନ୍ତେ ତେବେ ଏହି ଭଳି ସଂଖ୍ୟାଲଘୁ ବିଚାର ଆଉ ବିଭାଜନର ଅସୂୟା ଆମ ଚାରିପାଖରେ କଷ୍ଟକର ନୀରବତା ସହ ନିଜର ଉପସ୍ଥିତ ସାବ୍ୟସ୍ତ କରୁନଥାନ୍ତା ।

ସମସ୍ତେ ନିଜ ନିଜ କାଳଖଣ୍ଡରେ ନିଜେ ଏକମାତ୍ର ଅଧୀଶ୍ୱର।

“ବିବି”ର ପିତା ହେଉଛନ୍ତି ଦିଲ୍ଲୀର ରାଜପୁତ ନରେଶ ତଥା ଆମର ଅନେକ କାହାଣୀର ନାୟକ ପୃଥ୍ୱୀରାଜ ଚୌହାନ।

ବର୍ତ୍ତମାନର ପୃଷ୍ଟଭୂମୀରେ ଆଉ ଅଧିକ କିଛି କହିବାର ନାହିଁ। ବିଚାର ଆପଣମାନଙ୍କର।

Courtesy- from the Facebook timeline of Jyoti Nana

Share This Article