[box type=”shadow” align=”” class=”” width=””]ସମଗ୍ର ଦେଶରେ ତାଲାବନ୍ଦ ପରିସ୍ଥିତି । ଏଭଳି ଏକ ସମୟ ଯେତେବେଳେ ଲୋକ ରାଜରାସ୍ତାରେ ଚାଲିଛନ୍ତି । ରାସ୍ତା ସେମାନଙ୍କ ପାଇଁ ସରୁନି । ଜଣେ ନୁହଁ କି ଦୁଇଜଣ ନୁହଁ ଲକ୍ଷ ଲକ୍ଷ ଜନଗଣ ଲମ୍ବା ଲାଇନରେ ଚାଲିଛନ୍ତି ସମଗ୍ର ଦେଶର ରାଜରାସ୍ତାରେ । ଯେମିତି ଏମାନେ ସଙ୍କଳ୍ପବଦ୍ଧ ନିଜ ମାଟିକୁ ଫେରିବେ । ମରିବେ ଯଦି ନିଜ ମାଟିରେ ମରିବେ । ଖାଇବା ନାହିଁ, ରହିବାର ନାହିଁ, କୌଣସି ବିଷୟପ୍ରତି, ନିଜ ଜୀବନ ପ୍ରତି ବି ଚିନ୍ତା ନାହିଁ । କାଖରେ କୁନି ପିଲା, ମୁଣ୍ଡରେ ଲୁଗାପଟାର ଏକ ପୁଟୁଳିଟିଏ । କେତେବେଳେ କାହାର ମୃତ୍ୟୁ ଉପସ୍ଥିତ ହେବ ଏହି ନିଦାଘ ଖରାରେ ଜଣାନାହିଁ । ଅନ୍ୟ ଏକ ଦୃଶ୍ୟ ଗାଁରେ। ଯେଉଁମାନଙ୍କ ପାଖରେ ବଂଚିବାର କିଛି ରାହା ନାହିଁ । ସେମାନଙ୍କ ପେଟ କାମ କଲେ ପୁରେ ନହେଲେ ଉପବାସ । ସରକାରୀ ସହଯୋଗ ଦିନରେ ଗୋଟେ ବେଳା ପେଟକୁ ଦାନା ଯୋଗାଇବା ପାଇଁ ହୋଇଯାଏ ହେଲେ ଏଇ ଖରା ଦିନରେ ଗୋଟେବେଳା ଖାଇ କେମିତି ବଂଚିବ ସେ । ଯୁଗ ଯୁଗରୁ କଳା ସଂସ୍କୃତିର ମଙ୍ଗଟି ଧରି ଜମି ବାଡ଼ି କିଛି ନିଜର କରିପାରିନି । କରୋନା ଭଳି ବିପତ୍ତିକୁ ସେ ଜନ୍ମଠୁ କେବେ ଦେଖିନଥିଲା । ଏହି ଭୟାବହ ପରିସ୍ଥିତିକୁ କେମିତି ଏହି କଳାକାର ମାନେ ସାମ୍ନା କରିବେ ? ଏଭଳି ଏକ ବିଷୟ ଉପରେ ମାର୍ମିକ ଉପସ୍ଥାପନା କରିଛନ୍ତି ଲେଖକ ତଥା ସଂସ୍କୃତି ସମୀକ୍ଷକ ବାସୁଦେବ ସୁନାନି – ସମ୍ପାଦକ[/box]
ମହାମାରୀ, ଆତଙ୍କ, କର୍ଫୁ, ଗ୍ଲୋବାଲ ପାଣ୍ଡେମିକ, ଲକ୍ ଡାଉନ୍, ସଟ୍ ଡାଉନ୍, ହାହାକାର, ଭୟଙ୍କର ପରିସ୍ଥିତି, ଦେଶାନ୍ତରୀ, ବେଘର, ରୋଜଗାର ହରେଇବା ଇତ୍ୟାଦି ଅନେକ ଶବ୍ଦର ଗୁରୁତ୍ୱକୁ ଆମେ ବୁଝି ନଥିଲୁ, ବା କମ ବୁଝୁଥିଲୁ, ପାଖରୁ ଦେଖି ନ ଥିଲୁ କିମ୍ବା ଅନୁଭବ କରି ନଥିଲୁ । ସାଧାରଣ ଶବ୍ଦମାନଙ୍କ ପରି ଏମାନଙ୍କୁ ଆମେ ବ୍ୟବହାର କରି ସହଜରେ ହଜମ କରି ଦେଉଥିଲୁ । ମହାମାରୀ
କରୋନା ରୋଗ ଆମ ଦେଶକୁ, ପ୍ରଦେଶକୁ ଏପରିକି ଗାଁକୁ ପ୍ରବେଶ କରିବା ଫଳରେ ଉପରୋକ୍ତ ଶବ୍ଦମାନଙ୍କ ଗୁରୁତ୍ୱ ଓ ଭୟାବହତା ଉପରେ ଆମକୁ ଆମେ ନିଜେ ବୁଝେଇଲୁ ଏବଂ ପ୍ରତ୍ୟକ୍ଷରେ ଦେଖି ଆସୁଛୁ । ହୁଏତ ଏବେ ଆମେ ସମସ୍ତେ ବୁଝି ଯାଇଛୁଁ ଯେ ଏ ଶବ୍ଦ ମାନଙ୍କର ମାନ ଆମ ବୁଝିବା ଠାରୁ ହଜାରେ ଗୁଣ ଅଧିକା ଅଟେ ।
