ସ୍ୱାଧୀନତା ସଂଗ୍ରାମରେ ଗୀତ, ଲୋକଗୀତ, ଲୋକନାଟକର ଭୂମିକା

ଲୋକଗୀତ ଲୋକଙ୍କ ଆତ୍ମାର ବାଣୀ ହୋଇଥିବାରୁ ପୃଥିବୀର ପ୍ରତ୍ୟେକ ସ୍ୱାଧୀନତା ସଂଗ୍ରାମରେ ଏହା ଲୋକଙ୍କ ସହ କାନ୍ଧକୁ କାନ୍ଧ ମିଳାଇ ଠିଆ ହୋଇଛି ।

କୁମାର ହସନ
କୁମାର ହସନ 268 Views
38 Min Read

ଲୋକ ଗୀତ ଓ ଲୋକ ନାଟକ ଲୋକ ଜୀବନର ଏକ ଆନନ୍ଦମୟ ମୁହୂର୍ତ୍ତର ପରିପ୍ରକାଶ । ଏଥିରେ ଥାଏ ଖୁସି, ଦୁଃଖ, ଅଭାବ, ଅସୁବିଧା ସବୁରେ ହୃଦୟର କଥା ବସ୍ତୁ । ସେଥିପାଇଁ ଲୋକ ଗୀତ ଓ ଲୋକ ନାଟକ ପରି ମାଧ୍ୟମ ଗୁଡ଼ିକ ସ୍ଵାଧୀନତା ସଂଗ୍ରାମ ସମୟରେ ଲୋକ ଜାଗରଣ ପାଇଁ ଗୁରୁତ୍ତ୍ଵପୂର୍ଣ୍ଣ ସ୍ଥାନ ଗ୍ରହଣ କରିଥିଲେ । ଲୋକଙ୍କର ଭାଷା ଓ ଲୋକଙ୍କର ସଂସ୍କୃତିକୁ ବଞ୍ଚାଇରଖିଥିବା ଏହି ମାଧ୍ୟମକୁ ପଶ୍ଚିମ ଓଡ଼ିଶାରେ କେଉଁଭଳି ଜଗରଣର ବାର୍ତ୍ତା ପ୍ରଚାର ପ୍ରସାର କରିବାରେ ବ୍ୟବହାର କରଯାଇଥିଲା କିମ୍ବା ଲୋକ ନିଜେ ସେସବୁ ମାଧ୍ୟମକୁ ବ୍ୟବହାର କରିଥିଲେ ତାହାର ଏକ ବିଶ୍ଲେଷଣାତ୍ମକ ପ୍ରବନ୍ଧ ପ୍ରକାଶ କରିଥିଲେ କବି କୁମାର ହସନ । ଆମ ସହିତ ଏହି ବିଷୟରେ ସେ ଚର୍ଚ୍ଚା ମଧ୍ୟ କରିଥିଲେ । ତାଙ୍କର ସେହି ପ୍ରବନ୍ଧ ପୂର୍ବରୁ ପ୍ରକାଶିତ ହୋଇଥିଲେ ବି ସେ ସମଧ୍ୱନିରେ ଏହାକୁ ପ୍ରକାଶ କରାଯାଉ ବୋଲି ସେ ଆଗ୍ରହ ନେଇଥିଲେ। କବି କୁମାର ହସନ ଦାଦାଙ୍କର ଚାଲିଯିବା ପରେ ତାଙ୍ ସ୍ମୃତିରେ ଏହି ଲେଖାଟି ସମର୍ପିତ । – ସ୍ଵୟଂପ୍ରଭା (ମୁଖ୍ୟ ସମ୍ପାଦକ)

Support Samadhwani

ଗୀତ :

ସମ୍ବଲପୁର ସ୍ୱାଧୀନତା ସଂଗ୍ରାମ ପଛରେ ରହିଛି ଅନାଦି କାଳରୁ ଚଳି ଆସୁଥିବା ରାଜତନ୍ତ୍ର, ତା’ର ପ୍ରଜା ବିରୋଧୀ ଶାସନ ପ୍ରଣାଳୀ, ଇଷ୍ଟଇଣ୍ଡିଆ କମ୍ପାନୀ, ବ୍ରିଟିଶ ସରକାରଙ୍କ ଦୁଇଶହ ବର୍ଷବ୍ୟାପୀ ସାମ୍ରାଜ୍ୟବାଦୀ ଉପନିବେଶକ ବିଦେଶୀ ଶାସନ ବିରୋଧରେ ଅବରୁଦ୍ଧ ଓ କ୍ରମାଗତ ଜନ ଅଶାନ୍ତିର ତୀବ୍ର ବିସ୍ଫୋରଣ । ଏ ଯାତ୍ରା ରାଜତନ୍ତ୍ରରୁ ଗଣତନ୍ତ୍ରର ବିଜୟ ଯାତ୍ରା । ମୂଳତଃ ଦେଖିବାକୁ ଗଲେ ସାଧାରଣ ପ୍ରଜାକୁଳ ହିଁ ଏହି ଆନ୍ଦୋଳନର ମହାନାୟକ । ସମାଜର ସବା ତଳର ମଣିଷ, କୃଷକ, ଶ୍ରମଜୀବୀମାନଙ୍କ ଅର୍ଥନୈତିକ ବିପର୍ଯ୍ୟୟ, ପିଠିର ଶୋକ ଓ ପେଟର ଭୋକ ହିଁ ଜନୀଜୀବନରେ ଜୁଆର ଆଣିଥିଲା । ଏହାର ସ୍ପଷ୍ଟ ଚିତ୍ର ତତ୍କାଳୀନ ଗୀତ, ଲୋକଗୀତ ଓ ଲୋକନାଟକ ଆଦିରେ ଦେଖିବାକୁ ମିଳେ ।

ପ୍ରତିଷ୍ଠିତ କବି, ସାହିତ୍ୟିକଙ୍କ ଲେଖନୀ ସହିତ ଅପେକ୍ଷାକୃତ ସାଧାରଣ ଲୋକ ଜୀବନୀର ସତର୍କ ପ୍ରହରୀ କବି, ଲୋକକବି, ନାଟ୍ୟକାର, ନାଟକ ବିଷୟରେ ଏ ସଂପର୍କରେ ସାଧାରଣ ସୂଚନା ଦେବା ସମୀଚୀନ । ଜାଣିଶୁଣି ଏ ପ୍ରସଙ୍ଗରେ ପ୍ରତିଷ୍ଠିତ କାବ୍ୟକାରଙ୍କୁ ବାଦ୍ ଦିଆଯାଉଛି । ସେମାନଙ୍କ ପାଇଁ ଆଲୋଚନାର ପ୍ରଶସ୍ଥ କ୍ଷେତ୍ର ଓ ପରିସର ରହିଛି । ତେଣୁ ଅନାଲୋଚିତ କାବ୍ୟବିଭାବ ହିଁ ମୋର ପ୍ରତିପାଦ୍ୟ । ବହୁ ଲେଖା ସ୍ୱାଧୀନତା ସଂଗ୍ରାମ ସହ ହଜିଯାଇଛି । ଅଧିକାଂଶ ମୂଦିତ ଅକ୍ଷର ଦେଖିପାରି ନାହିଁ ।

ପ୍ରତ୍ୟେକ ଦେଶର ଜନଜାଗରଣ କ୍ଷେତ୍ରରେ ଗୀତ ମୁଖ୍ୟ ଭୂମିକା ନେଇଆସିଛି । ଆନ୍ଦୋଳନରେ, ଆନ୍ଦୋଳନ ପରବର୍ତ୍ତୀ ଜାତୀୟ ପତାକା ସହ ଜାତୀୟ ସଂଗୀତ ମଧ୍ୟ ଯେ କୌଣସି ଦେଶ ଓ ଜାତିର ଭତ୍ତୁଙ୍ଗ ପରିଚୟ । ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଆଜାଦ୍ ହିନ୍ଦ୍ ଫୌଜରେ ଜାତୀୟବାଦୀ ଗୀତ ଗାଇ ଗାଇ ବହୁ ସଂଗ୍ରାମୀ ଶହୀଦ୍ ହୋଇଛନ୍ତି । ମୃତ୍ୟୁ ପୂର୍ବରୁ ପ୍ରତ୍ୟେକ ଦେଶର ସ୍ୱାଧୀନତାପାଗଳ ଶହୀଦ୍ ମୁହଁରେ ସେ ଦେଶର ଜାତୀୟତାବାଦୀ ଗୀତ ଶେଷ ବେଳର ସାଥୀ ହୋଇ ରହିଥିଲା ।

Support Samadhwani

ଅସହଯୋଗ ଆନ୍ଦୋଳନରୁ ଭାରତଛାଡ଼ ଆନ୍ଦୋଳନ ଯାଏଁ, ଝଣ୍ଡା ଗୀତ ମୁକ୍ତି ସଂଗ୍ରାମୀମାନଙ୍କୁ ପାଗଳ କରି ଦେଇଥିଲା । ଅଧିକାଂଶ ସଂଗ୍ରାମୀ ଗୀତ ଗାଇବାରେ ଧୁରନ୍ଧର ଥିଲେ । ସେମାନେ ବିଭିନ୍ନ କବିଙ୍କ ବା ନିଜ ରଚନାରେ ଗୀତ ଗାଇ ସୁପ୍ତ ଜନସାଧାରଣଙ୍କୁ ସଚେତନ କରୁଥିଲେ ।

ପାଣିମୋରାର କବି ଦିବ୍ୟକିଶୋର ସାହୁ ଦେଶ ପ୍ରେମରେ ଉଦ୍‌ବୁଦ୍ଧ ହୋଇ ବିଦେଶୀ ଶାସନ ଓ ଶୋଷଣର ବିରୋଧ କରିଥିଲେ । ‘ସ୍ୱାଧୀନତା’, ‘ସ୍ୱରାଜ’, ‘ଅସହଯୋଗ’, ଅହିଂସା ଆଦି ପୁସ୍ତିକା ରଚନା କରି ତାକୁ କଟକ ପ୍ରେସ୍‌ରେ ଛପାଇ ବିତରଣ କରିଥିଲେ ।

୧୯୨୮ରେ ତାଙ୍କ କଟକ ମୁକୁର ପ୍ରେସ୍‌ରେ ମୁଦ୍ରିତ, ଭାରତ ଜୟଗାନ, ପୁସ୍ତିକାକୁ ସେ ମହାତ୍ମା ଗାନ୍ଧୀଙ୍କୁ ଉତ୍ସର୍ଗ କରିଥିଲେ ।

ସେହିପରି ସଂପ୍ରତି ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକର ରାଜସ୍ୱ ଗ୍ରାମ ରେମଡ଼ା, ବିଚ୍‌ଛେଦଗଡ଼ର ଗୌନ୍ତିଆ ପରିବାରର ବିଶିଷ୍ଟ କବି ସ୍ୱର୍ଗତଃ ମୌଲାନା ମୁସ୍ତକିମ ଖାଁ ମାଲଗୁଜାର ମଧ୍ୟ ପରାଧୀନ ଭାରତର ଡାକକୁ ଅଶୁଣା କରି ନ ଥିଲେ । ୧୯୩୮ରେ ସେ ଲେଖିଥିଲେ :

“ଆଜି ସାରା ଭାରତ, ବିପତି ମୁଖେ ହୋଇ ପତିତ ଯେ,

ପେଟକୁ ଦାନା ନ ମିଳଇ ସବୁରି

ଅଣ୍ଟାକୁ କନା ପାଇଁ ସଂପଦ ନ ଅଣ୍ଟଇ

ତା’ ପରେ ବନ୍ୟା ଶସ୍ୟ ରୋଗ ସର୍ବତ୍ର

ତଥି ଉପରେ ରାଜକର ବର୍ଦ୍ଧିତ ଯେ, ।”

 

“ତଦୁପରେ ଅନ୍ୟାୟ ପାଣ୍ଠି ଅସୁଲ

ହାହାରବେ ପ୍ରଜାଙ୍କ ଧ୍ୱନି ଉତ୍‌ଥିତ ଯେ

ମୁସ୍ତକୀ’ ଭାଇ ଇଷ୍ଟ ସୁଦୟା କର

କୃଷକ କୁଳ ଦୁଃଖୁ ହୋନ୍ତୁ ମୁକତ ଯେ,”

ଭାରତବାସୀଙ୍କ ଦୁର୍ଦ୍ଦଶାର କରୁଣ ଚିତ୍ର ତାଙ୍କ ‘କି ଦମ୍ଭ ଧରିବଟି ଭାରତବାସୀ’ କବିତାରେ ପ୍ରତିଭାତ । ସ୍ୱାଧୀନତା ସଂଗ୍ରାମ କାଳରେ ଯେଉଁମାନେ ନିଜକୁ ନିରାପଦ ଦୂରତ୍ୱରେ ରଖି ଅନାସକ୍ତ ଭାବରେ ରହି ଯାଇଥିଲେ, ସେମାନଙ୍କୁ ଲକ୍ଷ୍ୟ କରି ସେ ଲେଖିଥିଲେ :

“ଆଜି ବୀରଶୂନ୍ୟ ହୋଇଗଲା କ୍ଷିତି ।

ଯେଉଁ ଭାରତ ପରେ, ବୀରଙ୍କ ପ୍ରତାପରେ

ଉଦୟ ଥିଲା ଦିନରାତି ।

ମହାମହା ମଲ୍ଲ ଥିଲେ ଯେବଣ ଭାରତେ

ନାହିଁ କି ତାଙ୍କ ପୁତ୍ର ନାତି ।

ଦାସ ହୋଇଲେ କି ଜ୍ଞାନେ, ଭୂପତି ନନ୍ଦନେ

ଲଜ୍ୟା ନରଖି ଏକ ରତି ।

ରଚକ ମୁସ୍ତକୀ’ ଭାଷେ, ଦୁଃଖୀଙ୍କ ନିଶ୍ୱାସେ

ବିଭ୍ରମ ହୋଇଲା କି ମତି ।

 

ସ୍ୱଦେଶୀ ଆନ୍ଦୋଳନ, ଖଦୀ ଆନ୍ଦୋଳନ, ପଞ୍ଚାୟତ ରାଜକୁ ସମର୍ଥନ କରି ମୁସ୍ତକିମ ଲେଖିଥିଲେ :

