Home / ଲୋକମଞ୍ଚ / ଭଗତ ସିଂଙ୍କ ଶହିଦତ୍ୱଦିବସ ଅବସରରେ

ଭଗତ ସିଂଙ୍କ ଶହିଦତ୍ୱଦିବସ ଅବସରରେ

Share Samadhwani

ପ୍ରଫେସର୍ ଇରଫାନ ହବିବ
ଭଗତ ସିଂ ଯେଉଁ ପ୍ରଶ୍ନ ମାନ ଉଠାଇଥିଲେ
ତାହା ଆଜି ବି ଯେମିତି କୁ ସେମିତ
°°°°°
ଆଜି ଭଗତ ସିଂଙ୍କ ଶହିଦତ୍ୱଦିବସ। ଭଗତ ସିଂଙ୍କ ସହିତ ତାଙ୍କର ଆଉ ଦୁଇଜଣ ସହଯୋଗୀଙ୍କୁ ଇଂରେଜ ସରକାର ଆଜିର ଦିନରେ ଫାଶିଖୁଣ୍ଟରେ ଝୁଲାଇ ଦେଇଥିଲେ।କହିବାକୁ ଗଲେ ଭଗତ ସିଂ ଆମ ପାଇଁ କେବଳ ଜଣେ ଶହୀଦ ନୁହଁନ୍ତି,ସେ ଆମର ଜଣେ ମହାନ କ୍ରାନ୍ତିକାରୀ ବିଚାରକ।ପ୍ରତିବର୍ଷ ୨୩ମାର୍ଚ୍ଚକୁ ଆମେ ଭଗତ ସିଂଙ୍କ ଶହିଦତ୍ୱକୁ ତ ସ୍ମରଣ କରିଥାଉ ମାତ୍ର ତାଙ୍କର ପ୍ରକୃତ ଉପଲବ୍ଧିମାନଙ୍କର କଥା ସାରା ବର୍ଷ ସାଧାରଣତଃ ଆମର ବିସ୍ମରଣରେ ରହିଥାଏ। ଭଗତ ସିଂ ଙ୍କର ଉପଲବ୍ଧି ମାନଙ୍କୁ ଆମେ ଆମର ଦୈନନ୍ଦିନ ଜୀବନରେ ହୁଏତ ବଞ୍ଚିପାରିଥାନ୍ତେ ଆଉ ଏହା ଭଗତ ସିଂଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳୀ ହୋଇଥାନ୍ତା,ମାତ୍ର ତାହା ହୋଇନାହିଁ।
ଭଗତ ସିଂ ଧର୍ମ,ବର୍ଗ ବା କୌଣସି ଆଧାରଭିତ୍ତିକ ଭେଦଭାବକୁ ସମାପ୍ତ କରିବା ପାଇଁ ସର୍ବଦା ସଂଦେଶ ଦେଉଥିଲେ ଆଉ ଚାହୁଁଥିଲେ ସମସ୍ତେ ଯେମିତି କେବଳ ମାନବିକତାର କଥା କହନ୍ତୁ ।ମାତ୍ର ୧୭ କି ୧୮ ବର୍ଷ ଭଳି କିଶୋର ବୟସରେ ସେ ଏକ ଜଟିଳ ଓ ଗମ୍ଭୀର ବିଷୟ ଉପରେ ତାଙ୍କ ଜୀବନର ପ୍ରଥମ ଲେଖାଟି ଲେଖିଥିଲେ । ୧୯୨୪ ମସିହାରେ “ୟୁନିଭର୍ସାଲିଷ୍ଟ ବ୍ରଦରହୁଡ୍” ଉପରେ ତାଙ୍କର ସେହି ଲେଖାଟିରେ ସେ କହିଥିଲେ,ସବୁ ମଣିଷ ଏକ,ମାନବିକତା ହେଉଛି ଗୋଟିଏ,ଆଉ ଏହି ମାନବିକତାର ଅସଲ ଉଦ୍ଦେଶ୍ୟ ହେଉଛି ତାହା ସମସ୍ତଙ୍କୁ ଯେମିତି ସବୁବେଳେ ଏକାଠି ବାନ୍ଧି ରଖିବ।ମାନବିକତାର କୌଣସି ସୀମାସରହଦ ନାହିଁ।ଏହା ୟୁନିଭର୍ସାଲ୍।
ଭଗତ ସିଂଙ୍କ ଲେଖକୀୟ ଜୀବନରେ ୧୯୨୮ ସାଲ ସବୁଠୁ ମହତ୍ୱପୂର୍ଣ୍ଣ।ଏହି ସମୟରେ ସେ ଅମୃତସର୍ ରୁ ପ୍ରକାଶିତ ହେଉଥିବା ସଂବାଦପତ୍ର “କୀର୍ତ୍ତୀ”ର ଇକ୍ଵାଟୋରିଆଲ୍ ବୋର୍ଡରେ କାମ କରୁଥିଲେ।ଏହି ସଂବାଦପତ୍ର “କୀର୍ତ୍ତୀ”ର ପ୍ରତିଷ୍ଠାତା ଥିଲେ ସୋହନ ସିଂ ଜୋଶ୍।