କରୋନା ମହାମାରୀର ଭୟାବହତା, ଏ ପୃଥିବୀର ସବୁ ସମାଜର ସବୁ ବର୍ଗର, ସବୁ ଧର୍ମର, ସବୁଜାତିର, ସବୁ ବୟସର, ଶିକ୍ଷିତ, ଅଶିକ୍ଷିତ, ଧନୀ, ଗରିବ, ବ୍ୟବସାୟୀ,ସରକାରୀ ଚାକିରୀଆ, ବେକାରୀ, ହଳିଆ, ମହାଜନ ସମସ୍ତଙ୍କୁ ଏକା ପ୍ରକାର ଭାବରେ ପ୍ରଭାବିତ କରିଛି ।
ଏ ଭୟାବହ ପରିସ୍ଥିତି ଟି, ଛିଣ୍ଡେଇ ନେଇଛି ଲକ୍ଷ ଲକ୍ଷ ଲୋକଙ୍କ ପାଟିରୁ ରୁଟି, ଉଜୁଡ଼େଇ ଦେଇଛି ମୁଣ୍ଡ ଉପରର ଛାତକୁ,ଲକ୍ଷ ଲକ୍ଷ ପରିବାରର ପେଟରେ ଲାତ୍ ମାରିଛି, ଶାନ୍ତିରେ ସହାବସ୍ଥାନ କରୁଥିବା ମଣିଷକୁ ବେଘର କରି ଦେଉଛି , ଏମିତି କେତେ କଣ ! କିଏ ବିଦେଶରୁ ଆସୁଛି ତ’ କିଏ ଦେଶ ଭିତରେ ନିଜର ପେଟପାଟଣା ହରେଇ ବସିଛି, ନିଜ ଘରକୁ ନିଜେ ଖୋଜିକରି ପାଇପାରୁ ନାହିଁ। ଜୀବନଟା ଏକପ୍ରକାର ଦୁର୍ବିଶହ ହୋଇପଡ଼ିଛି । ସବୁ ଆଡ଼େ ଖାଲି ଆର୍ତ୍ତଚିତ୍କାର ଆଉ ଆତଙ୍କର ରାଜ ଖେଳିଯାଇଛି ।
ସମାଜଶାସ୍ତ୍ରୀମାନେ କହି ଆସୁଛନ୍ତି ଯେ ଭାରତବର୍ଷରେ ୧୦% ଧନୀ ଲୋକଙ୍କ ପାଖରେ ଅଛି ୮୦% ସଂପତ୍ତି ଓ ୧% ଲୋକଙ୍କ ପାଖରେ ଅଛି ୫୮% ଦେଶର ସମଗ୍ର ସଂପତ୍ତିର ମାଲିକାନା । ଯଦି ଏ ପରିସଂଖ୍ୟାନଟି ସତ୍ୟ, ତେବେ ଆମେ ଏଇଠି ଉପ ସଂହାରରେ ଉପନୀତ ହେବା ବା ଭାବିବା ଯଦି କଳନା ବି କରିପାରିବା ନାହିଁ ଯେ ଦେଶରେ କେତେ ପରିମାଣରେ ଗରିବୀ ଅଛି ଏବଂ ଏତେ ସଂଖ୍ୟକ ସଂପତ୍ତି ବିହୀନ ଗରିବ ଲୋକ ତାଂକର ପରିବାର କେମିତି ପ୍ରତିପୋଷଣ କରୁଥିବେ ?
ଆମ ଦେଶରେ ଏମିତି କୋଟି କୋଟି ଲୋକ ଅଛନ୍ତି ଯେଉଁମାନେ ସେଇ ଦିନର ରୋଜଗାର ବା ଶ୍ରମର ଆୟକୁ ନେଇ ସଂଜରେ ଚୂଲି ଜାଳିଥାନ୍ତି । ସମସ୍ତ ଶ୍ରମଜୀବୀଙ୍କ କଥା ଯଦି ଗୋଟି ଗୋଟି କରି କୁହାଯାଏ ତେବେ ଏ ଦୟନୀୟ କରୁଣ କାହାଣୀ ମାନଙ୍କର ସଂଖ୍ୟା ଲେଖିଲେ ଏତେ ହୋଇ ଯିବ ଯେ ହୁଏତ ଗୋଟିଏ ପିଢ଼ୀ ସମର୍ଥ ହେବନି ପଢ଼ିବାକୁ ।
ଆଜି ଏଇଭଳି ଅବହେଳିତ ଏବଂ ଦୁର୍ଦ୍ଦିନରେ ନିଜର ଜୀବନ ବିତାଉଥିବା, ଆମ ସମାଜର ସାଂସ୍କୃତିକ ସାଥୀମାନଙ୍କର ଅବସ୍ଥା ଉପରେ ସାମାନ୍ୟ ଆଲୋକପାତ କରିବା ।
ଓଡ଼ିଶା ଏକ ସଂସ୍କୃତି ସଂପନ୍ନ ରାଜ୍ୟ ଅଟେ । ଏଇଠି କଥାରେ କଥାରେ ଲୋକେ କହିଥାନ୍ତି “ବାର ମାସେ ତେର ଯାତ୍ରା” । ଅର୍ଥାତ ସବୁ ମାସରେ ଏକାଧିକ ପର୍ବପର୍ବାଣୀ ଲାଗି ରହିଥାଏ। ଏଠିକାର ସାମାଜିକ ଓ ସାଂସ୍କୃତିକ ପରଂପରା ଅନୁସାରେ ପ୍ରତ୍ୟେକ ପର୍ବପର୍ବାଣୀ, ପୂଜାପାଠ, ବାହାଘର, ମାଙ୍ଗେନ ଘର, କଣାବରା ଘର, ବ୍ରତ ଘର, ଗୃହ ଦେବୀ ପୂଜା, ଗ୍ରାମ ଦେବୀ ପୂଜା, କୃଷିକାର୍ଯ୍ୟର ଅୟମାରମ୍ଭ, ଦେବାଦେବୀଙ୍କର ଗ୍ରାମ ବା ନଗର ଭ୍ରମଣ (ବୁଏଲ) ଏପରିକି ଶବ ଉଠେଇବା ବେଳେ ବି “ବାଜା” ର ବ୍ୟବହାର କରାଯାଇଥାଏ ।