“ସ୍ୱଦେଶୀ ବ୍ୟବହାର ଭଲ

ଜନେ ଛାଡ଼ ବିଦେଶୀ ମାଲ ଚାଲ ।

ତୂଳା ଅତୂଳ କର ଅମଳ

ସୁଖରେ କଟିଯିବ କାଳ ।

ରଖି ଚରଖା, କାନ୍ତିଣ କପା

ସେ ବାସ କର ବ୍ୟବହାର ।

ନ ହୁଅ କଳି, ଥାଅ ହେ ମିଳି

ଖରଚ କଚେରୀ ଜଂଜାଳ

ପଞ୍ଚେ ଗ୍ରାମର, ନିଷ୍ପତ୍ତି କର

ଭାଷେ ମୁସ୍ତକୀ କବି ବାଲ ।

ସ୍ୱାଧୀନତା ସଂଗ୍ରାମୀ ଦୁର୍ଗାପ୍ରସାଦ ଗୁରୁ ଜଣେ ସଫଳ କବି ସାଙ୍ଗକୁ ଗାୟକ ମଧ୍ୟ ଥିଲେ । ବ୍ରଜରାଜନଗର କାଗଜ କଳର ଏହି ଶ୍ରମିକ ସଙ୍ଗଠକଙ୍କ ଏକ କବିତା ବହି ୧୯୪୧ରେ ‘ବିପ୍ଲବ ଝଙ୍କାର’ ନାମରେ ପ୍ରକାଶ ପାଇଥିଲା ।

ସମଲେଇପଦରର ତୂଳସୀରାମ ଗିରି ପାଣିମୋରାର ଏକ ସାଧାରଣ ସଭାରେ କବି ଖଗେଶ୍ୱର ଶେଠଙ୍କର ‘ଆମେ ଗରୀବ କାହିଁକି’ ଗୀତ ଆବୃତ୍ତି କରି ଚାରି ମାସ ବିଚାରାଧୀନ ବନ୍ଦୀ ରହି ତିନି ମାସ କାରାଦଣ୍ଡ ଭୋଗ କରିଥିଲେ । କେବଳ ଗୀତ ଗାଇ ସ୍ୱାଧୀନତା ସଂଗ୍ରାମୀ ଭାବରେ ଜେଲଦଣ୍ଡ ଭୋଗିବାରେ ସେ ଥିଲେ ଜିଲାର ପ୍ରଥମ ବ୍ୟକ୍ତି ।

ବରଗଡ଼ର ଧନପତି ପଣ୍ଡା ‘ଭାରତଛାଡ଼’, ବିଦେଶୀ ବସ୍ତ୍ର ବର୍ଜନ’ କବିତା ମାଧ୍ୟମରେ ଇଂରେଜ ସରକାରଙ୍କ ଅକଥନୀୟ ଅନାଚାର, ଅତ୍ୟାଚାରର ଚିତ୍ରଣ କରିଥିଲେ ।

ସଂଗ୍ରାମୀ କବି ପ୍ରଫୁଲ୍ଲ ପଟ୍ଟନାୟକ ହିନ୍ଦୀରେ ଅନେକ କାବ୍ୟ ସଂଗ୍ରହ ରଚନା କରି ଭାରତର ସ୍ୱାଧୀନତା ଆନ୍ଦୋଳନକୁ ସମୃଦ୍ଧ କରିଛନ୍ତି । ଲକ୍ଷ୍ମୀନାରାଣ ମିଶ୍ର ଅନେକ ଗୀତ, କବିତା ରଚନା କରିବା ସହ ‘ଗୀତ ଓ କୁରାନ୍‌’ ଓ ବିଦ୍ୟାପତିଙ୍କ ରଚନା ଅନୁବାଦ ତାଙ୍କ ଅନବଦ୍ୟ କୃତି । ଝାରସୁଗୁଡ଼ାର ବିହାରୀରାମ ତନ୍ତୀ ସ୍ୱାଧୀନତା ଆନ୍ଦୋଳନକୁ କେନ୍ଦ୍ରକରି ଅନେକ ଗୀତ ରଚନା କରି ଗାନ କରୁଥିଲେ । ଲୋକଙ୍କୁ ମନମୁଗ୍ଧ କରିବାର ଶକ୍ତି ଥିଲା ତାଙ୍କର ।

ସମଲେଇପଦରର ରାମଚନ୍ଦ୍ରପୁରି ଗାଁରେ ସଞ୍ଚାର ନୃତ୍ୟ ଓ ଗୀତିନାଟ୍ୟ ଦଳ ଗଠନ କରି ଗ୍ରାମ୍ୟର ଏକତା ରକ୍ଷା କରିବା ସହ ତାଙ୍କ ଦଳକୁ ସ୍ୱାଧୀନତା ସଂଗ୍ରାମରେ ସଂଶ୍ଳିଷ୍ଟ କରାଇ ପାରିଥିଲେ । ତାଙ୍କ ପ୍ରଚେଷ୍ଟାରେ ଗାଁରେ ୯ ଜଣ ସ୍ୱାଧୀନତା ସଂଗ୍ରାମରେ ଯେଗାଦାନ କରିଥିଲେ ।

କେତେକ ମୁକ୍ତି ପିପାସୁ ରଙ୍ଗକର୍ମୀ ବରଗଡ଼ର ପୃଥିବୀର ବୃହତ୍ତମ ଖୋଲାମଞ୍ଚ ଥିଏଟର ‘ଧନୁଯାତ୍ରା’କୁ ସ୍ୱାଧୀନତା ସଂଗ୍ରାମର ପ୍ରତୀକାତ୍ମକ ମଞ୍ଚ ରୂପେ ବ୍ୟବହାର କରିଥିଲେ । ୧୯୧୫-୧୬ରୁ ବନ୍ଦ ରହିଥିବା ଧନୁଯାତ୍ରା ୧୯୩୨-୩୩ ବାଉରୀବନ୍ଧୁ ମହାନ୍ତି, କଂଗାଲୀ ନାୟକ, ଗୋପାଳ ସରଫ, ରେଙ୍ଗୁଟୁ ଗଡ଼ିଆ, କୁଂଜବିହାରୀ ସରାଫ ଆଦିଙ୍କ ଉଦ୍ୟମରେ ପୁନରାରମ୍ଭ ହେଲା ମାତ୍ରକେ ସେମାନଙ୍କ ଏ କାର୍ଯ୍ୟକଳାପ ବିରୁଦ୍ଧରେ ଗିରଫ ପରୁଆନା ଜାରି ହୋଇ ଯାଇଥିଲା । ଫଳରେ ଏହା ପୁଣି ବନ୍ଦ ହୋଇ ଯାଇଥିଲା ।

ପରେ ଏହା ଭାରତଛାଡ଼ ଆନ୍ଦୋଳନ ସମୟରେ ପୁଣି ଆରମ୍ଭ କରାଯାଇଥିଲା । ମୁକ୍ତିପାଗଳ ରଙ୍ଗକର୍ମୀମାନେ କଂସର ଅତ୍ୟାଚାର ମାଧ୍ୟମରେ ଇଂରେଜ ସରକାର, ତାର ପଦଲେହନକାରୀ ରାଜତନ୍ତ୍ର, ସାମନ୍ତବାଦୀ ଶୋଷଣକୁ ନିପୂଣ ଅଭିନୟ ମାଧ୍ୟମରେ ପ୍ରତୀକାତ୍ମକ ଭାବରେ ଚିତ୍ରଣ କରି ଜନସାଧାରଣଙ୍କ ଅବଦମିତ ଅସନ୍ତୋଷ ଓ କ୍ରୋଧକୁ ରୂପ ଦେଇଥିଲେ । ଗାନ୍ଧୀଜୀ ରାମରାଜ୍ୟର ସ୍ୱପ୍ନରେ ମଜଗୁଲ ଥିଲାବେଳେ ଏମାନେ କୃଷ୍ଣରାଜ୍ୟର ସ୍ୱପ୍ନରେ ବିଭୋର ଥିଲେ । ଏହା ଏ ଅଞ୍ଚଳର ଆଞ୍ଚଳିକ ଐକ୍ୟକୁ ବାନ୍ଧି ରଖି କଳାକାର ସମବାୟର ଏକ ଉତ୍କୃଷ୍ଟ ନମୂନା ଥିଲା । ସ୍ୱଦେଶୀ କଳା, ସଂସ୍କୃତିର ସଂଗମ ଥିଲା ।

ବିଭିନ୍ନ ଲୀଳା, ଗୀତାଭିନୟ, ଯାତ୍ରା, ସୁଆଙ୍ଗ ଆଦିର ଅତ୍ୟାଚାରୀ ଦାନବ ଚରିତ୍ର ବସ୍ତୁତଃ ରାଜକୀୟ ଅତ୍ୟାଚାରକୁ ଆଖିରେ ରଖି ପ୍ରସ୍ତୁତ କରାଯାଉଥିଲା । ମନୋରଂଜନ ମାଧ୍ୟମରେ ଜନସଚେତନା ସୃଷ୍ଟି କରି ତାକୁ ସ୍ୱାଧୀନତା ସଂଗ୍ରାମ ଦିଗରେ ମୁହାଁଇବା ଏ ଗୁଡ଼ିକର ପ୍ରଚ୍ଛନ୍ନ ଉଦ୍ଦେଶ୍ୟ ରହିଥିଲା । ଲୋକେ ଏସବୁ ଦେଖି ଚିନ୍ତା କରିବାର ଖୋରାକ ପାଉଥିଲେ । ଏ ଚିନ୍ତା ସେମାନଙ୍କୁ ମୁକ୍ତିପଥର ଯାତ୍ରୀ ହେବାର ପ୍ରେରଣା ଯୋଗାଉଥିଲା ।

ଲୋକଗୀତ :

ଲୋକଗୀତ ଲୋକଙ୍କ ଆତ୍ମାର ବାଣୀ ହୋଇଥିବାରୁ ପୃଥିବୀର ପ୍ରତ୍ୟେକ ସ୍ୱାଧୀନତା ସଂଗ୍ରାମରେ ଏହା ଲୋକଙ୍କ ସହ କାନ୍ଧକୁ କାନ୍ଧ ମିଳାଇ ଠିଆ ହୋଇଛି । ଭାରତ ବା ପଶ୍ଚିମାଞ୍ଚଳର ସମ୍ବଲପୁର ତାର ବ୍ୟତିକ୍ରମ ନୁହେଁ । ସମ୍ବଲପୁରୀ ଲୋକଗୀତ ସମୂହର ଛତ୍ରେ ଛତ୍ରେ ଭାରତୀୟ ସ୍ୱାଧୀନତା ସଂଗ୍ରାମର ଚିତ୍ର ଦେଖିବାକୁ ମିଳେ ।

ସ୍ୱାଧୀନତା ସଂଗ୍ରାମ ଗୋଟିଏ ଦେଶର ରାଜନୈତିକ ମୁକ୍ତି ସଂଗ୍ରାମ ହୋଇଥିଲା ବେଳେ ଲୋକଗୀତ ସର୍ବ ଅମଙ୍ଗଳ ଓ ଅନାଚାରରୁ ମୁକ୍ତିକାମୀ ଆତ୍ମାର ଅମର ସମର ଗୀତିକା । ରାଜନୈତିକ ତରକାମାନଙ୍କ ଅଗ୍ନିବର୍ଷୀ ଉଦ୍‌ଗାର ଗଣଜୀବନର ସ୍ୱତଃସ୍ଫୂର୍ତ୍ତି ଦୀର୍ଘ ପ୍ରଭାବକାରୀ ଗୁଞ୍ଜରଣ । ଏ ଆତ୍ମାର ଗୀତ ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଗ୍ରାମ ଓ ବନାଞ୍ଚଳବାସୀ ସମାଜର ଶତକଡ଼ା ୭୦ ରୁ ୮୦ ଭାଗ ବଞ୍ଚିତ ଓ ଗରୀବ ଲୋକଙ୍କୁ ଐକ୍ୟବଦ୍ଧ ଓ ଅନୁପ୍ରେରିତ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରି ଆସିଛି । ସଞ୍ଚାର ସାଧନର ସୁଯୋଗ ନ ଥିଲା ବେଳେ ଏକ ନିରନ୍ତର ବିସ୍ତୃତ ଓ ସୁଦୂର ପ୍ରସାରୀ ସନ୍ଦେଶ ଭାବରେ ବିଭିନ୍ନ ଅଞ୍ଚଳକୁ ଏକ ସଂଗ୍ରାମ ସୂତ୍ରରେ ବାନ୍ଧିଛି । ଏ ମୁହଁରୁ ସେ ମୁହଁ, ଏ କାନରୁ ସେ କାନ ହୋଇ ସର୍ବବ୍ୟାପୀ ହୋଇଛି ଲୋକଗୀତ ।

ସମ୍ବଲପୁର ଅଞ୍ଚଳ ଏମିତି ଏକ ଅଞ୍ଚଳ ଯେଉଁଠି ୧୮୫୭ର ପ୍ରଥମ ସ୍ୱତନ୍ତ୍ରତା ସଂଗ୍ରାମର ତିନିଦଶକ ଆଗରୁ ଭାରତର ଆଦି ମୁକ୍ତି ସଂଗ୍ରାମ ଆରମ୍ଭ ହୋଇଥିଲା ଓ ସମଗ୍ର ଦେଶର ଅବଦମିତ ହେବାର ୭ ବର୍ଷ ପରେ ମଧ୍ୟ ଜାତୀୟବୀର ସୁରେନ୍ଦ୍ର ସାଏ ଏ ଅଞ୍ଚଳରେ ସଶସ୍ତ୍ର ବିପ୍ଲବର ବହ୍ନି ସ୍ଫୁଲିଙ୍ଗକୁ ପ୍ରଜ୍ଜଳିତ କରି ରଖିଥିଲେ । ଭାରତର ଅନ୍ୟତମ ପ୍ରଥମ ସ୍ୱତନ୍ତ୍ରତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏ ଏ ମାଟିର ବଣପାହାଡ଼ରେ ନିଜର ଘାଟି ପ୍ରତିଷ୍ଠା କରି ସୂର୍ଯ୍ୟାସ୍ତ ହେଉ ନ ଥିବା ବ୍ରିଟିଶ ଶାସନ ଓ ସାମ୍ରାଜ୍ୟବାଦ ବିରୁଦ୍ଧରେ ଫୁଙ୍କିଥିବା ପ୍ରଥମ ଋଣସିଂଘାର ନିନାଦ ଏବେ ମଧ୍ୟ ଲୋକଗୀତରେ ମୁଖରିତ ।

