ଅନ୍ତିମ ଜୀବନରେ ଗଙ୍ଗାଧରଙ୍କ ସଂସ୍କାର ଚିନ୍ତା

9 Min Read

ସ୍ଵଭାବ କବି ଗଙ୍ଗାଧର ମେହେର ୧୯୧୭ ମସିହାରେ ଅବସର ଗ୍ରହଣ କରି ପଦ୍ମପୁରରେ ଅବସ୍ଥାନ କରୁଥିଲେ । ସେତେବେଳେ ତାଙ୍କର ପେନସନ୍ ଥିଲା ଏଗାର ଟଙ୍କା ପାଞ୍ଚ ଅଣା । ଗଙ୍ଗାଧର ପଦ୍ମପୁରରେ ଅବସର ଜୀବନ କିପରି ସୁଖରେ ଅତିବାହିତ କରିପାରିବେ ସେଥିପାଇଁ ପଦ୍ମପୁର ଜମିଦାର ରାଜେନ୍ଦ୍ର ସିଂ ବରିହା କବିଙ୍କୁ  ‘ତେଣ୍ଡା ପଦର’ ନାମକ ଏକ ଛୋଟ ଗ୍ରାମ ପୁରସ୍କାର ସ୍ଵରୂପ ପ୍ରଦାନ କରିଥିଲେ । ଏହା ସହ ମାସିକ କୋଡ଼ିଏ ଟଙ୍କା ବେତନରେ ଅଡିଟର ଚାକିରିଟିଏର ବ୍ୟବସ୍ଥା ମଧ୍ୟ କରି ଦେଇଥିଲେ । ଚାଷକାର୍ଯ୍ୟ କରିବା ପାଇଁ ମନସ୍ଥ କରି ଗଙ୍ଗାଧର ସମସ୍ତ ପ୍ରାପ୍ତ ଜମିକୁ ପ୍ରଥମେ ଚାଷୋପଯୋଗୀ କଲେ । ଏଥିପାଇଁ ହଳ କିଣିବା ତଥା ଅନ୍ୟାନ୍ୟ ଖର୍ଚ୍ଚ ବାବଦକୁ କବିଙ୍କ ଅନେକ ଅର୍ଥ ବ୍ୟୟ ହେଲା । ସେ କ୍ରମାଗତ ଦୁଇବର୍ଷ ଚାଷକାର୍ଯ୍ୟରେ କ୍ଷତିଗ୍ରସ୍ତ ହେଲେ । ପୁନଶ୍ଚ ସ୍ଥାୟୀ ବାସଭବନର ଅଭାବ ତଥା ବାରମ୍ବାର ସ୍ଵାସ୍ଥ୍ୟହାନୀ ଯୋଗୁଁ ପଦ୍ମପୁର ରହଣୀ ତାଙ୍କ ପାଇଁ ପ୍ରତିକୂଳ ମନେହେଲା । ଏହା ପୂର୍ବରୁ ୨୦.୧୦.୧୯୧୬ରେ ବରପାଲି ଜମିଦାର ଗୋଟିଏ ପତ୍ରରେ ‘ଆପଣ ମୋହର ଏକମାତ୍ର ଅଭିଭାବକ ସ୍ଵରୂପ ମୋହୋର ପ୍ରତ୍ୟେକ କାର୍ଯ୍ୟର ସହାୟକ’ ହୁଅନ୍ତୁ ବୋଲି ଗଙ୍ଗାଧରଙ୍କୁ ଅନୁରୋଧ କରିଥିଲେ । ତା ସହ ଜୀବଦ୍ଦଶା ପର୍ଯ୍ୟନ୍ତ ମାସିକ ତିରିଶ ଟଙ୍କା ହିସାବରେ ବୃତ୍ତି ଦେବି ବୋଲି କହିଥିଲେ । ୧୯୧୮ ମସିହାରେ ଗଙ୍ଗାଧର ବରପାଲି ଆସିଥିବାବେଳେ ଜମିଦାର ପୁଣିଥରେ ତାଙ୍କୁ ଉକ୍ତ ପ୍ରସ୍ତାବରେ ରାଜିହେବାକୁ ଅନୁରୋଧ କଲେ । ଫଳରେ ୧୯୨୦ ମସିହାରେ କବି ଫେରିଆସିଲେ ନିଜ ଜନ୍ମମାଟିକୁ ।

