ସଂଲଗ୍ନ ଛବିଟି ପ୍ରଖ୍ୟାତ ଚିତ୍ରଶିଳ୍ପୀ ଭାନଗଗ୍ ଙ୍କ ର ଛବି ମାତ୍ର ଏହା ଭାନଗଗ୍ ଙ୍କ ଦ୍ୱାରା ଅଙ୍କିତ ଏକ ଆତ୍ମପ୍ରତିକୃତି ନୁହଁ ।
ଭାନଗଗ୍ ଙ୍କ ର ଏହି ଛବିଟି କିନ୍ତୁ ଚିତ୍ର ଇତିହାସରେ ଏକ ଚର୍ଚ୍ଚିତ ଛବି ।
ଏହାର ଅଂକନ ର ସମୟ ହେଉଛି ୧୮୮୭ ମସିହା ।
ଭାନଗଗ୍ ଙ୍କର ଏହି ଛବିକୁ ତାଙ୍କର ଜଣେ ବିଶିଷ୍ଟ ସମସାମୟିକ ଫରାସୀ ଚିତ୍ରକର ହେନେରି ଡି ଟୁଲୁଜ୍-ଲାଉଟ୍ରେକ୍ ଅଂକନ କରିଥିଲେ । ଟୁଲୁଜ୍ ଭାନଗଗ୍ ଙ୍କର ଏଇ ଗୋଟିଏ ମାତ୍ର ଛବି ଆଙ୍କିଥିଲେ ।
ଊନବିଂଶ ଶତାବ୍ଦୀର ଶେଷ ଭାଗ ତଥା ବିଂଶ ଶତାବ୍ଦୀର ଆଦ୍ୟ ଭାଗରେ ପାରିସ୍ ର ଚିତ୍ରଶିଳ୍ପୀ ମାନେ ନିଜର ଖାଦ୍ୟ ଅପେକ୍ଷା ନିଜର ପାନୀୟ ଉପରେ ଅଧିକ ଗୁରୁତ୍ୱ ଦେଉଥିଲେ । ସେତେବେଳେ ସେମାନଙ୍କର ସବୁଠାରୁ ଅଧିକ ପ୍ରିୟ ପାନୀୟ ଥିଲା “ଆବସିନ୍ଥେ” । ସେମାନେ ତାହାର ଗୋଟିଏ ସୁନ୍ଦର ନାମକରଣ କରିଥିଲେ “ନୀଳପରୀ ” ଆଉ ସେମାନଙ୍କ ଭିତରେ ଯେଉଁମାନେ ଟିକିଏ ଚିନ୍ତକ ପର୍ଯ୍ୟାୟର ବ୍ୟକ୍ତି ଥିଲେ ସେମାନେ ଏହାକୁ ଆଉ ଟିକିଏ ଦାର୍ଶନିକତାର ପୁଟ ଦେଇ କହୁଥିଲେ ” ବୋତଲବନ୍ଦ ପାଗଳାମୀ”।ସେ ସମୟର ସମସ୍ତ ପ୍ରୟୋଗଧର୍ମୀ ଚିତ୍ରକର ମାନେ ଏହି ନୀଳପରୀ ର ସେବନକୁ ପ୍ରାଧାନ୍ୟ ଦେଉଥିଲେ କାରଣ ଏହା ଦ୍ୱାରା ସେହି ନୀଳପରୀ ତାଙ୍କୁ ସେମାନଙ୍କର ଆବଶ୍ୟକୀୟ ରଂଗର ସ୍ୱପ୍ନରାଜ୍ୟକୁ ବିଚରଣ ପାଇଁ ନେଇଯିବ।