୧୮୫୭ ସ୍ୱାଧୀନତା ସଂଗ୍ରାମରେ ଘେଁସ ଜମିଦାର ପରିବାରର ମାଧୋ ସିଂହ, ହଟ୍ଟେ ସିଂହ, କୁଞ୍ଜଳ ସିଂହ, ବୈରୀ ସିଂହ, ଐରୀ ସିଂହ, ନାରାୟଣ ସିଂହ, ଗୋବିନ୍ଦ ସିଂହ, ପୁନିମାଙ୍କ ସମେତ ଛବିଳ ସାଏ, ଉଜ୍ଜଳ ସାଏ, ଉଦନ୍ତ ସାଏ, ଧ୍ରୁବ ସାଏ, ମେଦିନୀ ସାଏ, ମିତ୍ରଭାନୁ ସାଏ, ବଳରାମ ସିଂହ, ଗଜରାଜ ସିଂହ, ନୀଳାମ୍ବର ସିଂହ, ଲୋକନାଥ ଗଡ଼ତିଆ, କରୁଣାକର ଗଡ଼ତିଆ, କୃପାସିନ୍ଧୁ ବେହେରା, ମୋହନ ସିଂହଦେଓ, ବଳଭଦ୍ର ସିଂହଦେଓ, କମଳ ସିଂହ, ଜଗବନ୍ଧୁ ହୋତା, ଶ୍ରଦ୍ଧାକର ମଲ୍ଲିକ, ମୃତ୍ୟୁଞ୍ଜୟ ପାଣିଗ୍ରାହୀ, ପଦ୍ମନାଭ ଗୁରୁ, ବବା ମିଟୁ କୁଅଁର, ନନ୍‌ହେଁ ଦିୱାନ, ଦିଆଲ ସରଦାର, ଧରଣୀଧର ମିଶ୍ର, ଶାଲେଗ୍ରାମ ବେରିହା, କାନକଟା ଗଡ଼ତିଆ ପ୍ରମୁଖ ବ୍ରିଟିଶ ସରକାର ସହ ସମ୍ମୁଖ ଯୁଦ୍ଧରେ ସହିଦ ହୋଇଥିଲେ । ସୁରେନ୍ଦ୍ର ସାଏ ମଧ୍ୟପ୍ରଦେଶର ଅସିରଗଡ଼ ଜେଲରେ ପ୍ରାଣପାତ କରିଥିବା ବେଳେ ଘେଁସର ହଟ୍ଟେ ସିଂହ ହେଉଛନ୍ତି ଏକମାତ୍ର ଓଡ଼ିଆ, ଯିଏ ଆଣ୍ଡାମାନର ସେଲୁଲାର ଜେଲରେ କଳାପାଣି ଭୋଗିବା ଅବସ୍ଥାରେ ଅତି ଦୟନୀୟ ଭାବରେ ମୃତ୍ୟୁ ବରଣ କରିଥିଲେ । ଇତିହାସର ଅନ୍ଧାରୀ ଗୁହା ଭିତରେ ଏମାନଙ୍କ ଓ ଏମାନଙ୍କ ପରି ବହୁ ଜାତି, ଦେଶପ୍ରାଣମାନଙ୍କ ପ୍ରାଣବଳି ହଜି ଯାଉଥିଲା ମାନଙ୍କ ଝଲକ ଏବେ ବି ବିଦ୍ୟମାନ, ଅବଶ୍ୟ ଭାରତରେ ଆଧୁନିକ ସଭ୍ୟତାର ସଂକ୍ରମଣ ଫଳରେ ଯାହା ଅଛି ତାହା ମଧ୍ୟ ଦ୍ରୁତ ବିଲୀୟମାନ ।

ପାହାଡ଼ ଅରଣ୍ୟଘେରା, ପ୍ରାକୃତିକ ସମ୍ପଦଭରା ପଶ୍ଚିମାଞ୍ଚଳରେ ସ୍ୱାଧୀନତା ସଂଗ୍ରାମ ହେଉ କି ମହାତ୍ମା ଗାନ୍ଧୀଙ୍କ ଅହିଂସା ଅସହଯୋଗ ଆନ୍ଦୋଳନ ହେଉ ଏ ଅଞ୍ଚଳର ମାଟିପୁତ୍ରମାନଙ୍କ ପଟାନ୍ତର ନାହିଁ । ଆଜି ଠୁଁ ୧୭୩ ବର୍ଷ ତଳେ ସୁରେନ୍ଦ୍ର ସାଏ ତାଙ୍କ ସଂଗ୍ରାମକୁ ସମ୍ବଲପୁରରୁ ମଧ୍ୟପ୍ରଦେଶର ରାୟପୁର ଯାଏଁ ସମ୍ପ୍ରସାରିତ କରଥିଲା ବେଳେ ଅବିଭକ୍ତ ସମ୍ବଲପୁରର ପ୍ରଫୁଲ୍ଲଚନ୍ଦ୍ର ପଟ୍ଟନାୟକ ୧୯୪୧ର ଅଗଷ୍ଟ ବିପ୍ଲବ ବେଳେ ବିହାରର ଦୁମ୍‌କା, ସାନ୍ତାଳ ପ୍ରଗଣାରେ ପାହାଡ଼ିଆମାନଙ୍କ ସଙ୍ଗେ ମିଶି ସଶସ୍ତ୍ର ସଂଗ୍ରାମର ନେତୃତ୍ୱ ନେଇଥିଲେ । ସୁରେନ୍ଦ୍ର ସାଏଙ୍କ ମୁକ୍ତି ମଶାଲ ଏ ଅଞ୍ଚଳର ନୃସିଂହ ଗୁରୁ, ପଣ୍ଡିତ ଘନଶ୍ୟାମ ପାଣିଗ୍ରାହୀ, ଲକ୍ଷ୍ମୀ ନାରାୟଣ ମିଶ୍ର, ଜମ୍ବୁବତୀ ଦେବୀ, ଚିନ୍ତାମଣି ପୂଜାରୀ, ବିହାରୀରାମ ତନ୍ତୀ, ଦୟାନନ୍ଦ ଶତପଥୀ, ଭାଗିରଥୀ ପଟ୍ଟନାୟକ ପ୍ରମୁଖ ବିଶିଷ୍ଟ କଂଗ୍ରେସ ସ୍ୱାଧୀନତା ସଂଗ୍ରାମୀଙ୍କୁ ଯେ କେବଳ ଆଲୋକିତ କରିଥିଲା ତା’ ନୁହେଁ ବରଗଡ଼ରେ ପାଣିମୋରା ଭଳି ସ୍ୱାଧୀନତା ସଂଗ୍ରାମୀ ଗାଁକୁ ମଧ୍ୟ ଜନ୍ମ ଦେଇଥିଲା ।

ସମ୍ବଲପୁରୀ ସଜନୀ, ରସରକେଲି, ଡାଲଖାଇ, ମାଏଲାଜଡ଼, ହୁମୋବଉଲି, ହଲିଆ ଗୀତ, ଲହକି ଆଦି ଲୋକଗୀତ ଏ ଅଞ୍ଚଳରେ ବିଦେଶୀ ଶାସନ ବିରୁଦ୍ଧରେ ନିରନ୍ତର କ୍ଷୋଭ, ଘୃଣା, ଅଶାନ୍ତିକୁ ନିଜ ଭିତରେ ସମାହିତ କରିବା ସହ ତତ୍କାଳୀନ ସାମାଜିକ, ଅର୍ଥନୈତିକ, ପ୍ରଶାସନିକ ଦୁରବସ୍ଥା ଓ ଅତ୍ୟାଚାରର ଖୋଲା ଚିତ୍ରଣ କରି ପ୍ରତିରୋଧର ଭୂମିକା ଗ୍ରହଣ କରିଥିଲା ଓ ଲୋକଙ୍କୁ ସଂଗ୍ରାମମୁଖୀ କରି ତୋଳିଥିଲା । କେବଳ ବ୍ରିଟିଶ ପ୍ରଶାସନ ନୁହଁ ସେମାନଙ୍କ ବଚସ୍କର ରାଜା, ଜମିଦାର, ମାଲଗୁଜାର, ଗୌନ୍ତିଆ, ବିରତିଆ ଆଦିଙ୍କ ବିରୁଦ୍ଧରେ ମଧ୍ୟ ଅଗ୍ନିମୁଖ ହୋଇଥିଲା ।

ସଜନୀରେ ସ୍ୱାଧୀନତା ସଂଗ୍ରାମ:

ବୀର ସୁରେନ୍ଦ୍ର ସାଏଙ୍କ ଶକ୍ତି ଓ ବୀର ବିକ୍ରମରେ ପ୍ରେମ ପ୍ରଣୟର ଗୀତ ‘ସଜନୀ’ ଜାତିପ୍ରେମର ଗୀତରେ ଉଦ୍‌ବୁଦ୍ଧ ହୋଇ ସମ୍ବଲପୁରୀ ସ୍ୱାଭିମାନର ଜୀବନ୍ତ ପ୍ରତିଭୂରେ ପରିଣତ ହୋଇଥିଲା । ଶକ୍ତି ଓ ବୀରପୂଜା ଏ ଅଞ୍ଚଳର ସହଜାତ ଆଦିମ ପରମ୍ପରା । ଶକ୍ତିର ଦେବୀ ମା ସମଲେଶ୍ୱରୀଙ୍କ ମାଟିର ପୁତ୍ରମାନଙ୍କ କାନ୍ଧରେ ସଜନୀ ବନ୍ଧୁକ ଧରାଇ ଦେଇଥିଲା ।

“ସାଏକଲର ଯୁଡ଼ା ଚକ

ହାତେ ଚକମକ୍‌, ଖନ୍‌ଧେଁ ବନ୍ଧୁକରେ

ସଥେ, ସମଲପୁରିଆ ଲୋକ, ସଜନୀରେ…”

ଯେଉଁମାନେ ନିଶହୀନ, ଯେଉଁ ପୁରୁଷମାନଙ୍କର ‘ମେଚ୍ଛା’ ନାହିଁ, ନିଶର ସ୍ୱାଭିମାନ ନାହିଁ, ସେମାନଙ୍କ ‘ସଜନୀ’ ତାଚ୍ଛଲ୍ୟ କରି ହଳରେ ଯୋଚି ଯୋଗ୍ୟ ବଳଦ ସହ ତୁଳନା କରିଛି –

“କୁଲିହା ଗାଡ଼ର ହଦ

ମୁହେଁ ମେଚ୍ଛା ନାଇଁ କାଏଁ ମରଦ ହୋ

ସତେ, ଗହଲ ଫନ୍ଦା ବଳଦ, ସଜନୀରେ…”

ଏ ବୀରବିକ୍ରମରେ ନାରୀମାନେ ମଧ୍ୟ ପଛରେ ନାହାନ୍ତି । ଘେଁସ ଜମିଦାର ପରିବାରର ଝିଅ ପୁନିମା (ପୂର୍ଣ୍ଣିମା) ଶହୀଦ ପରିବାରର ଦୁଃଖାନଳରେ ଜଳି ଜଳି ଶହିଦ ହେଲା ପରେ ସମ୍ବଲପୁରୀ ନାରୀ ମଧ୍ୟରେ ବି’ ତାର ସ୍ୱାଭିମାନ ଫୁଟି ଉଠିଛି ।

“ଆଲିରେ ଦୁଇ ବୁନ୍ଦା ଘିଅ

ଆମେ ଚାଲିଗଲେ ନାଇଁ ହଲେ ଦିହରେ

ସଥେ, ସମଲପୁରିଆ ଝିଅ, ସଜନୀରେ…”

ବିଦେଶୀ ଶାସନ ଅମଳରେ ଯେଉଁ ଗୌନ୍ତିଆ, ଜମିଦାରମାନେ ନିଜ ସ୍ୱାର୍ଥ ସାଧନ ଲାଗି ଦେଶଦ୍ରୋହିତା କରି ଇଂରେଜ ସରକାର ପଦଲେହନ କଲେ, ‘ସଜନୀ’ ସେମାନଙ୍କ ପ୍ରତି ତୀବ୍ର ଘୃଣାରେ ଜର୍ଜରିତ :

“ବାଏଗନ ତରକାରୀ

ଗାଁର ଗଉଁତିଆ ପରଦୁଆରୀ ହୋ

ସଥେ, ଗାଁ ହେଲା ସରକାରୀ, ସଜନୀରେ…”

୧୮୪୯ ମସିହାରେ ସମ୍ବଲପୁର ମହାରାଜା ନାରାୟଣ ସିଂହ ଅପୁତ୍ରିକ ଅବସ୍ଥାରେ ପରଲୋକ ଗମନ କରିବାରୁ ସମ୍ବଲପୁର ରାଜ୍ୟସ୍ୱତ୍ତ୍ୱଲୋପ ନୀତି ଅନୁସାରେ ବ୍ରିଟିଶ ଶାସନାଧିନ ହେଲା । ବହୁ ଗୌନ୍ତିଆ ଜମିଦାର ହୀନ ସ୍ୱାର୍ଥ ପାଇଁ ବିଦେଶୀ ସରକାର ଆଗରେ ପଗଡ଼ି ବିକି ଦେଲେ । ନାରାୟଣ ସିଂହଙ୍କ ପୋଷ୍ୟପୁତ୍ର ତଥା ସମ୍ବଲପୁର ସିଂହାସନର ଉତ୍ତରାଧିକାରୀ ସୁରେନ୍ଦ୍ର ସାଏ ସେତେବେଳକୁ ଦେଶଦ୍ରେରହୀ ରାମପୁର ଜମିଦାର ଦରିଆର ସିଂହଙ୍କୁ ହତ୍ୟାକରି ହଜାରୀବାଗ ଜେଲରେ ଥାନ୍ତି । ସେ ସମୟରେ ଚିତ୍ର ଦେଇ ‘ସଜନୀ’ ଗାଇଛି :

“ହଳଦି ଦୁଇ ଖଁଡ଼ ଗଜା

ସମଲପୁରରେ ନାଇଁନ ରଜା ହୋ

ସଥେ, ପିରିଙ୍ଗି ମାରୁଛେ ମଜା ସଜନୀରେ…”

ବିଶ୍ୱାସଘାତୀ, ଦେଶଦ୍ରୋହୀ ରାଜାମାନଙ୍କୁ ସେମାନଙ୍କ ରାଣୀ ମଧ୍ୟ କ୍ଷମା କରି ନାହାନ୍ତି :

“କଲିଆ ଘୁଡ଼ାର ଟାପୁ

ରଜା ବିଜେ କଲେ ଗାଙ୍ଗପୁରକୁରେ

ଧନ, ରାନୀ ଖାଇ ଦେଲେ ଆଫୁ, ସଜନୀରେ…”