Support Samadhwani

ସମୟକ୍ରମେ ଆର୍ଥିକ ଦୁରବସ୍ଥା ତଥା କେତେଜଣ କୁଚକ୍ରୀଙ୍କ ଅସତ୍ ମାର୍ଗଦର୍ଶନ ଫଳରେ ଜମିଦାର ସୂର୍ଯ୍ୟୋଦୟ ସିଂ ଗଙ୍ଗାଧରଙ୍କୁ କହିଥିବା ତିନିଗୋଟି କଥା, ଯଥା – ‘ ଆପଣଙ୍କ ସହ ସଦା ସଦାଳାପ କରିବି ‘, ‘ ଆପଣଙ୍କ ମଧୁମୟ ଉପଦେଶ ଗ୍ରହଣ କରି ସୁନୀତିରେ ପରିଚାଳିତ ହେବି ‘ ଏବଂ ‘ ଜୀବନର ପବିତ୍ର କର୍ତ୍ତବ୍ୟ ସୁଚାରୁରୂପେ ପ୍ରତିପାଳନ କରିବି ‘ ଆଦି ସମ୍ପୂର୍ଣ୍ଣ ବିସ୍ମୃତ ହେଲେ । ଜମିଦାରଙ୍କ ଅକଥନୀୟ ଅତ୍ୟାଚାରର ଦୂରୀକରଣ ସକାଶେ ବରପାଲି ଜନସାଧାରଣ ଗଙ୍ଗାଧରଙ୍କ ଶରଣ ପଶିବାରୁ କବିଙ୍କ ପରାମର୍ଶକ୍ରମେ ୨୧.୦୭.୧୯୨୧ରେ ସ୍ଥାନୀୟ କେତେକ ବିଶିଷ୍ଟ ବ୍ୟକ୍ତିଙ୍କୁ ନେଇ ‘ସାଧୁସମିତି’ ନାମକ ଏକ ସମିତି ଗଠନ କରାଗଲା । ଜମିଦାରଙ୍କ ଚରିତ୍ର ସୁଧାର ଉଦ୍ଦେଶ୍ୟ ନେଇ ଜାଣିଶୁଣି ତାଙ୍କୁ ଏହି ସମିତିର ସଭାପତି ରଖାଗଲା  ଏବଂ  ଗଙ୍ଗାଧର ଏହାର ସ୍ଥାୟୀ ସମ୍ପାଦକ ଭୂମିକାରେ ରହିଲେ ।

