(ଅତୀତରୁ ପୋଷ୍ଟକାର୍ଡ) ବଡ଼ଗୋରଡ଼ାରେ ପର୍ବପର୍ବାଣୀ

ଶୈଲେନ ରାଉତରାୟ
ଶୈଲେନ ରାଉତରାୟ 250 Views
5 Min Read

ବଡ଼ଗୋରଡ଼ା ନୂଆଗଡ଼ ଜିଲ୍ଲାର ଗୋଟିଏ ଗାଁ । ସ୍ୱାଧୀନତାର ପରେପରେ ୧୯୪୦ ଦଶକର ଶେଷରେ ଓ ୧୯୫୦ ଦଶକର ଆରମ୍ଭରେ ଅନେକ ପର୍ବପର୍ବାଣୀ ଏହି ଗ୍ରାମରେ ପାଳନ କରାଯାଉଥିଲା; ଯଦିଓ ଭିନ୍ନ ରୂପରେ । ଏବେର ଉତ୍ତର ଭାରତରୁ ଆମଦାନୀ କରା ପର୍ବ ହୋଲି ସମୟରେ, ଦୋଳ ମାସରେ ପୂନେଇ ସେବେ ଅଲଗା ହିସାବରେ ପାଳିତ ହେଉ ଥିଲା । ଘରେ ଥିବା ହଳିଆଙ୍କ ପାଇଁ ଏହା ଥିଲା ବର୍ଷାରମ୍ଭ । ହୋଲିରେ ସେବେ ନୂଆ ହଳିଆ ଲାଗନ୍ତି ଓ ପୁରୁଣା ହଳିଆ ଛାଡ଼ି ଯାଆନ୍ତି । ଏହି ଦିନ ଶିଖରପୁରରୁ ଜଉତିଷ ଆସି ପାଞ୍ଜି ଦେଖି ବରଷକ ଯାକର ଫଳାଫଳ କହିବେ । ନୂଆ ଅମଳ ହୋଇଥିବା ଚଣା ତଥା ଆମ୍ବ ଉଖୁଡ଼ା ମିଶାଇ ଘରେ ପୂଜା ହୁଏ । ରଙ୍ଗ ମରାମରି ମଫସଲରେ କେହି ଖେଳୁ ନ ଥିଲେ ।

ସେହି ପରି, ସେବେ (ଓଡ଼ିଶାର ଅନେକ ଅଞ୍ଚଳ ପରି) ରାକ୍ଷି କଅଣ, ତାହା ଲୋକେ ବମ୍ବେ ସିନେମାର ବାହାରେ ଜାଣି ନ ଥିଲେ । ଶ୍ରାବଣ ମାସର ପୂର୍ଣ୍ଣିମା ସେବେ ଗହ୍ମା ପୂନେଇ ନାମରେ ଜଣା ଥିଲା । ସକାଳେ ଗୋରୁ ଛଡ଼ା ହେବା ଆଗରୁ ତାଙ୍କ କାନରେ ସିନ୍ଦୁର ଲାଗି ହୁଏ । ନିଜପର ବିଚାର ନ କରି ସେ ଦିନ ଘାସ କାଟି ଲୋକେ ଗାଈମାନଙ୍କୁ ଗୋଧୂଳିରେ ଗାଁକୁ ଫେରିଲା ବେଳେ ଘାସ ଖୁଆନ୍ତି ।  ଗେଣ୍ଡାଳିଆ ଗଛକୁ କାଟି ତାହାର ଡାଳକୁ ନେଇ ବଳଦମାନଙ୍କୁ ଛୁଆଁଯାଏ । ଘରଘର ପିଠାପଣାରେ ଭାସେ ।

ମହାଳୟା ପର୍ବ ଅଶିଣ ମାସ ଅମେଇସାରେ ପଡ଼େ । ସେ ଦିନ ମହାଳୟା ଶ୍ରାଦ୍ଧ; ଶ୍ରାଦ୍ଧ ପରେ ଖିଆପିଆ ହୁଏ । ପଡ଼ୋଶି ଓ ବନ୍ଧୁମାନେ ନିମନ୍ତ୍ରିତ ହୋଇ ଆସନ୍ତି । ଭୋଜିରେ ପ୍ରାୟତଃ ଉଷୁନା ଅନ୍ନ, ଖିରି, ଆମ୍ବିଳ ଓ ତରକାରୀଟିଏ ହୁଏ । ଏହି ଦିବସରେ ଗାଁ ସାରା ଲୋକେ ଘରର ସମସ୍ତ ବସ୍ତ୍ର, ମସିଣା, ସଉପ, କନ୍ଥା ଆଦି ଧୋଇ ସଫା କରନ୍ତି । ପୁରୁଣା ମାଟି ହାଣ୍ଡି ଓ ମାଠିଆ ଆଦି ଫୋପାଡ଼ି ନୂଆ ଘିନା ଯାଏ ।