ଏ ସମସ୍ତ ସାଂସ୍କୃତିକ ଓ ସାମାଜିକ କାମରେ ବାଜାର ବ୍ୟବହାର ପ୍ରାବଲ୍ୟ ଏଇଥିପାଇଁ ଯେ ବାଜାଟି ସହଜରେ ଉପଲବ୍ଧ ହୋଇଥାଏ । ଅର୍ଥାତ୍ ଖୁବ୍ କମ ଗାଁ ଥିବେ,ସମଗ୍ର ଓଡ଼ିଶାର ପୁରପଲ୍ଲୀରେ, ଯେଉଁ ଗାଁରେ ବାଜା ବଜେଇବାର ଗୋଷ୍ଠୀ ବା ବଜନିଆମାନେ ନଥିବେ। ବାଜାକୁ ବଂଶାନୁକ୍ରମେ କାହିଁ ଆଦିମ କାଳରୁ ଓଡ଼ିଶାର ପଶ୍ଚିମାଂଚଳର “ଗଣା” ସଂପ୍ରଦାୟର ଲୋକେ ଦକ୍ଷିଣାଂଚଳରେ “ଡମ୍“ ସଂପ୍ରଦାୟର ଲୋକେ (ଗଣା ଓ ଡମ୍ ଗୋଟିଏ ଜାତିର ଅଟନ୍ତି, ସ୍ଥଳ ବିଶେଷରେ ତାଙ୍କୁ ଅଲଗା ଅଲଗା ନାଁରେ ଡକା ଯାଇଥାଏ ।) ପୂର୍ବାଂଚଳରେ “ହାଡ଼ି” ସଂପ୍ରଦାୟର ଲୋକେ ଏ ବାଜାକୁ ବଜେଇଥାନ୍ତି ।
ଏଇଠି ଦୁଇଟି ମୁଖ୍ୟ କଥାକୁ ଅନୁଧ୍ୟାନ କରିବାର ଅଛି । ଡୁବି ତବଲା ବଜାଉ ଥିବା ବ୍ୟକ୍ତି ଡୁବି ତବଲା ତଆରି କରେ ନାହିଁ । ହାରମୋନିଅମ ବଜାଉଥିବା ବ୍ୟକ୍ତି ବି ହାରମୋନିଅମ୍ ତିଆରି କରେ ନାହିଁ । ଅର୍ଥାତ୍ ଏଇ ଭଳି ସାଧାରଣ ବାଦ୍ୟ ଯନ୍ତ୍ର ଅଛି ଯାହାକୁ ବାଦ୍ୟକାର ତିଆରି କରେ ନାହିଁ । ଦ୍ୱିତୀୟ କଥାଟି ହେଲା ଏ ହାରମୋନିୟମ୍ ବା ଡୁବିତବଲା ବା ସାରଙ୍ଗୀ ଇତ୍ୟାଦି ବାଦନ କରିବା ପାଇଁ ସ୍ୱତନ୍ତ୍ର ଗୁରୁର ଆବଶ୍ୟକତା ପଡ଼ିଥାଏ । ବାଦ୍ୟକାର ବାରମ୍ବାର ଗୁରୁଙ୍କ ପାଖରୁ ଶିକ୍ଷା ପ୍ରାପ୍ତି ପରେ ହିଁ ଉକ୍ତ ବାଦ୍ୟଯନ୍ତ୍ର ବଜେଇବାରେ ନିପୂଣ ହୋଇଥାଏ । ତେବେ ଏଠାରେ ଯେଉଁ ବାଜାର କଥା କୁହାଯାଉଛି ତାହା ସଂପୂର୍ଣ୍ଣ ଭିନ୍ନ ରକମର ଅଟେ ।
ଗଣା, ଡମ୍ ବା ହାଡ଼ିମାନେ ବାଜାଉଥିବା ଏ ବଜାକୁ ସାଧାରଣ ଲୋକେ ‘ଗଣା ବଜା’ ବା ‘ଡମ ବଜା’ ବା ‘ହାଡ଼ି ବଜା’ ବୋଲି କହିଥାନ୍ତି । ଏଭଳି କହିବାର ତାତ୍ପର୍ଯ୍ୟ ଯେ ଏଇ ନିର୍ଦ୍ଦିଷ୍ଟ ଜାତିର ଲୋକେ ଏଇ ବାଜାକୁ କେବଳ ବଜେଇ ନଥାନ୍ତି ବରଂ ବଜେଇବା ସଂଗେ ସଂଗେ ଏ ସବୁ ବାଦ୍ୟଯନ୍ତ୍ରକୁ ନିଜେ ତିଆରି ମଧ୍ୟ କରିଥାନ୍ତି । ଅର୍ଥାତ୍ ଏ ବାଦ୍ୟଯନ୍ତ୍ର ତିଆରି କରିବାର ସ୍ୱତନ୍ତ୍ର କାରିଗର ନାହାନ୍ତି । ବାଜାର ଯନ୍ତ୍ର ତିଆରି କରିବା କୌଶଳ ଓ କାରିଗରୀ ଏ ସଂପ୍ରଦାୟର ଲୋକମାନେ ତାଙ୍କର ପୂର୍ବ ପୁରୁଷଙ୍କ ଠାରୁ ହାସଲ କରିଥାନ୍ତି । ଅନ୍ୟ ବିଶେଷତ୍ୱ ହେଲା, ଏ ମାନଙ୍କର କେହି ଆନୁଷ୍ଠାନିକ ଗୁରୁ ନାହାନ୍ତି ବା ବାଦ୍ୟଯନ୍ତ୍ର ଶିଖେଇବାର ସ୍ୱତନ୍ତ୍ର ଶିକ୍ଷାନୁଷ୍ଠାନ ନାହିଁ । ଏମାନଙ୍କ ଗୁରୁ କେବଳ ସେଇ ପୂର୍ବ ପୁରୁଷ, ନିଜର ବାପା, କାକା ବା ଜ୍ଞାତି ପରିଜନ ହୋଇଥାନ୍ତି ।
