ଇତିହାସ

(ଅତୀତରୁ ପୋଷ୍ଟକାର୍ଡ) ମାଛ ମିଛ: କଟକରେ ମାଛ ଧରା

କ୍ରେଡ଼ିଟ – ୱିକିମିଡିଆ କମନ୍ସ୍     ସନ୍ଧ୍ୟା ସମୟରେ ମହାନଦୀର ଚିତ୍ର

‘ଅତୀତରୁ ପୋଷ୍ଟକାର୍ଡ’ ସ୍ତମ୍ଭରେ ପ୍ରକାଶିତ ଏହି ଲେଖାଟି ଶୈଲେନ ରାଉତରାୟଙ୍କର ଏକ ସୃଜନାତ୍ମକ ସୃଷ୍ଟି । ଏହି ସ୍ତମ୍ଭରେ ଗତ କିଛି ବର୍ଷ ଧରି ସେ ‘ସମଦୃଷ୍ଟି’ ପାକ୍ଷିକ ପତ୍ରିକାରେ ଧାରାବାହିକ ଭାବରେ ଲେଖି ଆସୁଛନ୍ତି। ଓଡ଼ିଆ ଭାଷାରେ ପ୍ରକାଶିତ ଆତ୍ମଜୀବନୀଗୁଡ଼ିକୁ ଭିତ୍ତିପାଠ ଭାବରେ ଧରି ଓଡ଼ିଶାର ଜନଜୀବନର ସାମାଜିକ ଇତିହାସ ରଚନା ଦିଗରେ ଏହା ଏକ ପ୍ରଚେଷ୍ଟା  ଏହା ସହ ଏକ ନୂତନ ପ୍ରଜନ୍ମକୁ ଇତିହାସର ଅନେକ ଅଣଆଲୋଚିତ ଚରିତ୍ର ଓ ଘଟଣା ମାନଙ୍କ ସହିତ ପରିଚୟ କରାଇବା ତଥା ପୁରାତନ ପୁସ୍ତକମାନଙ୍କ ସହ ଭେଟ କରାଇ ତତ୍‌ସମ୍ବନ୍ଧୀୟ ବିଷୟଗୁଡ଼ିକରେ ଅଧିକ ଜାଣିବାର ଆଗ୍ରହ ସୃଷ୍ଟି କରିବା ପାଇଁ ସେ ନିଜର ଉଦ୍ୟମ ଏହି ସ୍ତମ୍ଭ ଜରିଆରେ ଜାରୀ ରଖିଛନ୍ତି । ତାଙ୍କର ଏହି ଚେଷ୍ଟାକୁ ଆଗେଇ ନେବା ପାଇଁ ‘ଅତୀତରୁ ପୋଷ୍ଟକାର୍ଡ’ ସ୍ତମ୍ଭରେ ପୂର୍ବପ୍ରକାଶିତ ଲେଖାଗୁଡ଼ିକୁ ଆମେ ସମଧ୍ୱନି ପୃଷ୍ଠାରେ ସ୍ଥାନିତ କରିବାକୁ ଅନୁରୋଧ କରିଥିଲୁ। ତାଙ୍କର ସହାୟତାରେ ଏହି ଧାରାବାହିକ ଏବେ ସମଧ୍ୱନିରେ ଆପଣ ପଢ଼ିବାକୁ ପାଇବେ । – ସମ୍ପାଦକ

ରେଭେନ୍ସା କଲେଜେରୁ ଇଂରାଜୀ ଭାଷା ସାହିତ୍ୟରେ ଉପାଧ୍ୟୁତ୍ତର ଶିକ୍ଷା ସାରି, ସ୍ୱାଧୀନତା ସମୟରେ ଶ୍ରୀ ବସନ୍ତ ଶତପଥୀ ମୟୁରଭଞ୍ଜ ରାଜ୍ୟ ପାଇଁ କାମ କରୁଥିଲେ । ତାଙ୍କର ମୂଳ ଦାୟିତ୍ତ୍ୱ ଥିଲା ପବ୍ଲିସିଟି ଓ ସାମ୍ବାଦିକତା । ମାତ୍ର ଶେଷ ଗଡ଼ଜାତ ରାଜ୍ୟ ରୂପେ ମୟୁରଭଞ୍ଜ ୧୯୪୯ ମସିହା ଜାନୁଆରୀ ମାସରେ ଭାରତ ସହିତ ଓଡ଼ିଶା ରାଜ୍ୟର ଗୋଟିଏ ଜିଲ୍ଲା ଭାବରେ ମିଶିଗଲା । ଅନ୍ୟ ରାଜ କର୍ମଚାରୀମାନଙ୍କ ପରି ଶତପଥୀ ବାବୁ ମଧ୍ୟ ଓଡ଼ିଶା ସରକାରଙ୍କର ଜଣେ କର୍ମଚାରୀ ବନିଗଲେ । ଜଣେ ରାଜଭକ୍ତ କର୍ମଚାରୀ ଭାବରେ ରାଜ୍ୟ ଖାସ୍ ହେବାଟା ତାଙ୍କୁ ବାଧିଥିଲା । ମାତ୍ର ପେଟ ପୋଷିବା ପାଇଁ ଓଡ଼ିଶା ସରକାରଙ୍କ ଚାକିରୀ ଧରିଲେ । ଲୋକ ସମ୍ପର୍କ ବିଭାଗର ନିର୍ଦ୍ଦେଶକଙ୍କର ପି.ଏ. ବା ବ୍ୟକ୍ତିଗତ ସହକାରୀ ହୋଇ ସେ ଓଡ଼ିଶା ସରକାରରେ ଯୋଗ ଦେଲେ ଓ ରାଜ୍ୟ ସଚିବାଳୟକୁ ବଦଳି ହେଲେ ।

