ଆମ ଗାଁ ମକଦ୍ଦମଙ୍କ କ୍ଷୀରି ପିଠା (୮୦ବର୍ଷ ତଳର ଆମ ଗାଁ ବିବାହ ଉତ୍ସବର କଥା)

ନଟବର ଷଡ଼ଙ୍ଗୀ
ନଟବର ଷଡ଼ଙ୍ଗୀ224 Views
75 Min Read

୧୯୪୨ ର ଅବିଭକ୍ତ ପୁରୀ ଜିଲାରେ ବାଲିପାଟଣା ଥାନାର ବଡ ଗାଁ ଆମ ନରିଶୋ । ଚାରିଆଡେ ଗାଁ’କୁ ଲାଗି ଜଙ୍ଗଲ ଆମ୍ବ,ପଣସ,ଲିମ୍ବ,ଜାମୁ ,ଓସ୍ତ ବରଗଛ ଚାରିଆଡେ ଠିଆ । ବନବନିଆ କଣ୍ଟା, ଭଇଞ୍ଚି କୋଳି ,ଦୁଧ କୋଳି , ଶଗଡ ବାଟୁଆ କୋଳି , ଲୁଣୁ କୋଳି , ଜନ୍ଦାଖାଇ କୋଳି ଭର୍ତି । ବେତ ବାଡି ଲମ୍ବିଯାଇଥିବ । ବୈଶାଖ ଖରା ପାଚିଲା ହଳଦିଆ ବେତ କୋଳି କାନ୍ଦି କାନ୍ଦି ଝୁଲୁ ଥିବ । ଜଙ୍ଗଲ କାଟି ସାପୁଆ ରାସ୍ତା ସାହିକୁ ସାହି । ନରିଶୋ ରୁ ନିଆଳି ଡକେ ବାଟ। ମଝିରେ ପ୍ରାଚୀ ନଈ। ବାଟରେ ବେତ ଗଛ ବାଇଡଙ୍କ ଲଟା ଦିପଟୁ ଝୁଳୁଥିବା ଦିନ ଦିପହରରେ ରାତି ଅଧ ଅନ୍ଧାର । ରାସ୍ତା ନାଁ ଅନ୍ଧ ଗୋହରି । ଲମ୍ବ ଜନ୍ତୁ ମାନେ ମାଳ ମାଳ । ବାଘ ,ବିଲୁଆ ,ଗଧିଆ ,ଠେକୁଆ ,ନେଉଳ ମାନଙ୍କର ଯା ଆସ । ଏକୁଟିଆ ଗଲ ତ ଭେଟେଣା ହୋଇଯିବ । ବାଡି ଖଣ୍ଡିଏ ଧରି ଜଣକୁ ଦିଜଣ ଯିବା ଆସିବା କରିବାକୁ ହୁଏ । ଜଙ୍ଗ ଲ ସିନା । ବୈଶାଖ ଜ୍ୟୋଷ୍ଠ ମାସରେ ଥଣ୍ଡା । ଦିହକୁ ଶିତ ଲାଗିବା। ଲୋକ କୁହନ୍ତି ଏହି ଜଙ୍ଗଲ ଯୋଗୁଁ ବର୍ଷା । ଚାଷ ବାସ ଭଲ ହୁଏ । ଆମ୍ବ ,ପଣସ ,ସପୁରୀ ,ଖଟାମିଠା କୋଳି ଜାମୁ କୋଳି ଭର୍ତ୍ତି । କେତେ ଖାଇବୁ ଖା । ଆଜିକା ଭାଷାରେ ଜୈବ ବିବିଧତା ଭର୍ତ୍ତି ଆମ ଗାଁ ନରିଶୋରେ ।

ଗାଁ ରେ ଛତିଶ ପାଟକ ବସବାସ କରନ୍ତି ହେଲେ ଗାଁ ର ବ୍ରାହ୍ମଣ ଶାସନ ଟୀକା । ଶୁଣାଯାଏ ୨୦୦/ ୩୦୦ ବର୍ଷ ପୂର୍ବେ ପୁରୀ ରାଜା କୌନଜ ବ୍ରାହ୍ମଣଙ୍କୁ ଆଣି ଆମ ଗାଁ ବସାଇଥିଲେ । ଗାଁ ର ମକଦ୍ଦମ ମାନେ ନିଜକୁ ଖୁବ ଭଲ ବ୍ରାହ୍ମଣ ବୋଲି ଗର୍ବ କରନ୍ତି । ସ୍ଵାଭାବିକ କାହା ଦହି କୁ କିଏ କ’ଣ ଖଟା କୁହେ? ରାଜାମାନେ ବ୍ରାହ୍ମଣମାନଙ୍କୁ ଭଗବାନଙ୍କର ଦୁତ ବୋଲି ଭାବନ୍ତି । ପ୍ରଜାଙ୍କୁ ଶୋଷଣ କରିବା, ଅତ୍ୟାଚାର କରିବା, ଚାବୁକ ମାରି ଖଜଣା ଆଦାୟ କରିବା ତ ରାଜାମାନଙ୍କ ଧର୍ମ । ମନକୁ ବୋଧେ ପାପ ଛୁଏଁ । ବ୍ରାହ୍ମଣମାନଙ୍କର ରାଜ ଦରବାରକୁ ପ୍ରବେଶ ଥାଏ । ଶାସ୍ତ୍ର, ଶ୍ଳୋକ ଏଙ୍ଗେ ଏଙ୍ଗେ କରି ବୋଲିବେ। ରାଜାଙ୍କୁ ଆଶୀର୍ବାଦରେ ପୋତି ପକାଇବେ । ରାଜା ଫୁଲିଲେ ଫୁଲିଲେ ଯେ ବ୍ରାହ୍ମଣକୁ ସୁନା ମୋହର , ସିଧା ଦେଇ ପାଦଧୂଳି ନେବେ। ବିଦା କରିବେ । ଶାସନରେ ୩୦/୪୦ ଟି ବ୍ରାହ୍ମଣ ପରିବାର । ୨୦୦/୩୦୦ ପିଲାଛୁଆ , ମାଇପେ, ମର୍ଦ୍ଦ ହେବେ।

ଶାସନକୁ ଲାଗି ଚଷା ସାହି , ଖଣ୍ଡାୟତ ସାହି , ତେଲି ସାହି । ଏମାନେ ଛୁଆଁ ଜାତି । ତେଲି ମାନେ ବ୍ରାହ୍ମଣଙ୍କୁ ଛୁଇଁ ପାରିବେ । ହେଲେ ତେଲି ଘରେ ବ୍ରାହ୍ମଣ ପାଣି ଛୁଇଁବେନି । ଅଛୁଆଁ ଶୂଦ୍ରମାନେ। ବାଉରି, ଧୋବା, ମଳିକ, ପାଣ, ହାଡି, ଚମାର ଏମାନଙ୍କୁ ମନୁସ୍ମୃତି ଅଛୁଆଁ କରି ରଖିଛି। ଗାଁ ଠାରୁ ଦୂରରେ ପୋଖରୀ ହୁଡା , ଦଣ୍ଡା, ପଡିଆ ପଦରରେ ଏମାନେ କୁଡିଆ ଖଣ୍ଡେ ଖଣ୍ଡେ କରି ରହିଥାନ୍ତି । ବ୍ରାହ୍ମଣ ମାନଙ୍କର ପୋରହିତ ବ୍ରାହ୍ମଣ । ହେଲେ ଶୂଦ୍ରମାନଙ୍କର ପୁରୋହିତ ବୈଷ୍ଣବ । ବାର ଜାତି ତେର ବୋଲା, ବୈଷ୍ଣବ ହେଲେ ସବୁ ଗଲା । ଏମାନେ ଅଛୁଆଁଙ୍କ ଶୁଦ୍ଧ, ଶ୍ରାଦ୍ଧ କରନ୍ତି । ମାତ୍ର ଜାତି ଅଛୁଆଁ ତାଲିକାରେ ନାହିଁ ।

ଗାଁ ରେ ବାଉରି ମାନଙ୍କ ସଂଖ୍ୟା ପ୍ରାୟ ୩୦୦/୪୦୦ ହେବେ । ମକଦ୍ଦମ ମାନଙ୍କର ହୁଡାରେ ତ ତାଙ୍କ କୁଡିଆ । ଖଜଣା ବାବତକୁ ପ୍ରତି ପରିବାରରୁ ଜଣେ ତା ମକଦ୍ଦମ ଖୁଣ୍ଟରେ ସାତ ପୁରୁଷ ଧରି ବନ୍ଧା । ୬/୭ ବର୍ଷର ପୁଅ ପିଲା ଚାକିରି ରହିବ । ୧୫/୧୬ ବର୍ଷ ପର୍ଯ୍ୟନ୍ତ। ଠେକ ହେଲେ ସେ ପୁଣି କୋଠିଆ । ଖୁଣ୍ଟରୁ ନଫିଟେ । ଚାକର ପିଲାଟି ଗୋରୁ ଗାଈ କମ କରିବ । ଦାଣ୍ଡ , ଦୁଆର ଓଳିଆ ଓଳି କରିବ । କଅଁଳ ଗାଧୁଆ ବେଳକୁ ଗାଈ ଫିଟାଇବ । ଖାଇବ ୩/୪ ଦିନର ପଖାଳ , ଶୁଖୁଆ ପୋଡା ,ଲୁଣ ,ଲଙ୍କା ତାର ସକାଳ ଖୋରାକି । କଂସା ଖଣ୍ଡେ ଘରୁ ମା ଦେଇଥାଏ । ଖାଇସାରି ଦାଣ୍ଡରେ କଂସା ଧୋଇବ । ଗୁହାଳେ ରଖିବ । ଶଢେଇଟିଏ ମକଦ୍ଦମ ଦେଇଥାନ୍ତି । ପାଣି ସାଆନ୍ତାଣୀ ଉପରୁ ଢାଳିବେ । ସେ ଶଢେଇରୁ ପିଇବ । ସଢେଇ ନ ଥିଲେ ହାତ ଅଞ୍ଜୁଳା କରିବ ସାଆନ୍ତାଣୀ ପାଣି ଢାଳିବେ ।ଏ କାମରେ ଖୁବ ହୁସିଆରି । ଛିଞ୍ଚଡା ପାଣି ସାଆନ୍ତାଣୀଙ୍କ ଉପରେ ପଡିଲା ତ ବିଚରା ବାଉରି ପିଲାର ପିଠିକି ଫୁରସତ ମିଳିବନି। ମାଡ ଗୋରୁ ଚରିଯିବେ । ତା ଚଉଦ ପୁରୁଷ ଉପରେ ଗାଳି ବର୍ଷା । ବେଳେ ବେଳେ ଗରମ ପେଜ ବି ତା ଉପରେ ଫୋପଡା ହେବ । ସାଆନ୍ତାଣୀ ବାଉରି ଛୁଆଁ ହେଲେ ତ ଦି ଗରା ପାଣି ଢାଳି ହେବେ । ଛୁଆଁ ଛାଡି ପଳେଇଲା। କୋଠିଆ ବଡି ଭୋରରୁ ହାଜର କାନ୍ଧରେ ଜୁଆଳି ପଡିଲା ତ ରାତିରେ ଅଣ୍ଡିର ବିଲୁଆ ବୋବାଇଲା ବେଳକୁ ଜୁଆଳି କାଢି ଘରକୁ ଯିବ । ମୁଁ ଟମକକା କୁଟୀର ପଢି ଜାଣିଲି ଯେ ଆମ ବାଉରି ବାବର ଦଳିତ ମାନେ ଆମେରିକା ର ନିଗ୍ରୋ ଦାସ ମାନଙ୍କ ଠାରୁ କୌଣସି ଗୁଣରେ କମ ନୁହନ୍ତି ।

୧୯୪୨ ବେଳକୁ ଜମିଦାରୀ,ମକଦ୍ଦମୀ ଘୁଘୁ କମ୍ପୁଚି। ନରିଶୋ ମୌଜାରେ ଚାରି ଜମିଦାରଙ୍କ ରାଜୁତି । ଭିଙ୍ଗାରପୁର ଚୌଧୁରୀ, ବାଳକାଟୀ ମହାନ୍ତି, ନିମାପଡାରେ ରାଢସିଂହ ଓ ଆଳିର ତ୍ରିଗୁଣା ରାୟ । ଜମିଦାର ମାନେ ମକଦ୍ଦମ ମୁକରିର କରିଥାନ୍ତି । ଇଲାକା ଦେଖାଶୁଣା କରିବେ ଖଜଣା ଆଦାୟ କରି ଦାଖଲ କରିବେ । ଜମିଦାର ଇଲାକା ଗସ୍ତ ବେଳେ ତାଙ୍କ ରହଣି , ଖାପିଆ ବନ୍ଦୋବସ୍ତ କରିବେ । ଗୋପାଳ ଷଡଙ୍ଗୀ ନରିଶୋ ବଡ ମକଦ୍ଦମ । ୪ ଅଣା ମକଦ୍ଦମୀ । ମୁରାଟ ବେଶୀ ।

ମକଦ୍ଦମ ହରି ଷଡଙ୍ଗୀ ଉପାଖ୍ୟାନ

ଆମ ଖିରି ପିଠାର କର୍ତ୍ତା ହରି ଷଡଙ୍ଗୀ । ତାଙ୍କର ୨ ଅଣା ମକଦ୍ଦମୀ । ବୟସ ୫୦/୫୫ ହେବ । ଠୁଙ୍ଗୁରା । ଗୋଲ ମୁହଁ । ଥନ୍ତଲ ପେଟ । ନାଲି ଗାମୁଛା ଖଣ୍ଡେ କଛା ମାରି ଦାଣ୍ଡକୁ ବାହାରି ପଡିଲେ ତାଙ୍କୁ ସମସ୍ତେ ଆଖି ପୁରାଇ ଚାହାଁନ୍ତି । ୧୨ /୧୩ ଏକର ପୋଖରୀ ମୁହଁ ଜମି । ଫାଳେ ପକାଇଲେ ଗୋଟେ । ଚଳ ପକ୍ଷ ଭଲ । ଭଲ ଲୋକ । ଅନ୍ୟ ମକଦ୍ଦମ ମାନଙ୍କ ଭଳି ଶୁଖିଲା ବଡ ପଣିଆ ତାଙ୍କ ପାଖରେ ନଥାଏ । ଜମିରେ ପୁଅ, ଚାକର, କୋଠିଆଙ୍କୁ ଖଟାନ୍ତି । ଭଲ ଅମଳ ପାଆନ୍ତି ।

ହରି ମକଦ୍ଦମଙ୍କର ଏକଇରବଳା ବିସିକେଶନ ସୁଦର୍ଶନ । ବୟସ ୧୭/୧୮ । ଶ୍ରୀ ଅକ୍ଷର ବରୁଣେଇ ପର୍ବତ । ଗାଁ ସ୍କୁଲକୁ ୩/୪ ବର୍ଷ ଗଲା । ହରି ମକଦ୍ଦମ ବି ମଦନ ମାଷ୍ଟ୍ରଙ୍କୁ ଖୁବ ହେପାଜତ କରନ୍ତି । ମାଷ୍ଟ୍ରଙ୍କ ମାସକୁ ୨ ଟଙ୍କା ଦରମା । ଗାଁ ଚୌକିଦାର ବୁଧିଆ ମଳିକ ମାସକୁ ୫ ଟଙ୍କା ପାଏ । ମାଷ୍ଟ୍ରେ ମାଇନର ଭର୍ନାକୁଲାର ଟ୍ରେଣ୍ଡ । ଘରେ ସ୍ତ୍ରୀ ପିଲା ୫ ପ୍ରାଣୀ । ମାଷ୍ଟ୍ରେ ଗାଁ ରେ ପଡି ଖାଆନ୍ତି । ହରି ମକଦ୍ଦମ ଘରଣୀ ମାଷ୍ଟ୍ରଙ୍କୁ ବାଲାମ ଅରୁଆ ଚାଉଳ, ଘିଅ, ପନିପରିବା ଖୁବ ଦିଅନ୍ତି । ଶନିବାର ଦିନ ମାଷ୍ଟ୍ରେ ଘରକୁ ପୁଟୁଳି ବାନ୍ଧି ଚାଲନ୍ତି । ହେଲେ ସୁଦର୍ଶନ ୧୭ ଫଳା ବି ହାସଲ କରିପାରିଲା ନାହିଁ । ମକଦ୍ଦମଙ୍କ ପୁଅତ । ମାଡ ନାହିଁ । ଦିନେ ମାଷ୍ଟ୍ରଙ୍କ ରାଗ ଚଢି ଯାଇଛି । ହୋସ ନାହିଁ । ଟୋକାଟା କିଛି ଧରିଲାନି । ଦି ବେତ ହାଁଙ୍କି ଦେଇଛନ୍ତି କି। ରୋଗୀ ଖୋଜୁଥିଲା ଯାହା ବଇଦ କହିଲା ସେଇଆ । ସୁଦର୍ଶନ ବସ୍ତାନି ଗୁଡାଇ ମାଷ୍ଟ୍ରଙ୍କ ଉପରକୁ ଫୋପାଡିଲା ତ ଭାଗିସ। ସେଇଦିନୁ ସୁଦର୍ଶନ ବସ୍ତାନିରେ ଡୋରୀ ।

ସୁଦର୍ଶନ ନନାଙ୍କ ଠାରୁ ଟିକେ ଡେଙ୍ଗା । ବୋଊ ଚେହେରା । ଗୋରା ତକ ତକ ଦିହ । ଲମ୍ବା ନାକ । ବଳିଲା ଭଳି ଦେହ । କାଠିଏ ବଳ । ରଜ ତିନି ଦିନ ଗୁଡିଆ ବାଡି ବରଗଛ ତଳେ ବାଗୁଡି ଖେଳ । ସୁଦର୍ଶନ କାଳି ଦେଲା ତ ଥରକେ ଦୁଇ ତିନି ଜଣଙ୍କୁ ମାରି ଶୁଆଇ ଦବ। ତାକୁ ଧରିବାକୁ କେହି ପୁଅ ଜନ୍ମ ହୋଇନାହାନ୍ତି । ସେ ଯେଉଁ ଦଳରେ ଖେଳିଲା ସେ ଦଳ ଜିତିବା ଥୁଆ । ହରି ମକଦ୍ଦମ ଓ ପୁଅ ସୁଦର୍ଶନ ଦୁହେଁ ଜମି ବାଡିରେ କାମ କରନ୍ତି । ଧାନ ସହିତ ଆଖୁ , ମୁଗ, ବିରି, ପନିପରିବା , ରାଶି, ସୋରିଷ ବି ଚାଷ କରନ୍ତି । ଭଲ ଖାନ୍ତି । ଅର୍ଜି କରି ପରଜି ଖାଏ , ପର ଦେଇଥିଲେ ଉଘେଇ ଥାଏ । ଗୁଡ ବଣା ଖଟ ତଳେ ୮/୧୦ ବସିଥାନ୍ତି । ମକଦ୍ଦମଙ୍କର ତଳ ଉପର ତିନି ଦାଣ୍ଡି ଚାଳ ଘର । ଦକ୍ଷିଣ ଦାଣ୍ଡି ୪ ବଖରା ଦୋଚାଳି ଆଟୁ ଘର । ସେ କାଳର ଏସି ଘର ଜାଣ । ଶୁଆ ବସା ଘର । ମଝି ଦାଣ୍ଡି ପାଞ୍ଚ ଶେଣିଆ ୪ ବଖରା । ୨ ଟି କୋଠି , ବିହନ ଭାଡି , ଚାଉଳ , ମୁଗବିରି ରହେ , ବାସନ କୁସନ ଘରକରଣା ଜିନିଷ ଗୋଟେ ବଖରାରେ । ବଖରାଏ ବାଟଘର । ଦାଣ୍ଡ ଘର ୪ ବଖରା । ତିନି ଶେଣିଆ ଘର । ୩ ବଖରା ଗୁହାଳ । ବଳଦ ୨ ହଳ, ଗାଈ ୧୦/୧୨ ଟି ବାଛୁରି ୪/୫ ଖୁନ୍ଦା ଖୁନ୍ଦି ହୋଇ ବନ୍ଧା ହୋଇଥାନ୍ତି । ବାଟଘର ବଖରାରେ ଚାକର ଶୁଏ । ରାତି ବିକାଳି ଗୋରୁ ଗାଈ ଫିଟିଲେ ବାନ୍ଧିବ । ନଡା ଉପରେ ଛିଣ୍ଡା ଅଖାଟିଏ ପକାଇ ଶୁଏ । ରାତି ଜାକ ମଶା ବାଡଉଥାଏ । ପୁଲାଙ୍ଗ ତେଲ ଦ୍ଵୀପଟିଏ, ଦିଆସିଲି ପାଖରେ ରଖିଥାଏ । ନରିଆ, ବୟସ ୧୦/୧୨ ବର୍ଷ । ଖୁବ ନିମକ ସଚ୍ଚା । ଖାଇବାକୁ ଦେଲେ ହଁ ,ନ ଦେଲେ ହଁ ।ମାଡ ମାରିଲେ ଦିହକୁ କାଠକରି ସହିଯାଏ । ବା ପରା କହିଛି ସାଆନ୍ତ ଠାକୁର । ତାଙ୍କୁ ଅମାନ୍ୟ କଲେ ପାପ ହେବ ନର୍କରେ ପଡିବ । କଣ ସେ ପାପ ତା ମୁଣ୍ଡ ପାଏନି । ନର୍କଟି କି ଜିନିଷ ,କେଉଁଠି ଅଛି ସେ ତ ବାଉରୀ ପିଲା , ଗଣ୍ଡ ମୂର୍ଖ । ସେ ବୁଝିବ କେତେକେ । ସେ କିପରି ଜାଣିବ ପାପ,ପୂଣ୍ୟ,ସ୍ଵର୍ଗ,ନର୍କ ଏଇ ଛୁଆଁ ଲୋକ ଗୁଡାକଙ୍କର ଭିଆଣ । ଗରିବଙ୍କୁ ଶୋଷଣ ପାଇଁ ଏଗୁଡିକ ଅସ୍ତ୍ର ।

ହାରା ଦେଇ ଘର ମଣିଷ ଏବେ ମକଦ୍ଦମଙ୍କୁ ବସେଇ ଉଠେଇ ଦଉ ନାହାନ୍ତି । “ପୁଅକୁ ୧୭/୧୮ ବର୍ଷ ହେଲା । ତା ସାଙ୍ଗର ରମେଶ ବାହାହୋଇ ତାର ଦୁଇଟି ପିଲା । ବାପା ମା ନାତି ଖେଳାଉଛନ୍ତି । ପୁଅକୁ କଣ ବୁଢା କରେଇବ । ”ହରି ମକଦ୍ଦମଙ୍କର ହୁଁ କି ଚୁଁ ନାହିଁ । “କଣ ହୁଙ୍କାଟା ଭଳି ବସିଛ । ମୋ କଥାକୁ କଣ ପହରେଇ ଦଉଚ” । “ଆଲୋ ସୁଦୁରିଆ ବୋଊ ,ମୁଁ ସବୁ ଶୁଣୁଛି ଯେ କନିଆ ତ ମରୁଡି । ମୁଁ କଣ ବସିଛି । ପତ୍ତା ଲଗାଉଛି ।” ମୁଁ ବୁଝୁଛି । ଦେଖୁନ ଆମ ମାଇପି ମାନଙ୍କ କଥା । ବଳିଆ ଭାଇନାଙ୍କ ନୂଆ ବୋହୁ । ୧୫/୧୬ ବର୍ଷ ହବ । ପହିଲି ପୋଖତୀ । ଝିଅଟିଏ ହୋଇଛି । ତାକୁ ତ ସାହି ଜାକର ମାଇପେ କଳେଇ ଖାଇ ଯାଉଛନ୍ତି । ଝିଅ କାହିଁକି ଜନ୍ମ କଲା ? ତା ବାପଘରର ସାତ ପୁରୁଷ ଉଝାଳୁଛନ୍ତି । ଦିନେ ତ ତାକୁ କିଲି କିଲି ଗାଳି କରୁଛନ୍ତି । ନଟବୋଊ ଆସିଗଲେ କି? ଝାଡିଲେ ଝାଡିଲେ ଏମିତି କହିଲେ ଯେ ଚାଳୁଆ ଚାଳରେ,ଗାତୁଆ ଗାତରେ । “ସୁଦୁରିଆ ବୋଊ ନଟବୋଊ ସିନା ପାଠ ପଢିନାହାନ୍ତି । ପୁରାଣ,ଶାସ୍ତ୍ର ସବୁଥିରେ ତାଙ୍କର ଦଖଲ ଅଛି” ତୁମେ ତ ନିଜେ ଜାଣୁଛ । ଝିଅ ପିଲାଙ୍କୁ ଅନେକ ଘରେ ଖାଇବାକୁ ବି ଦିଅନ୍ତିନି । ସେ ସମସ୍ତଙ୍କ ଅଇଁଠା ଥାଳୀରୁ ଗୋଟେଇ ଖାଇବ । କାମ କରିବ । ଅଳ୍ପ ବୟସରେ ମରିଯାନ୍ତି । ସବୁ ଜାଣି ଆଉ ନା ଜାଣିଲା ଭଳି ହଉଛ । ମୁଁ କଣ ଝିଅଟେ ଚକରେ ଗଢିବି? “ତୁମେ ଜାଣିଛ କି ନାହିଁ ଆମ ଗାଁ କୁ କେହି ଝିଅ ଦବାକୁ ଏବେ ମଙ୍ଗୁନାହାନ୍ତି” କାହିଁକି? ଆମ ଗାଁ ପୁଅ କ’ଣ ନିଆଁରେ ମୁତିଛନ୍ତି? “ସେ କଥା ନୁହଁ ଯେ ଆମ ଗାଁ ନାଁ ରେ ଗୋଟିଏ ଅପବାଦ ପାଞ୍ଚ ତୁଣ୍ଡରୁ ସାତ ତୁଣ୍ଡ ହଉଛି । ଆମେ କୁଆଡେ ବୋହୂ ଚୋର ।” “ବୋହୂ ଚୋରୀ ତ ପିଲାଏ ଖେଳନ୍ତି । ସତରେ କଣ ବୋହୂ ଚୋରୀ କେଉଁଠି ହଉଛି ।

