ଟିକରିର ମକର ବୁଲା (କ୍ଷୁଦ୍ର ଗଳ୍ପ)

ଆଜି ଗାଁ ଦାଣ୍ଡରେ ଏତେ ଗହଳି ଚହଳିକାହିଁକି ? ଜାମ୍ବରୁର ଝିଅ ଟିକରି ମନେ ମନେ ଭାବୁଛି । ଗାଁ ବୁଲି ବୁଲି ସବୁ ଦେଖୁଛି । ଭାବୁଛି ଆରେ ଏ କ’ଣ ଚାଲିଛି! ସେ ବୁଝିପାରୁନି ଗାଁରେ ଆଜି ଏସବୁ କ’ଣ ଚାଲିଛି। ଏବେ ତ ଜାନୁଆରୀ ମାସ । ଦୁର୍ଗାପୂଜା ସମୟ ନୁହଁ ତ । କ’ଣ ଅଛି ଗାଁରେ? ସିଏ ଭୁବନେଶ୍ଵର ଯିବାଠାରୁ ଆଉ କେବେ ଗାଁକୁ ଆସିନଥିଲା । ସେତେବେଳେ ତାକୁ ସାତ କି ଆଠ ବର୍ଷ ହେଇଥିବ । ଗାଁର କଥା ତାର ଝାପସା ମନେଅଛି । ତାକୁ ଏବେ ୧୬ ପୁରିଲାଣି । ସହରର ଜଣେ ଡାକ୍ତର ବାବୁ ତାକୁ ପାଠ ପଢେଇବେ କହି ଗାଁରୁ ସହରକୁ ସେତେବେଳେ ନେଇଗଲେ । ସେବେଠାରୁ ସେ ଭୁବନେଶ୍ୱରିଆ ହୋଇଯାଇଛି ।

Support Samadhwani

ଟିକରିର ବାପା ହେଲା ଜାମ୍ବରୁ । ଚାଷ କରେ । ମୂଳ ବି ଲାଗେ । ବିଚରା ୫ଟି ପିଲାଙ୍କ ଜଞ୍ଜାଳରୁ ଟିକେ ମୁକୁଳିବ ଭାବି ଜାମ୍ବରୁ ଝିଅକୁ ପାଠ ପଢିବା ନାଁରେ ଡାକ୍ତର ବାବୁଙ୍କୁ ଦେଇଦେଲା । ବାବୁ ଓ ମା ଦୁଇଜଣ ଡାକ୍ତର ଲୋକ । ଜାମ୍ବରୁ ଗାଁ ପାଖ ପଞ୍ଚାୟତରେ ଥିବା ପ୍ରାଥମିକ ଡାକ୍ତରଖାନାରେ ମା ଡାକ୍ତରାଣୀ ଥିଲେ । ବାବୁ ନିଜେ ଗୋଟିଏ କ୍ଲିନିକ କରିଥିଲେ । ଆଖପାଖ ଲୋକଙ୍କ ଦେହ ପା ହେଲେ ଦେଖୁଥିଲେ । ଭାରି ଭଲ ଲୋକ । ଆଜିକାଲି ଗରିବ ଗୁରୁବା ଲୋକଙ୍କ କଥା ଭାବୁଛି ବା କିଏ ? ସାହାଯ୍ୟ ତ ଦୂରର କଥା । ଆପେ ବଞ୍ଚିଲେ ବାପ ର ନାଁ । ବିନୟକ ସେନ୍ ତ ସମସ୍ତେ ହେବେନି!