ହେଲେ ‘ଛାମୁ ଯାହା ଦେଲେ ହରଷେ’ ନ୍ୟାୟରେ ଦରମା ମାସକୁ ୨୬୦ ରୁ ୧୬୦ ଟଙ୍କାକୁ ଖସିଗଲା । ଓଡିଶା ମୟୁରଭଞ୍ଜ ତୁଳନାରେ ବଡ଼ ରାଜ୍ୟ ତ ! ସଚିବାଳୟ ସେତେବେଳେ କଟକରେ ଥିଲା । ବାରିପଦାରୁ କଟକ ଚାରି ପୁଅ ଝିଅ, ବାର ବରଷର ସାନ ଭାଇ ଓ ପାଞ୍ଚଟି କୁକୁଡ଼ାର ବଡ଼ ପରିବାର ଧରି ଆସି ହନ୍ତସନ୍ତ ଶତପଥୀଏ ହେଲେ । ପିଲା ମାନଙ୍କୁ ନାନାଦି ରୋଗ ଧଇଲା । ନିଜର ଦୁର୍ଘଟଣା ହେଲା । ‘ରାମ ରାଉତ ଘରେ ଭାତ ନାହିଁ ପିଲା ବହୁତ’ ଅବସ୍ଥାରେ ଘର ଚଳେଇବା ପାଇଁ ସାନ ଭାଇ ଓ ବଡ଼ ଝିଅ କୁ ରଙ୍ଗିନ ଫୁଲ ତିଆରି ଓ ବିକ୍ରିର ବ୍ୟବସାୟ କରିବାକୁ ପଡ଼ିଲା ।

ମାଛ ତରକାରୀ ଘରେ ଦୁଇ ଓଳି ହୁଏ । ପରିବାରଟି ରହୁଥା’ନ୍ତି ମହାନଦୀ କୂଳରେ । ସନ୍ଧ୍ୟା ହେଲେ ସାନ ଭାଇକୁ ଧରି ବସନ୍ତ ବାବୁ ନଦୀ ଆଡ଼େ ମୁହାନ୍ତି ମାଛ ଧରିବା ପାଇଁ; ମାଛ ଧରି ଆଣିଲେ ଘରେ ତରକାରୀ ହେବ । ପ୍ରଥମେ ପ୍ରଥମେ ସୂତାରେ ଜିଆ ଗୁନ୍ଥି ବଡ଼ ଚିଙ୍ଗୁଡି ଧରୁଥିଲେ । ହେଲେ ବଡ଼ ଜାଲରେ ମାଛ ଧରିବାକୁ ଇଚ୍ଛା ହେଲା । ହେଲେ ଜାଲ ମିଳିବ ବା କାହୁଁ । ଗଛ କୋରଡ଼ରେ ଅନ୍ଦାଜରେ ହାତ ବୁଲାଉ ବୁଲାଉ ଅକସ୍ମାତ ପକ୍ଷୀ ଅଣ୍ଡା ପାଇଲା ପରି, ପଚାରୁ ପଚାରୁ ପାଖ କେଉଟ ସାହିରୁ ଶିଖା ଗୋଡ଼ିର ପୁରୁଣା ଜାଲଟିଏ ମାତ୍ର ଦୁଇ ଟଙ୍କାରେ ମିଳିଗଲା । କିଣିଲା ଦିନ ଭାଇ ସହିତ ରାତି ଆଠଟାରେ ଯାଇ ଠାକୁରଙ୍କ ନାଁ ନେଇ ଜାଲ ଫିଙ୍ଗୁ ଫିଙ୍ଗୁ ବସନ୍ତ ବାବୁଙ୍କ ଭାଗ୍ୟରେ କିଲିଖିଆ କଳାବାଉଁଶି ମାଛଟାଏ ପଡ଼ିଲା । ଦିନକରେ ଜାଲର ପଇସା ଉଠିଗଲା ।