ନାଟକ ବୋହୂଚୋରି ସୁଦୁରିଆ ବୋଉ ତମ କାନରେ ବାଜିନି । ଆର ସାହି ଗଣେଶ ଶତପଥୀ ନୁହଁ । ଗଞ୍ଜେଇ ଟାଣି ଟାଣି ହାଡମାଳ ଯେ ଦେଖାଯାଉଛି ଗୋଟେ ଖୁଙ୍କୁଡ ବୁଢା । ଓଥରା । ଜମି ବାଡି ବିକି ଗଞ୍ଜେଇ ଚିଲମରେ ସବୁ ସାରିଲା । ପ୍ରେମ ଉଛୁଳୁଛିଲୋ ବାହା ହେବ । ଏବେତ ଭାତ ମୁଠାକ ମିଳିବ କି ନାହିଁ । ପୁଣି ବୁଢା ହେଲାଣି । କଳିଷଠା । ୬୦/୬୫ ବର୍ଷ ହେଲାଣି । ଝିଅ କିଏ ଦବ? ଆମ ବାଡିପଛ ଅଭିମୁଖୀ ବ୍ରାହ୍ମଣ ଶାସନ । ଟୋଲାର ଗୋଟେ ପୁଅ ପାଇଁ ବାପ ଅଭିମୁଖିରେ କନିଆ ଠିକ କରିଥିଲା । ୬୦ ଟଙ୍କା କନିଆ ସୁନା । ବାହାଘର ଆଗଦିନ ଶଗଡ ଗାଡିରେ ୯/୧୦ବର୍ଷର ଝିଅ ଯାଉଛି ଶାଶୁଘର । ପାଖରେ ବଡଭାଇ ୧୫/୧୬ ବର୍ଷ ବସିଛି । ରାତି ଦିପହର ହବ । ଜହ୍ନ ରାତି । ଶଗଡ ଚରବର ଦଣ୍ଡା ଧରିଛି ତ ୪/୫ ଟୋକା ବୋହୂକୁ ଶଗଡ ତାଟ ଭିତରୁ ଉଠାଇ ନେଲେ । ହୋ ହଲ୍ଲା କଲା ବେଳକୁ ବୋହୂକୁ ଆଉ ଗୋଟେ ଶଗଡ ଗାଡିରେ ବସାଇ ଶଗଡ ଦୌଡାଇଲେ ଯେ ଗଣେଶ ଶତପଥି ଦାଣ୍ଡରେ । ପୁରୋହିତ ତୟାର, ବାରିକିଆଣୀ ମହଜୁଦ, ଜୋତିଷ ପାଞ୍ଜି ଧରିଛନ୍ତି । ଗଣେଶ ତ ଜ୍ଵାଇଁ ବେସ ହେଇଛି । ଦାଣ୍ଡରେ ପିଢା ଦିଟା ପକାଇ ଗଣେଶ ବସିଲା ବୋହୂକୁ ଆଣିଲା ବେଳକୁ ସେ କାଲୁବାଲୁ ହଉଛି। କିଛି ବୁଝିପାରୁନି । ୧୦/୧୫ ମିନିଟରେ ପୁରୋହିତ ହାତ ଗଣ୍ଠି ପକାଇ ବାରିକିଆଣୀକୁ ସଙ୍କେତ ଦେଲା “ପୁଅ ବୋହୂକୁ ଘରକୁ ନେ” । ବିଜୁଳି ବେଗରେ ଖବର ଟୋଲାରେ ପହଞ୍ଚେ । ଦଳ ବଳ ଧରି ଟୋଲାରୁ ଲୋକ ଆସି ଶତପଥି ସାହିରେ ହାଜର । ଲେଡି ଗୁଡ କହୁଣିକି ବୋହିଗଲାଣି । ସେ କାଳ ଚଳଣି । ହାତ ଗଣ୍ଠି ପଡିଲାତ ଆଉ ସେ ଝିଅ ଅନ୍ୟତ୍ର ବାହାହୋଇ ନ ପାରେ । ହାଡି ବାଇଦ କୋଶେ । ତୁଣ୍ଡ ବାଇଦ ସହସ୍ର କୋଶ । ସେଇ ଦିନୁ ନରିଶୋକୁ ଝିଅ ଦବାକୁ ଝିଅ ଘର କୁନ୍ତୁକୁନ୍ତୁ ହଉଛନ୍ତି।

କନିଆ ଖୋଜା

“ ଗପଟା ବନେଇ ଚୁନେଇ ଭଲ କହିଲ ସୁଦୁରିଆ ପାଇଁ ତାହେଲେ କେହି କନିଆ ଜନ୍ମ ହୋଇନାହାନ୍ତି ?” ଏମାନେ ସଜ ମାଉଁସରେ ପୋକ ପକାଇବା ଲୋକ । “ସୁଦୁରିଆ ବୋଊ ଥୟ ହୁଅ ପ୍ରଘଟ କରିବନି” ମୁଁ ସେଇ ଟୋଲା ଗାଁ ରେ ଝିଅଟିଏ ଠିକ କରିଛି । ୧୦/୧୧ ବର୍ଷ ହବ । ଗୋଟିଏ ଚାଉଳରେ ଗଢା । ଝିଅର ବାପା ୭୦ ଟଙ୍କା କନ୍ୟା ସୁନା ମାଗୁଥିଲା । ମୁଁ ଅଶି ଟଙ୍କା ଧରେଇ ଦେଇ ଆସିଛି । ବୋହୂ ଶଗଡ ଗାଡିରେ ନୁହେଁ ସବାରୀରେ ଆସିବ। ଝିଅଘର ଅଭାବି ପକ୍ଷ ସବାରି ଶଗଡ ଖର୍ଚ୍ଚ ଆମେ ଦବା କହିଆସିଛି ।

ସୁଦୁରିଆ ବୋଊ ପେଟରେ ପେଟେ ଖୁସି ନଡିଆ କୋରି ମୁଢି ଆଣି ମକଦ୍ଦମଙ୍କ ଆଗରେ ରଖେ । ଏବେ ଦିନ ବାର ଠିକ ହେଲେ ବାହାଘର ହବ । ଗାଁ ଲୋକ ପତରରେ ଗଲେ ହରି ମକଦ୍ଦମ ଶିରାରେ ଯିବା ଲୋକ । ଟୋଲା ଜ୍ୟୋତିଷ ସହିତ ପୁଅ ଝିଅଙ୍କ ଜାତକ ସାଧି ବାହାଘର ଦିନ ଧାର୍ଯ୍ୟ କରିଦେଲେ । ଜ୍ୟୋତିଷ ସର୍ବ ମଙ୍ଗଳ ଜଗନ୍ନାଥ କହି ପୌଷ ଶୁକ୍ଳ ଦ୍ଵାଦଶୀ ତିଥି ଧରିଲେ ।

ନଟସାରଙ୍କ ସଫେଇ

ସୁଧୀ ପାଠକ ରାଗି ପଞ୍ଚମ ହେବେଣି । ଏତେ ଅବଲୟ କାହିଁକି । ଏ ଯାଏ ଖିରୀ ପିଠା କଥା ପଡିଲାନି । ଆଗେ ବାହାଘର ହେଲେ ତ ଲୋକେ ଖିରୀ ପିଠା ଖାଇବେ । ମୂଳରୁ ମାଈପ ନାହିଁ ପୁଅ ନାଁ ଗୋପାଳିଆ । କନିଆ ଖୋଜା ଟା ହରି ମକଦ୍ଦମଙ୍କୁ ନାକବୁଡା ଦେଉଥିଲା । କନିଆ ଅଭାବରେ କେତେ ଦର ବୁଢା ଏବେବି ଓଥରା । କହିବାତ ସହଜ । ନେଇ ଆଣି ଥୋଇଛି ଯିଏ ତା ମୁଣ୍ଡକୁ ଧନ୍ୟ କହିବ । ଜାଣିଲେତ । ହରି ମକଦ୍ଦମ ତ କନିଆ ଠିକ କଲେଣି । ହେଲେ ତାଙ୍କ ମୁହଁରୁ ଗାଁ ଲୋକେ ଏପର୍ଯନ୍ତ ଶୁଣିନାହାନ୍ତି । ୪ କାନରୁ ୬ କାନ ହୋଇନି । ଭୟ । କାଳେ କିଏ ଭାଙ୍ଗୁଳିଆ ପଶି କନିଆ ଘରକୁ ଫିରିକେଇ ଦବ । ଖୁବ ତାକ ତରକରେ ହରି ମକଦ୍ଦମ ଚଳେଇଛନ୍ତି । ଟିକେ ଥୟ ଧରନ୍ତୁ । ଏଣିକି ଖିରିପୀଠା କଥା ଚାଲିବନି ଦୌଡିବ । ଭୋଜି ଭାତ ସରିବ । ଇତରେ ଭରୀ ଭୋଜନ । ଆପଣ ମାନଙ୍କୁ ଲକ୍ଷ ସ୍ତଳରେ ପହଞ୍ଚାଇବା ନେଇ ଟିକେ ସହଯୋଗର ହାତ ବଢାନ୍ତୁନା ।

ବାହାଘର ସଜବାଜ:

ଦିନ କ’ଣ ବସିଛି । ଗଡି ଯାଉଛି । ହରିମକଦ୍ଦମ ଏକୁଟିଆ ଲୋକକୁ ପହିଲି ନିମିତ । ମୁଣ୍ଡ ଗୋଲ ହୋଇଯାଉଛି । କଥା ପ୍ରଘଟ ହେଲାଣି । ଆଉ ଲୁଚା ଛପା ନାହିଁ । ମକଦ୍ଦମଙ୍କର ଗୋଟିଏ ଭଉଣୀ । ବଡ । ନାନିକୁ ନିଜେ ଶଗଡ ଗାଡିରେ ଘରକୁ ଆଣିଲେଣି । ନାନି ଚାରି ଆଖିଆ ବସୟ ୬୦/୬୫ ହବ । ପତଳା ଦେହ । ଧରି ପକାଇଲେ ତୁମ ହାତରୁ ନିଆଁ ବାହାରିପଡିବ । ସେ ଖୁଣ୍ଟ ହୋଇ ବସିବ । ସାନ ଭାଇ କୁ ବରାଦ କରିବ । ଭାଉଜ ହାରା ଦେଇ ଙ୍କ ଗୋଡ ତଳେ ଲାଗୁନି । ଢିଙ୍କି ଶାଳରୁ ଢେଙ୍କାନାଳ ଯାଏ କାମ । ପୁଅ ବାହାଘର ଟି ! କଣ କମ କଥା । ସେତେ ବେଳକୁ ତ ଝିଅ ଦୁଆର ବାହା ଚାଲିନି । ୮/୧୦ ବା ଖୁବ ବେସିରେ ୧୨ ବର୍ଷ ର କନ୍ୟା ହେଲେ ବଳି ପଡିବ । କନ୍ୟା ସୁନା ନେଇ ଝିଅର ବାପା ମା ଝିଅକୁ ତୋଳା କନିଆରେ ଟେକି ଦଉଥିଲେ । ବର ପକ୍ଷର ଜଞ୍ଜାଳ ବେସି । ତିଥି ପାଖେଇ ଆସୁଛି । ବନ୍ଧୁ ବାନ୍ଧବ ଲୋଡା ହେଲେ । ସାହି କୁଟୁମ୍ବରେ ସେତେବେଳେ ବୁଝାବଣା ଖୁବ ଭଲ ଥିଲା । ବଡ ମକଦ୍ଦମ ନରି ଷଡଙ୍ଗୀ ତାଙ୍କ ଖମାର ଘରଟିକୁ ଛାଡି ଦେଇଛନ୍ତି । ସପ ବେରୁଆଁ, ମସିଣା ଶତରଞ୍ଜି ଭର୍ତି । ସେଜ ତକିଆ ସେତେ ବେଳକୁ ରାଜୁତି କରିନାହାନ୍ତି । ୨୦/୨୫ ପିଲା ଛୁଆ ରହିପାରିବେ। ଆଜିକା ଭଳି ସେତେବେଳେ ପାଣିପାଇଁ ହାହାକାର ନଥିଲା । ଘରେ ଘରେ କୂଅ,ବାମ୍ଫୀ । ୮/୧୦ ହାତ ତଳେ ପାଣି । ବାଲଟି ଗାଁ ଦେଖିନାହାନ୍ତି । ଗରା ମାଠିଆରେ ପାଣି କଢା । ସବୁ ଭିଡ ତ ସ୍ତ୍ରୀ ଲୋକଙ୍କ ଉପରେ । କୂଅ ଦଉଡାରେ ଗରା ବାନ୍ଧି ସ୍ତ୍ରୀଲୋକମାନେ ପାଣି କାଢିବେ । ନରି ମକଦ୍ଦମଙ୍କ ଦୁଆର ଦାଣ୍ଡରେ ଦୁଇଟି କୂଅ । ପଡିଆ ଜଙ୍ଗଲ ତ ଚାରିଆଡେ ଭର୍ତ୍ତି । ପୁରୁଷ ସ୍ତ୍ରୀ ଝାଡା ଯିବେ ପଡିଆ । ମୋ ନନା ହରି ମକଦ୍ଦମଙ୍କ ଠାରୁ ସାନ । ଆମର ମକଦ୍ଦମୀ ନଥାଏ । ନନା ଖୁବ ମନସ୍ତାପ କରନ୍ତି । ବୋଊ କୁହେ “ତୁମେ ଦେଖୁଛ ତ ମକଦ୍ଦମ ଘର ଗୁଡାକର ଗାମୁଛାରେ ଗଣ୍ଠି ପଡୁନି । ନିଆଳି ହାଟରେ ନଡିଆ ୨/୪ କଡା ବିକି ପାନ ଗୁଆ ଗୁଣ୍ଡି କିଣୁଛନ୍ତି । ତୁମେ ବର୍ଷକ ବାରମାସ ବାଲାମ, ପଦ୍ମକେଶୋରୀ ଭାତ , ବେଲାରେ ଡାଲି , ସଙ୍କ୍ରାନ୍ତି ଗୁରୁ ବାର ନାହିଁ ବାଦ ପଡୁନି ମାଛ ଖାଉଛ । ତୁମକୁ ଗାଁ ଗଣ୍ଡାରେ ତ ଆଗ ଡକରା । ଫେରେ ମକଦ୍ଦମୀ ?” । ଆମର ୨/୩ ବଖରା ଘର । ତଥାପି ବୋଊ ହରି ଭାଇନାଙ୍କର ୪/୫ ଜଣ ବନ୍ଧୁ ବାନ୍ଧବଙ୍କୁ ଆମ ଘରେ ରଖିଛି।

ଭୋଜିଭାତ ଚିଠା

ହରି ମକଦ୍ଦମ ଏ ଭିତରେ ପୁରୀ ଯାଇ ଜଗନ୍ନାଥଙ୍କୁ ନିମନ୍ତ୍ରଣ କରିସାରିଛନ୍ତି । ସେ ଦିନ ଶନିବାର ଉପରବେଳା । ବାହାଘର ଆଉ ୭/୮ ଦିନ ଅଛି । ହରି ମକଦ୍ଦମ ଗାଁ ର ମୁରବି ମାନଙ୍କୁ ଡାକିଛନ୍ତି । ଦୁଆରେ ସପ ୪/୫ ଖଣ୍ଡ ପଡିଛି । ଗାଁ ମୁରବି ନରି ମକଦ୍ଦମ ,ବଳି ଷଡଙ୍ଗୀ , ନୀଧି ଷଡଙ୍ଗୀ , ବାଞ୍ଛାନିଧି ଷଡଙ୍ଗୀ ଆସି ବସିଲେଣି । ହରି ମକଦ୍ଦମ କିନ୍ତୁ ଜାଣିଛନ୍ତି ଏମାନେ ଖାଲି କୁହାଳିଆ । ବରାଦ କରିବେ । ନେଇ ଆଣି ଥୋଇବା କାମଟି ଉଦି ନଆସିଲେ ନହୁଏ । ସକାଳୁ ଉଦି ଘରକୁ ଚାଲିଲେ । ନଟବୋଊ ହରି ଭାଇନାଙ୍କୁ ମାନ୍ୟ ହେଲେ । ସପ ପକାଇ ଓଢଣା ତଳୁ ବସିବାକୁ ଇଙ୍ଗିତ ଦେଲେ। ପାନ ବଟା ଥୋଇଦେଇ କହିଲେ “ସେ ଦଣ୍ଡା ବିଲକୁ ସକାଳୁ ଅଗ କାଟିବାକୁ ଯାଇଛନ୍ତି ଆସୁଥିବେ ଆପଣ ବସନ୍ତୁ” ମୁଁ ସ୍କୁଲରୁ ଚାଲି ଆସିଛି । ଆମେ ତ ଜାଣିନଥିଲୁ ଯେ ସୁଦୁରିଆ ଭାଇନାଙ୍କ ବାହାଘର ହବ । ଆମେ ଭୋଜି ଖାଇବୁ । ହରି ଦଦେଇଙ୍କୁ ଅନେଇ ମୁଁ ବୋଉର ପଣତ ଭିତରେ ମୁହଁ ଘୋଡାଇ ଦେଇ ଚୁପଚୁପ କରି ବୋଊକୁ କହୁଛି “ସୁଦୁରିଆ ଭାଇନାଙ୍କ ବାହାଘର ହବ । ଭୋଜି ଭାତ ହବ ” ହରି ଦଦେଇଙ୍କ କାନରେ ପଡିଗଲା । ସେ କହିଲେ “ ଆରେ ନଟ ତୁ ତ ଆଗ । ତୁ କେତେ ଖିରୀ ଖାଇବୁ ,କେତେ ଆମୂଲ ଖାଇବୁ ମୁଁ ତୋ କଥା ବୁଝିବି” । ଲାଜରା ଲାଗିଲା ମୁଁ ଦୌଡି ବାଡି ଘରକୁ ଚାଲିଗଲି ।

ନନା ବିଲରୁ ୧୦ ଟି ଅଗକଟା ହଳା ମୁଣ୍ଡରେ ଆଣି ଖଳାବାଡିରେ ପକାନ୍ତି । ବୋଊ ଜାଣି ଖବର ଦେଲା “ହରି ଭାଇନା ବସିଛନ୍ତି ତୁମ ସଙ୍ଗେ ପୁଅ ବାହାଘର କଥା ହେବେ । ତୁମର ଏତେ ଡେରି?” “ତତେ ତ ହେଇଟି ଲାଗିଛି । ଦଶ ଗୁଣ୍ଠ ଜମିର କଚଡା । ଚମ୍ପାଧାନ । ଭଲ ଫଳିଛି । ଅଗ କାଟି ହଳା ବାନ୍ଧିଲି । ତିନି ସହ କୋଡିଏ ହଳା । ନଇଁ କରି ଅଗ କାଟିବି ବାନ୍ଧିବି । ଅଣ୍ଟା କଟକଟ ଡାକୁଥାଏ । ତତେ ତ ଗେଲ ଲାଗିଛି ।”ଏ ଭିତରେ ହରି ଭାଇନା ଖଳାରେ ହାଜର । ହଳାଟିଏ ଟେକି ଅନୁମାନ କଲେ ଦେଢ ଗୌଣି ଧାନ ହେବ । ଦେଢ ଗୌଣି ମାନେ ୩.୭୫ କି.ଲୋ । “ ତୁ ହଳା ବାନ୍ଧି ୧୦ ଟା ହଳା ମୁଣ୍ଡାଇ ଅଧ ମାଇଲି ବାଟରୁ ଆସୁଛୁ । ଧନ୍ୟ କହିବ ତୋ ବଳ ଓ ସାହସ”। “ଭାଇନା ତୁମ ଭାଇ ବୋହୁକୁ ତ ଥଟ୍ଟା ଲାଗିଛି । ସେ କହୁଛି ଏତେ ଡେରି କାହିଁକି ହେଲା । ଶୁଖିଲାରେ ଗୁଣ୍ଡା ପେଟକୁ ଯାଉଛି ? ହଊ ଚାଲ ଘରେ ବସି କଥା ହେବା” ।

ହରିଭାଇନା ନନାଙ୍କୁ ବାହାଘର କଥା କହିଲେ । ନନା ଖୁବ ରୋକ ଠୋକ ଲୋକ । “ଭାଇନା ତୁମେ ମାମଲତକାର ମାନଙ୍କୁ ଡାକିଚ । ମୁଁ କହିଦଉଛି ସେମାନଙ୍କ ଚିଠା ରଖିବ । କିନ୍ତୁ ଯଦି ନିମିତ ଲୋକଙ୍କ ମନକୁ ପାଇବ ତୁମର ନାଁ ରହିବ ମୁଁ ଚିଠା କରିଦେବି । ତୁମେ ଜିନିଷ ପତ୍ର ଯୋଗାଡ କରିବ । ନିମିତ ଭଳିଆ ନିମିତ ହବ” ହରି ଭାଇନା ନନା ଙ୍କୁ ଟେକିଲେ ଟେକିଲେ ଯେ କହି ପକାଇଲେ “୫୦୦/୬୦୦ ଲୋକଙ୍କର ଭୋଜି ଭାତ ଦାୟୀତ୍ୱ ତୋର । ତୁ ଯେମିତି ବରାଦ କରିବୁ ମୁଁ ଧନଟି ଧରେଇଦେବୀ । ତୁ ନେଇ ଆଣି ଥୋଇବୁ । ଗାଁ ମୁରବି ତ । ନଡାକିଲେ ପରେ ଆଣ୍ଟିବେ । ତୁ ଟିକେ ଉପର ବେଳା ଘରେ ପହଞ୍ଚିବୁ । “ଭାଇନା କାନିକାତ କରିବ ? ପଦ୍ମକେଶୋରୀ ଚାଉଳ ରଖିଛ ତୁମର ତ ପଦ୍ମକେଶୋରୀ ଚାଉଳ ନାହିଁ । ବୋଊ ପାଟି ଖଲ ଖଲ ହଉଥିଲା । ଚୁପଚୁପ କରି କହି ପକାଇଲା” “ଆମର ୨୦/୨୫ ସେର ପଦ୍ମକେଶୋରୀ ଚାଉଳ ଭାଇନାଙ୍କ ନିମିତ କୁ ଦେଲେ ହୁଆନ୍ତାନି” ମୁଁ କଣ ସେ କଥା ମନରେ ରଖିନି । ୨୫ ସେର ପଦ୍ମକେଶୋରୀ କାନେକା ପାଇଁ ଆଉ ୫/୬ ସେର କଳାଜିରୀ ଖିରୀ ପାଇଁ କୁଟେଇବୁ । ବେସୀ କାଣ୍ଡୀ କରିବୁନି । ଚାଉଳ ବୋଳରେ ବଳ । କଳାଜିରୀ ଚାଉଳର ବାସନା ସେ ବେଳରେ । ସେ କାଳର ସାମାଜିକ ସଂପର୍କ ଦିଆ ନିଆ ହଜିଯାଇଛି । ହଜିବି ଯାଇଛି ପଦ୍ମକେଶୋରୀ ଦେଶୀ ଧାନ । ସଭ୍ୟ ମଣିଷର ନିର୍ବୋଧ କାମ । ନନା ବୋଊ କୁ କଣ କାନରେ କହିଲେ ବୋଊ ଗୋଟେ ଗିଲାସ ବସା ଦହି ଆଣି ହରି ଦଦେଇଙ୍କ ପାଖେ ରଖିଲା । ଦଦେଇ ଦହି ଗିଲାସ ଟି ପିଇ ଉଠିଲେ । ଯୋଗାଡଯନ୍ତ୍ରରେ ତ ଲାଗିଛନ୍ତି । ମୁଁ ଅମାଲୁ ବେଳକୁ ଜଗିଛି । ପାଠକେ ଖାଇବା ଠାରୁ ଛୋଟ କଥା ନାହିଁ କି ଖାଇବା ଠାରୁ ବଡ କଥା ନାହିଁ । ତୁମ ଦୁଆରେ ଲୋକେ ପତର ପକାଇବେ ଏହା ଠାରୁ ବଡ ଭାଗ୍ୟ କଣ ଅଛି ? ହରି ମକଦ୍ଦମଙ୍କର ତ ଧନ ଅଛି । ମନ ବି ଅଛି । ମନରେ ଦକ ବି ଅଛି । ନନାଙ୍କୁ ଧରିଛନ୍ତି ଫଳେନ ପରିଚେତ କ’ଣ ହବ ।