ଏଇ ଦୃଷ୍ଟିକୋଣରୁ ଏ ବାଜାର ସ୍ୱତନ୍ତ୍ରତା ଓ ବିଶେଷତ୍ୱ ସମାଜରେ ଓ କଳାତ୍ମକତାରେ ବିଶେଷ ଭାବରେ ରହିଛି ତଥା ତା’ର ସାଂସ୍କୃତିକ ମୂଲ୍ୟବୋଧ ରହିଛି ।
ନୃତ୍ୟଭଙ୍ଗୀ, ବାଦ୍ୟଯନ୍ତ୍ରର ବ୍ୟବହାର ଓ ପରିବେଷଣକୁ ଆଧାର କରି ଡମ୍ ବା ଗଣା ବାଜାକୁ ପାଞ୍ଚ ପ୍ରକାର ନାମକରଣ କରାଯାଇଥାଏ । ଯଥା : ସିଂ ବାଜା, ମୁର୍ରୀ ବାଜା, ଢ଼ୋଲ ବାଜା, ଢ଼ପଡ଼ା ବା ଢ଼ାପ ବାଜା ଏବଂ ଲୁହୁଟି ବା ଟିମ୍କିଡ଼ି ବାଜା ।
ପ୍ରତ୍ୟେକ ବାଜାରେ ବଜନିଆ ମାନଙ୍କଦ୍ୱାରା ଖୋଲା ଖୋଲି ପରିବେଷଣ ଥାଏ । ତେବେ ସିଂ ବାଜାରେ ଦୁଇ ଜଣ ସିଂ ଖେଳାଳୀଙ୍କର ଯେଉଁ ଅଭୂତପୂର୍ବ ତଥା ଚମତ୍କାର ବିଭିନ୍ନ ଅଙ୍ଗଭଙ୍ଗୀ ସହ ପରିବେଷଣ ଥାଏ, ଅନ୍ୟ ବାଜା ମାନଙ୍କରେ ତାହା ଦେଖିବାକୁ ମିଳେ ନାହିଁ। ଅର୍ଥାତ ସିଂଙ୍ଗିଲିଆମାନେ ବହୁତ କୌଶଳୀ ବା ତୀକ୍ଷ୍ମ ଖେଳାଳୀ ହୋଇଥିବା ବେଳେ ଅନ୍ୟ ବାଜାରେ ମୁଖ୍ୟତଃ ଢ଼ୋଲିଆର ପରିବେଷଣ ବେଶୀ ରହିଥାଏ ।
ମୁଖ୍ୟତଃ ଢ଼ୋଲିଆ ବା ବଜନିଆ ଦଳର ପ୍ରତ୍ୟେକ ବଜନିଆ, ବଜେଇବା ସହ ସେମାନେ ମଧ୍ୟ ଗୀତ ଗାଇଥାନ୍ତି ଏବଂ ମନୋରଂଜନ କରିଥାନ୍ତି । ଏଇଠି ଅନ୍ୟଏକ ଉଲ୍ଲେଖନୀୟ ବିଷୟ ଯେ ଏମାନଙ୍କ ମଧ୍ୟରେ “ଗୀତ କୁଡ଼ିଆ” ମଧ୍ୟ ରହିଥାନ୍ତି । ଗୀତ କୁଡ଼ିଆମାନେ ସେଇ ବ୍ୟକ୍ତିବିଶେଷ, ନାରୀ ଓ ପୁରୁଷ ନିର୍ବିଶେଷରେ, ଯେଉଁମାନେ ଗୀତର ଭଣ୍ଡାର ଅଟନ୍ତି ବା ଆଶୁ କବି କୁହା ଯାଇପାରେ । ସେମାନେ ବ୍ୟକ୍ତି, ପରିବେଶ, ଘଟଣା ତଥା କଥା କହିବାର ଢ଼ଙ୍ଗ ଦେଖି ତତ୍କ୍ଷଣାତ୍ ଗୀତ ଛନ୍ଦି ଗାଇ ଦେଇଥାନ୍ତି ଏବଂ ଲୋକଙ୍କୁ ଚକିତ କରି’ଦେଇଥାନ୍ତି । ସେ “ଗୀତ କୁଡ଼ିଆ” ଭଳି କଳାକାରର ପଟାନ୍ତର ନାହିଁ କହିଲେ ଚଳେ ।
ବଜନିଆମାନେ ଯେ କେବଳ ବାଦ୍ୟ ବଜେଇ ମନୋରଂଜନ କରନ୍ତି ତା’ ନୁହେଁ ବରଂ ଏ ଗଣା ବା ଡମ୍ ବାଜାର ମହତ୍ତ୍ୱ ପୂଜାପାଠ, ମନ୍ଦିର, ଦେବତାର ବୁଏଲବୁଲା, ବ୍ରତଘର, ବାହାଘର, ମାଘେନ ଘର, କଣାବରା ଇତ୍ୟାଦି ଅନେକ ମାଙ୍ଗଳିକ କାମରେ ପ୍ରମୁଖ ଭୂମିକା ରହିଛି । ଅନେକ ସମୟରେ ଦେବାଦେବୀଙ୍କୁ କାଳିସୀ ଲାଗିଲେ ସେଇ ଦେବାଦେବୀର ଭାଷା କେବଳ ବଜନିଆଁ ହିଁ ବୁଝିପାରେ ଏବଂ ସେଇ ତାଳରେ ବାଦ୍ୟ ବଜେଇଥାଏ । ବିନା ବାଦ୍ୟରେ ଜମାରୁ କାଳିସୀ ନାଚି ପାରେ ନହିଁ । କାଳିସୀମାନେ ତେଣୁ ଢ଼ୋଲ ଉପରେ, ନିଶାନ ଉପରେ ଠିଆହୋଇ ନାଚିବା ଏକ ସାଧାରଣ କଥା । ସେମିତି ମହୁରିଆର କାନ୍ଧକୁ ଧରି ନାଚିବା ଏକ ସାଧାରଣ କଥା । କହିବା ବାହୁଲ୍ୟ ପ୍ରତ୍ୟେକ ଦେବାଦେବୀଙ୍କ ସହ ଏ ଗଣା ବା ଡମ୍ ବାଜାର ପ୍ରତ୍ୟକ୍ଷ ସଂପର୍କ ରହିଛି । ଏଥିରୁ ଅନୁମାନ ହୁଏ ଯେ ଏ ବାଜାର ପ୍ରାଚୀନତା କେତେ ଏବଂ ଦେବା ଦେବୀମାନଙ୍କ ସହ ଆତ୍ମୀକ ମିଳନ କେମିତି ରହିଛି ଏବଂ ଲୋକଙ୍କ ସାଧାରଣ ଜୀବନ ଓ ସାଂସ୍କୃତିକ ପରଂପରା ସହ କେମିତି ନିବିଡ଼ ଭାବରେ ଜଡ଼ିତ ହୋଇକି ରହିଛି ।
