ଲୋକମଞ୍ଚ

ମହାବିଷୁବ ସଂକ୍ରାନ୍ତି ଓଡିଆ ନବବର୍ଷ

ସଜ୍ଜନମଣ୍ଡଳୀ,

ଅଜି ବିଷୁବ ସଂକ୍ରାନ୍ତି ବା ମହାବିଷୁବ ସଂକ୍ରାନ୍ତି । ବସନ୍ତର ପ୍ରସ୍ଥାନ ପରେ ନିଦାଘର ଆଗମନ । ଫିକା ପଡି ଆସିଲାଣି ରଂଗ । ଉତ୍ତପ୍ତ ହୋଇ ଉଠିଲାଣି ଚଇତି । ସୂର୍ଯ୍ୟଙ୍କ ତେଜସ୍କ୍ରିୟ କିରଣରେ ଚତୁର୍ଦ୍ଦିଗରେ ଉତ୍ତପ୍ତ ପରିବେଶ । ତଥାପି ଆଦ୍ୟ ବୈଶାଖର ଏହି ଶୁଭ ମୁହୂର୍ତ୍ତ ଆଜି ସମସ୍ତଙ୍କ ପାଇଁ ଆଣିଦେଇଛି ଅଫୁରନ୍ତ ଆନନ୍ଦ ଓ ଅସରନ୍ତି ଭାବନା ।

ମୁଁ ଆଜି ଯେଉଁ ଭୂଖଣ୍ଡରେ ଠିଆ ହୋଇଛି ତାହାର ଇତିହାସ ଅତ୍ୟନ୍ତ ଗରିମାମୟ ।ପ୍ରାଚୀନ ଓଡ଼ିଶାର ଇତିହାସକୁ କୋଶଳର ଯଥେଷ୍ଟ ଅବଦାନ ରହିଛି । ମହାକାବ୍ୟ ଏବଂ ପୁରାଣମାନଙ୍କରେ କୋଶଳ ରାଜ୍ୟର ପ୍ରଚୁର ଉଲ୍ଲେଖ ମିଳେ ।ମହାଭାରତରେ ବର୍ଣ୍ଣନା କରାଯାଇଛି ମହାରାଜା ନଳ ଯେତେବେଳେ ବିନ୍ଧ୍ୟାଞ୍ଚଳରେ ପରିଭ୍ରମଣ କରୁଥିଲେ ସେ ବିନ୍ଧ୍ୟ ଓ କୋଶଳକୁ ସଂଯୋଗ ପଥ ଥିବାର ଦେଖିଥିଲେ ।ସମୁଦ୍ରଗୁପ୍ତଙ୍କ ଆଲାହାବାଦ ସ୍ତମ୍ଭଲେଖରେ ମଧ୍ୟ କୋଶଳ ସମ୍ପର୍କରେ ଉଲ୍ଲେଖ ମିଳେ ।

ସୋମବଂଶୀ ରାଜାମାନଙ୍କର ତାମ୍ର ଫଳକକୁ ଅନୁଧ୍ୟାନ କରି ଇତିହାସବିତ୍ ହୀରାଲାଲ୍ ଯୋଶୀ ପ୍ରତିପାଦନ କରିଛନ୍ତି ଯେ ପାଟଣା, ବାମଣ୍ଡା, ସୋନପୁର, ସୁନ୍ଦରଗଡ,ସମ୍ବଲପୁର ଆଦି ପୂର୍ବତନ ଗଡ଼ଜାତ ଅଞ୍ଚଳଗୁଡିକ କୋଶଳ ସାମ୍ରାଜ୍ୟର ଅନ୍ତର୍ଭୁକ୍ତ ଥିଲା ।କୋଶଳ କେବଳ ଏକ ସମୃଦ୍ଧ ଅଞ୍ଚଳ ନଥିଲା, ଏହାର ଭାଷା ମଧ୍ୟ ଥିଲା ଉନ୍ନତ ।ସମ୍ବଲପୁରୀ ବା କୋଶଳୀ ଏକ କମନୀୟ ଭାଷା ଓ ଏହା ଓଡ଼ିଆ ଭାଷାର ଗୌରବ ।

