ଜଗନ୍ନାଥ ତତ୍ତ୍ୱର ମୂଳକଥା – ୧

9 Min Read

ପ୍ରାଚୀନ କାଳରୁ ଆଜି ପର୍ଯ୍ୟନ୍ତ ଓଡିଶାର ଧର୍ମଧାରଣା ତଥା ସମାଜ ଓ ସଂସ୍କୃତିକୁ ପ୍ରଭାବିତ କରିଥିବା ଜଗନ୍ନାଥ ତତ୍ତ୍ୱ ଘନ ରହସ୍ୟ ବଳୟରେ ରହିଯାଇଛି । ଐତିହାସିକ ତଥ୍ୟ ଏବଂ ଜନଶ୍ରୁତି ଭିତ୍ତିକ କଥା ମଧ୍ୟରେ ଅନେକ ସାମ୍ୟ ଥିଲେ ସୁଦ୍ଧା ବୈଷମ୍ୟ ଥିବାରୁ ଏହି ସମ୍ପର୍କିତ ଆଲୋଚନା ପୂର୍ଣ୍ଣାଙ୍ଗ ହୋଇପାରିନାହିଁ । ପୁଣି କାହାଣୀ ମଧ୍ୟରେ ଆତ୍ମଗୋପନ କରିଥବା ଏକାଧିକ ରହସ୍ୟକୁ ବୈଜ୍ଞାନିକ ପଦ୍ଧତିରେ ଉଦ୍ଘାଟନ କରିବା ଆବଶ୍ୟକ । ପୌରାଣିକ ବିବରଣୀ ସହିତ ପ୍ରତ୍ନତାତ୍ତ୍ୱିକ ଉପାଦାନ ମାନଙ୍କର ଉପଯୁକ୍ତ ବିଚାର ବିଶ୍ଳେଷଣ ମାଧ୍ୟମରେ ଜଗନ୍ନାଥ ତତ୍ତ୍ୱର ଅସଲ ଦିଗମାନଙ୍କର ଅନୁସନ୍ଧାନ କରାଯାଇପାରେ ।

Support Samadhwani

ପ୍ରଥମତଃ ଜଗନ୍ନାଥ ତତ୍ତ୍ୱର ଭୂମିଉପରେ ଆଲୋଚନା କରାଯିବା ଉଚିତ । ଏହି ଭୂମି ଓଡିଶାର ପୁରୀ ଉପକୂଳରେ ଅନ୍ତତଃ ଗୁପ୍ତୋତ୍ତର କାଳରେ ପୁରୁଷୋତ୍ତମ କ୍ଷେତ୍ରରୂପେ ପରିଚିତ ଥିଲା । ସ୍କନ୍ଦ ପୁରାଣ ଅନ୍ତର୍ଗତ ପୁରୁଷୋତ୍ତମ କ୍ଷେତ୍ର ମାହାତ୍ମ୍ୟଠାରୁ ଆରମ୍ଭ କରି ପରବର୍ତ୍ତୀ ସକଳ ପୁରୁଷୋତ୍ତମ ଖଣ୍ଡମାନଙ୍କରେ, ଏପରିକି କପିଳସଂହିତା, ନୀଳାଦ୍ରି ମହୋଦୟ ପରି ଗ୍ରନ୍ଥ ମାନଙ୍କରେ ପୁରୁଷୋତ୍ତମ କ୍ଷେତ୍ରକୁ ନୀଳଗିରି ସହିତ ଚିହ୍ନିତ କରାଯାଇଛି ।

ମାତ୍ର ସାରଳା ଦାସ ବିରଚିତ ମହାଭାରତରେ ନିର୍ଦ୍ଦିଷ୍ଟ ଭାବରେ ଏହି କ୍ଷେତ୍ରକୁ ନୀଳଗିରି ଅପେକ୍ଷା ନୀଳସୁନ୍ଦର ଗିରି ବୋଲି ବର୍ଣ୍ଣନା କରାଯାଇଛି । ପରବର୍ତ୍ତୀ ପର୍ଯ୍ୟାୟରେ ଓଡିଆ ସାହିତ୍ୟରେ ଅବଶ୍ୟ ନୀଳଗିରି ନାମଟି ବିଶେଷ ଆଦୃତ ହୋଇଛି; ଯଦିବା ଦିବାକର ଦାସ ପରବର୍ତ୍ତୀ ଶେଖର ଦାସ ବିରଚିତ ମାଧ୍ୟଯୁଗୀୟ ଓଡିଆ ଭକ୍ତିଗ୍ରନ୍ଥ ନୀଳସୁନ୍ଦର ଗୀତା ସାରଳା ମହାଭାରତ ଚିହ୍ନିତ ନୀଳ ସୁନ୍ଦରଗିରିକୁ ଗ୍ରହଣ କରିଛନ୍ତି ।

ଶ୍ରୀ ପୁରୁଷୋତ୍ତମଙ୍କ ନାମାନୁସାରେ ଖ୍ୟାତି ଲାଭ କରିଥିବା ଉକ୍ରଳର ସମୁଦ୍ର କୂଳର କ୍ଷେତ୍ରଟି ସଂସ୍କୃତ ମହାଭାରତ ରଚନା ପୂର୍ବରୁ ଅବସ୍ଥିତ ଥିଲେ ମାଧ୍ୟ ବିଷ୍ଣୁଙ୍କର ଏକ ପୀଠ ହିସାବରେ ସେତେବଳେ ପରିଚିତ ହୋଇନଥିଲା । ସ୍ୱର୍ଗତ ସୂର୍ଯ୍ୟନାରାୟଣ ଦାଶ ବାଲ୍ମିକୀ ରାମାୟଣର ବେଦମତୀ ପ୍ରସଂଗକୁ ଆଲାଚନା କରି ପ୍ରକାଶ କରିଥିଲେ ଯେ ରାଜର୍ଷି ଜନକ ସମୁଦ୍ରର ଯେଉଁ ଦକ୍ଷିଣ ତୀରରେ ବାଲିରେ ସୁବର୍ଣ୍ଣର ଲଙ୍ଗଳରେ ହଳ କରୁ କରୁ ବେଦମତୀଙ୍କୁ ପାଇଥିଲେ ସେହି ସ୍ଥାନଟି ପୁରୁଷୋତ୍ତମ କ୍ଷେତ୍ର ହୋଇଥିବା ଯଥାର୍ଥ । (ଜଗନ୍ନାଥ ମନ୍ଦିର ଓ ଜଗନ୍ନାଥ ତତ୍ତ୍ୱ, ୧୯୮୫, କଟକ, ପୃ-୧୬-୧୭) ମାତ୍ର ସମୁଦ୍ର ଦକ୍ଷିଣ ତୀରର ବାଲୁକା ରାଶି ନିର୍ଦ୍ଦିଷ୍ଟ ଭାବରେ ପୁରୁଷୋତ୍ତମ କ୍ଷେତ୍ର ହୋଇ ନପାରେ । ଏହା ଅନ୍ୟ କୌଣସି ସ୍ଥାନ ମାଧ୍ୟ ହୋଇପାରେ ।

Support Samadhwani

ମହାଭାରତର ବନପର୍ବରେ ଯେଉଁ ମହାବେଦୀ ପ୍ରସଂଗର ଆଲୋଚନା କରାଯାଇଛି ତାହାକୁ ଶ୍ରୀ ପୁରୁଷୋତ୍ତମ କ୍ଷେତ୍ର ବୋଲି ବହୁ ଆଲୋଚକ ଗ୍ରହଣ କରିଛନ୍ତି । (ଗାଙ୍ଗୁଲି, ମନମୋହନ, Orissa and her Remains,୧୯୧୨/୧୯୮୬, ପୃ-୩୯୯) । ପାଣ୍ଡବମାନେ ବନବାସ କରିବା ସମୟରେ ଲୋମଶ ମୁନି କଳିଙ୍ଗର ତୀର୍ଥସ୍ଥାନ ଗୁଡିକ ବିଷୟରେ ସୂଚନା ଦେଇଥିଲେ । ସେ ପ୍ରଥମେ ବିରଜାଙ୍କର କ୍ଷେତ୍ର ସମ୍ପର୍କରେ ଯୁଧିଷ୍ଠିରଙ୍କୁ ବୁଝାଇଥିଲେ ।

