Home / ସାହିତ୍ୟ ସଂସ୍କୃତି / ସମୀକ୍ଷା / ଶ୍ରୀ ଜୟଦେବ ଓ ଓଡ଼ିଆ ସଂସ୍କୃତି : କିଛି ପ୍ରଶ୍ନ

ଶ୍ରୀ ଜୟଦେବ ଓ ଓଡ଼ିଆ ସଂସ୍କୃତି : କିଛି ପ୍ରଶ୍ନ

Share Samadhwani

ଓଡ଼ିଆ ସଂସ୍କୃତି ଏବଂ ଓଡ଼ିଆ ଭାଷାର ସମ୍ପର୍କ ପିଣ୍ଡ ଓ ପ୍ରାଣର ସମ୍ପର୍କ । ତେଣୁ ଓଡ଼ିଆ ଭାଷା-ସାହିତ୍ୟକୁ ଆମ ସଂସ୍କୃତିର ଆଧାର ବୋଲି କୁହାଯାଏ । କେଜାଣି କାହିଁକି ନିଜସ୍ୱ ସାହିତ୍ୟ ପରମ୍ପରା ପ୍ରତି ଆମେ ଭିଷଣ ଭାବରେ ଉଦାସୀନ ।” – ଉକ୍ତ ଲେଖା ମାଧ୍ୟମରେ ନିଜ ଭାଷା ସଂସ୍କୃତିର ସୁରକ୍ଷାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ବିଶିଷ୍ଟ କବି ଓ ଲେଖକ କେଦାର ମିଶ୍ର । ତାଙ୍କର କ୍ଷୋଭଟି ହୁଏତ ଆଜିର ଦିନରେ ଶତ ପ୍ରତିଶତ ଯଥାର୍ଥ । ଯେକୌଣସି ସଂସ୍କୃତି ପ୍ରେମୀ ଓ ସମ୍ବେଦନଶୀଳ କଳାକାର ବା ମଣିଷ ନିଜ ଭାଷା ଓ ସଂସ୍କୃତିର ଯଥାର୍ଥ ସମ୍ମାନ ରକ୍ଷା କରାଯିବା ଏବଂ ଏହାର ସୁରକ୍ଷା ପାଇଁ ସଠିକ ମାର୍ଗରେ କାର୍ଯ୍ୟ କରାଯିବା ପ୍ରତି ଗୁରୁତ୍ତ୍ୱ ଆରୋପ କରିବା ସ୍ୱାଭାବିକ । ଆମ ଲୋକ ଓ ରାଜ୍ୟ ସରକାରଙ୍କର ଅବୁଝାମଣା ଭାଷା, ସାହିତ୍ୟ, ସଂସ୍କୃତିର ଯେ ଅଶେଷ କ୍ଷତି ସାଧନ କରୁଛି ଏଥିରେ ସନ୍ଦେହ ନାହିଁ । ନେଡ଼ିଗୁଡ଼ କହୁଣିକୁ ବୋହିଯିବା ଆଗରୁ ରାଜ୍ୟବାସୀ ଓ ସରକାର ନିଜକୁ ସୁଧାରିନେବା ଆବଶ୍ୟକ ।       – ସମ୍ପାଦକ

