କବିକୁ ଦୂରରୁ ଦେଖ
ସୁନ୍ଦର ଦିଶିବ
ଦୂରରୁ ପର୍ବତ ଭଳି ।
ତା କଲମକୁ ଦେଖ
ହାତ ଦେଖ ନାହିଁ
ଶବ୍ଦ ଗୁଡା ସୁନ୍ଦର ଶୁଭିବ
କୁଳୁ କୁଳୁ ବହୁଥିବା
ଝରଣାର ପାଣି ଭଳି ।
ତା ଆଚରଣ ଜମା ଦେଖନାହିଁ
ତା ଉଚ୍ଚାରଣ ଶୁଣ
ମନ ତୁମ ଶୁଦ୍ଧ ହୋଇଯିବ ।
କବିକୁ ଦୂରରୁ ଦେଖ
ସୁନ୍ଦର ଦିଶିବ
ଦୂରରୁ ପର୍ବତ ଭଳି ।
ଅସୁବିଧା, କବି ସଂଗେ ଦୋସ୍ତି କଲେ
ସଂଯତ ଧାଡି ଲେଖି ପାରୁଥିବା
ମଣିଷର ଅସଂଯତ ଚେହେରା ଦେଖିଲେ ।
କିନ୍ତୁ, ତାହାହିଁ ଚେହେରା ତାର
ତା ଉପରେ ତାର କାବୁ ନାହିଁ
ତେଣୁ ତାକୁ ଦୋଷ ଦିଅ ନାହିଁ
ସେ ଯେ କବି !
କବିକୁ ଦୂରରୁ ଦେଖ
ସୁନ୍ଦର ଦିଶିବ
ଦୂରରୁ ପର୍ବତ ଭଳି ।
ସେ ଗୋଟାପଣି ସମାଜର
ଅଥଚ ସମାଜର ନୁହେଁ ।
ସେ ଗୋଟାପଣି ତା ପ୍ରେମିକାର
ଅଥଚ ସେ ପ୍ରେମିକାର ନୁହେଁ ।
ସେ ଗୋଟାପଣି ତା ନିଜର
ଅଥଚ ନିଜର ବି ନୁହେଁ ।
ସେ ବି ଦଂଶିତ
ପ୍ରଶ୍ନରେ ବାରବାର
କାହାର, ସେ କାହାର?
ନା ସମାଜର
ନା ପ୍ରେମିକାର
ନା ନିଜର?
ପ୍ରତିଧ୍ୱନି ଗୋଟିଏ ଉତ୍ତର
କବି ତା ଶବ୍ଦର ।
ଶବ୍ଦର ଗାଲିଚା, ଶବ୍ଦ ସଂଗେ ରତି;
ଶବ୍ଦକୁ ନେଇ ଖେଳ, ଶବ୍ଦର ପାଗଳ;
ସବୁ ଖାଲି ଶବ୍ଦମୟ
ତାହାରି ଭିତରେ କବି ଜମାଏ ଆସର ।
ଆଉ ସବୁ ଉପଲକ୍ଷ-
ସମାଜ, ପ୍ରେମିକା,
ନିଜ ଆତ୍ମା, ଚେହେରା ନିଜର,
ସବୁ ଉପଲକ୍ଷ ।
ତେଣୁ , କବିକୁ ଦୂରରୁ ଦେଖ
ସୁନ୍ଦର ଦିଶିବ
ଦୂରରୁ ପର୍ବତ ଭଳି ।
(ରଚନା:ଏପ୍ରିଲ ୨୦୦୩)
ମୋବାଇଲ:୯୪୩୮୦୧୫୦୫୬