ଏହାଠାରୁ ଆହୁରି ଦୂରରେ ସମୁଦ୍ର ନିକଟସ୍ଥ ଏକ ପବିତ୍ର ସ୍ଥାନ ସମ୍ପର୍କରେ ସେ ମଧ୍ୟ ସୂଚନା ଦେଇଥିଲେ । ସେହି ସ୍ଥାନରେ ଅରଣ୍ୟର ଲୋକମାନେ ମନ୍ତ୍ର ଉଚ୍ଚାରଣ କରୁଥିଲେ । ଏହି ସ୍ଥାନର ପ୍ରାଧାନ୍ୟ ସମ୍ପର୍କରେ ଆଲୋଚନା କରି ଲୋମଶ ଯୁଧିଷ୍ଠିରଙ୍କୁ କହିଥିଲେ- ଏକଦା ସ୍ୱୟମ୍ଭୁ ଏଠାରେ ଏକ ଯଜ୍ଞ କଲେ ଏବଂ ଯଜ୍ଞ ପରେ ପୃଥିବୀଙ୍କୁ କାଶ୍ୟପଙ୍କ ହାତରେ ଦେଇଥିଲେ । ପୃଥିବୀ କ୍ରୋଧାନ୍ୱିତା ହୋଇ ତଳକୁ ଚାଲିଯାଇ ଥିଲେ ଏବଂ କାଶ୍ୟପଙ୍କ ସ୍ତୁତି ପରେ ବେଦୀ ଆକାରରେ ସମୁଦ୍ର ନିକଟରେ ଦେଖା ଦେଇଥିଲେ ।ଏହି ମହାବେଦୀ ସେତେବେଳେ ମଧ୍ୟ ପରିଚିତ ନାମ ଥିଲା ଏବଂ ମଧ୍ୟଯୁଗରେ ମଧ୍ୟ ପୁରୁଷୋତ୍ତମ କ୍ଷେତ୍ର ବେଦୀ କ୍ଷେତ୍ର ରୂପେ ପରିଚିତ ଥିଲା ।

ସେନବଂଶୀ ସମ୍ରାଟ ସୂର୍ଯ୍ୟସେନଙ୍କର ଇଡିଲପୁର ଅଭିଲେଖରେ ପୁରୁଷୋତ୍ତମ କ୍ଷେତ୍ରକୁ ବେଦୀ କ୍ଷେତ୍ର ବୋଲି ବର୍ଣ୍ଣନା କରାଯାଇଛି। ଏହି ଅଭିଲେଖ ରଚନା କାଳ ୧୨୨୦ ଖ୍ରୀଷ୍ଟାବ୍ଦ ପରବର୍ତ୍ତୀକାଳ ନୁହେଁ । (Indian Historical Quarterly, Vol.XXX, p.215; EpigraphiaIndica, Vol.XXXIII, 1960, p.315; Maity, S.K. and Mukherji, R.R.,eds.,  Corpus of Bengal Inscriptions, 1967, p.335.) ଏହି ପ୍ରସଂଗକୁ ଗ୍ରହଣକରି ହେନେରୀଷ୍ଟିଟେନ୍ କ୍ରୋନ୍ (ଐ.ଙ୍ଖ.ଝଗ୍ଧସରଗ୍ଧରଦ୍ଭମକ୍ସକ୍ଟଦ୍ଭ) ଚିନ୍ତା କରିଥିଲେ ଯେ ମହାଭାରତ ରଚନାକାଳରେ ବର୍ତ୍ତମାନର ପୁରୁଷୋତ୍ତମ କ୍ଷେତ୍ର ବେଦୀ ନାମରେ ପରିଚିତ ଥିଲା ଏବଂ ସମ୍ଭବତଃ ଏହାର ନିକଟରେ ସ୍ୱୟମ୍ଭୁ ଲୋକେଶ୍ୱରଙ୍କର ଏକ କ୍ଷେତ୍ର ଥିଲା ।(The Cult of Jagannatha and the Regional Tradition of Orissa, eds. Eschmann, Kulke and Tripathy, 1978, p.29)