ସେଦିନ ଛାଇ ଲେଉଟା ବେଳ । ହରି ମକଦ୍ଦମଙ୍କ ଦୁଆରେ ସପ ୩/୪ ଖଣ୍ଡ ପଡିଛି । ମୁରବିମାନେ ଆସି ଠା ହେଲେଣି । ନନା ଟିକେ ଡେରିରେ ପହଞ୍ଚନ୍ତି । ବଡ ମକଦ୍ଦମ ବଟୁଆ ଖୋଲି ପାନ ଭାଙ୍ଗି ଚାଲିଛନ୍ତି । ଅନ୍ୟମାନଙ୍କୁ ବଢେଇ ଦଉଛନ୍ତି । ହରି ମକଦ୍ଦମଙ୍କ ଘରଣୀ ହାତେ ଓଢଣା ଟାଣି ପାନ ଡାଲା ଟି ଥୋଇଦେଲେ । ବାଞ୍ଛା ବାପା ତ ମୁର୍ଧନୀ । ଆରମ୍ଭ କଲେ “ହଇରେ ହରିଆ ଆମକୁ ବସାଇ କଣ ବାଆଁ ଖାଡିଆ ଦେଇ ବୁଲୁଚୁ । ତାଳପତ୍ର ଲେଖନୀ ଅଛି ? ନହେଲେ କାଗଜ କଲମ ଆଣେ । ନିଧିଆକୁ ଦେ ମୁଁ ଡାକିବି ସେ ଲେଖିବ । ତାଳପତ୍ର ଲେଖନୀ ତ ବୁଡି ବୁଡି ଯାଉଛି । ବାଲିକାଗଜ କାଳିଘଡି ଓ ଦନ୍ଥରା ପର କଲମଟିଏ ହରି ମକଦ୍ଦମ ଥୋଇଦେଲେ ।” “ମହାପ୍ରସାଦ ଏକ ଥାନ । ଗ୍ରାମ ଦେବୀଙ୍କ ପାଇଁ କଳା ଶାଢୀ । ଘର ଦିଅଁ ଙ୍କ ପାଇଁ କରିଆ । ନିଧିଆ ଲେଖୁଛୁ ତ ?” ନିଧିଆ ଓରଫ ନିଧି ଷଡଙ୍ଗୀ ସେକାଳର ଚାହାଳି ପାଠୁଆ । କାଳି ଘଡିରେ କାଳି ଶୁଖିଯାଇଛି । ପାଣି ଟିକେ ମିଶାଇ ଟିପାଟିପି କରୁଛି । ବଡ ମକଦ୍ଦମ କେଉଁ କାମକୁ ନୁହଁନ୍ତି । ସେ ଥାନା ପତି । ବସିବେ । ପାନ ଖାଇବେ ଖୋଇବେ । ହୁଁ ନାହିଁ କି ଛୁଁ ନାହିଁ । ନ ଡାକିଲେ ଅଡି ଦେବେ ଯେ ମୁଣ୍ଡିଆ ମାରି ମାରି ମୁଣ୍ଡ ଛିଣ୍ଡିଯିବ । ଭିଗାଁରପୁର ଜମିଦାରଙ୍କ ଗୁମାସ୍ତା । ବଡ ମକଦ୍ଦମ । କଲମ ଛୁରେ ୩/୪ ଏକରରୁ ଏବେ ୫/୬ ବାଟି ଜମି । ମୁରାଟ ଖୁବ । ଭିଡକୁ ନୁହଁନ୍ତି । ଡାକିଚୁତ ସବୁ ଠିକ । ବାଞ୍ଛା ବାପା ତେଲ , ଡାଲି ,ତେଜରାତି ମସଲା ,ଲଙ୍କା ,ବୋହୁ ପାଇଁ ଅଳଙ୍କାର , ବନ୍ଧୁ ବାନ୍ଧବ ,ଗ୍ରାମ ଦେବତୀ ,ଚାକର ଚାକରାଣୀ ଙ୍କ ପାଇଁ ଲୁଗାପଟା । କ ଠାରୁ କ୍ଷ ପର୍ଯ୍ୟନ୍ତ ସବୁ ଚିଠା କରିଦେଲେ । ନିଧିଆ ବାପା ଧନ୍ତରା କଲମ ରେ ଲେଖିଲା ବେଳକୁ ବାଲି କାଗଜ ଠାଏ ଠାଏ ଚିରି ଗଲାଣି । ନନା ଚୁପ ଚାପ ବସିଛନ୍ତି । ହରି ମକଦ୍ଦମ ଚିଠା ଆଡକୁ କାନ ପହରେଇ ମାମଲତ କାରଙ୍କ ଚର୍ଚାରେରେ ଲାଗିଛନ୍ତି । ଏ ଚିଠା ନାଁ କୁ । ଉଦି ତ ଚିଠା କରିବ । ନିଜେ ଅଉଲ ଜିନିଷ କଟକ ଯାଇ ଆଣିବ । ନନା କହି ଦେଇଛନ୍ତି ବନା ପହିଲମାନ ଦୋକାନରୁ ଗରମ ମସଲା ସବୁ ଆସିବ । ଛତ୍ରବଜାରରୁ ଅଦାଟି କିଣା ହବ । ପିଆଜ,ରସୁଣ ୧୯୪୨ ବେଳକୁ ନିଆଳିରେ ଦେଖା ଦେଇନାହାନ୍ତି । ଜୀରା, ସୋରିଷ, ଲଙ୍କା, ଅଦା ଉପରେ ମାଡ । ଆମ ଗାଁ ରେ ଦୋଳଜାତକୁ ତ ଯେଛା ତାହା ବାଣ ହୁଏତ । ନନା ଏକ ନମ୍ବର ବାଣୁଆ । ନନା ବାଣ ମସଲା ପାଇଁ କଟକ ଯାଆନ୍ତି । ଚୌଧୁରୀ ବଜାର ବନା ପହିଲମାନ ଠାରୁ ବାଣ ମସଲା ଆଣନ୍ତି । ବନା ଦୋକାନରେ ସବୁ ଏକ ନମ୍ବର ଗରମ ମସଲା ବି ଥାଏ ।

ହରି ମକଦ୍ଦମ ୮/୧୦ ଟି କଂସା ଥାଳିରେ ମାଲ ଆଣି ଭଦ୍ରଲୋକଙ୍କ ଆଗରେ ଥୋଇଲେ । ୭/୮ ପାଟ ଥାକେ ଲେଖାଏଁ କାକରା । ପାଟ କପୁରା କଦଳୀ ଥାଳିକେ ୨ଟା । ଦହି ,ଛେନା ,ନଡିଆ, ଗୁଡ, ଗୋଲମରିଚ ଗୁଣ୍ଡ ରାଗ ଦିଆ ହୋଇ ଚକଟା । ଥାଳିରେ ଥାଳିଏ ଲେଖାଏଁ । ବାଲାମ ଚାଉଳ ଅଟା ଗୁଡ ତ ଖଟତଳେ ବଣା ଡେରା ହୋଇଛନ୍ତି । ଫୁଲିକରି ମାଟି ଚଟାଣରେ ଲହଡି ମାରୁଛନ୍ତି । ଗୁଜୁରାତି ପାନମଧୁରୀ ,ଗୋଲମରିଚ ଗୁଣ୍ଡ ସବୁ ପକାଇ ଚଞ୍ଚଳି ସାନ ଜାଆ ଖଳି କରନ୍ତି । ଆମ ମାମୁଁଘର ତ ଟିକେ ଖାଇବା ବାଲା । ବୋଊ ସବୁ ଶିଖିଛି । ନଡିଆ ତେଲରେ କାକରା ଛାଣି ଥୋଇ ଦେଇଛି । କାକରାମାନେ କଅଁଳରେ ଛିଡି ପଡ଼ୁଛନ୍ତି । କି ବାସନା ? ଚାରିଆଡ ମହକୁଛି । ରୋଗୀ ଖୋଜୁଥିଲା ଯାହା ବଇଦ ବଢେଇଲା ସେଇଆ । ମନ ଜାଣିଲା ପରି ହରି ମକଦ୍ଦମ ସେ ଥାଳି ମାନଙ୍କୁ ସମସ୍ତଙ୍କ ଆଗରେ ଥୋଇ ଦିଅନ୍ତି । ଆଉ କି ତାଲିକା । ପ୍ରାପ୍ତ ମାତ୍ରେଣ ଭୁକ୍ତବ୍ୟ । ପୁଣି ବ୍ରାହ୍ମଣ ତ ଭୋଜନ ପ୍ରିୟ । ମନ ବୋଧରେ ହାଙ୍କି ଦେଲେ । ପାଣି ପିଇ ହାକୁଟି ୨/୪ ତ ମାରି ମୁଦ୍ରାରେ । “ଚିଠା ତ କରିଦେଲୁ । ଯାହା କମ ବେଶୀ ଉଦିଆକୁ ପଚାରି କରିବୁ ଆମେ ଚାଲିଲୁ । ନିଧି ,ନରିଆ ଉଠ”। ବାଞ୍ଛା ବାପାଙ୍କ କଥା ସରିନି ସମସ୍ତେ ଦାଣ୍ଡ ପାହାଚରେ । ଗୋଟେ ଜବରଦସ୍ତ ଅଧ୍ୟାୟ ସାରିଲା । ହରିମାଷ୍ଟ୍ରେ ଗାଁ ମୁରବୀଙ୍କ ମନ କିଣି ନେଇଛନ୍ତି । ଏଥର ଉଦି ତାଙ୍କର ଆଶା ଭରସା ।

ପାଠକମାନେ ଗାଁ କଥା ପଢ଼ିପଢ଼ି ହାଲିଆ ହୋଇଯିବେଣି ଅସଲ କଥା ଖାନା ପୀନା ଏଯାଏ ଆସିନାହିଁ ରାଗିବେନି ଏହା ପରେ ପରେ ଆପଣ ଭୋଜିଭାତ ନିଶ୍ଚେ ଖାଉଛନ୍ତି ।

ଅଧିବାସ କର୍ମ

ସେତେବେଳେ ଗରିବ ହେଉ ବା ଧନୀ । ନିମିତ ପର୍ବ ହେଲା ତ ୧୫ ଦିନ ଆଗରୁ ବନ୍ଧୁ ବାନ୍ଧବ ଲୋଡା ହେବେ । ନିମିତର ପରେ ୧୦/୧୫ ଦିନ ପରେ ବିଦା ହେବେ । ବନ୍ଧୁ ପାଇଁ ଅଣ୍ଟା ଭିଡିବେ । ଝିଅ ବୋହୁ ମାନେ ତ ଶାଶୁଘର ଅର୍ଗଳିରୁ ମୁକୁଳିଛନ୍ତି । କାମ ଦାମ କରିବେ | ମଉଜ ମଜଲିସ କରିବେ । ଶାଶୁମାନେ ମେଳ ହୋଇ ବୋହୁଙ୍କ ଖୁଣ୍ଟ ଖାଣ୍ଟ ଗପ ଲଗେଇଥିବେ । ବୋହୁମାନେ ସୁବିଧା ଉଣ୍ଡୀ ବସିଯିବେ ତ ଶାଶୁମାନଙ୍କ ଗଞ୍ଜଣା ନିଜ ନିଜ ଭିତରେ ବାଣ୍ଟିବେ । ଗୋଟେ ମଉକା ତ ମିଳିଛି । ବିରି, ମୁଗ ଚକିରେ ରଗଡା ହବ । ବଡି ବସିବ । ଜୀରା, ଲଙ୍କା ଭଜା ହୋଇ ଗୁଣ୍ଡ ହବ । ଗ୍ରାଇଣ୍ଡର ତ ଏଇ ୪୦/୫୦ ବର୍ଷର କଥା । ହେମଦସ୍ତାରେ ଛେଚି ଗୁଣ୍ଡ କରିବେ । ଖାଇବା ପିଇବା ଚାଲିଥବ । ନରିଶୋ ମାଛୁଆ ଗାଁ । ହରି ଭାଇନା ପ୍ରତିଦିନ ୫/୭ ସେରେ ମାଛ ପହଞ୍ଚାଇବେ । ମାଛଭଜା, ଝୋଳ, ମହୁର, ବେସର ରାନ୍ଧି ମନବୋଧ କରି ଖାଉଥିବେ । ବାହାଘର କାମ କଥା ହଉଥିବେ । ଝିଅ ବନ୍ଧୁର ବାପଘରେ ବେଶୀ ମାମଲତକାରୀ । ମାଛଭଜା ଲୁଚେଇ ଯେ ଯାହା ପିଲା, ନାତି ନାତୁଣୀଙ୍କୁ କଣ୍ଟା ବାଛି ଖୁଆଉ ଥିବେ । ଏ ଦୃଶ୍ୟ ଦେଖିବା କଥା । ବିଲେଇମାନେ ଆଖି ବୁଜି ଦୁଧ ପିଉଛନ୍ତି ତ । ହାରାଦେଇ ସବୁ ଦେଖି ନ ଦେଖିଲା ଭଳି ଆଖି ଆଡେଇ ଅଣନିଶ୍ବାସୀ ହୋଇ କାମରେ ଲାଗିଛନ୍ତି । ତାଙ୍କ ପୁଅ ବାହା ହବ ନା । କୁନି ବୋହୁ ଆସିବ । ଗୋଡ ତଳେ ଲାଗୁନି । ମରଦ ବନ୍ଧୁମାନେ କିଏ ବାଡିରୁ ମାଟିଆଳୁ,ସାରୁ ଖୋଳି ଗଦା କଲେଣିତ କିଏ ଦାଣ୍ଡରେ ଛାମୁଡିଆ କାମରେ ଲାଗିଛନ୍ତି । ବନ୍ଧୁ ବାନ୍ଧବରୁ ଭାର ମାନ ଆସୁଛି । ସଜାଡି ରଖିବେ । ଭାରରେ କଞ୍ଚା,ପାଚିଲା କଦଳୀ ,ଦେଶୀ ଆଳୁ,ସାରୁ ,କନ୍ଦମୂଳ, ବୋଇତି କଖାରୁ ,ପାଣି କଖାରୁ (ଅମ୍ବିଳ ହବ ), ଭଙ୍ଗା ଭଜା ମୁଗ ଡାଲି ,ଗୋଟା ବିରି ,ଗୋଟା ମୁଗ ଯାହାର ଯାହା କୃଷି ଜାତ ଦ୍ରବ୍ୟ ନିମିତ ୫/୭ ଦିନ ଆଗରୁ ପହଞ୍ଚୁଛି । ମରଦ ବନ୍ଧୁମାନେ ସରାଗରେ ସେସବୁକୁ ବାରିଜ ବାରିଜ କରି ରଖୁଛନ୍ତି । ହରି ମକଦ୍ଦମ ଆଖି ପକାଉଛନ୍ତି । ମାଛ, କ୍ଷୀର ଭାର ନିମିତ ଦିନ ସକାଳୁ ପହଞ୍ଚିବେ । କଞ୍ଚା ଶଢା ମାଲ ତ । ବନ୍ଧୁ ବନ୍ଧୁକୁ ବଳ ଦେବନା । କି ମନରୋମ ପରିବେଶ ! ବନ୍ଧୁ ବନ୍ଧୁକୁ କାନ୍ଧ ଦେବା ସେକାଳର ଏକ ମାମୁଲି କଥା । ଆଉ ଅଛି ? ଯୌଥ ପରିବାର ମାନେ ହଜିଗଲେଣି । ଆମେ ୨ ଆମର ୧ ବା ୨ । ଅଣୁ ପରିବାର । ବାହା ବ୍ରତ ନିମିତ କାମରେ ଭୋଜି ଭାତ ବେଳକୁ ବାବୁ ବାବୁଆଣୀ ପିଲାଙ୍କୁ ଧରି ପହଞ୍ଚିବେ । ଭାର ବୋଝ ଯୁଗ ଆଉ ନାହିଁ । ଲଫାପା ଟିଏ ଲେଖାଏଁ ନିମିତ ଗ୍ରାହୀଙ୍କୁ ଧରେଇ ଦେବେ । ପୁଅ ବୋହୁଙ୍କୁ ଦେଖି ତାଙ୍କ ହାତରେ ନୋଟ ଧରାଇ ଡାଇନିଙ୍ଗ ହଲରେ ହାଜର | ଘର ଭିତରକୁ କୋଚିତ ଯିବା । ଦାଣ୍ଡରୁ ଦାଣ୍ଡରୁ ଖାଇପିଇ, ଟିଫିନ ନେଇ ଗାଡିରେ ବସିଲେ | ଛୁ । ସଂସ୍କୃତିର ଦ୍ରୁତ ଅବକ୍ଷୟ । ସଂପର୍କ ନୋଟରେ ,ଚେକରେ।

ସହୃଦୟ ପାଠକ ଭୋଜି ଭାତ ତ ଯୋଗାଡ କଲେ ଚୁଲି ଲାଗିବ । ବେଳ ପାଖେଇ ଆସିଲାଣି । ଖିରୀ ପିଠା ଆଡକୁ ଶୀଘ୍ର ଯିବା । ଦାଣ୍ଡରେ ଛାମୁଡିଆଟା ବାନ୍ଧିବାନି ।

ଦାଣ୍ଡରେ ଛାମୁଡିଆ ଦୁଆରେ ଖଞ୍ଜାଶାଳ

ହରି ମକଦ୍ଦମଙ୍କ ଖୁବ ମେଲା ଫର୍ଚ୍ଚା ଦାଣ୍ଡ । ଟେଣ୍ଟ ବନ୍ଧା କୃତିମ ଛାମୁଡିଆ ଯୁଗ ଆରମ୍ଭ ହେବାକୁ ଆହୁରି ଡେରି ଅଛି । ବାଉଁସ ୧୦୦ ଖଣ୍ଡ କଟା ହୁଏ । ମୁସଲମାନ ବସ୍ତିରୁ ୧୦୦/୧୫୦ ଖଣ୍ଡ କତା ଆସେ । ମୁଲିଆ । ହରି ମକଦ୍ଦମ ଟିକେ ନିଆରା ଲୋକ । ସବୁ ମକଦ୍ଦମଙ୍କ ଭଳି ତାଙ୍କର ମୁରାଟ ନଥାଏ । ଦଳିତ, ବାଉରୀ, ବାବର ଙ୍କ ସହିତ ଭଲ ବାସ ଥାଏ । ବଢି, ମରୁଡି, ଭୋଦୁଅ ଅଶିଣ ତିରୋଟ ବେଳେ ତାଙ୍କ ଦୁଆରେ ଯିଏ ଠିଆ ହୁଏ ସେ କୋଠିରୁ ଧାନ ଦେଇ ସେମାନଙ୍କ ଗରଜ ତୁଲାନ୍ତି । ଦେଢି ନୁହେଁ । ପୁଷ ମାସରେ ଧାନ ଅମଳ ପରେ ଖାତକମାନେ ମୂଳେ ମୂଳେ ଧାନ ଫେରାଇଥାନ୍ତି । ବଡ ମକଦ୍ଦମ ବି ଧାନ ବରଜ ଦିଅନ୍ତି । ମାତ୍ର ଦେଢି । ଭରଣେ ଧାନ (୮୦ ଗୌଣି =୨ କ୍ଵିଣ୍ଟାଲ ) ଲଗେଇଲେ ଦେଢ ଭରଣ (୧୨୦ ଗୌଣି =୩ କ୍ଵିଣ୍ଟାଲ ) ଅସୁଲ କରନ୍ତି । ଉଁ ଚୁ କଲେ ବାଉରିର ସାତପୁରୁଷ ଉଝାଳିବେ । ଦଳିତ ମାନେ ହରି ମକଦ୍ଦମଙ୍କ ବୋଲ ହାକ ଶୁଣନ୍ତି ।ଛାମୁଡିଆ ବନ୍ଧାକୁ ୪ ସାହିରୁ ୨୦/୨୫ ମରଦ ମାଇପି ହାଜର । ଖୁଣ୍ଟ ପୋତା । ବାଉଁସ ବନ୍ଧା ୩/୪ ଘଣ୍ଟା ଭିତରେ । ବ୍ରାହ୍ମଣ ମାନଙ୍କ ଦାଣ୍ଡ ବାଡିରେ ତ ଶହ ଶହ ନଡିଆ ଗଛ । ନଡିଆ ଗଛ ଲଗାଇବା ସେତେ ବେଳେ କେବଳ ବ୍ରାହ୍ମଣଙ୍କ ପାଇଁ ମନୁ ଲାଇସେନ୍ସେ ଦେଇଥାନ୍ତି । ଅନ୍ୟ ଜାତିର ଲୋକ ନଡିଆ ଲଗାଇଲେ ବଂଶ ପଦାହୋଇଯିବ । ଅହି ନର୍କରେ ପଡିବେ । ଚାରି ପାଦେ ପାପ ଲାଗିବ । ପୁରୋହିତ /ବଇଶମକୁ ଡାକ ପ୍ରାୟଶ୍ଚିତ କରିବାକୁ ହେବ । ମନୁ ଭାଇନାଙ୍କ କଡା ଆଇନ । ନଡିଆ ସାଆନ୍ତିଆ ଫସଲ । ଲଗାଇଦେଲେ ବାସ । ୮/୧୦ ବର୍ଷରେ ଫଳିଲା ଫଳିଲାଯେ ୫୦/୬୦ ବର୍ଷ । ଦେଶୀ ଅର୍ଥନୀତିର ଏକ ବିରଳ ଦୃଷ୍ଟାନ୍ତ । ହରି ମକଦ୍ଦମଙ୍କ ୫୦/୬୦ ନଡିଆ ଗଛ । ଦଳିତ ମାନେ ନଡିଆ ଗଛରୁ ବାହୁଙ୍ଗା କାଟି ଗଦା କରିଦେଲେ । ମନବୋଧ କରି ପଇଡ କାଟି ଖାଇଲେ । ଖଟୁଛନ୍ତି । ଖାଆନ୍ତୁ । ହରି ମକଦ୍ଦମଙ୍କ ସେଣିକି ଆଖି ନଥାଏ | ଉପର ଦାଣ୍ଡ ,ତଳ ଦାଣ୍ଡ ମିଶାଇ ପ୍ରାୟ ୫୦ ହାତ ଲମ୍ବ ୪୦ ହାତ ଓସାର ୨/୩ ଗୁଣ୍ଠ ଆକ୍ରାନ୍ତର ବିରାଟ ଛାମୁଡିଆ। ସବୁଜ ଛାମୁଡିଆ, ପ୍ରାକୃତିକ ପରିବେଶର ସଂଭାର ।କାହିଁ ଛାମୁଡିଆ କାହିଁ ଟେଣ୍ଟ । କାହିଁ ରାଣୀ କାହିଁ ଚନ୍ଦର କାଣୀ ।ହାତ ମାଛ ତ ମଣିଷ ଚିଲକୁ ଦେଲା । ଅପ ସଂସ୍କୃତି ଯୁଗ ! ବହଳିଆ କରି ନଡିଆ ବାହୁଙ୍ଗା ଛାଇଦେଲେ । ତଳେ ଅନ୍ଧାର । ମକଦ୍ଦମଙ୍କର ତାଗିଦ ଦେବଦାରୁ ଛୋଟ ଡାଳ କରିବ ବଡ ନୁହେଁ । ଗଛକୁ ତ ସେ ଯୁଗରେ ଲୋକେ ଠାକୁର ବୋଲି ପୂଜାକରୁଥିଲେ । କେବଳ ଶବଦାହକୁ କଞ୍ଚା ଡାଳ କଟା ବିଧି ଥାଏ । ଅନ୍ୟ ବେଳେ ଶୁଖିଲା । ଡାଳ ପତ୍ର ସଂଗ୍ରହ କରି ଜାଳନ୍ତି । ଜୈବ ବିବିଧତା ସେତେବେଳେ ଅମଳ କରୁଥିଲେ । ଆଜି କାଗଜ,କଲମ,ଇଲେକ୍ଟ୍ରିକ ମିଡିଆ ରେ ସେମାନେ ଜୀବିତ ।କଳ,କାରଖାନା,ଚାଷ,କମ୍ପାନୀ ମାନ ଜଙ୍ଗଲ କାଟି ସଫା କରି ଚାଲିଛନ୍ତି । ଏଣେ ନେତା ମାନେ ବିଶ୍ଵ ତାପନ , ଜଳବାଯୁ ପରିବର୍ତନ କୁମ୍ଭୀର କାନ୍ଦଣା କାନ୍ଦିବାରେ କମ ନାହିଁ । ଭଣ୍ଡ ସରକାର । ଭଣ୍ଡ ରାଜନେତା ।୨/୩ ଦିନପରେ ତ ବାହାଘର । ହରି ମକଦ୍ଦମଙ୍କ ମନରେ ଦକ ଅଛି ।ସବୁ କାମ ବେଳରୁ ସାରିବା ତାଙ୍କର ଲକ୍ଷ୍ୟ । କାମ ମଝିରେ ଖୁଣ୍ଟ ମୁରବି ସପନା ଭୋଇ ୪/୫ କୁ ବରାଦ କରନ୍ତି “ଦାଣ୍ଡ ଅଗଣାରେ ଖଞ୍ଜାଶାଳ ତିଆରି କରିବେ । ବାନର ସେନା ବାଉଁସ ,କତା,ନଡିଆ ବରଡା ଦାଣ୍ଡରୁ ଦୁଆରକୁ ଭିଡି ନିଅନ୍ତି । ୨/୩ ଘଣ୍ଟା ଭିତରେ ଖୁଣ୍ଟ ପୋତି ,ଛାମୁଡିଆ କରି କତା, ବାଉଁଶ ଓ ନଡିଆ ବରଡାରେ ଚାରିପଟେ ତାଟି ଡେରି ଦିଅନ୍ତି । ଖଞ୍ଜାଶାଳ କାମ ଶେଷ । ନନା ଅସଲ ବେଳକୁ ପହଞ୍ଚି ବରାଦ କଲେ ରୋଷେଇ ପାଇଁ ୪ ଟି ବଡ ଚୁଲି । ଆଇଂଷ ରୋଷେଇ ପାଇଁ ୨ ଟି ଚୁଲି ଏବଂ ଅମାଲୁ ଛଣା ପାଇଁ ଦାଣ୍ଡ କଣକୁ ଗୋଟିଏ ଚୁଲି ଖୋଳାଖୋଳି କରିଦେଲେ । କକେଇ,ସତିଆ ମଉସା ଓ ନନା ମାଟି ଚକଟି ଚୂଲିରେ ଝିଙ୍କା ଗଢିଦେଲେ । ଅମାଲୁ ଚୂଲିର ଖୁବ ଛଟା । ସତିଆ ମଉସା ତ ଅମାଲୁ ତିଆରିରେ ଓସ୍ତାଦ । ତାଙ୍କ ପାଖକୁ କେହି ଯିବେନି । ସେ ଏକା ଏକା ଏକ ନବଜିଆ ଅମାଲୁ ଚୁଲି ଗଢିଦେଲେ । ହରି ମକଦ୍ଦମ ଚାରିଆଡେ ଆଖି ବୁଲାଇ ମନେ ମନେ ଖୁସିଟାଏ ହବା ମୁହଁରୁ ବାରି ହେଉଥାଏ । ଆମେ ୫/୬ ଜଣ ସାଙ୍ଗ ଲଟର ପଟର ହେଉଥାଊ ।କେତେ ବେଳେ ଅମାଲୁ ଛଣା ହବ ଜଗିଥାଉ । ଆହୁରି ୩ ଦିନ । ହଉ । ଅମାଲୁ ବେଳକୁ ଅପେକ୍ଷା !

