ଦିନ ଥିଲା, କଲେଜେ କହିଲେ ନୋକେ ବୁଝୁଥିଲେ ଗୋଟିଏ ଜେଗା – କଟକର ରେଭେନ୍ସା । ତାହାର କାରଣ ବି ଥେଲା । ଏ ରାଇଜ ସାରା (କହିବାକୁ ଖାଲି ରାଇଜ – ପକୃତରେ ଥେଲା ବାର ଭାଇଙ୍କର ଇଜିମାଇଲି ଗାଡିଆଟିଏ), ମାନେ କୁଜଙ୍ଗରୁ କୁଚିଣ୍ଡା ପର୍ଯ୍ୟନ୍ତ, ଜଶୀପୁରରୁ ଲକ୍ଷ୍ମୀପୁର ପର୍ଯ୍ୟନ୍ତ ବ୍ୟାପିଥିବା ଓଡିଆଭାଷୀ ଅଞ୍ଚଳରେ ଥିଲା ଗୋଟିଏ ବୋଲି କଲେଜେ – ରେଭେନ୍ସା କଲେଜେ ।
ପ୍ରସିଦ୍ଧ କଥାକାର ଶ୍ରୀ ବସନ୍ତ ଶତପଥୀ ୧୯୩୩ ମସିହାରେ ରେଭେନ୍ସାରେ ବୃତ୍ତିଧାରୀ ଛାତ୍ର ଭାବରେ ପଢିବାକୁ ଆସିଲା ବେଳକୁ ୧୮୬୮ ମସିହାରେ ଛଅ ଜଣ ପିଲାଙ୍କୁ ଧରି ଖୋଲାଯାଇଥିବା ଇଣ୍ଟରମେଡିଏଟେ କଲେଜେଟିରେ ସେତେବେଳକୁ ଇଂରେଜିରେ ଏମ୍.ଏ. ଖୋଲି ସାରିଥିଲା । ଆଇ.ଏ.ରେ ବସନ୍ତ ବାବୁଙ୍କର ବିଷୟ ଥିଲା ଇତିହାସ, ଲଜିକ୍, ସଂସ୍କୃତ । ରହୁଥିଲେ ଇଷ୍ଟ୍ ହଷ୍ଟେଲରେ।
ହଷ୍ଟେଲରେ ସକାଳ ଜଳଖିଆରେ ମିଳୁଥିଲା ଚାରିଟା ପୁରୀ ଓ ତରକାରୀ । ଦିନବେଳା ଆମିଷ ଖାଉଥିବା ଲୋକଙ୍କ ପାଇଁ ସବୁଦିନ ମାଛ । ଶନିବାର ଦିନ ମାଂସ । ରାତିରେ କାନିକା । ଯେ ମାଂସ ନ ଖାଆନ୍ତି ତାଙ୍କ ପାଇଁ ରସଗୋଲା ଓ ଦିବ୍ୟ ଅନ୍ନ । ଉପରବେଳା ଜଳଖିଆ ଚାରିରୁ ଛଅଟା ଭିତରେ – ଖାଇବା ପାଇଁ ସୁଜି, ମୋହନଭୋଗ ନ ହେଲେ କାକରା । ହଷ୍ଟେଲେରେ ଥିଲା ମିଠା ଦୋକାନ – ଯିଏ ଚାହିଁବ କିଣିକରି ଖାଇପାରିବ । ପୂଜାରୀ ଭାବରେ ଥିଲେ ଧନି, କେଶବ, ବେଙ୍ଗ । ସମସ୍ତଙ୍କ ପାଇଁ ପିତ୍ତଳ ଥାଳି, ଗିନା ଓ ଗିଲାସ ବ୍ୟବସ୍ଥା ମଧ୍ୟ ଥିଲା ।
ପ୍ରତି ମାସର ଶେଷ ଶନିବାରରେ ହେଉଥିଲା ବିଶେଷ ମାସିକିଆ ରାଜକୀୟ ଭୋଜି । ପଲଉ ସହିତ ମାଂସର ଚପ୍, କଟଲେଟ୍ ଓ ଝୋଳ । ସାଧାଖିଆଙ୍କ ପାଇଁ ଛଅସାତ ଠା ନିରାମିଷ ତରକାରୀ । ତହିଁ ସହ ବଢ଼ାହେଉଥିଲା ଦୁଇତିନି ଠା ମିଠା, ଖିରି ଓ କିସିମିସି ଦିଆ ଖଜୁରୀ ଖଟା ।
ହଷ୍ଟେଲ୍ ଖାଇବା ବାହାରେ ପାଟି ଟକଳେଇଲେ ବା ଭୋକ କଲେ ଆଶ୍ରା ହେଲା ଅନୁ ପାନ ଦୋକାନ ପାଖକୁ କୁଞ୍ଜିଆ ମିଠା ଦୋକାନ । ଚାରି ପଇସାରେ ଚାରିଟା ରୁଟି ଭଳିଆ ବଡ଼ ବଡ଼ ଲୁଚି ଓ ପୁଡ଼ାଏ ଆଳୁଦମ୍ । ତାଙ୍କ ଦୋକାନର ପାନ୍ତୁଆ ଅପୂର୍ବ । ବର୍ତ୍ତମାନର ନେତାଜୀଙ୍କ ମୂର୍ତ୍ତି ପାଖରେ ଗୁଜୁରାଟୀ ଦୋକାନରେ ଗାଣ୍ଠିଆ, ଶେଉ, ମହୀଶୂର ପାଗ ମିଠା, ଚଟଣି ଆଉ ଚାହା । କଲେଜର ଆଦର୍ଶ ସ୍ଥାନୀୟ ଶିକ୍ଷକ, ଲାଇବ୍ରେରୀ ଓ ପାଠପଢ଼ା ସହ ପିଲାଙ୍କୁ ବାନ୍ଧି ରଖୁଥିଲା ମନକୁ ଟାଣି ରଖିଲା ଭଳି ଖାଇବା ।
ବି.ଦ୍ର. – ଏହି ଲେଖାଟିର ଉପାଦାନ ଶ୍ରୀ ବସନ୍ତ ଶତପଥୀଙ୍କର ଆତ୍ମଜୀବନୀ ‘ମନେପଡେ’ ରୁ ସଙ୍ଗୃହିତ । ବହିଟି ଭୁବନେଶ୍ୱରସ୍ଥ ସଂସ୍ଥା ଶିକ୍ଷାସନ୍ଧାନଙ୍କ ଦ୍ୱାରା ପ୍ରକାଶିତ ।
Photo credit- https://bit.ly/32z31xh