ଉପକୂଳବର୍ତ୍ତୀ ଅଞ୍ଚଳର କୈବର୍ତ୍ତ ସଂପ୍ରଦାୟର ଜୀବନ ତଥା ଜୀବିକାର କାହାଣୀକୁ ନେଇ ଗଢି ଉଠିଛି ଘୋଡାନାଟ ପରମ୍ପରା ଯାହା ଭକ୍ତକବି ଅଚ୍ୟୁତାନନ୍ଦ ଦାସଙ୍କ ରଚିତ କୈବର୍ତ୍ତ ଗୀତାରୁ ସଂଗ୍ରହ କରାଯାଇଛି । ଏକ ନିର୍ଦ୍ଦିଷ୍ଟ ରାଗ ବା ଛନ୍ଦରେ ପରିବେଷଣ କରିବାର ଗତାନୁଗତିକ ଧାରାକୁ ପରିବର୍ତ୍ତନ କରି ଘୋଡ଼ାନାଟରେ ଗୁରୁ ଶ୍ରୀ ଉତ୍ସବ ଚରଣ ଦାସ ଏକ ନବ ଜାଗରଣ ସୃଷ୍ଟି କଲେ । ମୌଳିକତାକୁ ରକ୍ଷା କରି ସେ ଓଡ଼ିଶାର ଲୋକ ଗୀତ ଏବଂ ଢଗଢମାଳିକୁ ଏଥିରେ ବ୍ୟବହାର କଲେ । ଏହାକୁ ଅଧିକ ଉପଭୋଗ୍ୟ କରିବା ପାଇଁ ବିଭିନ୍ନ ରସର ପ୍ରୟୋଗ କଲେ, ଗୀତ, ନୃତ୍ୟ ଏବଂ ସଂଳାପର ବ୍ୟବହାର କଲେ । ଏହି ପାରମ୍ପରିକ ଲୋକ ନାଟକକୁ ଜୀବନ୍ୟାସ ଦେଇ ଡ଼ଃ ଉତ୍ସବ ଚରଣ ଦାସ ଓଡ଼ିଶାର ଜଣେ ଅନନ୍ୟ କଳାକାର ଭାବରେ ନିଜର ପରିଚୟ ସୃଷ୍ଟି କଲେ। ଦୀର୍ଘ ୬୦ବର୍ଷ ଧରି ଘୋଡାନାଟ ଭଳି ଏକ ଲୁପ୍ତପ୍ରାୟ ଲୋକକଳାକୁ ଜୀବନ୍ୟାସ ଦେଇ ବଂଚେଇ ରଖିଥିବା ଘୋଡ଼ାନାଟର ପ୍ରସିଦ୍ଧ ଗୁରୁ ଡ଼ଃ ଉତ୍ସବ ଚରଣ ଦାସଙ୍କୁ ୨୦୨୦ ମସିହାରେ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯାଇଥିଲା । – ସମ୍ପାଦକ
କଳାର ଶୀର୍ଷ ଛୁଇଁ ପାରିଥିବା ଉତ୍କଳ ପ୍ରଦେଶର ଲୋକ ନାଟକ ଏବଂ ପାରମ୍ପରିକ ଲୋକ ନାଟକ ଜଗତରେ ଘୋଡ଼ା ନାଟ ଏକ ସ୍ୱତନ୍ତ୍ର ତଥା ସୁମଧୁର ଉଚ୍ଚାରଣ । ଏକ ନିର୍ଦ୍ଦିଷ୍ଟ ଦଳିତ ଜାତିର ଜୀବନ, ଜୀବିକା ତଥା ଧର୍ମୀୟ ପରମ୍ପରାର ଚାରିକାନ୍ଥ ଭିତରୁ ବାହାରି ଆଜି ତାହା ଜାତୀୟ ତଥା ଆନ୍ତର୍ଜାତୀୟ ପରିବେଷଣ ପରମ୍ପରାର ମହାସ୍ରୋତରେ ସାମିଲ ହୋଇପାରିଛି । ଭାରତର ରାଷ୍ଟ୍ରପତିଙ୍କ କର କମଳରୁ ଘୋଡ଼ାନାଟର ପ୍ରସିଦ୍ଧ ଗୁରୁ ଡ଼ଃ ଉତ୍ସବ ଚରଣ ଦାସ ପଦ୍ମଶ୍ରୀ ପୁରସ୍କାର ଗ୍ରହଣ କଲାବେଳକୁ ଏହାର ଲୋକ ପ୍ରିୟତା ଆପଣାଛାଏଁ ଆଖି ଆଗରେ ନାଚି ଉଠେ । ଏହି ଭଳି ଏକ ସୁମଧୁର, ସୁଲଳିତ ତଥା ହୃଦୟସ୍ପର୍ଶୀ ପାରମ୍ପରିକ ଲୋକ ନାଟକର ଉନ୍ମେଷ ଏବଂ ଉତ୍ତରଣ ଓଡ଼ିଶାର ଉପକୂଳବର୍ତ୍ତୀ ଅଞ୍ଚଳର କୈବର୍ତ୍ତ ସଂପ୍ରଦାୟର ଜୀବନ ତଥା ଜୀବିକା ସହ ଅଙ୍ଗାଅଙ୍ଗୀଭାବେ ଜଡ଼ିତ । ଏହି ଘୋଡ଼ାନାଟର ବିଷୟବସ୍ତୁ କୈବର୍ତ୍ତ ଗୀତାରୁ ସଂଗୃହୀତ । ଯାହାକୁ ଓଡ଼ିଆ ସାହିତ୍ୟର ପୂରାଣ ଯୁଗର ପଞ୍ଚସଖାଙ୍କ ମଧ୍ୟରୁ ଏକ ଭବିଷ୍ୟଦ୍ରଷ୍ଟା ତଥା ଯୋଗଜନ୍ମା ଭକ୍ତକବି ଅଚ୍ୟୁତାନନ୍ଦ ଦାସ ରଚନା କରିଛନ୍ତି ।
ଉନ୍ମେଷ ଓ ଉତ୍ତରଣ :
ପ୍ରାଚୀନ ଯୁଗୀୟ ଓଡ଼ିଆ ସାହିତ୍ୟକୁ ଅଧ୍ୟୟନ କଲେ ଜଣାଯାଏ ଯେ ଘୋଡ଼ାନାଟ ସମ୍ବନ୍ଧୀୟ ସବିଶେଷ ବର୍ଣ୍ଣନା ଓଡ଼ିଆ ସାହିତ୍ୟର ଦୁଇଟି ପୂରାଣରେ ବର୍ଣ୍ଣିତ ସେ ଗୁଡ଼ିକ ହେଲା ଯଥା : – ୧) ଭକ୍ତକବି, ଅଚ୍ୟୁତାନନ୍ଦ ଦାସଙ୍କ କୈବର୍ତ୍ତ ଗୀତ, ୨) ବୁଦ୍ଧିମନ୍ତ ପୁହାଣଙ୍କ କୈବର୍ତ୍ତ ପୂରାଣ। ଗୁରୁ ପଦ୍ମଶ୍ରୀ ଡ଼ଃ ଉତ୍ସବ ଚରଣ ଦାସ ଘୋଡ଼ାନାଟର ସମୃଦ୍ଧି ପଛରେ ଅତୁଳନୀୟ ଅବଦାନ ଥିବା ଏକ ପ୍ରମୁଖ ନାୟକ । ତାଙ୍କ ମତରେ ଏହି ଘୋଡ଼ାନାଟର ଓଡ଼ିଶାର ଉପକୂଳବର୍ତ୍ତୀ ଅଞ୍ଚଳମାନଙ୍କରେ ବାସ କରୁଥିବା କୈବର୍ତ୍ତ ସଂପ୍ରଦାୟର କୌଳିକ ଏବଂ ପାରମ୍ପରିକ ଜୀବନ ଶୈଳୀ ମଧ୍ୟରୁ ଉନ୍ମେଷ ଲାଭ କରିଛି । ବିଶେଷତଃ କୈବର୍ତ୍ତ ଗୀତରେ ବର୍ଣ୍ଣିତ ବିଧିବିଧାନ ଅନୁସାରେ ଏହାକୁ ପରିବେଷଣ କରାଯାଇଥାଏ ।
ମହାପ୍ରଳୟ ଯେ ଘୋଟିଲା ଅବନୀ
କଳ୍ପବଟ ନ ବୁଡ଼ଇ ।
ନିରାକର ବିଷ୍ଣୁ ଯୋଗନିଦ୍ରା ଯାନ୍ତି
ସେ କଳପବଟେ ରହି ।
ପୂରାଣ ଯୁଗରେ ସମଗ୍ର ବିଶ୍ୱ ପ୍ରଳୟ ଜଳରେ ଜଳମଗ୍ନ ଥିଲା । ପ୍ରଳୟ ଜଳର ଉତ୍ତାଳ ତରଙ୍ଗରେ କଳ୍ପବଟୀ ଦୋହଲିବାକୁ ଲାଗିଲା । ସର୍ବବ୍ୟାପି, ସର୍ବଶକ୍ତିମାନ ତଥା ଜଗତ ପାଳକ ବିଷ୍ଣୁ ପ୍ରଳୟ ଜଳରେ ଦୋହଲୁଥିବା କଳ୍ପବଟକୁ ସ୍ଥିର କରିବା ପାଇଁ ଚିନ୍ତା କଲେ । ସେଥିପାଇଁ କିଛି ସମୟ ଧ୍ୟାନସ୍ଥ ହେବା ପରେ ଉଠି ଛିଡ଼ା ହେଲେ । ଚିନ୍ତାଗ୍ରସ୍ତ ଅବସ୍ଥାରେ କର୍ଣ୍ଣ ମୁଳୁ ହାତରେ ଘଷି ମେଞ୍ଚେ ମଳି ବାହାର କରି ପ୍ରଳୟ ଜଳକୁ ଫିଙ୍ଗି ଦେଲେ । ତତ୍କ୍ଷଣାତ୍ ସେହି ପ୍ରଳୟ ଜଳର ଉତ୍ତାଳ ତରଙ୍ଗ ମଧ୍ୟରୁ ମଳି ଭିତରୁ ଏକ ଦିବ୍ୟ ପୁରୁଷ ଜନ୍ମ ନେଇ ପ୍ରଳୟ ଜଳରେ ପହଁରିବାକୁ ଲାଗିଲେ । ଦିବ୍ୟ ପୁରୁଷ ଯେତେବେଳେ ପହଁରି ପହଁରି ପ୍ରଳୟ ଜଳରେ ଦୋହଲୁଥିବା କଳ୍ପବଟକୁ ଧରି ପକେଇଛନ୍ତି ସେତେବେଳେ କଳ୍ପବଟ ସ୍ଥିର ହୋଇଯାଇଛି । ଏହି ଘଟଣା ଦେଖି ବିଷ୍ଣୁ ବିସ୍ମିତ ହୋଇଯାଇଛନ୍ତି ଏବଂ ଆଗ୍ରହସହକାରେ ସେହି ଦିବ୍ୟ ପୁରଷଙ୍କୁ ତାଙ୍କର ଜନ୍ମ, ନାମ ତଥା ବଂଶ ପରିଚୟ ପ୍ରଦାନ କରିବାକୁ କହିଛନ୍ତି । ପ୍ରତ୍ୟୁତ୍ତରରେ ଦିବ୍ୟପୁରୁଷ କହିଛନ୍ତି ଯେ ଜଗତପାଳନ ବିଷ୍ଣୁଙ୍କ ବ୍ୟତୀତ ମୁଁ ଆଉ କାହାକୁ ଜାଣି ନାହିଁ ଏପରିକି ମୋର ସୃଷ୍ଟି, ନାମ ତଥା ବଂଶ ପରିଚୟ ମଧ୍ୟ ମୁଁ ଜାଣିନାହିଁ । ଏହା ଶୁଣି ବିଷ୍ଣୁ ଆନନ୍ଦିତ ହେବା ସହ ତାଙ୍କୁ ନିଜର ସନ୍ତାନ ଭାବରେ ଗ୍ରହଣ କରି ନେଲେ ଏବଂ ତାଙ୍କୁ ଦାସ ରାଜା ନାମରେ ନାମକରଣ କଲେ । ଏଠାରେ ଦାସ ଶବ୍ଦକୁ ଭକ୍ତକବି ଅଚ୍ୟୁତାନନ୍ଦ ଦାସ ପରମ ଭକ୍ତ ଭାବରେ ପ୍ରୟୋଗ କରିଛନ୍ତି । ଯେହେତୁ ଦିବ୍ୟପୁରୁଷ ଦାସ ରାଜା ଭଗବାନ ବିଷ୍ଣୁଙ୍କ କର୍ଣ୍ଣ ମୂଳରୁ ବାହାରିଥିବା ବର୍ତ୍ତୁଳାକାର ମଳିରୁ ଜାତ ତେଣୁ ତାଙ୍କର ଜାତି ବା ସଂପ୍ରଦାୟକ କୈବର୍ତ୍ତନାମରେ ନାମିତ କରିଛନ୍ତି । ଏହି ପରି ଭାବରେ ଦାସ ରାଜା ଜନ୍ମ ଲାଭ କରିଥିଲେ ଏବଂ ତାଙ୍କ ଦ୍ୱାରା ବିଶ୍ୱ ପ୍ରଳୟ ସମୟରେ ସୁରକ୍ଷିତ ହୋଇ ପାରିଥିଲା ।
ବଟବୃକ୍ଷ ଜଳେ ସ୍ଥିର ହୋଇବ କିପରି?