ଦଶହରା ଦିନ ଘରେଘରେ ବହିଖାତା ଓ ଲୌହସାମଗ୍ରୀ ଆଦିକୁ ଦୁଗ୍ଧାନ୍ନ ଦେଇ ପୂଜା ସମ୍ପନ୍ନ କରାଯାଏ । ସବୁ ଘରେ ଏହି ଦିନ ନୂଆ ଚୁଡ଼ା ଖିରି କରି ଖିଆଯାଏ । ଅନ୍ୟ ଗାଁରୁ ନାଟଦଳ ଆସି ଦୁଆରେ ଦୁଆରେ ସଖିନାଚ କରନ୍ତି ।  ଏହା ଛଡ଼ା ପାଇକନାଚ ମଧ୍ୟ ହୁଏ । ଦଶହରାରେ ଦୂର୍ଗାମୂର୍ତ୍ତି ପୂଜାର ପ୍ରଚଳନ ଆଦୌ ନ ଥିଲା ।

ଦଶହରା ପରେ କୁଆଁରପୂନେଇ ଦିନ ବଡ଼ଗୋରଡ଼ା ଗାଁର ଖଦାଳ ଜାତିର ଲୋକମାନେ ଖଡ଼ିକାରେ ଫୁଲସଜ ହୋଇଥିବା କୁମ୍ଭ ଧରି ଆସନ୍ତି । କିଛି କୁମ୍ଭରେ ଚାରୋଟି ହାତ ବାହାରି ସେଥିରେ ଚୁଡ଼ି ଲାଗି ହୋଇଥାଏ । ଏହି କୁମ୍ଭକୁ ଠାକୁରାଣି କହନ୍ତି ।

କାର୍ତ୍ତିକ ମାସରେ ଅମେଇସା ରାତିରେ ପ୍ରତ୍ୟେକ ଘରେ ‘ବଡ଼ବଡ଼ିଏ ହୋ, ଅନ୍ଧାରରେ ଆସି ଆଲୁଅରେ ଯାଅ, ବାଇଶି ପାହାଚରେ ଗଡ଼ଗଡ଼ଉଥାଅ’ ଗାଇ, ତଥା କାଉଁରିଆରେ କିମ୍ବା ଆଖୁଖଣ୍ଡରେ ଘିଅ ସଳିତା ବାନ୍ଧି, ନିଆଁ ଲଗାଇ ବଡ଼ବଡ଼ିଆଙ୍କୁ ଲୋକେ ଡାକନ୍ତି । ଏହା ସହ ଫଳ ଓ ମିଠା ଆଦି ପୂଜା ହୁଏ ଓ ସମସ୍ତଙ୍କୁ ବଣ୍ଟା ହୁଏ । ଗାଁରେ ‌ଏହି ରାତିରେ ବାଣମରାର ପରମ୍ପରା ନ ଥିଲା ।

ଶ୍ରାବଣ ନୁହେଁ, କାର୍ତ୍ତିକ ମାସ ହିଁ ଥିଲା ପୁଣ୍ୟମାସ । ଅନେକ ଲୋକେ ଏହି ମାସରେ ଆମିଷଭକ୍ଷଣ ତ୍ୟାଗ କରନ୍ତି । ଆଉ କିଛି ଲୋକେ ସକାଳୁ ସକାଳୁ କାର୍ତ୍ତିକସ୍ନାନ ମାସ ସାରା ସମାପନ କରନ୍ତି । କାର୍ତ୍ତିକ ପୂନେଇକୁ ରାସପୂର୍ଣ୍ଣିମା ମଧ୍ୟ କୁହା ହେଉଥିଲା । ଅନେକ ଘରେ ମାସକ ଯାକ ‘କାର୍ତ୍ତିକ ମାହାତ୍ମ୍ୟ’ର ପାରାୟଣ ମଧ୍ୟ ହେଉଥିଲା ।