ଚିନ୍ତକମାନଙ୍କ କଥା ଆସିଛି ମାନେ ଏଇଠି ଏଇ କଥାଟି କହିଦେବା ପ୍ରାସଙ୍ଗିକ ହେବ ଯେ ଏଠିକାର କୌଣସି ମହାନୁଭବ ଚିନ୍ତକ ଙ୍କ ଭଳି ଉପସ୍ଥିତ ଲେଖକ ନିଜର ବୃତ୍ତିଗତ କାମରେ ପାରିସ୍ ଯାଇନାହିଁ ବା ତାହାର ସେମିତି ସେଠିକି ଯାଇପାରିବାର ସାମର୍ଥ୍ୟ ନଥିଲା ବା ନାହିଁ । ତେଣୁ ପାରିସ୍ ର ପ୍ରଖ୍ୟାତ ଲୁର୍ଭ୍ରେ ମ୍ୟୁଜିଅମକୁ ଯାଇ ସେଇଠି ବିଶ୍ୱ ଚିତ୍ରକଳାର ସେଇ ମହାର୍ଘ କୃତି ମାନଙ୍କୁ ମୂଳରୂପରେ ଦେଖିବା ତାହା ପକ୍ଷରେ ସମ୍ଭବ ହୋଇନାହିଁ । କହିବା କଥା ହେଉଛି , ଏଠିକାର ସେହି ମହାନୁଭବ ଚିନ୍ତକ ଜଣକ ଏକଦା ସେହି ପ୍ରଖ୍ୟାତ ଲୁର୍ଭ୍ରେ ମିଉଜିଅମ୍ ରେ ଭିନସେଣ୍ଟ ଭାନଗଗ୍ ଙ୍କର ଏକ ଚର୍ଚ୍ଚିତ ଛବି “ଦି ଷ୍ଟାରି ନାଇଟ୍” କୁ ଦେଖି ଏପରି ବିହ୍ୱଳ ହୋଇଯାଇଥିଲେ ଯେ ସେ ଘଟଣା ର ଅନେକ ବର୍ଷ ପରେ ଏବେ ସେ ସେଇ ଛବିକୁ ଆଖି ଆଗକୁ ଆଣି ଏକ ଓଡିଆ କବିତା ରଚନା କରି ଓଡିଆ କବିତା କୁ ସମୃଦ୍ଧ କରିଛନ୍ତି। ଉପସ୍ଥିତ ଲେଖକ ସେହି ମହାନୁଭବ ପାରିସ-ଯାତ୍ରୀ ତଥା ଚିନ୍ତକ ଙ୍କ ଦ୍ୱାରା ଏଇ ଗୋଟିକ କାରଣ ଅର୍ଥାତ୍ ଦି ଷ୍ଟାରି ନାଇଟ୍ କୁ ଲୁର୍ଭ୍ରେ ମିଉଜିଅମ୍ ରେ ଦେଖିବା ଭଳି ବିହ୍ୱଳତା ଦ୍ୱାରା ବେଶ୍ ପ୍ରଭାବିତ । ଏଇଠି ମୂଳ କଥାଟି ହେଉଛି ଭାନଗଗ୍ ଙ୍କର ପ୍ରଖ୍ୟାତ ” ଷ୍ଟାରି ନାଇଟ୍” ଛବି ଟି କେବେହେଲେ ଲୁର୍ଭ୍ରେ ମିଉଜିଅମ ରେ ନଥିଲା ବା ସେଠିକୁ କେବେହେଲେ ଏଇ ଛବିଟି ଆସିନାହିଁ । ଭାନଗଗ୍ ଙ୍କ ପରଲୋକ ଗମନ ପରେ ତାଙ୍କର ସମସ୍ତ ଛବିର ଉତ୍ତରାଧିକାରୀ ତାଙ୍କର ଭାଇ ଥିଓ ର ଏକମାତ୍ର ସନ୍ତାନ ଯାହାଙ୍କ ନାଆଁ ବି ଭିନସେଣ୍ଟ ଭାନଗଗ୍ ( ତାଙ୍କୁ ଅନେକ ତାଙ୍କର ବୃତ୍ତି ର ଆଧାରରେ ” ଦି ଇଞ୍ଜିନିୟର ” ବୋଲି ଡାକୁଥିଲେ ଆଉ ସେଇ ନାଆଁରେ ସେ ପରିଚିତ ଥିଲେ ),ସେ ଭାନଗଗ୍ ଙ୍କ ଅଙ୍କିତ ଛବି ଗୁଡିକୁ ଭିନ୍ନ ଭିନ୍ନ ମିଉଜିଅମ୍ କୁ ପ୍ରଦାନ କରିଥିଲେ । ଦି ଇଞ୍ଜିନିୟର ସେତେବେଳେ ଭାନଗଗ୍ ଙ୍କ ଶେଷ ବେଳର ଛବି “ଷ୍ଟାରି ନାଇଟ୍” କୁ ଆମେରିକାର ନେସନାଲ୍ ଗାଲେରୀ ଅଫ୍ ମଡର୍ଣ୍ଣ ଆର୍ଟସ କୁ ପ୍ରଦାନ କରିଥିଲେ । ସେବେଠୁ ଭାନଗଗ୍ ଙ୍କ ର ସେହି ଚର୍ଚ୍ଚିତ ଛବି ଟି ର ବାସସ୍ଥାନ ଆମେରିକାର ସେହି ପ୍ରସିଦ୍ଧ ମିଉଜିଅମ୍ । ତେଣୁ ଉପସ୍ଥିତ ଲେଖକ ର କହିବା କଥା ହେଉଛି ଯଦି କୌଣସି ମିଉଜିଅମ୍ ରେ ଆଦୌ ନଥିବା ଏକ ବିଶେଷ ଛବି କୁ ସ୍ୱଚକ୍ଷୁରେ ଦେଖି ଏଠିକାର ଚିନ୍ତକ ଜଣକ ତାହାର ବିହ୍ୱଳତାକୁ କବିତାରେ ପଞ୍ଚୁବର୍ଣ୍ଣି କରିପାରନ୍ତି ତାହାହେଲେ ଉପସ୍ଥିତ ଏଇ ଅପଦାର୍ଥ ଲେଖକ ଜଣକ ଆଉ କୁଆଡକୁ ନଯାଇ ସେହି ଭଳି ନଦେଖିବା ଓଉ ଜାତୀୟ ପଦାର୍ଥ ର ଫଡା ଗଣିବାକୁ ସମର୍ଥ ହେବ ନାହିଁ କାହିଁକି ?
ସତ କହିଲେ, ମିଛ ହେଉଛି ସବୁବେଳେ ଗୋଟିଏ ନୀଳପରୀ ବା ଏକ ବୋତଲବନ୍ଦ ପାଗଳାମୀ । ମିଛ ଜଣକୁ ଧରିଲା ମାନେ ଜାଣ ସେଇଠୁ ଆଉ ତାହାର ପରିତ୍ରାଣ ନାହିଁ ।
ଏବେ ଅସଲ ନୀଳପରୀ ପାଖକୁ ଫେରାଯାଉ।
ବୟସରେ ଏଗାର ବର୍ଷ ସାନ ହେଲେ ବି ଟୁଲୁଜ୍ ଭିନସେଣ୍ଟ ଙ୍କ ସହ ଏକାଠି ଛବି ଆଙ୍କିବା କାମ ଆରମ୍ଭ କରିଥିଲେ । କହିବାକୁ ଗଲେ ଭିନସେଣ୍ଟ ଭାନଗଗ୍,ପଲ୍ ଗଗାଁ ଆଉ ଟୁଲୁଜ୍ ଲାଉଟ୍ରେକ୍ ଏଇ ତିନିଜଣଙ୍କ ମଧ୍ୟରେ ଗଭୀର ସଖ୍ୟତା ଥିଲା । ଆଉ ଏଇ ତିନିଜଣ ସେ ସମୟର ପ୍ରଚଳିତ ଧାରାଠାରୁ ଭିନ୍ନ ରୂପରେ ଛବି ଆଙ୍କିବାକୁ ଚେଷ୍ଟା କରୁଥିଲେ । ଏବଂ ସେହି କାରଣରୁ ଏଇ ତିନି ଜଣ ଙ୍କର ଛବିକୁ ସେ ସମୟରେ କେହି ଗ୍ରହଣ କରୁ ନଥିଲେ ।
