ନାରୀ ସ୍ୱାଧୀନତା ନିନ୍ଦନୀୟ ନଥିଲା ମହାଭାରତରେ (ଭାଗବତ ପ୍ରସାଦଙ୍କ ଲେଖନୀରୁ)

ପ୍ରଫେସର ଭଗବତ ପ୍ରସାଦ
ପ୍ରଫେସର ଭଗବତ ପ୍ରସାଦ 249 Views
2 Min Read

ବୁଦ୍ଧ, ମହାବୀରଙ୍କଠୁ ଏକପାଦ ଆଗରେ ଥିଲା ମହାଭାରତ କାରଣ ମହାଭାରତ ପିତୃଶାସିତ ସମାଜର ମୂଲ୍ୟବୋଧ ବଦଳରେ ମାତୃକୈନ୍ଦ୍ରିକ ନାରୀପୁରୁଷ ସମାନ ଅଧିକାର ମୂଲ୍ୟବୋଧକୁ ପ୍ରାଧାନ୍ୟ ଦେଇଥିଲା । ଫଳରେ ସତୀତ୍ୱ, ବ୍ରହ୍ମଚର୍ଯ୍ୟ ପରି ମୂଲ୍ୟବୋଧଗୁଡ଼ିକ ବହୁଳଭାବରେ ବର୍ଦ୍ଧିତ ମହାଭାରତରେ ପ୍ରକ୍ଷିପ୍ତ ହୋଇଥିବା ସତ୍ବେ ମୂଳ ମହାଭାରତର ସ୍ୱେଚ୍ଛାବିହାରିଣୀ ନାରୀଚରିତ୍ର ମଧ୍ୟ ସ୍ୱଳ୍ପ ନୁହେଁ । ‘ଅହଲ୍ୟା, ଦ୍ରୌପଦୀ, ତାରା, କୁନ୍ତୀ, ମନ୍ଦୋଦରୀ ତଥା ପଞ୍ଚକନ୍ୟା ସ୍ମରେନ୍ନିତ୍ୟ ସର୍ବପାତକ ନାଶନଂ’ ଶ୍ଳୋକଟି ଯେଉଁ ଯୁଗର, ସେହି ଯୁଗରେ ନାରୀର ଯୌନକର୍ମରେ ସ୍ୱାଧୀନତା ନିନ୍ଦନୀୟ ନଥିଲା ।

ପର ପର୍ଯ୍ୟାୟରେ ନାରୀ ନିଜଶାଶୁଙ୍କ ନିର୍ଦ୍ଦେଶରେ (ନିୟୋଗ ପ୍ରଥା) କିମ୍ବା ନିଜ ସ୍ୱାମୀଙ୍କ ଆଜ୍ଞାରେ (କୁନ୍ତୀ ଓ ମାଦ୍ରୀ)ପରପୁରୁଷଙ୍କୁ ଅଙ୍ଗଦାନ କରିଥିଲେ । ଉଦ୍ଦାଳକ -ପତ୍ନୀଙ୍କ ଉପାଖ୍ୟାନରେ ସତ୍ୟସ୍ୱରୂପ ଉଦ୍ଘାଟିତ ହୋଇଯାଇଛି ସ୍ଥୁଳଭାବରେ । ଉଦ୍ଦାଳକ ପତ୍ନୀ ବନବିହାର ପାଇଁ ଯେତେବେଳେ ଜଣେ ଯୁବଋଷିଙ୍କୁ ବାଛିନେଲେ ନିଜ ସାଥୀ ରୂପେ, ବ୍ୟସ୍ତ ହୋଇପଡ଼ିଲେ ତାଙ୍କପୁତ୍ର ଋଷି ଶ୍ୱେତକେତୁ । ସେତେବେଳେ ଉଦ୍ଦାଳକ (ଆରୁଣି) ପୁଅକୁ ସ୍ପଷ୍ଟ କହିଦେଲେ ଯେ ଏହା ହେଉଛି ସନାତନ କାଳରୁ ପ୍ରଚଳିତ ତାଙ୍କ କୂଳର ପ୍ରଥା ଏବଂ ଏଥିରେ ବିଚଳିତ ହେବାର କୌଣସି କାରଣ ନାହିଁ ।