ମହାଭାରତ ରଚନାକାଳରେ ଖ୍ୟାତିଲାଭ କରିଥିବା ଉକ୍ରଳର ସମୁଦ୍ର ସଂଲଗ୍ନ ଏହି ବେଦୀ ଏକ ପର୍ବତ ସଦୃଶ ଉଚ୍ଚସ୍ଥାନ ହୋଇଥିବ ।

ମହାଭାରତ ଅନୁସାରେ ଏହି ଉଚ୍ଚ ସ୍ଥାନଟି ଅରଣ୍ୟାବୃତ ହୋଇଥିବାରୁ ଆଦିମ ନିବାସୀମାନେ ଏହାକୁ ସେମାନଙ୍କର ଧର୍ମକ୍ଷେତ୍ର ବୋଲି ସ୍ଥିର କରିଥିବା ଖୁବ୍ ସମ୍ଭବ । ମହାଭାରତରେ ଏହାକୁ ଅବଶ୍ୟ ଆଦିମ ନିବାସୀ ଧର୍ମକ୍ଷେତ୍ର ବୋଲି ପ୍ରତ୍ୟେକ୍ଷ ଭାବରେ କୁହାଯାଇ ନାହିଁ ।

କିନ୍ତୁ ଏଠାରେ କୌଣସି ଆର୍ଯ୍ୟ ଦେବତା ପୂଜିତ ହୋଇଥିବାର ସୂଚନା ମହାଭାରତରୁ ମିଳେ ନାହିଁ । ତେଣୁ ସମ୍ଭବତଃ ସମୁଦ୍ର ସଂଲଗ୍ନ ଏହି ଉଚ୍ଚସ୍ଥାନକୁ ଅରଣ୍ୟର ଆଦିବାସୀମାନେ ବ୍ୟବହାର କରି ସେମାନଙ୍କର ଧର୍ମକ୍ଷେତ୍ର ବୋଲି ଗ୍ରହଣ କରି ନେଇଥିବେ । ମହାଭାରତ ରଚନାର ଅନେକ ଶତାବ୍ଦୀ ପୂର୍ବେ ଏବଂ ଖ୍ରୀଷ୍ଟୀୟ ତୃତୀୟ ଶତାବ୍ଦୀ ମଧ୍ୟରେ ପୂର୍ବଭାରତର ଅଂଗ, ବଂଗ ଏବଂ କଳିଂଗ ପ୍ରଭୃତି ରାଜ୍ୟ ଗୁଡିକ ମ୍ଳେଚ୍ଛ ରାଜ୍ୟ ବୋଲି ସୂଚିତ ।

ଏହି ଦେଶ ଗୁଡିକ ପରିଭ୍ରମଣ କରିବା ଆର୍ଯ୍ୟମାନଙ୍କ ପକ୍ଷେ ଗ୍ରହଣୀୟ ହୋଇନଥିଲା ବୋଲି ମଧ୍ୟ ବିଭିନ୍ନ ପୁରାଣ ଓ ଧର୍ମ ଶାସ୍ତ୍ରମାନଙ୍କରେ ସୂଚିତ ।(Thapar, Romila, Ancient Indian Social History, Some Interpretations, Delhi, 1978, p.162) ଏହି ଦୃଷ୍ଟିରୁ ଉକ୍ରଳର ସମୁଦ୍ର ସଂଲଗ୍ନ ଏହି ବେଦୀ ସଦୃଶ କ୍ଷେତ୍ରଟି  ଆଦିମ ନିବାସୀ ଗୋଷ୍ଠିର ଧର୍ମକ୍ଷେତ୍ର ହୋଇଥିବା ସମ୍ଭବ ।