ବେଳ ଗଡିଗଲାଣି । ମକଦ୍ଦମ ୪୦/୫୦ ଜଣଙ୍କ ପାଇଁ ଭୋତିଆ ଉସୁନା ଚାଉଳ ଭାତ, ମୁଗ, ଦେଶୀ ଆଳୁ, ସାରୁ, କଞ୍ଚା କଦଳୀ, ବାଇଗଣ ପରିବାପତ୍ର ଉଦି ବରାଦରେ ଯୋଗାଇ ଡାଲମାଟିଏ କରାଇଥାନ୍ତି । ଡାଲମା ଭଳି ଡାଲମା ନା । ସରି ସରି ମୁଗ ଡାଲି, ପରିବା, ନଡିଆ ପଡି ମଦନା ତେଲ ଘଣା ସୋରିଷ ତେଲରେ ଛୁଙ୍କ ବାସନା ଚହଟୁଛି । ଓଉ ଖଟାଟିଏ କରିଛନ୍ତି । ଦଳିତମାନେ ମନବୋଧ । ବକତେ ଲେଖାଏଁ ଠୁଙ୍କିଲେ । ଗୋଠ ଲେଉଟିବା ବେଳ ହେଲାଣି । ହସି,ଖୁସି ,ହାତ ହଲାଇ, ସାହିକୁ ଫେରିଲେ । କଣ ଖାଲି ? ସମସ୍ତଙ୍କୁ ଦୁଇ ହାତରେ ୨/୩ ସେର ଫୁଟିବ ହାଣ୍ଡିରେ ହାଣ୍ଡିଏ ଭାତ, ଡାଲମା ହାରାଦେଇ ସଜାଡି ଦେଲେ । ଘରେ ପିଲେ ମାଇପେ ଖାଇବେ । ଆରେ ପୁଅ ବାହାଘର ଥରେ ହଉଛି । ସମସ୍ତେ ଖୁସି ହେଲେ ପୁଅ ବୋହୂଙ୍କୁ ଆଶୀର୍ବାଦ କରିବେ । ହାରଦେଇ ତାଙ୍କୁ ଇସାରା ଦେଲେ “ଉଦି ଆଉ ଚୁଲି ପକାଳି ମାନଙ୍କୁ ଡାକୁନ । ଖାଇବେନି ? ”ହରି ମକଦ୍ଦମ କଥାଖୋଲିଛନ୍ତି ତ ସତିଆ ମଉସା ପଞ୍ଚମ “ହଇରେ ହରିଆ ତୋରତ ମନକୁ ଲଙ୍ଗଳ ଦଉଡି ପାଉନି । ତୁ ଏକା ପୁଅ ବାହାଘର କରୁଛୁ ନା ଆଉ କିଏ କରିଛି । ହଇରେ ଆମେ ଚୁଲି ପକେଇଛୁ ଖାଇବୁ । ଏତେ ଖାଇବାକୁ ଦବୁତୋର ଦମ । ହଇରେ ଏ କାମ କ’ଣ ଆମର ନୁହଁ । ବୁଝି ବିଚାରି କଥା ବାର୍ତ୍ତା କରୁନୁ । ନହେଲେ ତୋ ନିମିତ ତୁ ବୁଝିବୁ । ରତନା, ଉଦିଆ ଆସରେ ।” ହରି ବରଡା ପତର ପରି ଥରିଲାଣି । ସତିଆ ମଉସାଙ୍କ ହାତ ଧରି ୫/୧୦ ଥର ଭୁଲ କହିଲେଣି । ଦଣ୍ଡିବା ଶକ୍ତି ଯାର ଥାଇ ସେ ପୁଣି କ୍ଷମା ଆଚରଇ। ମୁହୂର୍ତକରେ ସବୁରାଗ ସତିଆ ବାପାଙ୍କର ମିଳେଇ ଯାଏ । ବରାଦ କରନ୍ତି “ହରିଆ କାଲିଠାରୁ ବନା ଭାଇଙ୍କ ଘରୁ ତଇ ଆଣି ରଖିବୁ” । ହରି ମକଦ୍ଦମେ ନିଶ୍ଵାସ ମାରି ଘରଣୀଙ୍କୁ ରାଗରେ ଗୁଡାଏ ଝାଡିଲେ । ଦଳିତ ମାନଙ୍କ ଖାଇବା ଦେଖିଲେ ।

ନନାତ କଟକରୁ ସବୁ ଏକ ନମ୍ବର ସଉଦା ୩/୪ ଦିନ ଆଗରୁ ଆଣି ପହଞ୍ଚାଇଛନ୍ତି । ସାହି ମାଇପେ ଲୋଡା ହେଲେଣି । ସାତ ମାଇପେ ବିରି ରଗାଡି ବତୁରାନ୍ତି । ଢିଙ୍କିରେ ଉଆ ପଖିଆ ଚାଉଳ ୩/୪ ଗୌଣି ଚୂନା କଲେଣି । କାଲି ବାଟଘସ । ସାହି ମାଇପେ ଆସିବେ । ବଡିଯାଇ ଅନୁକୂଳ ହେବ । ହାଣ୍ଡି ମଙ୍ଗଳା ପାଇଁ ହାଣ୍ଡିରେ ଚିତା ଲେଖା ହବ ।

ଆଜି ବାଟଘସ

ସକାଳୁ ସକାଳୁ ବାରିକିଆଣୀ ହାଜର । ସାଙ୍ଗରେ ଆଉ ଜଣକୁ ଆଣିଛି ।ଗୁଡାଏ ମାଇପେ ତ । ସାହିମାଇପେ,ବନ୍ଧୁ ବାନ୍ଧବ ।କଅଁଳ ଗାଧୁଆ ସୁଦ୍ଧା ନଖ କାଟି ଅଳତା ପିନ୍ଧାଇ ସାରିଲେ ସାତ ମାଇପେ ବିରି ମୁଗ ରଗଡିବେ ।ବିରି ବାଟିଲେ ଏଣ୍ଡୁରି ପିଠା କରିବେ ।ଲଙ୍କା ,ଜୀରା ଭଜା ହେବ ।ହେମ ଦସ୍ତାରେ କୁଟା ହୋଇ ଘଡିରେ ସଜଡା ହୋଇ ରହିବ |ସେ ଦିନ ବହୁତ ଜଞ୍ଜାଳ ।ସେ ଦିନଟା ସତେ ଯେମିତି ଖାଲି ମାଇପି ମାନଙ୍କ ଦିନ ।ବୋହୁ ଝିଅ ମାନେ ସକାଳୁ ସକାଳୁ ଦୁଆର ଘର ଓଳିଆ ଓଳି ସାରି ଗୋବର ପାଣି ଛିଞ୍ଚି ସାରିଲେ । ଅଗଣା ଭିତରକୁ ପଶିଗଲେ ସତେ ଯେପରି ଚାରି ଆଡେ ଗୋଟେ ପତଳା ବାସ ଖେଳିଯାଇଛି । ନଟବୋଊ ଠିଆ ହେଲେଣି ।ତାଗିତ କରୁଛନ୍ତି “ଆରେ ତୁମେ ସବୁ ଗପ ମେଲେଇବ ନା ବାରିକିଆଣୀ ପାଖରେ ବସିଲେ ସେ ନଖ କାଟି ଅଳତା ଦବ”।ଗୋଲ ଗୋଲ ଚକୁଳିଆ ପିଠା ଭଳି ଅଳତା ପତ୍ର ଥୁଆ ହୋଇଛି ।ହାର ବାରିକିଆଣୀ ଅଳତା କାଗଜ ଚିରି ଗିନାରେ ଅଳତା ତିଆରି କରୁଛି ।ସବିତା ନଖ କାଟୁଛି ।ଅଳତା ଲଗା ପର୍ବ ସରିଲା ।

ଆମ ଗାଁ ରେ ୧୫/୨୦ ବଡ ବଡ ପୋଖରୀ ।ପୋଖରୀରେ ୨ ଟି ଲେଖାଏଁ ଘାଟ ।ପୁରୁଷ ଓ ସ୍ତ୍ରୀ ମାନଙ୍କ ପାଇଁ ଅଲଗା ଅଲଗା ପାହାଚ ।ସବୁ ପୋଖରିରେ କାଚ କେନ୍ଦୁ ପରି ପାଣି ।ମଝିରେ ପୁରୁଷ ଦେଢ ପୁରୁଷ ପାଣି ।ବୁଢୀ ମାଇପେ ୨/୩ ଜଣ ତାଗିତ କରୁଛନ୍ତି “ଆଲୋ ଭିତରକୁ ଯିବନି । ଥଳ ପାଇବନି । ବୁଡିଯିବ । ହରିଆର ହଂସା ଉଡିଯିବ”।ପାଇଛନ୍ତିତ ପାଣି ।ଶୁଣୁଛନ୍ତି କେତେକେ ।ଘଷି ମାଜି ହୋଇ ଗାଧୋଉଛନ୍ତି ତ ଗାଧଉଛନ୍ତି ।ସାବୁନ ଫାବୁନ ନକଲି ମାଲ ସେତେବେଳେ ଚଳଣି ନାହିଁ ।ଶିଳରେ ହଳଦୀ ଚିକ୍କଣ ବଟା ହେଲା ।ହଳଦୀ ମାଲପା କୁଟୁମ୍ବରେ ଘରେ ଘରେ ବାରିକିଆଣୀ ଆଗ ଦିନରୁ ଲଗେଇ ଆସିଥିଲା ।ତେଲ ହଳଦୀ ଲଗେଇ ମନବୋଧ ଗାଧୁଆ ।ଖୁଣ୍ଟରୁତ ଫିଟିଛନ୍ତି ।ଏ ୪/୫ ଦିନ ତାଙ୍କ ଦିନ ।ଗପ ମୁଣିବି ଖୋଲିଛନ୍ତି ।ଗାଧୁଆ ତୁଠରେ ବି ଶାଶୁ ବୋହୁଙ୍କୁ ଛାଡ ନାହିଁ ।ଟୁପଟାପ ଚାଲିଛି ।ଦୂରରେ ମର୍ଦ୍ଦଙ୍କ ତୁଠ ।ରସିକିଆ କେତେକ ବଙ୍କେଇ ବଙ୍କେଇ ମାଇପି ତୁଠ ଉପରେ ଆଖି ପକାଇଛନ୍ତି ।ବୁଢୀ ମାନେ ତାଗିତ କରୁଛନ୍ତି “ଆଲୋ ତୁମକୁ ଲାଜ ସରମ ନାହିଁ । ସେପଟେ ପୁଅ ଗୁଡାକ ତେରେଛେଇ ଚାହିଁଛନ୍ତି ।କି ବେଲଜି କାଳ ହେଲା ।ଆମ କାଳେ କେତେ ଡର ଭୟ । କୁଆ କୋଇଲି ରାବୀ ନଥାନ୍ତି ।ପାହାନ୍ତା ପହରରୁ ଗାଧୁଆ କାମ ସାରୁଥିଲୁ ।ବୁଢୀ ମାନେ ବୁଝିନେଇଥିଲେ ମାଇପି ଜନମ ଚୁଲି ମୁଣ୍ଡକୁ ।ସକାଳୁ ରାତି ଯାଏ ଗଧ ଭଳି ଖଟିବେ। ଶାଶୁ ,ଶଶୁର ,ବରଠାରୁ ଗଞ୍ଜଣା ଶୁଣିବେ ।ସମସ୍ତେ ଖାଇସାରିଲେ ପଛରେ ଖାଇବେ ।ଅଣ୍ଟ ନିଅଣ୍ଟ ତାଙ୍କର ।ଝିଅ ବୋହୁ ମାନେ ଗୁଣୁ ଗୁଣୁ ହୋଇ କହୁଛନ୍ତି “ଯୁଗ ବଦଳିଲାଣି ଜେଜେ ମା ,ଆଇ,ମାଉସୀ । ସେକାଳ ପଖାଳ ଖଟା ।ଶୁଣୁଛୁ ଗାନ୍ଧି ବୁଢା ବାହାରି କହୁଛି ପୁଅ ,ଝିଅ ସମାନ ।ଛୁଆଁ ଅଛୁଆଁ ଉଠିଯିବ । ତୁମ କଥା ତୁମ ପାଖରେ ଥାଉ” ।“ହଉଲୋ ମା ମୁଁ କାଇଁ କଣ କହିବି” ।ସବୁ କହି ସାରି ଏତକ ବି ବାକି ରଖିଲେ ନାହିଁ ।ଏଥର ସମସ୍ତେ ଉଠିଲେ ।ଲୁଗା ବଦଳେଇ ଲାଇନ ଧରିଲେ ହରି ମକଦ୍ଦମଙ୍କ ଘର ।

ଏ ଭିତରେ ବୋଊ ଜଣେ ଦିଜଣ ମାଇପିଙ୍କୁ ଧରିଛି ।ବିରି ବାଟି ଫେଣେଇଲେ ।ଉଆ ପାଖିଆ ଚାଉଳ ଗୁଣ୍ଡ ମିଶାଇ ଏଣ୍ଡୁରୀ ପିଠା ପାଇଁ ପିଠଉ ତିଆରି କରନ୍ତି ।୧୦/୧୫ ଶୁଖିଲା ନଡିଆ କୋରା ହୁଏ ।ଦହି ଛେନା ୨/୪ ସେର ଗୁଡ ୪/୫ ବାଣ୍ଟ(ବାଣ୍ଟକ ଦେଢ ସେର ବା ପ୍ରାୟ ୨ କିଲୋ )ଗୋଳେଇ ପୁର ତିଆରି ହୁଏ ।ଗୁଜୁରାତି ଗୁଣ୍ଡ ,ଗୋଲମରିଚ ଗୁଣ୍ଡ,ଛେଚା ଅଦା ପୁରରେ ମିଶିଲା ।୪/୫ ଗୌଣିଆ ପିଠା ହାଣ୍ଡି ।ନଡିଆ ବାହୁଙ୍ଗା କଟା ହୋଇ ହାଣ୍ଡି ଭିତରେ ଛକି ଦିଆହେଲା ।ହାଣ୍ଡିରେ ପାଣି ।ଏଣ୍ଡୁରୀ ପାଇଁ ବାଉଁଶ ଭୋଗେଇ ୧୦/୧୨ ଟି ଆସିଥାଏ ।ଭୋଗେଇରେ ସଫା ଓଦା କନା ଖଣ୍ଡିଏ ପଡିବ ।ପିଠଉ ଭୋଗେଇ ଅଧା ଯାଏ ଦିଆଗଲା ।ପୁର ୨/୩ ଆଙ୍ଗୁଳ ବହଳର ଦେଇ ପୁଣି ପିଠଉ ଢଳା ହେଲା ।କନାକୁ ଚାରି ଆଡୁ ଭିଡି ଭୋଗେଇ ମୁହଁ ବନ୍ଦ ହେଲା ।ହାଣ୍ଡି ଉପରେ ସଫା କନା ଖଣ୍ଡିଏ ଭିଡା ହୁଏ ।ସେ କନା ବନ୍ଧା ଏକ ନକ୍ସି କାମ ।ସବୁ ମାଇପିଙ୍କ ଦ୍ଵାରା ନହୁଏ । ଅବଶାୟି ସ୍ତ୍ରୀ ଲୋକମାନେ କନା ବାନ୍ଧନ୍ତି । ଚୁଲି ଜଳିଲା ।କନା ଉପରେ ୧୦/୧୫ ଟି ଏଣ୍ଡୁରୀ ପାଇଁ ପିଠଉ ଟିକେ ଟିକେ ଦିଆଗଲା । ପୁର ଅଙ୍ଗୁଳେ ବହଳର ଦେଇ ପୁଣି ପିଠଉ ଢାଳି ତେଲୁଣି (ପଲମ )ଟିଏ ଘୋଡାଇ ଦେବେ ।ହାଣ୍ଡିରେ ପାଣି ଫୁଟିଲା । ବାମ୍ଫରେ ଭିତର ପିଠା ,ଉପର ପିଠା ଶିଝିଲା । ହଜାର ହଜାର ବର୍ଷ ପୂର୍ବରୁ ଓଡିଆଣୀମାନେ ଏଣ୍ଡୁରୀ ପିଠା ତିଆରି କୌଶଳଟି ପରୀକ୍ଷା କରିଥିବେ । ତେଲୁଣିର ଚାରିପଟ ବାମ୍ଫ ବାହାରିଲେ କାରିଗର ଜାଣିଲେ ପିଠା ଶିଝିଲା ।ପିଠା ଖଡିକରେ ଗୋଟେ ଗୋଟେ ପିଠା କଢା ହବ । ପୁର ପିଠାର ଚାରିପଟେ ବୋହିଯାଉଥିବ ।ଗରମ ଗରମ ପୁର ଏଣ୍ଡୁରୀ ମିଳିଲାତ ଜଣେ ଜଣେ ଖାଇଲା ଲୋକ ୨୦/୨୫ ଉଠାଇ ଦେବେ । କି ସ୍ଵାଦ ।ଆଉ ଅଛି ? ଏବେ ଇଟିଲି ।ହଇହୋ କାଇଁ ରାଣୀ କାଇଁ ଚନ୍ଦର କାଣୀ । ପୁର ଦିଆ ଏଣ୍ଡୁରୀ ସାଙ୍ଗରେ ଏ ସୁଜି ଇଟିଲି ଲାଭ ଦିଆ ହବ । ୬୦/୭୦ ବର୍ଷର ବୁଢା ବୁଢୀ ଝୁରିବେ ।ପିଲାଏଙ୍କୁ କହିବେ ।ପିଲେ କାନ ପହରେଇ ଚାଲିଯାଉଥିବେ । ସେମାନେ ତ ୨/୩ ହଜାର ମାଇଲରୁ ଆସୁଥିବା ବରଗର ,ପିଜ୍ଜାରେ ଭୋଳ ।କେହି ଜାଣୁଛି ବରଗର ପିଜ୍ଜା ୫/୭ ମାସ ପର୍ଯ୍ୟନ୍ତ ବରଫରେ ରହି ଆମେରିକା ,ଇଂଲଣ୍ଡ ଖାଦ୍ୟ ପକ୍ରିୟା କରଣ କମ୍ପାନୀ ମାନେ ବିଭିନ୍ନ ଦେଶକୁ ପଠାଉଛନ୍ତି । ଶଢା ମାଲ ।ପାଟିକି ସୁଆଦ ପେଟକୁ ହାନି ।ଆପଣା ହସ୍ତେ ଜିହ୍ଵା ଛେଦି କେତାର ଅଛି ପ୍ରତିବାଦି ।କଥାକୁ ଆସିବା ।ମାଇପେ ପିଲେ ସମସ୍ତେ ବସିଗଲେ ।ମନଇଚ୍ଛା ଏଣ୍ଡୁରୀ ଡାଲମା ପେଟେ ଲେଖାଏଁ ଦାବିଲେ ।ଏଣିକି ବାହାଘର କାମରେ ଲାଗିବେ ।