ସପ୍ତାହର ପ୍ରତି ରବିବାର ଦିନ ଏହାର ବୈଠକ ବସୁଥିଲା । କେବଳ ବରପାଲି କାହିଁକି ଆଖପାଖ ଅଂଚଳର ଲୋକମାନେ ମଧ୍ୟ ନିଜର ସମସ୍ୟାମାନ ସମିତିକୁ ଜଣାଇବା ପରେ ବିନା ଅର୍ଥ ନେଇ ସମିତି ତାହାର ସମାଧାନ କରୁଥିଲା । ଫଳରେ ଖୁବ୍ କମ୍ ଦିନରେ ସାଧୁସମିତିର ପ୍ରସିଦ୍ଧି ବଢିଥିଲା । ଏହି ସମିତିର ସଭ୍ୟ ହେବାପାଇଁ ଦୁଇଗୋଟି ମାନଦଣ୍ଡ ନିର୍ଦ୍ଧାରଣ କରାଯାଇଥିଲା, ଯଥା- ଯେଉଁମାନେ ସତ୍ୟନ୍ୟାୟରେ  ଥାଇ ପବିତ୍ର ଓ ସରଳ ଜୀବନରେ ବଞ୍ଚିବାକୁ ଓ ଅନ୍ୟାୟ ଅତ୍ୟାଚାର ନିବାରଣ କଳ୍ପେ ବିହିତ ପ୍ରତିକାର କରିବାରେ ସାହାଯ୍ୟ କରିବାକୁ ଓ ସମିତିର ନିୟମାନୁସାରେ ଚଳିବାକୁ ପ୍ରତିଜ୍ଞାବଦ୍ଧ ହେବେ, ସେମାନେ ଏହି ସମିତିର ସଭ୍ୟ ଶ୍ରେଣୀରେ ଭୁକ୍ତ ହେବେ ଏବଂ ନିଶାଦ୍ରବ୍ୟସେବୀ ବା ଜୁଆଡି ଏହି ସମିତିର ସଭ୍ୟ ହୋଇପାରିବେନି । (ପିତୃ ପ୍ରସଙ୍ଗ)

ସାଧୁସମିତିର କାର୍ଯ୍ୟାବଳୀ କେତେଜଣ ଅସାଧୁ ପ୍ରକୃତିର ଲୋକଙ୍କୁ ତଣ୍ଟିରେ କଣ୍ଟା ସଦୃଶ ମନେହେଲା । ଫଳରେ ଏହା ବିରୋଧରେ ସେମାନେ ଜମିଦାରଙ୍କ କାନ ଭରିବାରୁ ସମିତି ଅଳ୍ପଦିନ ମଧ୍ୟରେ ଭାଙ୍ଗିଗଲା । ଏହିଭଳି କେତେକ କାରଣ ଯୋଗୁଁ ଗଙ୍ଗାଧର ଓ ଜମିଦାରଙ୍କ ମଧ୍ୟରେ ମନାନ୍ତର ସୃଷ୍ଟି ହେଲା ଏବଂ ପରିସ୍ଥିତି ଜଟିଳ ହୋଇପଡିବାରୁ ତା.୨୫.୦୮.୧୯୨୩ରିଖ ଦିନ କବି ଚାକିରିରୁ ଇସ୍ତଫା ଦେଲେ ।

Support Samadhwani

ଗଙ୍ଗାଧର ଅନ୍ତିମ ଜୀବନରେ ସାହିତ୍ୟପ୍ରବଣ ହେବା ପରିବର୍ତ୍ତେ ବିଶେଷ ଭାବରେ ସଂସ୍କାରପ୍ରବଣ ହୋଇପଡିଥିଲେ । ଗଙ୍ଗାଧରଙ୍କ ଦୀର୍ଘ ଜୈବନିକ ଅଭିଜ୍ଞତା ଯୋଗୁଁ ଜ୍ଞାତି-କୁଟୁମ୍ଵ-ପଡୋଶୀ ପ୍ରତିକୂଳ ପରିସ୍ଥିତିରେ କବିଙ୍କ ଶରଣ ପଶୁଥିଲେ । ଫଳରେ ଗଙ୍ଗାଧର ଜାତି ଭାଇଙ୍କ ଉନ୍ନତି କଳ୍ପେ ‘ମେହେର ମହାସଭା’ ଏବଂ ସମଗ୍ର ଓଡ଼ିଶାର ସାହିତ୍ୟିକଙ୍କ ପାଇଁ ଏକ ‘ପଣ୍ଡିତ ସଭା’ ଆୟୋଜନ  କରିବା ପାଇଁ ମନସ୍ଥ କରିଥିଲେ । ଦୁଃଖର କଥା ଯେ, ମେହେର ମହାସଭାର ପରିସମାପ୍ତି ପରେ ପରେ ସେ ଇହଧାମ ତ୍ୟାଗ କରିବାରୁ ପଣ୍ଡିତ ସଭା ଆଉ ହୋଇପାରିନଥିଲା ।