କେହୁ ରଖିବ ଏହାକୁ ଦୃଢ଼େ ସ୍ଥିର କରି??
ଏମନ୍ତ ବିଚାରି ପ୍ରଭୁ ଜଗତ କାରଣ
କର୍ଣ୍ଣମୂଳକୁ ଆଉଁଷି ଦେଲେ ତତକ୍ଷଣ ।
କର୍ଣ୍ଣ ମୂଳକୁ ଆଉଁଷି ଦେଲେ ନରହରି
ଝଡ଼ି ଜଳରେ ପଡ଼ଇ କର୍ଣ୍ଣର ମଉଳି ।
ଜଳେ ନବୁଡ଼ି ମଉଳି ଭାଷମାନ ହେଲା
ସେହି ମଉଳିରୁ ଏକ ପୁରୁଷ ଜନ୍ମିଲା ।
ଏହି ଭଳି ଏକ ସଙ୍କଟଜନକ ପରିସ୍ଥିତିରେ ଭଗବାନ ବିଷ୍ଣୁ ଯୋଗନିଦ୍ରା ଯିବା ପାଇଁ ଚିନ୍ତା କଲେ । ତେଣୁ ଭଗବାନ ବିଷ୍ଣୁଙ୍କ ଇଚ୍ଛାକୁ ପୂରଣ କରିବାକୁ ନିମନ୍ତେ ଦାସ ରାଜା ନିଜ ହସ୍ତରେ କଳ୍ପବଟର ଶାଖାମାନଙ୍କୁ ଶକ୍ତ ଭାବରେ ଭିଡ଼ି ଧରିଲେ । ଫଳସ୍ୱରୂପ କଳ୍ପବଟ ପ୍ରଳୟ ତରଙ୍ଗ ମଧ୍ୟରେ ବି ସ୍ଥିର ହୋଇ ରହିଲା ଏବଂ ବିଷ୍ଣୁ ଯୋଗନିଦ୍ରା ଗଲେ । ଏହି ସମୟରେ ରାଘବ ନାମକ ଏକ ବୃହଦାକାର ମତ୍ସ୍ୟ ପ୍ରଳୟ ଜଳ ରାଶିରେ ପହଁରି ପହିଁରି ଆସି ଦାସରାଜାଙ୍କୁ ଗିଳି ପଳେଇଲା । ଯା ଫଳରେ ପୁନର୍ବାର ପ୍ରଳୟ ତରଙ୍ଗରେ କଳ୍ପବଟ ଦୋହଳି ବାକୁ ଲାଗିଲା ଏବଂ ପ୍ରଭୁଙ୍କ ଯୋଗନିଦ୍ରା ଭାଙ୍ଗିଗଲା । ନିଦ୍ରାଭଗ୍ନ କରି ବିଷ୍ଣୁ ଚତୁର୍ଦିଗକୁ ଖୋଜନ୍ତେ ଦାସରାଜାକୁ ପାଇଲେ ନାହିଁ । ବିଚଳିତ ହୋଇ ପୁଣି ଧ୍ୟାନସ୍ଥ ହେଲେ ଏବଂ ଧ୍ୟାନ ବଳରେ ରାଘବ ମତ୍ସ୍ୟ ଦାସରାଜକୁ ଗିଳି ପକେଇଥିବା କଥା ଜାଣିପାରିଲେ । କାଳ ବିଳମ୍ବ ନ କରି ଭଗବାନ ବିଷ୍ଣୁ ନିଜର ମାନସ ସନ୍ତାନ ଦାସ ରାଜାଙ୍କୁ ଉଦ୍ଧାର କରିବା ପାଇଁ ପ୍ରଳୟ ଜଳରେ ଘୁରିବାକୁ ଲାଗିଲେ। ଶେଷରେ ରାଘବ ମତ୍ସ୍ୟକୁ ମାରି ଗଭୀର ପ୍ରଳୟ ଜଳରୁ ଦାସରାଜାଙ୍କୁ ଉଦ୍ଧାର କଲେ ।
ଧ୍ୟାନେ ଜାଣି ବିଷ୍ଣୁ ରାଘବ ବଧି
କଲେ ଉଦ୍ଧାର
ଶାପ ଦେଲେ ଜନ୍ମେ ଜନ୍ମେ କୈବର୍ତ୍ତ
ହେବ ହନ୍ତା ତୋହର ।
ନୀତି ପ୍ରତି ତୋତେ ବଧିବ
ତାର ଆଶର ପାଇଁ ।
କୈବର୍ତ୍ତ ତାର ଆହାର ପାଇଁ ।
ଏହି ଘଟଣା ପରଠାରୁ ଦାସରାଜା ଭଗବାନ ବିଷ୍ଣୁଙ୍କର ପ୍ରିୟ ତଥା ଶ୍ରେଷ୍ଠ ଭକ୍ତ ପାଲଟିଗଲା । ଫଳସ୍ୱରୂପ ଜଗତପାଳକ ବିଷ୍ଣୁ ଦାସରାଜାକୁ ଉପଦେଶ ପ୍ରଦାନ ସ୍ୱରୂପ କହିଲେ ଯେ “ମତ୍ସ୍ୟ ମାଛ ତୋହର ଶତ୍ରୁ ଅଟେ । କାରଣ ଏହା ତୋହର ବଂଶକୁ ନିଶ୍ଚହ୍ନ କରିବା ପାଇଁ ତୋତେ ଗିଳି ପକେଇଥିଲା । ତେଣୁ ଏହାର ପ୍ରତିଶୋଧ ସ୍ୱରୂପ ତୁମେ ମଧ୍ୟ ଆଜୀବନ ମାଛ ମାରି ନିଜର ଜୀବନ ଓ ଜୀବିକା ନିର୍ବାହ କରିବ। ପୁଣି ବିଷ୍ଣୁ ଦାସରାଜାଙ୍କୁ ସିଂହଳ ଦ୍ୱୀପକୁ ଉପହାର ସ୍ୱରୂପ ପ୍ରଦାନ କଲେ ଏବଂ ସେଠାକୁ ଯାଇ ବସତି ସ୍ଥାପନ କରିବାକୁ ନିର୍ଦ୍ଦେଶ ଦେଲେ । ପ୍ରଳୟ ଜଳରେ ସିଂହଳ ଦ୍ୱୀପକୁ ଯିବା ପାଇଁ ଚୈତ୍ର ପୂର୍ଣ୍ଣିମା ଦିନ ବାସେଳି ନାମକ ଘୋଡ଼ା ପ୍ରଦାନ କରିବା ସହ, ସ୍ୱର୍ଗର ନିର୍ମାତା ବିଶ୍ୱକର୍ମାଙ୍କ ଦ୍ୱାରା ନିର୍ମିତ ଏକ ନାବ, ଆହୁଲା, ଏବଂ ସୁନାର ଜାଲ ଉପହାର ଦେଲେ । ତତ୍ ସହିତ ମାଛ ମାରି ଏବଂ ଚୁଡ଼ା, ମୁଢ଼ି, ଲିଆ, ଉଖୁଡ଼ା, କାକରା, ଲଡ଼ୁ, ଖଜା, ଶାକରା ଆଦି ଖାଦ୍ୟ ପଦାର୍ଥ ଗାଁ ଗାଁ ବୁଲି ବିକ୍ରୟ କରି ଜୀବିକା ନିର୍ବାହ କରିବାକୁ ଉପଦେଶ ଦେଲେ ।
ବୀଜ ଦେଇ ଦାସକୁ କହିଲେ ଯେ ହରି
ତୋ ଜୀବିକା ଦାସ ରାଜା ଶୁଣ ମନେ ଡେରି ।
ଜାଲ ପକାଇ ଜଳରୁ ଧରିବୁ ତୁ ମୀନ
ଚୁଡ଼ା ମୁଡ଼ି ବିକି କର କୁଟୁମ୍ବ ପାଳନ ।
ଲିଆ ଉଖୁଡ଼ା ହସ୍ତେ ଯେ ବନାଇବୁ
ସାହି ସାହି ଓ ଗଳିକନ୍ଦି ବୁଲାଇ ବିକିବୁ ।
କାକରା ଲଡ଼ୁ ଖଜା ଯେ ଶାକରା
ବିକିବୁ ମୁଣ୍ଡାଇ ମୁଣ୍ଡେ ପସରା ତୋହର ।
ନାବ ଚଳାଇ ଜଳରେ ଜାଲ ପକାଇଣ
ମୀନ ଧରି କରିବୁ ତୁ କୁଟୁମ୍ବ ପାଳନ ।
ତେଣୁ ବିଷ୍ଣୁଙ୍କ ଆଜ୍ଞା ପାଳନ କରି ଦାସରାଜା ସିଂହଳ ଦ୍ୱୀପରେ ଯାଇ ବସତି ସ୍ଥାପନ କଲେ । କିନ୍ତୁ ଦୁଃଖର କଥା ବିଷ୍ଣୁଙ୍କଠାରୁ ସେ ଉପହାର ସ୍ୱରୂପ ପାଇଥିବା ବାସେଳୀ ନାମକ ଅଶ୍ୱ ଚୈତ୍ର ମାସ ଶୁକ୍ଳ ପକ୍ଷ ଅଷ୍ଟମୀ ଦିନ ମୃତ୍ୟୁ ବରଣ କଲା। ତେଣୁ କୈବର୍ତ୍ତ ପୂରାଣର ବର୍ଣ୍ଣନାନୁସାରେ ଚୈତ୍ର ମାସ ଶୁକ୍ଳ ପୂର୍ଣ୍ଣିମା ଠାରୁ ଆଠ ଦିନ ବ୍ୟାପି ମା ବାସେଳିକୁ ଠାକୁରାଣୀ ଭାବରେ ସମସ୍ତ ପାରମ୍ପରିକତାକୁ ରକ୍ଷା କରି ପୂଜାର୍ଚ୍ଚନା କରାଯାଏ ।
ଆଜ୍ଞା ଦେଲି ଦାସ ରାଜା ସିଂହଳକୁ ଗଲା
ସେହି ଅଶ୍ୱକୁ ନେଇଣ ବାହାନ କରିଲା ।
ଲକ୍ଷେ ସମ୍ବତ୍ସର ତାକୁ କରିଲା ବାହନ
ଅଷ୍ଟମୀ ଗୁରୁବାରରେ ତେଜିଲା ପରାଣ ।
ସେହି ଦିନୁ ଯେ ଚୈତ୍ର ପୂର୍ଣ୍ଣିମାର ଦିନ
ହୁଅଇ ଏହି ଘୋଡ଼ାର ବିଧି ଯେ ବିଧାନ ।
ସେହି ଦିନଠାରୁ ଦସରାଜା ବାସେଳୀଙ୍କ ଉଦ୍ଦେଶ୍ୟରେ ଏକ ଧର୍ମୀୟ ତଥା ପାରମ୍ପରିକ ଉତ୍ସବପାଳନ କରିବା ଆରମ୍ଭ କଲେ । ଏହି ଉତ୍ସବରେ ସେ ଗାଁ ଗାଁ ବୁଲି ବାସେଳୀ ପୂଜାର ବିଧାନ ସବୁ ପାଳନ କର । ଗୀତ, ନାଚ ଏବଂ ଢଗଢ଼ମାଳି ପରିବେଷଣ କଲେ ।
ଚଇତି ତରାସ ଉଡ଼ାଇ ସେ ଦାସ ରାଜନ
ଅଶ୍ୱ ଯତନରେ କରିଲା ସେ ନିରିମାଣ ।
ଘଣ୍ଟ ଘଣ୍ଟା ଭେରି ତୁରି ମୃଦଙ୍ଗ ବଜାଇ
ନଗ୍ର ନଗ୍ର ସେ ଅଶ୍ୱକୁ ବୁଲାଇଲା ନେଇ ।
ଏହି ରୂପେ ଅଶ୍ୱ ଯେ ପଶିଲା ନଗ୍ର ପୁରେ
ଢମାଳି କରିଣ ଗୀତ ଗାଇଲେ ସକଳେ ।
