Home / ସାହିତ୍ୟ ସଂସ୍କୃତି / ଉତ୍କଳ ଦିବସ ଅବସରରେ

ଉତ୍କଳ ଦିବସ ଅବସରରେ

Share Samadhwani

ସୌଜନ୍ୟ : ଓଡ଼ିଶା ଭାସ୍କର/୧ ଅପ୍ରେଲ ୨୦୦୬
(ପ୍ରକାଶ ପାଇବାକୁ ଥିବା ଏକ ପୁସ୍ତକର ଅଂଶ ବିଶେଷ)

ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନକୁ ଆଜି ସତୁରୀ ବର୍ଷ (ଏବେ ୮୭ ବର୍ଷ ) ପୂରଣ ହେଲା । ଅଛିଣ୍ଡା ଅଙ୍କ ଅପେକ୍ଷା ଛିଣ୍ଡା ଅଙ୍କରେ ଯେତେବେଳେ କୌଣସି ବର୍ଷପୂର୍ତ୍ତି ଉତ୍ସବ ପଡ଼େ ତାହାକୁ ଟିକିଏ ଅଧିକ ଜାକଜମକରେ ପାଳନ କରାଯାଏ। ଏବର୍ଷ ବି ତାହା ହେଉଥିବା ଆଶା କରାଯାଏ । ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ସନ୍ଦର୍ଭରେ ୨୦୦୬ ମସିହା ଅଧିକ ତାତ୍ପର୍ଯ୍ୟପୂର୍ଣ୍ଣ । ଏହି ସତୁରୀ ବର୍ଷର ଇତିହାସକୁ ପର୍ଯ୍ୟାଲୋଚନା କଲେ ଏକ ମିଶ୍ରିତ ମନୋଭାବ ସାମ୍ନାକୁ ଆସିବ: ଇତିହାସ ଅବିସ୍ମରଣୀୟ,ଅଥଚ ଉପଲବ୍ଧି ଉଲ୍ଲେଖହୀନ ।

ଓଡ଼ିଶାରୁ ଖଣ୍ଡ ଖଣ୍ଡ ହୋଇଯାଇଥିବା ଅଞ୍ଚଳକୁ ଏକତ୍ର କରିବାର ପୃଷ୍ଠଭୂମିରେ ବ୍ରିଟିଶ୍ ଇଣ୍ଡିଆ କମ୍ପାନୀ କଦାପି ଚାହୁଁନଥିଲା ଓଡ଼ିଆଭାଷୀ ଅଞ୍ଚଳ ଏକାଠି ରହୁ । ଯଦି ୫୦ ବର୍ଷରୁ ଅଧିକ ସମୟ ଧରି ଯୋଜନାବଦ୍ଧ ଭାବେ ଓ ଅତି ସନ୍ତର୍ପଣରେ ଓଡ଼ିଆଭାଷୀ ଇଲାକାକୁ ବ୍ରିଟିଶମାନେ ଯେହେତୁ ଅକ୍ତିଆର କରିଥିଲେ ନିଜ ହସ୍ତରେ ସେମାନେ ପୁଣି ସେ ଗୁଡିକୁ କିପରି ଅନ୍ତର କରିଦେଇଥାନ୍ତେ?

ଓଲଟି ତତ୍କାଳୀନ ଓଡ଼ିଶା ଡିଭିଜନର ବାହାରେ ଥିବା ଅଞ୍ଚଳର ପୁନର୍ଗଠନ ଯେତେବେଳେ କରାଗଲା ଓଡ଼ିଆମାନଙ୍କୁ ୫ଟି ଏଜେନ୍ସିର ଶାସନଧୀନ ହେବାକୁ ପଡିଥିଲା : ପଶ୍ଚିମବଙ୍ଗ ଓ ଓଡ଼ିଶା ଡିଭିଜନ୍, ଛୋଟ ନାଗପୁର, କେନ୍ଦ୍ରାଞ୍ଚଳ, ମାନ୍ଦ୍ରାଜ ଓ ଗଡ଼ଜାତ ମାହାଲ । ଏହା ୧୯୩୬ ପୂର୍ବର କଥା ।