ଅଷ୍ଟମୀ ବନ୍ଧୁ ସାନ ଶଳା କଅଁଳ ଗାଧୁଆ ବେଳକୁ ପହଞ୍ଚନ୍ତି ।ବୟସ ୪୦/୪୫ ହବ ।ଶଳା ଭାଉଜ ସେବତୀ ଦେଇ ୪/୫ ଦିନ ଆଗରୁ ଲୋଡା ହୋଇଛନ୍ତି ।ବୟସ ୩୦/୩୫ ଲାଗିବ ।ତକ ତକ ଗୋରା ।ସୁଶ୍ରୀ ।କଞ୍ଚା ।ହରି ମକଦ୍ଦମ ଟିକେ ରସିକିଆ ଲୋକ ।ବାହାଘର କାମରେ ତ ମୁଣ୍ଡ ଗୋଲ ।ତଥାପି ଓରଉଣ୍ଡୀ ଭାଉଜଙ୍କୁ ଦିପଦ ଖଟା ମୁସକୁଲି କରିନେଲେ ମନଟା ହାଲୁକା ହୋଇଯାଏ ।ଭାଉଜଙ୍କୁ ଲାଜରା ଲାଗେ ।ଓଢଣା ଅଳ୍ପକେ ଆଗକୁ ଟାଣି ବାଙ୍କ ଚାହାଁଣିରେ ଖସିଯାନ୍ତି ।ଖଞ୍ଜା ଭିତରକୁ ପସିଯାଆନ୍ତି ତ ସବୁ ମାଇପେ ପିଲେ ଚିଙ୍କୁଛନ୍ତି ବୋଲି ଲହର ଲଗାଇ ଚିଙ୍କୁଛନ୍ତି ।ଆଖିରୁ ନାକରୁ ପାଣି ବୋହିଯାଉଛି ।କଥା କଣ କି ଲଙ୍କା ଭାଜି ୨/୩ ଜଣ ୩ ଟା ହେମଦସ୍ତାରେ କୁଟୁଛନ୍ତି ।ଘଡିଏ ପର୍ଯ୍ୟନ୍ତ ଏ ପର୍ବ ଚାଲିଲା ।ଥମ ପଡିଲା ।ବାଟ ଘସ ଦିନ ତ ବହୁତ ଛଟା ।ମଥୁରା ଧାନରେ ଲିଆ ଭଜା ଚାଲିଥିଲା ।୨ ଜଣ ଲିଆ ଛଡାରେ ଲିଆ ସଫା କରନ୍ତି । ଖଇ ହାଣ୍ଡିରେ ଗୁଡ ପାଗ କରି ଲିଆକୁ ମୋହିଁ ଚଟୁ ବୁଲାଇବା ଗୋଟେ ନକ୍ସି କାମ ।ବୋଊ ଉଖୁଡା ପାଗ ଧରିଛି ।ଶୁଖିଲା ନଡିଆ ପାତିସରି ସରି ପଡିଛି ।ଉଖୁଡା ୪/୫ ଭାଡି ଶାଳରୁ ବାହାରିଲା । ପାଗ ଗୁଡର ବାସ୍ନା ଅଗଣା ଯାକ ଚହଟି ଗଲାଣି ସମସ୍ତଙ୍କ ପାତି ଓଦା ।ଛୋଟ ପିଲା ଝିଅ ପୁଅ ୮/୧୦ ଅଗଣାରେ ନାକେଇଛନ୍ତି । ବୋଊ ସବୁ ଜାଣେ । ପିଲାଙ୍କୁ ଆଞ୍ଜୁଳାରେ ଆଞ୍ଜୁଳାଏ ଲେଖାଏଁ ଗରମ ଗରମ ଉଖୁଡା ବାଣ୍ଟିଦଉଛି ।ଓଃ କି ଆନନ୍ଦ ।ଆଞ୍ଜୁଳାକୁ ପାଟିରେ ଲଗାଇ ଚଲଉଛନ୍ତି । ବୋଊ ଆଉ ମାଇପଙ୍କୁ ଲଗାଇ ଗୋଲ ଗୋଲ ମୁଆଁ ୧୦୦/୧୫୦ ବନେଇଲାଣି ।

ବରାଦ ପରେ ବରାଦ । ମଣ୍ଡା ପିଠା ତିଆରି ହବ ।ସମୟ ଗଡିଯାଉଛି । ସବୁ କାମକୁ ଡକରା । “ନଟବୋଊ ସବୁ ତ ତୁମେ କରୁଛ ।ଏଗୁଡାକ ଖାଲି ବେସ ହୋଇ ଟହଲ ମାରୁଛନ୍ତି ।ମଣ୍ଡାପିଠା ହେଲେ ସାହିରେ ବାଣ୍ଟିବା” ।ହାରା ଦେଈଙ୍କ ମୁହଁରୁ ଛଡେଇ ନେଇ ବୋଊ ଆରମ୍ଭ କରନ୍ତି “ ନାନୀ ।ଅଙ୍କେଇ ବଙ୍କେଇ କାଇଁ କହୁଛ ? ଚୂନା, ଗୁଡ ,ଛେନା ସବୁ ଚୁଲି ମୁଣ୍ଡକୁ ଆଣ ।ଗୋଟାକୁ ଲଗାଅ ନଡିଆ ୧୦/୧୫ ଟି କୋରୁ ।ବାକି କାମ ମୁଁ ବୁଝୁଛି” ।୪ ଦିନ ଆଗରୁ ଶୁଖିଲା ରୁହାଚୁଡି ଚାଉଳ ୧୦/୧୫ ସେର ଚକିରେ ଚୁରି ମାଇପେ ରଖିଛନ୍ତି । ଏତେ ଗୁଡାଏ ଚୂନା |ଖଳି କରି ପିଠା ସିଝାଇବା ଦମ ମଜାର କାମ ।ବୋଊ ତ ସବୁ କାମକୁ ଅଣ୍ଟା ଭିଡିଛି ।ବରାଦ କଲା । କୋରା ନଡିଆ, ଦହିଛେନା ,ଗୋଲମରିଚ ଗୁଣ୍ଡ,ଗୁଜୁରାତି ଗୁଣ୍ଡ ,ଗୁଡ ଚକଟା ଚକଟି ହୋଇ ପୁର ତିଆରି ହୁଏ ।ଅଥାର ବସାଇ ପିଠା ସିଝିଲା ।ସିଝିଲା ଯେ ମୁଣ୍ଡ ଉପରକୁ ଧର୍ମ ଦେବତା ଆସିଲେଣି ।ହାରା ଦେଇ ବରାଦ କଲେ । ୨୦/୨୫ କଂସା ଥାଳି ବାହାରିଲା |ହରି ମକଦ୍ଦମ ଘରୁଆ ଘର ତ ।ବାସନ କୁସନ ଗୋଟେ ବଖରାରେ ଭର୍ତି ।ବାଳକାଟିରୁ ପିତଳ ହଣ୍ଡା,ହାଣ୍ଡି,ଢେଗ,କରେଇ,ଚଟୁ ,କଂସା ଥାଳି,ଥାଳିଆ,ଢାଳ,ଗିଲାସ ମଗାଇ ବାସନ ଘରେ ସଜାଇ ରଖିଥାନ୍ତି ।ପ୍ରତି ଥାଳିରେ ଏଣ୍ଡୁରି ,ମଣ୍ଡା ଓ ମୁଆଁ ୩/୪ ଲେଖାଏଁ ସଜଡା ହୋଇ ଗାଁ ସାରା ବଣ୍ଟାହେଲା ।ଗାଁ ମାଇପେ କାଲି ମଙ୍ଗଳ କୃତ୍ୟ କୁ ଶଙ୍ଖୁଳା ହେଲେ ।

ଆଜି ମଙ୍ଗଳକୃତ୍ୟ

ଯୁଆଏ ଆଖି ପକାଇବ କାମ ଖଇଚା ।ଆଜି କାଲି ସିନା ଟେଣ୍ଟ ହାଉସ ।ବରାଦ କଲେ କନା ବାନ୍ଧିବେ ।ସିଲଭର (ଆଲୁମିନିୟମ ) ଡେକଚି,ହାଣ୍ଡି କରେଇ ,ବାଲଟି ,ଚାମଚ ଗଦା କରିଦେବେ ।“ପଇସା ଫେକୋ ବାଇସ୍କୋପେ ଦେଖୋ”। ୫୦୦/୬୦୦ ଲୋକଙ୍କ ଭୋଜି ପାଇଁ ସବୁ ସବୁ ହୋଇ ଟଙ୍କା ୨୦/୨୫ ହଜାରେ ଟେଣ୍ଟ ବାଲା ଭିଡିବେ ।ଯନ୍ତ୍ର ଭଳି କାମ ।ଘର ବାଲା ବା ଭାଇ ବନ୍ଧୁଙ୍କର ଦେହ ମୁଣ୍ଡକୁ ଲାଗି ବନି ।ହେଲେ ଏ ଟେଣ୍ଟ ହାଉସ କାମରେ କଣ ଜୀବନ ଅଛି ।୧୯୪୨ କଥା ନିଆରା ।ମଙ୍ଗଳ କୃତ୍ୟ ଦିନ ସକାଳୁ ସକାଳୁ ହରିମକଦ୍ଦମ ଲୋକ ପଠାଇ ହଣ୍ଡା ହାଣ୍ଡି ରୋଷେଇ ସରଞ୍ଜାମ ଗାଁ ରୁ ଯୋଗାଡ କରନ୍ତି । ୧୧/୧୨ ବେଳକୁ ଦୁଆରେ ଜମା ହୋଇଗଲେ ୧୦/୧୫ ହଣ୍ଡା ,୭/୮ ଢେଗ ,୩/୪ପିତଳ କରେଇ ଇତ୍ୟାଦି ଇତ୍ୟାଦି ରୋଷେଇ ବାସନ ।୮/୧୦ ମାଟି କୁଣ୍ଡ ,ହାଣ୍ଡି କୁଣ୍ଡେଇ ,ବାହାଘର ବିଧି ନୂଆଗାଁ କୁମ୍ଭାର ୨/୩ ଦିନ ଆଗରୁ ପହଞ୍ଚାଇଛି ।କୁମ୍ଭାର କୁମ୍ଭାରୁଣୀ ମୁଣ୍ଡରେ ବୋହି ୮/୧୦ ଥରରେ ସବୁ ମାଟି ସାମଗ୍ରୀ ପହଞ୍ଚାନ୍ତି ।ହରି ମକଦ୍ଦମଙ୍କର ହୃଦୟ ଅଛି ।ପ୍ରତିଦିନ ସେମାନେ ଆସିଲେ ଖାଇବେ ପିଇବେ ଯିବେ। ବିଦାକି ବାହାଘର ପରେ ।ଟଙ୍କା ପଇସା ତ ସେତେବେଳେ ଚଳଣି ନଥିଲା ।ସେମାନଙ୍କର ସବୁ ପଇସା ଧାନ,ମୁଗ ଚାଉଳରେ ମନବୋଧ କରି ଦେବେ ।ବଦଳା ବଦଳି ଅର୍ଥନୀତି (Barter economy) ।ହରି ମକଦ୍ଦମର ଏ ସବୁ ମାଲ ଉଭା ଅଛି ।କୁମ୍ଭାର ଭାଇ ବି ଖୁସ ।ତାର ୪/୫ ମାସ ପାଇଁ ଭାତ ,ଡାଲି ହୋଇଗଲା ।ନଇ ପଠାରୁ ମାଟି ।ତୋଟା ବାଡିରୁ ଝାଟି ଆଣିତ ହାଣ୍ଡି କୁଣ୍ଢେଇ ଗଢିଛି ।ମାଈପ ମର୍ଦ୍ଦ ଦିହେଁ ଖଟିଛନ୍ତି ।ନାଇଁରେ କୁମ୍ଭାର ଭାଇ ସେ ଗଛ ଏବେ ମରିଗଲାଣି ।ହାଣ୍ଡି ଭାଙ୍ଗିଗଲେ ଖପରା ।ହାଣ୍ଡିରେ ରୋଷେଇ ! ଧେତ ହାଣ୍ଡି ମାଜିବ କେତେ ଛଟା ।“ସିଲଭର ଡେକଚି,ହାଣ୍ଡି ଆଣ”।ଗିରସ୍ତଙ୍କୁ ବରାଦ ।ଆଲୁମିନିୟମ ବାସନରେ ରୋଷେଇ କର ।ଡାକ୍ତର ଖାନାକୁ ଦୌଡ ।ବାସନରୁ ରୋଗ ।ଏବେ ପୁଣି ମନ ଘର ଧରିଲାଣି ।ହାଣ୍ଡି ରୋଷେଇ ସୁଆଦିଆ ।ଦିହକୁ ହିତ ।ନଖରା ଛକ,ପାହାଳ ଛକରେ ହାଣ୍ଡିରେ ରୋଷେଇ ମାଂସ ,ଭାତ ପାଇଁ ଭିଡ ଲାଗୁଛି ।“ଚାଲି ଗଲା ପୁଅ ଆଉ ବାହୁଡି ନ ଆସଇଲୋ କୋଇଲି” ।ଆଜିତ ନଈ ପଠାରେ କଂକ୍ରିଟ ଜଙ୍ଗଲ ।ମାଟି ନାହିଁ ।ନଇରେ ପାଣି ନାହିଁ ।ଜଙ୍ଗଲରେ ଝାଟି ନାହିଁ ।କାଟି ଜାଳ ଯୋଗାଡ କରିବେ ।ଖିରିପୀଠା ଖାଇବା ନା ଦେଶୀ ଅର୍ଥନୀତି ଚାଷ କରିବା । ଏ କଥା ଏତିକି ।

ହାଣ୍ଡି ମଙ୍ଗୁଳା ହବ । ମାଇପେ ସବୁ ହାଣ୍ଡି କୁଣ୍ଢେଇ ଧୁଆ ଧୂଇ କରି ହଳଦୀ ସିନ୍ଦୁର ଲଗାଇ ଗଲେ ।ସାହିରୁ ସାତ ମାଇପେ ଡକା ହେଲେ ।ଉଖୁଡା ନଡିଆ ଛେନା ଚକଟା ।ପତ୍ରରେ ଥୁଆ ହେଲା ।ହୁଳହୁଳି ଲହରୀ ଛୁଟିଲା ।ବାରିକିଆଣୀ ମହଜୁଦ ।ଶଙ୍ଖୁଆ ହାଜର ।ମାଙ୍ଗଳିକ ଶଙ୍ଖ ବାଜିଲା ।ବିଦୁ ବଡବୋଊ ଦୁବ,ବରକୋଳି ପତ୍ର ,ଫୁଲ ପକାଇ ଭୋଗକୁ ପାଣି ଚଢାଇ ଦିଏ ତ ପୁଣି ଶଙ୍ଖ ,ପୁଣି ହୁଳହୁଳି ଏଇ ଜାଣ ବାହାଘର କଥା ପକ୍କା ଚାଲିଲା ।ମକଦ୍ଦମେ ଆଉ ତାଙ୍କ ଘରଣୀ ଖାଲିତ ଦାଣ୍ଡ ବାହାର ,ବାହାର ଦାଣ୍ଡ ଧାଁ ଧପଡ ଚଲେଇଛନ୍ତି ।ପେଟରେ ପିଟ ଲେଖାଏଁ ଖୁସି ।ଆଖି ମୁହଁରୁ ପଢିହୋଇଯାଉଛି ।ତଥାପି ଦକ ଅଛି ।କନିଆ ରାତିରେ ଘରେ ପହଞ୍ଚିବା ଯାଏ ମନ ଚଞ୍ଚଳ ରହିବ ।

“ଆରେ ମୁଁ ଜଣେ ଲୋକ କେତେ ଆଡକୁ ହେବି ।ମାଇପିଙ୍କ ପାଇଁ ମଙ୍ଗଳ କୃତ୍ୟ ସଭା ।ମାଛ ହାଣ୍ଡି ହବ ।ଘରଣୀଙ୍କ ବରାଦ “ତାକ ତରକରେ ବୋହୁ ଆଣିବାକୁ ପଡିବ”। ହରି ମକଦ୍ଦମଙ୍କ ମୁଣ୍ଡ ଝାମା ହୋଇଯାଉଛି ।ବଡ ପୋଖରୀସାହିରୁ ୧୫/୨୦ ଜଣ ଦଳିତଙ୍କୁ ଡାକି ପଠାଇଲେ |ଜାଲ ନେଇ ମାଛ ଧରିବାକୁ |ବଡ ପୋଖରୀରେ ବଢି ପାଣି ପସେତ ଗଡିଆରେ ଗଡିଆଏ ମାଛ ।ମକଦ୍ଦମ ଙ୍କ ପାଟିରୁ ସରିନାହିଁ । ୩ ପଟିଆ ଖିଅ ଦୁଇଟା ଜାଲ, ପୋଳୁହ ୨/୩ ଟା , କାଠି ପୋଳୁହ ୨ ଟା ଧରି ପଲଟଣ ପସିଲେ ।ବଡପୋଖରୀରେ କି !ଘଡିକ ଭିତରେ ଗାଁ ଦାଣ୍ଡରେ ପୋଳୁହରେ ,ଜାଲରେ ମାଛ ଝୁଲାଇ ଝୁଲି ଝୁଲି ମକଦ୍ଦମଙ୍କ ଅଗଣାରେ ବୀର ଦର୍ପରେ ଠିଆ ହୋଇଗଲେ ।ସତେ ଯେମିତି ଗଡ ଜିତିଛନ୍ତି ।ସବୁ ମାଛ ଦୁଆରେ ଗଦା କରିଦେଲେ ।ରୋହି ,ଭାକୁର,ମିରିକାଳି,ବାଳିଆ, ଚିତ୍ତଳ,ଜହ୍ଳା, ଛୁନାମାଛ ୧୫/୨୦ ସେର (୨୫ କିଲୋ ପ୍ରାୟ) ମାଛ ।ସାଆନ୍ତାଣୀ ଙ୍କ ପେଟେରେ ପେଟେ ଖୁସି ।ଗାଁ ମାଇପେ ମନ ବୋଧ କରି ମାଛ ବେସର ଖାଇବେ ।ଖାଇବା ଠାରୁ ଖୁଆଇବାରେ ବି ଗୋଟେ ନିଆରା ଆନନ୍ଦ ସେ କାଳରେ ଥିଲା ।ତୁମ ଦୁଆରେ କେହି ଯଦି ପତର ପକାଇଲେ ଏହାଠାରୁ ବଡ ଭାଗ୍ୟ କଣ ଅଛି ?ଖାଲି ହରି ମକଦ୍ଦମ ବୋଲି ନୁହେଁ ।ସବୁଘରେ ସେତେ ବେଳେ ବନ୍ଧୁ ବାନ୍ଧବ ଯିବା ଆସିବା ଥିଲା ।ଖିଆ ପିଆ ଚର୍ଚ୍ଚା ବି ସେମିତି ଥିଲା ।ଆଜି ଆଉ ସେ ରାମ ନାହିଁ କି ସେ ଅଯୋଧ୍ୟା ନାହିଁ ।ମାଇପିଙ୍କୁ ମାଇପେ ନିମନ୍ତ୍ରଣ କରିବେ ।ହାରା ଦେଇ ଲୋକ ପଠାଇ ଗାଁ ମାଇପିଙ୍କୁ ଘରେ ଘରେ ନିମନ୍ତ୍ରଣ କରିଦେଲେ ।“ରାତିରେ ମଙ୍ଗଳ କୃତ୍ୟ ସଭା ।ପିଲାଙ୍କୁ ଧରି ଆସିବ”।

ହରି ମକଦ୍ଦମ ଏ ଭିତରେ ଗାଁ ମୁରବୀଙ୍କୁ ଡାକି ସବୁ ଯୋଗାଡଯନ୍ତ୍ର କରାଇ ଦେଖାଇ ସାରିଲେଣି ।ବାଞ୍ଛା ବୁଢାର ଖଣ୍ଡା ଦାଢରେ ବିଧାଏ ।ଟାଣ କଥା କିନ୍ତୁ ନିରାଟ ସତ ।“ହଇରେ ହରିଆ ସବୁ ଦେଖିଲୁ ଯେ ପିଠାର ଭଲ ମନ୍ଦ ଦେଖିବାରେ ନାହିଁ ।ତିଆରୀରେ ଅଛି ।ଉଦିଆ ତ ଅଛି ।ତାକୁ ପଚାରି ଉଚାରି ସବୁ କରୁଥିବୁ । ବେଳା ବେଳି ଯେପରି ସଭା ହୁଏ”। ହନୁ ମଲା ବେଳକୁ ସତ କହିଲା ।ସେଇ ଉଦିଆ କ ଠାରୁ କ୍ଷ ପର୍ଯ୍ୟନ୍ତ ତାର ସବୁ ଆଡେ ଆଖି ।ତା ଉପରେ ସମସ୍ତଙ୍କ ଆଖି ।କଥା ସରିନି ବାହାରଣାରୁ ଦିଭାର ଘିଅଧରି ବେହେରା ଦିଜଣ ହାଜର ।୪ ଟି ମାଠିଆ ।ଗୁଆ ଘିଅ ୩୦/୪୦ ସେର ହବ ।କାନିକା,ଅମାଲୁ ହବ ।ସଭାରେ ଘିଅ ଚାଲିବ ।ମକଦ୍ଦମେ ଆଗରୁ ଜଣେଇ ଥିଲେ ।ବରାଦ ମୁତାବକ ବେହେରା ଭାଇମାନେ ମାଲ ପହଞ୍ଚାଇଲେ ।ଗୁଆ ଘିଅ ସେର ୧୮ ଅଣା(୧ ଟଙ୍କା୨ ଅଣା=ଆଜିକା ପଇସାରେ ୧୧୨ ପଇସା )।ଦାମ ଶୁଣି ଚମକୁଛନ୍ତି କି?ସେ କାଳରେ ମାଲ ଶସ୍ତା ।ପଇସା ମହରଗ ।ସେଣିକି ଗଲେ ଭୋଜି ଭାତ ଆଶା ଛାଡିବାକୁ ହବ ।ସେ କଥା ଛାଡ ।ଭୋଜିକୁ ଆସିବା ।

ବେଳ ଗଡିଯାଉଛି । ମକଦ୍ଦମଙ୍କ ମୁଣ୍ଡରେ କଙ୍କଡା ବିଛା କାମୁଡିଆଲାଣି ।ତିନି ଭୋଇ ସାହି କୁ ଖେଦିଲେ । ୧୫/୨୦ ଟୋକାଙ୍କୁ ବରାଦ କଲେ ।ରାତି ୮ ଟାରୁ ୧୦ ଟା ଭିତରେ ଠେଙ୍ଗା ଧରି ଘରେ ପହଞ୍ଚିବେ ।ଗୁଣୁ ଗୁଣୁ କରି ଖୁଣ୍ଟ ବେହେରାଙ୍କୁ କଣ କହିଲେ ।ବୋହୁକୁ ଆଣି ଇସାଣରେ ନ ବସେଇବା ପର୍ଯ୍ୟନ୍ତ ମୁଣ୍ଡ ଥୟ ନାହିଁ ।ଏକା ମାଧିଆ ବାଇଶି ଫଳ ।ଏଣିକି ବଡ ବଡ ପାହୁଣ୍ଡ ପଡୁଛି ।ଘରେ ପହଞ୍ଚି ନାକରେ କାନରେ ଦିଗୁଣ୍ଡା ପୁରାଇ ବରାଦ କଲେ ମାଇପି ସଭା ରୋଷେଇ ।ଉଦି ସଙ୍ଗେ ଦି ଚାରି ପଦ କଥା ।ରତନା କକେଇ ,ବିଦିଆ କକେଇ ,ମହି ଉଦି ଡକା ହେଲେ ।ଦିନ ଦି ଘଡି ଅଛି ରୋଷେଇ ବସିଲା । ମାଇପଙ୍କର ବରାଦ ବେଳା ବେଳି ଡାକିବ ।ଚମ୍ପା ଉସୁନା ଚାଉଳ ଭାତ ,ଡାଲମା ,ଝଡା ବେସର ଖଟା, ନଡିଆ ରସ ଖିରୀ,କାକରା ପିଠା । କମ ବେଶିରେ ନାହିଁ ।ଛଟା ସମାନ ।ସରଘରେ ସାନଶଳା ନମୁଦ ।ରୋଷେଇଆଙ୍କ ବରାଦ ଅନୁସାରେ ମାମୁଁ ଜିନିଷ ଦିଅନ୍ତି ।ଭଣଜା ସୁଦର୍ଶନ ଓରଫ ସୁଦୁରିଆ ଜିନିଷ ପତ୍ର ଖଞ୍ଜା ଶାଳରେ ଦାଖଲ କରନ୍ତି ।ସୁଦର୍ଶନ ଏବେ ବୁଝିଲାଣି ତାର ବାହାଘର ହବ | ।ଛୋଟ କନିଆଟିଏ ଘରକୁ ଆସିବ ।ମନ କନ କନ ହଉଛି ।ଲାଜ ।ତା ଖୁସିକୁ ଛାପି ରଖି କାମରେ ଲାଗିଯାଇଛି ।ତାକୁ ଲାଗୁଛି ତା କାନରେ କିଏ ଯେମିତି କହି ଦଉଛି “ବାହାଘର ବାଗୁଡି ଖେଳ ନୁହଁରେ ବାପ । ମନ ଘର ଧରିଯିବ ।ନେଇ ଆଣି ଥୋଇବା ବୋପା ବାହାଘର ମନେପକେଇ ଦବ ।ସେ ବେଳ ଆସୁ ଦେଖିବୁ”।ସୁଦର୍ଶନ ନରମା ପିଲା । ତା ମନ ବି ଦବି ଯାଉଛି ।ହେଲେ କାମରେ ଭିଡିଛି ।

