Home / ସାହିତ୍ୟ ସଂସ୍କୃତି / ମଧ୍ୟରାତ୍ରୀରେ ଆତ୍ମନିୟୋଗର ଅଙ୍ଗୀକାର

ମଧ୍ୟରାତ୍ରୀରେ ଆତ୍ମନିୟୋଗର ଅଙ୍ଗୀକାର

Share Samadhwani

ପଣ୍ଡିତ ଜବାହାରଲାଲ ନେହେରୁଙ୍କ ପ୍ରଦତ୍ତ ଭାଷଣ

ଭାଷାନ୍ତର – ଜ୍ୟୋତି ନନ୍ଦ

[ ପଣ୍ଡିତ ନେହେରୁଙ୍କର ଭାରତର ସ୍ୱାଧୀନତା ପରର ଏହି ଐତିହାସିକ ଭାଷଣକୁ ପଢିବା ଦରକାର । ଆମେ ସେଥିରୁ ବୁଝିପାରିବା ଯେ ଗୋଟିଏ ସଦ୍ୟ ସ୍ୱାଧୀନତା ଅର୍ଜନ କରିବା ଦେଶ ର ଦିଶା ବସ୍ତୁତଃ କେଉଁପରି ହେବାର ପରିକଳ୍ପନା ଏଇ ଅବିସ୍ମରଣୀୟ ବରପୁତ୍ର କରିଥିଲେ । ]

ଭାଗ୍ୟ ର ସହିତ ଏଇଭଳି ଗୋଟିଏ ଆକାଂକ୍ଷିତ ସାକ୍ଷାତକାରର ଅପେକ୍ଷା ଆମର ବହୁକାଳର।ଆଜି ସେହି ମହାଲଗ୍ନ ଉପସ୍ଥିତ। ଆମର ପବିତ୍ର ପ୍ରତିଶ୍ରୁତି ମାନଙ୍କୁ ଆଜି ସାମଗ୍ରିକ ଭାବରେ ରୂପାୟିତ କରିବାକୁ ହେବ ଯାହା ପୂର୍ଣ୍ଣମାତ୍ରାରେ ନହେଲେ ବି ବହୁଳାଂଶରେ ତ ନିଶ୍ଚୟ । ଠିକ୍ ମଧ୍ୟରାତ୍ରରେ ଏହି ପ୍ରହରରେ ସାରା ପୃଥିବୀ ଯେତେବେଳେ ଗଭୀର ନିଦ୍ରାରେ ନିମଗ୍ନ ଭାରତବର୍ଷ ଜୀବନର ମୁଖରତାରେ ମୁକ୍ତିର ଜୟଗାନରେ ଜାଗ୍ରତ ହୋଇ ଉଠିବ । ଏମିତି ଗୋଟିଏ ସମୟ ଆସେ,ଯଦିଓ ଇତିହାସରେ ତାହାର ଆବିର୍ଭାବ ଅତୀବ ବିରଳ ,ଯେତେବେଳେ ଆମେମାନେ ଆମର ରିକ୍ତ ଅତୀତକୁ ପଛରେ ରଖି ନବଜୀବନର ଦ୍ୱାରଦେଶରେ ଉପସ୍ଥିତ ହୋଇଥାଉ । ଯେତେବେଳେ ଗୋଟିଏ ଯୁଗର ଅବସାନ ଘଟେ,ଏବଂ ଗୋଟିଏ ଜାତିର ସୁଦୀର୍ଘକାଳର ଅବଦମିତ ଅନ୍ତରାତ୍ମା ବାଙମୟ ହୋଇ ଉଠେ। ଏହା ସେହି ଭଳି ସମୟୋଚିତ ଯେ,ଏହି ପବିତ୍ର ମୁହୂର୍ତ୍ତରେ ଆମେମାନେ ଭାରତବର୍ଷର ସେବାରେ ତଥା ବୃହତ୍ତର ମାନବଜାତିର ସେବାରେ ନିଜକୁ ଉତ୍ସର୍ଗ କରିବା ନିମନ୍ତେ ବସ୍ତୁତଃ ଅଙ୍ଗୀକାରବଦ୍ଧ ହେଉଅଛୁ ।