ଲହକୀ ଗୀତରେ ସୁରେନ୍ଦ୍ର-ସଂଗ୍ରାମ

ଲହକୀ ହେଉଛି ବିଞ୍ଝାଲମାନଙ୍କ ବୀରରସାଶ୍ରିତ ବିବାହ ଗୀତ । ଘେଁସ ଜମିଦାର ମାଧୋ ସିଂହ ଥିଲେ ସୁରେନ୍ଦ୍ରଙ୍କ ଘନିଷ୍ଠ ସହଯୋଗୀ । ସେ ଥିଲେ ପ୍ରବଳ ସ୍ୱାଧୀନଚେତା । ମରହଟ୍ଟା ଓ ଇଂରେଜମାନଙ୍କୁ ଦସ୍ୟୁ ବୋଲି ସେ ତୀବ୍ର ଘୃଣା କରୁଥିଲେ । ୧୮୪୯ରେ ସମ୍ବଲପୁର ଗୌନ୍ତିଆ ଓ ଜମିଦାରମାନଙ୍କ ଦେୟ ୮୮୦୦ ଥିଲା ବେଳେ ୧୮୫୪କୁ ଏହା ୭୪,୦୦୦ ଟଙ୍କାକୁ ବୃଦ୍ଧି କରାଯାଇ ସେମାନଙ୍କୁ ଖୋଦ୍ ସମ୍ବଲପୁର ଆସି ଖଜଣା ପଇଠ କରିବାକୁ ଚିଫ୍ କମିଶନରଙ୍କ ନିର୍ଦ୍ଦେଶକୁ ସେ ଅବମାନନା କଲେ । ପ୍ରଜାଙ୍କ ଉତ୍ପାଦିତ ସମ୍ପଦକୁ ଖଜଣା ରୂପରେ ଗ୍ରହଣ କରି ବିଳାସବ୍ୟସନର ଜୀବନକୁ ସେ ନା ପସନ୍ଦ କରୁଥିଲେ । ନିଜେ ସାଧାରଣ ପ୍ରଜାର ଜୀବନଯାପନ କରିବା ଥିଲା ତାଙ୍କ ବଂଶ ପରମ୍ପରା । ଏ ଅହେତୁକ ଖଜଣା ବୃଦ୍ଧି ତାଙ୍କୁ ଘୃଣାକୁ ଆହୁରି ଶାଣିତ କଲା । ସେ ଇଂରେଜମାନଙ୍କୁ ‘ବେନ୍ଦରା’ (ମାଙ୍କଡ଼) ବୋଲି କହୁଥିଲେ । ସେମାନଙ୍କ ବିରୁଦ୍ଧରେ ସେ ସଶସ୍ତ୍ର ସଂଗ୍ରାମ କଲେ : ହଟ୍ଟେ ସିଂହ, କୁଞ୍ଜଲ ସିଂହ ତାଙ୍କ ପିତାଙ୍କ ପଦାଙ୍କ ଅନୁସରଣ କଲେ :-

“ହାତୀସିଂହ କୁଞ୍ଜଲ ସିଂହ କାନ୍ଧରେ ଦୁହେଁ ଜୁଲି

ବେନ୍ଦ୍‌ରାମାନ୍‌ରେ ମାରିଦେଲେ

ଆଏଁଖ ଚହଟା ଗୁଲି”

ଅକ୍ଟୋବର ୭, ୧୮୫୭ ଦିନ ସମ୍ବଲପୁରରେ ବିପ୍ଲବୀମାନେ ବ୍ରହ୍ମପୁର ମନ୍ଦିରରେ ପ୍ରଦୀପ ଜାଳି ଇଂରେଜମାନଙ୍କୁ ଦେଶରୁ ତଡ଼ିବା ପାଇଁ ଓ ସୁରେନ୍ଦ୍ରଙ୍କୁ ଗାଦି ଦିଆଇବା ପାଇଁ ବଜ୍ରଶପଥ ନେଇ ବିନା ରକ୍ତାପାତରେ ପୁରୁଣା କିଲା ଦଖଲ କଲେ । ପରେ କୁଟନୀତିର ଆଶ୍ରୟ ନେଇ ଇଂରେଜ କମିଶନର ଆର୍‌.ଟି.ଲେ ଛକଡ଼ି ମହାପାତ୍ରଙ୍କ ସାହାଯ୍ୟରେ ସୁରେନ୍ଦ୍ରଙ୍କ ସହ ସନ୍ଧି କଲେ । ସୁରେନ୍ଦ୍ର ବିପ୍ଲବ କିଛି ଦିନ ପାଇଁ ବନ୍ଦ ହେଲା । ଏ ଅବସରରେ ଇଂରେଜମାନେ ନାଗପୁର, ମାନ୍ଦ୍ରାଜ ଆଦିରୁ ଅଧିକ ସୈନ୍ୟ ସଂଗ୍ରହରେ ଲାଗିଲେ । ଇତିମଧ୍ୟରେ ଦିନେ ବିପ୍ଲବୀମାନେ ନିରସ୍ତ୍ର ହୋଇ ମହାନଦୀରେ ସ୍ନାନ କଲାବେଳ ବିଟ୍ରିଶ ପକ୍ଷରୁ ଅତର୍କିତ ଆକ୍ରମଣ ହେଲା । ବିପ୍ଲବୀମାନେ ପଳାଇ ବୁଢ଼ାରଜା ପାହାଡ଼ରେ ଏକତ୍ରିତ ହୋଇଥିଲା ବେଳେ ଲେଫ୍ଟିନାଣ୍ଟ ହେଡ଼ୋସନ ମାନ୍ଦ୍ରାଜ ଦେଶୀୟ ପଦାତିକ ବାହିନୀ ଓ ରାମଗଡ଼ ଏବଂ ସମ୍ବଲପୁର ବାହିନୀ ନେଇ ଆକ୍ରମଣ କଲେ । ସେନାବାହିନୀର ବିପ୍ଲବୀମାନେ ସମ୍ବଲପୁରକୁ ପ୍ରବେଶ ପଥ ଅବରୋଧ କରିବାକୁ ବିଭିନ୍ନ ଘାଟିରେ ଜଗି ରହିଲେ । ମାଧୋ ସିଂହ ଅବରୋଧ କରିଥିବା ସିଂଘୋଡ଼ା ଘାଟି ଉଦ୍ଧାର କରିବାକୁ କେପ୍‌ଟେନ୍ ଇ.ଜି.ଉଡ଼୍‌ଙ୍କ ବିଫଳତାର ପରେ ସେନାପତି ସେକ୍‌ସପିୟର ମଧ୍ୟ ପରାଜତି ହୋଇ ପଳାୟନ କଲେ । ଲହକୀ ଗୀତରେ ଏ ଘଟଣାର ଚିତ୍ର :

“ଆମ ଖାଏଲିଁ ଜାମ୍ ଖାଏଲିଁ

ପକେଇ ଦେଲି ଟାଁକୋ

ବନ୍ ତଲର୍ କାଗଜ୍ ପତର୍‌

ସୁନ୍ଦର୍ ବରିହାକେ ଡାକୋ ।

ସୁନ୍ଦର୍ ବରିହା ବଏଲା ଭାଇ

ତୁମେ ଦିଅ କାଁଥି

ସବୁ ଲସ୍‌କର ପଲେଇ ଗଲେ

ସିଂଘଡ଼ା ମୁହାର ଘାଟି ।

କିଏ ଦେଲା ଗୁଡ଼ ଗୁରସ୍ କିଏ ଦେଲା ଚୁରା

ସିଂଘଡ଼ା ଘାଟିଥି ମାରଗଲା…

ଯାଇଫୁଲ… କରାପାଏନ…

ମକୁଟ୍ ବନ୍ଧା ଘୁଡ଼ା…”

ଏହାର ପ୍ରତିଶୋଧ ନେବାକୁ ମେଜର ଫରଷ୍ଟର ବିଶାଳ ସେନାବାହିନୀ ନେଇ ଘେଁସ ଘେରାଉ କରି ସମଗ୍ର ଗାଁ ପୋଡ଼ି ଛାରଖାର କରିଦେଲେ :

“ରିଶେ ମିଶେ ଆଏଲା ସାହେବ

ଘଁସେ ଦେଲା ପୁଡ଼େଇ

କିଏ ରହେଲା ଗାଁ ଗହଲି

କିଏ ରହେଲା ଝାରେ

ଆଁଠେ ରକ୍‌ତ ବୁଝିଗଲା… ଯାଇଫୁଲ କରାପାଏନ୍‌…

କୁଞ୍ଜଲ ସିଂହର ମାରେଁ…”

 

ଗଣହତ୍ୟାର ଅଜ୍ଞାତ ଇତିହାସ:

ଘେଁସ ଅଞ୍ଚଳର ଲୋକଗୀତ ଗୁଡ଼ିକରେ ସେ ଅଞ୍ଚଳର ସ୍ୱାଧୀନତା ସଂଗ୍ରାମର ବିଭିନ୍ନ ଖଣ୍ଡିତ ଚିତ୍ର ଦେଖାଯାଏ । କର୍ଣ୍ଣେଲ ଫରଷ୍ଟର ଘେଁସ ପୋଡ଼ି ମାଧୋ ସିଂହଙ୍କୁ ଫାଶି ଦେଲା ପରେ ଜମିଦାର ପରିବାର ବିଭିନ୍ନ ସ୍ଥାନକୁ ପଲାୟନ କଲେ । ମାଧୋ ସିଂହଙ୍କ ଚତୁର୍ଥ ପୁଅ ଐରୀ ସିଂହ ନିଜ ଅନୁଚରବର୍ଗଙ୍କ ସହ ପଳାୟନ କଲେ । ମାଧୋ ସିଂହଙ୍କ ଚତୁର୍ଥ ପୁଅ ଐରୀ ସିଂହ ନିଜ ଅନୁଚରବର୍ଗଙ୍କ ସହ ପଳାୟନ କରି ୪୫ ଏକର ପରିମିତ ଉଚ୍ଚ ମାଳଭୂମି ମଧ୍ୟରେ ଅବସ୍ଥିତ ଏକ ପଥର ଚଟାଣ ଖୋଲ ‘ସାଇଦୁଲି’ରେ ୧୨ଟି ପରିବାର ସହ ଆତ୍ମଗୋପନ କରି ରହିଥିଲେ । ରାତିରେ ଐରୀ ସିଂହ ନିଜ ଦଳ ସହ ବାହାରି ଇଂରେଜ ସମର୍ଥକ ଗୌନ୍ତିଆ, ଜମିଦାରମାନଙ୍କ ଗ୍ରାମ ଲୁଣ୍ଠନ କରୁଥିଲେ । ରାସ୍ତାକଡ଼ରେ ଲୁଚି ଇଂରେଜ ସେନାମାନଙ୍କୁ ଆକ୍ରମଣ କରୁଥିଲେ । ଇଂରେଜ ଶାସନ ଏମାନଙ୍କୁ ଖୋଜିବା ଦାୟିତ୍ୱ ଜାରିଙ୍ଗ ଗାଁର ଦାମ ଗଡ଼ତିଆଙ୍କୁ ଦେଲେ । ସେ ଜମିଦାରମାନଙ୍କୁ ଧରେଇବାରେ ଇଂରେଜମାନଙ୍କୁ ସାହାଯ୍ୟ କରୁଥିଲେ ।

ଦାମ ଗଡ଼ତିଆ ଐରୀ ସିଂହଙ୍କ ସନ୍ଧାନ ପାଇଁ ସନୁ ଭାଟ ଓ ଫଗୁନୀ ଭାଟେନ ଦମ୍ପତ୍ତିଙ୍କୁ ନିଯୁକ୍ତ କଲେ । ସେମାନଙ୍କ ରିପୋର୍ଟ ଦେବାକୁ ଶ୍ରୀମତ୍ ଚୌକିଦାରକୁ ଘୋଡ଼ା ସହ ନିଯୁକ୍ତି କରାଯାଇଥିଲା । ଖବର ପାଇ ଦିନେ ଇଂରେଜବାହିନୀ ସାଇଦୁଲି ବା ସାଇବିବର ଘେରାଉ କରି ବିବର ମୁହଁରେ କୁଟାକାଠି ଦେଇ ନିଆଁ ଜାଳି ଦେଲେ । ରୁଦ୍ଧଶ୍ୱାସ ହୋଇ ଐରୀ ସିଂହ ଓ ଅନ୍ୟ ୧୨ଟି ପରିବାର ସେଇ ଖୋଲ ମଧ୍ୟରେ ପ୍ରାଣତ୍ୟାଗ କଲେ । ଲୋକ ଗୀତରେ :

“ବାଇଶ ପାଁଚ ପାଲିରେ ଭାଇ

ଦାମ ଗଡ଼ତିଆ ବଡ଼

ନରସିଂ ନାଥେ କିରିଆ କଲା

ତାର୍ ପୁଓକେ ମାଇଲା ପୋଢ଼ ।

-ସାଇଦୁଲି ଲୁକିଥିଲା ଅଇରୀ ସିଂହ ମଲା

ନାଇଁ ହଟ୍‌ଲା ହଟ୍ଟେ ସିଂହ କଲାପାଏନ ଗଲା ।

କାଲିଆ ଘୁଡ଼ାଇ କାନ୍‌

ମାଧେ ସିଂହର ପାଁଚଟା ଖୁଁଟି ଧନ ମୋର

ବାଁଚଲା ନାରେନ୍‌, ରସ ରସିକା ରତନ୍‌

ଚେଚା ଆଁଠି ଜୀବନ ଦେଲା

ମୁଡ଼୍‌କଟା ଘେଁସ ଦୁଆନ ।

-ଦୁକ୍‌ତା ଭାଙ୍ଗର ଗୁନ୍ ପିଲେ

ମାଗୁର୍ ମାଛର୍ ମୁଁଡ଼୍‌

କୁଞ୍ଚଲ ସିଂହ ସାହେବକେ ମାର୍‌ଲା

ଅଲ୍ଟ ପଡ଼ଲା ମୁଡ଼”

 

ହୁମୋ ବଉଲିରେ ମୁକ୍ତି ସଂଗ୍ରାମ :

ହୁମୋ ବଉଲି ଗୀତରେ ସମ୍ବଲପୁରୀ ନାରୀର ସ୍ୱଦେଶ ଓ ମାତୃଭୂମି ପ୍ରୀତି ଅନବଦ୍ୟ । ବ୍ରିଟିଶ ଶାସନରେ ସେମାନଙ୍କ ଆଗରେ ପରଷା ଯାଇଥିବା ଆଧୁନିକତାର ବିଦେଶୀ ସ୍ପର୍ଗକୁ ପଦାଘାତ କରି ସମ୍ବଲପୁରୀ ଝିଅ ଗାଇଛି ।

“ହମୋ ନୁନ ନୁନ ଦୁଶ ବଉଲିରେ

ହୁମୋ ନୁନ୍ ଦୁଶ

ନ ଖାଉଁ ନ ପାଉଁ ଗୁଆ ପନସ

ନ ଖାଉଁ ନ ପିଉଁ ଗୁଆ ପନସ

ନ ଯାଉଁ ତୁମର ଦେଶ ବଉଲିରେ

ନ ଯାଉଁ ତୁମର ଦେଶରେ…”

ସମ୍ବଲପୁରୀ ଝିଅ ପ୍ରତ୍ୟେକଟି ପ୍ରଜାବତ୍ସଳ ଶାସକକୁ ନିଜ ଭାଇ ହେବାର ଗୌରବ ଦେଇଛି ।

“କର୍‌ଡ଼ି ଦୁଇ ଖଁଡ଼ ଗଜା ବଉଲିରେ

କରଡ଼ି ଦୁଇ ଖଁଡ଼ ଗଜା

ଆମର ସାନଭାଇ ରାଇଜେ ରଜା

ସୁଖରେ ପାଲୁଛେ ପର୍‌ଜା ବଉଲିରେ

ସୁଖରେ ପାଲୁଛେ ପର୍‌ଜାରେ…”

ଇଂରେଜ ସେନାଶିବିରକୁ ଆକ୍ରମଣ ଅଭିଯାନରେ ଯାଉଥିବା ସଂଗ୍ରାମୀକୁ ବଡ଼ଭାଇର ସମ୍ମାନ ଦେଇ କହିଛି :-

“ସେମିଫୁଲ କେରା କେରା

ମୋର ଦଦା ଯାଉଛେ ସିପେଇ ଡେରା

ଲୋକମାନେ ତରାତରା ବଉଲିରେ

ଲୋକମାନେ ତରାତରାରେ…”