ଶ୍ରୀ ଜୟଦେବ ଓଡ଼ିଶାର କବି, ହେଲେ ତାଙ୍କର ଅମରକୃତି ‘ଗୀତ ଗୋବିନ୍ଦ’ ସଂସ୍କୃତ ଭାଷାରେ ରଚିତ । ଏଥିରେ ଅବଶ୍ୟ କୌଣସି ବିବାଦ ନାହିଁ । ‘ଗୀତଗୋବିନ୍ଦ’ରଚନା ବେଳକୁ ହୁଏତ ଓଡ଼ିଆ ଭାଷାର ବିକାଶ ପ୍ରକ୍ରିୟା ଆରମ୍ଭ ହୋଇନଥିବ! ତେଣୁ ଦେବ ଭାଷାରେ ଦେବତାଙ୍କର ରତିକେଳି ରଚିତ ବର୍ଣ୍ଣନା କରିବାକୁ କବି ସମୁଚିତ ମଣିଥିବେ । ସେତେବେଳକୁ କିନ୍ତୁ ପ୍ରାକୃତ ଓ ପାଲି ଜନଗଣର ଭାଷା ରୂପେ ସ୍ୱୀକୃତ ଥିବାବେଳେ ସଂସ୍କୃତ ଥିଲା ଦେବତା ଓ ବ୍ରାହ୍ମଣଙ୍କର ଭାଷା । ବ୍ରାହ୍ମଣ ଜୟଦେବଙ୍କ ଠାରୁ ଆମେ ଅବଶ୍ୟ ପ୍ରାକୃତ କିମ୍ବା ପାଲି କାବ୍ୟ ଖଣ୍ଡେ ଆଶାକରିବା ନିରର୍ଥକ ।

ତେବେ ସଂସ୍କୃତ ଭାଷାରେ ରଚିତ ଗୀତଗୋବିନ୍ଦ ଆଧାରରେ ହିଁ ଓଡ଼ିଶାର ସଂସ୍କୃତି ଗଢ଼ିଉଠିଛି ବୋଲି ହେଉଥିବା ପ୍ରଚାରର ଯଥାର୍ଥତା ଉପରେ ଆମେ କେତୋଟି ପ୍ରଶ୍ନ ପଚାରିବାକୁ ଚେଷ୍ଟାକରୁଛୁ । ସଂସ୍କୃତ ସାହିତ୍ୟର ସମୃଦ୍ଧ ପରମ୍ପରାରେ କେବଳ ଜୟଦେବ ନୁହନ୍ତି ଓଡ଼ିଶାବାସୀ ବହୁ ସଂସ୍କୃତ କବି ଓ ପଣ୍ଡିତଙ୍କର ଅବଦାନ ଇତିହାସ ସ୍ୱୀକୃତ । ଅଥଚ ସେମାନଙ୍କ ବିଷୟରେ କ୍ୱଚିତ ଆଲୋଚନା ବା ପରିଚର୍ଚ୍ଚା ଶୁଣିବାକୁ ମିଳେ । ସାଂଖ୍ୟ ଦର୍ଶନର ପ୍ରଣେତା କପିଳ ମୁନି, ମହାମୁନି ପିପ୍ପଳାୟନ,ପରମ ବୈୟାକରଣିକ ପାଣିନି, ସୌନ୍ଦର୍ଯ୍ୟ ଶାସ୍ତ୍ରୀ ବିଶ୍ୱନାଥ କବିରାଜ,‘କୋଶଳାନନ୍ଦ’ର ସ୍ରଷ୍ଟା ଗଙ୍ଗାଧର ମିଶ୍ରଙ୍କ ପରି ବହୁ ଓଡ଼ିଶାବାସୀ ସଂସ୍କୃତ କବି-ଲେଖକଙ୍କ ସମ୍ପର୍କରେ ଉଦାସୀନ ଆମର ସାଂସ୍କୃତିକ କର୍ଣ୍ଣଧାରମାନେ ଜୟଦେବଙ୍କ ପ୍ରତି ଏତେ ବେଶୀ ଦୁର୍ବଳ ହେବା ପଛରେ କି କାରଣ ଥାଇପାରେ?