ଏହି ଉପରବର୍ଣ୍ଣିତ କୈବର୍ତ୍ତ ଗୀତାର ବର୍ଣ୍ଣାନାନୂସାରେ ଘୋଡ଼ାନାଟ ଜନ୍ମ ଲାଭ କରିଥିଲା । ପରବର୍ତ୍ତୀ ପର୍ଯ୍ୟାୟରେ ଉପକୂଳୀବର୍ତ୍ତୀ ଓଡ଼ିଶାର କୈବର୍ତ୍ତ ସମ୍ପ୍ରଦାୟର ଲୋକମାନେ ସମସ୍ତ ଧର୍ମିୟ ତଥା ପାରମ୍ପରିକ ରୀତିନୀତି ଅନୁସାରେ ଏହି ନାଟ୍ୟ ପରମ୍ପରାର ପ୍ରଚାର ପ୍ରସାର କଲେ । ତେଣୁ ଏହା ସମୟ କ୍ରମେ ଏକ ସମୁନ୍ନତ ପାରମ୍ପରିକ ଲୋକ ନାଟକ ଭାବରେ ପରିଚିତ ଲାଭ କଲା ।
ଘୋଡ଼ାନାଟର କ୍ରମୋନ୍ନତ୍ତି :
ପଦ୍ମଶ୍ରୀ ଡଃ ଗୁରୁ ଉତ୍ସବ ଚରଣ ଦାସ ଏବଂ ଗୁରୁ ବିପ୍ରଭୋଷ ମାଝିଙ୍କ ମତରେ ୧୯୫୦ ମସିହା ପର୍ଯ୍ୟନ୍ତ ଏହାର ନାଟକୀୟ ପରିବେଷଣରେ କୌଣସି ସ୍ୱତନ୍ତ୍ରତା ନଥିଲା । ଗୁରୁମାନେ ବା ରାଉତମାନେ ବା ଗାୟକମାନେ ମଞ୍ଚରେ ଛିଡ଼ା ହୋଇ କୈବର୍ତ୍ତ ଗୀତର ବିଷୟ ବସ୍ତୁକୁ କୌଣସି ଏକ ନିର୍ଦ୍ଦିଷ୍ଟ ରାଗ ବା ଛନ୍ଦରେ ପରିବେଷଣ କରୁଥିଲେ । ସେଗୁଡ଼ିକ ହେଲା ଯଥା- ନାବକ୍ଷରୀ, ଚତୁର୍ଦ୍ଦଶାକ୍ଷରୀ, ବଙ୍ଗଳାଶ୍ରୀ ଏବଂ ଅନ୍ୟାନ୍ୟ । ଏହି ସମୟରେ ବିଶେଷ କରି ଗାୟକମାନେ ସେମାନଙ୍କ ଗ୍ରାମକୁ କବିମାନଙ୍କୁ ଡାକିଆଣି ସେମାନଙ୍କୁ ଗୁରୁଶିଷ୍ୟ ପରମ୍ପରାରେ ଯଥାବିଧି ଦଶଟା ପ୍ରଦାନ କର । ଘୋଡ଼ା ନାଟରେ ଗୀତ ମାନ ଲେଖାଉଥିଲେ । ଏହି ଗତାନୁଗତିକ ପରିବେଷଣର ଧାରାକୁ ଅତିକ୍ରମ କରି ଘୋଡ଼ାନାଟ ଜଗତରେ ଗୁରୁ ଶ୍ରୀ ଉତ୍ସବ ଚରଣ ଦାସ ଏକ ନବ ଜାଗରଣ ସୃଷ୍ଟି କଲେ । ୧୯୬୪ ମସିହାରେ ମାଟ୍ରିକ୍ ପାସ୍ କଲା ପରେ ତାଙ୍କ ଦାଦାଙ୍କ ଦ୍ୱାରା ପ୍ରଭାବିତ ହୋଇ ଯେତେବେଳେ ଉତ୍ସବ ଚରଣ ଦାସ ଘୋଡ଼ ନାଟ ଶିକ୍ଷା କଲେ ସେତେବେଳେ ସେ ପ୍ରଥମରେ ଏହାର ପରିବେଷଣ ଧାରାକୁ ପରିବର୍ତ୍ତନ କରିବା ପାଇଁ ଅଣ୍ଟା ଭିଡ଼ିଲେ । ଘୋଡ଼ାନାଟର ବିଷୟ ବସ୍ତୁ ମୌଳିକତାକୁ ରକ୍ଷା କରି ସେ ଓଡ଼ିଶାରେ ପ୍ରାଚୀନ ଯୁଗର ପ୍ରଚଳିତ ହୋଇ ଆସୁଥିବା ଲୋକ ଗୀତ ଏବଂ ଢଗଢମାଳି ଆଧାରରେ ନାଟକ ପରିବେଷଣ କଲେ । ପରିବେଷଣକୁ ଉପଭୋଗ୍ୟ କରିବା ନିମନ୍ତେ ବିଭିନ୍ନ ରସର ପ୍ରୟୋଗ କଲେ, ଗୀତ, ନୃତ୍ୟ ଏବଂ ସଂଳାପର ବ୍ୟବହାର କଲେ, ସ୍ୱରଚିତ ଢଗଢମାଳି ପ୍ରୟୋଗ କରି ଏହାର ଲୌକିକତାକୁ ବୃଦ୍ଧି କଲେ ଏବଂ କୈବର୍ତ୍ତ ପୂରାଣର ବିଷୟବସ୍ତୁର ପରିଧି ବାହାରକୁ ଯାଇ ବିଭିନ୍ନ ପୌରାଣିକ ବିଷୟବସ୍ତୁର ପ୍ରୟୋଗ କଲେ। ଫଳ ସ୍ୱରୂପ ୧୯୮୫ ମସିହାବେଳକୁ ଏହା ଏକ ସୁମନ୍ନତ ପାରମ୍ପରିକ ଲୋକନାଟକ ଭାବରେ ଲୋକପ୍ରିୟତା ହାସଲ କରିପାରିଲା । ତେଣୁ ବର୍ତ୍ତମାନର ପାରମ୍ପରିକ ଲୋକ ନାଟକ ‘ଘୋଡ଼ାନାଟ’ର ବାସ୍ତବ ଜନକ ତଥା ଦିଗ୍ଦର୍ଶକ ଭାବରେ ପଦ୍ମଶ୍ରୀ ଡଃ ଉତ୍ସବ ଚରଣ ଦାସଙ୍କୁ ବର୍ଣ୍ଣନା କଲେ କୌଣସି ଅତ୍ୟୁକ୍ତି ହେବ ନାହିଁ । ଗୁରୁ ଉତ୍ସବ ଦାସଙ୍କ ବ୍ୟତୀତ ଅନ୍ୟ ଯେଉଁ ସବୁ ଗୁରୁମାନେ ସୋନଙ୍କର ତ୍ୟାଗ ତଥା ସୃଜନଶୀଳତାରେ ଏହାକୁ ପ୍ରଗତି ପଥରେ ଆଗେଇ ନେଇଥିଲେ ସେମାନେ ହେଲେ ଯଥା -ଆକୁଳି ଚରଣ ଖଟୁଆ, ଅର୍ଜୁନ ବେହେରା, ନକୁଳ ଦଳେଇ, ବୀରବର ମହାଳିକ ଏବଂ ଅନ୍ୟାନ୍ୟ । ଠିକ୍ ସେହିଭଳି ଘୋଡ଼ାନାଟର ଅଭିନୟ କ୍ଷେତ୍ରରେ ବହୁ ସଂସ୍କାର ଆଣି ଏହାର ସମୃଦ୍ଧି କାମନା କରିଥିବା ଗୁରୁମାନଙ୍କ ମଧ୍ୟରେ ବଳରାମ ବେହେରା, ଉତ୍ସବ ଚରଣ ଦାସ, ଗୋପାଳ ଚନ୍ଦ୍ର ବେହେରା, ଦେବେନ୍ଦ୍ର ବେହେରା, ମନ ମୋହନ ସାମଲ ତଥା ବିପ୍ରଭୋଗ ମାଝି ଆଦି ଗୁରୁ ପ୍ରମୁଖ ଅଟନ୍ତି ।
ଘୋଡ଼ାନାଟର ବିଷୟ ବସ୍ତୁ
ବିଶେଷତଃ ମହାପୁରୁଷ ଅଚ୍ୟୁତାନନ୍ଦ ଦାସଙ୍କ ରଚିତ କୈବର୍ତ୍ତ ଗିତାରେ ବର୍ଣ୍ଣନା କରାଯାଇଥିବା ଦାସ ରାଜା ଜନ୍ମ ବୃତ୍ତାନ୍ତ ଠାରୁ ଆରମ୍ଭ କରି ବାସେଳୀ ଠାକୁରାଣୀଙ୍କ ଯାତ୍ରାରେ ଘୋଡ଼ାନାଟ ପରିବେଷଣ ଆଦି ସମସ୍ତ ପ୍ରାଚୀନ ବିଷୟକୁ ଘୋଡ଼ାନାଟରେ ପରିବେଷିତ କରାଯାଉଥିଲା। ପ୍ରତ୍ୟେକ ବର୍ଷର ଚୈତ୍ର ପୂର୍ଣ୍ଣିମା ଠାରୁ ଆରମ୍ଭ କରି ଆଠ ଦିନ ପର୍ଯ୍ୟନ୍ତ କୈବର୍ତ୍ତ ସଂପ୍ରଦାୟର ପାରମ୍ପରିକ ରୀତିନୀତି ଆଧାରରେ ଏହା ପରିବେଷିତ ହୋଇ ଆସୁଥିଲା । ପରବର୍ତ୍ତି କାଳରେ ଏହାକୁ ଅଧିକ ଉପଭୋଗ୍ୟା ତଥା ଲୋକ ପ୍ରିୟ କରାଇବା ଲକ୍ଷ୍ୟରେ ବିଭିନ୍ନ ପୂରାଣ, ଉପପୂରାଣ, କାବ୍ୟ, କିମ୍ବଦନ୍ତି ମାନଙ୍କ ବିଷୟ ବସ୍ତୁ ମାନ ଆଣି ଏଥିରେ ପରିବେଷଣ କରାଗଲା ସତୀ ଯାଜନିକା, କରମା ବାଇ, ଗୀତା ପଣ୍ଡା, ଶକୁନ୍ତଳା, ସୀତା ରାଧାରାଣୀ, ଘୋଡ଼ା ଜନ୍ମ, ନବକେଳି, ରାଧାକୃଷ୍ଣ ମିଳନ, ରାମ ହନୁ ଯୁଦ୍ଧ, ରାମ ସୀତା ଯୁଦ୍ଧ ଆଦି ପ୍ରମୁଖ ପୌରାଣିକ ବିଷୟ ବସ୍ତୁ । ବର୍ତ୍ତମାନ ସମୟରେ ଘୋଡ଼ାନାଟର ଗୁରୁମାନେ ଘୋଡ଼ାନାଟ ଶୈଳୀରେ ପ୍ରାଚୀନ ଏବଂ ମଧ୍ୟଯୁଗୀୟ ଓଡ଼ିଆ ସାହିତ୍ୟରୁ ବହୁ ବିଷୟବସ୍ତୁ ଘୋଡ଼ାନାଟ ଶୈଳୀରେ ପରିବେଷଣ କରି ଦର୍ଶନୀୟ ଆକୃତି ଲାଭ କରିବା ସହ ବ୍ୟବସାୟିକ ସଫଳତା ଅର୍ଜନ କରିପାରିଛନ୍ତି ।
ଘୋଡ଼ାନାଟର ନାମକରଣ :
ଏହିଭଳି ଏକ ପାରମ୍ପରିକ ଲୋକ ନାଟକକୁ ବିଶେଷତଃ ତିନିଗୋଟି ନାମରେ ନାମିତ କରାଯାଇଛି ସେ ଗୁଡ଼ିକ ହେଲା ଯଥା :- ) ଘୋଡ଼ା ନାଟ, ୨) ଚଇତି ଘୋଡ଼ା, ୩) ଚଇତାଳି ଘୋଡ଼ା ନାଟ ।
ଯେହେତୁ ଏଥିରେ ମୁଖା ଆକୃତିର ଏକ କାଠ ଘୋଡ଼ାର ପ୍ରମୁଖ ନାଟ୍ୟୋପକରଣ ଭାବରେ ବ୍ୟବହାର କରାଯାଏ ତେଣୁ ଏହାକୁ ଘୋଡ଼ାନାଟ କୁହାଯାଏ । ଘୋଡ଼ାନାଟରେ ବ୍ୟବହାର କରାଯାଇଥିବା ଏହି ଘୋଡ଼ାର ମୁଖ କାଠରେ ନିର୍ମିତ କରାଯାଇଥିଲା ବେଳେ ଏହାର ଦେହ ବାଉଁଶ କାଠି ସହାୟତାରେ ପ୍ରସ୍ତୁତ କରାଯାଇଥାଏ । ପୁଣି ଏହିଭଳି ଏକ ପାରମ୍ପରିକ ନାଟ୍ୟ ପରମ୍ପରା ଚୈତ୍ର ମାସରେ ବିଧିବିଧାନ ସହ ପରିବେଷଣ ହେଉଥିବାରୁ ଏହାକୁ ଚଇତି ଘୋଡ଼ା ବା ଚଇତାଲି ଘୋଡ଼ା ନାଟ ଭାବରେ ନାମିତ କରାଯାଇଛି ।
