ସାକ୍ଷାତକାର – ଗୁରୁବାରୁ ସୁନା (ଗଁଡ଼ାବଜା ଢ଼ୋଲ ବାଦକ)

Swayamprava Parhi (Chief Editor)
7 Min Read

ଗଁଡ଼ାବଜା ଏତେ ଜରୁରୀ ଆମ ସମାଜରେ ବୋଲି ଆମେ ବୁଝିଥିଲେ ମଧ୍ୟ ସେହି କଳାକୁ ଏଯାବତ୍ ବଞ୍ଚାଇ ରଖିଥିବା କଳାକାରମାନଙ୍କ ଜୀବନ ଏବେବି ଦୁର୍ବିସହ ଭିତରେ କଟେ ସେଥିପ୍ରତି କାହାର ବି ନିଘାନାହିଁ । କଳାକାର ଭାବରେ ଯେଉଁଭଳି ସମ୍ମାନର ଅଧିକାରୀ ହେବାକଥା ସେଇଟା ଦୂରେ ଥାଉ ମଣିଷଭଳି ସମ୍ମାନ ସମାଜ ନିକଟରୁ ପାଇପାରୁନାହାଁନ୍ତି । ଆଜି ଏମିତି ସମୟ ଆସି ପହଞ୍ଚିଛି ୮୦ବର୍ଷ ଧରି ଯେଉଁ କଳାକାର ପୁଅ କେଉଁ ବାପ ଅଜା ଅମଳରୁ ଗଁଡ଼ାବଜା ବଜେଇ ଆସୁଛି ବିନା ସାର୍ଟିଫିକେଟରେ ତାକୁ କଳାକାର ମଧ୍ୟ ଘୋଷଣା କରିବାପାଇଁ କୁଣ୍ଠାବୋଧ କରୁଛନ୍ତି ଆମ ସରକାର । ତଥାପି ସେ ଏହିସବୁ ସରକାରୀ ଯୋଜନାପ୍ରତି ଉଦାସୀନ। ତା’ପାଇଁ ତାର ଜୀବନ ହେଲା ବଜା । ଉକ୍ତ ସାକ୍ଷାତକାରଟି ଏହିଭଳି ଏକ ମହତ୍ତ୍ୱପୂର୍ଣ୍ଣ କଥାକୁ ପ୍ରତିପାଦିତ କରେ- ସମ୍ପାଦକ

ଯେଉଁମାନେ ପଶ୍ଚିମ ଓଡ଼ିଶାର ସାଂସ୍କୃତିକ ବିଭବକୁ ନେଇ ଚିନ୍ତାକରନ୍ତି ସେମାନେ ଗଁଡ଼ାବଜାର ସାମାଜିକ ଦାୟିତ୍ୱ ଓ ଭୂମିକାଟିକୁ ଭଲଭାବେ ବୁଝିସାରିଛନ୍ତି । ତଥାପି ଯଦି କେବେ ଏହି କଳାକାରମାନଙ୍କୁ ଭେଟିବେ ଏହି ଅଭାବ ଅନାଟନ ଓ କଷ୍ଟର ଝଲକ ସେମାନଙ୍କ ନିକଟରେ ଦେଖିପାରିବେ ନାହିଁ କାରଣ ବାଦ୍ୟରେ ସେମାନେ ଏତେ ସମ୍ପୁର୍ଣ୍ଣ ଥାଆନ୍ତି ଯେ ନିଜର ଦୁଃଖ କଷ୍ଟକୁ ଏହି ବାଦ୍ୟ ସଙ୍ଗୀତ ଭିତରେ ପୁରାପୁରି ଭୂଲି ଆଉ ଏକ ଦୁନିଆରେ ବଞ୍ଚନ୍ତି । ସେଥିପାଇଁ ସରକାରୀ ଘୋଷଣା ତଥା ବିଭିନ୍ନ ପ୍ରକାରର କଳାକାରଙ୍କୁ ମିଳୁଥିବା ପ୍ରେତ୍ସାହନ ସେମାନଙ୍କ ଦୃଷ୍ଟିକୁ ଆସିପାରେ ନାହିଁ । ପରିବାରର କଷ୍ଟ ଏବଂ ଅନ୍ୟ କଳାର କଳାକାରମାନଙ୍କର ଯୋଗ୍ୟତା ସିଦ୍ଧ ହେବାପରେ ଏମାନେ ନିଜକୁ ପ୍ରଶ୍ନ କରନ୍ତି, ଆଉ କ’ଣ କଲେ ଏହି ସମାଜ ଆମକୁ କଳାକାର ବୋଲି ପରିଚୟଟିଏ ଦେବ ଯେ? କାଗଜର ଲେଖା ଖଣ୍ଡେ କ’ଣ ସରକାରଙ୍କ ପାଇଁ ଏତେ ଗୁରୁତ୍ତ୍ୱପୂର୍ଣ୍ଣ ଆମର ଜୀବନବ୍ୟାପୀ ସାଧନା ଠାରୁ?