କୌଣସି ଭାଷାର ପ୍ରତିଷ୍ଠା ବା ମାନ୍ୟତା ବଡ଼କଥା ନୁହେଁ, ଭାଷା ପ୍ରତି ଅନୁରାଗ ହିଁ ବଡ଼କଥା । ଭାଷା ପ୍ରସଙ୍ଗରେ କିଏ କାହାକୁ ମାନ୍ୟତା ଦେବ ସେଇଟି ମଧ୍ୟ ଏକ ପ୍ରଶ୍ନ ।ଭାଷା ଓ ସଂସ୍କୃତିଗତ ସମସ୍ୟା ସୃଷ୍ଟି ହୁଏ ସେତେବେଳେ ଯେତେବେଳେ ଗୋଟିଏ ଅଞ୍ଚଳ କ୍ରମାଗତ ଭାବରେ ଅବହେଳିତ ହୋଇ ରହିଥାଏ, ଯାହା ଆଜି ଆମେ ପଶ୍ଚିମାଞ୍ଚଳରେ ଦେଖୁଥାଇଁ ।

ବନ୍ଧୁଗଣ,

ବଲାଙ୍ଗୀର ହେଉଛି ଓଡ଼ିଆ ସାହିତ୍ୟ ଏବଂ ସଂସ୍କୃତିର ଅନ୍ୟ ଏକ ଜନ୍ମଭୂମି ତଥା ପ୍ରାଚୀନ ପୀଠ । ଏହାର ପୂର୍ବରେ ମହାନଦୀ, ପଶ୍ଚିମରେ ପୁରାଣ ପ୍ରସିଦ୍ଧ ଗନ୍ଧମାର୍ଦ୍ଦନ ପର୍ବତମାଳା । ଏହା ମଧ୍ୟ ଏକ ପ୍ରଧାନ ବୌଦ୍ଧ ପୀଠ । ନାଗାର୍ଜୁନଙ୍କ ମଧ୍ୟମ ଶୂନ୍ୟବାଦ ଏହିଠାରୁ ହିଁ ଜନ୍ମ ନେଇଥିଲା । ଚୀନ୍ ପରିବ୍ରାଜକ ହୁଏନ୍ସାଂ ଏଠାକୁ ଆସି ବୌଦ୍ଧ ବର୍ଶନଶାସ୍ତ୍ର ଅଧ୍ୟୟନ କରିଥିବା ବିଶ୍ୱାସ କରାଯାଏ । ହିନ୍ଦୁ ଧର୍ମର ତିନୋଟି ବିଭାଗ ଶୈବ,ଶାକ୍ତ ଓ ବୈଷ୍ଣବର ବିକାଶ ବଲାଙ୍ଗୀରରେ ଘଟିଥିଲା । ଅନ୍ୟ ବହୁ ତଥ୍ୟ, ପ୍ରମାଣ,ପରଂମ୍ପରା, ଦର୍ଶନ, କିମ୍ବଦନ୍ତୀ ପ୍ରମାଣିତ କରେ ଯେ ଓଡିଶାର ଧାର୍ମିକ ଦର୍ଶନ ଓ ସଂସ୍କୃତିର ଏକ ମୂଳପୀଠ ଥିଲା ବଲାଙ୍ଗୀର ।

ଦକ୍ଷିଣ କୋଶଳର ଏକ ଅଞ୍ଚଳ ପାଟଣାଗଡ଼ । ଏକଦା ଏହାଥିଲା ଏକ ରାଜଧାନୀ ।ନବମ ଶତାବ୍ଦୀରେ ‘କୁଆଁରି ପାଟଣା’ ନାମରେ ପରିଚିତ ପାଟଣାଗଡ ହେଉଛି ପୌରାଣିକ-ଅତୀତ ଓ ଆଧୁନିକ-ବର୍ତ୍ତମାନର ସଂଯୋଗସ୍ଥଳୀ ।ଦ୍ୱାଦଶ ଶତାବ୍ଦୀର ଚାରୁକଳା, ସ୍ଥାପତ୍ୟ ଆଜି ବି ଏଠି ଦେଖିବାକୁ ମିଳେ । ଏହାର ମୂଳସାକ୍ଷୀ ପାଟଣାଗଡ଼ରେ ପାଟଣେଶ୍ୱରୀ ମନ୍ଦିର ।ପଶ୍ଚିମ ଓଡ଼ିଶାରେ ଚୌହାନ୍ ରାଜବଂଶର ରାଜୁତି ମଧ୍ୟ ପାଟଣାଗଡ଼ରୁ ହିଁ ଆରମ୍ଭ ହୋଇଥିଲା । ପାଟଣାଗଡ଼ର ସାହିତ୍ୟିକ ଓ
ସାଂସ୍କୃତିକ ଚେତନା ଅତୀବ ସମୃଦ୍ଧ ।