ପରିବେଷଣ ଶୈଳୀ :
ଘୋଡ଼ାନାଟର ପରିବେଷଣକୁ ଦେଖିଲେ ଜଣାଯାଏ ଯେ ଏହା ଏକ ସମ୍ପୂର୍ଣ୍ଣ ନୃତ୍ୟ ଏବଂ ଗୀତ ପ୍ରଧାନ ପାରମ୍ପରିକ ଲୋକନାଟକ ଅଟେ । ଭାରତୀୟ ନାଟ୍ୟ ପରିବେଷଣ ପରମ୍ପରାର ନୀତି ନିୟମକୁ ସମ୍ୟକ ଭାବରେ ପାଳନ ପୂର୍ବକ ଏହାର ପରିବେଷଣ କରାଯାଏ । ପ୍ରଥମରେ ଘୋଡ଼ାନାଟ ମୁଖ୍ୟ ଗାୟକ ବା ରାଉତ ଯିଏ ନାଟକ ପରିବେଷଣ ଆଦ୍ୟରୁ ପ୍ରାନ୍ତ ପର୍ଯ୍ୟନ୍ତ ସୂତ୍ରଧରର ଭୂମିକା ନିର୍ବାହ କରନ୍ତି ନାଟକର ବିଘ୍ନ ଦୂର କରିବା ନିମନ୍ତେ ତଥା ସମାଜର ସବୁ ବର୍ଗର ସର୍ବବିଧ କଲ୍ୟାଣ ସାଧାନ ନିମନ୍ତେ ଗୁରୁ ଅଗ୍ରପୂଜ୍ୟ ପଞ୍ଚଦେବ, ବାକ୍ୟଦେବୀ ମା ସାରଳା ଏବଂ ଦର୍ଶକ ମାନଙ୍କ ଠାରୁ କଲ୍ୟାଣ କାମନା ପୂର୍ବକ ବିଭିନ୍ନ ଶ୍ଲୋକ ଉଚ୍ଚାରଣ ପୂର୍ବକ ନାନ୍ଦୀଗାନ କରିଥାନ୍ତି ।
ଯଥା :
୧) ଗୁରୁବ୍ରହ୍ମା ଗୁରୁବିଷ୍ଣୁ ଗୁରୁର୍ଦେବ ମହେଶ୍ୱର
ଗୁରୁଃ ସାକ୍ଷାତ ପରଂବ୍ରହ୍ମ ତସ୍ମେଂ ଶ୍ରୀ ଗୁରବେ ନମଃ ।
୨ ଗଣେ ନାରାୟଣେ ରୁଦ୍ରେ ଅମ୍ବିକେ ଭାସ୍କରେ ତଥା
ଭିନ୍ନାଭିନ୍ନଂ ନକର୍ତ୍ତବ୍ୟଂ ପଞ୍ଚଦେବ ନମସ୍ତୁତେ ।
୩. ମାପଶ୍ଚ ସାରଳା ଦେବୀ
ପିପଶ୍ଚ ପରମେଶ୍ୱର
ସାକ୍ଷ୍ୟାତେ କମଳଦେବୀ
ବାକ୍ୟଦେବୀ ନମସ୍ତୁତେ ।
୪. କରଞ୍ଜ ପତର କଳା
ଆଉଦିନେ ବନ୍ଦିଲି ମାତ ସାରଳା
ଦ୍ୱିତୀୟରେ ବନ୍ଦୁଛି ମାଆ ମଙ୍ଗଳା ।
ତୃତୀୟ ବନ୍ଦୁଛି କଟକ ଚଣ୍ଡୀଙ୍କୁ
ଜନନୀଲେଶ କଣ୍ଠେ ବସି ପଦ ଖେଳା ।
ଏହିଭଳି ଭାବରେ ନାନ୍ଦୀଗାନ ସମାପ୍ତ କଲା ପରେ ନାଟକର ରାଉତ ବା ସୂତ୍ରଧର ଢଗଢମାଳୀ ସ୍ୱରରେ ନାଟକର ପରିବେଷଣର ବିଷୟବସ୍ତୁ ସମ୍ପର୍କରେ ସଂକ୍ଷେପରେ ପ୍ରସ୍ତାବନା ପରିବେଷଣ କରନ୍ତି । ଏଠାରେ ଗୁରୁ ଶ୍ରୀ ଉତ୍ସବ ଚରଣ ଦାସଙ୍କ ଏକ ପ୍ରସ୍ତାବନାର ଉଦାହରଣ ପ୍ରଦାନ କରାଯାଇଛି ।
୧) କପାଖାଇ କଟମଟ ଆଉ ଦିନେ
ବଢ଼େଇ ପଡ଼ିଲା ଖଟ
ଆଉଦିନେ ହୁଗୁଳା କୁଟରୀ ବେଣ୍ଟ
ଢଗ ଢମାଳିଆ ଗୀତ ମୁଁ ଗାଇବି
ଚଇତାଳି ଘୋଡ଼ାନାଟ ।
୨) ତେଲ ପକାଇଲି କାନେ ଆଉ ଦିନେ
ମୟୁରି ଭାବିଲା ବଚନ
ଆଉ ଦିନେ ଯାଉଥିଲି ବନେ ବନେ
ବାୟକ ରାଇତୁ ବଜାଇବୁ ଢୋଲ
ମହୁର୍ରି ବଜାଇବୁ ଗୀତ ତାନେ ।
ପ୍ରସ୍ତାବନା ସମାପ୍ତି ପରେ ସମସ୍ତଙ୍କୁ ବିନମ୍ର ପଣାମ ଜଣାଇ ସେ ନାଟକ ପରିବେଷଣ ଆରମ୍ଭ କରନ୍ତି ।
ଆଖୁ ବାରିପଟେ ପଶି ଆସିଲି ମୁଁ
ଆଖୁବାରି ଖର ଖର
ଆଉଦିନେ କାଠୁରିଆ ତରବର
ଆଉଦିନେ ପାଞ୍ଚତିରିକି ପନ୍ଦର
ଆଉ ଦିନେ ଷୋହଳ ଗଲେ ସତର
ଆଉଦିନେ ଷୋହଳ ଗଲେ ସତର
ଆଉଦିନେ ସତର ପରେ ଅଠର
ଆଉଦିନେ ଲକ୍ଷ୍ମଣ ବିନ୍ଧିଲେ ଶର
ଆଉଦିନେ ହନୁ ଗଲା ଲଙ୍କା ପୁର
ଦେଖେ ମୋ ପଶିଲା ମଧୁବନର
ବଧ କଲା ଅକ୍ଷୟ କୁମାର
ଆଉ ଦିନେ ବାଟେ ଚାହାଳିଆ ବର
ଦେଖେମୋ ହୁକାଂ ମାଟି ଖର ଖର
ଆଉ ଦିନେ ନଡ଼ିଆ ଗଛ ଚହଁର
ଦେଖେ ମୋ ପୋଖରି ହୁଡ଼ାରେ ଘର
ଦେଖେ ମୋ ଗ୍ରମ ନାମ ଚଉଦ୍ୱାର
ଦେଖେ ମୋ ମା ମାଉସିକୁଂ ମୋର
ଦେଖେ ଜଣାଏ କୋଟି ଜୁହାର
ଗୋଟି ଗୋଟି ହୋଇ କେତେ ମୁଁ ନଇଁବି
ମୋର ଏକ ଠାବେ ନମସ୍କାର ।
ଏଭଳି ଭାବରେ ନାନ୍ଦିଗାନ ଏବଂ ପ୍ରସ୍ତାବନା ପରିବେଷଣ କଲା ପରେ ଘୋଡ଼ାନାଟର ପ୍ରକୃତ ବିଷ୍ଣୁ ପରିବେଷିତ ହୁଏ । ଘୋଡ଼ାନାଟର ସୁସମ୍ପର୍କ ବିଷୟ ବସ୍ତୁ ପ୍ରାଚୀନ ଯୁଗୀୟ ଓଡ଼ିଆ ଲୋକ ସଂଗୀତ ଶୈଳୀ ଅନୁସରଣରେ ପରିବେଷିତ ହୋଇଥାଏ । ଯାହାକୁ ଘୋଡ଼ା ନାଟର ଗୁରୁ ତଥା କଳାକାରମାନେ ଢଗଢମାଳିଆ ଗୀତ ବୋଲି କହିଥାନ୍ତି । ସାମୟିକ ସଂଳାପ ଆଦାନ ପ୍ରଦାନ ସହ ଗୀତ, ବାଦ୍ୟ ଏବଂ ନୃତ୍ୟର ସହଯୋଗରେ ଏହାକୁ ପରିବେଷଣ କରାଯାଏ । ପ୍ରଥମେ ସେମାନେ କୈବର୍ତ୍ତ ଗୀତାରେ ବର୍ଣ୍ଣିତ ବିଷୟ ବସ୍ତୁମାନଙ୍କୁ ପ୍ରତିବର୍ଷ ଚୈତ୍ର ପୂର୍ଣ୍ଣିମାରେ ଅନୁଷ୍ଠିତ ହୋଇଥିବା ସେମାନଙ୍କର ପାରମ୍ପରିକ ପର୍ବରେ ଯେକୌଣସି ପ୍ରାଚୀନ ଓଡ଼ିଆ ଛନ୍ଦ ଯଥା ନବାକ୍ଷରୀ, ଦଣ୍ଡକ ବଙ୍ଗଳାଶ୍ରୀ ଆଧାରରେ ପରିବେଷଣ କରି ପାରମ୍ପରିକତା ରକ୍ଷା କରି ଆସୁଥିଲେ । ପରିବର୍ତ୍ତୀ ପର୍ଯ୍ୟାୟରେ ବିଶେଷ କରି ୧୯୭୫ ପରଠାରୁ ପ୍ରାଚୀନ ଯୁଗୀୟ ପୂରାଣ ଏବଂ ମଧ୍ୟ ଯୁଗୀୟ କାବ୍ୟ ସାହିତ୍ୟର ବିଭିନ୍ନ ନୂଆଁ ନୂଆ ସାରଗର୍ଭକ ବିଷୟବସ୍ତୁକୁ ଘୋଡ଼ାନାଟର ପରିବେଷଣ ପରିଧି ଭିତରକୁ ଆଣିଲେ । ଏଦିଗରେ ଗୁରୁ ଶ୍ରୀ ଉତ୍ସବ ଚରଣ ଦାସଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ବିଶେଷ କରି ଘୋଡ଼ା ନାଟକର ରାଉତାଣୀର ଅନୁରୋଧକୁ ରକ୍ଷା କରି ରାଉତ ବିଷୟବସ୍ତୁ ପରିବେଷଣ କରିଥାନ୍ତି । ଏଠାରେ ରାଉତାଣୀ ନାଟକର ନାୟିକା ଭାବରେ ନିଜର ପରିବେଷଣ ସମୟରେ ଦର୍ଶକମାନଙ୍କ ସାମାୟିକ ମନୋରଂଜନ ପାଇଁ ରାଉତ ରାଉତାଣୀ ନାଟକୀୟ ମୂଳ ବିଷୟବସ୍ତୁରୁ ବାହାରକୁ ଯାଇ ହାସ୍ୟ ରସାତ୍ମକ ଛୋଟ ଛୋଟ ଲୋକ ଜୀବନ ଆଧାରିତ କାହାଣୀ ବା ଘଟଣାମାନଙ୍କୁ ଢଗଢମାଳିଆ ସ୍ୱରରେ ପରିବେଷଣ କରିଥାନ୍ତି ।