ସ୍ୱଜାତି ମଧ୍ୟରେ ପ୍ରଚଳିତ କେତେଗୋଟି କୁସଂସ୍କାରର ମୂଳୋତ୍ପାଟନ ସକାଶେ ଗଙ୍ଗାଧର ମେହେର ମହାସଭାର ଆୟୋଜନ କରିଥିଲେ । ଏଥିପାଇଁ ବରପାଲି ଭୁଲିଆ ପଡ଼ା ନିକଟବର୍ତ୍ତୀ ଏକ ପ୍ରଶସ୍ତ ସ୍ଥାନରେ ମଣ୍ଡପଟିଏ ନିର୍ମାଣ କରାଯାଇଥିଲା । କବିଙ୍କୁ ଏଭଳି କାମ ପାଇଁ ବିରୋଧ କରୁଥିବା କେତେଜଣ ଦୁର୍ବୁତ୍ତ ଉକ୍ତ ମଣ୍ଡପରେ ନିଆଁ ଲଗାଇଦେବାର କଳ୍ପନା କରିଥିଲେ ହେଁ ତାହା କରିନପାରି ମଣ୍ଡପରେ ଲାଗିଥିବା ପତାକା କାଢ଼ି ଆଣି ସେଥିରେ ମଳମୁତ୍ର ତ୍ୟାଗ କରି କବିଙ୍କ ଘର ଆଗରେ ପକାଇଦେଇଥିଲେ । ଏ ପ୍ରକାର ଅସୁବିଧା ସତ୍ତ୍ୱେ ମେହେର ମହାସଭା ୨୫.୦୩.୧୯୨୪ ତାରିଖରେ ଆରମ୍ଭ ହୋଇ ୨୮.୦୩.୧୯୨୪ ପର୍ଯ୍ୟନ୍ତ ତିନିଦିନ ଶାନ୍ତିଶୃଙ୍ଖଳାର ସହ ଚାଲିଥିଲା ।

ଏଥିରେ ଗଙ୍ଗାଧର ପୂର୍ବତନ ସମ୍ବଲପୁର ଅନ୍ତର୍ଗତ ଅଠରଗୋଟି ଗଡ଼ଜାତର ଭୁଲିଆମାନଙ୍କୁ ନିମନ୍ତ୍ରଣ କରିଥିଲେ ଏବଂ ଆଶ୍ଚର୍ଯ୍ୟଜନକଭାବେ ତିନିହଜାରରୁ ଊର୍ଦ୍ଧ୍ବ ଭୁଲିଆ ଏହି ସଭାରେ ଯୋଗ ଦେଇଥିଲେ । ସେ ସମୟରେ ଏତେ ସଂଖ୍ୟକ ଜାତିଭାଇ ଗୋଟିଏ ସ୍ଥାନରେ ଏକତ୍ର ହେବା ସମଗ୍ର ଓଡ଼ିଶା ପାଇଁ ଥିଲା ଏକ ବିରଳ ଘଟଣା । କବିଙ୍କ ମୃତ୍ୟୁ ପରେ ତାଙ୍କ ସାହିତ୍ୟ ଚର୍ଚ୍ଚା ବଦଳରେ ଏହି ଘଟଣାର ବାରମ୍ବାର ଦୃଷ୍ଟାନ୍ତ ଦେଇ ତତ୍କାଳୀନ ‘ଆଶା’, ‘ଉତ୍କଳ ଦୀପିକା’ ତଥା ‘ଉତ୍କଳ ସାହିତ୍ୟ’ ଆଦି ପତ୍ରପତ୍ରିକା ଅନେକ ଖବର ପ୍ରକାଶ କରିଛନ୍ତି ।

