ଲୋକମଞ୍ଚ
Trending

ଶତୃଘ୍ନଙ୍କ ପାଠପଢ଼ା

Education of Satrughna

ଶତୃଘ୍ନ ବାବୁ ଜନମ ହୁଅନ୍ତି ବିରୂପା ନଈ କୂଳର ଗୋଟେ ଗାଁରେ । ଗାଁଟିର ନାମ କୋଠପଦା, ଥାନା ମାହାଙ୍ଗା । ସେ ସମୟରେ ଗାଁଟି କୋଠପଦା ମଠ ଓ ତହିଁର ଦିଅଁ ରଘୁନାଥ ଜୀଉ ଠାକୁରଙ୍କ ପାଇଁ ପ୍ରସିଦ୍ଧ ଥାଏ । ବାପାଙ୍କ ନାଁ ସୁଦର୍ଶନ ପାଣି । ମାତାଙ୍କର ନାମ ଚାନ୍ଦଦେବୀ । ଇଂରାଜୀ ହିସାବରେ ଜନମ ବରଷ ହେଲା ୧୮୮୨ ମସିହା; ଜନ୍ମ ତିଥି ହେଲା କୁମାର ପୂନେଇ ରାତି, ଗୁରୁବାରେ । ଶତୃଘ୍ନ ପାଣିଙ୍କର ଖଡ଼ି ଛୁଆଁ ଆରମ୍ଭ ହୁଏ ନିଜ ପିଉସି ଘର ଶୁକ୍ଳେଶ୍ୱର ନୂଆଗାଁ ଠାରେ । ଆଦ୍ୟଗୁରୁ ଥିଲେ କଳ୍ପତରୁ ବେଦୀନାମକ ଜଣେ ଶିକ୍ଷକ ।

ଖଡ଼ିଛୁଆଁର ଅନେକ ବର୍ଷ ପରେ, ଏଗାର ବର୍ଷ ବୟସରେ, ପାଣିପୁଅଙ୍କର ବ୍ରତଘର ହୁଏ ନିଜ ଗାଁରେ । ପେଟ ପୋଷିବା ପାଇଁ ଗୋରୁ ଚରାଇବା ପରି ଅନେକ ପାଇଟି କରିବାକୁ  ପଡ଼େ ଶତୃଘ୍ନଙ୍କୁ । କାନ୍ଧରେ ପଇତା ପଡ଼ିବା ପରେ ପାଣିଏ ଠିକଣା ହୁଅନ୍ତି କୋଠପଦା ମଠର ରଘୁନାଥ ଜୀଉଙ୍କ ଫୁଲ ତୋଳା ଓ ଗୁନ୍ଥା କାମରେ । ନିଯୁକ୍ତି ଦିଅନ୍ତି ସେ ସମୟର ମହନ୍ତ ରଘୁନାଥପୁରୀ ଗୋସ୍ୱାମୀ । ନିହାତି ଦରିଦ୍ର ବାମୁଣ ପରିବାରର ହୋଇଥିବାରୁ ଅନେକ ସମୟରେ ମଠର ପରସାଦ ଖାଇ ଉଦରାଗ୍ନିକୁ ଶାନ୍ତ କରିବାକୁ ପଡ଼ୁଥିଲା ।

ଏତିକି ବେଳକୁ କୋଠପଦା ମାଇନର ଇସ୍କୁଲୁର ରୋଷେଇଆ ପରଲୋକଗମନ କଲେ । ବିଦ୍ୟାଳୟଟିର ସ୍ଥାପନା ମଧ୍ୟ ରଘୁନାଥସ୍ୱାମୀ ଗୋସେଇଁ ହିଁ କରିଥିଲେ । ସେତେବେଳେ ସେଥିରେ ଛାତ୍ର ସଙ୍ଖ୍ୟା ସତାଇଶ । ଅଗତ୍ୟା ଶତୃଘ୍ନ ବାବୁ ଏଇ ବିଦ୍ୟାର୍ଥୀମାନଙ୍କୁ ରୋଷେଇକରି ଖାଇବାକୁ ଦେବା କର୍ମରେ ନିଯୁକ୍ତ ହୁଅନ୍ତି । ମାସିକ ଦରମା ୧୬୦ ପୁରୁଣା ପଇସା । ସେତେବେଳେ ଇସ୍କୁଲୁରେ ଥାଆନ୍ତି ଦୁଇ ଜଣ ମାଷ୍ଟର । ହେଡ଼ମାଷ୍ଟର ହେଲେ ଗୋପୀନାଥପୁର ଗାଁର ଭୋଳି ମିଶିରେ । ସହକାରୀ ଶିକ୍ଷକ ଭାବରେ ଥାଆନ୍ତି ବାଙ୍କିର ହୁରୁଷି ପଣ୍ଡା ।