ନାଟକର ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପୂରା ବିଷୟବସ୍ତୁକୁ ରାଉତ ଏବଂ ରାଉତାଣୀ ଗାଇ ନାଚି ପରିବେଷଣ କରିଥାନ୍ତି । ସେମାନଙ୍କ ସହିତ ଆଉ ଦୁଇ ଜଣ କଳାକାର କାଠ ଏବଂ ବାଉଁଶ ପାତିରେ ନିର୍ମିତ ଦୁଇଟି ଘୋଡ଼ାକୁ ଅଣ୍ଟାରେ ଝୁଲାଇ ଢଗଢ଼ମାଳିଆ ଗୀତ ଓ ବାଦ୍ୟର ତାଳରେ ନୃତ୍ୟ କରିଥାନ୍ତି । ଏତଦ୍ବ୍ୟତୀତ ଆଉ ଦି ଜଣ କଳାକାର ବିଭିନ୍ନ ପ୍ରଶ୍ନ ମାଧ୍ୟମରେ ନାଟକୀୟ ବିଷୟବସ୍ତକୁ ରସାଣିତ କରିବା ଏବଂ ହାସ୍ୟରସ ସୃଷ୍ଟି କରିବା ନିମନ୍ତେ ସହଯୋଗ କରିଥାନ୍ତି । ପରିବେଷଣ ସମୟରେ ଓଡ଼ିଆ ପୂରାଣ, କାବ୍ୟ, କିମ୍ବଦନ୍ତି, ଲୋକଗୀତ, ଲୋକକଥା ଆଦି ନାଟକୀୟ ବିଷୟବସ୍ତୁ ସହିତ ସମତାଳ ରକ୍ଷା କରି ଢଗଢ଼ମାଳିଆ ସ୍ୱରରେ ପରିବେଷିତ ହୋଇଥାଏ । ସର୍ବ ଶେଷରେ ରାଉତଙ୍କ ଦ୍ୱାରା କଳାକାର ଦର୍ଶକ ରାଜ୍ୟ ତଥା ରାଷ୍ଟ୍ରର ମଙ୍ଗଳ ବିଧାନ ‘କାମନା କରି’ ଭରତବାକ୍ୟ ପରିବେଷଣ ପୂର୍ବକ ନାଟକର ସମାପ୍ତି ହୋଇଥାଏ ।
ଘୋଡ଼ାନାଟର ପରିବେଷଣ ସ୍ଥାନ, ସମୟ ଓ ଅବଧି :
ସାଧାରଣତଃ ଘୋଡ଼ାନାଟ ଗାଁର ମନ୍ଦିର ପ୍ରାଙ୍ଗଣ, ଗାଁ ରାସ୍ତା, ଗାଁ ମୁଖିଆଙ୍କ ଘର ସମ୍ମୁଖ କିମ୍ବା ମା ବାସେଳୀଙ୍କ ଭକ୍ତମାନଙ୍କ ଗୃହ ସମ୍ମୁଖରେ ପରିବେଷିତ ହୋଇଥାଏ । ମୁକ୍ତ ଆକାଶ ତଳେ କିମ୍ବା ଏକ ଶହରୁ ଦେଢ଼ ଶହ ବର୍ଗଫୁଟ ସ୍ଥାନ ଯାହାର ଚାରିକୋଣରେ ଚାରିଗୋଟି ବାଉଁଶ ଖୁଣ୍ଟି ସହାୟତାରେ ଏକ ଚାନ୍ଦୁଆ ବନ୍ଧାଯାଇଥାଏ ସେହିଭଳି ଏକ ସ୍ଥାନକୁ ଘୋଡ଼ାନାଟ ପରିବେଷଣ ନିମନ୍ତେ ବ୍ୟବହାର କରାଯାଇଥାଏ । ବିଶେଷକରି କୌଣସି ସ୍ଥାୟୀ ମଞ୍ଚ ଏଥି ନିମନ୍ତେ ବ୍ୟବହୃତ ହୁଏ ନାହିଁ । ପୂର୍ବକାଳରେ ମଶାଲ କିମ୍ବା ବଡ଼ ବଡ଼ କିରୋସିନ୍ ବତୀ ମାଧ୍ୟମରେ ଏହା ପରିବେଷଣ କରାଯାଉଥିଲା । ପରବର୍ତ୍ତୀ ମର୍ଯ୍ୟାୟରେ ଗ୍ୟାସ ଲାଇଟ୍ ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ବଡ଼ ବଡ଼ ବିଦ୍ୟୁତ ବତୀକୁ ବ୍ୟବହାର କରାଗଲା । ଆଜି ଉଚ୍ଚ କ୍ଷମତା ବିଶିଷ୍ଟ ହାଲୋଜେନ୍ ଲାଇଟ୍ ଗୁଡ଼ିକୁ ଘୋଡ଼ାନାଟର ଆଲୋକୀକରଣ ପାଇଁ ବ୍ୟବହାର କରାଯାଉଛି ।
ଠିକ୍ ସେହିଭଳି ପ୍ରାଥମିକ ପର୍ଯ୍ୟାୟରେ ଏହାର ପରିବେଷଣରେ ଶବ୍ଦ ଗ୍ରହଣ ଏବଂ ପ୍ରେକ୍ଷଣରେ କୌଣସି ବୈଦ୍ୟୁତିକ ଯନ୍ତ୍ରପାତି ଯଥା ମାଇକ୍ ମାଇକ୍ରୋଫୋନ୍ କିମ୍ବା ସାଉଣ୍ଡ ବକ୍ସର ପ୍ରଚଳନ ନଥିଲା । କିନ୍ତୁ ତିନି ଚାରି ଦଶନ୍ଧି ଧରି ଏଥିରେ ମାଇକ୍ରୋଫୋନ୍ ଏବଂ ମାଇକ୍ ବା ସାଉଣ୍ଡ ବକ୍ସର ବ୍ୟବହାର ଦେଖା ଦେଇଛି । ତଥାପି ଏଥିରେ ଲାଇଟ୍ କିମ୍ବା ମାଇକ୍ର ବହୁଳ ପ୍ରଚଳନ ନାହିଁ କହିଲେ ଚଳେ । ବହୁତ କମ ମଂଚ ପ୍ରସ୍ତୁତିରେ ଅତ୍ୟନ୍ତ ସରଳ ଭାବରେ ପାଲା, ଦାସକାଠିଆ କିମ୍ବା ଗାହାଣୀ ଭଳି ଏହା ପରିବେଷିତ ହୋଇଥାଏ ।
ଘୋଡ଼ାନାଟ ସାଧାରରତଃ ଗାଁମାନଙ୍କରେ ରାତି ୯ ଟା ୧୦ଟାରୁ ଆରମ୍ଭ ହୋଇ ମଧ୍ୟ ରାତ୍ରି ପର୍ଯ୍ୟନ୍ତ ପରିବେଷିତ ହୋଉଥାଏ । କିନ୍ତୁ ଧର୍ମିୟ ଉତ୍ସବ ମାନଙ୍କରେ ଏହାକୁ ସାରାରାତି ପରିବେଷଣ କରାଯାଇଥାଏ ଏବଂ ପରଦିନ ସକାଳେ ସମାପ୍ତ କରାଯାଇଥାଏ ।
ଘୋଡ଼ାନାଟର ଚରିତ୍ର
ପାଖାପାଖି ଦଶ ଏଗାର ଜଣ କଳାକାରଙ୍କୁ ନେଇ ଏକ ଘୋଡ଼ାନାଟ ଦଳ ଗଠନ କରାଯାଇଥାଏ । ସେମାନଙ୍କ ମଧ୍ୟରୁ ପାଞ୍ଚ ଛଅ ଜଣ କଳାକାର ମଂଚ ଉପରେ ନୃତ୍ୟ ଗୀତ ମାଧ୍ୟମରେ ନାଟକ ପରିବେଷଣ କଲାବେଳେ ଆଉ ଚାରି ପାଞ୍ଚ ଜଣ ସହଯୋଗୀ କଳାକାର ନେପଥ୍ୟ ମଧ୍ୟରେ ରହି ଗୀତ ଓ ଯନ୍ତ୍ର ସଂଗୀତରେ ସହଯୋଗ କରିଥାନ୍ତି । ଘୋଡ଼ାନାଟର ମୁଖ୍ୟ ଗାୟକଙ୍କୁ ରାଉତ କୁହାଯାଏ । ସେ ନାଟକରେ ସୂତ୍ରଧର ଆରମ୍ଭରୁ ଶେଷ ପର୍ଯ୍ୟନ୍ତ କାର୍ଯ୍ୟ କରିଥାନ୍ତି । ଘୋଡ଼ାନାଟରେ ଜଣେ ମହିଳା କଳାକାର ନୃତ୍ୟ ଏବଂ ଗୀତ ସହ ସମ୍ପୂର୍ଣ୍ଣ ପରିବେଷଣରେ ପ୍ରମୁଖ ଭୂମିକା ନିର୍ବାହ କରିଥାନ୍ତି, ତାକୁ ରାଉତାଣୀ କୁହାଯାଏ । ଭିନ୍ନ ଦୁଇ ଜଣ କଳାକାର ଦୁଇଗୋଟି କାଠ ଓ ବାଉଁଶ ନିର୍ମିତ କୁତ୍ରିମ ଘୋଡ଼ାକୁ ଅଣ୍ଟାରେ ବାନ୍ଧି ଗୀତ ଏବଂ ବାଦ୍ୟର ତାଳେ ତାଳେ ନୃତ୍ୟ କରିଥାନ୍ତି ଏବଂ ଆଉ ଦୁଇ ଜଣ କିମ୍ବା ଜଣେ କଳାକାର ପୂରାଣ ସମ୍ବନ୍ଧୀୟ ବିଭିନ୍ନ ପ୍ରଶ୍ନ ପଚାରିବା ସହ ମଂଚରେ ହାସ୍ୟରସ ସୃଷ୍ଟି କରିଥାନ୍ତି ।
ନେପଥ୍ୟରେ ରହି ଯେଉଁ କଳାକାର ମାନେ ଗୀତ ଏବଂ ବାଦ୍ୟରେ ସହଯୋଗ କରିଥାନ୍ତି ସେମାନଙ୍କ ମଧ୍ୟରୁ ଜଣେ ଢୋଲ, ଜଣେ ଯୋଡ଼ି ନାଗରା, ଜଣେ ଯୋଡ଼ି ମହୁରୀ, ଜଣେ ଗିନି ଏବଂ ଆଉ ଜଣେ କଣ୍ଠ ସଂଗୀତ ପରିବେକ୍ଷଣ ପୂର୍ବକ ସହଯୋଗ କରିଥାନ୍ତି ।
ପୋଷାକ ଓ ମୁଖ ସଜ୍ଜା :
