(ଅତୀତରୁ ପୋଷ୍ଟକାର୍ଡ) ସିଂହପୁରରେ ପାଠପଢ଼ା

ଶୈଲେନ ରାଉତରାୟ
ଶୈଲେନ ରାଉତରାୟ 218 Views
4 Min Read

ଶ୍ରୀ ନିଶାକର ଦାସ ଜଣେ ଗାନ୍ଧିବାଦୀ ସର୍ବୋଦୟ କର୍ମୀ । ଦାସଙ୍କୁ ମାତ୍ର ପାଞ୍ଚ ବରଷ ହୋଇଥିବା ବେଳେ ହୃଦ୍ଘାତରେ ବାପା ପରଲୋକ ଚାଲିଗଲେ । ଦାସେ ନିଜେ ତିନି ଭାଇ । ନିଶାକର ବାବୁ ସବା ସାନ । ପାଠ ପଢ଼ାଇବା ନିମନ୍ତେ ବଡ଼ ଭାଇ (ଦିଜବର ଦାସ) ନିଜର ମଝିଆଁ ଭାଇ (ଭାସ୍କର ଦାସ) ଓ ସାନ ନିଶାକରଙ୍କୁ ଜଣେ ଅବଧାନଙ୍କ ପାଖକୁ ପଠାଇଲେ । ବଡ଼ ନିଜେ ଦାଦାମାନଙ୍କ ଦ୍ୱାରା ଅକ୍ଷର ଜ୍ଞାନ ପ୍ରାପ୍ତ ହୋଇଥିଲେ ଓ କେବଳ ପୋଥି ଓ ଭାଗବତ ଇତ୍ୟାଦି ପଢ଼ିପାରୁଥିଲେ । ମଝିଆଁ ଓ ସାନ ପାଠ ପଢ଼ିଲେ ଅବଧାନଙ୍କ ପାଖରେ । ଅକ୍ଷର ଶିଖିବା ପାଇଁ ନିର୍ଘାତ ମୋଟା ମାଟି ଖଡ଼ିରେ ଭୂଇଁ ଉପରେ ବର୍ଣ୍ଣମାଳାର ଅଭ୍ୟାସ କରିବାକୁ ପଡ଼ୁଥିଲା। ପରେ ଭାଇ ଦୁଇ ଜଣ ଗାଁର ଇସ୍କୁଲରେ ପଢ଼ିବାକୁ ଗଲେ । ସେ ପର୍ଯ୍ୟନ୍ତ ପାଣ କଣ୍ଡରା ସାହିର ପିଲାମାନେ ସାଧାରଣତଃ ବିଦ୍ୟାଧ୍ୟୟନ କରୁ ନଥିଲେ ।

ବଡ଼ ଭାଇ ଅବଧାନଙ୍କୁ ତାଙ୍କ ପାଉଣା ଦେଉଥିଲେ । ଦୁଇ ବରଷ ଅବଧାନଙ୍କ ପାଖରେ ପଢ଼ି ଇସ୍କୁଲକୁ ଗଲା ବେଳକୁ ବୟସ ଟିକିଏ ଗଡ଼ି ଯାଇଥିଲା । ସେଠାରେ ପାଠ ପଢ଼ା ମାଗଣା ନଥିଲା । ଇସ୍କୁଲରେ ମଧ୍ୟ ପାଉଣା ଦେବାକୁ ପଡ଼ୁଥିଲା । ଏହା ଛଡ଼ା ବହି, ଖାତା ଇତ୍ୟାଦିର ଖର୍ଚ୍ଚ ମଧ୍ୟ ଥିଲା । ଦାଦା, ମା ଓ ଭାଇ ମାନେ ନି଼ଜ ନିଜ ଆୟରୁ କିଛି କିଛି ଦେବାରୁ ଦୁଇ ଭାଇଙ୍କର ପାଠ ପଢ଼ା ଖର୍ଚ୍ଚ ଉଠୁଥିଲା ।