ଓଡ଼ିଆ ସଂସ୍କୃତି ଏବଂ ଓଡ଼ିଆଭାଷାର ସମ୍ପର୍କ-ପିଣ୍ଡ ଓ ପ୍ରାଣର ସମ୍ପର୍କ । ତେଣୁ ଓଡ଼ିଆଭାଷା-ସାହିତ୍ୟକୁ ଆମ ସଂସ୍କୃତିର ଆଧାର ବୋଲି କୁହାଯାଇ ପାରନ୍ତା । କେଜାଣି କାହିଁକି ନିଜସ୍ୱ ସାହିତ୍ୟ ପରମ୍ପରା ପ୍ରତି ଆମେ ଭୀଷଣ ଭାବରେ ଉଦାସୀନ । ଜୟଦେବ ଏବଂ କାଳିଦାସଙ୍କ ପ୍ରସଙ୍ଗରେ ଆମ ସଂସ୍କୃତିର ବଡ଼ପଣ୍ଡାମାନେ ବେଶ୍ ଉତ୍ସାହିତ ଜଣାପଡ଼ୁଥିବାବେଳେ ସାରଳା ଦାସ, ଉପେନ୍ଦ୍ର ଭଞ୍ଜ, ଫକୀର ମୋହନ, ଭୀମ ଭୋଇଙ୍କ ପ୍ରସଙ୍ଗରେ ଆଶ୍ଚର୍ଯ୍ୟ ରୂପେ ଉଦାସୀନ । ଆଦିକବି ସାରଳାଦାସଙ୍କ ସ୍ମୃତି ପ୍ରତି ଆମର ଏତେଟିକେ ବି ସମ୍ମାନବୋଧ ନାହିଁ ।

ରାଜଧାନୀରେ ଜୟଦେବଙ୍କ ସ୍ମୃତିରେ ଭବନ,ସଡ଼କ ଓ ସ୍ମୃତିସ୍ଥଳର ସଂଖ୍ୟା ବଢ଼ି ଚାଲିଥିବା ବେଳେ ଓଡ଼ିଆ ସାହିତ୍ୟ ଓ ସଂସ୍କୃତିର ମହାନାୟକମାନେ ପ୍ରାୟ ଉପେକ୍ଷିତ ଅଥବା ‘ସଲୀଳ ନ ସିଂଚି ଶୁଷ୍କ ଦଣ୍ଡବତ’ରେ ସୀମିତ । ମଜାର କଥା ହେଉଛି ଓଡ଼ିଆ ଚଳଚ୍ଚିତ୍ର ପାଇଁ ଦିଆଯାଉଥିବା ସର୍ବୋଚ୍ଚ ପୁରସ୍କାରର ନାମ ମଧ୍ୟ ଜୟଦେବ ପୁରସ୍କାର । ଶ୍ରୀ ଜୟଦେବଙ୍କ  ସହ ଓଡ଼ିଆ ଚଳଚ୍ଚିତ୍ରର ସମ୍ପର୍କ ଯେ କ’ଣ ତାହା ଆମେ ଜମାରୁ ବୁଝିପାରୁ ନାହୁଁ ।

ଅନ୍ୟ ଦିଗରେ ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ‘ସୀତା ବିବାହ’ ନିର୍ମାଣ କରିବାକୁ ଯାଇ ସର୍ବସ୍ୱାନ୍ତ ହୋଇଯାଇଥିବା ମୋହନ ସୁନ୍ଦର ଦେବ ଗୋସ୍ୱାମୀଙ୍କର ସ୍ମୃତିପ୍ରତି କାହାର ଧ୍ୟାନନାହିଁ । ଗୋସେଇଁଙ୍କର ପ୍ରତିମୂର୍ତ୍ତିଟିଏ କି ପ୍ରାମାଣିକ ଜୀବନୀଟିଏ ଖୋଜିପାଇବା ଦୁରୂହ ବ୍ୟାପାର । ଜୟଦେବଙ୍କ ଯୋଗ୍ୟ ଉତ୍ତରାଧିକାରୀ ଭାବରେ ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗ ଅତ୍ୟନ୍ତ ଦକ୍ଷତାର ସହ କାର୍ଯ୍ୟକରୁଛି। ବେଳେବେଳେ ତ ଲାଗୁଛି, ଆମ ସଂସ୍କୃତି ଗୀତଗୋବିନ୍ଦର କେଳିକୁଞ୍ଜରୁ ଆରମ୍ଭ ହୋଇ ବସନ୍ତ ରାସରେ ହିଁ ସରିଯାଉଛି ।