ପ୍ରଥମେ ୧୨ ଅପ୍ରେଲ ୧୯୨୪ ତାରିଖରେ ‘ଶୋକ ସମାଚାର ’ ଶୀର୍ଷକରେ ଉତ୍କଳଦୀପିକାରେ ପ୍ରକାଶ ପାଇଲା– “××× ସେ ମୃତ୍ୟୁ ପୂର୍ବେ ସ୍ଵଜାତିର କଲ୍ୟାଣ ଚିନ୍ତାକରିବା ନିମନ୍ତେ ସ୍ଵଜାତିର ଲୋକମାନଙ୍କୁ ବରପାଲିକୁ ଆହ୍ୱାନ କରିଥିଲେ । ଦୂରଦୂରାନ୍ତରରୁ ୩ ହଜାରରୁ ଅଧିକ ଲୋକ ବରପାଲିରେ ସମବେତ ହୋଇ ୪ ଦିନ ବ୍ୟାପୀ ସଭା କରିଥିଲେ । ସେହି ସଭା ସ୍ଵଜାତି ଗୌରବ ଗଙ୍ଗାଧରଙ୍କୁ ଯଥେଷ୍ଟ ସମ୍ମାନ କରିଥିଲେ । ସେ ଜାତୀୟ ସମ୍ମାନ ପ୍ରାପ୍ତିପରେ କ୍ରମାଗତ ୩ ଦିନ କାଳ ସଂଜ୍ଞାଶୂନ୍ୟ ଅବସ୍ଥାରେ ରହି ପରେ ନଶ୍ୱରଧାମ ତ୍ୟାଗ କରିଅଛନ୍ତି ।”

ଏହାର ଠିକ୍ ସାତ ଦିନ ପରେ ଅପ୍ରେଲ ୧୯ ତାରିଖରେ ଦୀପିକାରେ ଆଉ ଏକ ଖବର ‘ଜାତି ସଂସ୍କାର’ ଶୀର୍ଷକରେ ପ୍ରକାଶ ପାଏ । ସେଥିରେ ଲେଖାଥିଲା -” କବି ଗଙ୍ଗାଧର ପରଲୋକ ପ୍ରୟାଣ କରିବା ପୂର୍ବେ ସ୍ଵଜାତି ସଂସ୍କାର ବିଷୟରେ ମନୋଯୋଗୀ ହୋଇଥିଲେ । ତାଙ୍କ ଚେଷ୍ଟାରେ ତାଙ୍କର ସ୍ଵଗ୍ରାମ ବରପାଲିରେ ଭୁଲିୟା ଜାତିର ଗୋଟିଏ ମହାସଭା ମାର୍ଚ୍ଚ ମାସ ୨୫ ତାରିଖରୁ ୨୭ ତାରିଖ ପର୍ଯ୍ୟନ୍ତ ହୋଇଥିଲା । ସେହି ମହାସଭାରେ ସମ୍ବଲପୁର ଜିଲା ବ୍ୟତୀତ ସୋନପୁର, ବଉଦ, ଆଠମଲ୍ଲିକ ଏବଂ ପାଟଣା ପ୍ରଭୃତି ଗଡ଼ଜାତର ୩ ସହସ୍ରାଧିକ ଭୁଲିୟା ସେଠାରେ ସମବେତ ହୋଇଥିଲେ । ଦୁଃଖର ବିଷୟ ସେତେବେଳକୁ ଗଙ୍ଗାଧର ବାବୁ ଶଯ୍ୟାଗତ । ତଥାପି ଜାତୀୟ ଲୋକମାନେ ତାଙ୍କୁ ଦିନେ ନରଯାନରେ ସଭାସ୍ଥାନକୁ ଘେନି ଯାଇଥିଲେ । ତାଙ୍କର ଅଭିମତ ନେଇ ସଭାର କାର୍ଯ୍ୟ ହୋଇଥିଲା । ସଭା ନିମ୍ନଲିଖିତ ନିର୍ଦ୍ଧାରଣମାନ କରିଅଛନ୍ତି ।