ଜାମ୍ବରୁ ଅନେକ ସମୟରେ ଝିଅକୁ ନେଇ ମା ବାବୁଙ୍କ ଘରକୁ ଯାଉଥିଲା । ସେମାନଙ୍କୁ ଘର କାମରେ ସାହାଯ୍ୟ କରୁଥିଲା । ଡାକ୍ତର ମା ଯେତେବେଳେ ଭୁବନେଶ୍ଵର ଟ୍ରାନ୍ସଫର ହେଲା ଜାମ୍ବରୁ ଗୋଡତଳୁ ମାଟି ଖସିଗଲା । ଆହାଃ ଆମ କଥା ଶୁଣିବାକୁ ଔ କିଏ ବା ଅଛି । ସତରେ ମା ଓ ଡାକ୍ତର ବାବୁ କୋଟିଏରେ ଗୋଟିଏ । ଜାମ୍ବରୁ ମନେମନେ ଭାବୁଥାଏ । ଡାକ୍ତର ବାବୁ ସେତେବେଳେ ଜାମ୍ବରୁର ଝିଅ ଟିକରିକୁ ସାଙ୍ଗରେ ନେବାକୁ ଚାହିଁଲେ । ଜାମ୍ବରୁ ମନକଥା ଯେମିତି ସେ କହିଛନ୍ତି । ସେ ସଙ୍ଗେସଙ୍ଗେ ହଁ ଭରିଲା । ଟିକରି ଡାକ୍ତର ମା ଓ ବାବୁଙ୍କ ସହିତ ଭୁବନେଶ୍ଵରକୁ ଚାଲିଗଲା । ସେବେଠୁ ଗାଁକୁ ଆସିନି ।

ଟିକରି ଗାଁରୁ ଯିବାର ୧୦ ବର୍ଷ ହେଲାଣି । ଏବର୍ଷ ମକର ଦେଖିବା ପାଇଁ ସେ ଗାଁକୁ ଆସିଛି । ସେଥିପାଇଁ ଗାଁର ଚାଲିଚଳଣି ସାଙ୍ଗରେ ସେ ଟିକେ ଖାପ ଖାଇପାରୁନି । ପୁଣି ମ୍ୟାଟ୍ରିକ ପଢି ଟିକରି ଏବେ ଟିକେ ଶିକ୍ଷିତ ହୋଇଯାଇଛି। ଭୁବନେଶ୍ଵରର ଗୋଟିଏ ବଡ ଅନୁଷ୍ଠାନର ହଷ୍ଟେଲରେ ରହି ପାଠ ପଢୁଛନ୍ତି । ତାକୁ ଗାଁ କେମିତି ବା ଭଲ ଲାଗିବ। ହେଲେ ଗରିବ ଜାମ୍ବରୁ ଏସବୁ ବୁଝିନି । ଏ କଥା ତା ମନକୁ କେବେ ଆସିନି । ଭାବୁଛି ଏତେଦିନ ପରେ ଆସିଛି ତ ଗାଁରେ ରହିବାକୁ ଟିକେ ଅସୁବିଧା ମଣୁଛି । ସେ ଟିକେ ଭୁବନେଶ୍ୱରିଆ ହେଇଯାଇଛି । ୨ କି ୩ ଦିନ ହେବ ଆସିଛି ଭୁବନେଶ୍ଵରରୁ । ଧୀରେ ଧୀରେ ସେ ସବୁ ଶିଖିଯିବ ନି ? ଜାମ୍ବରୁ ମନେ ମନେ ଭାବୁଥାଏ ।

Support Samadhwani

କାଲିଠାରୁ ତିନିଦିନ ଯାଏଁ ମକର ପର୍ବ ଚାଲିବ । ଗାଁ ଯାକ ଆଜିଠାରୁ ଭାରି ସାଜସଜ୍ଜା ଚାଲିଛି । ଗାଁ ଲୋକମାନେ ପାଖ ବଜାରରୁ ଘର ପାଇଁ କେତେ ରକମର ଜିନିଷ କିଣାକିଣି କରିଛନ୍ତି । ଟିକରି ଘରେ ଏତେସବୁ ଜିନିଷ କିଣା ହେବାର କେବେ ଦେଖିନଥିଲା । ବାପାକୁ ପଚାରିଲା, “ବାପା ଏସବୁ କ’ଣ ହେବ?” ଭାଇ କୁନ୍ଦୁରୁ ଟିକରି କଥା ଶୁଣି ହସିଦେଇ କହିଲା, “ଆଲୋ ଟିକରି କାଲିଠୁ ମକର ପରା!” ଟିକରି ପଚାରିଲା, “ମକରରେ ଏସବୁ କାହିଁକି ହେଉଛି ?”

କୁନ୍ଦୁରୁ ଟିକେ ହସିଦେଇ କହିଲା, “ମକର କ’ଣ ତୁ କ’ଣ ଜାଣିନୁ? ତୁ ତ ପୁରା ଭୁବନେଶ୍ୱରିଆ ହେଇଗଲୁ, ଜାଣିବୁ କେମିତି? ଏଇଟା ଆମ ସାନ୍ତାଳୀ ଲୋକଙ୍କର ବଡ ପର୍ବ। ତୁ କିଆଁ ଜାଣିଲୁନି କହ ତ?” ଟିକରି ରାଗିଗଲା । କହିଲା, “ମୋତେ ତ ପିଲାଦିନୁ ଭୁବନେଶ୍ଵରରେ ଛାଡିଦେଲ । ମୁଁ କେମିତି ଜାଣିବି ମକର କ’ଣ? ସେଠି ତ ଦୁର୍ଗାପୂଜା, ଗଣେଶ ପୂଜା, କାଳି ପୂଜା ହୁଏ। ବଡବଡ ଯାତ୍ରା ବସେ । ବାବୁ ଓ ମାଙ୍କ ସାଙ୍ଗରେ କେବେ କେବେ ଯାଇଛି । ହେଲେ ମକର କେବେ ମୁଁ ଦେଖିନି । ବାପା ମତେ ଟିକେ କୁହ ମକର କ’ଣ,” ଟିକରି ଜାମ୍ବରୁ କାନ୍ଧକୁ ହଲେଇ ଦେଇ କହିଲା । “ଏହାକୁ ଆମ ଲୋକେ କେମିତି ପାଳନ୍ତି ତୁମେ କହିଲେ ତ ଜାଣିବି।”

ଜାମ୍ବରୁ ଟିକେ ମୁଣ୍ଡ ଟୁଙ୍ଗାରିଲା । ଟିକେ ଗଳା ଖଙ୍କାର ମାରିଲା । ହଉ ଶୁଣିବୁ ତ ଶୁଣ । ଏହି ସମୟରେ “ମକର କଥା କିଏ ଶୁଣିବ ଆସରେ,” ବୋଲି ଭାଇ କୁନ୍ଦୁରୁ ବଡପାଟି କଲା । ପାଖରେ ଆଉ ଦୁଇ ତିନିଜଣ ପିଲା ଗୁଡ଼ି ଉଡ଼ଉଥିଲେ । ଦଉଡି ଆସିଲେ ମକର କଥା ଶୁଣିବାକୁ ।

ଜାମ୍ବରୁ କହିବା ଆରମ୍ଭ କଲା । “ମୁଁ ଯାହା କହିମି ସତ କଥା । ମୋ ଜେଜେବାପା ମୋତେ ଯାହା କହିଥିଲେ କହିମି । ଶୁଣିବ ଆଉ ତୁମେ ବି ତୁମ ପିଲାଙ୍କୁ କହିବ, ହେଲା।” ସବୁ ପିଲା ବଡପାଟିରେ ହଁ ମାରି ମୁଣ୍ଡ ଟୁଙ୍ଗାରିଲେ । “ମୋ ଜେଜେବାପା ସେତେବେଳେ ମୟୂରଭଞ୍ଜ ରାଜାଙ୍କ ପାଖରେ ଥିବା ଜଣେ କର୍ମଚାରୀଙ୍କ ଘରେ କାମ କରୁଥିଲା । ଟିକେ ବୁଝିବା ସୁଝିବା ଲୋକ ଥିଲା ଜେଜେ । ଗାଁ ଲୋକେ ବି ତାଙ୍କୁ ଭାରି ମାନୁଥିଲେ । ତାଙ୍କ କଥା ଶୁଣୁଥିଲେ । ମୋତେ ସେତେବେଳକୁ ୧୨ କି ୧୪ ବର୍ଷ ହେବ । ମୋ ଜେଜେ ତ ୧୦୦ ବର୍ଷ ପରେ ବଞ୍ଚିଥିଲା । ସିଏ ଏବେ ବଞ୍ଚିଥିଲେ କେତେ ଗପ କହୁଥାନ୍ତା । ହଉ ମୋର ଯାହା ମନେଅଛି ମୁଁ କହିମି ।