ସକାଳୁ ୨ ଜଣ କାମେକା ଆସି ବେଦି ତିଆରି କରିସାରିଛନ୍ତି ।ବାରିକିଆଣୀ ବନ ମାଟିରେ ଗୋବର ଗୋଳି ବେଦି ଲିପା ପୋଛା ସାରିଛି ।କାଲି ବାହାଘର ବେଳକୁ ବେଦି ପାଗିଯାଇଥିବ ।ଗାଁ ପୂଜାରୀ ଆସି ପହଞ୍ଚିଲେ ।ଫୁଲ ,ହୁମ କାଠ, ପଇତା,ବଟା ଚନ୍ଦନ ଭଳି କେତେକ ସାମଗ୍ରୀ ପୂଜାରୀ ଉପରେ ।ମାଲିକତ ଖୋଲା ହାତ ।ବେଓଜ ପାଉଣା ମିଳିବ ।ସକାଳୁ ସକାଳୁ ମାଲ ତକ ପହଞ୍ଚାଇବାକୁ ହବ ।ପ୍ରସାଦ ପାଇ ପୂଜାରୀ ଗଲେ ।ଜ୍ୟୋତିଷଙ୍କୁ ଡକାଇଥିଲେ ।ଗନ୍ଧର୍ବ ନାୟକ ଅଡି ବସିଲେ “ମୋତେ ତ ଦିନ ବାର ତିଥି ପାଇଁ ନ ଡାକି ଟୋଲା ଅବଧାନ କଥାରେ ଚାଲିଲ ।ସେ ଜ୍ୟୋତିଷ ବିଦ୍ୟା କଣ ଜାଣିଛି ? ପୁଷ ମାସରେ ବାହାଘର ? କାନ ଉଠିଲା ଦିନୁ ଶୁଣା ନଥିଲା” ।ହରି ମକଦ୍ଦମ ଜ୍ୟୋତିଷଙ୍କୁ କହି ବୋଲି ତାଙ୍କ ପାଉଣା ବାବଦକୁ ପାଞ୍ଚ ଗୌଣି ଅରୁଆ , ଉସୁନା ଚାଉଳ , ଶୁଖିଲା ନଡିଆ ୨ କଡା ,ଭଜା ମୁଗ ଡାଲି ସେରେ ।ପରିବା ପତ୍ର ସହିତ ୨ ଟଙ୍କା ଧରେଇ ଦିଅନ୍ତି ତ ଗନ୍ଧର୍ବ ଅବଧାନଙ୍କର ସବୁ ଅଇନି କାନୁନ ,ରୁଷା ପାଣି ଫାଟି ଯାଏ ।“ମୁ କାଲି କଅଁଳ ଗାଧୁଆ ବେଳେ ପହଞ୍ଚିବି” କହି ସଞ୍ଚାତକ ଗଣ୍ଠିଲି ବାନ୍ଧି ମୁଣ୍ଡରେ ଥୋଇ ଘର ବାହୁଡା ହେଲେ ।

ପହରେ ରାତି ହବ ।ମକଦ୍ଦମଙ୍କର ମହାପ୍ରସାଦ ବନ୍ଧୁ ଦୈତାରୀ ପ୍ରଧାନ ପହଞ୍ଚି ଗଲେ ।ଦୌଡିଯାଇ ଦୈତାରୀକୁ କୁଣ୍ଢାଇ ପକାଇ ଦୁଇ ଚାରି ଘେରା ବୁଲିଯାଆନ୍ତି।“ସଙ୍ଗାତ ତୁମେ ଏବେ ଆସିଗଲ ମାନେ ମୁଁ ଏବେ ପୁରା ହାଲୁକା ।ମୋର ଆଉ ହାତରେ ଗୋଡରେ ଲାଗିବ ନାହିଁ ।ତୁମ ପୁଅ ବାହାଘର ଏଣିକି ତୁମେ ବୁଝିବ ।ସୁଦୁରିଆ ବୋଊ ଶୁଣୁଛ ସଙ୍ଗାତ ଆସିଗଲେଣି ।ଆଗେ ତାକୁ ପାଣି ପଣା ଦିଅ ।ମାଇପି ପଙ୍ଗତ ଉଠିଲେ ଆମେ ଦୁହେଁ ଖାଇବୁ”।

ସମୟ ଚାଲିନି ଦୌଡୁଛି ।ଦୈତାରୀକୁ ନମୁଦକରି ମକଦ୍ଦମେ ବୋହୁ ଆଣିବା କାମରେ ଲାଗନ୍ତି ।ସବାରି ଗଉଡ ତ ବେଳରୁ ପଠାଇ ଦେଇଛନ୍ତି ।

ରୋଷେଇ ଅଧିକା ଉପରେ ହଉଛି ।ମାଇପେ, ପିଲା ଛୁଆ ,ରୋଷେଇଆ ,ବନ୍ଧୁବାନ୍ଧବ ,୧୫/୨୦ ଜଣ ଦଳିତ ତ ଖାଇବେ ।ମକଦ୍ଦମଙ୍କ ମୁଣ୍ଡ ଧରିଛି ଗଉଡ କେମିତି ଭଲରେ ଭଲରେ ହାତ ଧୋଇ ବିଦା ହେବେ ।ଉଦିକୁ ସବୁ ଜଗାଇ ,ଦୈତାରୀକୁ ଭାର ଦେଇ ମକଦ୍ଦମ ଜାମା ପିନ୍ଧି କୁଆଡେ ବାହାରିଗଲେ ।ଘରଣୀ ପଛରେ ପଚାରିଲା ବେଳକୁ ସେ ଅନ୍ଧ ଗୋହିରୀ ଧରିଲେଣି ।ଉଡୁଛନ୍ତିତ ।ନିଆଳି ସତିବର ପାଖେ ଏକାକୀ ଠିଆ ।ଦଳିତ ୧୦/୧୫ ଜଣକୁ ପ୍ରାଚୀ ଠାରୁ ଗାଁ ମୁଣ୍ଡ ଯାଏ ଛକେଇ ଦେଇଛନ୍ତି ।ଠେଙ୍ଗା ଖଣ୍ଡିଏ ଲେଖାଏଁ ଧରି ସେମାନେ ଲଢେଇ ଠାଣିରେ ଦଣ୍ଡାୟମାନ ।ରାତି ଅନ୍ଧାର ମୁହଁ କୁ ମୁହଁ ଦେଖା ନଯାଏ ।ବେଳେବେଳେ କୁହାଟ ମରାମରି କରି ନିଜର ସଂଖ୍ୟା ତଦାରଖ କରୁଛନ୍ତି ।“ହାମ ଭାଇରେ ଥିର ଚାଲ ।ହାଁ । ବୋହୁ ଶାଶୁ ଘର ପାଖେଇ ଆସେରେ ହୁଁ ।କାଠି ଜବରରେ ମାରୁଥା କି ହୁଁ” । ବୋଲି ସବାରି ଧରି ପହଞ୍ଚି ଯାଆନ୍ତି ଚଉକମୁଣ୍ଡ ଛକରେ ।ମକଦ୍ଦମେ ପଛେ ପଛେ ଧଇଁ ସଇଁ ହୋଇ ଧାଇଁଛନ୍ତି ।ସବାରି କବାଟ ଖୋଲି ଚାହିଁ ଦଉଛନ୍ତି ।ବୋହୁ ,ବୋହୁର ଭାଇ ଢୁଳାଉଛନ୍ତି । ଲମ୍ବା ନିଶ୍ଵାସଟିଏ ଛାଡି ଘର ଆଡେ ମୁହାଁଇଲେ ।ଏଣିକି ବଳ ଆସିଗଲା “ଶଳା ହରି ମକଦ୍ଦମଙ୍କ ବୋହୁ ଚୋରୀ କରିବ ଏମିତି ପୁଅ କିଏ ଜନ୍ମ ହୋଇଛି ।ଶଳାଏ କିଏ ବି ବାହାରିଥିଲେ ଠେଙ୍ଗରେ ମୁଣ୍ଡ ପଠାଇ ବୋହୁକୁ ନେଇ ମୁଁ ଘରେ ପହଞ୍ଚାଇବା ବରାଦ କରିଥିଲି ନା ।

ହୁଳହୁଳି ,ଶଙ୍ଖ ,ମହୁରି ଶଦ୍ଦରେ ଗାଁ କମ୍ପିଲାଣି ।ମାଇପେ ଦାଣ୍ଡକୁ ବାହାରି ଆସିଲେଣି ।ବେହେରା ସବାରି ଛାମୁଡିଆ ତଳେ ରଖିଦେଲେ ତ ହାରା ଦେଇ,ପାଞ୍ଚ ମାଇପଙ୍କ ଗହଣରେ ବୋହୁକୁ କାଖେଇ ଆଖି ପିଛୁଳାକେ ଇଶାନକଣରେ ହାଜର ।

୯/୧୦ ବର୍ଷର କୁନି କନିଆ ।ଜୁଳୁଜୁଳୁ କରି ଚାରିଆଡକୁ ଚାହୁଁଛି ।“ମୁଁ ଏଠି କାହିଁକି ?”ବଡ ଭାଇ ୧୪/୧୫ବର୍ଷ । ପାଖରେ ବସିଛି ।ଦୁଇଟି ଥାଳିରେ ଛେନାଗୁଡ ,କଦଳୀ ଚକଟା ,ମଣ୍ଡା ପିଠା ଶାଶୁ ଥୋଇ ଦେଲେ । ତାଙ୍କୁତ ଅନ୍ଧାରୁଆ ଲାଗୁଛି ।ଶାଶୁ ବୋହୁକୁ ଖୁଆଇ ଦଉଛନ୍ତି ।କୁନି କନିଆଟି ଢୋକି ଦଉଛି ।ଭାଇ ନିଜ ହାତରେ ଖାଇଲାଣି ।ବୋହୁର ମୁହଁ ଧୋଇ ହାରା ଦେଇ ଶାଢୀ କାନୀରେ ମୁହଁ ପୋଛି ଦଉଛନ୍ତି ।ତାଙ୍କର ତ ମନ ଉଡୁଛି ।ସଉପ ଖଣ୍ଡିଏ ପକାଇ ବୋହୁକୁ ଶୁଆଇ ଦିଅନ୍ତି ।ଭାଇଟି ଭଉଣୀ ପାଖରେ ଜାକି ଯୁକି ହୋଇ ପଡିଗଲା ।ଘଡିକେ ନିଦ ।ଶାଶୁ କେତେବେଳେ କମ୍ବଳଟିଏ ଘୋଡାଇ ଦେଇଛନ୍ତି ।

ମାଇପି ,ପିଲାଙ୍କ ପଙ୍ଗତ ସରିଲା ।ବେସରରେ ଟା ମାଛ ସରି ସରି ।ମାଛୁଆ ଗାଁ ମାଇପେତ ।କଣ୍ଟା କାଢି ବେସର ହାଙ୍କି ଗଲେ ।ନଡିଆ ଖିରୀର ମହିମା କଣ କହିବା ।କ୍ଷୀର ଖିରୀକୁ ଚିତା କାଟି ଦବ ।ଶୁଖିଲା ନଡିଆ ରସ ।ବାସନା କଳାଜିରୀ ଚାଉଳ ମାପରେ ପଡିଛି ।ଗୁଜୁରାତି ,ଲବଙ୍ଗ,ଅଳେଇଚ ,ତେଜପତ୍ର ମାନେ ପଡିଛନ୍ତି ।ନଡିଆ କ୍ଷୀରୀର ବାସନା ଅଲଗା ବାରି ହୋଇଯାଉଛି ।ମୁଁ ବି ପଙ୍ଗତରେ ବସିଯାଇଥାଏ । ମନେ ପଡୁଛି ।ଖିରୀ ତ ହାପୁରି ଗଲି ।ହାତରେ ଓଠରେ ଚିକଣ ।ଆମେ ଉଠିଛୁ ତ ସବାରି ବେହେରାମାନେ ବସିଗଲେ ।ସେମାନେ ଗଣ୍ଡେ ଭଲ ଖାଆନ୍ତି ।ଜଣକେ ଅଧସେର ଚାଉଳର ଭାତ ଠୁଙ୍କି ଦେବେ ।ମାଲ ତ ଠିଲ ଠିଲ ।ମନବୋଧ କରି ଖାଇଲେ ।ହରି ଦଦେଇ ତାଙ୍କୁ ବିଦାକି ଦେଇ ଦଣ୍ଡରେ ବଳେଇଦେଲେ ।ଦଳିତ ଟୋକା ୧୫/୨୦ ,ଖୁଣ୍ଟ ବେହେରା,ହରି ଦଦେଇଙ୍କ କୋଠିଆ ଓ ତାର ପରିବାର ,ବାରିକ ,ଶଙ୍ଖୁଆ ,ମହୁରିଆ ସମସ୍ତେ ବସିଗଲେ ।ଘର ଲୋକେ ଖାଆ ପିଆ କରିଥିବେ ।ନନାରେ ଶେଷ ପର୍ଯ୍ୟନ୍ତ ଖଞ୍ଜାରେ ଥାନ୍ତି ।ତଦାରଖ କରୁଥାନ୍ତି ।ମୁଁ ବୋଊ ସାଙ୍ଗରେ ଘରକୁ ଆସିଲି ।

ଆଜି ବାହାଘର ,ଭୋଜିଭାତ

ଆଜିକାଲି ଅନ୍ଧାରରୁ ସ୍ତ୍ରୀଲୋକମାନେ ଗାଧୋଇ ପାଧୋଇ ଘରକୁ ଫେରିଲେ । ସବିତା (କୋଠିଆର ସ୍ତ୍ରୀ )ଦୁଆର ଠାରୁ ଦଣ୍ଡ ପର୍ଯ୍ୟନ୍ତ ଓଳିଆ ପଳିଆ କରି ଗୋବର ପାଣି ଛିଞ୍ଚି ସାରିଲାଣି ।କାମ ଉପରେ କାମ ।ହାରା ଦେଇ ବରାଦ କରିଛନ୍ତି ।ମଙ୍ଗଳ କୃତ୍ୟ ଭୋତିଆ ପଖାଳ ୨/୩ ଟି ହାଣ୍ଡିରେ ଅଛି ।ଶୁଭ କାମ ପୋଡା ପୋଡି ତ ହବନି ।ମାଟି ଆଳୁ ଭଜା ଜୀରା ଲଙ୍କା ଚୁନା ପଡି ପିତଳ କଢେଇରେ କଢେଇ ଥୁଆ ହେଲାଣି ।ସ୍ତ୍ରୀଲୋକମାନେ କଜଳ ସିନ୍ଦୁର ଲଗେଇ ବେଶ ପୋଷାକ ହେଲେ ।ଇଶାଣ ପାଖ ଦୁଆରେ ଦୁଇ ଧାଡି ହୋଇ ବସି ଗଲେ ।ପଖାଳ ଭାତ,ବଡି ଚୂନା, କଞ୍ଚା କଳା ସୂର୍ଯ୍ୟମୁଖୀ ଲଙ୍କା ।ପେଟେ ଲେଖାଏଁ ଠୁଙ୍କି ଦେଲେ ।ଧଳା ଖମ୍ବଆଳୁ ଭଜା ବାସରେ ମହକୁଥାଏ ।ଭୋତିଆ ଚାଉଳ ଭାତ ଦାଣ୍ଡକୁ ବାସୁଛି ।ମାଇପଙ୍କ ପର୍ବ ସରିଲା ।

ହାଣ୍ଡି ମଙ୍ଗୁଳା ହବ ।ବାରିକିଆଣୀ ଆସି ହାଜର ।ତେଲିଙ୍ଗି ବାଜା ମହଜୁଦ ।ଦିନା ଭୋଇ ଶଙ୍ଖ ଫୁଙ୍କିଲାଣି ।ସାତ ମାଇପେ ସଜବାଜ ହୋଇ ରାମଚଣ୍ଡୀ ଠାକୁରାଣୀଙ୍କ ଦେଉଳକୁ ଧାଡି ଲଗେଇଲେ।ଦାଣ୍ଡରେ ଦାଣ୍ଡେ ଲୋକ ।ସୁଦର୍ଶନ ମାଇଁ ନାଲି ଶାଢୀ ପିନ୍ଧି ,ଓଢଣା ଟାଣି କଳସ ଧରିଛନ୍ତି ।କୁଲାରେ ଫୁଲ ,ଚନ୍ଦନ ,ଭୋଗ ରାଗ ଧରି ବଡ ମକଦ୍ଦମଙ୍କ ମଝିଆଁ ବୋହୁ ଚାଲିଛନ୍ତି ।‘ହେଁ ହେଁ ରାଂପୁ ରାଂପୁ’ ତେଲିଙ୍ଗ ବାଜାର ମଧୁର ମୂର୍ଚ୍ଛନା ।ବନା ମହୁରିଆ ମହୁରି ବଜାଉଛି ।ସପନା ଢୋଲ ।ପୂଜକ ଠାକୁରାଣୀଙ୍କୁ କଳା ଶାଢୀ ପିନ୍ଧାଇ ପୂଜା ଅର୍ଚ୍ଚନା କଲେ ।ହାଣ୍ଡି ମଙ୍ଗୁଳି ଫେରିଲେ ।ଏଣେ ନିହାଲ ସିଂହ ୪ ଭାର ମାଛ ପଠାଇଛନ୍ତି ।ଦୁଇ ତିନି ମହଣ ପକ୍ଷୀ ମାଛ ।ନିହାଲ ସିଂହ ହରି ମକଦ୍ଦମଙ୍କ ବାପାଙ୍କର ମହାପ୍ରସାଦ ଦିଆ ବନ୍ଧୁ ।ବାପା ତ ଚାଲିଗଲେଣି ।ନିହାଲ ସିଂହ ଉଚ୍ଚ ମିଜାସ ର ଲୋକ ।ବନ୍ଧୁ ରଖିଛନ୍ତି ।ଚାରିଟା ବଡ ବଡ ପୋଖରୀ ।୧୦ ହାତିଆ ୪/୫ ଟା ଭଉଁରୀ ।୫/୭ ଜଣ ସକାଳୁ ସକାଳୁ ମାଛ ଧରି ପଠାଇଛନ୍ତି ।ନିଆଳି ବେହେରା ସାହିରେ କ୍ଷୀର ବରାଦ ଥାଏ ।୫/୬ ଭାର ମଇଁଷି କ୍ଷୀର ବି ଆସି ପହଞ୍ଚୁଛି ।ସଙ୍ଗାତ ଦୈତାରୀ ମାଛ,କ୍ଷୀର ଜାଗା ଜାଗାରେ ରଖି ଭାରୁଆ ମାନଙ୍କୁ ଜଳଖିଆ ଦିଅନ୍ତି ।ପ୍ରତି ଭାରୁଆକୁ ଦେଢ ଟଙ୍କା ହିସାବରେ ବିଦାକି ଦେଲେ ।ମାଛର ପଇସା ନାହିଁ ।ବେହେରା ମାନଙ୍କୁ ନିମନ୍ତ୍ରଣ ବି ରହିଲା ।ରାତିରେ ଖିରୀ ପୀଠରେ ପୁରିବେ ।କ୍ଷୀର ପଇସା ପରେ ।

ବୋହୁ ପିଲା କନିଆ ।କାନ୍ଦର ଲହର ଛୁଟୁଛି ।ହାରାଦେଇ ବୋହୁକୁ ବାହାରକୁ ନେଇ ଗାଧୋଇ ଦେଲେ ।ଅଳତା ସିନ୍ଦୁର ଲଗାଇ କସ୍ତା ଶାଢୀ ଖଣ୍ଡିଏ ଖୋସି ଖାସି ଗୁଡେଇ ଦେଲେ ।ଆଜି ବାହାଘର ।ପୁଅ ବୋହୁ ଉପବାସ ରହିବେ ।ହାରା ଦେଇ,ମକଦ୍ଦମେ ପୁଅ ବାହା ତ ଉପବାସ ରହିବେ ।ମକଦ୍ଦମଙ୍କ ମୁଣ୍ଡରେ ତ ସବୁ ବୋଝ ।ଫୁରସତ ନାହିଁ ।ସାନ ଶଳା ଓ ଶଳା ଭାଉଜ ଭଣଜାକୁ ବାହାକରିବେ ।ଉପାସ ।କନିଆଁ ତ ପିଲାଟେ ।ଟୋଲାରେ ଝିଅଙ୍କ ଉପରେ କଟକଣା ବହୁତ ।ଦାଣ୍ଡକୁ ବାହାରିନି ।ପୁଅଙ୍କ ସାଙ୍ଗରେ ବୋହୁ ଚୋରି ଖେଳିନି ।ବୋହୁ କଣ ?ବାହାଘର କଣ ବରକନିଆ କଣ ତା ମୁଣ୍ଡରେ ପଶୁନି ।ବୋଊ ବୋଊ ରାହା ଧରି କାନ୍ଦୁଛି ।ଶାଶୁ ବୁଝା ବୁଝି କରି ଗିଲାସେ ଛେନା ,କଦଳୀ ,କ୍ଷୀର ସରବତ ମା ଧନ କରି ପିଆଇ ଦେଲେ ।ଭୋକରେ ତ ପେଟ କଁ କଁ ଡାକୁଛି ।କୁନି ଝିଅଟେ ପିଇ ଦେଲା ।ଦୁଆରେ ସୁଦର୍ଶନ ଯାଆସ କରୁଛି ।ବାହା ପବନ ବାଜିଲାଣି ।ଦୁଆରୁ ଇଶାଣ ଭିତରକୁ ଆଖି ପକାଉଛି ।ଆରେ ଭଲ ଝିଅ ଟେ ତ ।ତକ ତକ ଗୋରା ।ଲମ୍ବା ନାକ ।ସୁନ୍ଦରିଆ ମୁହଁ ।ଗୋଟିଏ ଚାଉଳରେ ଗଢା । ମନକୁ ପାଇଯାଉଛି ।ଲାଜ ତ ।ଆଖି ଫେରେଇ ଦାଣ୍ଡକୁ ଚାଲୁଛି ।

ଖଞ୍ଜା ଶାଳ ହାଲଚାଲ

ଆଜି ବାହାଘର ।ସମୟ କଣ ବସିଛି ।ଦୌଡୁଛି ।କଅଁଳ ଗାଢୁଆ ବେଳ ।ଦୈତାରୀ ୨ ଗରାରେ ଭାର କରି ୪/୭ ଭାର ପାଣି ଖଞ୍ଜା ଶାଳ କୁଣ୍ଡ ମାନଙ୍କରେ ଭର୍ତ୍ତି କଲାଣି ।ନନା,ରତନା କକେଇ ,ଘନ କକେଇ,ଖତିଆ ବାପା ୫/୬ ଠିଆ ହେଲେଣି ।ରୋଷେଇ ଚାଲିବ ।ସତିଆ ମଉସା ଅମାଲୁ ଚୁଲି ପାଖେ ।ତଇ ବସାଇ ଘିଅ ଢାଳିଲେଣି ।ରାତିରୁ ଅଟା ପାଣିରେ ଭିଜି ଥିଲା ।କଞ୍ଚା କ୍ଷୀର ,ପାଚିଲା କଦଳୀ ,ଗୁଜୁରାତି ,ଗୋଲମରିଚ ଗୁଣ୍ଡ,ପାନ ମଧୁରୀ,ଗୁଡ ମାପରେ ପକାଇ ଅମାଲୁ ଆଣ ପ୍ରସ୍ତୁତ କରୁଛନ୍ତି ।ଆମେ ୫/୬ ପିଲା ଲଡବଡ ହେଲୁଣି ।ଅମାଲୁ ଛଣା ପର୍ବ ଆରମ୍ଭ ହୋଇଗଲା ।ବାସ୍ନାରେ ପେଟ ପୁରିଯାଉଛି ।ତାଙ୍କୁ ମିଳିବ ତ ?