ମୁଁ ବି ଜଣେ ମଞ୍ଚ କଳାକାର, କିନ୍ତୁ ମୋର କଳା ହେଲା କଳାକାରମାନଙ୍କୁ ମଞ୍ଚରେ ଉପସ୍ଥାପନ କରିବା । ସମ୍ବଲପୁରୀ ଭାଷା କୁହନ୍ତୁ କି କୋଶଲି, ମୋ ପାଇଁ ସବୁ ଯେମିତି କବିତା ହୋଇଯାଏ ଥରେ ମଞ୍ଚକୁ ଚଢ଼ିବାପରେ, ଠିକ ଆମ ପ୍ରିୟ ଗଁଡ଼ାବଜାର କଳାକାରମାନଙ୍କ ପରି । ଗଁଡ଼ାବଜା ବଜଉଥିବା କଳାକାର ଯେତେ ବୟସ୍କ ହୁଅନ୍ତୁ ନା କାହିଁକି ଥରେ ଯଦି ଢ଼ୋଲ କି ନିଶାନରେ ହାତ ପଡ଼େ ବୟସ ହାରମାନି ବସିପଡ଼େ ଏହି ବବାମାନଙ୍କ ପାଖରେ । ଆଚମ୍ବିତ ହୋଇ ସମସ୍ତେ ଚାହିଁଥାନ୍ତି କଳାକାରମାନଙ୍କୁ । ହେଲେ ମୁଁ ଉପସ୍ଥାପନା କରୁଥିବା ମଂଚ ଗୁଡ଼ିକରେ ଏହି କଳାକାରମାନଙ୍କୁ ଚଢ଼ିବାର ସୁଯୋଗ ନଥାଏ । କାହିଁକି ଏଯାଏ ବିଷୟଟି ମୋତେ ବୁଝାପଡ଼ିନି!!  ଏମାନେ ଯଦି ଥରେ ବଡ଼ ବଡ଼ ମଞ୍ଚ ପାଇପାରନ୍ତେ କ’ଣ ଯେ କରନ୍ତେ ବଜାକୁ ଧରି ଭାବିଲେ ନିଜକୁ ଛୋଟ ମନେହୁଏ ଏହି ମହାନ କଳାକାରମାନଙ୍କ ନିକଟରେ ।

