ମନମୋହନ ମିଶ୍ର – ୨୩. ୩. ୧୯୨୦ – ୧୯, ୧୧, ୨୦୦୦
[box type=”shadow” align=”” class=”” width=””](ବିପ୍ଳବୀ କବି ମନମୋହନ ମିଶ୍ର ୧୯୯୬ ମସିହା ଏପ୍ରିଲ ଦୁଇ ତାରିଖରେ ଉତ୍କଳ ବିଶ୍ୱବିଦ୍ୟାଳୟର ଗଣିତ ବିଭାଗର ବାର୍ଷିକ ଉତ୍ସୋବରେ ଦେଇଥିବା ଉଦବୋଧନକୁ ଏଠାରେ ଉପସ୍ଥାପନ କରିଛନ୍ତି ଉତ୍କଳ ବିଶ୍ୱବିଦ୍ୟାଳୟର ଗଣିତ ବିଭାଗର ପ୍ରଫେସର ଡଃ ବୀରେନ୍ଦ୍ର ନାୟକ । – ସମ୍ପାଦକ)[/box]
ପ୍ରଫେସର ବୀରେନ୍ଦ୍ର ନାୟକ : ମନମୋହନ ମିଶ୍ରଙ୍କ ନାଁ ଶୁଣିଥିଲି । ବୋଧହୁଏ ପିଲାବେଳେ ଥରେ ସେ ଜାମସେଦପୁର ଯାଇଥିଲେ, ସେତେବେଳେ ତାଙ୍କୁ ଦୂରରୁ ଦେଖିଥିଲି । କିନ୍ତୁ ତାଙ୍କୁ ଅତି ପାଖରୁ ଦେଖିଲି ୧୯୯୫ ମସିହାରେ, ପୁରୀରେ ଅନୁଷ୍ଠିତ ଏକ ସଭାରେ । ଅନ୍ନପୂର୍ଣ୍ଣା ଏ’ର ପ୍ରେକ୍ଷାଳୟରେ ସଭା ହେଉଥାଏ । ଶ୍ରୀମତୀ ଅନ୍ନପୂର୍ଣ୍ଣା ମହାରଣା, ଡକ୍ଟର ଆଶୁତୋଷ ପରିଡା ଓ ମୁଁ ସେହି ସଭାର ମଂଚରେ ଶ୍ରୀଯୁକ୍ତ ମନମୋହନ ମିଶ୍ରଙ୍କ ସହ ଉପସ୍ଥିତ ଥାଉ । ସେହି ସଭାରେ ପ୍ରଥମ ଥର ପାଇଁ ତାଙ୍କ ମୁହଁରୁ ତାଙ୍କର କବିତାର ଆବୃତ୍ତି ଶୁଣିଲି । ମୁଁ ଆଶ୍ଚର୍ଯ୍ୟ ହେଉଥିଲି ଯେ ମନମୋହନ ବାବୁ ଯଦି ରାଜନୀତିରେ ନଥାଇ ଗାୟକ ହୋଇଥାନ୍ତେ ତାହାହେଲେ ସେ ବୋଧହୁଏ ଭୂପେନ ହଜାରିକାଙ୍କ ଠାରୁ କୈାଣସି ଦୃଷ୍ଟିରୁ ଊଣା ହୋଇ ନଥାନ୍ତେ । ୭୫ ବର୍ଷ ବୟସରେ ଏପରି ସ୍ୱର ମୋତେ ଅଭିଭୂତ କରୁଥିଲା । ମୁଁ ଚାହିଁଲି ଯେ ଆମ ଗଣିତ ବିଭାଗର ଛାତ୍ର/ଛାତ୍ରୀ, ଆଜିକାର ଯୁବକ ଯୁବତୀ ମନମୋହନ ବାବୁଙ୍କୁ ଶୁଣିବା ଦରକାର । ମୁଁ ଥିଲି ଆମ ଛାତ୍ର ସେମିନାରର ଉପଦେଷ୍ଟା । ପ୍ରତ୍ୟେକ ବର୍ଷ ଆମର ସେମିନାରର ବାର୍ଷିକ ଉତ୍ସବ ହୁଏ ଓ ଜଣେ ବରେଣ୍ୟ ବ୍ୟକ୍ତିଙ୍କୁ ଆମେ ଅତିଥି ଭାବରେ ନିମନ୍ତ୍ରଣ କରିଥାଉ। ୧୯୯୬ ମସିହାରେ ଅନୁଷ୍ଠିତ ବାର୍ଷିକ ଉତ୍ସବରେ ମନମୋହନ ମିଶ୍ରଙ୍କୁ ନିମନ୍ତ୍ରଣ କରିବାର ପ୍ରସ୍ତାବ ସେମିନାରର ଛାତ୍ର ସଦସ୍ୟଙ୍କ ନିକଟରେ ରଖିଲି । ସେମାନେ କେହି ମନମୋହନ ମିଶ୍ରଙ୍କ ନାଁ ସୁଦ୍ଧା ଶୁଣି ନଥିଲେ । ମୁଁ ତାଙ୍କୁ କହିଲି ଯେ ଓଡିଶାର ପ୍ରସିଦ୍ଧ ମହାବିଦ୍ୟାଳୟ ରେଭେନ୍ସା କଲେଜର ଛାତ୍ର ୟୁନିୟନର ପ୍ରଥମ ଛାତ୍ର ସଭାପତି ଥିଲେ ମନମୋହନ ମିଶ୍ର । ସେ ଜଣେ ରାଜନୈତିକ ବ୍ୟକ୍ତି କିନ୍ତୁ ଅପୂର୍ବ ଗଣସାହିତ୍ୟର ସ୍ରଷ୍ଟା । ପିଲାମାନେ ରାଜି ହେଲେ। ତାପରେ ମୋର ଦାୟିତ୍ୱ ହେଲା ମନମୋହନ ବାବୁଙ୍କୁ ଅତିଥି ଭାବେ ଆସିବାକୁ ମନାଇବା । ଯେତେବେଳେ ତାଙ୍କୁ ଏ ପ୍ରସ୍ତାବ ଦେଲି , ସେ କହିଲେ ଗଣିତ ବିଭାଗରେ ମୁଁ କଣ କହିବି? ମୁଁ ତ ଇଂରାଜୀ ସାହିତ୍ୟର ଛାତ୍ର ଥିଲି। ମୁଁ ତାଙ୍କୁ କହିଲି ଆପଣ କହିବେ ନାହିଁ ବୋଲିବେ। ସେ ହସିଲେ। କହିଲେ ଯାହା ବୋଲିବି ତାକୁ କଣ ଆଜିକାର ଯୁବକ-ଯୁବତୀଙ୍କୁ ପସନ୍ଦ ହେବ? ମୁଁ କହିଲି ପରୀକ୍ଷା କରିବାରେ ଅସୁବିଧା