ଇତିହାସର ସେହି ଉଷାଲଗ୍ନରେ ଭାରତବର୍ଷ ତାହାର ଅନ୍ତହୀନ ଜିଜ୍ଞାଷା ର ଯାତ୍ରାପଥରେ ନିଜର ପଦପାତ କରିବାକୁ ଆରମ୍ଭ କରିଛି । କାଳର ଗହ୍ୱରରେ ହଜିଯାଇଥିବା ଶତାବ୍ଦୀ ପରେ ଶତାବ୍ଦୀ ଧରି ସେହି ଭଳି ମହାଯାତ୍ରାର ଚରଣଚିହ୍ନରେ ମୁଦ୍ରିତ ହୋଇ ରହିଛି ସେହି ଇତିହାସ, କେଉଁଠି ସାଫଲ୍ୟ ସ୍ମୃତିରେ ତାହା ଭାସ୍ୱର ତ କେଉଁଠି ତାହା ବ୍ୟର୍ଥତାର ଗ୍ଲାନିରେ ମ୍ରିୟମାଣ । ଭାଗ୍ୟଦେବୀର ଏହି ଭଳି ପ୍ରସନ୍ନତା ଅଥବା ବିମୁଖତାର ମଧ୍ୟରେ କୌଣସିଦିନ ହିଁ ଭାରତବର୍ଷ ତାହାର ଅନ୍ତହୀନ ଜିଜ୍ଞାସା ର ନିର୍ଦ୍ଦିଷ୍ଟ ପଥ କୁ ପରିହାର କରିନାହିଁ,ବିସ୍ମୃତ ହୋଇନାହିଁ ତାହାର ସକଳ ଶକ୍ତିର ଉତ୍ସକୁ,କାଳଜୟୀ ଆଦର୍ଶକୁ । ଆଜି ଆମର ଦୁର୍ଭାଗ୍ୟର ଦିନଲିପି ଶେଷ ହେଲା । ଭାରତବର୍ଷ ପୁନର୍ବାର ଆବିଷ୍କାର କରିଛି
ନିଜକୁ । ଯେଉଁ ସାଫଲ୍ୟର ଉତ୍ସବ ଆଜି ଆମେ ପାଳନ କରୁଛେ, ତାହା ସାମାନ୍ୟ ଗୋଟିଏ ପଦକ୍ଷେପ ମାତ୍ର ଯାହା ଭବିଷ୍ୟତରେ ଆହୁରି ବଡ ସାଫଲ୍ୟ,ଆହୁରି ବିରାଟ ବିଜୟର ନୂତନ ସମ୍ଭାବନାର ଦ୍ୱାରକୁ ଉନ୍ମୁକ୍ତ କରିଦେଉଛି । ଏହି ସୁଯୋଗକୁ କାର୍ଯ୍ୟରେ ବିନିଯୋଗ କରିବା ଭଳି ଏବଂ ଭବିଷ୍ୟତର ଚାଲେଞ୍ଜକୁ ଗ୍ରହଣ କରିବା ଭଳି ଯଥୋଚିତ ସାହସ ଓ ପ୍ରଜ୍ଞା କ’ଣ ଆମର ରହିଅଛି ?