ନିଶାକର ବାବୁ ପିଲା ବେଳେ ବହୁତ ଚଗଲା ଥିଲେ । ମାତ୍ର ଅବଧାନେ ଓ ଇସ୍କୁଲର ମାଷ୍ଟର ମାନେ ଛୁଇଁ କରି ତାଙ୍କୁ ବାଡ଼ଉ ନଥିଲେ, ଜାତିଗତ ଭେଦଭାବ ଓ ଅସ୍ପୃଶ୍ୟତା କାରଣରୁ -କାରଣ ନିଶାକରଙ୍କର ପରିବାର ଥିଲେ ଜାତିରେ ପାଣ ବୈଷ୍ଣବ। ନିଶାକର ବାବୁ ଓ ତାଙ୍କ ପରି ଦଳିତ ଜାତିମାନର ଅନ୍ୟ ପାଠପଢ଼ୁଆ ପିଲାମାନେ ସବର୍ଣ୍ଣ ଶ୍ରେ‌ଣୀର ପିଲାଙ୍କଠାରୁ ଅଲଗା ହୋଇ ବସୁଥିଲେ । ଅବଧାନେ ମାଡ଼ ମାରିଲା ବେଳେ ଦଳିତ ଜାତିର ପିଲାଙ୍କୁ ବେତ ଫିଙ୍ଗି ମାରୁଥିଲେ, ଛୁଇଁଲେ ଜାତି ଚାଲିଯିବ, ସେହି ଭୟରେ । ବେତ ଫିଙ୍ଗିଲା ବେଳେ ତାହା ଦଳିତ ପିଲାଙ୍କ ଜାମାରେ ଲାଗିଗଲେ ସେହିଟି ମାରା ହେଇଯାଏ ଓ ତାକୁ ଅଲଗା ରଖିବାକୁ ହୁଏ ।

କିଛି ସବର୍ଣ୍ଣ ଲୋକେ ଦଳିତ ପିଲାଙ୍କର ଛାଇକୁ ମଧ୍ୟ ଡେଇଁକରି ଯାଉଥିଲେ; କାଳେ ମାରା ହୋଇଯିବେ, ସେହି ଭୟରେ । ଛୁଆଁ ଅଛୁଆଁ ଭାବ ସର୍ବବ୍ୟାପୀ ଥିଲା, ଇସ୍କୁଲ ଓ ଗାଁ ଦାଣ୍ଡରେ ତ ଥିଲା – ଯାନିଯାତ୍ରାରେ ମଧ୍ୟ ଏକା ଅବସ୍ଥା । ଦଳିତ ପିଲା ପାଲା ଓ ଯାତ୍ରା ଇତ୍ୟାଦି ଦେଖିବାକୁ ଗଲେ ଦୂରରେ ବସି ଦେଖିବାକୁ ହୁଏ । ନଈ ତୁଠରେ ମଧ୍ୟ ଗାଧୋଇବାରେ ବାରଣ ଥିଲା – ନଦୀର ଉପର ମୁଣ୍ଡରେ ଦଳିତମାନେ ଗାଧୋଇବା ମନା ଥିଲା, ଏହି ଛୁଆଁ ଅଛୁଆଁ ଭେଦଭାବ କାରଣରୁ । ଏହି ମନୋଭାବ ବିଭିନ୍ନ ଦଳିତ ଜାତି ମଧ୍ୟରେ ବି ଥିଲା – ପାଣ ଜାତିର ଲୋକେ କଣ୍ଡରା ଜାତିର ଲୋକଙ୍କୁ ଛୁଉଁ ନଥିଲେ । କଣ୍ଡରା ଜାତିର ଲୋକେ ଗୋଖା ଜାତିର ଲୋକଙ୍କୁ ଛୁଉଁ ନଥିଲେ ଇତ୍ୟାଦି ।

ସକାଳେ ଭାଇଙ୍କ ସହିତ ଲୁଣ ଲଗାଇ ପଖାଳ ଭାତ ଖାଇ ଇସ୍କୁଲ୍ ଯାଆନ୍ତି ନିଶାକର ବାବୁ । ସେ ପଖାଳରେ ଭାତ କମ ଥାଏ; ତୋରାଣି ଥାଏ ଅଧିକ । ଇସ୍କୁଲରୁ ଅନେକ ସମୟରେ ବଡ଼ ପାସ୍ କହି, ବାହାରକୁ ଯାଇ, ନଈକୁଳରେ ସାଙ୍ଗ ପିଲାମାନଙ୍କ ସହିତ ନିଶାକର ଖେଳନ୍ତି । ହେଲେ ଡ଼ର ଥାଏ କାଳେ ଭାଇ ବା ଦଦା ମାନଙ୍କ ହାବୁଡ଼ରେ ପଡ଼ିଯିବେ ବୋଲି । ଚଣା ସମୟରେ ବିଲରୁ ଚଣା ଓପାଡ଼ି ଜଳଖିଆ କାମ ଚଳେ । ସନ୍ଧ୍ୟା ବେଳକୁ ମଝିଆ ଭାଇ ତାଙ୍କର ସିଲଟ ଇତ୍ୟାଦି ନେଇ ଘରକୁ ଆସନ୍ତି । ବେଳେ ବେଳେ ଏଥି ସବୁ ଲାଗି ନିଶାକର ବାବୁ ମାଡ଼ ଗାଳି ମଧ୍ୟ ଖାଆନ୍ତି । ପାଠ ପଢ଼ାରେ ମନ ନ ଦେଇ ଗୀତ ଶିଖିବା, ପାଲା ଦେଖିବା ଇତ୍ୟାଦି କାମରେ ସମୟ ଅତିବାହିତ କରୁଥିଲେ ହେଁ,ସାତ ବର୍ଷ ବୟସରେ ନିଶାକର ବାବୁ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ଉଠିଯାଇଥିଲେ। ମାତ୍ର ଖାଦ୍ୟ ଓ ଅର୍ଥାଭାବରୁ ଶେଷକୁ ପାଠ ପଢ଼ାରେ ଡୋରି ବନ୍ଧା ହେଲା ।