କଣ? ଆପଣ ତ ଜୀବନରେ ବହୁ ପରୀକ୍ଷା କରିଛନ୍ତି । ଇଏ ଆଉ ଗୋଟିଏ ପରୀକ୍ଷା ହେବ । ସେ ରାଜି ହେଲେ ଓ ଆସିଲେ । ତାରିଖ ଥିଲା ୨ ଏପ୍ରିଲ ୧୯୯୬ । ସ୍ଥାନ ଥିଲା ଉତ୍କଳ ବିଶ୍ୱବିଦ୍ୟାଳୟର ମହାରାଜା କୃଷ୍ଣଚନ୍ଦ୍ର ଗଜପତି ପ୍ରେକ୍ଷାଳୟ । କେବଳ ଗଣିତ ବିଭାଗର ଛାତ୍ର/ଛାତ୍ରୀ ନଥିଲେ ସେ ପ୍ରେକ୍ଷାଳୟରେ, ବିଶ୍ୱବିଦ୍ୟାଳୟର ଅନ୍ୟ ବିଭାଗରୁ ଛାତ୍ର/ଛାତ୍ରୀମାନେ ମଧ୍ୟ ଥିଲେ। ସେ କିପରି ନିଜର ବକ୍ତବ୍ୟ ରଖିଥିଲେ ଓ ସୁଲଳିତ କଣ୍ଠରେ ତାଙ୍କ ନିଜର ସ୍ମରଣୀୟ କବିତା କେତୋଟି ଆବୃତ୍ତି କରିଥିଲେ-ତାହାକୁ ଆମେ ଅଡିଓ କାସେଟରେ ରେକର୍ଡ କରି ନେଉଥିଲୁ । ସେହି ବକ୍ତବ୍ୟକୁ ୟୂଟ୍ୟୁବରେ ଆପଣମାନେ ପରବର୍ତ୍ତୀ ସମୟରେ ଦେଖିପାରିବେ ।
ମନମୋହନ ମିଶ୍ରଙ୍କ ବକ୍ତବ୍ୟ:
“ଆଜିର ମଞ୍ଚାସୀନ ବନ୍ଧୁଗଣ ଏବଂ ଗଣିତ ବିଭାଗର ଛାତ୍ରଛାତ୍ରୀଗଣ, ବନ୍ଧୁଗଣ। ଯେତେଗୁଡ଼ିଏ କଥା ମୋ ସମ୍ବନ୍ଧରେ କୁହାଯାଇଛି ମୁଁ ସେଥିପାଇଁ କେତେ ପରିମାଣରେ ଭାଜନ ସେଇକଥା ଆଜି ମୁଁ ବିଚାର କରି ଦେଖୁଛି। ମୁଁ ପ୍ରକୃତରେ ଆପଣମାନଙ୍କ ପରି ଜଣେ ଲୋକ। ଏଇ ଗରିବ ଭାରତବର୍ଷ ଭିତରେ ଆମେମାନେ ଯେଉଁମାନେ ସବୁ ଜନ୍ମ ହେଇଛୁ; ସେମାନେ ପ୍ରକୃତରେ ଏକ ବିରାଟ ଐତିହର ଅଧିକାରୀ ହୋଇଥିଲେ ମଧ୍ୟ ଏକ ବିରାଟ ସଭ୍ୟତାର ଅବସ୍ଥାରେ ଆମେମାନେ ଭାରତବର୍ଷକୁ ତିଆରି କରିଥିଲେ ମଧ୍ୟ ଆମର ପୂର୍ବପୂରୁଷ ସାରା ସଂସାର ଭିତରେ ବିଚିତ୍ର ଭାବରେ ପୃଥିବୀକୁ ଆପ୍ୟାୟିତ କରିଥିଲେ ମଧ୍ୟ ଆଜି ଆମେ ଯେଉଁ ଅବସ୍ଥାରେ ରହିଛୁ ସେତିକିବେଳେ ଅନେକ ଦୁଃଖ ହୁଏ ଯେ, ଆମର ଯିଏ ପୂର୍ବପୁରୁଷ ଥିଲେ ଉତ୍କଳମଣି ଗୋପବନ୍ଧୁ ଦାସ, ସେ ଥରେ କହିଥିଲେ ଯେ, ଆଖି ଖୋଲିଲାବେଳେ ଦେଶକୁ ଯେମିତି ଦେଖିକି ଯାଇଥିବା, ଆଖି ବୁଜିବା ବେଳେ ଯଦି ଦେଶକୁ ସେମିତି ନଦେଖିଥିବା ତା ହେଲେ ମନରେ ଦୁଃଖ ରହିଯିବ । ଆଜି ସେଇକଥା ଆମେ ମନରେ ଭାବିବା ଉଚିତ ପ୍ରତ୍ୟେକ ଲୋକ ଯେ, ଜନ୍ମ ହେବାବେଳେ ଆଖି ଖୋଲିଲା ବେଳେ ଯାହା ଭାବରେ ଆମେ ସଂସାରକୁ ଦେଖିଥିଲୁ ଯେତେବେଳେ ଆଖିକୁ ବନ୍ଦ କରିକି ଯିବା ସେତେବେଳେ ଯଦି ସଂସାର ଆଉ ଟିକିଏ ସୁନ୍ଦର ନ ହୋଇଛି, ଆଉ ଟିକେ ଯଦି ଉନ୍ନତ ନ ହୋଇଛି, ଜନ ସାଧାରଣଙ୍କ ମୁହଁରେ ହସ ନ ଫୁଟିଛି, ଦୁଃଖ ଦାରିଦ୍ର୍ୟ ଯଦି ବନ୍ଦ ନ ହୋଇଛି, ଯଦି ଏ ପର୍ଯ୍ୟନ୍ତ ସୁଧା ହାହାକାର ସ୍ପନ୍ଦନ ସବୁଆଡ଼େ ରହିଛି ତାହାଲେ ଜୀବନଟା ବ୍ୟର୍ଥ ହୋଇଯିବ ବୋଲି ମନେ ହେବ । ସେଇକଥାଟା ଆଜି ଯେତେବେଳେ ମୋ ସମ୍ବନ୍ଧରେ ଏତେଗୁଡ଼ିଏ କଥା କୁହାଗଲା, ସେଥିପାଇଁ ଆଦୌ ମୁଁ ଭାଜନ ନୁହେଁ ସେତେବେଳେ ସେଇକଥାଟି ଲାଗୁଛି । ଆମେ ସଂସାରକୁ ଆସିଲା ପରେ ଆମର ଯାହା ଦାନ ତାହା ଦେବାକୁ ହେବ ଏବଂ ଏଇ ମାଟିକୁ ଯେଉଁଠି ଆମେ ଜନ୍ମ ନେଇଛେ ତାକୁ ଆମେ ଯାହା ଦେଇପାରିବୁ ସେ କଥା, କେତେ ପରିମାଣର ଦେଇପାରିଛୁ ତାକୁ ହିସାବ କରିବାକୁ ହେବ । ଥରେ ଗୋଟିଏ କବିତାରେ ମୁଁ ଲେଖିଥିଲି :-