୧୯୩୬ ଏପ୍ରେଲ ପହିଲାରେ ଓଡ଼ିଆ ଭାଷୀ ଅଞ୍ଚଳକୁ ନେଇ ଗଠିତ ଉତ୍କଳ ପ୍ରଦେଶ ଭାରତର ସଂଘୀୟ ଇତିବୃତ୍ତିର ଏକ ଅବିସ୍ମରଣୀୟ ଘଟଣା । ସତ କହିବାକୁ ଗଲେ, ଭାରତ ସ୍ୱାଧୀନତା ପାଇବା ପରେ ଭାଷାଭିତ୍ତିକ ରାଜ୍ୟ ଦାବି ଯେତେବେଳେ ପ୍ରବଳ ହେଲା ତାରି ପଛରେ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ହିଁ ଏକ ବଡ଼ ପ୍ରୋତ୍ସାହନ ଥିଲା ।ଆନ୍ଧ୍ର,ତାମିଲନାଡୁ ଓ ମହାରାଷ୍ଟ୍ର ଭଳି ରାଜ୍ୟମାନେ ବି ଭାଷାଭିତ୍ତିରେ ମୂଳ ରାଜ୍ୟରୁ ଅଲଗା ହେବାକୁ ଚାହିଁଲେ ।

ପ୍ରାୟ ୫୦ ବର୍ଷ ଧରି ଭାଷା ଭିତ୍ତିକ ରାଜ୍ୟ ଦାବି ପାଇଁ ଯେଉଁ ଲଢ଼େଇ ବ୍ରିଟିଶ ଶାସକଙ୍କ ସହିତ ଚାଲିଥିଲା ସେହି ଲଢ଼େଇ କିଛି କମ୍ ନଥିଲା । ଓଡ଼ିଆ ଆନ୍ଦୋଳନର ଗଜା ବାହାରିଥିଲା ଉନ୍ନବିଂଶ ଶତାବ୍ଦୀର ଶେଷ ଭାଗରେ । ତାହା ଫଳ ଦେଲା ଅପ୍ରେଲ ୧୯୩୬ରେ ।

ବେଳେବେଳେ ମନକୁ ଏକଥା ଆସେ : ଭାଷା ଭିତ୍ତିକ ଗଠନ ପାଇଁ ଓଡ଼ିଶାର ନେତାମାନେ ଟିକିଏ ଆଗତୁରା ଡେଇଁ ପଡିଲେ କି? ଅବଶ୍ୟ ଭାରତୀୟ ଉପମହାଦେଶର ଏକ ବଡ଼ ଭାଷା ଗୋଷ୍ଠୀ ହିସାବରେ ଓଡ଼ିଆମାନେ ସବୁଠାରୁ ବେଶି କଷ୍ଟ ପାଇଥିଲେ ବ୍ରିଟିଶ୍ ଶାସକଙ୍କ ଠାରୁ । ୧୮୦୩ରେ ବ୍ରିଟିଶ ଦ୍ବାରା ଓଡ଼ିଶା ଅଧିକାର ପରଠାରୁ ଅତଡା ଖସିବା ଭଳି ଓଡ଼ିଶାରୁ ଖଣ୍ଡିଏ ଖଣ୍ଡିଏ ଅଞ୍ଚଳ ଯେଉଁଭଳି ବିହାର ଓ ବଙ୍ଗଳାକୁ ଚାଲିଯାଇଥିଲା ସେଇ ଅଙ୍ଗଚ୍ଛେଦନ ଥିଲା ବେଶି ଯନ୍ତ୍ରଣାଦାୟକ ।ଏଣୁ ଓଡ଼ିଶାର ନେତାମାନେ ବ୍ରିଟିଶ୍ ପ୍ରଶାସକଙ୍କ ନିଦ ହଜେଇଦେବା ଅତ୍ୟନ୍ତ ସ୍ୱାଭାବିକ ।

ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପରିପ୍ରେକ୍ଷୀରେ ୧୮୦୩ରୁ ୧୯୩୬ ଏହି ୧୩୦ ବର୍ଷର ସୁଦୀର୍ଘ ଇତିହାସ ଭିିତରକୁ ପୁଣି ଥରେ ଯିବାର ଆବଶ୍ୟକତା ନାହିଁ । କାରଣ ଜଣେ ହାରାହାରି ଇତିହାସ-ସଚେତନ ଓଡ଼ିଆ ଏହି ଇତିହାସଟିକୁ ନିତାନ୍ତ ପଢ଼ିଥିବେ। ଏହି ଆନ୍ଦୋଳନ ବୋଧହୁଏ ଭାରତ ଇତିହାସରେ ଥିଲା ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହେବା ଭଳି ଘଟଣା କାରଣ ଭାଷା ଓ ଜାତିକୁ ଭିତ୍ତି କରି ଏକ ସମୂହ ରାଜ୍ୟ ପ୍ରତିଷ୍ଠା ଆଉ କେଉଁଠି ସମ୍ଭବ ନଥିଲା । ଏହାକୁ ଆମେ କ’ଣ କହିବା ଓଡ଼ିଆଙ୍କ ଏକଜିଦିଆପଣ? ନମନୀୟ ହୋଇଥିଲେ ସତରେ କ’ଣ ବିଚ୍ଛିନ୍ନ ଅଞ୍ଚଳ କେବେ ବି ଏକାଠି ହୋଇପାରିଥାନ୍ତା?