ପଶ୍ଚିମ ଓଡ଼ିଶାର ଗଁଡ଼ାବଜା ହେଉଛି ଏକ ଉଚ୍ଚକୋଟୀର କଳା, ତାରି ଭିତରେ କେଉଁ ଆଦିକାଳରୁ ଗୋଟିଏ ସଂପ୍ରଦାୟ ଏହି ସ୍ୱତନ୍ତ୍ର କଳାକୁ ସୃଷ୍ଟି କରି ଏ ପର୍ଯ୍ୟନ୍ତ ବଞ୍ଚାଇ ରଖିଛନ୍ତି ତାର ହିସାବ ନାହିଁ । ପଶ୍ଚିମ ଓଡ଼ିଶାର ଗାଁ ମାନଙ୍କୁ ଗଲେ ଦେଖିବାକୁ ମିଳେ ଏହି କଳାକାରମାନଙ୍କୁ । ଗାଁ ଗୁଡ଼ିକ କଳାର ପୀଠସ୍ଥଳୀ । ଆମେ ସହରରେ ଯାହାସବୁ ମଞ୍ଚରେ ଦେଖନ୍ତି ସେସବୁ କେବଳ ଏକ ଝଲକ ବୋଲି କୁହାଯିବ ଗାଁ କଳାକାରମାନଙ୍କ ତୁଳନାରେ । ୭୦ରୁ ୮୦ ବର୍ଷର ଏହି ବର୍ଷିଆନ କଳାକାରମାନଙ୍କୁ ଜଣାନାହିଁ ମଞ୍ଚର ଏହି ଚକଚକିଆ ଆଲୁଅଭରା ପ୍ରଦର୍ଶନମାନଙ୍କ ସମ୍ପର୍କରେ । ସେମାନେ ସେହି ଗାଁରେ କେଉଁ ଯୁଗରୁ ଏହି କଳାକୁ ବଞ୍ଚାଇ ରଖିଆସିଛନ୍ତି । ପଶ୍ଚିମ ଓଡ଼ିଶାରେ ଅଧିକାଂଶ ଗାଁରେ ନିହାତି ଭାବେ ୫୦ରୁ ଅଧିକ ସଂଖ୍ୟକ ଗଁଡ଼ାବଜାର କଳାକାରଙ୍କୁ ଦେଖିବାକୁ ମିଳେ। ଏହି ବଜା ପଶ୍ଚିମ ଓଡ଼ିଶାର ପର୍ବପର୍ବାଣୀ, ପୂଜାବିଧି, ବାହାଘର ସବୁ ସମୟରେ ବଜାଯାଇଥାଏ। ଗଁଡ଼ାବଜା, କଳାକାରମାନଙ୍କ ସହିତ ଥିଲେ ସେମାନେ କାହାକୁ ଖାତିର କରନ୍ତିନି । ଏମିତି ଜଣେ ସ୍ୱାଭିମାନୀ କଳାକାର“ଗୁରୁବାରୁ ମହାନ୍ଦନ”ଙ୍କ ସହ ସାକ୍ଷାତ କରି ତାଙ୍କ ସୁବିଧା ଅସୁବିଧା ବୁଝିବା ପାଇଁ ସାମାଜିକ କର୍ମୀ ଗୋପବନ୍ଧୁ ସିକା ଓ ମୁଁ ଯାଇ ଭେଟିଥିଲୁ ତାଙ୍କୁ ତାଙ୍କ ଗାଁରେ । ଆମେ ପହଞ୍ଚିଥିଲୁ ବରଗଡ଼ ଜିଲ୍ଲା ପଦ୍ମପୁର ସବଡିଭିଜନ୍‌ର ବାଦୀମାଲ ଗ୍ରାମରେ । ଏହି ସାକ୍ଷାତକାରର ଭିଡ଼ିଓ ଡ଼କ୍ୟୁମେଣ୍ଟ ମଧ୍ୟ ୟୂଟ୍ୟୁବରେ ଉପଲବ୍ଧ କରାଯାଇଛି ।

Samadhwani Support us

ଏହି ଢ଼ୋଲ ବାଦକ ଥିଲେ “ଗୁରୁବାରୁ ସୁନା”। ବୟସ ତାଙ୍କର ପାଖାପାଖି ୭୦ହେବ । ଆମକୁ ଦେଖି ବହୁତ ଖୁସି ହେଲେ । ତାଙ୍କ ଢ଼ୋଲ ବିଷୟରେ କିଛି ଜାଣିବାକୁ ଚାହୁଁଛୁ କହିବାରୁ ସେ ଆହୁରି ଅଧିକ ଖୁସି ହେବାପରି ମନେହେଉଥିଲା । ସେତିକିବେଳେ ଗୋପବନ୍ଧୁ ଭାଇ ପଚାରିଲେ, ଆପଣ କେବେଠାରୁ ବଜାଉଛନ୍ତି ଓ ଆପଣଙ୍କ ଗୁରୁ କିଏ ଆମକୁ ସେ ବିଷୟରେ କିଛି କହିବେ କି? ତାଙ୍କ ପ୍ରଶ୍ନର ଉତ୍ତରରେ ଢ଼ୁଲିଆ ଗୁରୁବାରୁ ସୁନା ଯାହା କହିଲେ ଅବିକଳ ସେହି କଥାକୁ ଏଠାରେ ଉପସ୍ଥାପନ କରାଯାଇଛି ।