ଜୀବନ ଦୀପ ଯେବେ ଆଜି ମୋ ଯିବ ଲିଭି
ଶେଷ ନିଶ୍ୱାସ ଯେବେ ପାରିବି ଅନୁଭବି
ମୋ ଋଣ କେତେ ଦୂର କରିଛି ପରିଶୋଧ
ପ୍ରାଣରେ କେବେ ମୋର ଆସିବ ଟିକେ ବୋଧ (୨)
ଅନ୍ଧ ଆଖିରେ ଦେଖି ଅଶିକ୍ଷା କୁହୁଳିରେ
ପାଇଛି ଯେ ଧରିତ୍ରୀ ସଙ୍ଖାଳି କବିତାରେ
ଯେତେ ଅଲଗା ଅଲୋଡ଼ା ଦୁଃଖଶୋକ ଯେତେ ବା ଅଭିଶାପ ।
ଜୀବନ ଦୀପେ ମଧ୍ୟ କରିଲୁ କି ସନ୍ତାପ
ମୁଁ ସେଇକଥା ଭାବୁଛି ଯେ, ଆଜି ମୋର ବୟସ ହୋଇଗଲା ୭୬ବର୍ଷ । ଜୀବନରେ ଆପଣମାନଙ୍କ ପରି ପିଲାଥିଲି। ମୁଁ କଲେଜରେ ପଢ଼ିଛି । ମୁଁ ଭଲ ଛାତ୍ରଥିଲି, ଯାହାକୁ ଭଲଛାତ୍ର କୁହନ୍ତି, ସ୍କଲାରଶିପ୍ ପାଆନ୍ତି ତାକୁ ପାଉଥିଲି । ମୁଁ ଆଇ.ଏସ୍.ସି ପଢ଼ିଥିଲି । ତାପରେ ଆଉ ପଢ଼ିଲି ନାହିଁ । ସାଇନ୍ସରୁ ଚାଲିଗଲି କିନ୍ତୁ ଆପଣମାନେ ହେଉଛନ୍ତି ବିଜ୍ଞାନର ଛାତ୍ର, ଏକଜାକ୍ଟ ସାଇନ୍ସ କୁହାଯାଉଛି ମେଥମେଟିକ୍ସକୁ । ମେଥମେଟିକ୍ସ ହେଉଛି ପ୍ରତ୍ୟେକ ସାଇନ୍ସର, ଅଙ୍କ ହେଉଛି, ଗଣିତ ହେଉଛି ସାରବସ୍ତୁ । ଗଣିତ ବିନା କୌଣସି ବିଜ୍ଞାନ ଚଳିପାରିବ ନାହିଁ। ଯେଉଁମାନେ ହେଉଛନ୍ତି ଏକଜାକ୍ଟ ସାଇନ୍ସର ଲୋକ, ଯେଉଁଥିରେ କି ଦୁଇରେ ଦୁଇ ମିଶିଲେ ୪ ଛଡା ୬ ହେବ ନାହିଁ ଏପରି ଯେଉଁ ପ୍ରକାର କଥା, ସେଇମାନଙ୍କ ଆଗରେ ମୁଁ ଗୋଟିଏ କଥା କହିବାକୁ ଚାହୁଁଛି, ମୁଁ ସେତେବେଳୁ ମନେ ମନେ ଭାବୁଛି ଯେ ମୁଁ କ’ଣ କହିବି? ବର୍ତ୍ତମାନ ଜୀବନ ଭିତରେ ହେତୁ ହେବାଠାରୁ ଆଜି ପର୍ଯ୍ୟନ୍ତ ଯାହା ସବୁକୁ ମୁଁ ଦେଖି ଆସିଲି ଯେତେ ଲୋକଙ୍କୁ ଦେଖି ଆସିଲି, ଯେତେ ସଂସାର ବୁଲି ଆସିଲି ଯେତେ ଦେଶକୁ ବୁଲି ଆସିଲି, ସବୁଠି ଦେଖି ଆସିଛି ଯେ, ଆମ ପରି, ଆମ ଦେଶରେ ଯେତେ ଟାଲେଣ୍ଟ ଅଛି ଅନ୍ୟ ଦେଶରେ କେଉଁଠି ନାହିଁ। କିନ୍ତୁ ସେଇଟା ଏପରି ଭାବରେ ହତାଶରେ ପଡ଼ିଯାଉଛି ଯେପରି ଭାବରେ ସେଇଟା ଏକଦମ୍ ବିନ୍ଦରବୟ ହୋଇଯାଉଛି ତାର ମଧ୍ୟ କୌଣସି ଚିନ୍ତା ନାହିଁ ।
ପୃଥିବୀ ଭିତରେ ମୁଁ ଅନେକ ଦେଶ ଦେଖିଛି, ମୁଁ ବିଲାତ ଦେଖିଛି ମୁଁ ଜର୍ମାନୀ ଦେଖିଛି, ମୁଁ ଫିନଲ୍ୟାଣ୍ଡ ଦେଖିଛି, ମୁଁ ଋଷିଆ ଦେଖିଛି, ମୁଁ ଚୀନ ଦେଖିଛି, ମୁଁ ଜାପାନ ଦେଖିଛି, ମୁଁ ୟୁରୋପର ବିଭିନ୍ନ ଦେଶ ବୁଲି ଦେଖିଛି, ମୁଁ ବଙ୍ଗଳାଦେଶ ଦେଖିଛି, ଆଉ ଆପଣ ଜାଣିଥିବେ ଯେ, ଭାରତ ବର୍ଷ ଭିତରେ ଯେଉଁ ଅଞ୍ଚଳ ଗୁଡ଼ିକ ଅଛି ସବୁ ଦେଖିଛି ଏବଂ ସବୁ ଯାଗାରେ ମୁଁ ଜାଣିଛି ଯେ, ଯାହା ନାହିଁ ଭାରତେ ତାହା ନାହିଁ ଜଗତେ ବୋଲି କୁହାଯାଉଥିଲା । କିନ୍ତୁ ଆଜି ଦେଖାଯାଉଛି ଯେ, ଭାରତ ବର୍ଷ ଭିତରେ କିଛି ନାହିଁ କେବଳ ଟାଲେଣ୍ଟ ଛଡ଼ା ଏବଂ ଯେଉଁମାନେ ହାହାକାର କରୁଛିନ୍ତି – କରି ବସିଛନ୍ତି ।