କ୍ରେଡ଼ିଟ – ୱିକିମିଡିଆ କମନ୍ସ୍

ସେ ଜାଲରେ ଧରି କେତେ ମାଛ ଯେ ବସନ୍ତ ବାବୁ ଓ ତାଙ୍କର ପରିବାର ଖାଇଚନ୍ତି ତାହାର ଇଅତ୍ତା ନାହିଁ । ଠାଏ ମହାନଦୀରେ ଗୋଳିପାଣି ଖେଳିଲା । ପାଣି ମାଡ଼ିଲା କ୍ଷଣି ବଡ଼ ଚିଙ୍ଗୁଡି ଗୁଡ଼ାକ ବାଲି ଉପରେ ଚଙ୍ଗଚଙ୍ଗ ହୋଇ ହଇଚଇ ସୃଷ୍ଟି କଲେ । ବସନ୍ତ ବାବୁ ଆନନ୍ଦରେ ଦୁଇ କିଲ ପାଖାପାଖି ଚିଙ୍ଗୁଡ଼ି ଧରିଲେ । ପର ଦିନ ଭଜା ଚିଙ୍ଗୁଡ଼ି ନେଇ ସହକର୍ମୀମାନଙ୍କୁ ଖୁଆଇଲେ । ସେମାନେ ମନ ଆନନ୍ଦରେ ଚିଙ୍ଗୁଡ଼ିଗୁଡ଼ିକ ଖାଇ ସଫା କରିଦେଲେ ।

ମାଛ ଧରା ବସନ୍ତ ବାବୁଙ୍କ ପାଇଁ ଏକ ମହା ଆନନ୍ଦଦାୟକ ସଉକର ବିଷୟ ଥିଲା । ଥରେ ଖରାଦିନେ ସେ ମାଛ ଧରିବା ପାଇଁ ଜହ୍ନଭରା ରାତିରେ, ବାରଟା ବେଳେ, ଜାଲ ଧରି ବାହାରି ଗଲେ । ତା’ ପର ଦିନର ଚୁଲି ପାଇଁ ମାଛ ସେମିତି ବିଶେଷ କିଛି ଲୋଡ଼ା ନ ଥିଲା । ଗହିରିଆ ଜେଗାର ସ୍ଥିର ପାଣିରେ ଜାଲ ପାରି ଦେଇ ବାବୁ ଟାକି ଥାଆନ୍ତି । କିଛି ସମୟ ଜଗି ଜାଲକୁ ଉପରକୁ ଟେକିଲା ବେଳକୁ ଆଉ ସେକି ତଳୁ ଉଠେ । ଟାଣିଲା ବେଳକୁ ଜାଲ ଚିରିବାକୁ ଆରମ୍ଭ କଲା । ଅଗତ୍ୟା ଶତପଥୀ ଆଜ୍ଞା ଜାଲଟିକୁ ଭାସୁଥିବା ଏକ ବାଉଁଶ ବୋଝରେ ବାନ୍ଧି ଦେଇ ଘରକୁ ଉଜାଣି ବହିଲେ । ସକାଳେ ନଈକୁ ଲେଉଟି ଯାଇ ଜାଲକୁ ଦେଖିଲା ବେଳକୁ ତାହା ଯାଇଁ କେଉଁଠି ଅଖଜରେ ଲାଗିଛି । ଚାରି ଛଅ ଜଣ କଟକିଆ ଟୋକାଙ୍କ ସାହାଯ୍ୟରେ ଜାଲକୁ ଉଦ୍ଧାର କଲା ବେଳକୁ ବୋଧ ହୁଏ ପାପେରା ହୋଇଯାଇଥିବା ଜାଲଟି ଛିଣ୍ଡିଗଲା । ଉପରକୁ ଉଠି ଆସିଲା ଖାଲି ଲୁହାର ଜାଲ ଗୋଡ଼ି ।

ମାଛ, ମିଛ । ବି.ଦ୍ର. : ଏହି ଲେଖାଟି ପାକ୍ଷିକ ପତ୍ରିକା ‘ସମଦୃଷ୍ଟି’ ସୌଜନ୍ୟରୁ ପ୍ରାପ୍ତ । ଆଲେଖ୍ୟଟିର ବିଷୟବସ୍ତୁ ଭୁବନେଶ୍ୱରସ୍ଥ ଶିକ୍ଷାସନ୍ଧାନ ସଂସ୍ଥା ୨୦୦୮ ମସିହାରେ ଛପାଇଥିବା ବସନ୍ତ କୁମାର ଶତପଥୀଙ୍କ ଦ୍ୱାରା ଲିଖିତ ଓ ସୁମନ୍ୟୁ ଶତପଥିଙ୍କ ଦ୍ୱାରା ସମ୍ପାଦିତ ଆତ୍ମଜୀବନୀ ‘ମନେ ପଡ଼େ’ ରୁ ଆହୃତ ।

 

Please support atleast Rs 20/- , Rs 50/- , Rs 100/- for a story.

ଶୈଲେନ ରାଉତରାୟ

ଗବେଷକ, ଲେଖକ

Related Articles

Leave a Reply

Your email address will not be published.

Back to top button