୧- ପୂର୍ବେ ଭୁଲିୟାମାନେ ମୃତବ୍ୟକ୍ତିର ଅନ୍ତ୍ୟେଷ୍ଟି କ୍ରିୟାରେ ବୋଦା ମାରୁଥିଲେ । ଏଣିକି ସେପରି କରାଯିବନାହିଁ ।

୨- ଭୁଲିୟା ଜାତିର ବିବାହବେଳେ ବର ଘରର ସମସ୍ତ ପରିବାର ବରସହ କନ୍ୟା ଘରକୁ ଯାଉଥିବାର ରୀତିରହିତ କରାଗଲା । କେବଳ ପୁରୁଷମାନେ ବର ସହିତ ଯିବେ ।

୩- ବରକନ୍ୟାଙ୍କ ସକାଶେ ବାଧ୍ୟହୋଇ ତସର ଲୁଗା ବ୍ୟବହାର ଗରୀବମାନଙ୍କ ପକ୍ଷରେ କଷ୍ଟକର ହେତୁ ଏଣିକି ସେପରି କରାଯିବନାହିଁ ।

ସମାଜରେ ଚିରକାଳରୁ ଚଳି ଆସିଥିବା ଏହି ତ୍ରିବିଧ ପ୍ରଥାର ସଂସ୍କାର କେବଳ କବି ଗଙ୍ଗାଧରଙ୍କ ଚେଷ୍ଟାର ଫଳ । ଏହାଦ୍ୱାରା ସେ ଜାତିର ଲୋକମାନେ ଯେ ବିଶେଷ ଉପକୃତ ହୋଇ ଏଥି ସକାଶ ତାକୁ ସର୍ବଦା ସ୍ମରଣ କରିବେ, ଏକଥା କହିବା ବାହୁଲ୍ୟ ମାତ୍ର ।” ପୂର୍ବ ଖବରରେ ମହାସଭା ଚାରିଦିନ ବ୍ୟାପୀ ହୋଇଥିଲା ବୋଲି ଯେଉଁ ଭ୍ରାନ୍ତ ବା ଶୁଣା ଖବର ଦିଆଯାଇଥିଲା ତାହା ପରବର୍ତ୍ତୀ ଖବର ପରିବେଷଣବେଳେ ସୁଧୁରାଯାଇ ତିନିଦିନ କରାଯାଇଅଛି ।