“ମୋର ଗୁରୁ ରୁକ୍‌ଧର ବୁଢ଼ା ଆଏ ।  ମୋର୍ ଗୁରୁ ବିଜାଡିହି ନୁ ଥିଲେ, ବିଜାଡିହି ନୁଁ ଯାଇ କରି ଗୁଏଁବାହାଲି ନୁଁ ରହେଲେ, ଗୁଏବାହାଲି ନୁଁ ସେ ମରିଗଲେ । ତାକର୍ ବାବୁମାନେ ଭଗତ୍‌ପୁରେ ଅଛନ୍ । ମତେ ଦଶ ବଛର ହେଉଥିଲା ବେଲୁଁ ମୁଇଁ ତାକୁ ଦେଖିଲି ଆଉ ଗୁରୁ କରିଛେ ।  ଇ ବଜାଟା ରାଉନେଶରର ବଜା ଆଏ । ଇ ବଜା ଥୁଁ ନୃତ୍ୟ କରୁଥିଲେ ଅପସରିମାନେ ବୋଲି ମତେ ମୋର ଗୁରୁ ବତଉଥିଲେ । ଇଟା ଗୁଟେ ଶାରଲା ଦେବୀ ଥିଲା, ପର୍ବତରେ ଦଶ ବଛରିଆ ଝିଅ ହୋଇ କରି । ଯେ ସେନୁଁ ଚାଏର୍‌ଟା ଲୋକ୍ ବଜାଉଥିଲେ, ଏହାଦେ ସେଟା  ଛଅଟା ହେଇଗଲାନ । ଚାଏର୍‌ଟା ବଜା, ଢ଼ୋଲଟେ, ମୁହୂରୀଟେ, ନିଶାନଟେ, ତାସାଟେ । ଯେ, ମୋର ଗୁରୁ କହୁଥିଲେ ବାବୁରେ ଇ ଢ଼ୋଲଟା ଗୁଟେ ଶାରଲା ଝିଅଟେ ଦଶବଛର ହୋଇ କରି ଅବତାର ହେଲେ ଆଉ ଦେଲେ । ହେମଗିରି ପର୍ବତନୁଁ ଇ ଢ଼ୋଲ କେ ଦେଲେ । ଇ ଢ଼ୋଲ ଥୁଁ ଯେତେବେଳେ ନୃତ୍ୟ କରୁଥିଲେ ଏଥୁଁ ଚାଏର୍‌ଟା ଲୋକ ଥିଲେ, ମୋର ଗୁରୁ ମତେ ଯେନ୍‌ଟା କହୁଥିଲେ । ଖୁଲାତି ହିସାବେ ଚାହେଁଲେ ଢ଼ୋଲଟା ତେଲି ଘରର ଘନା ଆଏ । ଆଉ ନିଶାନ କେ କହିଥିଲେ ଯେ ଗଣ୍ଡ ଘରର, ତାସା ହେଉଛେ କେଉଁଟ ଘରର, ଆଉ ମୁହୂରୀ ହେଉଛେ ଗୁଟେ ବେହେରା ଘରର । ଇ କଥାମାନେ ମତେ ମୋର ଗୁରୁ କହିଥିଲେ । ଏଇ ଢ଼ୋଲରେ ଅକିଆଁ କାଟୁଥିଲେ, ଅଠର ଅକିଁଆ, ସତ୍ୟ ଗାଈର ଛାଲ ଲାଗିଥିଲା । ଆଉ ଶାରଲା ଦେଇଥିଲା । ଇ ବଜା ଯେତେବେଳେ ପାଏଲେ ଚାଏର୍ ଟାକେ ମିଶି କରି ଚାଏର୍ ଟା ଲୋକ ବଜାଲେ, ଗୁଟେ ଗଣାଟେ,ଗୁଟେ ଗଉରଟେ, ଗୁଟେ ତେଲିଟେ, ଗୁଟେ ବେହେରାଟେ ଆଘୋ ନୃତ୍ୟ କରୁଥିଲେ । ଆମେ ବ୍ରହ୍ମା ପୋ’ ଆଉଁ ବଡ଼ଟା ଆଉ ବେଲେ ସେନୁ ସେ ବଜାକେ ଆମ୍‌କୁ ଦେଇ ଦେଲେ । ହେଲେ ବଜା ହେମାନ୍‌କର ଆଏ, ଆମ ବୁହୁଛୁଁ ଆଉ ବଜଉଛୁଁ, ସେବା କରୁଛୁଁ ।

