Home / କଳା ସଙ୍ଗୀତ / ନାଟକ / ଲୋକନୃତ୍ୟରେ ମୁଖା (ଓଡ଼ିଶାର ମୁଖା ନୃତ୍ୟ-୨)

ଲୋକନୃତ୍ୟରେ ମୁଖା (ଓଡ଼ିଶାର ମୁଖା ନୃତ୍ୟ-୨)

Share Samadhwani

ଲୀଳା ଓ ଲୋକନାଟକ ସହିତ ଓଡ଼ିଶାର କେତେକ ଲୋକନୃତ୍ୟରେ ମୁଖାର ପ୍ରୟୋଗ ପରିଲକ୍ଷିତ ହୁଏ । ଏହି ଲୋକନୃତ୍ୟଗୁଡ଼ିକ ରାଜ୍ୟର ବିଭିନ୍ନ ପାରମ୍ପରିକ ଉତ୍ସବ ଓ ଶୋଭାଯାତ୍ରାରେ ପରିବେଷଣ କରାଯାଏ । ଏଥିରେ ପରିବେଷିତ ଲୋକନୃତ୍ୟ ମଧ୍ୟରେ ପୁରୀର ସାହିଯାତ ଓ ଗାମ ଜିଲ୍ଲାର ପଶୁ-ନୃତ୍ୟର ନାମ ଉଲ୍ଲେଖଯୋଗ୍ୟ । ସାଧାରଣତଃ ଏହି ନୃତ୍ୟଗୁଡ଼ିକ ଚାରିଭାଗରେ ବିଭକ୍ତ ଯଥା-ମାନବ, ଦାନବ, ଦେବତା ଓ ପଶୁ-ପକ୍ଷୀ ନୃତ୍ୟ ।

ଓଡ଼ିଶାର ଅଧିକାଂଶ ଲୋକନୃତ୍ୟ ଧର୍ମ ଓ ପରମ୍ପରା ଉପରେ ଆଧାରିତ । ବର୍ଷସାରା ରାଜ୍ୟର ବିଭିନ୍ନ ଅଞ୍ଚଳରେ ଅନୁଷ୍ଠିତ ପାରମ୍ପରିକ ଲୋକ-ଉତ୍ସବ ଓ ଧାର୍ମିକ ଶୋଭାଯାତ୍ରାରେ ମୁଖା ନୃତ୍ୟର ପରିବେଷଣ ଶୈଳୀ ଦର୍ଶକମାନଙ୍କୁ ମନ୍ତ୍ରମୁଗ୍‌ଧ କରେ । ମୁଖା-ନୃତ୍ୟରେ ବ୍ୟବହୃତ ମୁଖା-ଗୁଡ଼ିକ, ହାଲୁକା ପାଳଧୁଆ କାଠ, କିମ୍ବା ମଣ୍ଡଦିଆ ମୋଟା କାଗଜରେ ତିଆରି ହୋଇଥାଏ । ଅତୀତରେ ମୁଖା ପ୍ରସ୍ତୁତ କରୁଥିବା ଶିଳ୍ପୀମାନେ ସମାଜରେ ଚିତ୍ରକାର ନାମରେ ପରିଚିତ ଥିଲେ ।

ପ୍ରାଥମିକ ଅବସ୍ଥାରେ ମୁଖା ପ୍ରସ୍ତୁତିରେ ବ୍ୟବହୃତ ଗାଢ଼ରଙ୍ଗ ଯଥା -ନାଲି, ନୀଳ, ହଳଦିଆ ଓ ଧଳା ରଙ୍ଗଗୁଡ଼ିକ ପ୍ରାକୃତିକ ପରିବେଶରୁ ଉପଲବ୍ଧ ହେଉଥିଲା, ବର୍ତ୍ତମାନ୍ ଯୁଗର ରୁଚି ଓ ଲୋକଙ୍କୁ ଆକୃଷ୍ଟ କରିବାପାଇଁ, ରାସାୟନିକ ପ୍ରକ୍ରିୟା ରେ ପ୍ରସ୍ତୁତ ରଙ୍ଗ ବ୍ୟବହାର କରାଯାଉଅଛି । ସାହିଯାତ ଓ ପଶୁ-ପକ୍ଷୀନୃତ୍ୟରେ ବ୍ୟବହୃତ ମୁଖା-ଗୁଡ଼ିକ ବିରାଟକାୟ । ବିଭିର୍ଣ୍ଣ ରଙ୍ଗରେ ଚିତ୍ରିତ ଏହି ମୁଖା ଗୁଡ଼ିକୁ ଧାରଣ କରି, କଳାକାରମାନେ ଲୋକବାଦ୍ୟର ତାଳେ ତାଳେ ଠାକୁରଙ୍କ ବିମାନ ଆଗରେ ନାଚି ନାଚି ଯାଆନ୍ତି ।