ମହାଭାରତ ରଚନାର ଯଥେଷ୍ଟ ପରେ ଏହି ଅଞ୍ଚଳକୁ ପୁରୁଷୋତ୍ତମ କ୍ଷେତ୍ର ଓ ନୀଳଗିରି ବୋଲି କୁହାଯାଇଛି । ପ୍ରାଚୀନ ଓ ମଧ୍ୟଯୁଗୀୟ ସଂସ୍କୃତ ସାହିତ୍ୟରେ ଏହି ନାମ ଦୁଇଟି ବିଶେଷ ବ୍ୟବହୃତ ହୋଇଛି । ବେଦୀ କ୍ଷେତ୍ରରୁ ନୀଳଗିରି ନାମ କିପରି ଆରମ୍ଭ କଲେ ସେ ସମ୍ପର୍କରେ ବର୍ତ୍ତମାନ ଜ୍ଞାନ ଦୃଷ୍ଟିରୁ ନିର୍ଭରଯୋଗ୍ୟ ପ୍ରାମାଣିକ ବିବରଣୀ ଦେଇ ହେଉନାହିଁ ।

ତେବେ ଏକ ଅନୁମାନ ଏ ସମ୍ପର୍କରେ କରାଯାଇ ପାରେ । ଶ୍ରୀ ପୁରୁଷୋତ୍ତମଙ୍କର ଉପାସନା ସହିତ ଆଚାର୍ଯ୍ୟ ଶଙ୍କର ପ୍ରର୍ବ୍ୟିତସ୍ମାର୍ତ୍ତ ମତର ତଥା ତାହାଙ୍କ ଦ୍ୱାରା ପ୍ରତିଷ୍ଠିତ ଗୋବର୍ଦ୍ଧନ ପୀଠର ଅଙ୍ଗାଙ୍ଗୀ ସମ୍ପର୍କ ପ୍ରାଚୀନ କାଳରୁ ରହିଥିଲା । (ମିଶ୍ର ସଚ୍ଚିଦାନନ୍ଦ, “ଆଚାର୍ଯ୍ୟ ଶଙ୍କର ଓ ଶ୍ରୀଜଗନ୍ନାଥଙ୍କ ପ୍ରତିଷ୍ଠା”, ଝଙ୍କାର, ଏପ୍ରିଲ, ୧୯୮୫, ପୃ-୧୭-୨୮) ।

ଏହି ଶଙ୍କରାଚାର୍ଯ୍ୟ ଖ୍ରୀଷ୍ଟୀୟ ନବମ ଶତାବ୍ଦୀରେ ପୂର୍ବ ଦିଗନ୍ତରେ ଅର୍ଥାତ୍ ମହୋଦଧି କୂଳରେ ପୀଠ ସ୍ଥାପନ ପାଇଁ ଉପଯୁକ୍ତ କ୍ଷେତ୍ର ଅନ୍ୱେଷଣ କରି ସମ୍ଭବତଃ କେତେକ ଶୈବ-ଶାକ୍ତ ଏବଂ ତାନ୍ତ୍ରିକ ପୀଠ ଅଧିଷ୍ଠିତ ଏହି ସ୍ଥାନକୁ ପାଇଥିଲେ । ସେତେବେଳେ ହୁଏତ ଏହି ବେଦୀକ୍ଷେତ୍ରର ନାମ ହୋଇଗଲା ନୀଳଗିରି । ପ୍ରାବନ୍ଧିକ ମିଶ୍ରଙ୍କ ମତରେ ଗିରିଶିବଙ୍କ ସଂକେତ (ଶିବ ନିଜେ ଗିରୀଶ ।