ଏ ବାଜାର ମହତ୍ତ୍ୱ ମରଣ ଶେଯରେ ବି ଅତ୍ୟନ୍ତ ଆବଶ୍ୟକ ହୋଇଥାଏ । ଶବ ଯାତ୍ରା ବେଳେ ଆଗରେ ଆଗରେ ଏକ ନିର୍ଦ୍ଦିଷ୍ଟ ଧ୍ୱନିରେ ଗଣା ବା ଡମ ବାଜା ବଜେଇବାର ଅନେକ ସଂପ୍ରଦାୟ ମଧ୍ୟରେ ପରଂପରା ରହିଛି । ଏଠାରେ ଲେଖିବା ଉଚିତ୍ ହେବ ଯେ ଗଣା ବା ଡମ୍ ସଂପ୍ରଦାୟର କେହି ଜଣେ ମରିଗଲେ, ନିକଟସ୍ଥ ବନ୍ଧୁ ପରିଜନକୁ ଡାକିବା ପାଇଁ ବାଜାର ସାହାରା ନିଆଯାଉଥିଲା । ଏ ବ୍ୟବସ୍ଥା ଅନୁସାରେ ମୃତକଙ୍କ ଘରେ ଜଣେ ବଜନିଆ ନିଶାନ ବାଦ୍ୟଯନ୍ତ୍ରକୁ ଧରି ଘରର ଶିଖରକୁ ଯାଇଥାଏ ଏବଂ ଏକ ସ୍ୱତନ୍ତ୍ର ଧ୍ୱନିରେ ନିଶାନକୁ ବଜାଇଥାଏ । ଏଇ ସ୍ୱତନ୍ତ୍ର ଧ୍ୱନିକୁ ଶୁଣି ବନ୍ଧୁ ପରିଜନ ଶବ ଉଠାଇବା ପାଇଁ ମୃତକଙ୍କ ଘରକୁ ଆସିଥାନ୍ତି । ଏଇ ବାଦ୍ୟକୁ “ମର୍ହା ନିଶାନ୍” କୁହାଯାଏ।
ଅର୍ଥାତ୍ ବାଜାର ଧ୍ୱନିଟି ଲୋକଙ୍କୁ ସମ୍ବାଦ ପରିବେଷଣ କରିବାରେ ସହଯୋଗ କରୁଥିଲା । ମହତ୍ତ୍ୱପୂର୍ଣ୍ଣ କଥାଟି ହେଲା କେବଳ “ମର୍ହା ନିଶାନ୍” ନୁହେଁ, ବିବାହ ଘରରେ ବିଭିନ୍ନ ପ୍ରକାର ବିବାହ ସଂପର୍କିତ କାର୍ଯ୍ୟକ୍ରମ ତଥା ରୀତିନୀତି ପାଳନ କରାଯାଇଥାଏ । ଏହି ପ୍ରତ୍ୟେକ ରୀତିନୀତି ପାଇଁ ଭିନ୍ନ ଭିନ୍ନ ବାଜାର ସ୍ୱତନ୍ତ୍ର ଧ୍ୱନିମାନ ରହିଛି, ଯେଉଁ ଧ୍ୱନିକୁ ଲୋକେ ଦୁଇ ମାଇଲ ଦୂରେ ରହି ମଧ୍ୟ ବିବାହ ଘରେ ବର୍ତ୍ତମାନ କି କି ପ୍ରକାର ରୀତିନୀତି ପରିପାଳିତ ହେଉଛି, ତାହାକୁ ସିଏ ଜାଣି ପାରିଥାଏ । ଅର୍ଥାତ ମୋଟା ମୋଟି ଭାବରେ ଗଣା ବାଜା ବା ଡମ୍ ବାଜାର ଧ୍ୱନି ଲୋକଙ୍କ ପାଖକୁ ସଂବାଦ ପରିବେଷଣ କରିବାରେ ମଧ୍ୟ ସହାୟକ ହୋଇଥାଏ । ଅନ୍ୟ ଅର୍ଥରେ କହିଲେ ଏ ବାଜାର ଧ୍ୱନି ସହ ଲୋକେ ଆଦିମ କାଳରୁ ବହୁଳ ଭାବରେ ପରିଚୟ ରଖିଛନ୍ତି, ଯାହା ତାଙ୍କ ମାନସପଟରେ ଛନ୍ଦି ହୋଇ ରହିଛି ।
ସ୍ଥୁଳ ଭାବରେ ବୁଝିବାକୁ ଗଲେ ଗଣା ବା ଡମ୍ ବାଜାର ଚାହିଦା ଏବଂ ଆବଶ୍ୟକତା ସାଂସ୍କୃତିକ, ସାମାଜିକ ତଥା ଧାର୍ମିକ ଜୀବନରେ ଓତଃପ୍ରୋତ ଭାବରେ ଜଡ଼ିତ ହୋଇ ରହିଛି ତେଣୁ ୟା’ର ଗୁରୁତ୍ୱ ଅନୁରୂପ ଭାବରେ ସାଧାରଣ ଜୀବନରେ ମଧ୍ୟ ପରିଲକ୍ଷିତ ହୋଇଥାଏ । ତେଣୁ ଲକ୍ଷ ଲକ୍ଷ ବଜନିଆ ଅଛନ୍ତି ଯେଉଁମାନେ ଏ ସବୁ ପର୍ବପର୍ବାଣୀ, ପୂଜାପାଠ,ବିବାହ ଆଦି କାମରେ ବାଦ୍ୟ ବଜେଇ ତଥା ବାଦ୍ୟ ପ୍ରଦର୍ଶନ କରି ନିଜର ପରିବାର ପ୍ରତିପୋଷଣ କରିଥାନ୍ତି । ଖାସ କରି ଏଇ ସବୁ ବଜନିଆମାନେ ଭୂମିହୀନ ତଥା ଗରିବ ବ୍ୟକ୍ତିମାନେ ଅଟନ୍ତି । ପରଂପରା ଅନୁସାରେ, ଏ ବ୍ୟବସାୟରେ ବିଶେଷ ଲାଭ ନ ଥିବା ସତ୍ତ୍ୱେ, ଏକ ପେଶାଦାର କଳାକାର ବା ବାଦ୍ୟକାର ଭାବରେ ନିଜର ବଂଶାନୁକ୍ରମିକ ବୃତ୍ତିକୁ ଛାଡ଼ିବାକୁ ପସନ୍ଦ କରନ୍ତି ନାହିଁ । ତା’ ସହ ସାମାଜିକ ଦାୟୀତ୍ୱକୁ ମଧ୍ୟ ତୁଳେଇବାରେ ଅବହେଳା କରନ୍ତି ନାହିଁ ।ଏଥିସହ ବଜନିଆ ମାନେ ନିଜ ବଂଶପରଂପରାର ଆଦିମ କାଳରୁ ଚାଲିଆସିଥିବା କଳାକାରୀ ଗୁଣକୁ ନେଇ ଗର୍ବୀତ ମଧ୍ୟ ହୋଇଥାନ୍ତି ।
ଅନ୍ୟ ଏକ ଐତିହାସିକ ବ୍ୟତିକ୍ରମ ଏଠାରେ ଉଲ୍ଲେଖ କରିବା ଠିକ ହେବ ଯେ ଏ ବାଜା ସହ ଗାହାଁକ ବା ଗୀତ କୁଡ଼ିଆର ସଂପର୍କ ଆଗୁରୁ ସମ୍ୟକ ଭାବରେ ଦର୍ଶାଯାଇଛି । ଏଭଳି ଜଣେ ଗୀତକୁଡ଼ିଆ ବା ଆଶୁ କବି ଥିଲେ ସ୍ୱର୍ଗତ ଗଜେଂଦ୍ର ମହାନନ୍ଦ । ତାଙ୍କ ଗାଁ ଟିଟିଲାଗଡ଼ ନିକଟସ୍ଥ ମଣ୍ଡଲ ଗାଁ । ତାଙ୍କ ଦୁଃସାହସକୁ ମାନିବାକୁ ପଡ଼ିବ ଯେ ସିଏ ଡମ୍ ଭାଷାରେ ଏବଂ ଆଂଚଳିକ ଭାଷାରେ ଗୀତମାନ ଲେଖି, ତାକୁ ଚଟି ବହି ଭାବରେ ଛପେଇ, ଅଂଚଳର ପ୍ରତି ସାପ୍ତାହିକୀ ହାଟକୁ ଯାଇ, ନିଜେ ଝୋଲା ମୁଣିରେ ସେ ବହିକୁ ରଖି, ହାଟ ମାନଙ୍କରେ ଗୀତ ଗାଇ ଗାଇ ବହି ବିକ୍ରି କରୁଥିଲେ ୭୦ ଦଶକରେ ଏବଂ ସେଇଥିରୁ ଉପାର୍ଜିତ ପଇସାରେ ନିଜର ପରିବାର ପ୍ରତିପୋଷଣ କରୁଥିଲେ ।
ଆଜି ବି ତାଙ୍କର ଦୁଇ ଜଣ ଚେଲା ଜୀବିତ ଅଛନ୍ତି ଯଥା କେସିଂଗାର ସାମିଲ ଜାଲ ଓ କଣ୍ଟାବାଞ୍ଜୀ ନିକଟସ୍ଥ କୁକୁଡାହାଡ଼ ଗ୍ରାମର ତ୍ରିନାଥ ଜାଲ, ଯେଉଁମାନେ ସମାନ ଭାବରେ ନିଜେ ଲେଖୁଥିଲେ, ନିଜେ ଛାପୁଥିଲେ, ହାଟ ହାଟ ବୁଲି ବହି ବିକୁ ଥିଲେ ତଥା କଣ୍ଟାବାଞ୍ଜୀ-ରାଇପୁର ଟ୍ରେନରେ ଯାଇ ଗୀତ ଗାଇ ଗାଇ, ଚଟି ବହି ବିକ୍ରିକରି ନିଜର ପରିବାର ପ୍ରତିପୋଷଣ କରୁଥିଲେ।
ଏମାନେ ସମସ୍ତେ ସେଇ ଡମ ବା ଗଣା ସଂପ୍ରଦାୟର “ଗୀତକୁଡିଆ” ଅଟନ୍ତି । ଏଇ ଗଣା ବା ଡମ ଗୀତକୁଡିଆ ମାନେ ତାଙ୍କର ଗୀତକୁ ନେଇ ଜୀବିକା କରିବାର ସାହସ ସହ ତାଙ୍କ କଳାକାରପଣକୁ ଆଧାରକରି ପରିବା ପ୍ରତିପୋଷଣ କରିବାର ଦଂଭ ହୁଏତ ଓଡିଶାରେ ବିରଳ ଅଟେ ଅଥଚ ସେମାନଙ୍କୁ ଆମ ସମାଜର ଲୋକେ କେହି ଚିହ୍ନିପାରିଲେ ନାହିଁ ।