ସୁରେନ୍ଦ୍ର ସାଏଙ୍କ ଭାଇ ଛବିଳ ସାଏଙ୍କୁ କୁଦୋପାଲି ଗାଁ ଭିତରେ ଇଂରେଜମାନେ ଗରିଲା ଯୁଦ୍ଧରେ ନିହତ କରିଥିଲେ ।

“ଉଲି ଉଲି ଉଲି ଉଲି

ଛବିଲ ସାଏକେ ବାଜଲା ଗୁଲି

କୁଦୋପାଲି ମଝା ଖୁଲି ବଉଲିରେ

କୁଦୋପାଲି ମଝା ଖୁଲିରେ…”

 

ଭକାନୀ, ଧନ୍ଦାରେ ସ୍ୱାଧୀନତା ସଂଗ୍ରାମ

ସମ୍ବଲପୁରୀ ଭକାନୀ, ଧନ୍ଦା ବା ନାଁଦିଆରେ ମଧ୍ୟ ଇଂରେଜମାନଙ୍କ ଅନୁପ୍ରବେଶ ଘଟିଛି । ନାଲିପଗଡ଼ି ପରିହିତ ବ୍ରିଟିଶ ପୁଲିସ ଏକଦା ଆତଙ୍କର ପ୍ରତୀକ ଥିଲେ । ସେହିପରି ଭାରତଛାଡ଼ ଆନ୍ଦୋଳନରେ ଭାରତୀୟ ସତ୍ୟାଗ୍ରହୀଙ୍କ ଦମନ ପାଇଁ ଅନେକତ୍ର ଆମେରିକାନ ଟିମ ବାହିନୀର ସାହାଯ୍ୟ ନିଆଯାଇଥିଲା । ଏହି ଲାଲ ବା ନୀଳ ସାହେବମାନଙ୍କ ପ୍ରତି ପ୍ରଚ୍ଛନ୍ନ ଘୃଣା ସମ୍ବଲପୁରୀ ଭକାନୀରେ ଦେଖିବାକୁ ମିଳେ :-

“ଲାଲ୍ ଲାଲ୍ ଲାଲ୍ ସାହେବ

ପାସ୍‌କେ ଗଲେ ମାର୍ ଖାଏବ…”

ଏମାନଙ୍କୁ ବିରୁଡ଼ି ସହ ମଧ୍ୟ ତୁଳନା କରାଯାଇଛି ।

 

ହଲିଆ ଗୀତରେ ପାଇକ ବିଦ୍ରୋହ:

୧୮୦୪ ମସିହାରେ ଇଂରେଜମାନେ ଖୋର୍ଦ୍ଧାର ଗଜପତି ରାଜାଙ୍କ ପ୍ରଭୁତ୍ୱ କ୍ଷୁର୍ଣ୍ଣ କରି ମେକର ଫ୍ଲେଚର କ୍ଷମତାସୀନ ହୋଇ ରାଜା ମୁକୁନ୍ଦ ଦେବଙ୍କୁ ବାରବାଟି ଦୁର୍ଗରେ ବନ୍ଦି କଲେ । ତାଙ୍କୁ ଶ୍ରୀମନ୍ଦିରର ସମସ୍ତ ଅଧିକାରରୁ ଚ୍ଛିନ୍ନ କରାଗଲା । ପରେ ତାଙ୍କୁ ମୁକ୍ତି ଦିଆଗଲେ ମଧ୍ୟ ଗଜପତିଙ୍କ ଅଧିନରେ ଯୁଦ୍ଧ, ଦେଶରକ୍ଷା, ସେବାରେ ନିୟୋଜିତ ପାଇକମାନଙ୍କ ଜାଗିର ଉଚ୍ଛେଦ କରି ନିଆଗଲା । ଅସନ୍ତୁଷ୍ଟ ପାଇକମାନେ ବକ୍‌ସି ଜଗବନ୍ଧୁ ବିଦ୍ୟାଧରଙ୍କ ନେତୃତ୍ୱରେ ୧୮୧୭ରେ ଇଂରେଜମାନଙ୍କ ବିରୁଦ୍ଧରେ ଯେଉଁ ସଶସ୍ତ୍ର ସଂଘର୍ଷ କଲେ, ସେଇ ପାଇକ ବିଦ୍ରୋହରେ ଅସ୍ତ୍ରର ଝଣତ୍‌କାର ସମ୍ବଲପୁରୀ ହଲିଆ ଗୀତରେ ଏବେ ବି ଧ୍ୱନିତ ।

ରାଜନୀତି ଭାଙ୍ଗିଲା ବେଳେ ଲୋକନୀତି ଗଢ଼େ । ଆଜି ରାଜନୀତି ଯୋଗୁଁ ଉପକୂଳ ଓ ପଶ୍ଚିମାଞ୍ଚଳ ମଧ୍ୟରେ ବିଭେଦ, ଅନିମିୟତାର ପ୍ରାଚିରେ ଗଢ଼ି ତୋଳା ଯାଉଥିଲା ବେଳେ ସମ୍ବଲପୁରୀ ଲୋକଗୀତ ଆଜିଠୁ ୧୮୩ ବର୍ଷ ତଳେ ଖୋର୍ଦ୍ଧାରେ ଘଟିତ ପାଇକ ବିଦ୍ରୋହର ସ୍ୱରରେ ସ୍ୱର ମିଳାଇ ଆପଣେଇ ନେଇଥିଲା । ସେତେବେଳେ ଯାତାୟତ, ଯୋଗାଯୋଗର ସାଧନ ନ ଥିଲା ବେଳେ ମଧ୍ୟ ତିନି ଶତାଧିକ କିଲୋମିଟର ଦୂରରେ ଇଂରେଜମାନଙ୍କ ବିରୁଦ୍ଧରେ ପାଇକମାନଙ୍କ ବିଦ୍ରୋହର ସ୍ୱରରେ ସ୍ୱର ମିଳାଇଥିଲା ସମ୍ବଲପୁରୀ ଲୋକଗୀତ । ସ୍ୱାଧୀନତା ପାଇଁ ପ୍ରାଣପାତ କରୁଥିବା ପାଇକମାନଙ୍କୁ ଈଶ୍ୱରଙ୍କ ଆସନ ଦେବା ସହ ଓଡ଼ିଆ ଜାତି ଓ ଭାରତୀୟ ନ୍ୟାଯ୍ୟ ଅଧିକାର ସଂଗ୍ରାମରେ ରତ୍ନସିଂହାସନ ଛାଡ଼ି ଜଗନ୍ନାଥଙ୍କୁ ବି ପାଇକ ଭାବରେ ରଣାଙ୍ଗନରେ ଅବତୀର୍ଣ୍ଣ ହେବାର ଦୃପ୍ତ ଆହ୍ୱାନ ଦେଇଥିଲା ।

“ବଏଲାରେ

ଗଉର ଘର ଗଲି ଯେ, ପାରି ଦେଲି ବେନି

ନେତ୍ର ଉଡ଼ିଶାରେ କିରେ ଖଂଜନୀ

ଖଂଜନୀ, ପାଇକ ରଘୁମଣି ହୋ…”

ଲୋକନାଟକ :

ପଶ୍ଚିମାଞ୍ଚଳର ଦୁଆରୀ ଗୀତରେ ସ୍ୱାଧୀନତା ସଂଗ୍ରାମର ସ୍ୱର ଅତି ତୀବ୍ର । ପଶ୍ଚିମ ଓଡ଼ିଶା ଓ ଭାରତୀୟ ସ୍ୱାଧୀନତା ସଂଗ୍ରାମ ଅବିଚ୍ଛେଦ୍ୟ । ୧୮୫୭ର ପ୍ରଥମ ଭାରତୀୟ ସଂଗ୍ରାମର ତିନି ଦଶକ ଆଗରୁ ଭାରତର ଆଦିମୁକ୍ତି ସଂଗ୍ରାମ ଏ ଅଞ୍ଚଳରେ ଆରମ୍ଭ ହୋଇଥିଲା ଓ ତଥାକଥିତ ‘ସିପାହୀ ବିଦ୍ରୋହ’ ଦମନର ୭ବର୍ଷ ପରେ ମଧ୍ୟ ଏ ସଂଗ୍ରାମ ଜାରି ରହିଥିଲା । ଏ ଆନ୍ଦୋଳନର ମହାନାୟକ ଥିଲେ ଜାତୀୟ ବୀର ସୁରେନ୍ଦ୍ର ସାଏ । ବ୍ରିଟିଶ ଶାସନ ବିରୁଦ୍ଧରେ ସଶସ୍ତ୍ର ସଂଗ୍ରାମର ଧ୍ୱଜାଧାରୀ ସୁରେନ୍ଦ୍ରଙ୍କ ଅଗଣିତ ସହଯୋଗୀ ଶହୀଦ ହୋଇଥିଲେ । ଏ ସଂଗ୍ରାମ ସମ୍ବଲପୁରରୁ ମଧ୍ୟପ୍ରଦେଶର ରାୟପୁର, ବିଲାସପୁର ଯାଏଁ ସଂପ୍ରସାରିତ ଥିଲା । ଆଣ୍ଡାମାନ ସେଲୁଲାର ଜେଲରେ ଶହୀଦ ହୋଇଥିବା ଘେଁସ ଜମିଦାର ହଟ୍ଟେ ସିଂହ ଦେଶରେ ଏକମାତ୍ର ଶହୀଦ । ସେହିପରି ଘେଁସ ଜମିଦାର ପରି ଗୋଟିଏ ପରିବାରର ପିତା, ତିନି ପୁତ୍ର ଓ ଝିଅ ସ୍ୱାଧୀନତା ପାଇଁ ଶହୀଦ୍ ହେବାର ଉଦାହରଣ ଭାରତ ଇତିହାସରେ ଅଦ୍ୱିତୀୟ ଘଟଣା ।

ସ୍ୱାଧୀନତା ପାଇଁ ସ୍ୱତନ୍ତ୍ର ସଂଗ୍ରାମ ପରି ୧୯୧୯ରୁ ମହାତ୍ମା ଗାନ୍ଧୀଙ୍କ ଅସହଯୋଗ, ଲବଣ ସତ୍ୟାଗ୍ରହ, ଆଇନଅମାନ୍ୟ ଆନ୍ଦୋଳନ, ବ୍ୟକ୍ତିଗତ ସତ୍ୟାଗ୍ରହ, ଭାରତଛାଡ଼ ଆନ୍ଦୋଳନ, ବାମଣ୍ଡା, ରେଢ଼ାଖୋଲ ପ୍ରଜାମଣ୍ଡଳ ଆନ୍ଦୋଳନ ସହ ଖଦୀ ଓ ଚରଖା ଆନ୍ଦୋଳନ, ମଦ ବିରୋଧୀ, ଅସ୍ପୃଶ୍ୟତା ନିରୋଧ ଆନ୍ଦୋଳନରେ ଏକ ଅଞ୍ଚଳ ଅଗ୍ରଣୀ ରହିଥିଲା । ସମ୍ବଲପୁର ଜିଲ୍ଲା ସ୍କୁଲର ଛାତ୍ରମାନେ ଦେଶରେ ସର୍ବପ୍ରଥମ ସ୍କୁଲ ବର୍ଜନ କରିଥିଲେ । ୧୯୨୧ର ସମ୍ବଲପୁରର ହରତାଲ ସ୍ୱାଧୀନତା ସଂଗ୍ରାମରେ ଦେଶର ପ୍ରଥମ ହରତାଲ ଥିଲା । ଓଡ଼ିଶାର ପ୍ରଥମ ଜାତୀୟ ବିଦ୍ୟାଳୟ ସମ୍ବଲପୁରରେ ପ୍ରତିଷ୍ଠିତ ହୋଇଥିଲା । ୧୯୪୨ରେ ପ୍ରଫୁଲ୍ଲ ପଟ୍ଟନାୟକ ବରପାଲିରୁ ଯାଇ ବିହାରର ସାନ୍ତାଳ ପ୍ରଗଣାରେ ପାହାଡ଼ିଆ ସାନ୍ତାଳୀଙ୍କ ସଶସ୍ତ୍ର ବିଦ୍ରୋହର ନେତୃତ୍ୱ ନେଇଥିଲେ । ସମ୍ବଲପୁରୀ ଲୋକଗୀତ ସମୂହର ଛତ୍ରେ-ଛତ୍ରେ ଭାରତୀୟ ଗଣସଂଗ୍ରାମ ଚିତ୍ର ଦେଖିବାକୁ ମିଳେ । ଲୋକନାଟ୍ୟର ସୂତ୍ରଧାର ‘ଦୁଆରୀ ଗୀତ’ ମଧ୍ୟ ତାର ବ୍ୟତିକ୍ରମ ନୁହେଁ ।

ପଶ୍ଚିମ ଓଡ଼ିଶାର ଗ୍ରାମାଞ୍ଚଳରେ ଏକଦା ବହୁଳ ଭାବରେ ପ୍ରଚଳିତ ଲୋକନାଟ୍ୟ କହିଲେ ବିଭିନ୍ନ ପୌରାଣିକ ସୁଆଙ୍ଗ, ଗୀତଭିନୟ, ହରଣ, ବଧ, ଡଁଡ଼, ବାଁଡ଼ିବୁତଲ୍ ଆଦି ‘ନାଚ୍‌’କୁ ବୁଝାଏ । ପଶ୍ଚିମ ଓଡ଼ିଶାର ଏହି ‘ନାଚ୍‌’ର ବିଦ୍ରୋହୀ ମହାନାୟକ ହେଉଛି ଦୁଆରୀ ।