ବନ୍ଧୁଗଣ,

ଆଜି ଆମେ ଯେଉଁ ସାହିତ୍ୟ ସଭାରେ ଏକତ୍ରିତ ହୋଇଛୁ ତାହା ଏକ
ଅନବଦ୍ୟ ପରମ୍ପରା । ବିଷୁବ ସଂକ୍ରାନ୍ତି ଦିନ ସାହିତ୍ୟ ଉତ୍ସବ ଅନୁଷ୍ଠିତ କରାଇବାର ସମୃଦ୍ଧ ପରମ୍ପରା ଓଡ଼ିଶାରେ ଆରମ୍ଭ ହୋଇଥିଲା ଡଃ. ହରେକୃଷ୍ଣ ମହତାବଙ୍କ ଠାରୁ । ପ୍ରଜାତନ୍ତ୍ରର ବିଷୁବ ମିଳନ ହିଁ ସମସ୍ତ ବିଷୁବ ସାହିତ୍ୟ ଆସରର ଜନ୍ମଦାତା।ବିଶ୍ୱର ସାହିତ୍ୟ ଓ ସାଂସ୍କୃତିକ ସମ୍ମେଳନ ଆୟୋଜନ କ୍ଷେତ୍ରରେ ଓଡ଼ିଶାର ଏହା ଏକ ଅଦ୍ୱିତୀୟ ଅବଦାନ ।

କୁହାଯାଏ ,ସାହିତ୍ୟ ଓ ସଙ୍ଗୀତ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ। ଏହା ବିନା ମଣିଷ ପଶୁ ସଦୃଶ। ସାହିତ୍ୟର ଗତି ସବୁବେଳେ ସ୍ୱଚ୍ଛନ୍ଦ । ଏହା ହୃଦୟ କନ୍ଦରରୁ ବାହାରିଥାଏ ।ତେବେ ନିୟନ୍ତ୍ରଣହୀନ ଜଳରାଶି ଯେଭଳି ବନ୍ୟାର କାରଣ ହୋଇଥାଏ ସେହିଭଳି ମଣିଷର କଲ୍ୟାଣରେ ସାହିତ୍ୟ ନିୟୋଜିତ ହୋଇପାରିଲେ ଯାଇ ତାହା ଅର୍ଥପୂର୍ଣ୍ଣ ହୋଇପାରିବ ଓ ପ୍ରତିଟି ସୃଜନାତ୍ମକ ପ୍ରଚେଷ୍ଟାର ମୂଲ୍ୟକୁ ପ୍ରମାଣିତ କରାଯାଇପାରିବ ।

ଶିକ୍ଷାବିତ୍ ଓ ପ୍ରାବନ୍ଧିକ ଗିରିଜା ଶଙ୍କର ରାୟଙ୍କ ମତରେ, ‘ସାହିତ୍ୟ ଗୋଟିଏ ସୃଷ୍ଟି ,ଏହା ଚିନ୍ତାଧାରାର ଆନନ୍ଦମୟ ପ୍ରକାଶ । ଏହି ସୃଷ୍ଟିର ନାନା ଉଦ୍ଦେଶ୍ୟ ବା ଧର୍ମ ବା ଉତ୍ସ ଥାଇପାରେ । କିନ୍ତୁ ଏହି ସୃଷ୍ଟି ଫଳରେ ସାହିତ୍ୟ ବା ଆତ୍ମୀୟତା ବୃଦ୍ଧି ପାଏ । ଅନ୍ୟର ହୃଦୟ ମଧ୍ୟରେ ପ୍ରବେଶ କରିବା ସହଜ ହୁଏ ଓ ଆନନ୍ଦର ବିକୀରଣ ଦ୍ୱାରା ମନୁଷ୍ୟ, ପ୍ରକୃତି ଓ ପରମେଶ୍ୱରଙ୍କ ମଧ୍ୟରେ ନିବିଡ଼ ସମ୍ପର୍କ ସ୍ଥାନ ହୋଇପାରେ । କିନ୍ତୁ ଅନ୍ୟ ସହିତ ସମ୍ପର୍କ ସ୍ଥାପନ କରିବାକୁ ହେଲେ ତାହାର ସମ୍ପୂର୍ଣ୍ଣ ପରିଚୟ ପାଇବାକୁ ହବ, ତାହାକୁ ଯଥାଯଥ ଭାବେ ବିଶ୍ଳେଷିତ କରି ଦେଖିବାକୁ ହେବ । ଏହା ଅନୁଶୀଳନ ଦ୍ୱାରା ହିଁ ସମ୍ଭବ।’