ନନା ବରାଦ କରନ୍ତି ।ମୁଗ ଡାଲି,ବୁଟ ଡାଲି ,ହରଡ ଡାଲି ତିନିଟି ହଣ୍ଡାରେ ବସିଲେ ।କ୍ଷୀର ୨ ମହଣ । ୨ ଟା ହାଣ୍ଡିରେ ବସିବ ।ହଣ୍ଡାରେ ଘିଅ ଅଧସେର ଲେଖାଏଁ ଢାଳି କିସମିସ,କାଜୁ ପକାଇ ଗରମ କଲେ ।କିସମିସ ମାନେ ଟିଙ୍କ ଭଳି ଫୁଲି ଯାଉଛନ୍ତି ।ତେଲ ପୋଡିଲେ ଘି ,ଘିଅ ପୋଡିଲେ ଛି ।ହଲକା ଗରମ କରି କ୍ଷୀର ୨ ହଣ୍ଡାରେ ମାପରେ ଢାଳି ଦେଲେ ।କ୍ଷୀର ଫୁଟିଛିତ ଅରୁଆ କଳାଜିରୀ ବାସନା ଚାଉଳ ସେରେ ଦେଢ ସେରେ ଲେଖାଏଁ ଢାଳିଦେଲେ ।ଜଗିକରି କେବଳ ଖଣତା ମାରୁଛନ୍ତି ।ତଳେ ଲାଗିଗଲେ ବାର ବର୍ଷର ତପ ଶୁଖୁଆ ପୋଡାରେ ଯିବ ।କ୍ଷୀର ତଳେ ଲାଗିଗଲେ କ୍ଷୀର କଥା ସରିଲା ।ପାଠକେ ମୁ ଏବେ ଆପଣଙ୍କ ପାଇଁ ଅଣ୍ଟା ଭିଡିଲି ।ଖିରୀ ପିଠା ତିଆରି କରିବା ବାହାଘର ପାଇଁ ଚିନ୍ତା ନାହିଁ ।ପୁରୋହିତ ,ବାରିକ ,ବାରିକିଆଣି,ପାଢୀ ,ଅବଧାନ ସେମାନଙ୍କ ଆୟ ବେଳ ।ମାଡି ଆସିବେ ।ସ୍ଵର୍ଗରୁ ପଡି କଣ ଅଧାରେ ରହିବ?ଆମର ରୋଷେଇ ବାସ ଆଡେ ଆଖି ଦବା ।କୁହନ୍ତି ସିନା ସେତେ ବେଳେ ଅଭାବ ଥିଲା ।ମାତ୍ର ବାହାଘର ଭଳି ବଡ ଭୋଜି ଭାତରେ ତିନିଟା ଡାଲି ନିଶ୍ଚୟ ଥିବ ।ମୁଗ ତ ଜମିରୁ ଆମଦାନୀ ।ହରଡ ,ବୁଟ ବଜାରରୁ କିଣା।

ଡାଲି ତିନି ହଣ୍ଡା ଓହ୍ଲା ହେଲା ।ବଘରା ବଘରି ପରେ ହେବ ।ମଇଁଷି କ୍ଷୀରରେ ଖିରୀ ।ବାସୀ ଫଟାଉଚି ।ଘନ କକେଇ ଖଣତା ମାରି ଘାଟୁଛନ୍ତି ।ଚାଉଳ ଫିଟିନି ।ଆଉ ୧୫/୨୦ ମିନିଟ ବସିବ । ପରିବା କଟା ଚାଲିଛି ।ଦେଶୀ ଆଳୁ, ତରକାରୀ କଦଳୀ ,ବାଇଗଣ ,ପୋଟଳ ,ମଙ୍କେଡି ସାରୁ ଅଳ୍ପ କଟା ହୋଇ ଗୋଟିଏ ହଣ୍ଡାରେ ବସିଲା ।ସାଧା ତରକାରୀଟିଏ ହବ ।ନିରାମିଷ ଲୋକ ଅଛନ୍ତି ।ବ୍ରାହ୍ମଣ ସଭା ।ସାଧାରେ ଚଳୁକରିବେ । ଖେସାରୀ ଡାଲି ରାତିରୁ ବତୁରି ଥିଲା ।ଡାଲି ବଟା ହେଲା ।ଅଦା ଛେଚା ,କଳାଜୀରା ,ଅନୁମାନରେ ଗୋଳାଇ ବରା ଛଣା ଚାଲିଲା । ଘଣା ସୋରିଷ ତେଲରେ ବରା ଛଣା ।ବରା ତରକାରୀ ଟିଏ ଉତୁରିବ । ଦୁଇଟି ହଣ୍ଡା ମହୁର ,ଦୁଇ ହଣ୍ଡା ବେସର ପାଇଁ ପରିବା କଟା ନନା ବରାଦ କରନ୍ତି ।ଖତିଆ ବାପା ମାଛ ଭଜାରେ ବସିଛନ୍ତି ।ନନାଙ୍କ ବରାଦ “ମାଛ ହାଲୁକା ଛାଣିବ”।ଖଣ୍ଡ ମାଛରେ କାଲିଆ ହବ । ମୁଣ୍ଡ ,ଲାଞ୍ଜ,କିଛି ଖଣ୍ଡ ମାଛରେ ବେସର ,ଚୂନା ମାଛ ଭଜା ହେଲେ ମହୁରରେ ପଡିବ ।ସାଧା ରୋଷେଇ ସରିଲେ ଆଇଂଷ କାମ ଆରମ୍ଭ ହେବ ।

ନିମନ୍ତ୍ରଣ ଆଡେ ଆଖି ପକାଇବା ।କେଳେଇ ଷଡଙ୍ଗୀ ।ବୟସ ୩୦/୩୫। ଦାୟିତ୍ଵ ଅଛି ।ମକଦ୍ଦମେ ତାଙ୍କୁ ଗୁଆ ଧରେଇଲେ । ଭକ୍ଷ ଭୋଜି ଗୁଆ ବେଳ ଥାଉ ଥାଉ ଗାଁରେ ବାଣ୍ଟିବେ ।ଘର ଓରଖି ସମସ୍ତଙ୍କୁ ଯେମିତି ଗୁଆ ଦିଆ ହବ ।ମାଇପି ,ମର୍ଦ୍ଦ,ପିଲା ,ଚାକର ସମସ୍ତଙ୍କୁ ନିମନ୍ତ୍ରଣ ।କେଳେଇ ଗୁଆ ଥାଳି ଧରି ଚାଲିଲେ ।୪ପଡାରୁ ଜଣା ଶୁଣା ଶହେ ପଣେ ଲୋକଙ୍କୁ ମକଦ୍ଦମେ ଆଗରୁ ଜଣାଇଛନ୍ତି ।ଭୋଜିକୁ ଆସିବେ ।ଚାରି ଭୋଇ ସାହିରେ ସବୁ ଘରୁ ଜଣେ ଦିଜଣଙ୍କୁ ଖବର ଦିଆ ହୋଇଛି ।ବନ୍ଧୁ ବାନ୍ଧବ ଯେତିକି ଆସିଛନ୍ତି ଆଉ ମାନେ ସଂନ୍ଧ୍ୟା ସୁଦ୍ଧା ପୁରିବେ ।

ଖିରୀ ହଣ୍ଡା ଉଠିବ ।ତେଜ ପତ୍ରତ ପ୍ରଥମରୁ ପଡିଛି ।ଗୁଜୁରାତି ,ଲବଙ୍ଗ ,ଅଳେଇଚ ,ଅଧାଛେଚି ଦି କୁଣ୍ଡରେ ପାଏ ପାଏ ଗୁଣ୍ଡ ଛାଡିଦେଲେ ।ଖିରୀ ହଣ୍ଡା ଉଠିଲା ।ଏଥି ମଧ୍ୟରେ ସାଧା ତରକାରୀ କସାକସି ହୋଇ ପାଣିଦିଆ ସରିଛି । ହଣ୍ଡା ଉଠିଲା ।ଛୁଙ୍କତ ସବୁ ହଣ୍ଡାରେ ଏକ ସଙ୍ଗେ ଦିଆ ହବ । ନିରାମିଷ ହାଣ୍ଡି ଗୁଡିକ ଗୋଟିଏ ପାଖକୁ ସଜାଡି ରଖି ଦେଲେ ।ପିତଳ କରେଇ ଚୂଲିରେ ବସିଲା ।ଅଦା ଜୀରା ବଟା ହୋଇଛି ।ସୋରିଷ ତେଲରେ କସି କରି ପଞ୍ଚ ଫୁଟଣ ,ନାଲି ଶୁଖିଲା ଲଙ୍କା ପକାଇ ହଲକା ଗରମ କଲେ ତ ଫୁଟଣ ପୁଟି କମ୍ପେଇଲା ।ଅଦା ,ଜୀରା ବଟା ,ହଳଦୀ ବଟା ପକେଇ କସି ଦେଲେ ।ନଡିଆ ରସ ଆଗରୁ ତିଆରି ହୋଇଛି । ନଡିଆ ରସ ,ପାଣି ମାପରେ ଦେଇ ଫୁଟେଇଲେ ।୪/୬ ଫୁଟଣା ଆସିଲାତ ଗୋଲ ଗୋଲ ଖେସାରୀ ବରା କୁ ଛାଡିଦେଲେ କି ସେମାନେ ଫୁଲି କରେଇ ଫଟେଇଲେ ।କଡେଇରେ ଅଧ ସେରେ ଘିଅ ବୁଲାଇ ଦେଲେ ।ସାଧା କାମ ସାରିଲେ ମାଛ ଧରିବେ ।ଫୁଟଣ ତିଆରି ହେଲା ।ମକଦ୍ଦମେ ୨୦/୨୫ ଗୌଣି ସୋରିଷ ପାଇଥିଲେ ।ଫୁଟଣ ବାଟଣକୁ ଗୌଣିଏ ଦିଗୌଣି ରଖି ବାକି ସୋରିଷ ହରିଆ ଘଣାରେ ପେଡି ୩୦/୪୦ ସେର ଘଣା ସୋରିଷ ତେଲ ଖଟତଳେ ୫/୬ ଟି ମାଠିଆରେ ରଖିଥିଲେ ।ରୋଷେଇୟାଙ୍କ ବରାଦକୁ ଦୈତାରୀ ମାଠିଆଏ ମାଠିଏ ତେଲ ଯୋଗାଡି ଦେଲେ ।ଦାତାର ଘିଅ ସରିବ ।ବ୍ରାହ୍ମଣର ସ୍ଵାହା ସ୍ଵାହା କରିବାକୁ ଡର କାହିଁକି ।୫/୭ ସେର ତେଲ କରେଇରେ ଫୁଟେଇ ଜୀରା ,ଲଙ୍କା ,ଫୁଟଣ ଛାଡି ଦିଅନ୍ତି ତ ଛିଙ୍କି ଛିଙ୍କି ଖଞ୍ଜା ଯାକ ଛିଙ୍କ । ଡାବରେ ୨/୩ ଡାବ କରେଇରୁ ନେଇ ଡାଲି ,ସାଧା ତରକାରୀ ଉପରେ ବୁଲେଇ ଦେଲେ ।ସତିଆ ବାରିକ କଦଳିପତ୍ର ସଜାଡୁଛି ।ମଞ୍ଜ ପତ୍ର ୧୦/୧୨ ଖଣ୍ଡ ଆଣି ସବୁ ହାଣ୍ଡିକୁ ଘୋଡାଇ ଦେଲେ ।

ଦିନ ଦ୍ଵିପ୍ରହର ହେବ ।ସମସ୍ତଙ୍କୁ ଭୋକ ।ବାଲାମ ଅରୁଆ ଚାଉଳ ।୩/୪ ଗୌଣି ରନ୍ଧା ହେଇଛି ।ଡାଲମା ,ଖଟା ଅଲଗା ତିଆରି ହୋଇଛି ।ସବୁ ସବୁ ହୋଇ ଦେଢସହ ମାଇପେ ,ମର୍ଦ୍ଦ ଆଗ ପଛ ହୋଇ ଖାଆନ୍ତି ।ବାଜାବାଲା ,ଶଙ୍ଖୁଆ ,ନଜାମତ ଲୋକ ସଜ ମାଉଁସରେ ପୋକ ପକାଇ ଦେବେ ।ଚୂଡା ,ନଡିଆ,ଗୁଡ ଗ୍ରାସେ ଲେଖାଏଁ ସକାଳୁ ଖାଇଥିଲେ ।ବିଡି ୩/୪ କଠା ମକଦ୍ଦମେ ଦେଇଥିଲେ ।ଟାଣୁଛନ୍ତି ।ଧୂଆଁ ଛାଡୁଛନ୍ତି । ସେମାନଙ୍କ ଖାଇବା କଥା ବି ବୁଝାହଉଛି ।

ଭୋଜି ଭାତରେ ଖଟା କଥା କାହାରି ହୋସ ନାହିଁ ।ଓଉ ୩୦/୪୦ ଟି ବେଳାରେ କଟା ଛେଚା ହୋଇ ରହିଛି । କୋରା ନଡିଆ ,ଗୁଡ ବି ଅଛି ।ତେଲ ଫୁଟଣ କସି ଓଉ ଛେଚା କସା ହେଲା ।ମେଥି ଫୁଟଣ ଓଉ ଖଟାର ଭାଗ ।କୋରା ନଡିଆ ,ଗୁଡ ଢାଳି ଘନ କକେଇ ପାଣି ଢାଳନ୍ତି ।ଟକଟକ ୫/୭ ଫୁଟଣା ପରେ ଜୀରା ଲଙ୍କା ଗୁଣ୍ଡ ଝାପସା ପକାଇ ଗୋଳାଗୋଳି କରି ନିରାମିଷ ଇଲାକାରେ ଢେଗ ଥୁଆହୁଏ ।

କାନିକା ଏକା ମାଧିଆ ବାଇଶି ଫଳ ।ରୁପା ଖିଲ ପରି ସରୁ ସରୁ ପଦ୍ମକେଶୋରୀ ଅରୁଆ ଚାଉଳ ପଚିଶ ସେର ଧୁଆ ହେଲା ।ମାପରେ ହଦଳି ଗୋଳାଇ ୩/୪ ଟି ସପରେ ନୂଆ ଗାମୁଛା ଉପରେ ଓଦା ଚାଉଳକୁ ଖେଳେଇ ଦିଆଗଲା ।ଟିକେ ପବନ ବାଜି ଖଳ ଖଳ ହୋଇଯିବ ।ତିନି ହଣ୍ଡା କାନିକା ରନ୍ଧା ହବ ।ପ୍ରାୟ ୩ ସେରରେ ୩ଟି ପୁଡାରେ ମସଲାମାନେ ବନ୍ଧା ହୋଇ ଗୋଟିଏ ଗୋଟିଏ ଢେଗ ରେ ଶିଝୁଛନ୍ତି ।ସକାଳ ପ୍ରହରରୁ ଦ୍ଵିପ୍ରହର ଯାଏ ।ଆଗ ପଛ ହୋଇ ରୋଷେଇୟା ମାନେ ଖାଇ ସାରିଛନ୍ତି ।ନନାଙ୍କ ବରାଦ ।ତିନି ଗୋଟି ହଣ୍ଡା ବସିଲା ।ଗୋଟାଏ ହଣ୍ଡାରେ ପାଣି ଫୁଟୁଛି ।ଘିଅ ତେଜପତ୍ର ଚିନି ଥୁଆ ହେଲା ।କାନିକା ଇଞ୍ଜିନିଅର ନନା । ଏକା ସାଙ୍ଗେ ତିନି ହଣ୍ଡାରେ ୩/୪ ସେର ଲେଖାଏଁ ଘିଅ ଢଳା ହେଲା ।ତେଜପତ୍ର ,ଜୀରା , ଗୁଜୁରାତି ,ଡାଲଚିନି ,ଲବଙ୍ଗ ,ଅଳେଇଚ ହାଣ୍ଡାକେ ଅଧ ସେର ଲେଖାଏଁ ପଡିଲା ।ଘିଅ ମାମୁଲି ଗରମ ହୋଇଛି ,ଜୀରା ଗୋଟେ ଗୋଟେ ଫୁଟୁଛିତ ଚାଉଳ ବାଣ୍ଟି ତିନି ହଣ୍ଡାରେ ଢାଳିଲେ ।ହତାରେ ଘଣ୍ଟାଘଣ୍ଟି ହେଉଥାଏ ।ଚାଉଳ ନରମ ଭଜା ହେଲାତ ହଣ୍ଡାମାନଙ୍କରେ ଫୁଟା ପାଣି ମାପରେ ଢଳା ହେଲା । ଚିନି ଭାଗ ମୁତାବକ ପଡି ଖଣତାରେ ତଳ ଉପର ହୁଏ ।ଲୁଣତ ମାପରେ ପଡିଲା ।ସିଝା ମସଲା ପୁଡା ଫିଟାଇ ପ୍ରତି ହଣ୍ଡାରେ ଗୋଟିଏ ଲେଖାଏଁ ପୁଡାର ମସଲା ଢଳା ହେଲା ।ମସଲା ସିଝା ପାଣି ୩ ହଣ୍ଡାରେ ସମାନ କରି ଢାଳି ଦିଆ ଗଲା ।ମସଲା ପୁଡାରେ ସେଇ ଗୁଜୁରାତି ,ଡାଲଚିନି,ଲବଙ୍ଗ ,ଅଳେଇଚ ଶିଝୁଥିଲା ।କାନିକା ଓରଫ ପଲାଉ ଓରଫ ଘିଅ ଭାତ ବର୍ତ୍ତମାନ ଚୂଲିରୁ ଓହ୍ଲା ହେଲେ ।ତିନି ହଣ୍ଡା ଉପରେ ତିନୋଟି ବଡ ପିତଳ ଘୋଡଣି ରଖାଗଲା ।ଘୋଡଣି ଉପରେ ଜଳନ୍ତା କାଠ ନିଆଁ ଖେଳେଇ ଦେଲେ ।ଦାଣ୍ଡ ପର୍ଯ୍ୟନ୍ତ ପଲାଉ ବାସି ଫଟାଉଛି ।

ମାଛ କାମକୁ ଆସିବା ।ନନା ମାଛ କାଲିଆ ଯୋଗଡରେ ରହିଲେ ।ଜୀରା ଅଦା ତା ବାଟଣ ଅଛି । ଘଣା ସୋରିଷ ତେଲ ମାଠିଆରୁ ୨/୩ ସେର ପିତଳ କରେଇରେ ଢାଳନ୍ତି ।ଜୀରା,ଶୁଖିଲା ଲଙ୍କା ,ଫୁଟଣ କରି ମସଲା କସିଲେ ।ବାସ ଆସିଲା ।ନଡିଆ ରସ ୮/୧୦ ସେର ଢାଳି ମାପରେ ପାଣି ଦେଲେ ।ଲୁଣ ,ହଳଦୀ ଗୁଣ୍ଡ ଅନୁମାନ ମୁତାବକ ପଡିଲା ।ଲଙ୍କାଗୁଣ୍ଡ ଛାଡିଦେଲେ ।ତେଜପତ୍ର ,ଗୁଜୁରାତି ,ଡାଲଚିନି ,ଲବଙ୍ଗ ,ଅଳେଇଚ ଗୁଣ୍ଡ ପକାଇ ଝୋଳ କୁ ଘଡିଏ ଫୁଟାଇ ବହଳିଆ କରନ୍ତି ତ ମାଛ ଖଣ୍ଡ ମାନ ଢାଳିଲେ ।ଦିଫୁଟଣା ଆସିଲାତକରେଇ ଓହ୍ଲାଇ ଆଇଂଷ ପାଇଁ ବାରିଜ ଜାଗାରେ ଥୋଇ ଆଉ ୨ କରେଇ ପୂର୍ବ ପରି କାଲିଆ ତିଆରି କଲେ ।କାଲିଆ କାମ ଫତେ ।ଖତିଆ ବାପା ,ଘନ କକେଇ ଏଥି ମଧ୍ୟରେ ଦୁଇ ହଣ୍ଡା ମହୁର ତିଆରି ସାରିଲେଣି ।ପରିବାତ ଶିଝିଥିଲା ।ତେଲ ଢାଳି ଫୁଟଣ କଲେ ।ମସଲା ଜୀରା,ଅଦା ବଟା ମାମୁଲି କସି ପାଣିଦେଲେ ।ହଳଦୀ ଲୁଣ ତ ମାପରେ ପଡିଲା ।ପାଣି ଫୁଟିଲା ପରେ ଭଜା ଚୂନା ମାଛ ,ମୁଣ୍ଡ ,ଲାଞ୍ଜ କେତେ ଖଣ୍ଡ ପକାଇ ଖଣତାରେ ଚୂନା କରିଦିଅନ୍ତି ।୨/୪ ଫୁଟଣା ପରେ ଦୁଇ ହଣ୍ଡାରେ ସମାନ କରି ଢାଳି ଘଣ୍ଟାଘଣ୍ଟି କରିଦେଲେ ।କାମଶେଷ ।ଝଡାବେସର ।କାଲିଆ କାମ ସାରି ନନା ବେସର ପାଇଁ ଅଣ୍ଟା ଭିଡନ୍ତି ।ବେସର ପରିବା କଟା ମାଟିଆଳୁ ୩/୪ ଟୋକେଇ ଆସିଲେ । ଅଳ୍ପ କଞ୍ଚା କଦଳୀ ।କଟା ସାରୁ ୫/୬ ସେର ।ତେଲ ଫୁଟଣ କରି ପରିବା ମାମୁଲି କସିଲେ ।କସା ପରିବା କାଢି କରେଇରେ ୩/୪ ସେର ତେଲ ଢାଳି ଜୀରା ,ଲଙ୍କା ,ପଞ୍ଚଫୁଟଣ ପକାଇ ଘାଣ୍ଟନ୍ତି ।ଫୁଟଣ ଫୁଟି ବାସ ଚହଟିଲାତ ବଟା ସୋରିଷ ,ଜୀରା ୪/୫ ସେର ଅନୁମାନରେ ପକାଇ ହଲ୍କା ଭାଜିଲେ ।ସବୁ ମାଛ ମୁଣ୍ଡ ,ଲାଞ୍ଜ ୨୦/୨୫ ସେର ଖଣ୍ଡ ମାଛ ପକାଇ ଘାଣ୍ଟିଲେ ତ ମୁଣ୍ଡ ଗୁଡିକ ଭାଙ୍ଗି ମିଶାଇ ଦେଲେ ।ଦୁଇଟି ହଣ୍ଡାରେ ମାପରେ ପାଣି ଫୁଟିଛି ।ପରିବା ମାଛ ବାଣ୍ଟିକରି ଛାଡିଲେ ।କସା ମସଲା ଦୁଇଟିରେ ଅଧା ଅଧା ଢଳା ହେଲା ।ଗରମ ମସଲା ଗୁଣ୍ଡ ଛାଡି ଦେଲେ ।ପରିବା ମାଛ ଫିଟିଯାଇ ବେସର ମୋଟ ହେଲା ତ ଚୂଲିରୁ ଓହ୍ଲାଇ ତାଙ୍କ ଆସନରେ ସ୍ଥାପନ କଲେ ।

ସତିଆ ମଉସା ଅମାଲୁ କାମ ସାରିଛନ୍ତି । ପାଞ୍ଚ ତାଡିଆ ଅମାଲୁ ସଜେଇକରି ମକଦ୍ଦମଙ୍କୁ ଧରେଇଛନ୍ତି ।ଗୋଟେ ତଡିଆରେ ୩୦୦ ପର୍ଯ୍ୟନ୍ତ ଅମାଲୁ ।ମୋଟ ପ୍ରାୟ ୧୫୦୦ ଖଣ୍ଡ ।ସଭାରେ ୫୦୦/୬୦୦ ଖଣ୍ଡ ଯିବ । ବନ୍ଧୁବାନ୍ଧବ ନେବେ ।ଗାଁ ମାମଲତକାର ବୁଝାବୁଝି କରୁଛନ୍ତି ।ଅମାଲୁକୁ ତ ସମସ୍ତଙ୍କର ଆଶା ।୫/୧୦ ଖଣ୍ଡ ଲେଖାଏଁ ଦିଆହବ ।ନୂଆ ବୋହୁ ବାପଘରକୁ ୧୦/୧୫ ଖଣ୍ଡ ଦବା ।ଲମ୍ବ ପଣତ ସବୁ ଆଡକୁ ପାଏ ।ଆମକୁ ଦୁରଭୂସ କରି ୩/୪ ଖଣ୍ଡ ଲେଖାଏଁ ଆଗରୁ ଦେଇଥିଲେ ।