ସଂସ୍କୃତ ଓ ପ୍ରାଚୀନ ଓଡ଼ିଆ ନାଟ୍ୟ ପରମ୍ପରାରେ ସଂଯୋଜକ ଭୂମିକାରେ ରହିଥିବା ସୂତ୍ରଧର, ଡଗର, ଦୂତ ବିଦୂକ୍ଷକ ଆଦି ଉପ-ଚରିତ୍ରମାନଙ୍କର ସମ୍ମିଳିତ ରୂପରେ ମହାନାୟକ ଦୁଆରୀର ଅବତାରଣା । ବିଭିନ୍ନ ନାଚ୍‌ର ଏକ ସଂଯୋଜକ ଚରିତ୍ର ହେବା ସାଙ୍ଗକୁ ଦୁଆରୀର ଏକ ସ୍ୱତନ୍ତ୍ର ଚରିତ୍ର ମଧ୍ୟ ରହିଛି । ସେ ରଜା ସହିତ ରଜା, ରାଣୀ ସହିତ ରାଣୀ, ରାମ ସଙ୍ଗେ ରାମ, ରାବର ସହ ରାବଣ, ଦାସୀ ସହ ଦାସୀ ଆଦି ସମସ୍ତ ଚରିତ୍ର ସହ ମିଶି ସେମାନଙ୍କୁ ଭୂମିକାକୁ ଜୀବନ୍ତ କରି ଗଢ଼ି ତୋଳିବାରେ ସହାୟକ ହୁଏ । ସହଗାନ, ସହାଭିନୟ ସହ ସହନୃତ୍ୟର ସେ ଅଂଶୀଦାର ହେଲେ ମଧ୍ୟ ତାର ବେଶଭୂଷା ସ୍ୱତନ୍ତ୍ର । ସ୍ୱାଧୀନ ଭାବେ ମଞ୍ଚକୁ ଆସିଲା ବେଳେ ତା’ ଗୀତ ମଧ୍ୟ ନିଆରା । ତା’ ବେଶଭୂଷା ବିଚିତ୍ର, ହାସ୍ୟ ଉଦୀପକ, ଗୀତ, ଠାଣି ମଧ୍ୟ ସ୍ୱତନ୍ତ୍ର । ଦୁଆରୀ ଆସିଲା ବେଳେ ହସାଇ, ରସାଇ, ମଜ୍ଜାଇ ଆସିଗଲା ପରେ କିଛି କାରୁଣ୍ୟ, ଅସହାୟତା ଓ ଚିନ୍ତା ପାଇଁ ଖୋରାକ ଯୋଗାଇ ଚାଲିଯାଏ । ଏଇଠାରେ ହିଁ ତାର ସୁଦୁରପ୍ରସାରୀ ସ୍ଥାୟୀ ପ୍ରଭାବ, ଗୁରୁତ୍ୱ ଓ ଗୌରବ ।

ମୁଖ୍ୟତଃ ନାଚ୍‌ର ଗୁରୁମାନେ ହିଁ ଏହି ଗୁରୁତ୍ୱପୂର୍ଣ୍ଣ, ଅତ୍ୟନ୍ତ କଠିନ, ଜଟିଳ, ଚରିତ୍ରରେ ଅବତୀର୍ଣ୍ଣ ହୋଇଥାନ୍ତି । ନିଜ ପାରିପାଶ୍ୱର୍, ପରିବାର, ସମାଜକୁ ନେଇ ସେ ନିଜେ ହିଁ ଜୀବନ୍ତ ଗୀତ ରଚନା କରେ ଓ ଜୀବନ ଓ ସମାଜର ବିଡ଼ମ୍ବିତ ଜ୍ୱଳନ୍ତ ପ୍ରଶ୍ନକୁ ମନୋରଂଜନ ଭୂମିକାରେ ପରିବେଷଣ କରେ । ମନୋରଂଜନ ମାଧ୍ୟମରେ ସମାଜ, ଶାସନର ପୀଡ଼ିତ ନାଡ଼ିକୁ ଜନସଧାରଣଙ୍କ ଆଗରେ ନିଖୂଣ ପରିବେଷଣ ମୂଳରେ ଲୋକଙ୍କୁ ସଚେତନ ଓ ସକ୍ରିୟ କରାଇବାର ପ୍ରଚ୍ଛନ୍ନ ଭାବନା ରହିଥାଏ ।

ନାଚ୍‌ର ସବୁ ଚରିତ୍ରର ସଂଳାପ ଓ ଗୀତ ମୁଖସ୍ଥ ଥାଏ । ଅନ୍ୟାନ୍ୟ ଚରିତ୍ର ପାଇଁ ସେ ଅପ୍ରତ୍ୟକ୍ଷ ଭାବରେ ସ୍ମାରକର କାର୍ଯ୍ୟନିର୍ବାହ କରୁଥିଲା ବେଳେ ତାର ଅବାଧ ସ୍ୱାଧୀନତା ମଧ୍ୟ ରହିଥାଏ । ସମୟ, ସ୍ଥାନ, ପାତ୍ର ଦେଖି ଦର୍ଶକ ମନଲାଖି ଗୀତ, ନୃତ୍ୟ, ଅଭିନୟ, ଭାବ ପ୍ରୟୋଗକାରୀ ଦୁଆରୀମାନଙ୍କୁ ଏକ ଦୃଶ୍ୟରେ ବହୁ ଅଭିନୟ ସେମାନଙ୍କ ପରାକାଷ୍ଠା, ସାଧନା ବି ସିଦ୍ଧି ମଧ୍ୟ ।

ଦୁଆରୀ ଅନ୍ୟାନ୍ୟ ଚରିତ୍ରମାନଙ୍କ ଏକ ଧରାବନ୍ଧା ପ୍ରତିବିମ୍ବ ବା ପ୍ରତିଧ୍ୱନି ନ ହୋଇ ଏକ ସ୍ୱାଧୀନ ସତ୍ତା । ବିଦୁଷକ ପରିଚୟର ଛଦ୍ମ ଆବରଣ ଭିତରେ ସମାଜ-ରାଜନୀତିରେ ପ୍ରଚଳିତ ପାରମ୍ପାରିକ ଦୁର୍ନିତି ଓ ଅନାଚାର ବିରୁଦ୍ଧରେ ଏକ ସୁଦୃଢ଼ ପ୍ରତିବାଦ ଓ ବିଦ୍ରୋହୀ ସ୍ୱର ।

ଦୁଆରୀ ହେଉଛି ଦାଣ୍ଡର ମଣିଷ । ଅନ୍ତପୁରକୁ ତାର ପ୍ରବୋଶ ଅଧିକାର ନ ଥିଲେ ମଧ୍ୟ ସେ ଦର୍ଶକର ଅନ୍ତର ଭିତରେ ପ୍ରବେଶ କରେ । ସେ ମଧ୍ୟ ରାଜାଜ୍ଞା ପାଳନକାରୀ ହୁକୁମ୍‌ର ଚାକର ଓ ଦ୍ୱାରପାଳ । ସେ ରାଜାଙ୍କ ରାଜ୍ୟ, ଉଆସ, ଭଣ୍ଡାର, ଧନ, ଜନ, ଜୀବନ, ମାନ ମର୍ଯ୍ୟାଦା ସବୁର ସଂରକ୍ଷକ, ହେଲେ ତା’ ନିଜ ଜୀବନ ସଂସାର ଅସୁରକ୍ଷିତ । ଏତେ ପରେ ବି ତାକୁ ପୁରସ୍କାର ନୁହେଁ ଭର୍ତ୍ସନା ମିଳେ । କବି ମୁସ୍ତକୀମଙ୍କ ଦ୍ୱାରା ଗୀତରେ :

“ଶୁନ୍‌ବେ ଶାଲା ହାରାମଜାଦା

ଡାକ୍ ଦେଲେ ଝଟ୍ ଆସୁନାଇଁ ।

ବଡ଼ ଠାକୁର୍‌ଙ୍କ ହୁକୁମ୍ ଅଛି

ବସିଥିବୁ ତୁଇ ଦୁଆର୍ ଜୁଗି

ଡାକୁ ସିଦ୍ଧିଫୋଡ଼, ଦଗାବାଜ୍ ତୋର୍‌

କୁକୁର ମାକର ପଶାବୁ ନାଇଁ ।

ମୁସ୍ତକିମ୍ ବୋଲେ ଶୁନ୍‌ବେ ଉଲୁ

କାଏଲ୍‌କେ ଆଏବୁ ବଡ଼େ ସଖାଲୁ

ଦିନ୍ ଷୁଲ୍‌ହ ଘଡ଼ି, ରାଏତ୍‌, ଷୁଲଡ୍ ଘଡ଼ି

ଠିକ୍ ଜୁଗିଥିବୁ ଶୁଇବୁ ନାଇଁ ।”

ସ୍ୱାଧୀନତା ପୂର୍ବରୁ ସାମାଜିକ ଅନାଚାର, ଦୂରାଚାର ବିରୁଦ୍ଧରେ ତା’ ମନମତାଣିଆ ଗୀତ୍ ନାଚ୍ ମାଧ୍ୟମରେ ଦୁଆରୀ ପ୍ରତିବାଦ ଜଣାଇ ଆସୁଥିଲା । ସମାଜରେ ଦିନକୁ ଦିନ ବୃଦ୍ଧି ପାଉଥିବା ନୈତିକ ମୂଲ୍ୟବୋଧର ଅବକ୍ଷୟ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିଛି । ଅଚାର, ବିଚାର, ନ୍ୟାୟଅନ୍ୟାୟ ବିହୀନ ନାରୀ ଜନ୍ମ ଧିକ୍କାରର ପାତ୍ର :

“ଧିକ ଆଏ ମାଏଝି ଜନମ୍‌, ଆଚାର୍ ବିଚାର୍ କିଛି ନାଇଁ

ନିଆଏ ଅନିଆଏ ବିଚାର

ନାଇଁ କରନ୍ ରାଁଡ଼େ ଘଏତାଖାଇ”

ସମାନ୍ୟ କଥା ବୁଝାମଣା ନ ହୋଇ ସ୍ତ୍ରୀମାନଙ୍କୁ ଛାଡ଼ପତ୍ର ଦିଆନିଆ ଭଳି ଗର୍ହିତ ଅପରାଧୀକୁ ସେ ଭଗବାନ ହୁଅନ୍ତୁ ପଛକେ ଦୁଆରୀ ଝିଂଗାସି କହେ :

“ଛିଃ ଛିଃ ଛିଃ ଛଡ଼ାର ଶଳେ

ଛଡ଼ାଛଡ଼ି ହେଲ ଛାର୍ କଥାରେ ।”

ଦୁଆରୀ ଭଷା ଅଧାଶାସ୍ତ୍ରୀୟ, ଅଧା ଲୋକଭାଷା, ହିନ୍ଦୀ, ଇଂରେଜୀ, ବଙ୍ଗଳା ଆଦିର ସମ୍ମିଶ୍ରଣର ଏକ ଘାଣ୍ଟିତିଅଣ । ଦୁଆରୀର ଭାଷା ସାର୍ବଭୌମ ଗଣତାନ୍ତ୍ରିକ । ତାର ଭାଷା ଆନ୍ତର୍ଜାତୀୟ । ଅତି ଭଦ୍ର ମାର୍ଜିତ ଭାଷା ସହ ଖୋଲାଖୋଲି ଅପଭ୍ରଂଶ ଭାଷାର ଯୁଗପତ୍ ବ୍ୟବହାର ତାର ବୈଶିଷ୍ଟ୍ୟ । ଭାଷାର ସଂକୀର୍ଣ୍ଣତାବାଦୀଙ୍କ ପ୍ରତି ଏକ ଆହ୍ୱାନ ।

ଭାଷାର ଜଗତିକରଣ ଉଜ୍ଜ୍ୱଳ ନମୂନା । ଦୂଆରୀ ଗୀତରେ ବିଭିନ୍ନ ଭାଷା ଓ ଆଞ୍ଚଳିକ ଭାଷାର ଅବାଧ ସମ୍ମିଶ୍ରଣ ଭାଷାଗତ ସଂହତିର ଜ୍ୱଳନ୍ତ ଉଦାହରଣ । ଦୂଆରୀ ଭଳି ସାଧାରଣ ମଣିଷର ସମ୍ଭ୍ରାନ୍ତ ଶବ୍ଦାବଳୀ ଗୁରୁଚଣ୍ଡାଳ ଦୋଷ ପ୍ରୟୋଗଜନିତ ଶ୍ଳେଷ ମୂଳରେ ନିମ୍ନଶ୍ରେଣୀର ଉଚ୍ଚ, ଧନୀ ସହିତ ଗରୀବ, ଅଶିକ୍ଷିତ ସହ ଶିକ୍ଷିତ ଶ୍ରେଣୀର ସମକକ୍ଷ ହେବାର ଉଦ୍ଦାମ ଅଭିଲାଷର ଅନିବାର୍ଯ୍ୟ ପରିଣତି କେବଳ ରହିନାହିଁ ମନ କଥାକୁ ଅବାଧରେ ବୁଝାଇ ପାରିବାର ଉଦଗ୍ର ମୋହ ମଧ୍ୟ ବିଦ୍ୟମାନ ।

ଠିକ୍ ସେହିପରି ତାର ମନୋରଂଜକ ବିଚିତ୍ର ବେଶଭୂଷା । କେତେବେଳେ ଧୋତି, ଗେଂଜି, ଗାମୁଛା ତ କେତେବେଳେ ହାଫପେଣ୍ଟ, ଟୋପ୍ । ଗୋଟିଏ ଗୋଡ଼ରେ ପାଇଜାମା, ଫୁଲପେଣ୍ଟ ତ ଅନ୍ୟ ଗୋଡ଼ରେ ହାଫପେଣ୍ଟର ଅଧେ ବା ଡୋରିଆ ଅଣ୍ଡରୱେର । ଗୋଟିଏ ପାଦରେ ଛିଣ୍ଡା ବୁଟ୍ ତ ଆର ପାଦରେ ଚପଲ । ମୁହଁରେ କେତେବେଳେ ଚୂନ ତ କେତେବେଳେ କଳା । ତାର ଚାଲିବା, ନାଚିବା, ଗାଇବା, କଥା କହିବା ଠାଣି ମଧ୍ୟ ନିଆରା । ତା’ ପାଇଁ ଆଗରୁ ବାଜୁଥିବା ବାଦ୍ୟ ମଧ୍ୟ ହାସ୍ୟ ରସାତ୍ମକ । ତାର ଏ ରଙ୍ଗୀନ ବେଶଭୂଷା ତାକୁ ‘ରଂଗିଆ ଦୁଆରୀ’ ଭାବେ ମଧ୍ୟ ପରିଚିତ କରାଇଥାଏ ।

“ଦ୍ୱାରୀ ଡାକେ ଦାଣ୍ଡେ ଦାଣ୍ଡେରେ

ମେଛା କାଣ୍ଡେ କାଣ୍ଡେ ।

ଦ୍ୱାରୀ ଆସେ ଧାଇଁ ଧାଇଁରେ

ଘରେ ମାଏଝି ନାଇଁ । (ଚୈତନ୍ୟକଣ୍ଟା)

“-ରଂଗିଆ ଦୁଆରୀ ଅଇଲା ଲୋ

ରଂଗିବୁଢ଼ୀ ମନ ମୋହିଲା ।

ରଂଗିଆ ଜଂଘିଆ, ଦଗଲି ରଗିଂଆ

ରଂଗା ଟୋପି ଶିରୋ ବୋହିଲା ଲୋ ।

ମୋ କନିଆଁ କାଲି, ଦେଲା ଲାତ ମାରି

ହୁଣ୍ଡାର ମଳକୁ ପିଇଲି

ରଂଗ ବାନା ଭୁଜେ, କି ରଂଗ ବିରାଜେ

ରଂଗେ ମୁସ୍ତକିମ କହିଲା ଲୋ ।”