ବିଶେଷ କରି ଘୋଡ଼ାନାଟରେ ପାରମ୍ପରିକ ଶୈଳୀର ପୋଷାକମାନ ବ୍ୟବହାର କରାଯାଇଥାଏ। ରେଶମ କପଡ଼ାରେ ପ୍ରସ୍ତୁତ କରାଯାଇଥିବା ଅଧାହାତ ଲମ୍ବା କୁର୍ତ୍ତା ଏବଂ ତ୍ୟାତିକୁ ପୁରୁଷ ଅଭିନେତାମାନେ ପୋଷାକ ଭାବରେ ବ୍ୟବହାର କରିଥାନ୍ତି । ନାଟକର ରାଉତ ଅଭିନେତା ଏବଂ ସଂଗୀତରେ ସହଯୋଗ କରୁଥିବା କଳାକାରମାନଙ୍କ ମଧ୍ୟରେ ଥିବା ଭିନ୍ନତାକୁ ସେମାନଙ୍କ ପୋଷାକର ରଙ୍ଗ ମାଧ୍ୟମରେ ଜଣାଯାଇଥାଏ । ଏତତ୍ବ୍ୟତୀତ ରାଉତ ମୁଖ୍ୟ ଅଭିନେତା ଭାବରେ ମଥାରେ ଧଳା ପରିଖଚିତ ଶିରପା ବା ପଗଡ଼ି ବ୍ୟବହାର କରିଥାନ୍ତି ଯାହା କୈବର୍ତ୍ତ ଗୀତାରେ ବର୍ଣ୍ଣିତ ଦାସରାଜାକୁ ପ୍ରତିନିଧିତ୍ୱ କରିଥାଏ । କାରଣ ଘୋଡ଼ା ନାଟର ରାଉତ ଚରିତ୍ରକୁ କୈବର୍ତ୍ତ ଗୀତା ବର୍ଣ୍ଣିତ ଦାସରାଜାଙ୍କ ସହିତ ତୁଳନା କରାଯାଇଥାଏ । ଠିକ୍ ସେହିପରି ରାଉତଣୀ ମଧ୍ୟ ଖଣ୍ଡେ ସମ୍ବଲପୁରୀ ଶାଢ଼ୀ ଏବଂ ବ୍ଲାଉଜ୍ କୁ ନିଜର ନାଟକୀୟ ପରିଧାନ ଭାବରେ ବ୍ୟବହାର କରିଥାଏ । ସମ୍ବଲପୁରୀ ନୃତ୍ୟର ନର୍ତ୍ତକୀମାନଙ୍କ ଭଳି ମୁଖ ସଜ୍ଜା ଏବଂ ପ୍ରସାଧନକୁ ରାଉତାଣୀ ଠାରେ ପ୍ରୟୋଗ କରାଯାଇଥାଏ । ତତ୍ ସହିତ ବିଭିନ୍ନ ରଙ୍ଗର ପ୍ଳଷ୍ଟିକ୍ ଏବଂ କାଠନିକ ପୋହୋଳାରେ ଗୁଚ୍ଛା ହୋଇଥିବା ମାଳିମାନ ସମସ୍ତେ ବେକରେ ଧାରଣ କରିଥାନ୍ତି ଏବଂ ପାଦରେ ଘୁଙ୍ଗୁର ସବୁ ଭିଡ଼ିଥାନ୍ତି । ଯାହା ନୃତ୍ୟ ସମୟର ସଂଗୀତରେ ମଧୁରତାକୁ ବୃଦ୍ଧି କରିଥାଏ । ସଂଗୀତ କ୍ଷେତ୍ରରେ ସହଯୋଗ କରୁଥିବା କଳାକାରମାନେ ମଧ୍ୟ ମଂଚରେ ନାଚୁଥିବା ସହକଳାକାରମାନଙ୍କ ଭଳି ବେଶ ପୋଷାକ ପିନ୍ଧିଥାନ୍ତି। ଏହା ସହ ସମ୍ପୂର୍ଣ୍ଣ ସାଧାରଣ ମୁଖ୍ୟ ସମାଧାନର ପ୍ରୟୋଗରେ ସେମାନେ ମୁଖ ସଜାଇଥାନ୍ତି ।
ଘୋଡ଼ାନାଟର ପ୍ରଚଳିତ ସ୍ଥାନ :
ଅଚ୍ୟୁତାନନ୍ଦ ଦାସଙ୍କ କୈବର୍ତ୍ତ ଗୀତ କିମ୍ବା ବୁଦ୍ଧିମନ୍ତ ମହାଗାଙ୍କ କୈବର୍ତ୍ତ ପୁରାଣକୁ ବିଶ୍ଲେଷଣ କଲେ ଜଣାଯାଏ ଯେ ଘୋଡ଼ାନାଟର ଉତ୍ପତ୍ତି ଏବଂ ବୃଦ୍ଧି ଓଡ଼ିଶାର ଉପକୂଳବର୍ତ୍ତି ଅଞ୍ଚଳମାନଙ୍କ ସହ ଯୋଡ଼ି ହୋଇଛି । କାରଣ ଏହା ଧର୍ମିୟ ପାରମ୍ପରିକ ଏବଂ କୌଳିକ ଭାବରେ ଉପକୂଳବର୍ତ୍ତୀ ଓଡ଼ିଶାର କୈବର୍ତ୍ତ ସଂପ୍ରଦାୟ ସହ ସମ୍ପର୍କିତ । ଅପର ପକ୍ଷରେ ମା ବାସେଳିଙ୍କ ଧର୍ମୀୟ ଏବଂ ପାରମ୍ପରିକ ପ୍ରଭାବ ଏହି ସ୍ଥାନ ଗୁଡ଼ିକର ଅଧିକ ତେଣୁ ବଙ୍ଗୋପସାଗର କୂଳବର୍ତ୍ତୀ ନଦନଦୀ ପରିବେଷ୍ଟିତ ଜିଲ୍ଲା ଗୁଡ଼ିକର ଏହାର ବହୁତ ପରିବେଷଣ ଦେଖିବାକୁ ମିଳେ । ସେହି ଜିଲ୍ଲା ଗୁଡ଼ିକ ହେଲା ଯଥା :-
୧) ପୁରୀ, ୨) କଟକ, ୩) ଯାଜପୁର, ୪) କେନ୍ଦ୍ରପଡ଼ା ୫) ଜଗତସିଂହପୁର ।
ଘୋଡ଼ାନାଟର ଧର୍ମୀୟ ପରମ୍ପରା…
ଯେହେତୁ ଏହା ଏକ ପାରମ୍ପରିକ ଲୋକ ନାଟକ ଏହାର ବିଷୟ ବସ୍ତୁ ପ୍ରାଚୀନ ଯୁଗୀୟ ଓଡ଼ିଆ ସାହିତ୍ୟର ପୁରାଣ ପୃଷ୍ଠାରେ ବର୍ଣ୍ଣିତ ଏବଂ ଉପକୂଳ ଓଡ଼ିଶାର କୈବର୍ତ୍ତ ପୂରାଣ ପୃଷ୍ଠାରେ ବର୍ଣ୍ଣିତ ଏବଂ ଉପକୂଳ ଓଡ଼ିଶାର କୈବର୍ତ୍ତ ସମ୍ପ୍ରଦାୟର ଜୀବନ ଓ ଜୀବିକା ସହ ଏହା ଜଡ଼ିତ ତେଣୁ ଏହାର ଧର୍ମୀୟ ତଥା ପାରମ୍ପରିକ ରୀତିନୀତିକୁ ଗୁରୁତର ଭାବରେ ପାଳନ କରାଯାଏ । କୈବର୍ତ୍ତମାନେ ପ୍ରତ୍ୟେକ ବର୍ଷ ଚୈତ୍ର ପୂର୍ଣ୍ଣିମା ଠାରୁ ଆରମ୍ଭ କରି ଆଠ ଦିନ ପର୍ଯ୍ୟନ୍ତ ଅର୍ଥାତ୍ ବୈଶାଖ ମାସ ସପ୍ତମୀ ପର୍ଯ୍ୟନ୍ତ ସେମାନଙ୍କ ଇଷ୍ଟଦେବୀ ମା ବାସେଳୀଙ୍କୁ କେନ୍ଦ୍ର କରି ଧର୍ମିୟ ତଥା କୌଳିକ ଉତ୍ସବ ଭାବରେ ପାଳନ କରନ୍ତି । ଏହାକୁ କେତେକ ଚଇତାଳି ଯାତ୍ରା ଭାବରେ ମଧ୍ୟ ନାମିତ କରିଛନ୍ତି । ଏହି ଯାତ୍ରାର ପ୍ରଥମ ଭାବରେ ମଧ୍ୟ ନାମିତ କରିଛନ୍ତି । ଏହି ଯାତ୍ରାର ପ୍ରଥମ ଦିବସରେ ପ୍ରାତଃ କାଳର ନିତ୍ୟକର୍ମ ସାରି ମା ବାସେଳୀକୁ ଶୁକ୍ଳ ବସ୍ତ୍ର ଉପରେ ରଖି ତାଙ୍କ ସମ୍ମୁଖରେ ସେମାନଙ୍କ ଜୀବିକା ସହଯୋଗୀ ସମନ୍ତ ଉପକରଣ ଆଣି ରଖନ୍ତି । ପାରମ୍ପରିକ ରୀତିନୀତି ଅନୁସାରେ ଏହା ପୂର୍ବରୁ ଘରକୁ ଗୋବରରେ ଲିପା ପୋଛା କରି ବିଭିନ୍ନ ପ୍ରକାର ଝୋଟି ଚିତାରେ ସଜେଇ ଦେଇଥାନ୍ତି । ଏହି ସମୟରେ କାଷ୍ଠ ପିତୁଳରେ ଏବଂ ବାଉଁଶ ପାତିରେ ନିର୍ମିତ କାଠ ଘୋଡ଼ାକୁ ମା ବାସେଳୀଙ୍କ ପ୍ରତିମୂର୍ତ୍ତି ଭାବରେ ପୂଜା କରାଯାଏ । ତେଣୁ ମା ବାସେଳୀଙ୍କୁ ବିଭିନ୍ନ ରଙ୍ଗର ଫୁଲରେ ସଜେଇ ଦିଆଯାଏ । ଏହା ପରେ ଯଥାବିଧି ପାରମ୍ପରିକତା ଅବଲମ୍ବନ କରି ନିଜ ନିଜର ଭକ୍ତିପୂତ ପୂଜାର୍ଚ୍ଚନା କରିଥାନ୍ତି । ପୂଜା ଶେଷରେ ମା ବାସେଳୀଙ୍କ ଆଶିର୍ବାଦ ଭିକ୍ଷାକରି ଘୋଡ଼ା ନାଟର ଘୋଡ଼ା ନିର୍ମାଣ କରିବା ପାଇଁ ଅତ୍ୟାବଶ୍ୟକୀୟ ଉପାଦାନ ବାଉଁଶ ସଂଗ୍ରହ କରିବା ପାଇଁ ଯାଇଥାନ୍ତି । କୈବର୍ତ୍ତ ପୂରାଣରେ ବର୍ଣ୍ଣିତ ମା ବାସେଳୀଙ୍କ ବିଧି ନିଜର କିଛି ପଂକ୍ତି ପ୍ରଦାନ କରାଯାଇଛି ।
ଶୁଣ ଦାସ ରାଜା କହେ ବିଧି ବାସେଳୀର
ବାସେଳୀକ ପୂଜିବୁ ତୁ ଯେବଣ ପ୍ରକାର ।
ବାଉଁଶ ଗୋଟିଏ ହାଣି ଯତ୍ନରେ ଆଣିବୁ
ଦ୍ୱାଦଶ ଖଣ୍ଡି କରିଣ ତାହାକୁ ରଖିବୁ ।
ଅଶ୍ୱର ପଞ୍ଜରା ପରି ପଞ୍ଜରା କରିବୁ
ପିତୁଳାରେ ଅଶ୍ୱମୁଣ୍ଡ ନିର୍ମାଣ କରିବୁ ।
ଦାନ୍ତ ଦାସା ଚକ୍ଷୁ ଥିବ ମୁଣ୍ଡରେ ତାହାର
କାଖି ମାଟିରେ ଯତନେ ଲିପିବୁ ଶରୀର ।
ପାଟ ଶାଢ଼ୀ ଘେରାଇବୁ ଅଙ୍ଗରେ ତାହାର
ଘଟଣ ଦିଶିବ ଯେହ୍ନେ ଅଶ୍ୱର ଶରୀର ।
ପୂର୍ଣ୍ଣିମୀ ଠାରୁ ଏହାକୁ ଅଷ୍ଟ ଦିନ ଧରି
ପୂଜିବୁ ହେ ଦାସ ରାଜା ଗୃହେ ରଖିକରି ।
ପୂର୍ବ ବର୍ଣ୍ଣନାନୁସାରେ ଘୋଡ଼ାନାଟର ଗାୟକମାନେ ବାଉଁଶ ଆଣି ସେଥିରେ ଅଶ୍ୱ ନିର୍ମାଣ କରିଥାନ୍ତି । ଅଶ୍ୱ ନିର୍ମାଣ କାର୍ଯ୍ୟ ସାରି ମା ବାସେଳୀଙ୍କ ଉଦ୍ଦେଶ୍ୟରେ ପ୍ରସ୍ତୁତ କରାଯାଇଥିବା ପଶାକୁ ମାଙ୍କ ଠାରେ ଭୋଗ ବାଢ଼ିଥାନ୍ତି । ଏହା ପରେ ଗାୟକମାନେ ନିକଟସ୍ଥ ଗାଁ ମାନଙ୍କରେ ରହୁଥିବା ସେମାନଙ୍କ ସଂପ୍ରାଦାୟର ବନ୍ଧୁ ପରିଜନଙ୍କ ପାନ ଏବଂ ମାଛ ଭକ୍ଷଣ ପୂର୍ବକ ନିମନ୍ତ୍ରଣ ପାଇଥାନ୍ତି । ସେମାନଙ୍କ ନିମନ୍ତ୍ରଣ ରକ୍ଷା କରି ଗାଁ ଗାଁ ବୁଲି ଆଠ ଦିନ ପର୍ଯ୍ୟନ୍ତ ନିମନ୍ତ୍ରଣ କରିଥାନ୍ତି । ଏହି ସମୟରେ ସେମାନେ ନିଜର ଧର୍ମୀୟ ତଥା ପାରମ୍ପରିକ ନୀତି ନିୟମ କଠୋର ଭାବରେ ପାଳନ କରିବା ସହ ମା ବାସେଳୀଙ୍କ ପାଖରେ ନିଜକୁ ସମ୍ପୂର୍ଣ୍ଣ ଭାବରେ ସମର୍ପଣ କରି ଦେଇଥାନ୍ତି ।