ଗତ କିଛିବର୍ଷ ଧରି ଓଡ଼ିଶାର କେତେଜଣ ବରିଷ୍ଠ ଅଧିକାରୀ ଶ୍ରୀ ଜୟଦେବଙ୍କୁ ନିଜର ଗୁରୁଭାବେ ଗ୍ରହଣ କରିନେଇଛନ୍ତି । ସେମାନଙ୍କ ମତରେ ‘ଗୀତଗୋବିନ୍ଦ’ ହିଁ ହେଉଛି ଆମ ସଂସ୍କୃତିର ମୂଳକେନ୍ଦ୍ର । ପୂର୍ବତନ ମୁଖ୍ୟ ଶାସନସଚିବ କେବଳ ଜୟଦେବଙ୍କ ନାମସଂକୀର୍ତ୍ତନରୁ ଓଡ଼ିଆ ସଂସ୍କୃତିକୁ ଆବିଷ୍କାର କରନ୍ତି । ଅବଶ୍ୟ ଏମାନେ ଜାତିରେ ବ୍ରାହ୍ମଣ ଏବଂ ସଂସ୍କୃତ ଭାଷାରେ ପଣ୍ଡିତ । ଜୟଦେବଙ୍କ ଜନ୍ମସ୍ଥାନ ଏବଂ ଗୀତଗୋବିନ୍ଦର ରଚନାକାଳକୁ ନେଇ ଗୋଟିଏ ପରେ ଗୋଟିଏ ବିବାଦ ସୃଷ୍ଟି କରିବାରେ ଏମାନେ ପ୍ରମୁଖଭୂମିକା ଗ୍ରହଣ କରିଥାନ୍ତି । ଜୟଦେବ ଓଡ଼ିଶାର କେନ୍ଦୁଲିରେ ଜନ୍ମଗ୍ରହଣ କରିଥିଲେ । ଏଥିରେ ଆମର କୌଣସି ପ୍ରକାର ଆପତ୍ତି କରିବାର ନାହିଁ । ଆଉ କେତେଜଣ ବୁଦ୍ଧଙ୍କୁ ଓଡ଼ିଶାର କପିଳେଶ୍ୱର ଏବଂ କାଳିଦାସଙ୍କୁ ଉମରକୋଟରେ ଜନ୍ମଗ୍ରହଣ କରିଥିଲେ ବୋଲି ପ୍ରଚାର ଚଳାଇଛନ୍ତି ।

ଏ କ୍ଷେତ୍ରରେ ରାଜ୍ୟ ରାଜକୋଷରୁ ପ୍ରଦ୍ଭୁତ ଅର୍ଥ ବ୍ୟୟ କରାଯାଇଛି । ତାହା ହିଁ ଆମ ମୁଣ୍ଡବିନ୍ଧାର କାରଣ । ରାଜ୍ୟବାସୀଙ୍କ ଝାଳବୁହା ଧନରେ ବ୍ୟକ୍ତିଗତ ଆଦର୍ଶ ଓ ବ୍ରାହ୍ମଣୀୟ ବିଚାରଧାରାର ପ୍ରସାର ପାଇଁ ଉଦ୍ୟମ ଏକ ଗଣତାନ୍ତ୍ରିକ ରାଜ୍ୟରେ କେତେଦୂର ଯୁକ୍ତିଯୁକ୍ତ ତାହା ଆମେ ବିଚାର କରି ନଥାଉ ।  ଯେଉଁ ରାଜ୍ୟରେ ଜନଜାତି ଓ ଦଳିତଙ୍କ ସଂଖ୍ୟା ପ୍ରାୟ ପଚାଶଭାଗ ସେଠାରେ ସଂସ୍କୃତର ଦେବତ୍ୱକୁ ସଂସ୍କୃତିର ଆଧାର ମନେକରିବା ଆଶ୍ଚର୍ଯ୍ୟ ଜନକ । ଏ ଜାତିର ସଂସ୍କୃତି କେନ୍ଦ୍ର ଶ୍ରୀମନ୍ଦିରର ସେବା ପରମ୍ପରାରେ ଆଦିବାସୀ ଓ ତନ୍ତ୍ର ଉପାଦାନ ତ ଯଥେଷ୍ଟ! ତଥାପି ସେ ବିଷୟରେ ଆମର ପରିଚର୍ଚ୍ଚା ସୀମିତ ।

