[box type=”shadow” align=”” class=”” width=””]ଶ୍ରୀ କିରଣ ଚନ୍ଦ୍ର ଘୋଷ ୧୯୩୭ ମସିହାରେ ଡ଼ଗର ପୃଷ୍ଠାରେ ଲେଖିଥିଲେ ଓଡ଼ିଆ ରେକର୍ଡ଼ର ଇତିହାସ । ଆଜି ଯେତେବେଳେ ରେକର୍ଡ଼ିଂ ମେସିନ ଏବଂ ଏହାର ବୈଷୟିକ ଜ୍ଞାନ କ୍ଷେତ୍ରରେ ଅଭୂତପୂର୍ବ ପରିବର୍ତ୍ତନ ଘଟିଛି, ଇତିହାସର ସେହି ସମୟରେ ରେକର୍ଡ଼ିଂ କେମିତି ହେଉଥିଲା ଏବଂ ଏହାର ପ୍ରଭାବ କେମିତି ସମାଜ ଉପରେ ଥିଲା ଜାଣିବାର ଜରୁରୀ ଆବଶ୍ୟକତା ରହିଛି ବୋଲି ଅନୁଭବ କରି ଏହାକୁ ସମଧ୍ୱନି ନିଜ ପୃଷ୍ଠାରେ ସ୍ଥାନିତ କରୁଛି। ୧୯୩୭ରୁ ୨୦୧୭, ଦୀର୍ଘ ୮୦ବର୍ଷର ବ୍ୟବଧାନ । ଏହି ସମୟ ଭିତରେ ବିଜ୍ଞନ ଓ କାରୀଗରୀ କୌଶଳରେ ଘଟିଥିବା ପରିବର୍ତ୍ତନ ଶ୍ରୋତାଙ୍କୁ କେଉଁଭଳି ପ୍ରଭାବିତ କରିଛି ଆଲୋଚନା ହେବା ଜରୁରୀ । ସେଥିପାଇଁ ଏଠି ଇତିହାସର ପୃଷ୍ଠାଟିକୁ ପୁଣିଥରେ ମନେପକାଇବା । – ସମ୍ପାଦକ[/box]
ଏଥର ଓଡ଼ିଆ ନାଟକ ଯାହା ଗ୍ରାମୋଫୋନରେ ଦିଆହୋଇଛି, ସେ ସମ୍ବନ୍ଧରେ ପଦେ, ଅଧେ କହିବି । ହିଜ ମାଷ୍ଟରସ ଭଏସ କମ୍ପାନୀ ପ୍ରଥମେ ସାହାସ କରି ଓଡ଼ିଆ ନାଟକ ବାହାର କଲେ – ବାମନାବତାର । ଏହିଟା ଭଲ ଆଦର ପାଇଥିଲା। ତାପରେ ବାହାରିଲା – ଧ୍ରୁବ ଚରିତ। ଏହା ମଧ୍ୟ ମନ୍ଦ ହୋଇ ନାହିଁ । ଏ ଦୁଇଟି ଯାକ ବାବୁ କୃଷ୍ଣ ପ୍ରସାଦ ବସୁଙ୍କ ରଚନା ।
ଏ କମ୍ପାନୀ ଏବେ “କୃଷ୍ଣଜନ୍ମ” ବାହାର କରିଛନ୍ତି । ଲେଖକ ବାବୁ ଅକ୍ଷୟ କୁମାର ଦାସ । ଏହିଟି କେତେ ଦୂର ଭଲ ବା ମନ୍ଦ ହୋଇଛି ତାହା ଗ୍ରାହକେ ବିଚାର କରିବେ । ମେଗାଫୋନ କମ୍ପାନୀ ଯେସବୁ ବାହାର କରିଛି, ତନ୍ମଧ୍ୟରୁ “କୋଣାର୍କ” ଉଲ୍ଲେଖ ଯୋଗ୍ୟ । ଅଶ୍ୱିନି ବାବୁଙ୍କର ଅମର ନାଟକ କୋଣାର୍କର ଯେ ଶେଷରେ ଏ ଦୁରବସ୍ଥା ହେବ ତାହା ସ୍ୱପ୍ନରେ କେହି ଭାବି ନଥିଲା । ରେକଡ଼ିଂ ତ ଭଲ ହୋଇନାହିଁ, ବରଂ ତରବର ହୋଇ ଆର୍ଟିଷ୍ଟ ବୃନ୍ଦ ସ୍କୁଲ ପିଲାଙ୍କ ଭଳି ଘୋଷାପାଠ ମୁଖସ୍ତ ବୋଲି ଯାଉଛନ୍ତି । ମନେହୁଏ କିଛି କାଟିକୁଟି ଦେଇଥିଲେ ଆହୁରି ଜମି ଥାଆନ୍ତା ।