ଇ ଢ଼ୋଲଟା ଗମ୍‌ଭେର ଗଛ ଆଏ । ଇଟାକେ ବଢ଼ିଆ ଖିଲିସି, ଖୁଲି କରି ଇଟାକେ ଘସିଆର୍ ନିକେ ନେସୁଁ, ଘସିଆର୍ ନିକେ ନେଲେ ତାଲି ଫାଲେ ଦାମୁର୍ ଚମଡ଼ା ଆର୍ ଢ଼ୋଲ ଖଣା ଥୁଁ ପିଟ୍‌ଲା ଫାଲେଥି ବଲଦ ଚମଡ଼ା ଲାଗ୍‌ସି । ଇଥି ବାଦି ଆଏ ଆଉ ବେକେଁ ଉଲାଟା କୋର ଆଏ ଆଜ୍ଞା ।

ବଜାବାର୍ ଟା ଆମେ ବହୁତ୍ ଯାଗାକେ ଯାଇଁଛୁଁ, ଦେ’ ଦେବତା ପୂଜାପାଟ, ସବୁଆଡ଼କେ ଯାଉଛୁଁ ବିହାବନ୍ଦନା ବି ବଜାଉଛୁଁ କିନ୍ତୁ ବଜାଟା ବଜେଇ ଯାଉଛୁଁ, ଜାନିଛୁଁ ବଲି ଜାନିଛୁଁ, ହେଲେ ସମାନ୍ ନାଇଁନ ରଖିବାର୍ । ଯେତେବେଳେ ଦେଖ୍‌ଲେ ଯାରେ.. ଗଣା ତୁଇଁ ଉର୍କୁଲେ ଖାଆ ବଲୁଛନ୍ । ଇଟା ବଜେଇ ଯାଉଛୁଁ ଯେ ମଜୁରୀ ବି ନାଇଁ ପଡ଼୍‌ବାର୍‌, ଜାନିଛୁଁ ବଲି ବଜେଇ ଯାଉଛୁଁ ଜାନିଛୁଁ ନାଇଁ ଗଲେ ଦେ’ ଦେବ୍‌ତା ପୂଜା ଥି ନାଇଗଲେ ଖରାପ ଭାବବେ । ବଜାଲା ବେଲେ ଆମ୍‌କେ ଆଗେ ଖାଇଲାବେଳେ ପଛେ ଦେଖ୍‌ରେ ଗଣା ଛିଇଁବୁ ବଲୁଛନ୍ । ମୁଇଁ ତ ବଜାବାର୍‌ଟା ଛାଡ଼ି ନେମି ବଲୁଥିଲି । ଯେତେବେଳେ ଦେଖ୍‌ବୁ ଗଣା, ବଜାଲା ବେଳେ ଆଘୋ, ଖାଏଲା ବେଲେ ଧୁଏଲ ଗଦେ । ବିନ୍‌ଝାଲ ବିହାକେ ବଜେଇ ଯାଉଥିଲୁଁ ଯେ ରାଏତ୍ ସର୍‌ତା ଦିନ୍ ସର୍‌ତା ବଜା ବଜେଇ ନଚଉଥଇଲୁଁ ଧୁଏଲ୍ ସର୍ ସର୍ ହେତେଲେ । ବାଜା ବଜେଇ ସାର୍‌ଲେ ଗାଧି କରି ଆସ୍‌ଲେ ଗାଁଖୁଲି ଖାଏବାର୍ ତେବେ ଖାଏବ ତ ଖଅ ନାହେଲେ ଥଅ ବଲନ୍ ।

ଇ ଢ଼ୋଲଟା ମୋର କୁଟୁମ୍ ପୁଷୁଛେ, ଇଟା ମୋର୍ ଜୀବନ ରକ୍ଷା କରିଛେ । ମୋର୍ ଇଷ୍ଟ ଦେବତା ଆଏ । ଇଟା ବଜେଇ ବଜେଇ ମୋର୍ ଜୀବନ୍ ଯାଏତା ବେଲେ ଭଲ ହେତା ।

ଉପସ୍ଥାପନା – ଅଞ୍ଜନ ପ୍ରଧାନ

Share This Article
Editor-in-Chief, Samadhwani | Cultural Journalist || Vocal Artist | Leading the Student-Led “Village Biography/ Village History Documentation" Initiative in Odisha.