ତଥାପି କିଛି ଓଡ଼ିଆ ଭାଷୀ ଅଞ୍ଚଳ ଓଡ଼ିଆ ବାହାରେ ରହି ହିଁ ଗଲା, ଯଦିଓ ଏହା ସ୍ୱାଧୀନତା ପରର କଥା । ସବୁଦିନ ପାଇଁ ଷଢ଼େଇକଳା ଓ ଖରସୁଆଁ ଓଡ଼ିଶା ବାହାରେ ରହିବା ସ୍ୱାଧୀନୋତ୍ତର ଓଡ଼ିଶାର ଏକ ଯନ୍ତ୍ରଣାଦାୟକ କାହାଣୀ । ଏହି ଦୁଇଟି ଓଡ଼ିଆ ଅଧ୍ୟୁଷିତ ଅଞ୍ଚଳକୁ ଓଡ଼ିଶା ଭିତରେ ରଖିବାର କେତେ ଯେ ଉଦ୍ୟମ ହୋଇଛି ତା’ର ହିସାବ ନାହିଁ । ଷଢ଼େଇକଳା ଓ ଖରସୁଆଁକୁ ଏବେ ବି ଓଡ଼ିଶାକୁ ଫେରାଇ ଆଣିବାର ଏକ କ୍ଷୀଣ ଆଲୋକ ଦେଖିବାକୁ ମିଳେ (ଯଦିଓ ଏହା କେବଳ ଭାଷଣ-ସର୍ବସ୍ୱ)।

୧୯୪୯ରେ ଷଢ଼େଇକଳା ଓ ଖରସୁଆଁ ସ୍ଥାୟୀ ଭାବେ ବିହାରରେ ରହିବା ପରେ ପରବର୍ତ୍ତୀ ୧୦ ବର୍ଷ ଧରି ଗୋଟିଏ ଚମତ୍କାର କଥା ଘଟିଥିଲା: ତତ୍କାଳୀନ ଓଡ଼ିଶାର ନେତାମାନେ ଏହି ପ୍ରସଙ୍ଗରେ ଜଣେ ଆଉ ଜଣକୁ ପଛରେ ପକାଇବାର ଉଦ୍ୟମ କରିଥିଲେ ଯାହାକୁ କୁହାଯାଏ ୱାନ୍-ଅପମ୍ୟାନସିପ। ଓଡ଼ିଶାର ନେତାମାନଙ୍କ ଅବିମୃଶ୍ୟକାରିତାର ଆହୁରି ବହୁ ଉଦାହରଣ ଖୋଜିଲେ ମିଳିବ ।

ଭାଷାଭିତ୍ତିକ ରାଜ୍ୟ ଗଠନ ପଛରେ ଗୋଟିଏ ବଡ଼ ଯୁକ୍ତି ଥିଲା ଯେ ପ୍ରକୃତ ଗଣତନ୍ତ୍ର ତେବେ ସମ୍ଭବ ହେବ ଯେବେ ରାଜ୍ୟର ଶାସନ ଓ ଆଇନ୍ ପ୍ରଣୟନ ମାତୃଭାଷାରେ ହେବ । ଏହାର ଆହୁରି ଏକ ଅର୍ଥ ଥିଲା : ଜନସାଧାରଣ ଉଚ୍ଚଶିକ୍ଷା, ବୈଷୟିକ ଶିକ୍ଷା ଓ ଆଇନ ଶିକ୍ଷା ମଧ୍ୟ ମାତୃଭାଷାରେ ହିଁ ଲାଭ କରିବେ । ଏବେ କିନ୍ତୁ ଏହି ଲକ୍ଷ୍ୟ ସୁଦୂରପରାହତ । ବିଗତ ୫୦ ବର୍ଷ ଭିତରେ ମାତୃଭାଷାରେ ଶିକ୍ଷାଲାଭ ଓ ପ୍ରଶାସନିିକ କାର୍ଯ୍ୟ ପ୍ରଚଳନ କେତେବେଳେ ସ୍ଳୋଗାନବାଜିରେ ସୀମିତ ରହିଛି ତ କେତେବେଳେ ଉତ୍କଟ ଉଦାସୀନତାର ଶିକାର ହୋଇଛି।

ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ପରଠାରୁ ଏହି ୭୦ ବର୍ଷ ଭିତରେ ଭାଷା ଆନ୍ଦୋଳନର ମୂଳ ଉଦ୍ଦେଶ୍ୟଟି କେତେ ମାତ୍ରାରେ ଚରିତାର୍ଥ ହୋଇପାରିଛି ତାହାର ହିସାବ ନିକାଶ ହେବା ଆବଶ୍ୟକ । ବ୍ୟକ୍ତି ହିସାବରେ ବୈକୁଣ୍ଠନାଥ ଦେଙ୍କ ଠାରୁ ଆରମ୍ଭ କରି ବିଚିତ୍ରାନନ୍ଦ ଦାସ,ଉତ୍କଳ ଗୌରବ ମଧୁସୂଦନ, ବିଶ୍ୱନାଥ କର, ନନ୍ଦକିଶୋର ବଳ, ଗୋପାଳଚନ୍ଦ୍ର ପ୍ରହରାଜ ଓ କୃଷ୍ଣଚନ୍ଦ୍ର ଗଜପତିଙ୍କ ପର୍ଯ୍ୟନ୍ତ ଏବଂ ଅନୁଷ୍ଠାନ ଭିତ୍ତିରେ ଉତ୍କଳ ସମ୍ମିଳନୀ, ସିଂହଭୁମ୍ ଉଦିତ କ୍ଳବ, ଗଞ୍ଜାମର ଉତ୍କଳ ହିତୈଷିଣୀ ସମାଜ ଭଳି ଅନୁଷ୍ଠାନ ନିରବଚ୍ଛିନ୍ନ ଭାବରେ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ଯେଉଁ ଭୂମିକା ନେଇଥିଲେ ତାହାକୁ ମନେ ପକାଇବା ବେଳେ ସେଇ ଜନନେତାଙ୍କ ଉତ୍ତରାଧିକାରୀମାନେ କ’ଣ କରିଛନ୍ତି ତାହା ଦେଖାଯିବା ଦରକାର ।

ସତୁରୀ ବର୍ଷର ଇତିହାସକୁ କେବଳ ଭାଷା ଆନ୍ଦୋଳନ କିମ୍ବା ବିଚ୍ଛିନ୍ନାଞ୍ଚଳ ମିଶ୍ରଣରେ ସୀମିତ ନରଖି ଓଡ଼ିଶାର ସାମାଜିକ, ଶୈକ୍ଷିକ, ଅର୍ଥନୈତିକ, ସାଂସ୍କୃତିକ ଓ ପ୍ରଶାସନିକ ଉପଲବ୍ଧିର ବାସ୍ତବ ମୂଲ୍ୟାୟନ ଯଦି କରାଯାଏ ଏକ ନିରୁତ୍ସାହଜନକ ଚିତ୍ର ଆମ ଆଖିରେ ପଡ଼ିବ। ଏହି ସମୟ ଭିତରେ ଭାଷାଭିତ୍ତିରେ ଗଠିତ ଅନ୍ୟ ରାଜ୍ୟ ଢ଼େର୍ ପ୍ରଗତି କରିଥିବା ବେଳେ ଆମର ପ୍ରଗତି ଏକ ଅଣଉଲ୍ଲେଖଯୋଗ୍ୟ ଇତିହାସ ହୋଇ ରହିଯାଇଛି । ଏହି ସମୟ ଭିତରେ ନା ଆମେ ଓଡ଼ିଆ ଆଇଡେଣ୍ଟିଟିଏ ତିଆରି କରିପାରିଛୁ ନା ଓଡ଼ିଆ ପ୍ରତିରୂପଟିଏ ।

ଏବେ ବି ବାହାରର ଲୋକେ ପଚାରୁଛନ୍ତି ଓଡ଼ିଶାଟା କ’ଣ ବେଙ୍ଗଲରେ?

ସୌଜନ୍ୟ : ଓଡ଼ିଶା ଭାସ୍କର/୧ ଅପ୍ରେଲ ୨୦୦୬
(ପ୍ରକାଶ ପାଇବାକୁ ଥିବା ଏକ ପୁସ୍ତକର ଅଂଶ ବିଶେଷ)

 


Share Samadhwani
Support Samadhwani

About ଭାସ୍କର ପରିଚ୍ଛା

Check Also

ପ୍ରଥମ ଓଡ଼ିଆ ଦଳିତ ଉପନ୍ୟାସ : ଏକ ଦୃଷ୍ଟି

Share Samadhwaniଦୁନିଆର ବହୁତ କଥାକୁ ବୁଝିହୁଏ ସିନା ଅସଲରେ ବୁଝେଇ ହୁଏ ନାହିଁ । ‘ସାହିତ୍ୟ’ ବି ସେଭଳି ଏକ …