ଯଯାତିକନ୍ୟା ମାଧବୀ ତିନି ରାଜାଙ୍କୁ ତିନି ପୁତ୍ର ଉପହାର ଦେଲାପରେ ମଧ୍ୟ ତାଙ୍କପାଇଁ ସ୍ୱୟମ୍ବର ଆୟୋଜନ କରିଥିଲେ ତାଙ୍କ ପିତା ଯଯାତି ଓ ସେ ସ୍ୱୟମ୍ବରକୁ ଆସିଥିଲେ ରାଜାମାନେ । ନାରୀ ସୁଲଭା ଥିଲେ ଜଣେ ବିଖ୍ୟାତ ଯୋଗିନୀ ଓ ସାଂଖ୍ୟ ଆଲୋଚନା ପାଇଁ ସେ ଯାଇଥିଲେ ଜନକଙ୍କ ପାଖକୁ । ସୁଲଭା ଚାହିଁବାରୁ ନିଜର ଅନିଚ୍ଛାସତ୍ତେ୍ୱ ତାଙ୍କ ସହ ଯୌନକାର୍ଯ୍ୟରେ ଲିପ୍ତ ହେଲେ ରାଜର୍ଷି ଜନକ ।

ସଂଗ୍ରାହକ ସମାଜରେ ନାରୀ ପରିବାର ଗଠନ କରିଥିଲା ସତ୍ୟ, କିନ୍ତୁ ତା’ର ସ୍ୱେଚ୍ଛାବିହାରର ଅଧିକାର ସମାଜରେ ସ୍ୱୀକୃତ ଥିଲା । ଗୀତାର ‘ଯୁକ୍ତାହାର ବିହାରସ୍ୟ ଯୁକ୍ତଚେଷ୍ଟସ୍ୟ କର୍ମଷୁ…’ ଶ୍ଳୋକଟିରେ ରହିଛି ମଧ୍ୟମମାର୍ଗୀ ଚିନ୍ତାଧାରା । ଯୋଗ ପାଇଁ କଠୋର ତପସ୍ୟା ଓ ଅବାଧ ଇନ୍ଦ୍ରିୟ ସେବନ ଦୁଇଟିଯାକ ସମାନଭାବରେ ବର୍ଜନୀୟ । ଜୈନଧର୍ମରୁ ପ୍ରମାଣିତ ହୁଏ ଯେ ଅତୀତରେ ‘ବ୍ରହ୍ମଚର୍ଯ୍ୟ’ ମୂଲ୍ୟବୋଧ ଯୋଗୀସମାଜ ପାଇଁ ସ୍ଥିରୀକୃତ ନଥିଲା । ଜୈନମାନଙ୍କର ଚତୁର୍ଯ୍ୟାମ (ଅହିଂସା, ସତ୍ୟ, ଅସ୍ତ୍ରେୟ ଓ ଅପରିଗ୍ରହ) ଯୋଗୀସମାଜର ‘ୟମ’ ମୂଲ୍ୟବୋଧ ଗୁଡ଼ିକ ସହ ସମାନ ଥିଲା ।

“‘ପରିସ୍ଥିତି ଯାହା ହେଉନା କାହିଁକି, ପ୍ରତ୍ୟେକ ଯୁଦ୍ଧ ହିଁ ଅଧର୍ମ’ ଏହା ଥିଲା ମୂଳ ମହାଭାରତର ପ୍ରତିପାଦ୍ୟ ବିଷୟ । ମୂଳ ମହାଭାରତକୁ ‘ଜୟ’ କରାଯାଇଥିଲା କାରଣ ଏକ ସ୍ୱାଦ୍ୟ ଆଖ୍ୟାୟିକା ମାଧ୍ୟମରେ ଜନସାଧାରଣଙ୍କୁ ‘ହିଂସା-ବିରୋଧୀ କରି ଧର୍ମସ୍ଥାପନର ବାର୍ତ୍ତା ଦେବାପାଇଁ ମହାଭାରତ ଲେଖା ହୋଇଥିଲା । (ସ୍ୱର୍ଗାରୋହଣ ପର୍ବ: ଶେଷ ଅଧ୍ୟାୟ) । ସେ ଯୁଗରେ ‘ଅହଲ୍ୟା, ଦ୍ରୌପଦୀ, ତାରା, କୁନ୍ତୀ, ମନ୍ଦୋଦରୀ ତଥା ପଞ୍ଚକନ୍ୟା ସ୍ମରେନ୍ନିତ୍ୟ ସର୍ବପାତକ ନାଶନଂ’ ଶ୍ଳୋକଟିରେ ନାରୀର ଯୌନ ସ୍ୱାଧୀନତା ନିନ୍ଦନୀୟ ନଥିଲା ।”      – ସମ୍ପାଦକ

Photo credit-https://bit.ly/32CgjsC

Share This Article
ସର୍ବୋଦୟ କର୍ମୀ, ସମାଜ ବିଜ୍ଞାନୀ