ଭିନସେଣ୍ଟ ଭାନଗଗ୍ ଆଉ ପଲ ଗଗାଁ ଙ୍କ ତୁଳନାରେ ଟୁଲୁଜ ଲାଉଟ୍ରେକ୍ ନିଜର ଜୀବନ ଚର୍ଯ୍ୟାରେ ମାତ୍ରାଧିକ ଉତ୍ସୃଙ୍ଖଳ ଥିଲେ । ତାଙ୍କର ଅଧିକାଂଶ ସମୟ ବାରବନିତାଙ୍କ ସଂସର୍ଗରେ ଅତିବାହିତ ହେଉଥିଲା ।
ଟୁଲୁଜ୍ ଲାଉଟ୍ରେକ୍ ଙ୍କ ଦ୍ୱାରା ଭିନସେଣ୍ଟ ଭାନଗଗ ଙ୍କର ଯେଉଁ ଗୋଟିକ ଛବି ଅଂକା ହୋଇଛି ସେଇଠି ଭାନଗଗ୍ ” ଲା ତାଂବୁରିନ୍” ନାମକ ଏକ ରେଷ୍ଟୁରାଣ୍ଟ ରେ ବସିଛନ୍ତି ମାତ୍ର ତାଙ୍କର ଦୃଷ୍ଟି ଅନ୍ୟତ୍ର ନିବଦ୍ଧ ରହିଛି । ସେ ସମୟରେ ” ଲା ତାଂବୁରିନ୍ ” କାବାରେ ଆଉ ଇଟାଲିଆନ୍ ଖାଦ୍ୟ ପାଇଁ ପ୍ରସିଦ୍ଧ ଥିଲା ।
ଟୁଲୁଜ ଙ୍କ ଛବିରେ ଭାନଗଗ୍ ଙ୍କ ସାମ୍ନାରେ କୌଣସି ଖାଦ୍ୟ ନାହିଁ ମାତ୍ର ରହିଛି ଗୋଟିଏ ଗ୍ଲାସ ଆବସିନ୍ଥେ ଅର୍ଥାତ୍ ନୀଳପରୀ ।
ଟୁଲୁଜ୍ ଲାଉଟ୍ରେକ୍ ନୀଳପରୀ ର ପରମ ଭକ୍ତ ଥିଲେ । କୁହାଯାଏ ନିଜ ପାଖରେ ପାଣି ପିଇବା ପାଇଁ ଯେଉଁ ବୋତଲଟିକୁ ସେ କଦାପି ହାତଛଡା କରୁନଥିଲେ,ସେଥିରେ ସବୁବେଳେ ନୀଳପରୀ ଭର୍ତ୍ତି ହୋଇ ରହିଥାଏ ।
ନୀଳପରୀ ଅର୍ଥାତ୍ ଆବସିନ୍ଥେ ଏବଂ ଆଉ ଗୋଟିଏ ପ୍ରକାର ମଦ କନିଆକ୍ ର ଟୁଲୁଜ୍ ନିଜ ହାତରେ ଏକ ମିଶ୍ରଣ ପ୍ରସ୍ତୁତ କରିଥିଲେ ଆଉ ଏଇ ମିଶ୍ରଣ ସହିତ ଯଦି ସେ ସମୟର ସୁନ୍ଦରୀ ନର୍ତ୍ତକୀ ୟେଭତେ ଗିଲବର୍ଟ ଉପସ୍ଥିତ ରହିଥାଏ ତେବେ ଏହି ସମସ୍ତ ଭବ୍ୟ ଉପସ୍ଥିତି ର ସେ ଗୋଟିଏ ସୁନ୍ଦର ନାମକରଣ କରିଥିଲେ ,
ଭୂକମ୍ପ,ଆର୍ଥକ୍ୱେକ୍ ।
ସେଦିନ ର ସେହି ଦୃଶ୍ୟ ଯାହା ପରେ ଭାନଗଗ୍ ଙ୍କର ଏକ ଚର୍ଚ୍ଚିତ ଛବି ପାଲଟି ଯାଇଥିଲା, ସେତେବେଳେ ସେଇଠି ସାମ୍ନାରେ ନୀଳପରୀ ତ ନିଶ୍ଚୟ ଥିଲା ମାତ୍ର ଭୂକମ୍ପ ଥିଲା କି ନାହିଁ ଜଣାନାହିଁ ।