କେବଳ ‘ଉତ୍କଳ ଦୀପିକା’ ନୁହେଁ ‘ଆଶା’ ଖବରକାଗଜରେ ମଧ୍ୟ “ମେହେର ଓ ଭୁଲିଆ ଜାତି” ଶୀର୍ଷକରେ ଏକ ଖବର ୧୨ ମଇ ୧୯୨୪ରେ ପ୍ରକାଶ ପାଇଥିଲା । ଖବରଟି ହେଲା – “ଗଙ୍ଗାଧର ମେହେର ଗତ ଏପ୍ରିଲ ୪ ତାରିଖରେ ଦେହତ୍ୟାଗ କଲେ । ତାଙ୍କର ବୟସ ହୋଇଥିଲା ୬୨ ବର୍ଷ । କେବଳ କବିତା ବା କାବ୍ୟ ଲେଖିବାରେ ସେ ବ୍ୟାପୃତ ନଥାନ୍ତି । ସେ ଯେଉଁ ଜାତିରେ ଜନ୍ମଗ୍ରହଣ କରିଥିଲେ ସେ ଜାତିର ସର୍ବବିଧ କଲ୍ୟାଣ ନିମନ୍ତେ ତାଙ୍କ କ୍ଷୁଦ୍ର ଶକ୍ତି ବିନିଯୋଗ କରୁଥିଲେ । ମୃତ୍ୟୁର କିଛିଦିନ ପୂର୍ବେ ସେ ତାଙ୍କ ଜାତିର ଗୋଟିଏ ମହାସଭା ଆହ୍ୱାନ କରାଇଥିଲେ । ସେ ସଭାରେ ସମ୍ବଲପୁର, ସୋନପୁର, ବଉଦ, ଆଠମଲ୍ଲିକ ପ୍ରଭୃତି ସ୍ଥାନରୁ ୩ ସହସ୍ର ପର୍ଯ୍ୟନ୍ତ ‘ଭୁଲିଆ’ ଜାତିର ଲୋକ ବରପାଲି (ସମ୍ବଲପୁର)ରେ ଏକତ୍ରିତ    ହୋଇଥିଲେ ।  ସଭାବେଳକୁ ମେହେରଙ୍କ ଭାରି ଜ୍ଵର । ତଥାପି ତାଙ୍କର ଇଚ୍ଛା ହେଲା ସଭା ଦେଖିବାକୁ । ଗୋଟିଏ ଚଉକି ଉପରେ ବସାଇ ତାଙ୍କୁ ଟେକି ନିଆଯାଇଥିଲା । ମେହେରଙ୍କ ମୃତ୍ୟୁରେ ଭୁଲିଆଙ୍କର ବହୁତ କ୍ଷତି ହୋଇଅଛି । ସେ କ୍ଷତି ଶୀଘ୍ର ପୂରଣ ହେବାର ନୁହେ ।”

ଏହା ବ୍ୟତୀତ ‘ଉତ୍କଳ ସାହିତ୍ୟ’ ପତ୍ରିକାର ୨୨ଶ ଭାଗ, ୧୨ଶ ସଂଖ୍ୟାରେ ପ୍ରକାଶ ପାଇଥିଲା ‘ଶୋକ ସମ୍ବାଦ’ । ଏଥିରେ ମଧ୍ୟ ଲେଖାଯାଇଥିଲା – “ସାମାଜିକ ବିଷୟରେ ଗଙ୍ଗାଧରଙ୍କ ମତ ଅତି ଉନ୍ନତ ଓ ଉଦାର ଥିଲା ଏବଂ ସମାଜରୁ ନାନା ଦୁର୍ନୀତି ଓ କଦାଚାର ଦୂର କରିବା ବିଷୟରେ ସେ ସର୍ବଦା ଯତ୍ନବାନ ଥିଲେ । ଜୀବନର ଶେଷ ଭାଗରେ ସ୍ଵଜାତୀୟମାନଙ୍କ କଲ୍ୟାଣ କାମନାରେ ଗୋଟେ ବୃହତ ସଭା ଆହ୍ଵାନ କରି କେତେଗୁଡ଼ିଏ କୁରୀତି ଦୂରୀକରଣର ପ୍ରସ୍ତାବ ଧାର୍ଯ୍ୟ କରିଯାଇଛନ୍ତି । ଗଙ୍ଗାଧରଙ୍କ ପରି ସର୍ବଜନପ୍ରିୟ କବିଙ୍କ ପକ୍ଷରେ ଏକା ଏହା ସମ୍ଭବ ।” ପରେ ଏହାର ୨୮ଶ ଭାଗ,୩ୟ ସଂଖ୍ୟାରେ ପ୍ରକାଶିତ ‘ ସ୍ୱର୍ଗତ କବି ଗଙ୍ଗାଧର ‘ ପ୍ରବନ୍ଧରେ କୁଳମଣି ଦାଶ ‘ମେହେର ମହାସଭା’ରେ ଗୃହୀତ ଉପରୋଲ୍ଲିଖିତ ମୁଖ୍ୟ ତିନିଗୋଟି ନିୟମର ଉଲ୍ଲେଖ କରିଥିବାର ଦେଖାଯାଏ ।