ସାହିତ୍ୟ ହେଉଛି ଗୋଟିଏ ଜାତିର ସାମୂହିକ ପ୍ରାଣ । ଆଶା-ଆକାଂକ୍ଷା, ସୁଖ-ଦୁଃଖ, ସ୍ୱପ୍ନ-ସାଫଲ୍ୟ, ଗର୍ବ- ଗୌରବର ପ୍ରତିଲିପି ହେଉଛି ସାହିତ୍ୟ । ସାହିତ୍ୟ ବିନା କୌଣସି ଜାତି ଅଗ୍ରଗତି କରିପାରିବ ନାହିଁ । ସାହିତ୍ୟ ନଥିଲେ ସଭ୍ୟତା ନାହିଁ କି ଭାଷା ବି ନାହିଁ । ସଭ୍ୟତାର ଅନୁପସ୍ଥିତିରେ ଜାତିର ବଞ୍ଚିବା ମଧ୍ୟ ନିରର୍ଥକ । ଏ ସମସ୍ତେ ପରସ୍ପର ଅଙ୍ଗାଙ୍ଗୀ ଭାବେ ଜଡ଼ିତ।ସାହିତ୍ୟ ପୁଣି ସମାଜଧର୍ମୀ ହେବା ଦରକାର । ସମାଜର ଦରିଦ୍ରତମ ବ୍ୟକ୍ତିର ଆଶା ଓ ଆକାଂକ୍ଷା ଯଦି ସାହିତ୍ୟିକର କଲମ ମୁନରେ ପ୍ରତିଧ୍ୱନିତ ନହେଲା ତାହା କଦାପି ଉଚ୍ଚାଙ୍ଗ ସାହିତ୍ୟ ହୋଇପାରିବ ନାହିଁ।ସୁତରାଂ, ସାହିତ୍ୟ ଓ ଜୀବନ ପରସ୍ପର ସହିତ ସଂଶ୍ଳିଷ୍ଟ। ଗୋଟିକର ଅଭାବରେ ଅନ୍ୟଟି ନିର୍ଜୀବ ।ବିଶ୍ୱନାଥ କରଙ୍କ ଭାଷାରେ ‘ଜୀବନରୁ ସାହିତ୍ୟର ଉତ୍ପତ୍ତି ଏବଂ ଜୀବନ ହିଁ ସାହିତ୍ୟୋନ୍ନତିର ମୂଳ । ଯେଉଁଠାରେ ଜୀବନ ସେହିଠାରେ ଜୀବନ ସାହିତ୍ୟ।’

ବନ୍ଧୁଗଣ,

ବକ୍ତା ଚାହେଁ ଶ୍ରୋତା ଏବଂ ସାହିତ୍ୟ ଚାହେଁ ସମ୍ମିଳନୀ । ଓଡ଼ିଶାର ଜଣେ ବିଦ୍ୱାନ ଜାନକୀ ବଲ୍ଲଭ ପଟ୍ଟନାୟକ ଥରେ କହିଥିଲେ, ଯଦି ସାହିତ୍ୟ ସଭାରେ ହଜାର ସଂଖ୍ୟକ ଶ୍ରୋତା ରହନ୍ତି ତେବେ ଯାଇ ସେହି ସଭା ବା ସମ୍ମିଳନୀଟି ସଫଳ ହୋଇଛି ବୋଲି ଧରିବାକୁ ହେବ । ଏକଥା ବି ସତ ଯେ ସମ୍ମିଳନୀରୁସାହିତ୍ୟ ସୃଷ୍ଟି ହୁଏ ନାହିଁ । ସାହିତ୍ୟ ସର୍ବଦା ନିଜସ୍ୱ ଓ ଐକାନ୍ତିକ । ସମ୍ମିଳନୀ କେବଳ ସାହିତ୍ୟର ବାତାବରଣ ସୃଷ୍ଟି କରିପାରେ, ଯେଉଁ ବାତାବରଣ ଭିତରେ ନୂଆ ନୂଆ ଲେଖକ ଓ କବି ବାହାରନ୍ତି । ସେହି ଦୃଷ୍ଟିରୁ, ସାହିତ୍ୟ ଆସର ନିତାନ୍ତ ଅନୁଷ୍ଠିତ ହେବା ଦରକାର ।