ସେ ପୁଣି ଗିରିଜା ପତି ।) ତେବେ ଏହି ନାମ ନୀଳଗିରି ଶଙ୍କରଙ୍କ ପୂର୍ବରୁ ଥିଲା ବୋଲି ଯାହା ସେ କହନ୍ତି ତାହା ସନ୍ଦେହ ଜନକ । ଅନ୍ୟ ପକ୍ଷରେ ଶଙ୍କରଙ୍କ କାଳରୁ ଏପରି ନାମକରଣ ହୋଇଥିବା କଥାରେ କିଛିଟା ସତ୍ୟତା ଥାଇପାରେ । ପୁରୁଷୋତ୍ତମ କ୍ଷେତ୍ର ମାହାତ୍ମ୍ୟ ଅନୁସାରେ ବିଦ୍ୟାପତି ପ୍ରଥମେ ନୀଳଗିରିକୁ ଦେଖିଥିଲେ । ସମ୍ଭବତଃ ଶଙ୍କରାଚାର୍ଯ୍ୟ ଏବଂ ବ୍ରାହ୍ମଣ ମାନଙ୍କର ଏହି ବେଦୀକ୍ଷେତ୍ର ଉପରେ କର୍ତ୍ତୃତ୍ୱ ବିସ୍ତାର ପ୍ରସଂଗ ପରବର୍ତ୍ତୀ କାଳରେ ବ୍ରାହ୍ମଣ ବିଦ୍ୟାପତି ନୀଳଗିରି ଆବିଷ୍କାର ରୂପରେ ପ୍ରକାଶ ପାଇଛି।

ଶଙ୍କରାଚାର୍ଯ୍ୟଙ୍କ ସମୟରୁ ତାଙ୍କରି ଉଦ୍ୟମ ଯୋଗୁଁ ହେଉ ଅଥବା ପୁରୁଷୋତ୍ତମ କ୍ଷେତ୍ରର ଭୌଗୋଳିକ ପରିବେଶ ପାଇଁ ହେଉ ନୀଳଗିରି ପୁରୁଷୋତ୍ତମ କ୍ଷେତ୍ରର ଏକ ପ୍ରାଚୀନ ନାମ । ମାତ୍ର ଓଡିଆ କବି ସାରଳା ଦାସ (ପଞ୍ଚଦଶ ଶତକ) ପୁରୁଷୋତ୍ତମ କ୍ଷେତ୍ରକୁ ନୀଳ ସୁନ୍ଦର ଗିରି ବୋଲି ପ୍ରକାଶ କରିଥିଲେ ।

ତାଙ୍କ ପୂର୍ବେ ଲିଖିତ ପୌରାଣିକ ବିବରଣୀକୁ କେତେକାଂଶରେ ପରିବର୍ତ୍ତନ କରି ସାରଳା ଦାସ ଏହି କ୍ଷେତ୍ରମାହାତ୍ମ୍ୟ ଲେଖିଥିଲେ । ତାଙ୍କର କ୍ଷେତ୍ର ସମ୍ପର୍କିତ ବିବରଣୀ ପ୍ରଚଳିତ ଜନଶ୍ରୁତି ବା ପାରଂପାରିକ ବିବରଣୀରୁ ସଂଗୃହୀତ । କିନ୍ତୁ କେତେକାଂଶରେ ସାରଳାଙ୍କ ପ୍ରତ୍ୟକ୍ଷ ଦୃଷ୍ଟି ଦିଗ୍ବଳୟରେ ପୁରୁଷୋତ୍ତମ କ୍ଷେତ୍ରର ଦୂର ଅତୀତ ସ୍ପଷ୍ଟ ରୂପ ନେଇଥିଲା । ସେହୁ ଏତ କ୍ଷେତ୍ରକୁ ବାରମ୍ବାର ଆସିଥିଲେ । ନାନା ପ୍ରକାର ଚର୍ଚ୍ଚା(କ୍ଷେତ୍ର ସମ୍ପର୍କିତ) ସହିତ ପ୍ରତ୍ୟକ୍ଷ ଭାବରେ ଜଡିତ ଥିଲେ । ତେଣୁ ପୁରୁଷୋତ୍ତମ କ୍ଷେତ୍ରକୁ ଭିନ୍ନ ଦୃଷ୍ଟିକୋଣରୁ ସେ ଆଲୋଚନା କରିଥିଲେ ।