ଯେଉଁଦିନ ଭାରତବର୍ଷ ସ୍ୱାଧୀନତା ପାଇଲା ମୁଁ ତ ଆଗରୁ କହିସାରିଛି, ଯେ ମୁଁ ବିଏ ପର୍ଯ୍ୟନ୍ତ ପାଶ କଲି, ବିଏରେ ଇଂଲିଶ ନେଇ ଫାଷ୍ଟ କ୍ଳାସ ପାଇ ପାଶକଲି । ସେଇ ଦିନଠାରୁ ମୁଁ ଛାତ୍ର ଆନ୍ଦୋଳନରେ ପଶିଗଲି ଏବଂ ବୋଧେ ପାଠ ପଢ଼ାପଢ଼ି ଭିତରେ ମୋର ଯେତେ ପରିମାଣରେ ଏକଗ୍ରତା ଥିଲା ତାହା କମିଗଲା । ଏଥିରୁ ଯଦି ମୁଁ କିଛି ଶିକ୍ଷା କରିନପାରିଲି, ମୋ ଦେଶର ଲୋକଙ୍କୁ କିଛି ଦେଇ ପାରିଲି ନାହିଁ ତାହେଲେ ଏଥିରେ ରହିକି ଲାଭଟା କ’ଣ ଅଛି? ସେଥିପାଇଁ ଅନେକ ଲୋକ ଅନେକ ଯାଗାରେ କହିଛନ୍ତି ଯେ ଯଦି ନିଷ୍ପଳ ହୋଇ କି ତୁମେ ଗଲ, ଅତି ସୁନ୍ଦର ଦେଖାଯାଉଛ ତୁମେ, ଅନେକ କଥା କହିପାରୁଛ ଯଦି ସେଇଟା ବିଫଳ ହୋଇଗଲା, ଲୋକଙ୍କ ପାଖରେ ସେଇଟା ଯଦି କୌଣସି ପ୍ରକାର ଛାୟା ପଡ଼ିଲା ନାହିଁ ତାହାଲେ ତାକୁ କରିକି ଲାଭ କ’ଣ?
୧୫ ଅଗଷ୍ଟରେ ଭାରତବର୍ଷ ସ୍ୱାଧୀନ ହେବା ପୂର୍ବରୁ ଆମେମାନେ ବହୁତ କଷ୍ଟ ସହିଛୁ। ମୁଁ ସେତେବେଳେ ରାଜଦ୍ରୋହ ଅଭିଯୋଗରେ ବ୍ରିଟିଶ ଜେଲ ଭିତରେ ପଡ଼ିଥିଲି। ଏବଂ ସେଇଠୁ ଫେରିକି ଆସିଲା ପରେ ଯେଉଁ ଦିନ ଭାରତ ସ୍ୱାଧୀନ ହେଲା ଅଗଷ୍ଟ ୧୫ ଦିନ, ମୁଁ ସେଦିନ ପୁରୀ କଲେଜକୁ ଆସିଥିଲି । ଅଖିଳ ମୋହନ ପଟ୍ଟନାୟକ ସେତେବେଳେ କଲେଜ ୟୁନିଅନର ପ୍ରେସିଡେଣ୍ଟ ଥିଲେ । ମୋତେ କହିଲେ ଗୋଟିଏ ଗୀତ ଆପଣ ଲେଖନ୍ତୁ ମଁ? କାଲିପରା ସ୍ୱାଧୀନତା ଦିବସ । ମୁଁ ତାଙ୍କ ପାଇଖାନାକୁ ଗୋଟିଏ ଢ଼ାଳ ଧରିକି ଗଲି । ସେଇଠି ବସି ଗୋଟିଏ ଗୀତ ଲେଖିଲି ତାପରେ ମିଟିଂରେ ବକ୍ତବ୍ୟ ଦେବି । ମୁଁ ଲେଖିଥିଲି;
ବିଜୟୀ…
ବିଜୟୀ, ବିଜୟ ତୋ ହୋଇନି ପୁରା
ଘନ ଘଟା ଯାଏ ଡ଼ାକି ଆହୁରି ରହିଛି ବାକି
ଭାଇ ବୁକେ ଭାଇ ହାଣେ ଭଗାରି ଛୁରା
ବିଜୟତୋ ହୋଇନି ପୁରା…
ବିଜୟତୋ ହୋଇନି ପୁରା…
ସେତୁ ବନ୍ଧ ବାନ୍ଧିଛୁତୁ ରାବଣ ପୁରେ
ଯହିଁ ରାଜୁଡ଼ା ରାଜୁତି
ଭୋକି ଆହାର ଜୁରେ
ଯହିଁ ମାତାଲ ହସୁଛି ପିଇ ଶୋଷଣ ସୁରା
ବିଜୟତୋ ହୋଇନି ପୁରା…
ବିଜୟତୋ ହୋଇନି ପୁରା…
ଏକ ଦିଗେ ଏକ ହୁଏ କୋଟି ପରାଣି
ଡ଼ାକଘର କର୍ମଚାରୀ ଛୋଟ କିରାଣୀ
ଜାଗେ ରେଲବାଇ, ଜାଗେ ପାଣି ସେନାନୀ
ହିନ୍ଦୁ ବା ମୁସଲିମ ବନ୍ଧ ବାଧା ନମାନି
କ୍ରାନ୍ତି ପଟୁଆରେ ହୁଏ ସେ ଆଗତୁରା
ମୁକ୍ତି ପଟୁଆରେ ହୁଏ ସେ ଆଗତୁରା
ବିଜୟତୋ ହୋଇନି ପୁରା…
ବିଜୟତୋ ହୋଇନି ପୁରା…
ଅନ୍ୟଦିଗେ ଦିଲ୍ଲୀ ବହୁ ଦୂରେ
ଅନ୍ୟଦିଗେ ଦିଲ୍ଲୀ ବହୁଦୂରେ
କଂଙ୍କାଳ ଭୋକରେ ପୁରେ
କାଶ୍ମୀର ବୁଡ଼େ ଲହୁରେ
ରକତ ମାଖିଛି ଧୋବ ହିମାଦ୍ରି ଚୁଡ଼ା
ବିଜୟତୋ ହୋଇନି ପୁରା…
ବିଜୟତୋ ହୋଇନି ପୁରା…
ଆସ ଭାଇ ହିନ୍ଦୁ ଆସ ମୁସଲମାନ
ଆସ ହେ କଂଗ୍ରେସ ଆସ ଲିଗ ଜୁଆନ
ମୁକତି ମିଳିଛି କାହିଁ ବିନା କୁର୍ବାନେ
ବିନା ରକତେ କି ବାନ୍ଧେ ଦୌପଦୀ ଜୁଡ଼ା
ବିଜୟ ତୋ ହୋଇନି ପୁରା…
ବିଜୟତୋ ହୋଇନି ପୁରା…
ଶୋଷକର ସଙ୍ଗୀତରେ ଆଖି ନବୁଜ
ବିପ୍ଳବୀ ଦେଶର ଯେତେ ବୀର ଫଉଜ
ଗୋରା ପଲଟଣମାରୀ ଅଛି ମଉଜ
ତା ରକତେ ରଙ୍ଗା ତୋର ନିଶାଣ ଉଡ଼ା
ବିଜୟତୋ ହୋଇନି ପୁରା..