ରୋଷେଇ କାମ ସରିଆସୁଛି ।ଦିନ ଗଡି ଗଲାଣି ।ଶେଷ ପର୍ବ ।ଖିରୀକୁ ଛାଡି ଏବେ ସବୁ ହଣ୍ଡା ,କରେଇରେ ଘିଅ ଅଧ ସେର ଲେଖାଏଁ ,ଜୀରା ଚୂନା,ଲଙ୍କା ଚୂନା ମାପରେ ପକାଇ ହଣ୍ଡା ,ହାଣ୍ଡି ,କରେଇକୁ ମାମୁଲି ଘାଣ୍ଟିଦିଆଗଲା । ଏଥି ମଧ୍ୟରେ ଉସୁନା ବାଲାମ ଚାଉଳ ଭାତ ବି ଉତୁରି ଯାଇଛି ।କନିକାତ ଧରିଲେ ଘିଅ ବୋହି ପଡୁଛି ।କେତେ ଲୋକ ମିଠା ଘିଅ ଭାତ ଖାଇବାକୁ ଭଲ ପାଆନ୍ତି ନାହିଁ ।ଭାତ ବଜନ୍ତ୍ରୀ ଖାଇବେ ।ଭୋଇ ,ବିରାଦ ,ବଜନ୍ତ୍ରୀ,ନଜାମତ ଲୋକ ତ ଗଣ୍ଡେ ଭଲ ଖାଆନ୍ତି ।କାନିକା ସହିତ ଭାତ ବି ଖାଇବେ ।ଖଞ୍ଜାଶାଳ କାମ ଶେଷ ।ପାଇଟି ସାରି ବସିବ ନା ଭଗାରି ସାଧି ହସିବ ।ସରିନି ସରିନି ଅଗ୍ନି ଦେବତା ଚୁଲି ଲାଗିଲା ବେଳେ ଘିଅ ଖାଇଥିଲେ ।ବର୍ତ୍ତମାନ ସବୁ ହାଣ୍ଡିରୁ ଡାବରେ ନେଇ ଅଗ୍ନିଦେବତାଙ୍କୁ ଦେଲେ ।ନିଆଁର ଅରୁଆ,ଉସୁନା ,ଆଇଂଷ ,ନିରାମିଷ ନାହିଁ ।ଅଗ୍ନି ଯେମନ ସର୍ବ ଖାଇ ,ତହିରେ ବଛା ବଛି ନାହିଁ ।

ଶେଷପର୍ବ ।ଚାଖୁଣିଆ ଜଣେ ଚାଖିବ ।ଅଲଣା ,ଲୁଣିଆ ,ଭଲ ,ମନ୍ଦ ସାର୍ଟିଫିକେଟ ଦବ ।ନିଧି ଷଡଙ୍ଗୀ ମାମଲତକାର ଖାଇବା ଲୋକ ।ସବୁଥିରୁ ସବୁଥିରୁ ଗୋଟିଏ ବଡ କଂସାଥାଳିରେ ବାଢି ନିଧିଆ ବାପାଙ୍କୁ ନନା ଧରେଇ ଦେଲେ ।“ଆରେ ଉଦି ଏତେ ଗୁଡାଏ କଣ ଦଉଛୁ ।ଟିକେ ଚାଖିବା କଥା” କହି ଆରମ୍ଭ କରିଦେଲେ ।ବେସର ,କାଲିଆ ଥରେ ଦିଥର ମାଗିସାରିଲେଣି ।“ଆରେ ଅମାଲୁ ଚଖେଇଲୁନି”।୨/୩ ପଟ ଅମାଲୁ ବି ଚଲେଇଲେ ।ରୋଷେଇ ଏକ ନମ୍ବର ।ତତେ ରୋଷେଇରେ କିଏ ଖୁଣିବାର ଅଛି ?ଟିକେତ ରଖିବା କଥା ।ସଭାରେ ବସିବା ।ଆସୁଛି ।ଗାଈ ଗୋଠ ଲେଉଟିଲେଣି ।ବେଳକାଳରେ ରୋଷେଇ ସରିଛି ।

ଦେବସଭା

ଦୁଆରେ,ଖଞ୍ଜାଶାଳରେ,ଦାଣ୍ଡରେ ବଡ ବଡ ମାଟି ଦୀପ ଜଳିଲାଣି ।ପୋଲାଙ୍ଗ ତେଲ ଦୀପରେ ଢାଳି ଗୋଟା ବଳିତାଟିଏ ଲେଖାଏଁ ନିଆଁ ଲଗାଇ ଦିଆଗଲା ।କିରାସିନି ଲଣ୍ଠଣ ,ଡିବିର ୧୯୪୨ ବେଳକୁ କାଁ ଭାଁ ଦେଖାଯାଏ ।ହରିମକଦ୍ଦମଙ୍କ ୩୦/୪୦ ପୋଲାଙ୍ଗ ଗଛର ତୋଟା ।ପୋଲାଙ୍ଗ ପାଚିଲେ ଶହ ଶହ ବାଦୁଡି ପାଚିଲା ପୋଲାଙ୍ଗ ଚୋପା ଖାଇଥାନ୍ତି ।ସକାଳୁ କୋଳିଭଳି ପୁଲାଙ୍ଗ ତୋଟା ଯାକ ଲେସି ହୋଇ ଯାଇଥାଏ ।ଚାକର ଟୋକା ,ମକଦ୍ଦମେ ,ସୁଦର୍ଶନ ସକାଳୁ କଅଁଳ ଗାଧୁଆ ଯାଏ ପୋଲାଙ୍ଗ ଗୋଟାନ୍ତି ।ପୋଲାଙ୍ଗ ଋତୁରେ ୮/୧୦ ଭରଣ ପୋଲାଙ୍ଗ ପାଇଥାନ୍ତି ।ବିକ୍ରିବଟା କରି ବେସ ଦିପଇସା ପାଆନ୍ତି । ହରି ବେହେରା ଓରଫ ହରିଆ ତେଲିର ତେଲ ଘଣାରେ ବର୍ଷକ ପାଇଁ ପୋଲାଙ୍ଗ ପେସି ତେଲ ରଖିଥାନ୍ତି ।ପ୍ରକୃତି ମଣିଷର ଆବଶ୍ୟକତା ପାଇଁ ସବୁକିଛି ରଖିଥିଲା ।ଲୋଭ ପାଇଁ ନୁହେଁ ।ମୁର୍ଖ ମଣିଷ ପ୍ରକୃତିକୁ ଖିନ ଭିନ୍ନ କରି ଧ୍ଵଂସ କରିଚାଲିଛି ।ଆଜି ସେ ପୋଲାଙ୍ଗ ଗଛ ନାହିଁ ।ଆମ୍ବ ତୋଟା ନାହିଁ ।ଚାରିଆଡେ କଂକ୍ରିଟ ଜଙ୍ଗଲ ।ଶୀତ ଦିନେ ପଙ୍ଖା ଦରକାର ହେଲାଣି ।ସେଣିକି ଗଲେ ଭୋଜି ଖାଇପାରିବା ନାହିଁ ।

ଦାଣ୍ଡରେ ଦେବସଭା ବସିବ ।ଅତିଥି ଦେବ ଭବଃ । କେଳେଇକୁ ଡକାଡକି କରିବାକୁ ବରାଦ ହୁଏ ।ବାହାଘର ପରେ ବେଦି ମୁହଁ ପୋଡା ।ହାତ ଗଣ୍ଠି ପଡି ବେଦିରେ ହୋମ ସରିଛି ।କୁନି ବୋହୁକୁ ଜଗନ୍ନାଥଙ୍କ ପହଣ୍ଡି କଲାଭଳି ମାଇପିମାନେ ଏ ହାତରୁ ସେ ହାତ କରି ଈଶାଣରେ ହାଜର କରିଦେଲେ ।ଭୋକରେ ହାଁ ହାଁ ।ମୁହଁ ସୁଖି ଯାଇଛି ।ହାର ଦେଈ ବୋହୁକୁ ଖୁଆଉଛନ୍ତି ।ମକଦ୍ଦମଙ୍କ ବରାଦ ।ଦାଣ୍ଡରେ ବଡ ବଡ ପଲମ ୪/୫ ରଖି ସୋରିଷ ତେଲ ଅନୁମାନ ସେରେ ଲେଖାଏଁ ଢଳାଗଲା ।ପୁରୁଣା କନାରେ ସୋରିଷ ବାନ୍ଧ ସବୁ ପଲମରେ ଥୁଆ ହେଲା ।କନାରେ ନିଆଁ ଲଗଗଲା ।ଜଳିଲା ଜଳିଲା ବୋଲି ଦାଣ୍ଡଟା ଆଲୁଅ ହୋଇଗଲା ।

ବାରିକ ୭୦୦/୮୦୦ କଦଳୀ ପତ୍ର ସଜାଡିଥାଏ ।ପତ୍ର ଦାଣ୍ଡକୁ ଆସିଲେ ।ଲୁଣ ,କଟା ଲେମ୍ବୁ ,କଞ୍ଚା ଲଙ୍କା ୩ଟି ବାଉଁସିଆରେ ଆସି ବାହା ବେଦି ଉପରେ ଥୁଆ ହେଲେ ।୮/୧୦ ଟି ହାଣ୍ଡିରେ ରୋଷେଇ ଶାଳରେ ସବୁ ରକମ ଅଲଗା ଅଲଗା ରଖା ଗଲା ।ବଢେଇ (ମହାରଣା )ଛୋଟ ବଡ ଡଙ୍କା(ଅଣକ) ୨୦/୨୫ ଟି ଆଗରୁ ତିଆରି କରିଥିଲା ।ପ୍ରତି ହାଣ୍ଡିରେ ଗୋଟିଏ ଲେଖାଏଁ ଡଙ୍କା ପଡିଲା ।୧୦/୧୨ ଟୋକାଙ୍କର ଗୋଟିଏ ଛୋଟ ପ୍ଲାଟୁନ ଠିଆ ହେଲେଣି ।ଏମାନେ ପରଶୁଣି ।ସଭାରେ ପରସିବେ ।ହଟୁଆ ସାହି,ତେଲି ସାହି ,ଭଗତପଡାରୁ ନିମନ୍ତ୍ରିତ ୧୦୦ ପଣେ ଲୋକ ଆସିଗଲେଣି ।ସତରଞ୍ଜି ପକାଇ ସେମାନଙ୍କୁ ମକଦ୍ଦମେ ଉପର ଦାଣ୍ଡରେ ବସାଉଛନ୍ତି ।ମହାଜନ ମାନେ ଗଡିଲେ ।ହାତରେ ଖଣ୍ଡିଏ ଲେଖାଏଁ ପିଢା ।ଢାଳରେ ପାଣି ଧରି ଯାଗ ଧରୁଛନ୍ତି ।ଆଗରୁ ବାରିକ ଦାଣ୍ଡ ଓଳାଇ ପାଣି ଛିଞ୍ଚିଛି ।ବଡ ପଥର କୁଣ୍ଡ 4/5 ଟାରେ ହାତ ଧୋଇବା ବା ପାଇଁ ପାଣିବି ରହିଛି ।ପିଲା ,ଛୁଆ ,ବଡ ମଣିଷ ମିଶି ପ୍ରାୟ ୩୦୦ ମହାଜନ ବସିଗଲେ ।ପରସା ଆରମ୍ଭ ହେବ ।

ବାଞ୍ଛା ବାପାଙ୍କ ହୁକୁମ “ପରସା ପରସି ବନ୍ଦ କର ।ଆରେ ନିଧିଆ ଓରଖିଲୁ କିଏ ଆସିଲା ,ନଆସିଲା”।ଗାଁ ର ଗୋଟିଏ ମୁଣ୍ଡର ନାଁ ଧରି ନିଧିଆ ବାପା ଡାକିଗଲେ ।ସମସ୍ତେ ଆସିଛନ୍ତି ।ବ୍ରଜ ମକଦ୍ଦମଙ୍କ ଘରୁ କେହି ଆସିନାହାନ୍ତି ।“କିରେ ହରିଆ ବ୍ରଜ କାହିଁକି ପୁରିନି ?” “ତା ଜମିରୁ ଘଳିଆରେ ମୋ ବିଲକୁ ପାଣି ଯାଉଥିଲା ।ସେ ଦେଖି ମୋ ସାଙ୍ଗରେ ପାଟି ତୁଣ୍ଡ କଲା ।ବୋଧେ ସେଇ କଥା ଯୋଗୁ ଆସିନି”।“ବୋଧେ ଆସିନି ? ତୋତେ ଗେଲବସର ଲାଗିଛି ।ଯା ତାକୁ ଡାକି କରି ହାତ ଗୋଡ ଧରି ଆଣ ।ତୁ ନିମିତ ଗ୍ରାହୀ ।ତୁ ନମସା ।ସେ ଦଶମସା ।ବ୍ରଜ ତା ପିଲାଏ ନ ଆସିବା ଯାଏ ସଭା ବନ୍ଦ ।ବାଞ୍ଛା ବାପା ତ ଝୁଣ୍ଟା ଦେଇଦେଲେ ।ମକଦ୍ଦମେ ଜଣକୁ ସାଙ୍ଗରେ ଧରି ବ୍ରଜ ଘରକୁ ଗଲେ ।ବ୍ରଜକୁ ତ ରୋଷେଇ ବାସ୍ନା ହଉଥାଏ ।ମକଦ୍ଦମ ଗୋଡ ହାତ ଧରି ଭୁଲ ମାଗିଲେ ।“ଦଣ୍ଡିବା ଶକ୍ତି ଜାର ଥାଇ ,ସେ ପୁଣି କ୍ଷମା ଆଚରଇ” “ଆରେ ହରି ମୁ କେତେକର ଲୋକ ।ତୁ ମୋ ଦୁଆରକୁ ଆସିଲୁଣି ।ହଊ ଚାଲ ।ଆରେ ରତନା,ଧୋବା, କାଳିଆ ଆସ ଖିରୀ ପିଠା ଯିବା”। କଥା ମିଳେଇ ଗଲା । ବ୍ରଜ ମକଦ୍ଦମେ ସଭାରେ ପୁରିଲେ ।ପୁଣି ଏକ ନୂଆ କେସ ।ସମସ୍ତେ ଗୁଣୁଗୁଣୁ ହଉଛନ୍ତି ।ବଳି ନନ୍ଦେ ବିଧବା ବିବାହ କରିଥାନ୍ତି ।ତାଙ୍କୁ ସମାଜରୁ ବାସନ୍ଦ କରାଯାଇଥାଏ ।କେଲେଇଙ୍କ ହୋସ ନାହିଁ ।ତାଙ୍କୁ ଡାକିଦେଇଛନ୍ତି ।ନନ୍ଦଙ୍କ ଖୁସି ଦେଖିବ କଣ ।ସେ ଜାତି ହେଉଛନ୍ତି ।ପିଲା ଛୁଆ ଧରି ସଭାରେ ବସିଗଲେଣି ।କଥା ଫିଟିଗଲା ।ବାଞ୍ଛା ବାପା ତ ସବୁ ସରିବରି କରିବେ । ହଇରେ ହରିଆ ତୋର କାଣ୍ଡ ଜ୍ଞାନ ନାହିଁ ।ତୁ କେଲେଇକୁ ଜଗେଇଥାନ୍ତୁ ।ସେ ବି କେମିତି ଡାକିଦେଲା ।ଏବେ ଖାଇବା ପତ୍ରରୁ ତାକୁ ଉଠେଇ ଦବ ଆମକୁ କଣ ମଣିଷ କହିବେ ।ଯା ୧୦ ଟଙ୍କା ଆଣ ।ତା ପାଇଁ ଗାଁ କୋଠକୁ ଜରିମାନା ।ମକଦ୍ଦମେ ଟଙ୍କା ଜମା କଲେ ।ପରସା ପରସି ଆରମ୍ଭ ହେଲା ।

୮୦ ବର୍ଷ ତଳର ସାମାଜିକ ସମ୍ପର୍କ ।ପଞ୍ଚାୟତ ବିଚାର ମାନିବାକୁ ହବ ।ଆଜି ଗାଁ ସବୁ ମରିଯାଉଛନ୍ତି ।ଗ୍ରାମ୍ୟ ସଂସ୍କୃତି ଇତିହାସ ପାଲଟି ଗଲାଣି ।ଭାଇଚାରା ଭାଷା କୋଷରେ ବନ୍ଦୀ ।ଘର ଘରକେ ଫାଂକ ।ସେ ସମାଜ ନାହିଁ କି ସେ ସମ୍ପର୍କ ନାହିଁ ।ଯେତେ ଋଷି ସେତେ ଜଟ ।ପରସା ପରସି ଲାଗିଗଲା ।ଲୁଣ ,ଲଙ୍କା ,ଲେମ୍ବୁ ଜେନ ଲଗାଇ ଗଲା ।କନିକାରେ ତ ଘିଅ ବୋହି ପଡୁଛି ।ତଥାପି ସପନୀ ମକଦ୍ଦମେ ଗୋଟିଏ କଂସାରେ ଘିଅ ଧରି ସବୁ ପତ୍ରରେ ଲଗେଇଲେ ।“ସବୁ ପତ୍ର ଲାଗିଗଲା ତ ହାତ ଚଳାଅ”।ଜଣେ ଲୋକ ପାଣି ଧରି ବୁଲିଯାଏ ।ବ୍ରାହ୍ମଣ ସଭା କିଏ ଚଳୁକରିବ ।ଭୋଜି ତ ଭୋଜି ଭଳିଆ ହୋଇଛି ।ତଳକୁ ମୁହଁ କରି ଚଲାଉଛନ୍ତି ତ ହାତକୁ ଫୁରସତ ନାହିଁ ।ମାଲ ଠେଲ ଠେଲ ।ମାଛ କାଲିଆବି ପିଲା ବଡ ଦେଖି ୨/୩ ଖଣ୍ଡ ଲେଖାଏଁ ପଡିଲାଣି।ଟାଙ୍କି ପୁରି ଫାଟିବା ଉପରେ ।“ଆରେ ଖିରୀ ଅମାଲୁ ଅଛି”। ପିଇବା ପାଣି ଆଣିଥାନ୍ତି ।ହେଲେ ପାଣି ପିଇ ଦେଲେ ଖିରୀ ପାଇଁ ପେଟରେ ଜାଗା ରହିବନି ।ଖିରୀ ଲାଗିଲା ।ପଛରେ ଅମାଲୁ ପଟେ ଲେଖାଏଁ ଚାଲିଲା ।କେହି କେହି ଅମାଲୁ ପତରରେ ପଡିବା ଆଗରୁ ହାତ ଦେଖାନ୍ତି ।ଘରକୁ ନେବେ ।ଆରେ ଘରେ ତ ପିଲାଛୁଆ ସମସ୍ତେ ଆସିବେ ।ଆଉ ଘରକୁ କଣ ନବ ।କଳ ।ପରସୁଣୀ ହାତରେ ପଟେ ଦିଅନ୍ତି ।ପତରରେ ପଟେ ବି ପକାନ୍ତି ।ଦିନ ଯିବ ।କଥା ଥବ ।ଦାତାର ତ ଖୋଲା ହାତ ।ଖାଆନ୍ତୁ ।

୪/୫ ଜଣ ଉଠି ହାତ ଧୋଇବେ କଣ ତରବରିଆ ଦୌଡିଲେ ।ଲୁଗାରେ ପଡିଗଲାଣି ।କେମିତି ଖଲାସ କରିବେ ।ମହାଜନ ଉଠିଲେ ।ବାରିକ ,ବାରିକିଆଣୀ ପତ୍ର ଉଠାଇ ଦାଣ୍ଡ ଓଳିଆ ଓଳି କରି ପାଣି ଛିଞ୍ଚି ଦେଲେ ।ଭଦ୍ରଲୋକମାନେ ବସିଗଲେ ।ମକଦ୍ଦମେ ତଦାରଖ କରୁଥାନ୍ତି ।ବୋଝ ହାଲକା ହବା ଉପରେ ।ସ୍ତ୍ରୀ ପିଲାମାନେ ଡକା ହେଲେଣି ।ଭୋଇ ୪ ସାହି ,ନଜାମତ ଲୋକ ,ଶଙ୍ଖୁଆ ,ମହୁରିଆ,ବାଜାବାଲା ସମସ୍ତେ ଗଦା ହେଲେଣି ।ବ୍ରାହ୍ମଣ ସଭା ତ ।ସେମାନେ ଅଚ୍ଛବ ।ମନୁବାଦରେ ସେମାନେ ସେବକ ।କ୍ରୀତଦାସ ।ଅନ୍ୟମାନେ ଖାଉଥିବେ ସେମାନେ ଚାହୁଁଥିବେ ।ହିନ୍ଦୁ ଧର୍ମରେ ମାନବିକତାର ସଂଜ୍ଞା “ଜାତି ବିଚାର ହିଁ ଶ୍ରେଷ୍ଠ ବିଚାର” ।ହରି ମକଦ୍ଦମଙ୍କର ଆଗ ପଛ ବସିବା ବଦଳାଇବାର କ୍ଷମତା ନାହିଁ ।ହେଲେ ସମସ୍ତଙ୍କ ପାଇଁ ସମାନ ଖାଦ୍ୟ ବ୍ୟବସ୍ତାରେ ସାଲିସ ନାହିଁ । ରାତି ପହରରେ ପାଞ୍ଚ ଘଡି ବେଳକୁ ସବୁ କାମ ସାରି ମକଦ୍ଦମେ ଅଗଣାକୁ ଫେରନ୍ତି । ଅମାପ ଆତ୍ମ ସନ୍ତୋଷ ।ଅଗଣାରେ ଘରଣୀକୁ ଦିପଦ ମିଠାକଥା କହି ଓରଖୀ କଲେ ଗାଁ ରୁ ବୁଢା, ବୁଢୀ ,ବିଧବା କିଏ ସଭାକୁ ଆସିନାହାନ୍ତି | ସମସ୍ତଙ୍କ ଘରକୁ ଥାଳି ପଠାଇଲେ | ରୋଷେଇଆ ,ପରସୁଣୀ, ଘରଲୋକେ ,ବନ୍ଧୁବାନ୍ଧବ ବି ଶହେ ଦେଢଶହ ହେବେ | ବସିଗଲେ | ମାଲତ ଠିଲ ଠିଲ| ଖାଇବା ବି ବେଳକୁ ହେଇଛି | ସମସ୍ତେ ଖାପିଆ କଲେ | ହରିମକଦମେ ନନା ଙ୍କୁ କୁଣ୍ଢେଇ ପକାଇ ଖୁବ ତାରିଫ କଲେ କହିପକାଇଲେ ,”ଉଦି ତୁତ ବାଣୁଆ |ହାବିଳି ଠିକା ଲିଭିଛି” |ଆମ ଗାଁ ଖିରୀ ପିଠା ଏତିକି ।ମୋର ସହୃଦୟ ପାଠକେ ବାସନା ବାରିଥିବେ ।ବାହାଘର ତ ତୋଳା କନିଆ ।ଶୋଳ ମଙ୍ଗଳା ଯାଏ ଟିକି ବୋହୁ ଶାଶୁ ଘରେ ରହିବ ।ପରେ ତିଥ ବାର ଦେଖି ବାପ ଘରକୁ ଯିବ ।ଘର ଯୋଗ୍ୟା ହେଲେ ପହିଲିପାଳି ଶାଶୁଘର ଯାତ୍ରା ।ନିଶେକ କର୍ମ ହେବ ।ପୁଣି ଗୋଟେ ଭୋଜି ଭାତ ଖାଇବା ।ଅପେକ୍ଷା କରି ରହିବା ସେ ଦିନକୁ ।ସମସ୍ତଙ୍କୁ ନମସ୍କାର ।ମୋତେ ପଢିଛନ୍ତି ତ ମୁଁ କୃତ କୃତ । ରହୁଛି । ମୁଁ ନଟ ସାର ।

Share This Article
ଅବସରପ୍ରାପ୍ତ ଶିକ୍ଷକ, ବିଶିଷ୍ଟ ଜୈବ ଚିନ୍ତକ ଓ ଦେଶୀଚାଷୀ ( Indigenous farmer, Organic Thinker and Retired Teacher)