ବାସ୍ତବରେ ଉକ୍ତ ମହାସଭାରେ କେତେଗୋଟି ନିୟମ ଏବଂ କି କି ନିୟମକୁ ସ୍ଵୀକୃତି ମିଳିଥିଲା ତାହା ଭଗବାନ ମେହେରଙ୍କ ‘ପିତୃ ପ୍ରସଙ୍ଗ’ରେ ସ୍ପଷ୍ଟ ଉଲ୍ଲେଖ ନାହିଁ । ପ୍ରଥମେ ଉତ୍କଳ ଦୀପିକା ଓ ପରେ କୁଳମଣି ଦାଶ ହିଁ ତିନିଗୋଟି ପ୍ରସ୍ତାବ କଥା କହିଛନ୍ତି । ମାତ୍ର ଶ୍ରୀ କେଶବଚନ୍ଦ୍ର ମେହେର ତାଙ୍କର ‘ ମେହେର ସାହିତ୍ୟ ‘ ପୁସ୍ତକରେ ଲେଖିଛନ୍ତି ଯେ, ମହାସଭାରେ ବାରଟି ପ୍ରସ୍ତାବ ଆଗତ ହୋଇଥିଲା ଏବଂ ତାହା ସର୍ବସମ୍ମତିକ୍ରମେ ଗୃହୀତ ହୋଇଥିଲା । (ପରିବର୍ଦ୍ଧିତ ଦ୍ବିତୀୟ ସଂସ୍କରଣ, ପୃ -୫ ) ଆଲୋଚକ କେଶବ ମେହେର କେଉଁ ଉତ୍ସରୁ ଏ ତଥ୍ୟ ସଂଗ୍ରହ କରିଛନ୍ତି ତାହା ଅସ୍ପଷ୍ଟ ।

ଜଣେ ସଂସ୍କାରକ ଭାବରେ ଗଙ୍ଗାଧର ତାଙ୍କର ସାହିତ୍ୟ କୃତି ମଧ୍ୟରେ ଅନେକ ସୂକ୍ତି ବା ସଂସ୍କାରୋଚିତ ବକ୍ତବ୍ୟ ଶୁଣାଇଥିଲେ ହେଁ ଅନ୍ତିମ ଜୀବନରେ ସାଧୁ ସମିତି ଓ ମେହେର ମହାସଭାର ଆୟୋଜନ କରି ପ୍ରତ୍ୟକ୍ଷ ସମାଜ ସୁଧାରରେ ହାତ ଦେଇଛନ୍ତି । ତେଣୁ ତତ୍କାଳୀନ ଅନେକ ପତ୍ରପତ୍ରିକା କବିଙ୍କ ଏ ଉଦ୍ୟମକୁ ସାଧୁବାଦ ଜଣାଇବା ସହ ଭୁରିଭୁରି ପ୍ରଶଂସା କରିଛନ୍ତି । ସ୍ୱଭାବ କବି ତାଙ୍କ ଲେଖନୀ ମାଧ୍ୟମରେ ପବିତ୍ର ଗଙ୍ଗାର ଯେଉଁ ଧାରା ପ୍ରବାହିତ କରିଛନ୍ତି, ସେହି ଶୁଦ୍ଧ ଧାରା ତାଙ୍କ ବ୍ୟକ୍ତିଗତ ଜୀବନଶୈଳୀରେ ମଧ୍ୟ ପ୍ରବାହିତ ହୋଇଥିବାର ଆମେ ଲକ୍ଷ୍ୟ କରୁ । ଅତଏବ ବ୍ୟକ୍ତି ଜୀବନ ଓ ବକ୍ତବ୍ୟ ଉଭୟରେ ଗଙ୍ଗାଧର ଏକ ସଂସ୍କାରକର ଭୂମିକା ତୁଲାଇଆସିଛନ୍ତି, ଏକଥା ନିର୍ବିବାଦେ ସ୍ଵୀକାର୍ଯ୍ୟ ।

Share This Article