ଏ ଲେଖାଟି ପ୍ରସ୍ତୁତ କରିବାର ଉଦ୍ଦେଶ୍ୟ ଯେ ଫେବୃୟାରୀ ଠାରୁ ମେ’ ମାସ ମଧ୍ୟରେ ଏ ବଜନିଆ ମାନଙ୍କର ଅସଲ ବଜେଇବା ସମୟ ଅଟେ । ଏଇ ସମୟ ଖଣ୍ଡରେ ଲୋକମାନଙ୍କ କୃଷିକାମ ସବୁ ସରି ଯାଇଥାଏ ତେଣୁ ଲୋକେ ସାମାଜିକ ତଥା ସାଂସ୍କୃତିକ କାମରେ ଧ୍ୟାନ ଦେଇଥାନ୍ତି । ଏଇ ଋତୁରେ ହିଁ ବାହାଘର, ମାଙ୍ଗେନ ଘର, କଣାବରା ଘର, ଗ୍ରାମ ଦେବୀର ଚଇତ୍ରା ଯାତ୍ରା, ଫଗୁନତିହାର ଯାତ୍ରା, ପୁଣି ଅଖି ମୁଠି ବାହାର କରନ୍ତି ବୋଲି ତା’ ପୂର୍ବରୁ ବିହନଛିନା ଯାତ୍ରା, ଦେବାଦେବୀର ବୁଏଲବୁଲା ଯାତ୍ରା ଇତ୍ୟାଦି ଅନେକ ହୋଇ ଥାଏ । ଏଇ ସମୟ ଟିକକ ହିଁ ବଜନିଆ ଗୋଷ୍ଠୀ ପାଇଁ କମାଣୀର ସମୟ ତେଣୁ ତାଂକର ଫୁର୍ସତ ନଥାଏ କହିଲେ ଚଲେ । ବାଜା ବଜେଇବାକୁ ଯାଇ ଯାହା ଉପାର୍ଜନ କରନ୍ତି ତାହା ମୁଖ୍ୟତଃ ଏହି ଋତୁରେ ହିଁ ହୋଇଥାଏ । ତେବେ ଦୁର୍ଭାଗ୍ୟର ବିଷୟ ଯେ, ଏଇ ବର୍ଷ ସମସ୍ତଙ୍କ ପାଇଁ ଯେମିତି ଏକ ଆତଙ୍କର ସମୟ ହୋଇ ଠିଆ ହେଲା, ଏ ଋତୁରେ ବଜନିଆ ମାନେ ମଧ୍ୟ ସେଥିରୁ ନିସ୍ତାର ପାଇଲେ ନାହିଁ ।
କରୋନା ମହାମାରୀ ପାଇଁ ସରକାରଙ୍କ ଆଦେଶ ମୁତାବକ ବାହାଘର, ପୂଜାପାଠ, ପର୍ବପର୍ବାଣୀ ବନ୍ଦ ହୋଇଗଲା । ବିବାହ ଆଦି କାର୍ଯ୍ୟ କଲେ ମଧ୍ୟ ମହାମାରୀ ମୁକାବିଲା ନିୟମାନୁସାରେ ୫୦ ଲୋକରୁ ଉର୍ଦ୍ଧ୍ୱ ରହି ପାରିବେ ନାହିଁ । ଅତଏବ ବଜନିଆର ଆବଶ୍ୟକତା ପଡ଼ିଲା ନାହିଁ । ତେଣୁ ସିଧା ସଳଖ ଏହାର କୁପ୍ରଭାବ ବଜନିଆମାନଙ୍କ ଜୀବନ ଜୀବିକାରେ ପଡ଼ିଲା। ନିଜର କଳାକୁ ବ୍ୟବସାୟ କରି ବଂଚୁଥିବା ବଜନିଆ ମାନେ ସମସ୍ତେ ଏବେ ଭୋକ ଉପାସରେ ରହୁଛନ୍ତି ।
ଏହି ପରିପ୍ରେକ୍ଷୀରେ ମନ୍ଦିରର ପୂଜାରୀମାନଙ୍କୁ ଆର୍ଥିକ ସହଯୋଗ ଦେବାର ନିଷ୍ପତ୍ତି ସୂତ୍ରରେ ଗରିବ ଗଣା ବା ଡମ ବଜନିଆ ମାନଙ୍କୁ ସରକାର ତରଫରୁ ଆର୍ଥିକ ସହଯୋଗ ଦେବାର ବ୍ୟବସ୍ଥା ହେଲେ ବଂଚିତ କଳାକାର ମାନଙ୍କର ଦୁର୍ଦିନରେ ଏକ ସହଯୋଗ ହୋଇପାରନ୍ତା ।
ଏକ ଦୁଃଖଦାୟକ କଥା ଯେ ଆଦିମ କାଳରୁ ବଂଶାନୁକ୍ରମେ ନିଜର ପରିବାରଜନଙ୍କ ଠାରୁ ଏହି କଳା କୌଶଳ ଶିଖି ଏବଂ ତାକୁ ଆତ୍ମସ୍ଥ କରି, କେଉଁ ଶତାବ୍ଦୀରୁ କେଜାଣି, ଏ ବାଜା ଗଠନ କରିଥିବା, ବାଜାର ପାର ବା ଧ୍ୱନି ସୃଷ୍ଟି କରିଥିବା ଏବଂ ସିଂ ବାଜା ପରି କଠିନ କସରତ ଓ କୌଶଳ ପୂର୍ଣ୍ଣ ବାଜାକୁ ଶିଖି ଲକ୍ଷ ଲକ୍ଷ ଲୋକଙ୍କ ସାମ୍ନାରେ ନିଖୁଣ ଭାବରେ ପରିବେଷଣ କରୁଥିବା ନିରୁତା କଳାକାରମାନଙ୍କୁ ସାମାଜିକ ଓ ଧାର୍ମିକ ସ୍ତରରେ ମାନ୍ୟତା ଦେଉଥିଲେ ମଧ୍ୟ ସରକାରୀ ଭାବରେ ସେମାନଙ୍କ ମଧ୍ୟରୁ ଜଣକୁ ବି ଏଯାବତ୍ କଳାକାରର ମାନ୍ୟତା ଦିଆଯାଇ ନାହିଁ ।