ମକର ତିନି ଦିନ ଆମ ଗାଁରେ ପର୍ବ ପାଳନ ହୁଏ । ଆମ ମୟୁରଭଞ୍ଜର ଅନେକ ଲୋକ ଏହି ମକର ପର୍ବକୁ ବହୁତ ବଡ କରି ମାନନ୍ତି । ଆମେ ଯେତେଗୁଡ଼ିଏ ପର୍ବ ମାନନ୍ତି ସେଥି ମଧ୍ୟରେ ମକର ଆମର ସବୁଠୁ ବଡ ପର୍ବ । ଅନ୍ୟାନ୍ୟ ପର୍ବମାନଙ୍କରେ ଆମର ସାନ୍ତାଳୀ ଲୋକେ ଏତେ ଉତ୍ସାହ ଦେଖାନ୍ତି ନାହିଁ । ଆମର ଏପରି କଥା ପ୍ରଚଳିତ ଅଛି ଯେ ‘ବାପ ମା ଛେଉଣ୍ଡ ହେବ ପଛକେ, ମକର ଛେଉଣ୍ଡ ହେବନି’, ମକର ପର୍ବ ପାଳିବା ଆମର ଯେମିତି ବିଧି । ଏହି ମକର ପର୍ବ ମାନିବା ଲାଗି ଆଗ ତିନି ମାସଠୁଁ ଆମେ ଜିନିଷମାନ ଆୟୋଜନ କରି ରଖିଥାଉ । ଯେଉଁମାନେ ବିଦେଶକୁ ଚାକିରି କରିବାକୁ ଯାଆନ୍ତି ସେମାନେ ମଧ୍ୟ ଏହି ମକର ପର୍ବ ପାଳିବା ପାଇଁ ଅନେକ ଦିନ ପୂର୍ବରୁ ଆସି ଘରେ ପହଞ୍ଚିଥାନ୍ତି । ସେଥିପାଇଁ ତ ଟିକରିକୁ ମୁଁ ଆସିବାକୁ ଜିଦି କଲି । ବାବୁ କେବେ ରାଜି ହୁଅନ୍ତି ନାହିଁ ଟିକରିକୁ ଛାଡିବାକୁ । ହେଲେ ଆମର ସବୁ ଲୋକେ କୁଟୁମ୍ବମାନଙ୍କ ମଧ୍ୟରେ ରହି ନିଜ ଘରଠାରେ ମକର ମାନିବାକୁ ଭାରି ଭଲ ପାଆନ୍ତି । ଆମ ଗାଁରେ ଯାହାର ମକର ମାନିବା ପାଇଁ ପଇସା ନଥାଏ ଗାଁ ଲୋକେ ତାକୁ ସାହାଯ୍ୟ କରନ୍ତି । ଆମେ ମକର ସଂକ୍ରାନ୍ତିର ପୂର୍ବ ଦିନକୁ ବାଉଣ୍ଡି (ଅଧିବାସ ବା ଏକବାର) କହୁ । ଜାଣିଛ ମକର ଦିନ ଆମେ ପିନ୍ଧିବା ସକାଶେ ନୂଆ ଲୁଗା ଓ ଖାଇବା ସକାଶେ ମାଛ, ମାଂସ, ମାଣ୍ଡିଆ, ଚୁଡ଼ା, ଗୁଡ଼ ଓ ନାନା ପ୍ରକାରର ପିଠା ଏହି ବାଉଣ୍ଡି ଦିନ ପ୍ରସ୍ତୁତ କରି ରଖୁ । ସମସ୍ତେ ସଂକ୍ରାନ୍ତି ଦିନ କୁକୁଡ଼ା ଡାକରୁ ଉଠି ସ୍ନାନ କରନ୍ତି । ତା’ପରେ ନୂଆ ଲୁଗା ପିନ୍ଧି ପୂର୍ବ ଦିନରୁ ପ୍ରସ୍ତୁତ ହୋଇଥିବା ଖାଦ୍ୟକୁ ଖାଆନ୍ତି । ସାଇ ପଡ଼ିଶା ଘରକୁ କେହି ବୁଲି ଗଲେ ସମସ୍ତଙ୍କୁ ଖାଇବାକୁ ଦିଅନ୍ତି । ମକର ବାସି ଦିନ ଆମ ସାନ୍ତାଳୀ ଲୋକମାନଙ୍କର ନାଚ, ତାମସା ହୋଇଥାଏ ।