ବିଜୟୀ…
ବିଜୟ ତୋ ହୋଇନି ପୁରା…
ବିଜୟତୋ ହୋଇନି ପୁରା…
ଏ ଗୀତରେ କ’ଣ ଭୁଲ ହେଲା ମୁଁ କହିପାରିବି ନାହିଁ, ମୋର କୋଟିକଣ୍ଠେ ବୋଲି ବହି ବାହାରିଥିଲା ସେଥିରେ ଏ ଗୀତଟି ଲେଖା ହୋଇଥିଲା, ବୋଧହୁଏ ଏ ଗୀତଟି ପାଇଁ ବହିଟି ବାଜ୍ୟାପ୍ତ ହୋଇଗଲା ଏବଂ ଭାରତ ବର୍ଷର ସ୍ୱାଧୀନ ସରକାରଙ୍କ ଦ୍ୱାରା । ସେହି ବହିଟି କୋଟି କଣ୍ଠେ ବୋଲି ୨୦/୩୦ ଗୋଟି କବିତା ଥିଲା । ସେ ବହି ଆଉ ଥରେ ଛପା ହୋଇପାରିଲା ନାହିଁ । ବାଜ୍ୟାପ୍ତ ହୋଇଗଲା । କିଏ କୁଆଡ଼େ ନିଜ ଘରେ ଲୁଚାଇ ରଖିଲେ ତା ପରେ ସିଏ ଚାଲିଗଲା ।
ମୋ କହିବାର କଥା ହେଉଛି ଯେ, ଆମ ଦେଶରେ ଯେଉଁଟା ଆମପାଇଁ ଦରକାର ସେ କଥାଗୁଡ଼ାକ ଆମର ସାହିତ୍ୟକମାନେ ଲେଖୁନାହାଁନ୍ତି । ମନୁଷ୍ୟ ଜୀବନ ସହିତ ଯେଉଁ ସଙ୍ଗୀତର ସମ୍ପର୍କ, ସେ ସମ୍ପର୍କ ଆମେ ସୃଷ୍ଟି କରୁନାହୁଁ । ଆମେ କେବଳ ଭାବିଛୁ ଯେ ଆମର ଯେଉଁ ଆତ୍ମରତି, ଆମ ମନ ଭିତରେ ଯେଉଁ ଭାବନା ହେଉଛି ସେଇତକ, ମୁଁ ମନେକର ଫୁଲଟିଏ ଦେଖିଲି, ଫଳ ଖସି ପଡ଼ିଛି ଲେଖିଦେଲି ଦୁଇପଦ । ଏଇଟାରେ ହେବନାହିଁ । ଆମ ଦେଶର କୋଟିକୋଟି ଲୋକଙ୍କ ମନ ଭିତରେ ଯେଉଁ ଦରଦ ଅଛି, ଦୁଃଖ ଅଛି, ହାହାକାର ଅଛି, ତାଙ୍କ ମନରେ ଯଦି ଟିକିଏ ଜୋର ନ ଦେଇପାରିବ କ’ଣ ହବ?
ଗୋଟିଏ ପ୍ରକାର ଅବସ୍ଥା ଆସି ପହଞ୍ଚିଲା ଯେ, ମୋତେ କୁହାଗଲା, ସେ ଦିନ ପୁଣି କ’ଣ ହୋଇଛି ୧୫ ଅଗଷ୍ଟ ଦିନ ରେଭେନ୍ସା କଲେଜରେ “କ୍ୟାବିନେଟ ମିଶନ” ଡ୍ରାମା କଲି । ସେଇଟା ଷ୍ଟେଜ୍ ହେଲା । ପ୍ରଫୁଲ୍ଲ ପତି ବୋଲି ଯିଏ ଭାଇସ୍ ଚାନସେଲର ଥିଲେ ସମ୍ବଲପୁର ୟୁନିଭରସିଟିର ସିଏ ରେଭେନ୍ସାରେ ଥାନ୍ତି ଇଂରାଜୀର ଲେକଚର୍, ସିଏ ତାର ନିର୍ଦ୍ଦେଶନା ଦେଇଥିଲେ । ସେଇଟା କ୍ୟାବିନେଟ ମିଶନ ବିଷୟରେ ଥିଲା। ମୁଁ କହିଥିଲି ଯେ, ଭାରତ ବର୍ଷ ଭିତରକୁ ବାରମ୍ବାର ବିଲାତି ଆସୁଛନ୍ତି । ପ୍ରଥମେ ଆସିଲେ ନାବିକ ବେଶରେ, ତାପରେ ଆସିଲେ ସୈନିକ ବେଶରେ, ତା ପରେ ଆସିଲେ ଶାସନକର୍ତ୍ତା ବେଶରେ, ତାପରେ ଆସିଲେ ଦେଶକୁ ଦୁଇଭାଗ କରିବା ଉଦ୍ଦେଶ୍ୟରେ, ଦେଶ ଭିତରେ ଗୋଳମାଳ ସୃଷ୍ଟି କରିବା ଉଦ୍ଦେଶ୍ୟରେ ବିଭେଦକର୍ତ୍ତା ବେଶରେ, ଶେଷରେ ଆସିଲେ ତିନିଜଣ କ୍ୟାବିନେଟ ମିଶନ ହୋଇ। ତିନିଜଣ ଯେଉଁମାନେ କହୁଛନ୍ତି ଭାରତ ବର୍ଷକୁ ସ୍ୱାଧୀନତା ଦେବେ । ମୁଁ ସେଇଥିପାଇଁ ସେଇ ନାଟକ ଲେଖିଥିଲି ଭାରତ ସ୍ୱାଧୀନତା ପାଇଁ । ସେଥିରେ ପ୍ରଥମେ ଏ କଥା ଥିଲା।
ଯେଉଁଥିରେ ;
ବନ୍ଧୁର ଢ଼େଉ…
ବିପଣୀ ବୋଝେ ଆମ ବୋଇତ ଭାରି
ଶ୍ରେଷ୍ଠ ବଣିକ ଆମେ ଶ୍ରେଷ୍ଠ ପଝାରୀ
ଶ୍ରେଷ୍ଠ ନାବିକ ଆମ ସମାନ କେହୁ
ବନ୍ଧୁର ଢ଼େଉ…
ବନ୍ଧୁର ଢ଼େଉ…
ବନ୍ଧୁର ଢ଼େଉ…
ତା ପରେ ବିଲାତି ଲୋକ ଆସୁଛନ୍ତି ।