ସ୍ୱାଧୀନତା ଓ କ୍ଷମତା ଆମର କାନ୍ଧରେ ଦାୟିତ୍ୱ ଅର୍ପଣ କରିଛି । ଭାରତବର୍ଷର ସାର୍ବଭୌମ ଜନଗଣର ପ୍ରତିଭୂ ଏହି ସାର୍ବଭୌମ ଆଇନସଭାର ଉପରେ ହିଁ ଏଇଭଳି ଦାୟିତ୍ୱ ନିର୍ଭର କରି ରହିଅଛି । ସ୍ୱାଧୀନତା ର ଏହି ଜନ୍ମମୁହୂର୍ତ୍ତର ପ୍ରାକ୍-କାଳରେ,ଆମେମାନେ ଆମର ଶ୍ରମକୁ ନେଇ ଅନେକ ବେଦନା ଭୋଗ କରିଅଛେ ଏବଂ ସେହି ଦୁଃଖାବହ ସ୍ମୃତିରେ ଆମ ମାନଙ୍କର ହୃଦୟ ଭାରାକ୍ରାନ୍ତ। କିଛି କିଛି ବେଦନାର ଦହନ ଏବେବି ଉପସ୍ଥିତ ରହିଛି । ସେ ଯାହା ହେଉ,ସେହି ଅତୀତ ଏବେ ଅତିକ୍ରାନ୍ତ। ଆଜି ଭବିଷ୍ୟତ ଆମକୁ ହାତଠାରି ଡାକୁଛି । ଆମର ଭବିଷ୍ୟତର ପଥ ସହଜ ନୁହଁ । ଭବିଷ୍ୟତ ଆମ ପାଇଁ ଆରାମର ନୁହଁ ।ଆମେମାନେ ବାରଂବାର ଯାହା ଅଙ୍ଗୀକାର କରୁଛୁ ବା ଆଜି ଯାହା ଅଂଗୀକାର କରିବୁ,ତାହାକୁ ରୂପାୟିତ କରିବାକୁ ଗଲାବେଳେ ଆମକୁ ନିରନ୍ତର ସଂଗ୍ରାମ କରିଯିବାକୁ ହେବ । ଭାରତବର୍ଷର ସେବା ହେଉଛି ତାହାର ଲକ୍ଷଲକ୍ଷ ନିପୀଡିତ ମଣିଷର ସେବା । ଏହାର ଅର୍ଥ ହେଉଛି ଦାରିଦ୍ର୍ୟ,ଅଜ୍ଞତା,ବ୍ୟାଧି ଓ ସୁଯୋଗର ଅସାମ୍ୟର ଅବସାନ । ଆମମାନଙ୍କ ପ୍ରଜନ୍ମର ସବୁଠାରୁ ବଡ ମଣିଷଟିର ସ୍ୱପ୍ନ ହେଉଛି ପ୍ରତିଟି ଆଖି ର ଅଶ୍ରୁର ବିମୋଚନ କରିବା ଭଳି
କାର୍ଯ୍ୟ । ଏହା ହୁଏତ ଆମ ମାନଙ୍କର ସାଧ୍ୟର ବାହାରେ । କିନ୍ତୁ ଯେତେଦିନ ଆଖିପତାରୁ ଅଶ୍ରୁ ଝରୁଥିବ ,ଯେତେଦିନ ମଣିଷର ଯାତନାଭୋଗ ରହିଥିବ, ସେତେଦିନ ଆମର ପ୍ରୟାସ ଅବ୍ୟାହତ ରହିଥିବ । ତେଣୁ ଆମକୁ ପରିଶ୍ରମ କରିବାକୁ ହେବ,କାର୍ଯ୍ୟ କରିବାକୁ ହେବ,ଦୃଢତାର ସହିତ କାର୍ଯ୍ୟ କରିଯିବାକୁ ହେବ ଯାହା ଦ୍ୱାରା ଆମେ ଆମର ସ୍ୱପ୍ନକୁ ସାର୍ଥକ କରିବାକୁ ସମର୍ଥ ହେବୁ । ଏହି ସ୍ୱପ୍ନ ଭାରତବାସୀ ନିମନ୍ତେ ଉଦ୍ଦିଷ୍ଟ ହୋଇଥିଲେ ହେଁ ତାହା ବିଶ୍ୱବାସୀଙ୍କର କଲ୍ୟାଣକର ହେବ । କାରଣ ସମଗ୍ର ଜାତି,ସମଗ୍ର ବିଶ୍ୱବାସୀ ଆଜି ଗୋଟିଏ ଅବିଚ୍ଛେଦ୍ୟ ସୂତ୍ରରେ ଗ୍ରଥିତ । କାହାରି ପକ୍ଷରେ ସେହି ଗ୍ରନ୍ଥିକୁ ଛିନ୍ନ କରି ଏକେଲା ଅବସ୍ଥାନ କରିବା ବାତୁଳତା ମାତ୍ର। କୁହାଯାଏ, ଶାନ୍ତି ହେଉଛି ଅବିଭାଜ୍ୟ । ଠିକ୍ ସେହିଭଳି ଆଜିକାର ଏଇ “ଏକମାତ୍ର ବିଶ୍ୱ” ର ପରିପ୍ରେକ୍ଷୀରେ ସ୍ୱାଧୀନତା ,ପ୍ରଗତି ଏପରିକି ବିପର୍ଯ୍ୟୟ ବି ସମଭାବରେ ସକଳ ବିଭେଦ ଠାରୁ ଉର୍ଦ୍ଧ୍ୱରେ ଅବସ୍ଥାନ କରୁଥାଏ । ଏସବୁକୁ ଛୋଟଛୋଟ କରି ଅଲଗା ଅଲଗା ସତ୍ତା ସହିତ ଖଣ୍ଡ ଖଣ୍ଡ ଭାଗ କରିଦେବାର କୌଣସି ଅବକାଶ ନାହିଁ ।