ସାରଳା ଦାସଙ୍କ ବର୍ଣ୍ଣନାରେ ପୁରୁଷୋତ୍ତମ କ୍ଷେତ୍ରର ଏକ ଅଂଶ ସୁନ୍ଦରଗିରି ଥିଲା ବୋଲି ପ୍ରକାଶିତ । ସେ ସଂପର୍କରେ ସେ ବନ ପର୍ବ ଓ ମୁଷଳୀ ପର୍ବରେ ପ୍ରକାଶ କରିଥିଲେ- ଯମନିକତୀର୍ଥେ ନୀଳ କଳ୍ପବଟେ/ ସୁନ୍ଦର ପର୍ବତ ମଉଦଧିର ନିକଟେ//(ମୁଷଳୀ ପର୍ବ) ସାରଳା ଦାସ ଏହାକୁ ସୁନ୍ଦର ପର୍ବତ ବୋଲି ଯାହା ପ୍ରକାଶ କରିଛନ୍ତି ତାହାଠିକ୍ ନୁହେଁ । ଏହାକୁ ସାରଳାଙ୍କ ବହୁ ଶତାବ୍ଦୀ ପୂର୍ବେ ସିନ୍ଦୂରପୁର ବୋଲି ନାମିତ କରାଯାଇଥିଲା ।

ଖୁବ୍ ସମ୍ଭବତଃ ସୂର୍ଯ୍ୟ କିରଣରେ ସମୁଦ୍ର ସଂଲଗ୍ନ ପୁରୁଷୋତ୍ତମ କ୍ଷେତ୍ରର ଏକ ଅଂଶ ସିନ୍ଦୂର ବର୍ଣ୍ଣ ଧାରଣ କରୁଥିବାରୁ ଏହାକୁ ସିନ୍ଦୂରପୁର କୁହାଯାଉଥିଲା । କବି ଜନଶ୍ରୁତିରୁ ବା ପାରଂପାରିକ ବିବରଣୀରୁ ଏହି ନାମଟିକୁ ପାଇଥିବେ; କାରଣ ସେତେବେଳକୁ ପୁରୁଷୋତ୍ତମ-ଜଗନ୍ନାଥ କ୍ଷେତ୍ର ପ୍ରାଧାନ୍ୟ ଲାଭକରିଥିଲା; ସିନ୍ଦୂରପୁରର ଅସ୍ତିତ୍ୱ ହୁଏତ ଲୋପ ପାଇଥିଲା । ସାଧାରଣ ଲୋକ ମୁଖରେ ସିନ୍ଦୂର ସୁନ୍ଦରରେ ପରିଣତ ହୋଇଯାଏ ।

ତେଣୁ ଜନ ଧାରଣାରେ ସୁନ୍ଦର ପର୍ବତ ହୋଇ ରହିଲା । ସାରଳା ଦାସ ଗଣମତକୁ ମହାଭାରତରେ ପ୍ରାଧାନ୍ୟ ଦେଇଥିଲେ । ଓଡିଆ ଚଳଣି ଭାଷାରେ ସିନ୍ଦୂର ସୁନ୍ଦର ମଧ୍ୟରେ ତଫାତ୍ କିଛି ନାହିଁ । ସମ୍ଭବତଃ ସାରଳା ଦାସ ନିଜ ବକ୍ତବ୍ୟକୁ ଜନଧାରଣାରେ ଅତି ଦୃଢ ଭାବରେ ପ୍ରତିଷ୍ଠା କରିବା ପାଇଁ ସୁନ୍ଦର ଶବ୍ଦଟି ଗ୍ରହଣ କରିଥିଲେ; ଫଳରେ ପୂର୍ବେ ସୁପରିଚିତ ସିନ୍ଦୂର ପର୍ବତ ସୁନ୍ଦର ପର୍ବତ ରୂପ ନେଲା । ଜନ ଶ୍ରୁତିରେ ପରିଚିତ ହୋଇରହିଲା ନୀଳସୁନ୍ଦର ଗିରି ।