ଦାରୁ ଦେବତାରୁ ପୁରୁଷୋତ୍ତମ ଶ୍ରୀ ଜଗନ୍ନାଥଙ୍କର ବିବର୍ତ୍ତନ ପ୍ରକ୍ରିୟାରେ ଶବର ଓ ଦଳିତଙ୍କୁ ଅଣଦେଖା କରିବାର ସାମନ୍ତ-ବ୍ରାହ୍ମଣବାଦୀ ମାନସିକତା ବିଷୟରେ ଆମେ ଆଲୋଚନାକୁ ଆଡ଼େଇ ଯାଉ । ଫଳରେ ସଂଖ୍ୟାଲଘୁ ବୌଦ୍ଧିକ ପୁଞ୍ଜିପତିଙ୍କ ଦ୍ୱାରା ନିର୍ଦ୍ଧାରିତ ମାପକରେ ଆମ ସଂସ୍କତୃିର ମୂଲ୍ୟାୟନ କରାଯାଏ । ଗୀତଗୋବିନ୍ଦ ତାର ଏକ ପ୍ରକୃଷ୍ଟ ଉଦାହରଣ । ଓଡ଼ିଆଭାଷା ଯେହେତୁ ଲୋକ ସାଧାରଣର ଭାଷା, ତେଣୁ ସେଥିରେ ଦେବତ୍ୱ ବା ଦିବ୍ୟତ୍ୱର ସନ୍ଧାନମିଳିବା କଷ୍ଟକର ବୋଲି ଆମର ବ୍ରାହ୍ମଣୀ ମାନସିକତା ଧରିନେଇଥାଏ । ରାଧାକୃଷ୍ଣଙ୍କ ରାସଲୀଳାରେ ଦୈହିକ ଅପେକ୍ଷା ଅପ୍ରାକୃତ ପ୍ରେମର ସଂଙ୍କେତ ଖୋଜି ଖୋଜି ଆମେ ଗୋଟିଏ ଜାତିର ଜୀବନ୍ତ-ମୁକ୍ତ-ସସ୍କୃତିକୁ ଉପେକ୍ଷା କରିଥାଉ । ସେଇ ଉପେକ୍ଷାର ଶିକାର ଶୁଦ୍ର ସାରଳାଙ୍କଠୁ ଆରମ୍ଭ କରି କନ୍ଧ ଭୀମଭୋଇ । ଏକ ଅଦ୍ଭୂତ ସାଂସ୍କୃତିକ ଧାରଣା ଆମ ସମସ୍ତଙ୍କୁ କବଳିତ କରିରଖିଛି ।