କିଛି ଦିନ କାମ କଲା ପରେ ପାଚକ କର୍ମରେ ଏହି ଦୁଇ ଜଣ ଶିକ୍ଷକ ଖୁସି ହେଲାଠୁଁ, ପାଣିପୁଅ ଏକା ସାଙ୍ଗରେ ଚତୁର୍ଥ ଶ୍ରେଣୀରେ ନାମ ଲେଖାନ୍ତି । ଏହା ସହିତ ମାଷ୍ଟରମାନେ ବହି, କାଗଜ, ପେନସିଲ ଇତ୍ୟାଦି ପାଠ ସାମଗ୍ରୀ ମଧ୍ୟ ଯୋଗାଇ ଦିଅନ୍ତି । ହେଲେ ରାତିରେ ପଢ଼ିବା ପାଇଁ ଆଲୁଅ ଅଭାବରୁ ବୋତଲ ଭିତରେ ଜୁଳୁଜୁଳା ପାଳି ବେବସ୍ତା କରିବାକୁ ପଡ଼େ ।

ଛାତ୍ର ଜୀବନରେ ପ୍ରଥମ ପାଦ ଭାବରେ ଚତୁର୍ଥରୁ ପଞ୍ଚମକୁ ଖୁବ ଆରାମରେ ଶତୃଘ୍ନ ଉତ୍ତୀର୍ଣ୍ଣ ହୁଅନ୍ତି । ସେତେବେଳେ ପଞ୍ଚମ ଶ୍ରେଣୀରେ ଦଶକ ପଣିକିଆ ଖନ୍ଦା ଘୋଷିବାକୁ ପଡ଼େ । ତାହା ସହିତ ଖନ୍ଦାଶାଳର ବୋଝ । ହେଲେ ପାଠପଢ଼ା ଓ ରୋଷେଇ ଛଡ଼ା ଅନ୍ୟ ନାନାଦି ଅଣପାଠ୍ୟ କାର୍ଯ୍ୟକଳାପରେ ମଧ୍ୟ ପାଣି ନିଜର କୃତିତ୍ୱ ପ୍ରତିପାଦିତ କରନ୍ତି । ଅବଶ୍ୟ ଏଥି ମଧ୍ୟରୁ ଅନେକ କିଛି ନିଜର ମୌଳିକ କର୍ତ୍ତବ୍ୟ ସହିତ ସମ୍ପର୍କିତ । ଯଥା, ତରକାରୀ ରାନ୍ଧିବା ପାଇଁ ପନିପରିବା ଅଭାବ ପଡ଼ିଲେ  ପାଖର ଗାବିନ୍ଦ ଗୁଇଁ ଓ ଦୋଳିଦତ୍ତଙ୍କ ବାଡ଼ିରୁ ବନ୍ତଳ କଦଳୀ ଚୋରି କରିବା,  ପାଖ ଗୋଦାମରୁ ଗୁଡ଼ ଚୋରାଇ ନେବା, ପାଖ ବଗିଚାରୁ କାଗଜି ଚୋରି କରିବା ଇତ୍ୟାଦି ।

ବାମୁଣ ଗୋସାଇଁଙ୍କର ଚୋରି କଅଣ ଆଉ ଚୋରୀ ! ଥରେ ଅବଶ୍ୟ ଶତୃଘ୍ନ ବାବୁ ଚୋରି କରୁକରୁ ଧରାପଡ଼ିବାରୁ ଅଳ୍ପକେ ବଞ୍ଚନ୍ତି । ଏପରି ସଚ୍ଚରିତ୍ରତା ତାଙ୍କୁ ଅନ୍ୟମାନଙ୍କ ମଧ୍ୟରେ ଦୁର୍ଗୁଣଆଡ଼କୁ ଅଧିକ ସତର୍କ କରାଏ ଆଉ ଏସବୁ ଦୁଷ୍କୃତି (ଯଥା ଲଳିତଗିରିର ଜଣେ ଛାତ୍ର ଓ ଜନୈକ ସେକେଣ୍ଡ ମାଷ୍ଚରଙ୍କ ମଧ୍ୟରେ ସ୍ୱେଚ୍ଛାରେ ଚାଲିଥିବା ‘ଅନ୍‌ନେଚୁରାଲ ଅଫେନ୍‌ସି’) ରୁ କର୍ତ୍ତାମାନଙ୍କୁ ନିବୃତ କରିବାକୁ ଯାଇ ସେ  ଗୁଣ୍ଡାଗିରି ମଧ୍ୟ କରିବସନ୍ତି ।