ଯେଉଁ ଭାରତ ବର୍ଷର ସମସ୍ତ ଜନସାଧାରଣଙ୍କର ଆମେ ପ୍ରତିନିଧି,ସେହି ଭାରତବର୍ଷର ଜନଗଣଙ୍କ ନିକଟରେ ଆମେ ଆଜି ଗୋଟିଏ ଆବେଦନ କରୁଅଛୁ,ଏହି ରୋମାଞ୍ଚକର ଅଭିଯାନରେ ସେମାନେ ଯେମିତି ପୂର୍ଣ୍ଣ ବିଶ୍ୱାସ ଓ ନିର୍ଭରତାର ସହିତ ଆମର ସହଯାତ୍ରୀ ହୁଅନ୍ତୁ । କ୍ଷୁଦ୍ର ନେତିବାଚକ ସମାଲୋଚନା ର ସମୟ ଏଇଟି ନୁହଁ । ଅନ୍ୟପ୍ରତି ବିରୂପ ମନୋଭାବ ବା ଅପବାଦ ସମୟ ଏଇଟି ନୁହଁ । ସ୍ୱାଧୀନ ଭାରତର ନବୀନ ସୌଧ ଆମକୁ ଗଢିବାକୁ ହେବ ଯାହା ତାହାର ସକଳ ସନ୍ତାନର ଆଶ୍ରୟ ସ୍ଥଳ ହେବା ନିଶ୍ଚିତ । ମାନନୀୟ ଅଧ୍ୟକ୍ଷ ମହୋଦୟ,ମୁଁ ତେଣୁ ଆପଣଙ୍କ ଅନୁମତି ପ୍ରାର୍ଥନା କରି କହିବାକୁ ଚାହିଁବି ଯେ ଆଜିକାର ଏଇ ସଭା ଏଇ ସିଦ୍ଧାନ୍ତ ଗ୍ରହଣ କରୁ :

୧। ମଧ୍ୟରାତ୍ରୀର ଚୂଡାନ୍ତ ପ୍ରହର ଅତିକ୍ରାନ୍ତ ହେଲେ ସଂବିଧାନ ପ୍ରଣୟନକାରୀ ଏଇ ଆଇନସଭା ର ଉପସ୍ଥିତ ସକଳ ସଦସ୍ୟ ଏହି ଅଙ୍ଗୀକାର ଗ୍ରହଣ କରୁଛନ୍ତି ଯେ, ଆଜିକାର ଏଇ ପବିତ୍ର ମୁହୂର୍ତ୍ତରେ ଯେତେବେଳେ ଭାରତବର୍ଷର ଅଧିବାସୀ ତାହାର ନିର୍ଯ୍ୟାତନ ଏବଂ ଆତ୍ମତ୍ୟାଗର ବିନିମୟରେ ସ୍ୱାଧୀନତା ଅର୍ଜନ କରିଛନ୍ତି ସେତେବେଳେ ମୁଁ ସଂବିଧାନ ପ୍ରଣୟନକାରୀ ଆଇନସଭାର ସଦସ୍ୟ ହିସାବରେ ଅତ୍ୟନ୍ତ ବିନମ୍ରତାର ସହିତ ନିଜକୁ ଭାରତବର୍ଷ ଓ ତାହାର ଜନଗଣଙ୍କ ସେବାରେ ନିଜକୁ ଉତ୍ସର୍ଗ କରୁଛି । ଯାହାଫଳରେ ଏହି ପବିତ୍ର ଭୂମି ଜଗତସଭାରେ ନିଜର ଯଥାଯୋଗ୍ୟ ଆସନ ଗ୍ରହଣ କରିପାରେ ଏବଂ ବିଶ୍ୱ ଶାନ୍ତି ଓ ବିଶ୍ୱ ମାନବର କଲ୍ୟାଣ ନିମନ୍ତେ ତାହାର ପୂର୍ଣ୍ଣ ଅନୁରାଗଯୁକ୍ତ ଅବଦାନ ପ୍ରଦାନ କରିପାରେ ।

“ଭାରତବର୍ଷର ଜନଗଣଙ୍କର ପ୍ରଥମ ସେବକ”
ପ୍ରଧାନ ମନ୍ତ୍ରୀ
ଜବାହାରଲାଲ ନେହେରୁ
୧୪ ଅଗଷ୍ଟ ୧୯୪୭,ମଧ୍ୟରାତ୍ରୀ,କ୍ରାନ୍ତିଲଗ୍ନ


Share Samadhwani
Support Samadhwani

About ଜ୍ୟୋତି ନନ୍ଦ

Check Also

ପ୍ରଥମ ଓଡ଼ିଆ ଦଳିତ ଉପନ୍ୟାସ : ଏକ ଦୃଷ୍ଟି

Share Samadhwaniଦୁନିଆର ବହୁତ କଥାକୁ ବୁଝିହୁଏ ସିନା ଅସଲରେ ବୁଝେଇ ହୁଏ ନାହିଁ । ‘ସାହିତ୍ୟ’ ବି ସେଭଳି ଏକ …