ରାଜା-ରାଣୀ ନୃତ୍ୟ (ମାନବ-ମୁଖା)

ପୃଥିବୀର ବିଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ମୁଖ ଧାରଣ କରିଥିବା ମଣିଷମାନଙ୍କୁ ଦେଖିବାକୁ ମିଳେ । ସେହିପରି ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ପରିବେଷିତ ମୁଖାନୃତ୍ୟରେ ମଧ୍ୟ ବିଭିନ୍ନତା ପରିଲକ୍ଷିତ ହୁଏ । ଓଡ଼ିଶାରେ ଅଦ୍ୟାବଧି ବଞ୍ଚି ରହିଥିବା ମଣିଷ-ମୁଖା ନୃତ୍ୟ ମଧ୍ୟରେ ଗଞ୍ଜାମ ଜିଲ୍ଲା ଭଂଜନଗର ସବ୍‌ଡ଼ିଭିଜନରେ ପ୍ରଚଳିତ ରାଜା-ରାଣୀ ନୃତ୍ୟ ଅତ୍ୟନ୍ତ ମନୋରମ ଓ ବିଶ୍ୱପ୍ରସିଦ୍ଧ । ରାଜା ଓ ରାଣୀ, ଆଠ ଫୁଟ ଉଚ୍ଚତା ବିଶିଷ୍ଟ ଦୁଇଟି ବିରାଟ କଣ୍ଢେଇ ।

ସମଗ୍ର ଶରୀର ବିଭିନ୍ନ କାରୁକାର୍ଯ୍ୟରେ ପରିପୂର୍ଣ୍ଣ । ଅଣ୍ଟାଠାରୁ ପାଦ ଯାଏଁ ସୁନ୍ଦର ଚିତ୍ରିତ କପଡ଼ାରେ ନିର୍ମିତ ଗୋଟିଏ ଲାଙ୍ଗା ଆବୃତ ହୋଇଥାଏ । ଶରୀରର ମଧ୍ୟ ଭାଗରେ ଗୋଟିଏ ଗୋଲାକାର ଛିଦ୍ର । ଏହି ଛିଦ୍ର ସାହାଯ୍ୟରେ ଅଂଶଗ୍ରହଣ କରୁଥିବା କଳାକାର ନିଶ୍ୱାସ-ପ୍ରଶ୍ୱାସ ନେବା ସହିତ, ଦର୍ଶକମାନଙ୍କୁ ଦେଖିବାର ସୁଯୋଗ ପାଏ । ଢ଼ୋଲ, ମହୁରୀ ଓ ଚାଙ୍ଗୁବାଦ୍ୟର ତାଳେତାଳେ ମୁଖା ଧାରଣ କରିଥିବା ଦୁଇଜଣ କଳାକାର, ବିଭିନ୍ନ ଶୈଳୀରେ ନୃତ୍ୟକରି ଦେବା-ଦେବୀମାନଙ୍କୁ ପାଛୋଟି ନେବା ସହିତ, ଉପସ୍ଥିତ ଦର୍ଶକମାନଙ୍କୁ ଆମୋଦିତ କରିଥାଆନ୍ତି ।

ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଅନୁଷ୍ଠିତ ଠାକୁରାଣୀ ଯାତ୍ରାରେ ରାଜା-ରାଣୀ ମୁଖା-ନୃତ୍ୟ ପରିବେଷଣ କରାଯାଏ । ଏତଦ୍ ବ୍ୟତୀତ ଦୋଳ-ପୂର୍ଣ୍ଣମୀ, ଶୀତଳ-ଷଷ୍ଠୀ, ରାମନବମୀ ଯାତ୍ରା ସହିତ, ବିଭିନ୍ନ ବିବାହ ଉତ୍ସବରେ ମଧ୍ୟ ଏହି ନୃତ୍ୟ ଦଳ ଅଂଶ ଗ୍ରହଣ କରନ୍ତି ।

ସାହି ଯାତ : ମେଢ଼ ନୃତ୍ୟ (ଦେବତା ଓ ଦାନବ ମୁଖା)

ସାହିଯାତ ଜଗନ୍ନାଥଧାମ ପୁରୀର ଏକ ସ୍ୱତନ୍ତ୍ର ଶୈଳୀର ଲୋକନୃତ୍ୟ । ରାମନବମୀଠାରୁ ସାତଦିନ ଧରି ଏହି ପାରମ୍ପରିକ ଲୋକନୃତ୍ୟ, ସିଂହଦ୍ୱାର ସମ୍ମୁଖସ୍ଥ ମଞ୍ଚରେ ଅନୁଷ୍ଠିତ ହୁଏ । ସହରର ପ୍ରମୁଖ ସାତୋଟି ସାହି, ଯଥା – ମାର୍କଣ୍ଡେଶ୍ୱର ସାହି, ହରଚଣ୍ଡି ସହି, ବାସେଳୀ ସାହି, ବାଲିସାହି, କୁଣ୍ଢେଇବେଣ୍ଟ ସାହି, ଦୋଳ-ମଣ୍ଡପ ସାହି, ଗୌଡ଼ବାଡ଼-ସାହି କ୍ରମାନ୍ୱୟର ଏହି ଯାତରେ ଅଂଶଗ୍ରହଣ କରିଥାଆନ୍ତି । ପୌରାଣିକ ଆଖ୍ୟାନ ଅନୁସାରେ ଏହି ଯାତ୍ରାକୁ ପୁରୀର ଲୋକମାନେ ରାମଚନ୍ଦ୍ରଙ୍କ ଜନ୍ମ ଉତ୍ସବଭାବେ ପାଳନ କରିଥାଆନ୍ତି ।

ଯାଗା-ଆଖଡ଼ାର ପ୍ରତ୍ୟକ୍ଷ ସଂପର୍କରେ ଗଢ଼ି ଉଠିଥିବା ସାହିଯାତ ପ୍ରାରମ୍ଭିକ ଅବସ୍ଥାରେ କେବଳ ଶରୀରଚର୍ଚ୍ଚା ଏବଂ ରଣକୌଶଳ ଶିକ୍ଷାର କେନ୍ଦ୍ର ଥିଲା । ପରବର୍ତ୍ତୀ ସମୟରେ ଏହି ଅନୁଷ୍ଠାନଗୁଡ଼ିକ ସାଂସ୍କୃତିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ଲୋକମାନଙ୍କ ମନୋରଞ୍ଜନ ନିମନ୍ତେ ରାମଲୀଳାର ବିଭିନ୍ନ ଭୂମିକାରେ ଅବତୀର୍ଣ୍ଣ ହୋଇଥିଲେ । ଅତୀତରେ ସାହିଯାତ ପରିବେଷଣରେ ଯେଉଁ ଚମତ୍କାରିତା ଥିଲା, ତାହା ଏବେ ସ୍ୱପ୍ନତୁଲ୍ୟ । ମେଢ଼ ନୃତ୍ୟ ସାହିଯାତର ଅଂଶବିଶେଷ ।