ଆମ୍ବ ଫଲେ ଲେନ୍ତି ଲେନ୍ତି
ତେନ୍ତଲ ଫଲେ ବାଙ୍କା
ବାଦସା ହେଲେ ଗଢ଼ିଦେନ୍ତି
ତୋର ହାତେ ସୁନା ଶାଙ୍କା ହୋ
ହୋ, ତୋର ହାତେ ସୁନା ଶାଙ୍କା…
ପୁରୁଷ ସ୍ତ୍ରୀ ଭାରତବର୍ଷ ଭିତରେ ମହା ମଉଜରେ ଗାଉଥାନ୍ତି ସେପଟେ ବିଲାତର ଲୋକ ଆସୁଛନ୍ତି ନାବିକ ବେଶରେ ଯେଉଁମାନେ ପ୍ରଥମକରି ଭାରତ ବର୍ଷକୁ ଆସି ବଣିଜ ଆରମ୍ଭ କଲେ । ବର୍ତ୍ତମାନ ବିଲାତର ଜଣେ ବଣିକ ଆସୁନାହିଁ ଭାରତ ବର୍ଷ ଭିତରକୁ ହଜାର ବଣିକ ଆସିଲେଣି । ଭାରତବର୍ଷର ଯେଉଁ ଅବସ୍ଥା ହେବ ଆଉ ପ୍ରାୟ ୧୦ବର୍ଷ କି ୫ ବର୍ଷ ଭିତରେ କହିହେବ ନାହିଁ । କାରଣ ସେତେବେଳେ ଗୋଟିଏ ଇଷ୍ଟଇଣ୍ଡିଆ କମ୍ପାନୀ ଆସିଥିଲା, ଭାରତ ବର୍ଷ ପରାଧୀନ ହୋଇଥିଲା। ଏବେତ ଗୋଟିଏ ଇଷ୍ଟଇଣ୍ଡିଆ କମ୍ପାନୀ ନାହିଁ ତାର ବାପାର ବଡ଼ ବାପା ଯେଉଁମାନେ ସେମାନେ ଭାରତ ବର୍ଷକୁ ଆସୁଛନ୍ତି ଏବଂ କ’ଣ ହେବ ଦେଖାଯିବ।
କିନ୍ତୁ ସେତେବେଳେ ମୁଁ ଲେଖିଥିଲି ଯେ, ବିଲାତର ଲୋକ ଭାରତ ବର୍ଷକୁ ଆସିଥିଲେ । ସେମାନେ କେମିତି ଆସିଲେ- ନାବିକ ବେଶରେ ଆସିଲେ ।
ବନ୍ଧୁର ଢ଼େଉ…
ବନ୍ଧୁର ଢ଼େଉ…
ବିପଣୀ ବୋଝେ ଆମ ବୋଇତ ଭାରି
ଶ୍ରେଷ୍ଠ ବଣିକ ଆମେ ଶ୍ରେଷ୍ଠ ପଝାରୀ
ଶ୍ରେଷ୍ଠ ନାବିକ ଆମ ସମାନ କେହୁ
ବନ୍ଧୁର ଢ଼େଉ…
ବନ୍ଧୁର ଢ଼େଉ…
ବନ୍ଧୁର ଢ଼େଉ…
ଭାରତ ବର୍ଷ ଭିତରେ ତ ପୁରୁଷଟିଏ ନାରୀଟିଏ । ସେତେବେଳେ ଆମର ପାଞ୍ଚଟି ଝିଅ- ପ୍ରଭାତ ନଳିନୀ, ନନ୍ଦିନୀ, ଆଉ ମହାମାୟା, ଯୋଗମାୟା ଏଇମାନେ ସବୁ ପାଟ୍ କରୁଥିଲେ । ସେଥିରେ ଦୁଇ ଜଣ ଭାରତର ନର ନାରୀ ହୋଇଥିଲେ ଆଉ ତିନି ଜଣ ଥିଲେ ବିଦେଶୀର ପାଟ୍ କରୁଥିଲେ । ସେମାନେ କ’ଣ କହିଲେ –
ଆମ୍ବ ଫଲେ ଲେନ୍ଥି ଲେନ୍ଥି ତେନ୍ତୁଲି ଫଲେ ବାଙ୍କା
ଆଉ ଜଣେ କହିଲା-
ଜେହ୍ନେ ଶୁଣୁଛି ଦିନ ରାତିର
ମହାନଦୀର ଗୀତ
ଜେହ୍ନେ ଚଇତେ ଚନ୍ଦନ ବାସେ
ଆମ୍ବ ପାଚଇ ମିତ ହୋ
ଆମ୍ବ ପାଚଇ ମିତ
କେତେ ମୁଲକ୍ କେତେ ଲୁକ
ଜେନ୍ ଦେଶେ କଲେ ଘର
ପାଶରି ଦେବୁଁ ଅନେକ ବେଲୁଁ
କେ ଆପନା ପର ହୋ
କେ ଆପନା ପର
ଏ ମାଟି, ଏ ମାଟି ଆମର ଭାତର ଖୁରୀ
ଗଙ୍ଗା ଆମର ପାନି
ଆମ୍ଭର ଦେଶେ ଆମ୍ଭେ ରଜା
ଆମ୍ଭର ଦେଶେ ରାନୀ ହୋ
ଆମ୍ଭର ଦେଶେ ରାନୀ,
ବନ୍ଧୁର ଢ଼େଉ…
ବନ୍ଧୁର ଢ଼େଉ…
ବିପଣୀ ବୋଝେ ଆମ ବୋଇତ ଭାରି
ଶ୍ରେଷ୍ଠ ବଣିକ ଆମେ ଶ୍ରେଷ୍ଠ ପଝାରୀ
ଶ୍ରେଷ୍ଠ ନାବିକ ଆମ ସମାନ କେହୁ
ବନ୍ଧୁର ଢ଼େଉ…
ବନ୍ଧୁର ଢ଼େଉ…
ବନ୍ଧୁର ଢ଼େଉ…
ସେଇଠୁ ସେମାନେ କହିଲେ
କିଏ ତୁମେ ହିନ୍ଦୁସ୍ଥାନ ବୁକେ…
ଆମେ ରହୁ ସପନ ସୁଖେ
ଆମେ ଭାରତ ନର ନାରୀ
ଅତିଥି ବୋଲି ଜାଣିଲେ ଦେବୁ ତୀର୍ଥ ବାରି
ତନ୍ତି ଦେବ ଲୁଗା ଦେବ ବାସନ ଫଟାରୀ
କିଏ ତୁମେ?
କିଏ ତୁମେ?
କିଏ ତୁମେ?