ମେଗାଫୋନର ଖଣ୍ଡିକିଆ ରେକଡ଼ ଧ୍ରୁବ ଓ ପ୍ରହ୍ଲାଦ କେତେକ ପରିମାଣରେ ସଫଳ ହୋଇଛି । ଏହାଙ୍କର କଳାପାହାଡ଼ ବାହାରିବ ଶୀଘ୍ର । ସେନୋଲାରେ ବାହାରିଛି “ଶ୍ରୀମନ୍ଦିର” । ଏହି ନାଟକଟି ସବୁଠାରୁ ଭଲ ହୋଇଛି । “କେଦାରଗୌରୀ” ମଧ୍ୟ ବେଶ ସଫଳ। ହିନ୍ଦୁସ୍ଥାନରୁ ବାହାରିଛି “ସୀତା ବିବାହ ?” ଏହି ନାଟକଟି ଭଲ ହେବା ଦୂରେ ଥାଉ, ଓଡ଼ିଶାର ନାଟ୍ୟ କଳାକୁ ଜଗତ ସମକ୍ଷରେ ବଡ଼ ହୀନ କରିପକାଇଛି । ଏଥିପାଇଁ ଶ୍ରୀଯୁକ୍ତ ମୋହନ ସୁନ୍ଦର ଗୋସ୍ୱାମୀ ଓ ବାବୁ ପ୍ରୟନାଥ ଗାଙ୍ଗୁଲି ଦାୟୀ ।
ଆଉ ଗୋଟିଏ କଥା କହି ମୋର ବକ୍ତବ୍ୟ ଶେଷ କରିବି । ବିଗତ ଆଠବର୍ଷ ହେଲା ମୁଁ ଥିଏଟରଦଳ ସମ୍ପର୍କରେ ଥାଇ ଗୋଟାଏ କଥା ଲକ୍ଷ କରିଛି । କଥାଟା ମନକୁ ପୀଡ଼ା ଦିଏ । ଓଡ଼ିଆ ରେକଡ଼ର ଗାୟକମାନଙ୍କ ମଧ୍ୟରୁ ଅନେକ ଥିଏଟର ଦଳରେ ଥାଇ କ୍ଲାରିଓନେଟ ବଜାନ୍ତି । ଫଳରେ ତାଙ୍କ ଫୁସଫୁସରେ ଅତି ମାତ୍ରା ଆଘାତ ଲାଗି ତାକୁ ଦୁର୍ବଳ କରିପକାଏ ଓ କଣ୍ଠ ନଳୀ ମଧ୍ୟରେ ବିରିବିରିକା (ଗ୍ରାନ୍ୟୁଲେସନ) ବାହାରି କଣ୍ଠ କର୍କଶ ହୁଏ ଓ ତାର ମଧୁରତା ନଷ୍ଟ ହୋଇଯାଏ । ଉନ୍ନତ ନାଟ୍ୟଦଳମାନଙ୍କରୁ ଏବେ ଅନ୍ୟଆଡ଼େ କ୍ଲାରିଓନେଟ ଉଠିଯାଇ ହାଡ଼ୀ ଡ଼ମଙ୍କ ହାତରେ ପଡ଼ିଲାଣି । ଓ ତାର ସ୍ଥାନ ଅଧିକାର କଲେଣି ବେହେଲା ପ୍ରଭୃତି ତାରଯନ୍ତ୍ର ! ଏବେବି ସମୟ ଅଛି । ଯେଉଁମାନେ ପ୍ରକୃତ ଗାୟକ ହେବାକୁ ଇଚ୍ଛା କରନ୍ତି ସେମାନେ ଯେପରି ବଂଶୀକୁ ପରିତ୍ୟାଗ କରନ୍ତି, ଏତିକି ମୋର ଶେଷ ଅନୁରୋଧ ।
ବି.ଦ୍ର. – : ଏହି ଲେଖା ଗୁଡ଼ିକ ମାସିକ ସାହିତ୍ୟ ପତ୍ରିକା ‘ଡ଼ଗରର’ର ୧– ପ୍ରଥମ ପୃଷ୍ଠା, ଖଣ୍ଡ ତୃତୀୟ ସଂଖ୍ୟାରେ, , ୨– ପ୍ରଥମ ଖଣ୍ଡ, ଚତୁର୍ଥ ସଂଖ୍ୟାରେ, ୩– ୪ପ୍ରଥମ ଖଣ୍ଡ, ଚତୁର୍ଥ ସଂଖ୍ୟାରେ – ୧୩୪୪ ସାଲ ବା ୧୯୩୭ ମସିହାରେ ପ୍ରକାଶିତ ହୋଇଥିଲା।
PHOTO CREDIT – WIKIMEDIA COMMONS