୨୦୦୮ ମସିହାରେ ନୂଆପଡ଼ା ଜିଲ୍ଲାସ୍ଥିତ ଏକ ବେସରକାରୀ ଅନୁଷ୍ଠାନ “ଆରୋହୀ” ତରଫରୁ ସଂସ୍କୃତି ବିଭାଗକୁ ନିବେଦନ କରାଯାଇଥିଲା କିନ୍ତୁ ତାହା ହୁଏତ କାର୍ଯ୍ୟକାରୀ ହୋଇ ପାରିଲା ନାହିଁ । ପ୍ରାଚୀନ କାଳରୁ କଳାର ସାଧନା କରୁଥିବା ସାଂସ୍କୃତିକ ସାଥୀମାନେ ଏ ଯାଏଁ ସରକାରଙ୍କ ସ୍ୱୀକୃତି ଠାରୁ ଦୂରରେ ରହିଛନ୍ତି ।
ଢ଼ୋଲ, ମହୁରୀ, ନିଶାନ ତାସାକୁ ଛାଡ଼ି ଦେଲେ ଓଡ଼ିଶାରେ ଏକ ସ୍ୱତନ୍ତ୍ର ଓ ଦେଶଜ ବାଦ୍ୟ ତଥା ବାଦ୍ୟ ଯନ୍ତ୍ରର ପରିକଳ୍ପନା କରାଯାଇ ପାରିବ ନାହିଁ । ଏ ଗଣା ବାଜା ବା ଡମ୍ ବାଜାର ଉତ୍କର୍ଷତା, ପ୍ରାଚୀନତା ତଥା ମୌଳିକତାକୁ ବ୍ୟବହାର କରି “ଭୁଖା” ପରି ଚଳଚ୍ଚିତ୍ର ବନେଇ ଚଳଚ୍ଚିତ୍ର ନିର୍ମାତା ରାଷ୍ଟ୍ର ତଥା ଅନ୍ତରାଷ୍ଟ୍ରୀୟ ସ୍ତରରେ ପୁରସ୍କୃତ ହୋଇଛନ୍ତି ଏବଂ ଏଇ ଡମ, ଗଣା ମାନଙ୍କର ପୁରୁଖା ଅର୍ଜିତ କଳାକୁ ବ୍ୟବସାୟ କରି ଧନ ଓ ଯଶ ଅର୍ଜନ କରିଛନ୍ତି ତେବେ ଏଇ ବଜନିଆ ସଂପ୍ରଦାୟ ପ୍ରତି ତାଙ୍କର କଳାକୁ ମାନ୍ୟତା ଦେବା ପାଇଁ ଗୋଟିଏ ଶବ୍ଦ ବି ବୋଧ ହୁଏ କେଉଁଠି ରଖିଥିବାର ନଜର ନାହିଁ ।
ଠିକ୍ ସେମିତି “ନୂଆଖାଇ ଭେଟଘାଟ” ନାମରେ ବିଭିନ୍ନ କାର୍ଯ୍ୟକ୍ରମ ମାନ ତଥାକଥିତ ଉଚ୍ଚ ବର୍ଗର ଲୋକେ ଦେଶ ତଥା ଦେଶ ବାହାରେ ଆୟୋଜନ କରି ଏଇ ମହାନ କଳାକୁ ଓ କଳାକାରମାନଙ୍କୁ ବ୍ୟବହାର କରୁଛନ୍ତି ହେଲେ ତାଙ୍କର କଳାର ମାନ୍ୟତା ପାଇଁ କୌଣସି ସ୍ଥାନରେ ବି ସପକ୍ଷବାଦୀ ହେବାର ଦୃଷ୍ଟିଗୋଚର ହୁଏ ନାହିଁ ।
ଦେଖିବାକୁ ମିଳେ ଯେ ଡୁବିତବଲା, ମୃଦଙ୍ଗ ଏପରିକି ଗିନି କୁବୁଜା ବାଦ୍ୟକାରକୁ କଳାକାରର ମାନ୍ୟତା ମିଳୁଛି ଏବଂ ମିଳିବା କଥା ମଧ୍ୟ ତେବେ କୋଟି କୋଟି ଜନତାର ସାମାଜିକ କାର୍ଯ୍ୟକ୍ରମ ତଥା ସାଂସ୍କୃତିକ କାର୍ଯ୍ୟକ୍ରମରେ ମୁଖ୍ୟ ଭୂମିକା ନିଭାଉଥିବା ଏ ଅସ୍ପୃଶ୍ୟ ସାଂସ୍କୃତିକ ସାଥୀ ବା ନିରୁତା ଗଣା, ଡମ ଓ ହାଡ଼ି କଳାକାର ମାନଙ୍କୁ ମାନ୍ୟତା ନଦେବା ଏକ ଦାରୁଣ କଥା କେବଳ ନୁହେଁ ବରଂ ଏ ଅବହେଳାକୁ ବୈଷମ୍ୟ ପର୍ଯ୍ୟାୟ ଭୁକ୍ତ ବି କରାଯାଇ ପାରେ ।
ଏଭଳି ଅବହେଳିତ ମୌଳିକ ବାଦ୍ୟ ଓ ବାଦ୍ୟ ଯନ୍ତ୍ରକୁ ସଂରକ୍ଷଣ କରିଆସିଥିବା ଏହି ଗଣା, ଡମ ତଥା ହାଡ଼ି ବଜନିଆ ମାନଙ୍କୁ ତଥା ଗୀତକୁଡିଆ ମାନଂକୁ ଏ ଭୟାବହ ମହାମାରୀର ଘଡିସନ୍ଧି ସମୟରେ ସାମାଜିକ ସ୍ତରରେ ବିଭିନ୍ନ ପ୍ରକାର ଆର୍ଥିକ ସହଯୋଗ ଓ ପ୍ରୋତ୍ସାହନ ଦେବା ସହ ସରକାରୀ ସ୍ତରରେ ମଧ୍ୟ ସ୍ୱୀକୃତି ମିଳିଲେ ଏ ପ୍ରାଚୀନ ପରଂପରା ଓ ସଂସ୍କୃତିକୁ ଉଚିତ୍ ସମ୍ମାନ ହେବା ସହ କଳାର ସଂରକ୍ଷଣ ହୋଇ ପାରିବ ।
(ଏ ସଂପର୍କରେ ଅଧିକ ତଥ୍ୟ ଜାଣିବାକୁ ହେଲେ ଲେଖକଙ୍କ “ଦଳିତ ସଂସ୍କୃତିର ଇତିହାସ” ବହି ପଢ଼ିବାକୁ ଅନୁରୋଧ ।)