ଆମେ ପରଦେଶୀ ମୁସାଫିର ସୁନାର ଶିକାରୀ
ବନ୍ଧୁର ଢ଼େଉ…
ସୁନାଃ..ସୁନାଃ…ସୁନାଃ…
ସୁନାର ଶିକାରୀ!!!
ସୁନାଃ । ସୁନା କହିଲେ ଭାରତବର୍ଷଟାକୁ ସୁନାର ଦେଶ କହୁଥିଲେ ।
ହଲଦିଆ ଝିଲମିଲି
ଇଖାନେ ତୁମେ କେହ୍ନେ ପାଇବ
ନାଇଁଗଲେ ଦିଲ୍ଲୀ
ହଲଦିଆ ଝିଲମିଲି
ଇଖାନେ ତୁମେ କେହ୍ନେ ପାଇବ
ନାଇଁଗଲେ ଦିଲ୍ଲୀ
ସେମାନେ କହିଲେ ଦିଲ୍ଲୀ ?
ହାଁ ହାଁ ଦିଲ୍ଲୀ…
ଜେହ୍ନେ ବାତ୍ସା ବସେ
ଜେହ୍ନେ ବାନ୍ଦି ହସେ
ମୁଗୁନି ମିନାର ଚାହେଁ
ଆଦମି ଫସିଲି
ଆଗିଲି ପିଛିଲି
ଯହିଁ ଝକମକ ଝକମକ ବାଟ ନୁହେଁ ବାରୀ
ପରଦେଶୀ ମୁଶାଫିର ସୁନାର ଶିକାରୀ
ବନ୍ଧୁର ଢ଼େଉ…
ବନ୍ଧୁର ଢ଼େଉ…
ଆଚ୍ଛା ତୁମର ଦେଶ୍ କେତେ ବଡ଼୍?
ଅହଃ… ଯହ ଯହ ସହର ଆମର ଗାଁ କେତେ ନାହିଁ କେତେ ହୋ,
ଗାଁ କେତେ ନାହିଁ କେତେ ।
ପୁରୁଷ କହିଲା-ଇହ୍ନେ ଥିଲେ ରାମ ବଡ଼ା ସତ୍ୟବନ୍ତ ରାଜା
ନାରୀ ଚୋର ସଙ୍ଗେ ଲଢ଼ି ଆଣିଲେ ଭାରିଜା ହୋ
ଆଣିଲେ ଭାରିଜା ହୋ ଆଣିଲେ ଭାରିଜା
ସ୍ତ୍ରୀ କହିଲା- ଇହ୍ନେ ଥିଲେ ରାମ ବଡ଼ା ସତ୍ୟବନ୍ତ ରାଜା
ପରଜା କଥାରେ ପଡ଼ି ଦଣ୍ଡିଲେ ଭାରିଜା ହୋ ଦଣ୍ଡିଲେ ଭାରିଜା
ତୁମ ଦେଶ କେତେ ଦୂର?
ଦରିଆ ପାରି କୋଣାରକ ସୂର୍ଯ୍ୟ ଦେବତା ଘର
ଦିଲ୍ଲି ଗଲେ ଦେଖିବ ବାବୁ
କୁତବ ମିନାର ହୋ, କୁତବ ମିନାର…
ତାପରେ କିପରି ବେଶରେ ଆସିଲେ? ଆକ୍ରମଣକାରୀ ବେଶରେ ଆସିଲେ । ଆକ୍ରମଣକାରୀ ବେଶରେ ଆସି ଆରମ୍ଭ କଲେ ଭାରତବର୍ଷ ଦଖଲ କରିବେ ବୋଲି । ତା’ ପରେ ଆସିଲେ କିପରି ଭାବରେ? ଭାରତର ଶାସନକର୍ତ୍ତା ହୋଇ ଛିଡ଼ା ହେଲେ । ତା ପରେ କ’ଣ ହେଲା ବିଭେଦକାରୀ ବେଶରେ ଆସିଲେ। ଏପାଖରେ ଜିହ୍ନା ସେପାଖରେ ଗାନ୍ଧୀ ।
ନା ନା ନା ନା ନାନା ନା
ହା ହା ହା ହା ହା..
ବ୍ରିଟିଶ ଫଉଜ ଆସିଲେ… ।
ଶେଷରେ ଆସିଲେ କ୍ୟାବିନେଟ୍ ମିଶନ୍ ହେଇକି ବିଚାର କରିବାପାଇଁ ଯେ ଭାରତବର୍ଷକୁ ସ୍ୱାଧୀନତା ଦିଆଯିବ । ସେମାନେ କହିଲେ କି କ’ଣ? ସେଇଠୁ କହିଲେ ଇଏସ୍ । ଭାରତ ବର୍ଷର ଯେଉଁ ସ୍ୱାଧିନତା ହେବ ସେଇଥିରେ ତିଆରି ହେବ ଯେ, “Hindu and Muslim can never agree and in between are the Princes. We shall bring a beautiful federation and it will be the future of India.” ବୋଲି ସେମାନେ ତିନିଜଣ ଯାକ କଥାବାର୍ତ୍ତା ହେଲେ । ସେଠି ଦେଖିଲାବେଳକୁ ହିମାଳୟ ପର୍ବତ ଉପରେ ନିଆଁ ଲାଗିଛି । କ’ଣ ହେଲା?