ବି.ଦ୍ର. –ଏହି ଲେଖାଟିର ଉପାଦାନ ଭୁବନେଶ୍ୱରସ୍ଥ ସଂସ୍ଥା ଶିକ୍ଷାସନ୍ଧାନ ଛାପିଥିବା ନିଶାକର ଦାସଙ୍କର ଆତ୍ମଜୀବନୀ ‘ଖରସୁଆଁରୁ କୁଲାବିରି’ରୁ ସଙ୍ଗୃହିତ ।

[box type=”shadow” align=”” class=”” width=””]‘ଅତୀତରୁ ପୋଷ୍ଟକାର୍ଡ’ ସ୍ତମ୍ଭରେ ପ୍ରକାଶିତ ଏହି ଲେଖାଟି ଶୈଲେନ ରାଉତରାୟଙ୍କର ଏକ ସୃଜନାତ୍ମକ ସୃଷ୍ଟି । ଏହି ସ୍ତମ୍ଭରେ ଗତ କିଛି ବର୍ଷ ଧରି ସେ ‘ସମଦୃଷ୍ଟି’ ପାକ୍ଷିକ ପତ୍ରିକାରେ ଧାରାବାହିକ ଭାବରେ ଲେଖି ଆସୁଛନ୍ତି। ଓଡ଼ିଆ ଭାଷାରେ ପ୍ରକାଶିତ ଆତ୍ମଜୀବନୀଗୁଡ଼ିକୁ ଭିତ୍ତିପାଠ ଭାବରେ ଧରି ଓଡ଼ିଶାର ଜନଜୀବନର ସାମାଜିକ ଇତିହାସ ରଚନା ଦିଗରେ ଏହା ଏକ ପ୍ରଚେଷ୍ଟା ଏହା ସହ ଏକ ନୂତନ ପ୍ରଜନ୍ମକୁ ଇତିହାସର ଅନେକ ଅଣଆଲୋଚିତ ଚରିତ୍ର ଓ ଘଟଣା ମାନଙ୍କ ସହିତ ପରିଚୟ କରାଇବା ତଥା ପୁରାତନ ପୁସ୍ତକମାନଙ୍କ ସହ ଭେଟ କରାଇ ତତ୍‌ସମ୍ବନ୍ଧୀୟ ବିଷୟଗୁଡ଼ିକରେ ଅଧିକ ଜାଣିବାର ଆଗ୍ରହ ସୃଷ୍ଟି କରିବା ପାଇଁ ସେ ନିଜର ଉଦ୍ୟମ ଏହି ସ୍ତମ୍ଭ ଜରିଆରେ ଜାରୀ ରଖିଛନ୍ତି । ତାଙ୍କର ଏହି ଚେଷ୍ଟାକୁ ଆଗେଇ ନେବା ପାଇଁ ‘ଅତୀତରୁ ପୋଷ୍ଟକାର୍ଡ’ ସ୍ତମ୍ଭରେ ପୂର୍ବପ୍ରକାଶିତ ଲେଖାଗୁଡ଼ିକୁ ଆମେ ସମଧ୍ୱନି ପୃଷ୍ଠାରେ ସ୍ଥାନିତ କରିବାକୁ ଅନୁରୋଧ କରିଥିଲୁ। ତାଙ୍କର ସହାୟତାରେ ଏହି ଧାରାବାହିକ ଏବେ ସମଧ୍ୱନିରେ ଆପଣ ପଢ଼ିବାକୁ ପାଇବେ । – ସମ୍ପାଦକ[/box]

Photo credit- https://bit.ly/3cgrv2F

Share This Article
ଗବେଷକ, ଲେଖକ