ଦୁଆରୀ କାହାର ଧାର ଧର ନାହିଁ କି କାହାକୁ ଖାତର ମଧ୍ୟ କରେ ନାହିଁ । ସ୍ୱାଧୀନତା ତାର ପ୍ରଥମ ଓ ଏକମାତ୍ର ସର୍ତ୍ତ । ତା’ ବ୍ୟଙ୍ଗମୟ ଆଖିରେ ଚଣ୍ଡାଲୁଣୀ ବାଛୁରୀ ଲାଂଜକୁ ଦାନ୍ତକାଠି କରି ମଇଷିର ଅନ୍ତନାଡ଼ି ଓଲାରି ଖାଉଥିବା ଜଣେ ବଭତ୍ସ ସ୍ତ୍ରୀ ହେଲା ବେଳକୁ ଦେବର୍ଷି ନାରଦ “ଖଡ଼ାଚୋର ଜଟିଆ ଖେଚଡ଼ା ବୁଢ଼ା” ଯିଏ “ହେଟା ଲଣ୍ଡିର ଚିତା ଚଇତନ ମାଖି ପଟର ପଇତା ପିନ୍ଧିବାବାଲା । ଦୁଆରୀର ବ୍ୟଙ୍ଗବାଣରୁ କାହାର ତ୍ରାହି ନାହିଁ :

“ଦେଖ୍‌ତାର ଭାଇ କଲିଯୁଗ

କେନ୍‌ତା ଢଂଗେ ଚଲୁଛେ ।

ଗାଁ ଗାଁ ହେଲା କାରଖାନା ଜୁରି

ଉଧ୍‌ଲିଆ ପଲାଲେ ଜୁଲି କେ ଜୁଲି

ଜୁଲି କେ ଜୁଲି

ଭୋଜ୍ ନାଇଁ ଲାଗେ, ଭାତ୍ ନାଇଁ ଲାଗେ

ଆଛା, ସଜ୍ ବନିଛେ ।

 

ସ୍ୱାଧୀନତା ପରବର୍ତ୍ତି ଏ ପ୍ରଦୂଷିତ ସମାଜର ବେକାରୀର ଚିତ୍ର ଦେଇ ଗାଏ ଦୁଆରୀ

– ଗାଁ ଗାଁ କେ ହେଲା ବତର

କିଏ ଚଢ଼ୁଛେ ସାଏକଲ ମଟର, ସାଏକଲ୍ ମଟର

କେନ୍ ଲୋକଟା ବିନା କାମେ

ଆସି ଯାଇ ମରୁଛେ… ଦେଖ୍‌ତରେ ଭାଇ…

 

ସ୍ୱାଧୀନତା ପାଇଁ ଲୋକଙ୍କ ପରି ଦୁଆରୀର ସ୍ୱପ୍ନ ମଧ୍ୟ ଭାଙ୍ଗିଛି । ଗଣତନ୍ତ୍ର ନାମରେ ଦେଶରେ ଚାଲିଥିବା ମଦ, ଟଙ୍କା ଓ ବାହୁବଳର ଆତଙ୍କରାଜରେ ଗଣତନ୍ତ୍ର ଭୁଲୁଣ୍ଠିତ । ତା’ ସହିତ ଦାରିଦ୍ର‌୍ୟର ଅସହାୟତା ମଧ୍ୟ ରହିଛି । ମୁଠେ ଖାଇ, ଖଣ୍ଡେ ପିନ୍ଧି ଦଣ୍ଡେ ଜୀଇଁବାର ବୈକଳ୍ୟ ମଧ୍ୟ ରହିଛି । ଭ୍ରଷ୍ଟ ରାଜନେତାଙ୍କୁ ଆକ୍ଷେପ କରିଛି ଦୁଆରୀ ଗୀତ:

“କେ ବଲୁଛେ ଦେଲେ ଭୋଟ୍‌

ମୁଇଁ ଦେମି ଟଙ୍କା ଲୋଟ୍‌, ଟଙ୍କା ଲୋଟ୍‌

ଛୁଆ ପୁତାକେ ଶୁଏଇ କରି

ମାଏଝି ଭୋଟ୍ ଦଉଛେ

ଦେଖ୍‌ତରେ ଭାଇ କଲିଯୁଗ…

(ନାରାୟଣ ପୂଜାରୀ, ଅଢ଼ାପରା)

ଦୁଆରୀର ସଂସାର ଖଟିଖିଆ ମଣିଷର ସାଧାରଣ ସଂସାର । ଦୁଆରୀ ହସେ, ଦୁଆରୀ କାନ୍ଦେ, ଜଞ୍ଜାଳ ଜାଲରେ ଛନ୍ଦି ହୁଏ । ତା’ ପିଲାଝିଲା ଭୋକ ଓପାସରେ ଛିଣ୍ଡାକୋତରା କାନ୍ଥ, ଅଖା ଘୋଡ଼େଇ ଶୋଇବାର ଅପଚେଷ୍ଟା କରନ୍ତି । ସେ ବର୍ଷାରେ ଭିଜେ, ଖରାରେ ସିଝେ, ଶୀତକାକରରେ କାଲୁଆ ପାଳଟି ପାଏ । ତା’ ପରିବାର କୁଣ୍ଡା ପିଡ଼ିଆକୁ ପିଠା ବୋଲି ଖାଏ, କୁଣ୍ଡା ଖିରୀ ଖାଇବାକୁ ମାଇପ ରୁଷେ । ଏକ ତଥାକଥିତ ସମୃଦ୍ଧ ଶାସନ ବ୍ୟବସ୍ଥାରେ ଏକ ଅସହ୍ୟ ଦୁଃଖଦୁର୍ବିପାକ ମଧ୍ୟରେ କାଳାତିପାତ କରୁଥିବା ଜଣେ ସାଧାରଣ ଭାରତୀୟ ପ୍ରଜାନାଗରିକର ସାଧାରଣ ଜୀବନ ସଂସାର । ତା’ ଉପରେ ପୁଣି ଚାକିରୀର ତାବ୍‌ଦା-

“କିଏ ପାଡ଼ୁଛି ବୋବାଳି ଦ୍ୱାରୀ ଦ୍ୱାରୀ ବୋଲି

ଟୋଲ ପିରୁଆକୁ ପିଠା ବୋଲି ଖାଉଁ

ରାତି ଛେରି ଛେରି ମଲି ।

କୁଣ୍ଢା ଖିରୀ ପାଇଁ ନାରୀ ରୁଷିଛଇଁ

ଏଣୁ ଗୋଡ଼ ଘଷୁଥିଲି…”

 

ପୃଥିବୀର ସବୁ ଦେଶରେ ବିଦେଶୀ ସାମ୍ରାଜ୍ୟବାଦୀ ଉପନିବେଶବାଦ ବିରୁଦ୍ଧରେ ସେ ଦେଶର ସାହିତ୍ୟ ପରି ନାଟକ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଛି । ରାଜନୀତିକ ସଂଗ୍ରାମ ପାଇଁ ଜନମାନସକୁ ସମାବେଶ କରିବାର ମହନୀୟ ଭୂମିକାରୁ ମୁହଁ ମୋଡ଼ି ନାହିଁ । ସେ ଦିଗରେ ପଶ୍ଚିମାଞ୍ଚଳର ନାଚ୍ ମଧ୍ୟ ପଛେଇ ଯାଇନାହିଁ ।

ଊନବିଂଶ ଶତାବ୍ଦୀର ମଧ୍ୟ ଭାଗରୁ ହିଁ ଭାରତର ବିଭିନ୍ନ ଅଞ୍ଚଳରେ ଦେଶଭକ୍ତି ମୂଳକ ଗୀତ ଓ କବିତା ରଚନା ହୋଇଆସିଛି । ଦେଶଭକ୍ତିପୂର୍ଣ୍ଣ ନାଟକ ଲିଖିତ ଓ ଅଭିନୀତ ହୋଇ ଆସିଛି । ଏହି ସମୟରେ ବଙ୍ଗର ରଙ୍ଗଲାଲ-ବନ୍ଦୋପାଧାୟ, ମଧୁସୂଦନ ଦତ୍ତ, ସତ୍ୟେନ୍ଦ୍ରାନାଥ ଠାକୁର, ଦୀନବନ୍ଧୁ ମିତ୍ର, ଦକ୍ଷିଣ ରଂଜନ ଚଟ୍ଟୋପାଧ୍ୟାୟ ଆଦିଙ୍କ ଯୁଗାନ୍ତକାରୀ ନାଟକଗୁଡ଼ିକରେ ନୀଳଚାଷ, ଚା’ବଗାନ ଶ୍ରମିକ ଓ ଜନସାଧାରଣଙ୍କ ଉପରେ ଗୋରାସରକାରର ଆମାନୁଷିକ ଅତ୍ୟାଚାରର ମର୍ମଥରା ନଗ୍ନଚିତ୍ର ପ୍ରକାଶ ପାଇଲା । ୧୮୬୦ରେ ଉପେନ୍ଦ୍ରନାଥ ଦାସ ତାଙ୍କର ‘ସୁବୋଧ-ଦିନୋଦିନୀ’ ନାଟକର ପ୍ରଥମ ପୃଷ୍ଠାରେ ଲେଖିଲେ – “ଯଦି ମୁହୂର୍ତ୍ତକ ପାଇଁ ହେଲେ ସ୍ୱାଧୀନ ଜୀବନ ମିଳିଯାଏ, ତେବେ ସ୍ୱର୍ଗସୁଖ ଓ ନନ୍ଦନକାନନ ଲୋଡ଼ା ନାହିିଁ ।”

ଦେଶଭକ୍ତି ମୁଲକ ନାଟକର ଅପାର ଲୋକପ୍ରିୟତା ଓ ପ୍ରଭାବ ଲୋକଙ୍କୁ ବ୍ରିଟିଶ ବିରୋଧୀ ସଙ୍ଗଠନମାନଙ୍କୁ ମୁହାଁଇବାକୁ ଲାଗିଲା । ସେମାନଙ୍କ ସଙ୍ଗଠନକୁ ମଜବୁତ୍ କରି ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ଶକ୍ତି ଯୋଗାଇବାକୁ ଲାଗିଲା । ଏଥିରେ ଭୟଭୀତ ହୋଇ ଇଂରେଜ ସରକାର ୧୮୭୬ ମସିହାରେ “ନାଟ୍ୟାଭିନୟ ନିୟନ୍ତ୍ରଣ ଆଇନ” ପ୍ରଣୟଣ କରି ଅବିଲମ୍ବେ ଲାଗୁ କଲେ । ବରିଷ୍ଠ ପୁଲିସ ଅଧିକାରୀମାନଙ୍କୁ ପାଣ୍ଡୁଲିପି ଦେଖାଇ ଲିଖିତ ଅନୁମତି ପାତ୍ର ବିନା ଯେ କୌଣସି ନାଟ୍ୟାଭିନୟ ନିଷିଦ୍ଧ କରାଗଲା । ଏହାର ବିରୁଦ୍ଧାଚରଣକାରିଙ୍କୁ କଠୋର କାରାବାସରେ ଦଣ୍ଡିତ କରାଗଲା ।

୧୮୭୬ ହେଉଛି ସେହି ଯୁଗାନ୍ତକାରୀ ବର୍ଷ, ଯାହା ଆଗରେ ନିଛକ ବିଦୂଷକଧର୍ମୀ ଦୁଆରୀ ଭୂମିକା ଯୁଗାନ୍ତକାରୀ ପରିବର୍ତ୍ତନ ଆଣିଲା । ଏବଂ ଏହାର ତୀବ୍ର ପ୍ରଭାବ ସମ୍ବଲପୁର ଅଞ୍ଚଳରେ ଅନୁଭବ କରାଗଲା । ଅବଶ୍ୟ ସରକାର, ପୁଲିସ ଆଖିରେ ଧୂଳି ଦେଇ ଦେଶଭକ୍ତ, ନାଟ୍ୟକାରମାନେ କେଉଁ ପଥ ଅନୁସରଣ କଲେ ବା ନିରବ ରହିଲେ, ବିଭିନ୍ନ ଭାଷାରେ ଏ ବିଷୟ ଗବେଷଣାର ବିଷୟ । ହେଲେ ଓଡ଼ିଆ ନାଟକ ଆଲୋଚନାରେ ଏହି ଚରିତ୍ରକୁ ଏକ ଗୌଣ ଚରିତ୍ର ଭାବରେ ଉପକ୍ଷୋ କରାଯାଇଥିବାରୁ ତାର ସଠିକ ବିବରଣୀ ମିଳେ ନାହିଁ । କିନ୍ତୁ ପଶ୍ଚିମାଞ୍ଚଳର ଏବେ ପ୍ରାୟ ଅବଲୁପ୍ତ ନାଚ୍‌ର ଦୁଆରୀ ଗୀତରେ ବ୍ରିଟିଶ ବିରୋଧୀ ସଂଗ୍ରାମର ଉତ୍ତାପ ବେଶ୍ ବାରିହୁଏ । ଏ ଦିଗରେ ଏ ଯାଏଁ ଆମ ନାଟ୍ୟପ୍ରେମୀ ବା ନାଟ୍ୟ ଆଲୋଚକମାନଙ୍କ ଦୃଷ୍ଟି ଯାଇ ନାହିଁ । ନାଚ୍‌ର ଅବଲୁପ୍ତି ସହିତ ଦୁଆରୀ ଅଭିନେତାମାନେ ମଧ୍ୟ ମରିହଜି ଗଲେଣି । ସଂଗ୍ରହ ଅଭାବରୁ ମଧ୍ୟ ସବୁ ଗୀତ ପାଇ ହେଉ ନାହିଁ । ତେବେ ଏ ଦିଗରେ ଏକ ଆଦ୍ୟ ଉଦ୍ୟମ କରି ଏଯାବତ୍ ଯାହା ଗୀତ ମିଳି ପାରିଛି, ସେଥିରୁ ଏ ଉଜ୍ଜ୍ୱଳ ଦିଗର ଯଥେଷ୍ଟ ଚିତ୍ର ମିଳେ ।

ନାଚ୍‌ର ସ୍ୱୀକୃତ କାନଭାସ୍ ଭିତରେ ଥାଇ ମନୋରଂଜନ ବ୍ୟଙ୍ଗ ମାଧ୍ୟମରେ ଦୁଆରୀଗୀତ ଏ ଦେଶ ଓ ଜାତିର ମହାନ୍ ସାଂସ୍କୃତିକ ପରମ୍ପରା ଓ ଐତିହ୍ୟର ସୁରକ୍ଷା ଦାୟିତ୍ୱ ଗ୍ରହଣ କଲା । ଏକ ଦିଗରେ ଅର୍ଥଗୃଧ୍ନ, ଅପଶାସନର ନିର୍ମମ ଅତ୍ୟାଚାର, ଦୁର୍ନୀତି, ଶୋଷଣ, ପୀଡ଼ନ ସହିତ ଦେଶୀୟ ସମାଜର ଥିଲାବାଲା ଓ ନ ଥିଲାବାଲାଙ୍କ ଶ୍ରେଣୀ ବୈଷମ୍ୟକୁ ସମସାମୟିକ ସମାଜଚିତ୍ରଣ ମାଧ୍ୟମରେ ପରିପ୍ରକାଶ କଲା । ପାରିବାରିକ ଦୁରବସ୍ଥା ଓ ଦୁର୍ବଳ ଅର୍ଥନୀତିର ଉପହାସ ମାଧ୍ୟମରେ ବିଷମତା ଓ ପରାଧୀନତା ବିରୁଦ୍ଧରେ ବିଦ୍ରୋହର ଦୃପ୍ତ ଡାକରା ଦେଲା ।