ସୋହନ ସିଂ ଜୋଶ୍ ପଞ୍ଜାବ କମ୍ୟୁନିଷ୍ଟ ପାର୍ଟିର ଅନ୍ୟତମ ପ୍ରମୁଖ ସଂସ୍ଥାପକ ଥିଲେ।ସୋହନ ସିଂ ଙ୍କ ଡାକରାରେ ଭଗତ ସିଂ ଲାହୋର୍ ରୁ ଅମୃତସରକୁ ଚାଲିଆସିଥିଲେ।ସେଇ ସମ୍ବାଦପତ୍ରରେ ଭଗତ ସିଂ ପ୍ରାୟ ଛମାସ ଧରି ନିରବଚ୍ଛିନ୍ନ ଭାବରେ ଅନେକ ଲେଖ ଲେଖିଥିଲେ।ଅସ୍ପୃଶ୍ୟତା ବିରୁଦ୍ଧରେ ସେ ଲେଖିଥିଲେ ଯେ,ଆମେ ଏହା ଦ୍ୱାରା ଆମର ସମାଜକୁ ଖଣ୍ଡଖଣ୍ଡ କରିଦେଉଅଛୁ।ଏହା ଫଳରେ ଆମେ କହିବାକୁ ଚାହୁଁଛୁ ଯେ ଆମ ଦେଶର ବୃହତ୍ ଜନସଂଖ୍ୟା ଆମ ସମାଜର ଅଂଶ ବିଶେଷ ନୁହଁନ୍ତି।ସେମାନେ ସମାଜର କୌଣସି କାମରେ ଭାଗିଦାରୀ କରିପାରିବେ ନାହିଁ,କାରଣ ସେମାନଙ୍କର ସ୍ପର୍ଶ ମାତ୍ରକେ ଆମର ଧର୍ମଭଂଗ ହୋଇଯାଏ।ଆଉ ଆମଭିତରେ ଏହିଭଳି ଚିନ୍ତା ପ୍ରକଟ ହେଉଥିବା ସତ୍ତ୍ୱେ ଆମେ ଚାହୁଁଅଛୁ ଯେ ଇଂରେଜ ମାନେ ଆମକୁ ସ୍ୱାଧୀନତା ଦିଅନ୍ତୁ।ଆମକୁ ପ୍ରଥମେ ଏହିପରି ଦେଖିବା ଉଚିତ୍ ଯେ ଏତେ ବର୍ଷ ଭିତରେ ଆମେ ଆମର ନିଜ ଲୋକଙ୍କ ପ୍ରତି କେଉଁପରି ବ୍ୟବହାର କରୁଅଛୁ।
ମୋତେ ଗୋଟିଏ କଥା ଭାରି ଆଶ୍ଚର୍ଯ୍ୟ ଲାଗେ।ସେତେବେଳେ ଭଗତ ସିଂ କଂଗ୍ରେସ୍ ର ବେଶ୍ ବଡ ବଡ ନେତାମାନଙ୍କୁ ଆକ୍ଷେପ କରି ଲେଖାମାନ ଲେଖୁଥିଲେ,ଯଦିଓ,ସେତେବେଳେ ଭଗତ ସିଂ ସମସ୍ତଙ୍କର ନିକଟରେ ଗୋଟିଏ ଅଜଣା ନାଆଁ ଥିଲା।ସେ ସେତେବେଳେ ଖବରକାଗଜରେ ଯେମିତି ଯାହା ଲେଖୁଥିଲେ ସେହି ଭଳି ଲେଖିବାପାଇଁ ଜଣକର ସେତିକି ନିଜ ଉପରେ ବିଶ୍ୱାସ ଓ ସାହସ ଥିବା ଦରକାର।ଏକଦା ସେ ଲେଖିଥିଲେ,ପଣ୍ଡିତ ମଦନମୋହନ ମାଲବ୍ୟଙ୍କ ଭଳି ବ୍ୟକ୍ତି ଯେଉଁମାନେ ପଛୁଆ ଏବଂ ଅଛୁଆଁ ଜାତି ମାନଙ୍କ ଉପରେ ଅନେକ କଥା କହନ୍ତି ଆଉ ପବ୍ଲିକ୍ ରେ ସେମାନଙ୍କୁ ଆଲିଙ୍ଗନ କରିଥାନ୍ତି,ମାତ୍ର ଘରକୁ ଫେରିଲେ ଆଗ ନିଜନିଜର ପିନ୍ଧାଲୁଗାକୁ ଧୋଇଥାନ୍ତି।ଏଇ ଭଳି ସେ ନାମୋଲ୍ଲେଖ କରି ସିଧା ସଳଖ ଲେଖିଥିଲେ।
ଭଗତ ସିଂ ଯେତିକି ପ୍ରଶ୍ନ ଉଠାଇଛନ୍ତି ସେଇ ସବୁ ପ୍ରଶ୍ନ ଆଜି ବି ଆମ ପାଇଁ ପ୍ରାସଙ୍ଗିକ ଓ ଗୁରୁତ୍ୱପୂର୍ଣ୍ଣ।ଭଗତ ସିଂ ଆଜି ବି ଆମ ପାଇଁ ସେତେ ମହତ୍ୱପୂର୍ଣ୍ଣ ଯେତିକି ସେତେବେଳେ ଥିଲେ,ଏଇ କଥା ଆଜି କହିଲାବେଳକୁ ଲାଜ ମାଡୁଛି।ଏପରି ହେବାର କଥା ନୁହଁ।