ସାହିତ୍ୟ ହେଉ କି ଭାଷା ହେଉ, କର୍ମ ହେଉ କି ଚିନ୍ତା ହେଉ, ସବୁ କ୍ଷେତ୍ରରେ ବ୍ୟକ୍ତି ସ୍ୱାଧୀନତା ଗୁରୁତ୍ୱୂପୂର୍ଣ୍ଣ । ଅଧିକନ୍ତୁ, ବ୍ୟକ୍ତି ସ୍ୱାଧୀନତା ସବୁବେଳେ ଗୋଷ୍ଠୀର ହିତରେ ଯିବା ଆବଶ୍ୟକ । ଉତ୍କଳ ଗୌରବ ମଧୁସୂଦନ ଦାସ ଯଥାର୍ଥରେ କହିଥିଲେ ‘ମାନବ ଉନ୍ନତିର ସର୍ବନିମ୍ନ ସୋପାନ ହେଉଛି ସ୍ୱାର୍ଥପରତା, ତତପରେ ପାରିବାରିକ ଜୀବନ,ତତପରେ ଜାତୀୟ ଜୀବନ ।ଜାତୀୟ ଜୀବନ ଓ ବ୍ୟକ୍ତିଗତ ଜୀବନ ଭିତରେ ଥିବା ପ୍ରଭେଦକୁ ମନେ ରଖି ପ୍ରତ୍ୟେକ ବ୍ୟକ୍ତି ନିଜ ନିଜ ହୃଦୟରେ ଜାତୀୟ ଜୀବନର ପ୍ରବାହ ବର୍ଦ୍ଧନ କରି କାର୍ଯ୍ୟରେ ତାହାର ଫଳ ଦେଖାଇବା ପାଇଁ ଚେଷ୍ଟା କରିବେ ।

ଆଜି ଆମେ ଓଡ଼ିଆ ଭାଷା ଓ ସାହିତ୍ୟର ସଂକଟ ସଂପର୍କରେ ବିଭିନ୍ନ ମଞ୍ଚରେ ଆଲୋଚାନା କରୁଛୁ । ଏହି ବିଷୟରେ
ମନୋନିବେଶ କରିବାକୁ ଯାଇ ଏକ ଭିନ୍ନ ପୃଷ୍ଠଭୂମିରେ ଫକୀର ମୋହନ ସେନାପତି ୭୫ ବର୍ଷ ତଳେ ଆହ୍ୱାନ ଦେଇ କହିଥିଲେ:
‘ହେ ଉତ୍କଳବାସୀ ମହାଶୟଗଣ । ଆପଣମାନେ ମନେ ରଖନ୍ତୁ ମାତୃଭାଷାର ଉନ୍ନତି ବିନା ଦେଶୋନ୍ନତିର ଅନ୍ୟ ଉପାୟ ନାହିଁ । ଯଦି
ହେଳାରେ ରହି ଆଳସ୍ୟ ବା ତାଚ୍ଛଲ୍ୟରେ ମାତୃଭାଷା ପ୍ରତି ଆମେ ଅନାଦର କରି ଚାଲିବା ଚିରକାଳ ଅନ୍ୟ ଜାତିଠାରେ ଅନାଦୃତ
ଓ ଅବଜ୍ଞାତ ହୋଇ ରହିବା ।’

ବନ୍ଧୁଗଣ,

ଏହି କେତୋଟି ଶଦ୍ଦ ସହିତ ଏଇଠି ମୋର ବକ୍ତବ୍ୟ ଶେଷ କରୁଛି ଏବଂ ଆପଣମାନଙ୍କର ନିମନ୍ତ୍ରଣ ଓ ମହାନୁଭବତା ପ୍ରତି ମୋର କୃତଜ୍ଞତା ଜ୍ଞାପନ କରୁଛି । ବୈଶାଖୀ ପାଳନ ଅବସରରେ ଆପଣମାନଙ୍କୁ ସାଦର ଅଭିନନ୍ଦନ। ଆପଣମାନଙ୍କ ଜୀବନ ସୁଖମୟ ହେଉ।

🟢 ପାଟଣାଗଡ଼ ସାଂସ୍କୃତିକ ପରିଷଦ ପକ୍ଷରୁ ଅନୁଷ୍ଠିତ
୨୦୦୭ ବିଷୁବ ମିଳନ ଉତ୍ସବରେ ରଖିଥିବା ବକ୍ତବ୍ୟ

Photo credit- https://bit.ly/3JL7roy

Please support atleast Rs 20/- , Rs 50/- , Rs 100/- for a story.

Related Articles

Leave a Reply

Your email address will not be published.

Back to top button