ଯେହେତୁ ପାଲାଗାୟକ ହେବାର ଇଚ୍ଛାଥାଏ, ଛାତ୍ର ଜଣଙ୍କ ଅମରକୋଷ ଓ ସର୍ବସାର ବ୍ୟାକରଣ ଆଦି ବଡ଼ି ଭୋରରୁ ଉଠି ଡ଼ିବି ଜାଳି ଘୋଷୁଥାଆନ୍ତି । ଏସବୁ ସରିଲେ ଯାଇ ଇସ୍କୁଲୁ ପାଠପଢ଼ା ଓ ରାନ୍ଧଣା ଆଦି କାମ ଆରମ୍ଭ ହୁଏ । ହେଲେ ଏପରି ଉଦ୍‌ଯୋଗୀ ଛାତ୍ରଙ୍କୁ କାଳ ହେଲା ଗଣିତ । ଶତୃଘ୍ନ ପାଣିଙ୍କର ଗଣିତ ପାଠ ଆଦୌ ହେଉ ନ ଥିବାରୁ, ଚତୁର୍ଥ ଓ ପଞ୍ଚମ, ଦୁଇଟି ଶ୍ରେଣୀ ପାଠ ସାରି, ଷଷ୍ଠ ଶ୍ରେଣୀକୁ ଉତ୍ତୀର୍ଣ୍ଣ ହୋଇ ବସ୍ତାନିରେ ସେ ଡ଼ୋରି ବାନ୍ଧିଲେ । ହେଲେ ଗରିବ ବାପାଙ୍କର ସେଥି ନେଇ ବିଶେଷ ଚିନ୍ତା ନଥିଲା ବୋଧେ ।

ପିଲାବେଳେ ପାଣିପୁଅ ଗୋଟିଏ ସାଙ୍ଘାତିକ ରୋଗରେ ପଡ଼ିଥିବାବେଳେ ସୁଦର୍ଶନ ବାବୁ ପୁତ୍ରକୁ ଜଗନ୍ନାଥଙ୍କ ବଡ଼ଛତା ତଳେ ବୈଷ୍ଣବ କରିଦେଇଥିଲେ । ବଡ଼ କଷ୍ଟରେ ମୃତ୍ୟୁର ସୁଅରୁ ଛାଣି ଆଣିଥିବା ପିଲାଟି ବଞ୍ଚି ରହିବା ତାଙ୍କ ପାଇଁ ବଡ଼ କଥା ଥିଲା । ବଇଷ୍ଟଁବ କରିଦେଇଥିବା ପିଲାଟିକୁ ବାପା ବଡ଼ ସରଧାରେ ଶତୃଘ୍ନ ନ ଡ଼ାକି, ବୋଲୁଥିଲେ, ବଇଷ୍ଟଁବ । ପିଲାଟି ବଡ଼ ହୋଇ ହେଲା, ବଇଷ୍ଟଁବ ପାଣି  – ବୈଷ୍ଣବ ପାଣି ।

ବି.ଦ୍ର. – ଏହି ଲେଖାଟି ପ୍ରଥମେ ପାକ୍ଷିକ ପତ୍ରିକା ‘ସମଦୃଷ୍ଟି’ରେ ଛପିଥିଲା । ଲେଖାଟିର ଉପାଦାନ ‘ଗଣକବି ବୈଷ୍ଣବ ପାଣିଙ୍କର ଆତ୍ମକାହାଣୀ’ ବହିଟିରୁ ନିଆଯାଇଛି । ଏହି ଆତ୍ମଜୀବନୀଟି ପ୍ରଥମେ ୧୯୫୫ ମସିହାରେ ପ୍ରକାଶିତ ହୋଇଥିଲା । ଏହି ଲେଖକ ୨୦୦୬ ସାଲରେ ପ୍ରଥମେ ଶେକ୍ ମତଲୁବ୍ ଅଲିଙ୍କ ଦ୍ୱାରା ସମ୍ପାଦିତ ପୁସ୍ତକଟିର ୨୦୧୬ ମସିହାରେ ବାହାରିଥିବା ତୃତୀୟ ସଙ୍କଳନଟିକୁ ବ୍ୟବହାର କରିଛି । ଗ୍ରନ୍ଥଟିର ପ୍ରକାଶକ େହେଲେ ଭୁବନେଶ୍ୱରସ୍ଥ ପ୍ରକାଶନ ସଂସ୍ଥା ଆଗାମୀ ଶତାବ୍ଦୀ।

Courtesy : https://sailenroutray.blogspot.com/2022/03/blog-post_21.html

Photo credit- https://bit.ly/3iOPKJC

Please support atleast Rs 20/- , Rs 50/- , Rs 100/- for a story.

ଶୈଲେନ ରାଉତରାୟ

ଗବେଷକ, ଲେଖକ

Related Articles

Leave a Reply

Your email address will not be published.

Back to top button