ଘନ ଅନ୍ଧାର ରାତିରେ ବି ରାଜାଜ୍ଞା ପାଇଲେ ଦୁଆରୀ ଘରେ ଶୀତରେ ଥରଥର ଭୋକିଳା ପରିବାରକୁ ଛାଡ଼ି ଯିବାକୁ ବାଧ୍ୟ । ତାର ନିଜ ବିଶ୍ରାମ ଉପରେ, ନିଜ ଆଖିର ନିଦ ଉପରେ ବି ତାର ଅଧିକାର ନାହିଁ । ତାର ଦୁର୍ଦ୍ଦଶାର ଚିତ୍ର ଦୁଆରୀ ଗୀତରେ ପ୍ରକାଶ କରେ :

“ପରପଞ୍ଚ ହୋ, ପର ଚାକିରୀ କରା ।

ସଁପୁର ଚାଉଲ ବାବୁଙ୍କ ଆହାର, ବାବୁଙ୍କ ଆହାର

ଆମ୍ଭର କରମରେ ପଡ଼େ ବଗଡ଼ା

ବରି ବାଏଗନ କଦଲି ତାଙ୍କର କଦଲି ତାଙ୍କର

ଆମ୍ଭର କରମେ କୁଶେର ବାଡ଼ିର ଖଡ଼ା

ପରପଞ୍ଚ ହୋ…”

(ଡିଙ୍ଗର, ସାଡ଼େରା)

ଭାରତ କୃଷିପ୍ରାଧନ ଦେଶ । ଏହାର ସଂସ୍କୃତି ଆତ୍ମନିଯୁକ୍ତିକାରୀ ଓ ଲକ୍ଷେଲୋକ ପୋଷା ସଂସ୍କୃତି । ହେଲେ ବିଦେଶୀ, ଶିଳ୍ପ ସଂସ୍କୃତି ଚାକିରୀ ସଂସ୍କୃତି । ଏ ସଂସ୍କୃତି ବ୍ୟକ୍ତିଗତ ସ୍ୱାର୍ଥର ସଂସ୍କୃତି । ଇଂରେଜମାନେ ଏ ଦେଶର କୃଷି, ଗ୍ରାମ୍ୟଶିଳ୍ପ ନଷ୍ଟ କରି ଶିଳ୍ପ ସଂସ୍କୃତି ଓ ନୌକରଶାହୀ ଲଦିବା ବିରୋଧରେ ଦୁଆରୀ କହିଲା :-

“ପରହର ସେବା କେତେ କରିବି

ଛି ଛି ଚାକିରୀ ଛାଡ଼ିବି

ଜଙ୍ଗଲକୁ ଯିବି ଲଙ୍ଗଲ ଆନିବି ଲଙ୍ଗଲ ଆନିବି

ନଈବାଲି ଚାଷ କରିବି, ଛି ଛି ଚାକିରୀ ଛାଡ଼ିବି!” (ଡିଙ୍ଗର ସା, ସାଡ଼େରା)

ସ୍ୱରାଜ୍ୟ, ଗ୍ରାମ୍ୟ ସ୍ୱରାଜ୍ୟ, ସ୍ୱଦେଶୀ ଜିନିଷ ପ୍ରୀତିର ସ୍ୱର ଏଭଳି ଅନେକ ଛତ୍ରେ ଛତ୍ରେ ଶୁଞ୍ଜିତ :

“ଦୂତ ଦୂତ ବୋଲି ମତେ କିଏ ଡାକୁଛି

ତାର ଡାକ ଗୋଟି ମୋ କର୍ନେ ପଡ଼ୁଛି

ପରର ଚାକିରୀ କରା ପଡ଼ୁଅଛି ଧରାମରା

ଏ ଚାକିରୀ ନ କରିବ ମନେ ଭାବୁଛି ।” (ବାଗମୁଡ଼ିଆ, ସାଡ଼େରା)

ବିଦେଶୀ ଶିଳ୍ପ ସଂସ୍କୃତିକୁ ଯେତେବେଳେ ଭାରତୀୟ ନାରୀ ‘ଫେଶନ’ ଭାବରେ ଗ୍ରହଣ କରେ, ସେମାନଙ୍କ ଏ ଅବସ୍ଥାରେ ଦୁଆରୀ ଗୀତର ଛାତି ଫାଟିଗଲା । ଏହାକୁ ପୌରାଣିକ ସର୍ବନାଶୀ କଲିଯୁଗର ଆଗମନ ଭାବେ ସେ ଅଭିହିତ କଲା:

କଲିଯୁଗ ଆଏଲା, ସତ ପଲାଲା ଆସନ ଛାଡ଼ି

କାହୁଁ ଆଏଲା କାପକାପି ଫୁଲ

ଲୁକି ଗଲାନ ଚଉଁରୀ ମୁଡ଼ି ।

ସପଟାପର୍‌କେ ପିଏ ପଚାରେ

ବୁଢ଼ୀଏ ପିନ୍ଧଲେ ବଂଗାଲି ସାଢ଼ି । (ଦେବାର୍ଚ୍ଚନ ପ୍ରଧାନ, ଅଢ଼ାପରା)

ବିଦେଶୀ ସଂସ୍କୃତି ଅର୍ଥସର୍ବସ୍ୱ ସଂସ୍କୃତି । ଏହା ଘରର ପରିବାରିକ ଜୀବନ ଭାଙ୍ଗି ଦେଇ ସମସ୍ତଙ୍କୁ ସ୍ୱାର୍ଥପର କରିଦେଲା । ବାପ-ପୁଅର ସଂପର୍କ ମଧ୍ୟରେ ପାଚେରୀ ଗଢ଼ିଲା :

“ହଇକି ଭାଇରେ କଳିକାଳ ଆସି ହେଲା ଠିଆ

ବାପର୍ କଥା ପୁଅ ନାଇଁମାନେ

ବହ ଭାଜୁଛେ ଲିଆ”

(ଦେବାର୍ଚ୍ଚନ ପ୍ରଧାନ, ଅଢ଼ାପର ।)

ଦାଂପତ୍ୟ ସଂପର୍କରେ ମଧ୍ୟ ବ୍ୟାଘାତ ଓ ବ୍ୟବଧାନ ସୃଷ୍ଟି କରାଗଲା । ‘ବୈକୁଣ୍ଠ ସମାନ ଘର’ର ଅବଧାରଣା ଭାଙ୍ଗି ଚୁରମାର ହେଲା :

ଘଏତା ମାଏପୋ ଗାଇଲ୍ ଲାଗ୍‌ଲେ

ନେଇ ଯା’ ତୋର ଛୁଆ

ବଏଲା ବଏଲେଁ

ମନ୍‌କେ ଆଏଲେ ରହେମି ରହେମି, ରହଲେ ରହେମି

ଠିକ୍ ଟାକିଥିବୁ ନନୀ ତୋତେ ନାକ୍ ତଲମେ ଠିଆ

 

-ଭାରିଜା ମୋ ସାକ୍ଷାତେ ଚଣ୍ଡୀ

ମୋତେ ସେ ଦଉଛେ ଭଣ୍ଡି

ଦିନରାତି ତାର ପାଦ ନ ଘଷିଲେ

ପିଠିରେ ଝାଡ଼ୁ ପ୍ରହାର ଖାଉଛି…

ଦ୍ୱାରୀ ଦ୍ୱାରୀ କିଏ ଡାକୁଛି…”

ସ୍ୱାଧୀନତା ସଂଗ୍ରାମକାଳରେ ଦମନର ଶିକାର ସାଧାରଣ ମଣିଷର ମୁଖର ରାଜନୈତିକ ସ୍ୱର ଭାବରେ ନିଜକୁ ନିୟୋଜିତ କରି ଦୁଆରୀ ଗୀତ ନିଜକୁ ଏକ କମନ୍ ମେନର୍‌, ମାମୁଲି ମଣିଷର ସ୍ୱରରେ ପରିଣତ କରିଛି । ତାର ପ୍ରତିଧ୍ୱନି ଏବେ ବି ବେଳେବେଳେ ଶୁଣାଯାଏ । ଲୋକଙ୍କ ଭିତରେ ସେମାନଙ୍କ ବାସ୍ତବ ଅବସ୍ଥାର ନିଷ୍ଠୁର ପ୍ରତିଫଳନ ଘଟାଇ ମୁକ୍ତିର ପ୍ରଖରପ୍ରବକ୍ତା ଭାବରେ ଲୋକ ହୃଦୟ ଓ ଜନମାନସକୁ ଆନ୍ଦୋଳିତ କରିଛି । ସ୍ୱାଧୀନତା ସଂଗ୍ରାମୀମାନଙ୍କ ପାଇଁ ଲୋକଙ୍କ ମଧ୍ୟରେ ସମ୍ବେଦନା ଓ ସମର୍ଥନ ସୃଷ୍ଟି କରିଛି । ସେମାନଙ୍କୁ ଅଭୟ ଆଶ୍ରୟ ଓ ସହାୟକ ପ୍ରେରଣା ଯୋଗାଇଛି । ସେମାନଙ୍କ ସ୍ୱର ଓ ଅଭିଯାନକୁ ସଂପ୍ରସାରିତ କରି ଏଭଳି ଏକ ଭୂମିକା ଗ୍ରହଣ କରିଛି, ଯାହା ବିନା ଆନ୍ଦୋଳନର ସଫଳତା ସଂଦିଗ୍ଧ ହୋଇ ରହିଥାନ୍ତା ।

ଅଣ୍ଡରଗ୍ରାଉଣ୍ଡ ବିଦ୍ରୋହୀ ଭାବରେ ହାସ୍ୟରସର ପୁଟ ଭିତରେ ବିଦେଶୀ ପ୍ରଶାସନ ଆଖିରେ ଧୂଳି ଦେଇ ମନୋରଞ୍ଜନ ମାଧ୍ୟମରେ ଜନସାଧାରଣରେ ସ୍ୱାଧୀନତାର ସଂଦେଶ ଓ ସଚେତନତା ଏଭଳି ଭାବରେ ଦେଇ ଆସିଛି ଯେ ତାହା ଦେଖି ଇଂରେଜ ଅଧିକାରୀ ବର୍ଗ ହସି ହସି ଗଡ଼ିଛନ୍ତି, ପୁରସ୍କୃତ କରିଛନ୍ତି ଓ ନିଜ ଅଜାଣତରେ ଏ ମାଟିରୁ ନିଜର ଚେର ମଧ୍ୟ କାଟିଛନ୍ତି ।

ତା’ ପରବର୍ତ୍ତୀ ସମୟରେ ଏ ଗୀତ ନିଜକୁ ସାମାଜିକ ସଂସ୍କାର କ୍ଷେତ୍ରରେ ନିୟୋଜିତ କରିଛି । ପରବର୍ତ୍ତୀ କାଳରେ ତାହା ମନୋରଞ୍ଜନ ଓ ସମାଜ ସଂସ୍କାରରେ ନିଜକୁ ଏକ ଧରାବନ୍ଧା ଚରିତ୍ରରେ ପରିଣତ କରିଛି । ନିଜେ ଦୁଆରୀମାନେ ମଧ୍ୟ ନିଜର ଏ ଐତିହାସିକ ମହାନ୍ ଭୂମିକା ନେଇ ଉଦାସୀନ । ଲୋକସେବାକୁ ବ୍ରତ କରି ନେଇଥିବା ଏ ଦୁଆରୀ ଗୀତ ବାସ୍ତବରେ ଏକ ରଣ ସଙ୍ଗୀତର ପର୍ଯ୍ୟାୟବାଚୀ । ପଶ୍ଚିମାଞ୍ଚଳର ଏହି ମହାଚରିତ୍ରଟି ସବୁବେଳେ ସାଧାରଣ ଗଣଜୀବନ ସ୍ୱାର୍ଥର ସୁରକ୍ଷା କରି ଆସିଛି । ହେଲେ ଆଜି ଯେତେବେଳେ ଦେଶ ଆଉ ଥରେ ସ୍ୱାଧୀନତା ପରେ ଦେଶୀ କଳାସାହେବଙ୍କ ହାତରେ ପରାଧିନ ହୋଇଛି, ରାଜନୀତିକ, ସାଂସ୍କୃତିକ, ଧାର୍ମିକ ବିପର୍ଯ୍ୟୟ ଚାଲିଛି, ସେତେବେଳେ ରାଜତନ୍ତ୍ର, ସାମନ୍ତ ଓ ଉପନିବେଶବାଦ, ସମାଜିକ ଜୀବନର ବିଷମତା ଘନେଇ ଉତ୍କଟ ହୋଇ ଚାଲିଛି, ପ୍ରଜାନାଗରିକର ଅମଙ୍ଗଳକାରୀ ରାଜସତ୍ତାର ବିରୋଧିତା ଏକ ଅନିବାର୍ଯ୍ୟ ଆବଶ୍ୟକତାରେ ପରିଣତ ହୋଇଛି । ଯେତେବେଳେ କି ଏହି ଗୀତର ବେଶୀ ଆବଶ୍ୟକତା ଉପଲବ୍ଧ କରାଯାଇଛି; ଠିକ୍ ସେତିକିବେଳେ ବିଦେଶୀ ନାଟ୍ୟ, ସଙ୍ଗୀତ, ସଂସ୍କୃତି, ବୈଦ୍ୟୁତିକ ଗଣମାଧ୍ୟମ ଓ ପ୍ରଚାରତନ୍ତ୍ରର ବନ୍ୟାରେ ଦୁଆରୀ ଗୀତ ଦ୍ରୁତ ଅବଲୁପ୍ତ । ଗ୍ରାମାଞ୍ଚଳ ଭିତ୍ତିକ ନାଚର ଜୀବନ ସରି ଆସିବା ସାଙ୍ଗକୁ ଜନସ୍ୱାର୍ଥର ଏ ବିଦ୍ରୋହୀ ପ୍ରହରୀ ଧୀରେ ଧୀରେ ଅନ୍ତରାଳରେ ଲୁଚି ଯିବା ପୂର୍ବରୁ ଯାହାବି ସମ୍ଭବ ତା’ ସ୍ୱରର ସଂଗ୍ରହ ଓ ସଂରକ୍ଷଣ ଜାତୀୟ କର୍ତ୍ତବ୍ୟ । ନହିଲେ ଦ୍ୱାରୀ ବିନା ଆମ ଦ୍ୱାର ଠିଆମୁକୁଳା ଓ ଅରକ୍ଷିତ ହୋଇଯିବ, କିଛି ହେଲେ ସୁରକ୍ଷିତ ରହିବ ନାହିଁ ।

Share This Article
କବି, ସାହିତ୍ୟିକ ଓ ବିଶିଷ୍ଟ ସାମ୍ବାଦିକ