କୁନ୍ଦୁରୁ ଦେଖିଛି ପ୍ରତ୍ୟେକ ଗାଁ’ରେ ପନ୍ତା ନାଚ ହୁଏ । ଆମ ଗାଁ ପାଖରେ ଥିବା ପଡ଼ିଆରେ ସ୍ତ୍ରୀ ଓ ପୁରୁଷମାନେ ଏକତ୍ର ହାତ ଧରାଧରି ହୋଇ ସାନରୁ ବଡ ଛିଡା ହୁଅନ୍ତି । ଡେଙ୍ଗା ଲୋକରୁ ସାନ ଏହି ପରି କ୍ରମରେ ସବା ଶେଷରେ ଗୋଟିଏ ସାନ ପିଲା ଥାଏ । ଧାଡ଼ିର ଆଗରେ ବାଦ୍ୟକାର ମାଦଲ, ଧୁମୁସା ଓ ଝାଲିର ଓଗେର ବାଜା ନେଇ ଠିଆ ହୁଅନ୍ତି । ତାପରେ ଯାଇ ଗୀତ ଆରମ୍ଭ ହେଲେ ବାଜାବାଜି ନାଚ ଆରମ୍ଭ ହୁଏ । ଗାଇବା ଲୋକେ ବାଜା ସାଙ୍ଗରେ ଥାଆନ୍ତି । ସମସ୍ତେ ହାତ ଧରାଧରି ହୋଇ ବାଜା ବଜାଉଥିବା ଲୋକ ଓ ଗାୟକମାନଙ୍କର ଚାରି ପାଖରେ ଘୁରି ଘୁରି ନାଚନ୍ତି । ଏହି ପରି ସକାଳୁ ରାତି ଯାଏଁ ନାଚ ଲାଗିଥାଏ । ଟିକରି ତୁ ଏଥର ନାଚିବୁ । ଯେଉଁମାନେ କୌଣସି କାରଣରୁ ପନ୍ତା ଛାଡ଼ି ଚାଲି ଯାଆନ୍ତି ଅନ୍ୟ ଲୋକେ ସେମାନଙ୍କ ଯାଗାରେ ଆସି ନାଚନ୍ତି । ସେହି ନାଚ ପାଖରେ ଖାଇବାର ଜିନିଷ ସବୁ ରଖାଯାଏ । ଆମର ଇଚ୍ଛା ହେଲେ ଆମେ ସେଠାରେ ଯାଇ ଖାଉ । ଉଭୟେ ସ୍ତ୍ରୀ ଓ ପୁରୁଷ ଏହି ପନ୍ତା ନାଚରେ ନାଚନ୍ତି । ତୁମେ ଜାଣିଛ କେହି କେହି ସୁଆଙ୍ଗ ସାଜି ଘରେ ଘରେ ବୁଲି ପିଠା, ଚାଉଳ, ଚୁଡ଼ାଗୁଡ଼ ଇତ୍ୟାଦି ଖାଦ୍ୟ ମାଗନ୍ତି । କେହି କେହି ବାବାଜି ସାଜନ୍ତି । କିଏ କୁଟା ବାଡ଼ରେ ମାଙ୍କଡ଼ ତିଆରି କରି ନଚାଏ ତ କିଏ ବଂଶୀ ବଜାଏ । କିଏ କେନ୍ଦରା ବଜାଏ ବା ବୁଆଙ୍ଗ ବଜାଏ ।”