ଘୋଡ଼ା ନାଟର ପ୍ରମୂଖ ଗୁରୁ :
ଗୁରୁ ଶ୍ରୀ ଉତ୍ସବ ଚରଣ ଦାସ
ଗୁରୁ ଶ୍ରୀ ମନ ମୋହନ ସାମଲ
ଗୁରୁ ଶ୍ରୀ ଗୋପାଳ ଚନ୍ଦ୍ର ବେହେରା
ଗୁରୁ ଶ୍ରୀ ସୁଦର୍ଶନ ବେହେରା
ଗୁରୁ ଶ୍ରୀ ଆକୁଳି ଚରଣ ଖଟୁଆ
ଗୁରୁ ଶ୍ରୀ ଅର୍ଜୁନ ବେହେରା
ଗୁରୁ ଶ୍ରୀ ଜଟାଧାରୀ ବେହେରା
ଗୁରୁ ଶ୍ରୀ ବିପ୍ରଘୋଷ ମାଝୀ
ଗୁରୁ ଶ୍ରୀ ସନ୍ତୋଷ ବେହେରା
ଗୁରୁ ଶ୍ରୀ ହେମନ୍ତ କୁମାର ଦଳେଇ
ଗୁରୁ ଶ୍ରୀ ବିଦ୍ୟାଧର ବେହେରା
ଗୁରୁ ଶ୍ରୀ ଦେବେନ୍ଦ୍ର ନାଥ ବେହେରା
ଗୁରୁ ଶ୍ରୀମତୀ ନେବକୀ ବେହେରା
ଗୁରୁ ଶ୍ରୀ ନିରଂଜନ ବେହେରା
ଗୁରୁ ଶ୍ରୀ ମଧୁରି ବେହେରା
ଗୁରୁ ଶ୍ରୀ ପଦନ ବେହେରା
ଗୁରୁ ଶ୍ରୀ ବିମ୍ବାଧର ବେହେରା
ଘୋଡ଼ାନାଟର ସାଂପ୍ରତିକ ସ୍ଥିତି :
କ୍ଷେତ୍ର ଆନୁଧ୍ୟାନରୁ ସଂଗୃହିତ ତଥ୍ୟମାନଙ୍କରୁ ସ୍ୱଷ୍ଟ ଜଣାଗଲା ଯେ ଏକବିଂଶ ଶତାବ୍ଦୀର ପ୍ରାରମ୍ଭିକ ପର୍ଯ୍ୟାୟରେ ଓଡ଼ିଆ ପାରମ୍ପରିକ ଲୋକ ନାଟକ “ଘୋଡ଼ାନାଟକ”ର ସାଂପ୍ରତିକ ସ୍ଥିତି ଆଦୌ ସନ୍ତୋଷ ଜନକ ନୁହେଁ । ସମୟ ଚକ୍ରରେ ଏହାର ବିଷୟ ବସ୍ତୁ ତଥା ପରିବେଷଣର ପରିଧି ଭିତରକୁ ବହୁ ପରିବର୍ତ୍ତନ ମାଡ଼ି ଆସିଛି । ସେହି ସବୁ ପରିବର୍ତ୍ତନ ଗୁଡ଼ିକ ନିମ୍ନରେ ପ୍ରଦାନ କରାଗଲା ।
୧) ପଞ୍ଚସଖା ଯୁଗୀୟ କବି ମହାପୁରୁଷ ଅଚ୍ୟୁତାନନ୍ଦ ଦାସଙ୍କ ସମୟ ଠାରୁ ଆରମ୍ଭ କରି ବିଂଶ ଶତକର ପ୍ରଥମାର୍ଦ୍ଧ ପର୍ଯ୍ୟନ୍ତ ଏହା କେବଳ କୈବର୍ତ୍ତମାନଙ୍କ ଆରାଧ୍ୟ ଦେବୀ ମା ବାସେଳୀଙ୍କ ଯାତ୍ରାରେ ପରିବେଷିତ ହୋଇଆସୁଥିଲା । ଏହାର ବିଷୟ ବସ୍ତୁ ମଧ୍ୟ ଅଚ୍ୟୁତାନନ୍ଦଙ୍କ ଲିଖିତ କୈବର୍ତ୍ତ ଗୀତ ମଧ୍ୟରେ ସୀମିତ ଥିଲା । ପରବର୍ତ୍ତୀ ପର୍ଯ୍ୟାୟରେ ଓଡ଼ିଆ ପୂରାଣ ସାହିତ୍ୟର ପୁରାଣ, ଉପପୁରାଣ, କାବ୍ୟ, କିମ୍ବଦନ୍ତୀ ଆଦିରୁ ବହୁ ବିଷୟ ବସ୍ତୁ ୟା ମଧ୍ୟକୁ ପ୍ର୍ରବେଶ କଲା ।
୨) ୧୯୫୦ ମସିହା ପର୍ଯ୍ୟନ୍ତ ଏହା କେବଳ ଚୈତ୍ର ପୂର୍ଣ୍ଣିମା ଠାରୁ ବୈଶାଖ ସପ୍ତମୀ ପର୍ଯ୍ୟନ୍ତ ଆଠ ଦିନ ବ୍ୟାପୀ … ହେଉଥିଲା କିନ୍ତୁ ପରବର୍ତ୍ତୀ ପର୍ଯ୍ୟାୟରେ ଏହା ଦର୍ଶକମାନଙ୍କ ଉଚ୍ଛାନୁସାରେ ଯେ କୌଣସି ସାମାଜିକ ସାଂସ୍କୃତିକ ଏକ ଧର୍ମୀୟ କାର୍ଯ୍ୟକ୍ରମମାନଙ୍କରେ ପରିବେଷଣ କରାଗଲା ।
୩) ବେଷପୋଷାକରେ ବିଶେଷ କରି କୌଣସି ପରିବର୍ତ୍ତନ ପରିଲକ୍ଷିତ ହୁଏ ନାହିଁ । ରାଉତମାନେ ସାଧାରଣତଃ ମଧ୍ୟଯୁଗୀୟ ଓଡ଼ିଆ ରାଜାମାନଙ୍କ ଭଳି ଧୋତି, ହାତକଟା ରେଶମ କୁର୍ତ୍ତା, ଉତ୍ତରୀୟ ଏବଂ ମଥାରେ ଧଳା ପରଲଗା ପଗଡ଼ିକୁ ବ୍ୟବହାର କରିଥାନ୍ତି ଏବଂ ରାଉତାଣି ସମ୍ବଲପୁରୀ ଶାଢ଼ୀକୁ ନାଟକ ପରିବେଷଣର ବ୍ୟବହାର କରିଥାନ୍ତି ଅନ୍ୟ ସମସ୍ତ କଳାକର ମାନେ ପଗଡ଼ି ବ୍ୟତୀତ ଆଉ ସବୁ ସମାନ ବେଶ ପୋଷକ ପରିଧାନ କରିଥାନ୍ତି ।
୪) ଅତ୍ୟନ୍ତ ସରଳ ତଥା ସ୍ୱଳ୍ପ ମୁଖ ପ୍ରସାଧନର ବ୍ୟବହାରରେ ଅଭିନେତା ଅଭିନେତ୍ରୀ ମାନେ ନିଜକୁ ସଜେଇଥାନ୍ତି । ଘୋଡ଼ାନାଟର ରାଉତାଣୀ କେବଳ ସମ୍ବଲପୁରୀ ନୃତ୍ୟରେ ନର୍ତ୍ତକୀମାନଙ୍କ ଭଳି ମୁଖ ପ୍ରସାଧାନ ବା ମେକଅପ୍ର ବ୍ୟବହାର କରିଥାନ୍ତି ।
୫) ଆଜି ପର୍ଯ୍ୟନ୍ତ ଘୋଡ଼ାନାଟ ପରିବେଷଣ ହେଉଥିବା ସ୍ଥାନ ବା ମଞ୍ଚରେ କୌଣସି ପରିବର୍ତ୍ତନ ଆସିନାହିଁ । ଏବେ ମଧ୍ୟ ଏହା ଚାରିକୋଣରେ ଚାରିଗୋଟି ବାଉଁଶ ସହାୟତାରେ ବନ୍ଧାଯାଇଥିବା ଚାନ୍ଦୁଆତଳେ ପରିବେଷିତ ହୋଇଥାଏ । ଏଥିପାଇଁ ଯାତ୍ରା ଭଳି କୌଣସି ସ୍ଥାୟୀ ମଞ୍ଚର ବ୍ୟବହାର କରାଯାଏ ନାହିଁ ।
୬) ଆଲୋକ ସମ୍ପାତ ଏବଂ ଶବ୍ଦ ପ୍ରେକ୍ଷଣ କ୍ଷେତ୍ରରେ ମଧ୍ୟ ମାତ୍ରାଧିକ ଆଧୁନିକତା ଏହାକୁ ସ୍ୱର୍ଶ କରିପାରିନାହିଁ । ମାତ୍ର ଦୁଇ ତିନୋଟି ବିଦ୍ୟୁତ୍ ବଲ୍ବ ଏବଂ ତିନି ଚାରୋଟି ମାଇକ୍ରୋଫୋନ୍ ସାହାଯ୍ୟରେ ଏହାର ପରିବେଷଣ ହୋଇଥାଏ ।
୭) ଏକବିଂଶ ଶତକରେ ମଧ୍ୟ ଏହା ପୂର୍ବରୁ ବ୍ୟବହୃତ ପାରମ୍ପରିକ ବାଦ୍ୟ ଯନ୍ତ୍ରମାନଙ୍କ ସହାୟତାରେ ପରିବେଷିତ ହେଉଛି । ଏଥିରେ କୌଣସି ଆଧୁନିକ ତଥା ପାଶ୍ଚାତ୍ୟ ଯନ୍ତ୍ରାଂଶର ବ୍ୟବହାର ଦେଖାଯାଏ ନାହିଁ । କିନ୍ତୁ ସେମାନଙ୍କ ବାଦନ ଶୈଳୀରେ ସାମାୟିକ ଭାବରେ ଆଧୁନିକ ଲୋକପ୍ରିୟ ଚଳଚ୍ଚିତ୍ର, ଆଲବମ୍ କିମ୍ବା ଭଜନ ମାନଙ୍କର ସ୍ୱର ଶୁଣିବାକୁ ମିଳିଥାଏ ।
୮) ପୂର୍ବରୁ ରାଉତାଣୀ ଭୂମିକାରେ ପୁରୁଷମାନେ ଅଭିନୟ କରୁଥିଲେ । କିନ୍ତୁ ତିନି ଦଶନ୍ଧି ଚରିତ୍ରରେ ମହିଳା ମାନେ ଅଭିନୟ କରିଆସୁଛନ୍ତି । ଏପରିକି ରାଉତାଣୀମାନଙ୍କ ଗୀତ ଗୁଡ଼ିକୁ ଗାଇବା ପାଇଁ ମଧ୍ୟ ମହିଳା ଗାୟିକାମାନଙ୍କୁ ଏଥିରେ ପ୍ରବେଶ କରାଗଲାଣି । ଫଳସ୍ୱରୂପ ଉପକୂଳବର୍ତ୍ତି ଓଡ଼ିଶାର କିଛି ମହିଳା ଅଭିନେତ୍ରୀ ଏହା ମାଧ୍ୟମରେ ଜୀବିକା ନିର୍ବାହ କରିବା ସହ ସୁନାମ ଅର୍ଜନ କରିବାରେ ସକ୍ଷମ ହୋଇପାରିଛନ୍ତି ।