ଏହି ନୃତ୍ୟର ସୃଷ୍ଟି ମୁଖ୍ୟତଃ ଦେବାଦେବୀ ଆରାଧନା ପାଇଁ । ସେହିଦୃଷ୍ଟିରୁ ଏହି ନୃତ୍ୟସହିତ ଯୋଡ଼ିହୋଇ ରହିଛି, ବିଭିନ୍ନ ଦେବାଦେବୀ ଓ ରାକ୍ଷସମାନଙ୍କର ଚମତ୍କାର ମୁଖା । ସେହି ମୁଖା ଓ ଖୋଳ ମଧ୍ୟରେ ଜଣେ ଶକ୍ତିଶାଳୀ ଯୁବ କଳାକାର ପ୍ରବେଶ କରି ନୃତ୍ୟ କରେ । ମୁଣ୍ଡଠାରୁ ପାଦଯାଏଁ ଆବୃତ ହୋଇ, ଓଜନଦାର ଭୁଜ ଏବଂ ପଛରେ ଟାହିଆ ଓ ମେଢ଼ ଧାରଣ କରି ନୃତ୍ୟକରିବା ଖୁବ୍ କଷ୍ଟଦାୟକ ।

ତେଣୁ ନୃତ୍ୟରତ କଳାକାର ଶକ୍ତିବାନ ହେବା ଆବଶ୍ୟକ । ମେଢ଼ ନୃତ୍ୟର ସମୟ ସୀମା ୧୦ରୁ ୧୨ଘଣ୍ଟା । ମେଢ଼ ନୃତ୍ୟରେ ଅଂଶଗ୍ରହଣ କରୁଥିବା ଚରିତ୍ରଗୁଡ଼ିକ ହେଲେ – ନୃସିଂହ, କାଳୀ, ଦୁର୍ଗା, ଗଣେଶ, ଶିବ, କୃଷ୍ଣ, ରାବଣ ଓ କୁମ୍ଭକର୍ଣ୍ଣ । ସମସ୍ତେ ମୁଖାଧାରୀ ଓ ସେମାନଙ୍କ ସହିତ ସଂଯୁକ୍ତ ହୋଇଥାଏ ଜରିଲଗା ବିଭିନ୍ନ କାରୁକାର୍ଯ୍ୟରେ ପରିପୂର୍ଣ୍ଣ ମେଢ଼ । ସେହି ଦୃଷ୍ଟିରୁ ଏହା ମେଢ଼ନୃତ୍ୟ ଭାବେ ପରିଚିତ ।

ପଶୁମୁଖା ନୃତ୍ୟ

ଓଡ଼ିଶାର ପଶୁମୁଖା ନୃତ୍ୟ ସମଗ୍ର ବିଶ୍ୱରେ ପରିଚିତ । ଏହି ନୃତ୍ୟ ରାଜ୍ୟର ସର୍ବତ୍ର, ବିଶେଷ କରି ଗଞ୍ଜାମ ଜିଲ୍ଲାର ଭଂଜନଗର, ଆସିକା ଓ କବିସୂର୍ଯ୍ୟନଗରରେ ବହୁଳ ଭାବେ ଦେଖାଯାଏ । ଠାକୁରାଣୀ ଯାତ୍ରା ଗଞ୍ଜାମ ଜିଲ୍ଲାର ଏକ ବିଶେଷ ପର୍ବ । ଏହା ବ୍ରହ୍ମପୁର, ଭଂଜନଗର, ଆସିକା, କବିସୂର୍ଯ୍ୟନଗର, ପିତ୍ତଳ, ସୋରଡ଼ା, ବୁଗୁଡ଼ା ସହିତ ବିଭିନ୍ନ ପୁରପଲ୍ଲୀରେ ବର୍ଷେ, ଦୁଇବର୍ଷ ଅନ୍ତରରେ ମହାସମାରୋହରେ ଅନୁଷ୍ଠିତ ହୁଏ । ଅନ୍ୟାନ୍ୟ ଅଞ୍ଚଳରେ ଅନୁଷ୍ଠିତ ଯାତ୍ରାଠାରୁ ଭଂଜନଗର ଠାକୁରାଣୀ ଯାତ୍ରାର ପରମ୍ପରା ସଂପୂର୍ଣ୍ଣ ଭିନ୍ନଧରଣର । ଅନ୍ୟାନ୍ୟ ଅଞ୍ଚଳରେ ଗ୍ରାମଦେବତୀଙ୍କୁ ନେଇ ଯାତ୍ରା ଅନୁଷ୍ଠିତ ହେବା ବେଳେ, ଭଂଜନଗରରେ ଗ୍ରାମଦେବତୀଙ୍କ ସହିତ, ଘୁମୁସର ଭଂଜବଂଶର ଅଧିଷ୍ଠାତ୍ରୀଦେବୀ ବାଗ୍‌ଦେବୀ, କୁଲାଡ଼ରୁ ଭଂଜନଗର ଆସନ୍ତି ଭକ୍ତଗଣଙ୍କୁ ଦର୍ଶନ ଦେବାପାଇଁ । ବ୍ୟାଘ୍ର ହେଉଛି, ବାଗ୍‌ଦେବୀଙ୍କ ବାହନ ।