ସଂସ୍କୃତିର ବ୍ରାହ୍ମଣୀକରଣ ବା ସଂସ୍କୃତିକରଣର ଏକ ଲମ୍ବା ଇତିହାସ ଆମର ରହିଛି । ଶବର ଦେବତା ଶ୍ରୀ ଜଗନ୍ନାଥଙ୍କୁ ପୁରୁଷୋତ୍ତମ ଜଗନ୍ନାଥ ଭାବରେ କିପରି ଭାବରେ ପ୍ରତିଷ୍ଠିତ କରାଗଲା, ତାହାର ନୃତାତ୍ତ୍ୱିକ ଗବେଷଣା ଏବେ ଅବଶ୍ୟ କିଛିକିଛି ହେଲାଣି । ଶ୍ରୀ ଜଗନ୍ନାଥଙ୍କ ପୂଜା ଓ ସେବା କ୍ଷେତ୍ରରେ ତନ୍ତ୍ର ଏବଂ ଅଦିବାସୀ ଜୀବନଚର୍ଯ୍ୟାର ପ୍ରୟୋଗ ବିଷୟରେ ବହୁ ଗବେଷକ ନିଜନିଜ ମତ ଉପସ୍ଥାପନ କଲେଣି । ଦୁର୍ଭାଗ୍ୟ କ୍ରମେ ଆମର ଅମଲା ଅଧିକାରୀମାନେ ଇତିହାସରେ ରୁଚି ରଖନ୍ତି ଓ ଇତିହାସକୁ ନିଜ ଇଚ୍ଛା ଅନୁସାରେ ଲେଖିବାର ସାହସ ମଧ୍ୟ କରନ୍ତି ।

ରାଜ୍ୟର ସମସ୍ତ ଗବେଷଣା କ୍ଷେତ୍ରରେ ଏବଂ ଇତିହାସ ସମ୍ପର୍କିତ ଅନୁଷ୍ଠାନରେ ଭାରତୀୟ ପ୍ରଶାସନିକ ସେବା ଅଧିକାରୀମାନଙ୍କର ପ୍ରଭାବ ବେଶ୍ ପରିଲକ୍ଷିତ ହୋଇଥାଏ । ସମନ୍ୱୟ ଓ ସଂଘାତର ଇତିହାସରେ ଆମେ ଏହାର ରାଶି ରାଶି ଉଦାହରଣ ଦେଖିବାକୁ ପାଇବା । ଓଡ଼ିଶାର ଆଧୁନିକ ଇତିହାସରେ ସରକାରୀ ପୃଷ୍ଠପୋଷକତାରେ ସଂସ୍କୃତିର ବ୍ରାହ୍ମଣୀକରଣ, ଗବେଷଣା ପାଇଁ ଏକ ନୂଆ ଉପାଦାନ ନିଶ୍ଚୟ । ନିଜସ୍ୱ ସଂସ୍କୃତିର ମୌଳିକ ଉପାଦାନମାନଙ୍କୁ ଉପେକ୍ଷା କରି ଏବଂ ବହୁଜନର ଜୀବନବୋଧକୁ ସଂସ୍କୃତିର ପରିମଣ୍ଡଳରୁ ବାଦ୍ଦେଇ ଆମେ କାହାପାଇଁ ଉପକାର କରୁଛୁ? ଓଡ଼ିଆ ସଂସ୍କୃତିର ବ୍ୟାପକ ମାନବବୋଧ ଭିତରେ ସଂସ୍କୃତ ଓ ବ୍ରାହ୍ମଣଙ୍କର ଅବଦାନ କେତେ-ତାହାର ଏକ ନିରପେକ୍ଷ ଆକଳନ ପ୍ରସ୍ତୁତ କରିବାକୁ ହେବ । ନଚେତ୍ ବହୁଜନର ଜୀବନ ଓ ସଂସ୍କୃତି କ୍ରମଶଃ ଅକାଳ ମୃତ୍ୟୁବରଣ କରିବ ।


Share Samadhwani
Support Samadhwani

About କେଦାର ମିଶ୍ର

କବି, ସାମ୍ବାଦିକ, ସଙ୍ଗୀତ ସମାଲୋଚକ

Check Also

‘ପାଳିଆ’ର ଭାଇଚାରା ସଂସ୍କୃତି

Share Samadhwaniଭଦ୍ରକ ସହର ପାଖରୁ ଭଦ୍ରକ ଚାନ୍ଦବାଲି ରାସ୍ତାରେ ଗଲେ ପ୍ରାୟ ୧୨ କି.ମି ଦୂରରେ ପଡ଼େ ଅଲ୍ଲିନଗର ଛକ …