ପୁରୁଷୋତ୍ତମ କ୍ଷେତ୍ରର ଏକ ଅଂଶ ସିନ୍ଦୂରପୁର ନାମରେ ପରିଚିତ ଥିବାର ପରୋକ୍ଷ ପ୍ରମାଣ ଗଙ୍ଗ ସମ୍ରାଟ ଚୋଡଗଙ୍ଗ ଦେବଙ୍କ ତାମ୍ରଲିପିମାନଙ୍କରୁ ସଂଗ୍ରହ କରାଯାଇ ପାରେ । ପାଲକୋଣ୍ଡା, ବିଶାଖା ପାଟଣା ଏବଂ ୟେମ୍ବରମ୍ ଠାରୁ ସଂଗୃହୀତ ତାଙ୍କର ତାମ୍ର ଫଳକରେ ଉକ୍ରଳ ସମ୍ପୂର୍ଣ୍ଣ ଅଧିକାର ପରେ ଯେଉଁ ସ୍ଥାନରେ ରହି ଚୋଡଗଙ୍ଗ ପରମ ବୈଷ୍ଣବ ଭାବେ ସୁଖ ଅନୁଭବ କରିଥିଲେ ତାହା ଥିଲା ଉକ୍ରଳର ସିନ୍ଦୂରପୁର । (ଦାଶ, କୈଳାସଚନ୍ଦ୍ର , “ନୀଳ ସୁନ୍ଦରଗିରି”, ଶ୍ରୀମନ୍ଦିର, ୧୯୯୩, ରଥସଂଖ୍ୟା, ପୃ-୧୯-୨୦Dash, Kailash Chandra, “Nilasundaragiri-A Puranic Viewpoint”, Purana, All India Kasiraj Trust, Banares, Vol. 37, No.2, July, 1995)

…କ୍ରମଶଃ

[box type=”shadow” align=”” class=”” width=””]ଜଗନ୍ନାଥଙ୍କ ସମ୍ପର୍କରେ ଏବଂ ଜଗନ୍ନାଥ ତତ୍ତ୍ୱର ଇତିହାସ ସମ୍ପର୍କରେ ଆଲୋକପାତ କରିବା ନିହାତି ଆବଶ୍ୟକ କାରଣ ଅନେକ ଅଣଆଲୋଚିତ ବିଷୟ ଏବେବି ରହିଯାଇଛି । କିଛି କଥା ଲୋକମୁଖରେ ଆସିଛି ଆଉ କିଛି କଥା ଐତିହାସିକ ଗବେଷଣାର ଉପଲବ୍ଧି ହିସାବରେ ଆସିଛି । ଅନେକ କଥାକୁ ନେଇ ଦ୍ୱନ୍ଦମଧ୍ୟ ଉପୁଜିଛି । ଏହାର ଚର୍ଚ୍ଚା ଜରୁରୀ ମନେକରି ଏକ ଧାରାବାହିକ ଲେଖା ‘ସମଧ୍ୱନି’ରେ ପ୍ରକାଶ କରିବାପାଇଁ ପ୍ରଫେସର କୈଳାଶ ଚନ୍ଦ୍ର ଦାସ ସୁଯୋଗ ଦେଇଥିବାରୁ ‘ସମଧ୍ୱନି’ ତାଙ୍କ ନିକଟରେ କୃତଜ୍ଞତା ଜଣାଉଛି ।  ଓଡ଼ିଶାର ଜଣେ ବିଶିଷ୍ଟ ଐତିହାସିକ ତଥା ଇତିହାସର ପ୍ରଫେସର ଏହିଭଳି ଏକ ଗୁରୁଦାୟିତ୍ୱ ସମ୍ପନ୍ନ କରିବାପାଇଁ ଗବେଷଣାରତ ଥିବାରୁ ଏହା ନିଶ୍ଚୟ ଓଡ଼ିଶା ପାଇଁ ଅତ୍ୟନ୍ତ ଉପାଦେୟ ହେବ ଏଥିରେ ସନ୍ଦେହ ନାହିଁ ।                      – ସମ୍ପାଦକ[/box]

Share This Article
ଇତିହାସ ବିଭାଗର ପ୍ରଫେସର, ଗବେଷକ