ତେଣୁ ଭଂଜନଗର ଠାକୁରାଣୀ ଯାତ୍ରାରେ ବାଘନାଟର ପ୍ରାଧାନ୍ୟ ଖୁବ୍ ବେଶୀ । ଶ୍ରଦ୍ଧାଳୁ ଭକ୍ତମାନେ ଯାତ୍ରାବେଳେ ନିଜକୁ ବାଘବେଶରେ ସଜାଇ ଗଳିକନ୍ଦିରେ ନାଚିବା ବେଳେ, ଅନ୍ୟପକ୍ଷରେ ବାଘର ବିରାଟକାୟ ମୁଖା ଧାରଣ କରି ଦୁଇଜଣ ଶିଳ୍ପୀ ବାଗ୍‌ଦେବୀଙ୍କ ବିମାନ ସାମନାରେ ଭୟଙ୍କର ନୃତ୍ୟ ପରିବେଷଣ ସହ, ଶୋଭାଯାତ୍ରାର ନେତୃତ୍ୱ ନେଇଥାଆନ୍ତି । ଭଂଜନଗରର ବାଘନାଟ ସମଗ୍ର ବିଶ୍ୱରେ ପରିଚିତ। ଏହାର ସଫଳ ରୁପାୟନ ପଛରେ, ଭେଜିପୁଟ ଗ୍ରାମର ସ୍ୱର୍ଗତ୍ ବନମାଳୀ ସ୍ୱାଇଁଙ୍କ ବଳିଷ୍ଠ ସ୍ୱାକ୍ଷର ରହିଛି । ପଶୁମୁଖା ନୃତ୍ୟ କେବଳ ବାଘନାଟ ମଧ୍ୟରେ ସୀମାବଦ୍ଧ ନୁହେଁ । ବାଘନାଟ ସହିତ ବିଭିନ୍ନ ପଶୁ ଯଥା-କଳଘୋଡ଼ା, ବୃଷଭ, ହରିଣ, କୁକୁଡ଼ା, ମୟୂର ଇତ୍ୟାଦି ବିଭିନ୍ନ ପଶୁ ପକ୍ଷୀଙ୍କ ମୁଖାନୃତ୍ୟ ମଧ୍ୟ ପରିବେଷଣ କରାଯାଏ ।