ଅର୍ଥାତ ଏଇ ଦୁଇପୁରୁଷ ତଳ ପର୍ଯ୍ୟନ୍ତ ନୂଆଗଡ଼ ପରି ଉପକୂଳ ଅଞ୍ଚଳରେ ମଧ୍ୟ ମୂର୍ତ୍ତି ପୂଜାର ପ୍ରାବଲ୍ୟ ନ ଥିଲା । ଦୋଳ କିମ୍ବା କାର୍ତ୍ତିକ ଅମେଇସା ପରି ପର୍ବଗୁଡ଼ିକର ସ୍ଥାନୀୟ ପରମ୍ପରାମାନଙ୍କୁ ଉତ୍ତରଭାରତୀୟ ଆଟୋପ କବଳିତ କରି ନ ଥିଲା । ଅର୍ଥାତ୍ ଓଡ଼ିଶା ଓଡ଼ିଶା ହୋଇ ଥିଲା; ସେ ପର୍ଯ୍ୟନ୍ତ ଧାର୍ମିକ ଓ ସାଂସ୍କୃତିକ ପରମ୍ପରା ଦୃଷ୍ଟିରୁ ଆଜି ଭଳି ଆମ ରାଇଜଟି ଉତ୍ତର ଭାରତର ପୌତ୍ତଳିକ ସଂସ୍କୃତିର ଏକ ଉପନିବେଶ ମାତ୍ର ପାଲଟି ଯାଇ ନଥିଲା ।

ବି.ଦ୍ର. – ଏହି ଲେଖାଟିର ଉପାଦାନ ଯନ୍ତ୍ରୀ ଓ ଲେଖକ ଗୋବର୍ଦ୍ଧନ ଦୋରାଙ୍କ ଆତ୍ମଜୀବନୀ ‘ଛୋଟ ମୋର ଗାଁଟି’ରୁ ସଙ୍ଗୃହିତ । ବହିଟି ଭୁବନେଶ୍ୱରସ୍ଥ ଶିକ୍ଷାସନ୍ଧାନ ସଂସ୍ଥା ୨୦୦୯ ମସିହାରେ ଛାପିଥିଲେ ।

[box type=”shadow” align=”” class=”” width=””]‘ଅତୀତରୁ ପୋଷ୍ଟକାର୍ଡ’ ସ୍ତମ୍ଭରେ ପ୍ରକାଶିତ ଏହି ଲେଖାଟି ଶୈଲେନ ରାଉତରାୟଙ୍କର ଏକ ସୃଜନାତ୍ମକ ସୃଷ୍ଟି । ଏହି ସ୍ତମ୍ଭରେ ଗତ କିଛି ବର୍ଷ ଧରି ସେ ‘ସମଦୃଷ୍ଟି’ ପାକ୍ଷିକ ପତ୍ରିକାରେ ଧାରାବାହିକ ଭାବରେ ଲେଖି ଆସୁଛନ୍ତି। ଓଡ଼ିଆ ଭାଷାରେ ପ୍ରକାଶିତ ଆତ୍ମଜୀବନୀଗୁଡ଼ିକୁ ଭିତ୍ତିପାଠ ଭାବରେ ଧରି ଓଡ଼ିଶାର ଜନଜୀବନର ସାମାଜିକ ଇତିହାସ ରଚନା ଦିଗରେ ଏହା ଏକ ପ୍ରଚେଷ୍ଟା ଏହା ସହ ଏକ ନୂତନ ପ୍ରଜନ୍ମକୁ ଇତିହାସର ଅନେକ ଅଣଆଲୋଚିତ ଚରିତ୍ର ଓ ଘଟଣା ମାନଙ୍କ ସହିତ ପରିଚୟ କରାଇବା ତଥା ପୁରାତନ ପୁସ୍ତକମାନଙ୍କ ସହ ଭେଟ କରାଇ ତତ୍‌ସମ୍ବନ୍ଧୀୟ ବିଷୟଗୁଡ଼ିକରେ ଅଧିକ ଜାଣିବାର ଆଗ୍ରହ ସୃଷ୍ଟି କରିବା ପାଇଁ ସେ ନିଜର ଉଦ୍ୟମ ଏହି ସ୍ତମ୍ଭ ଜରିଆରେ ଜାରୀ ରଖିଛନ୍ତି । ତାଙ୍କର ଏହି ଚେଷ୍ଟାକୁ ଆଗେଇ ନେବା ପାଇଁ ‘ଅତୀତରୁ ପୋଷ୍ଟକାର୍ଡ’ ସ୍ତମ୍ଭରେ ପୂର୍ବପ୍ରକାଶିତ ଲେଖାଗୁଡ଼ିକୁ ଆମେ ସମଧ୍ୱନି ପୃଷ୍ଠାରେ ସ୍ଥାନିତ କରିବାକୁ ଅନୁରୋଧ କରିଥିଲୁ। ତାଙ୍କର ସହାୟତାରେ ଏହି ଧାରାବାହିକ ଏବେ ସମଧ୍ୱନିରେ ଆପଣ ପଢ଼ିବାକୁ ପାଇବେ । – ସମ୍ପାଦକ[/box]

Photo credit- https://bit.ly/3chCCZ3

Share This Article
ଗବେଷକ, ଲେଖକ