ନିକଲ ଯାଓ ନିକଲ ଯାଓ ପରଦେଶୀ ସରକାର
ନିକଲ ଯାଓ ନିକଲ ଯାଓ ଜାଲିମ ଅତ୍ୟାଚାର
ନିକଲ ଯାଓ ନିକଲ ଯାଓ ଏ ଜନତା ପୁକାର…
ପରଦେଶୀ ସରକାର, ପରଦେଶୀ ସରକାର
ନିକଲ ଯାଓ ନିକଲ ଯାଓ ଜାଲିମ ଅତ୍ୟାଚାର…
ହେଉ ପଛେ ସତ ପାର୍ଟି, ହେଉ ସତ ଦଳ
ଚାଳିଶ କୋଟି ଆମେ, ମୁକତି ପାଗଳ
ବହୁପଛେ ଲହୁ ଗଙ୍ଗା, ରକତ ଜୁଆର
ପରଦେଶୀ ସରକାର,
ନିକଲ ଯାଓ ନିକଲ ଯାଓ ଜାଲିମ ଅତ୍ୟାଚାର…
ନିକଲ ଯାଓ ନିକଲ ଯାଓ ଏ ଜନତା ହୁଙ୍କାର,
ପରଦେଶୀ ସରକାର, ପରଦେଶୀ ସରକାର, ପରଦେଶୀ ସରକାର
ଫୁଣି ବନ୍ଧୁକ ବୁଣି, ଯାଇଛି ଆଘାତ
ଅନ୍ନପୂର୍ଣ୍ଣା ଦେଶେ, ନମିଳିଛି ଭାତ
ଡ଼ାକେ କାରାଗାର, ଡ଼ାକେ ଜୁଇ ଗାତ
ପରଦେଶୀ ସରକାର,
ନିକଲ ଯାଓ…ନିକଲ ଯାଓ, ନିକଲ ଯାଓ ଜାଲିମ ଅତ୍ୟାଚାର
ନିକଲ ଯାଓ ନିକଲ ଯାଓ ଏ ଜନତା ହୁଁକାର
ପରଦେଶୀ ସରକାର…ପରଦେଶୀ ସରକାର…
ଏଇଟା ଥିଲା ସେ ଡ଼୍ରାମା। ସେ ଡ଼୍ରାମା ଯେଉଁ ଦିନ ହେଲା ତା ବାସିଦିନ କୁହାଗଲା ଯେ ଏ ଡ଼୍ରାମା କୌଣସି ଯାଗାରେ ଆଉ ହୋଇପାରିବନି। ମୁଁ କହିଲି ଯାହା ହେଉ ଭାରତବର୍ଷର ସ୍ୱାଧିନ ସରକାର ଏପରି ଭାବରେ ନାଟକଟାକୁ ଶେଷ କରିଦେବାପାଇଁ ବସିଲେ। ବାରମ୍ବାର ସେ ଡ଼୍ରମା ବନ୍ଦ ହୋଇଛି ତାକୁ ଆଉ କେହି ଧରାଧରି କରୁନାହାଁନ୍ତି, ଏମିତି ଚାଲିଛି।”
ଶେଷରେ:
ଆପଣ ଏବେ ଯାହାସବୁ ପଢ଼ିଲେ ଏହାଥିଲା ମନମୋହନ ବାବୁଙ୍କର ସେଦିନର ବକ୍ତବ୍ୟର କିଛି ଅଂଶ। ପୁରା ବକ୍ତବ୍ୟର କିଛି ଅଂଶ ରେକର୍ଡ଼ିଂରେ ନଷ୍ଟ ହୋଇଯାଇଥିଲା। ଏହି ବକ୍ତବ୍ୟକୁ ସେଦିନ ପ୍ରେକ୍ଷାଳୟରେ ଶ୍ରୋତା ଶୁଣୁଥିଲେ ମୁଗ୍ଧହୋଇ। ଶ୍ରୋତା ଥିଲେ ଯୁବକ/ଯୁବତୀ। ମନମୋହନବାବୁ ନିଜେ ଆଶ୍ଚର୍ଯ୍ୟ ହେଉଥିଲେ। କାରଣ ତାଙ୍କର ବିଶ୍ୱାସ ହେଉନଥିଲା ଯେ ଆଜିକା ଯୁଗରେ ପିଲାମାନେ ତାଙ୍କ ଗୀତକୁ ଏତେ ତଲ୍ଲୀନହୋଇ ଶୁଣିବେ ଓ କରତାଳିରେ ପ୍ରେକ୍ଷାଳୟକୁ ଧ୍ୱନିତ କରିବେ। ତାଙ୍କର ଅବିଶ୍ୱାସ ମୋତେ ସେ କହିଥିଲେ। ଭଲ ଜିନିଷ ଆମ ଯୁବ ସମ୍ପ୍ରଦାୟ ପାଖରେ ରଖାଗଲେ ଯୁବ ସମ୍ପ୍ରଦାୟ ଏହାକୁ ଗ୍ରହଣ କରିବ ଏହି ଭଳି ଏକ ବିଶ୍ୱାସ ତାଙ୍କ ମୁଖମଣ୍ଡଳରୁ ସ୍ପଷ୍ଟ ହେଉଥିଲା । ଆମେ ଅନୁଭବ କରୁଥିଲୁ ଯେ ମନମୋହନବାବୁଙ୍କ ଅନବଦ୍ୟ ସ୍ୱରକୁ ସଂରକ୍ଷିତ କରି ପବ୍ଲିକ୍ ଡ଼ୋମେନରେ ରଖାଯିବାର ଆବଶ୍ୟକତା ଅଛି। ଏହି ଅଡ଼ିଓ କ୍ୟାସେଟରେ ଥିଲା ତାଙ୍କ ସ୍ୱରରେ ଆବୃତ୍ତି। ଏହାକୁ ଡ଼ିଜିଟାଇଜ୍ କଲୁ।୨୫ ବର୍ଷ ପୂରାତନ ଅଡ଼ିଓ କ୍ୟାସେଟ୍ ରେ ଥିବା ପାଠକୁ ଡ଼ିଜିଟାଇଜ୍ କରିବା ଓ ସମୁଦାୟ ପାଠକୁ ଅବିକଳ ଉପସ୍ଥାପନ କରିବା କଠିନ ଥିଲା। ତଥାପି ଏହି ଉଦ୍ୟମରେ ସମ୍ପୂର୍ଣ୍ଣ ଅସଫଳ ହୋଇନାହୁଁ। ଯେତିକି ପାଠ ଡ଼ିଜିଟାଇଜ୍ ହୋଇପାରିଲା ତାହାକୁ ଭିଡ଼ିଓ ଭାବରେ ୟୂଟ୍ୟୁବରେ ଉପସ୍ଥାପନ କରି ପବ୍ଲିକ୍ ଡ଼ୋମେନରେ ରଖିବାପାଇଁ ପ୍ରୟାସ କରାଯାଇଛି। ଏହି କାମପାଇଁ ସମଦୃଷ୍ଟି ଓ ସମଧ୍ୱନି ଆଗେଇ ଆସିବା ନିଶ୍ଚିତ କରିଦେଇଛି ଆମର ଲକ୍ଷ୍ୟକୁ । ୨୦୧୯-୨୦ ହେଉଛି ଶ୍ରୀ ମନମୋହନ ମିଶ୍ରଙ୍କ ଜନ୍ମ ଶତବାର୍ଷିକୀ ବର୍ଷ, ଓ ୧୯ ନଭେମ୍ବର ୨୦୧୯ ହେଉଛି ତାଙ୍କର ୧୯ତମ ଶ୍ରାଦ୍ଧ ବାର୍ଷିକୀ। ଏହି ଅବସରରେ ୟୂଟ୍ୟୁବ୍ ମାଧ୍ୟମରେ ଉକ୍ତ ଭିଡ଼ିଓଟିକୁ ଲୋକାର୍ପଣ କରାଯାଉଛି। ଏହା ମନମୋହନ ବାବୁଙ୍କ ଅମ୍ଳାନ ସ୍ମୃତି ପ୍ରତି ଆମର ଶ୍ରଦ୍ଧାଞ୍ଜଳି।
Photo credit- https://bit.ly/3QZwkkL