ଏହିନୃତ୍ୟରେ ବ୍ୟବହୃତ ମୁଖାଗୁଡ଼ିକ ବିରାଟକାୟ ଓ ବିଭିନ୍ନ କାରୁକାର୍ଯ୍ୟରେ ପରିପୂର୍ଣ୍ଣ । ମୁଖାର ମୁଣ୍ଡଟି ହାଲୁକା କାଠ, କିମ୍ବା ମଣ୍ଡଦିଆ ମୋଟା କାଗଜରେ ତିଆରି ହୋଇ ବିଭିନ୍ନ ଗାଢ଼ରଙ୍ଗରେ ଚିତ୍ରିତ ହୋଇଥାଏ । ବିରାଟକାୟ ଶରୀରର ଛାଞ୍ଚ ପ୍ରସ୍ତୁତ ହୋଇଥାଏ ଜଙ୍ଗଲଜାତ ବେତରେ । ପିପିଲି ଚାନ୍ଦୁଆ ସଦୃଶ ବିଭିନ୍ନ କାରୁକାର୍ଯ୍ୟରେ ପରିପୂର୍ଣ୍ଣ ମୋଟାକପଡ଼ାରେ ତିଆରି ଖୋଳ ଶରୀରର ଛାଞ୍ଚଟିକୁ ଆବୃତ କରି ରଖିଥାଏ । ଏହି ମୁଖାଯୁକ୍ତ ଶରୀରର ଖୋଳ ମଧ୍ୟରେ ଦୁଇଜଣ ନୃତ୍ୟଶିଳ୍ପୀ ପ୍ରବେଶ କରିଥାନ୍ତି । କେବଳ ଗୋଡ଼ ଦୁଇଟିକୁ ବାଦଦେଲେ ସେମାନଙ୍କର ସମଗ୍ର ଶରୀର ଖୋଳ ଭିତରେ ଲୁଚି ରହିଥାଏ । ଦୁଇଜଣ ଶିଳ୍ପୀଙ୍କର ଚାରିଗୋଟି ଗୋଡ଼, ଗୋଟିଏ ଚତୁଷ୍ପଦ ପ୍ରାଣୀର ଭ୍ରମ ସୃଷ୍ଟି କରୁଥାଏ । ଶିଳ୍ପୀମାନେ ପାରମ୍ପରିକ ଚାଙ୍ଗୁବାଦ୍ୟର ତାଳେ ତାଳେ ବିଭିନ୍ନ ଶୈଳୀରେ ନୃତ୍ୟ କରନ୍ତି ।

ସହରତଳି ବା ଗ୍ରାମାଞ୍ଚଳରେ ବସବାସ କରୁଥିବା ମୁଖାନୃତ୍ୟର ଶିଳ୍ପୀମାନଙ୍କ ଅବସ୍ଥା ଅତ୍ୟନ୍ତ ଶୋଚନୀୟ । ସାଧାରଣତଃ ଅଶିକ୍ଷିତ କିମ୍ବା ସ୍ୱଳ୍ପଶିକ୍ଷିତ ମଣିଷମାନେ ଏହି ନୃତ୍ୟରେ ଅଂଶଗ୍ରହଣ କରନ୍ତି । ସଭ୍ୟ ଶିକ୍ଷିତ ମଣିଷମାନେ ଏହି ନୃତ୍ୟରେ ଆଜିସୁଦ୍ଧା ସାମିଲ ହୋଇନାହାଁନ୍ତି। ଉଚ୍ଚବର୍ଗର ମଣିଷମାନଙ୍କର ମନୋଭାବ ଯଦି ଏପରି ବଳବତ୍ତର ରହେ, ଏହି ଅପୂର୍ବ ମୁଖାନୃତ୍ୟ ଶୈଳୀ ଦିନେ କାଳର ଗର୍ଭରେ ଲୀନ ହୋଇଯିବ ।

ସୌଜନ୍ୟ – ସମଦୃଷ୍ଟି

Photo credit- https://bit.ly/2AUd5ri

https://bit.ly/3gPfL8W

https://bit.ly/2ZY3yI1

https://bit.ly/38JUyKL

https://bit.ly/3iRTHw7

https://bit.ly/3iOxDTf


Share Samadhwani
Support Samadhwani

About ମନମଥ ଶତପଥୀ

ନାଟ୍ୟକାର, ନାଟ୍ୟ ନିର୍ଦ୍ଦେଶକ, ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀର ପୂର୍ବତନ ସମ୍ପାଦକ

Check Also

ସାପୁଆ କେଳା

Share Samadhwani“କାଳିରେ ବନମାଳି ତୋ ପୟରେ ନଲାଗଇ ଧୂଳି । ବାହାରିଆ, ବାହାରିଆ । ଆରେ ନାଗ ବଚା ଅଛୁତ …