ଭଗତ ସିଂ ସେତେବେଳେ ଯେଉଁ ସମସ୍ୟା ଆଉ ପ୍ରଶ୍ନ ମାନ ଉଠାଇଥିଲେ ଆଜି ବି ତାହାର ସମାଧାନର ଉତ୍ତର ମିଳିପାରିନାହିଁ। ସେ ସମୟର ଅନେକ କଥା ଆଜି ବି ଆମ ସହିତ ଅସମାହିତ ହୋଇ ରହିଛି।ଆମର ଯେଉଁ ସାମାଜିକ ଢାଞ୍ଚାକୁ ଶହୀଦ ଭଗତ ସିଂ ପ୍ରଶ୍ନ ପଚାରିଛନ୍ତି ତାହା ଆଜି ବି ଅନୁତ୍ତରିତ ରହିଛି।ଏବଂ ଆମେ ଆଜି ବି ସେଇ ପୁରୁଣା ପ୍ରଶ୍ନ ସହ ଯୁଦ୍ଧରତ ରହିଛୁ।
ସାଂପ୍ରଦାୟିକତା ଉପରେ ଲେଖିଥିବା ଏକ ଲେଖରେ ଭଗତ ସିଂ ପ୍ରେସ୍ ର ପ୍ରସଙ୍ଗ ଉଠାଇଛନ୍ତି।ଏହି କଥା ଆଜି ଏଇଥି ପାଇଁ କହୁଛି ଯେ ଆଜିକାଲି ଆମର ପ୍ରେସ୍ ଉପରେ ଏହା ସର୍ବଦା ଏକ ଉତ୍ତେଜନାସୃଷ୍ଟିକାରୀ ଗଣମାଧ୍ୟମ ବୋଲି ଆରୋପ କରାଯାଉଛି।ଭଗତ ସିଂ ଙ୍କ ସମୟରେ ପ୍ରିଣ୍ଟ ମିଡିଆ ଥିଲା।୧୯୨୯ରେ ଲେଖିଥିବା ଏକ ଲେଖରେ ସେ ସେତେବେଳର ପ୍ରେସ୍ ବିଷୟରେ ଏହିପରି ଲେଖିଥିଲେ,ପ୍ରେସ୍ ସାମ୍ପ୍ରଦାୟିକତାର ପ୍ରସାର କରୁଅଛି।ସେ ବାଟଘାଟେ ଉତ୍ତେଜନାପ୍ରବଣ ହୋର୍ଡିଂ ଲଗାଉଛି ଆଉ ତାହା ଫଳରେ ସ୍ଥାନେ ସ୍ଥାନେ ହିଂସା ଦେଖାଯାଉଛି।ପ୍ରେସ୍ ର କର୍ତ୍ତବ୍ୟ ହେଉଛି ସାମୁହିକ ରାଷ୍ଟ୍ରବାଦ ଉତ୍ପନ୍ନ କରିବା,ମାତ୍ର ବସ୍ତୁତଃ ଜଣେ ଆଉ ଜଣକ ସହ ଯେମିତି ଲଢେଇ କରେ ସେ ସେହି ଚକ୍ରାନ୍ତ ହିଁ କରି ଚାଲିଛି।
ଭଗତ ସିଂ ହେଉଛନ୍ତି ଆମର ରାଷ୍ଟ୍ରୀୟ ଆନ୍ଦୋଳନର ଏକମାତ୍ର ଏହିପରି ଚରିତ୍ର ଯିଏ ଆଜିର ହିନ୍ଦୁସ୍ଥାନ ଆଉ ପାକିସ୍ଥାନକୁ ଏକାଠି କରନ୍ତି।ମୁଁ ଲାହୋର ସହରରେ ଅନେକ ସଂସ୍ଥା ଶହୀଦ ଭଗତ ସିଂ ଙ୍କ ନାଆଁରେ ନାମିତ ହୋଇଥିବାର ପ୍ରତ୍ୟକ୍ଷ କରିଛି।ସେମାନେ ଭଗତ ସିଂଙ୍କର ଶହୀଦତ୍ୱ ପାଇଁ ଅଦାଲତରେ ମାମଲା ଦାୟର୍ କରିଛନ୍ତି।ଲାହୋର ସହରର ପ୍ରସିଦ୍ଧ ଶାଦମାନ ଚୌକ୍ ର ନାଆଁକୁ ଭଗତ ସିଂ ଚୌକ ରେ ପରିବର୍ତ୍ତନ କରିବାପାଇଁ ସେମାନଙ୍କ ଦାବୀ ଦୀର୍ଘ ଦିନର।ଏହି ସବୁ କଥା ଏଇଥି ପାଇଁ ଯେ,ଭଗତ ସିଂ ମଣିଷକୁ କେବଳ ମଣିଷ ସହ ଯୋଡିବାକୁ ଚାହୁଁଥିଲେ,ସମସ୍ତ ପ୍ରକାର ଶୋଷଣ ରୁ ମୁକ୍ତ କରିବା ପାଇଁ ଚାହୁଁଥିଲେ।
°°°°°
ଭଗତ ସିଂ ଙ୍କ ଶହୀଦତ୍ୱ-ଦିବସ ହେଉଛି ୨୩ ମାର୍ଚ୍ଚ ୧୯୩୧।
ପ୍ରଫେସର୍ ଇରଫାନ୍ ହବିବ ମଧ୍ଯଯୁଗୀୟ ଭାରତବର୍ଷ ର ଜଣେ ଶୀର୍ଷସ୍ଥ ଇତିହାସକାର।
– ଜ୍ୟୋତି ନନ୍ଦଙ୍କ ଫେସବୁକ ପୃଷ୍ଠାରୁ
photo credit- https://bit.ly/3DdCuru