୯) ଗୁରୁ ଉତ୍ସବ ଚରଣ ଦାସଙ୍କ ଭଳି ହାତ ଗଣତି ଅଳ୍ପ କେତେକ ଗୁରୁଙ୍କୁ ବାଦ୍ ଦେଲେ ଅନ୍ୟ ସମସ୍ତଙ୍କର ପରିବାର ପ୍ରତିପୋଷଣରେ ଏହା ସଫଳ ମାଧ୍ୟମ ଭାବରେ ଏହା ସହାୟକ ହୋଇପାରୁନାହିଁ । ତେଣୁ ଘୋଡ଼ାନାଟର କଳାକାରମାନେ ନିଜ ପରିବାରର ସର୍ବନିମ୍ନ ଆବ୍ୟାକତା ପୂରଣ କରିବା ପାଇଁ ପଡ଼ୋଶୀ ରାଜ୍ୟମାନଙ୍କୁ ବିସ୍ଥାପିତ ହେବାକୁ ବାଧ୍ୟ ହେଉଛନ୍ତି । ତେଣୁ ତାଙ୍କ ପିଲାମାନଙ୍କୁ ସେମାନେ ଏ କ୍ଷେତ୍ରକୁ ଛାଡ଼ୁ ନାହାନ୍ତି ।
୧୦) ଘୋଡ଼ାନାଟ ପରିବେଷଣରେ ମହୁରିଆର ଭୂମିକାକୁ ଆଦୌ ଗୌଣ ଭାବରେ ଗ୍ରହଣ କରାଯାଇ ପାରିବ ନାହିଁ । କାରଣ ଘୋଡ଼ା ନାଟର ଗୀତର ମଧୁରତା ଏବଂ ଲାଳିତ୍ୟ ଯୋଡ଼ି ନାଗଲା ଏବଂ ମହୁରି ଉପରେ ନିର୍ଭର କରିଥାଏ । ଏହି ମହୁରିକୁ ସାଧାରଣତଃ ସେହି ଅଞ୍ଚଳର ହରିଜନ କଳାକାରମାନେ ବାଦନ କରିଥାନ୍ତି । କିନ୍ତୁ ସେମାନଙ୍କର ପିଲାମାନେ ଆଧୁନିକତାର ପ୍ରଭାବରେ ଏହା ପ୍ରତି ବିମୁଖ ହେଉଛନ୍ତି ଏବଂ ଜୀବିକା ସନ୍ଧାନରେ ବାହାର ରାଜ୍ୟକୁ ଚାଲିଯାଉଛନ୍ତି । ଫଳସ୍ୱରୂପ ଲୋକନାଟକ ଜାଗତରେ ଧିରେ ଧିରେ ମୁହୁରିଆର ଅଭାବ ଜଣାଗଲାଣି । ହୁଏତ ଏହି ଅଭାବ ଦିନେ ଭବିଷ୍ୟତରେ ଘୋଡ଼ାନାଟର ବିଲୁପ୍ତିର ପ୍ରମୂଖ କାରଣ ହେବ ।
୧୧) ଦୀର୍ଘ ଦୁଇ ଦଶନ୍ଧି ଧରି ଘୋଡ଼ାନାଟକୁ ଆମର ବହୁବିଧ ସାମାଜିକ ଏବଂ ରାଜନୈତିକ ସମସ୍ୟା ଏବଂ ତାର ସମାଧାନର ପ୍ରଚାର ପାଇଁ ଉଭୟ ସରକାରୀ ଏବଂ ବେସରକାରୀ ସଂସ୍ଥାମାନଙ୍କ ଦ୍ୱାରା ବ୍ୟବହାର କରାଯାଇଛି । ଫଳସ୍ୱରୂପ ଏହାର ବିଷୟଗତ ଏବଂ ପରିବେଷଣ ଗତ ମୂଲ୍ୟବୋଧ ନଷ୍ଟ ହେଉଛି ।
୧୨) ଏହି ନାଟ୍ୟଦଳମାନଙ୍କର ପ୍ରଗତି ନିମନ୍ତେ ସରକାରଙ୍କ ତରଫରୁ ଆସୁଥିବା ଆର୍ଥିକ ସହାୟକ ରାଗି ବାସ୍ତବରେ ସମୁଦ୍ରକୁ ଶଙ୍ଖେପାଣି । ତତ୍ ସହିତ ଏହା ଯଦି ସବୁ ସଂସ୍ଥାମାନଙ୍କ ପାଖରେ ଉଚିତ୍ ଢଙ୍ଗରେ ପହଞ୍ଚି ପାରିବ ହୁଏତ ଲୋକକଳାର ପ୍ରଗତି ଘଟିବ ।
୧୩) ଓଡ଼ିଶାର ଏହା ଏକ ପ୍ରମୂଖ ତଥା ଲୋକପ୍ରିୟ ପାରମ୍ପରିକ ଲୋକ ନାଟକ ଏବଂ ଏହା ଓଡ଼ିଶାର ସାଂସ୍କୃତିକ ଐତିହ୍ୟକୁ ଉଜ୍ଜୀବିତ କରୁଥିଲେ ମଧ୍ୟ ଲୁପ୍ତ ଏବଂ ସୁପ୍ତ ନାଟ୍ୟଦଳମାନଙ୍କୁ ଜାଗ୍ରତ କରିବା ପାଇଁ ସରକାରୀ କ୍ଷେତ୍ରରେ ସେ ଭଳି କୌଣସି ପଦକ୍ଷେପ ନିଆ ଯାଇନାହିଁ ।
୧୪) ଘୋଡ଼ାନାଟର ପରିବେଷଣକୁ ଆହୁରି ସୁନ୍ଦର, ମାର୍ଜିତ ତଥା ସମୃଦ୍ଧ କରିବା ନିମନ୍ତେ ରାଜ୍ୟ କିମ୍ବା କେନ୍ଦ୍ର ସରକାରଙ୍କ ତରଫରୁ ଏହାର ଗବେଷଣା, ପ୍ରଶିକ୍ଷଣ ତଥା ପରିବେଷଣକୁ ପ୍ରୋତ୍ସାହିତ କଲା ଭଳି କୌଣସି ଅନୁଷ୍ଠାନ ଗଢ଼ାଯାଇନାହିଁ ।
୧୫) ଆମ ସମାଜର ଦର୍ଶକମାନେ ମଧ୍ୟ ରାଜ୍ୟର କଳା ଓ ସାହିତ୍ୟର ପ୍ରଚାରକ ଭଳି କାର୍ଯ୍ୟ କରୁଥିବା ଲୋକ କଳାକାରମାନଙ୍କୁ ସେତିକି ସ୍ନେହ ଓ ସମ୍ମାନ ଦେଇ ନ ଥାନ୍ତି ଯେତିକି ସେମାନେ ଚଳଚ୍ଚିତ୍ର କିମ୍ବା ଦୂରଦର୍ଶନ କଳାକାର ମାନଙ୍କୁ ଦେଇ ଥାନ୍ତି । ତତ୍ ସହିତ ବର୍ତ୍ତମାନର ଦର୍ଶକମାନଙ୍କୁ ଖୁସି କରିବାର ଅପଚେଷ୍ଟାରେ ନାଟ୍ୟ ସଂସ୍ଥାର ଅଧିକାରୀମାନେ ଏ ସବୁ କ୍ଷେତ୍ରରେ ନଗ୍ନତା ଓ ଅଶ୍ଳିଳତାକୁ ପ୍ରଶ୍ରୟ ଦେଲେଣି । ତେଣୁ ଶିକ୍ଷିତ ତଥା ସଂସ୍କାର ସମ୍ପନ୍ନ ଗାଁ କଳାକାର ପିଲାଟିଏ ଏ କ୍ଷେତ୍ରରେ ପାଦ ଥାପିବାକୁ ଇଚ୍ଛା ପ୍ରକାଶ କରୁନି ।
୧୬) ସାଂପ୍ରତିକ ସ୍ଥିତିରେ ଦର୍ଶକମାନଙ୍କ ପାଖରେ ଘୋଡ଼ାନାଟ ଠାରୁ ପାଲାର ଚାହିଦା ଅଧିକ ଅଟେ । ଆଧୁନିକ ଏବଂ ଜଗତିକରଣ ପ୍ରଭାବରେ ଯୁବ ସମାଜ ମଧ୍ୟ ଘୋଡ଼ାନାଟ ପ୍ରତି ବିମୁଖ । ତେଣୁ ବହୁ ଘୋଡ଼ାନାଟ’ର ଗୁରୁ ଧିରେ ଧିରେ ଘୋଡ଼ାନାଟ ସହ ପାଲାକୁ ଯୋଡ଼ି ଏବଂ ତାଙ୍କର ପରିବେଷଣ ପରମ୍ପରାକୁ ପ୍ରୋତ୍ସାହିତ କଲେଣି । ଫଳରେ ଉଭୟ ଘୋଡ଼ାନାଟ ଏବଂ ପାଲାର ମୌଳକତା ଏବଂ ମୂଲ୍ୟବୋଧର କ୍ଷୟ ଘଟିବା ଆରମ୍ଭ ହେଲାଣି ।
୧୭) ବିଶ୍ୱବ୍ୟାପି କରୋନାର ଭୟଙ୍କର ପ୍ରଭାବରେ ଲୋକକଳା ଜଗତ ବିଶେଷ ଭାବରେ କ୍ଷତିଗ୍ରସ୍ତ । ବହୁ ନାଟ୍ୟଦଳ ଭାଙ୍ଗି ଗଲାଣି । କଳାକାରମାନେ କଳା ପରିବେଷଣ ଭଳି ଅଲଗା ଅଲଗା ଜୀବିକାକୁ ବାଧ୍ୟହୋଇ ବାଛିଲେଣି । ସରକାରଙ୍କ ପାଖରୁ ଅତି ଅଳ୍ପ ପରିମାଣରେ ଆସୁଥିବା ସହାୟତା ରାଶିକୁ ଭୋକିଲା ପେଟରେ ଅପେକ୍ଷା ନ କରି ପଡ଼ୋଶି ରାଜ୍ୟର ବେସରକାରୀ କାରଖାନା ବା କମ୍ପାନୀମାନଙ୍କରେ ଅନାମଧ୍ୟେୟ ଅପରିଚିତ ଶ୍ରମିକ ଭାବରେ ନିଜକୁ ହଜେଇ ଦେଲେଣି ।
ଶେଷ କଥା : ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ କଥା ଗାଁ ଠୁ ରାଜଧାନୀ ପର୍ଯ୍ୟନ୍ତ ସମସ୍ତେ ହୃଦୟର ସହ ଚିନ୍ତା କରିବା ଆବଶ୍ୟକ । ନଚେତ୍ ଯେଉଁ ପାରମ୍ପାରିକ ଲୋକନାଟକ ରାଜ୍ୟ ତଥା ଜାତୀୟ ସ୍ତରରେ ଓଡ଼ିଶାର ମାନ ମର୍ଯ୍ୟାଦା ବଢ଼ାଇ ଆସିଛି ତାହା ଅଚୀରେ ଲୋପ ପାଇଯିବ। ତତ୍ ସହିତ ଏହି ମାଧ୍ୟମକୁ ପାଥେୟ କରି ଜୀବିକା ନିର୍ବାହ କରିଆସୁଥିବା ଲୋକ କଳାକାରମାନେ କଳାକାରର ସ୍ୱାଭିମାନ ତଥା ସମ୍ମାନ ଟିକକ ହଜେଇ ବସିବେ । ସର୍ବଶେଷରେ ଆମ ସାହିତ୍ୟ, ସଂସ୍କୃତି ଏବଂ ପରମ୍ପରାର ଆଦର୍ଶକୁ ପ୍ରଚାର କରୁଥିବା ଏହି ପ୍ରମୁଖ ମାଧ୍ୟମଟି ନିଶ୍ଚିହ୍ନ ହୋଇଯିବା ସହ ଆମ ପରିବେଷଣ ପରମ୍ପରାକୁ ଅଶ୍ଳିଳତା ଓ ନଗ୍ନତା ମାଡ଼ି ବସିବ । ତେଣୁ ଏ ସମସ୍ତ କଥାକୁ ଚିନ୍ତା କରି ଆମେ ସମସ୍ତେ ଏଥିପ୍ରତି ଯତ୍ନବାନ ହେବା ନିତାନ୍ତ ଆବଶ୍ୟକ ।