Share Samadhwani
Support Samadhwani

About Editor

ସ୍ଵୟଂପ୍ରଭା ପାଢ଼ୀ, ସମଧ୍ୱନି ପତ୍ରିକାର (ପ୍ରିଣ୍ଟ ଓ ଡିଜିଟାଲ) ସମ୍ପାଦକ, ଜଣେ ଗାୟିକା, ବୃତ୍ତଚିତ୍ର ନିର୍ମାତା, ସଂସ୍କୃତି ଗବେଷିକା. Swayamprava Parhi is a Vocal Artist, Writer, Editor of Samadhwani Cultural Magazine (Print and Digital), Documentary Film Maker, and Cultural Researcher. She is the founder member of “The Samadhwani Cultural Organization” and “The Samadhwani Centre for Cultural Research". She is committed to expanding cultural consciousness as widely as possible by bringing together forms, practices, views, analysis, and research on the cultural life of common people.

Check Also

ଗଁଡାବଜା ମହୋତ୍ସବ (ପାଟଣାଗଡ଼)

Share Samadhwaniଭାରତୀୟ ସଂସ୍କୃତି ରେ ଓଡ଼ିଶାର ଲୋକକଳା ସର୍ବ ପୁରାତନ ଅଟେ। ଓଡ଼ିଶାରେ ବିଭିନ୍ନ ପ୍ରକାରର ଲୋକକଳା ରହିଛି, ହେଲେ …