ଟିକରି ହସି ହେଦେଲା ହି ହି ହି । କୁନ୍ଦରୁ କହିଲା ପାଗିଳି ପରି ହସୁଛୁ କାହିଁକି ଲୋ ଟିକିରି ? ବାପା କହିଲେ ବୁଆଙ୍ଗ ବୋଲି…  “ବୁଆଙ୍ଗ ପୁଣି କ’ଣ ବାପା?” ହସିଦେଇ ଜାମ୍ବରୁ କହିଲା, “ଏଇ ଲାଉତୁମ୍ବା ଲୋ ଝିଅ ।” “ମୋତେ ଆଜି ଟିକେ ବୁଆଙ୍ଗ ଦେଖେଇବ ବାପା । ମୁଁ ଭୁବନେଶ୍ଵର ଗଲେ ସମସ୍ତଙ୍କୁ ବୁଆଙ୍ଗ କଥା କହିବି ।”

ଜାମ୍ବରୁ କହିଲା “ତୁମେ ଆଜିକାଲି ଆଉ ଲାଖ ବିନ୍ଧା ଦେଖିବାକୁ ପାଉନ । ଆମେ ଆଗରୁ ମକରରେ ଲାଖ ବିନ୍ଧୁଥିଲୁ । ପ୍ରତ୍ୟେକ ଗାଁର ସୀମାରେ ଗୋଟିଏ ଲେଖାଏଁ କଦଳୀ ଗଛ ପୋତାଯାଏ । ସେହି ଗଛ ମୂଳରେ ଗାଁର ଦେହୁରୀ ପିଠାପଣା ଆଦି ନିଜ ଘରୁ ଆଣି ଭୋଗ ଦିଏ । ଭୋଗ ଶେଷରେ ଗ୍ରାମବାସୀ ଲୋକେ କାଣ୍ଡ ବାଉଁଶ ଧରି ସେହି ଗଛକୁ ଲାଖ ବିନ୍ଧନ୍ତି । ଯାହାର ତୀର ପ୍ରଥମେ ସେହି କଦଳୀ ଗଛରେ ବାଜେ ସେହି ଲୋକକୁ ଗାଁ ଲୋକେ କାନ୍ଧରେ ବସାଇ ଦେହୁରୀ ଘରକୁ ନିଅନ୍ତି । ଦେହୁରୀ ସେହି ଲାଖ ବିନ୍ଧାରେ ଯୋଗ ଦେଇ ଥିବା ଲୋକମାନଙ୍କୁ ସେଦିନ ଖାଇବାକୁ ଦିଏ ।”

“ଦେହୁରୀ ସେମାନଙ୍କୁ ମକର ଦିନ କାହିଁକି ଖାଇବାକୁ ଦିଏ ବାପା?” ଟିକରି ପଚାରିଲା । ଜାମ୍ବରୁ କହିଲା, “ଦେହୁରୀ ଗ୍ରାମ ଦେବତୀଙ୍କୁ ପୂଜା କରେ । ଗାଁ’ର ପ୍ରତ୍ୟେକ ଝିଅ ବିବାହରେ କନ୍ୟାପାଉଣା ମଧ୍ୟରୁ କିଛି ଟଙ୍କା ଦେହୁରୀ ପାଇବାର ପ୍ରଥା ଅଛି । ସେହି ପାଉଣା ପାଉ ଥିବାରୁ ବର୍ଷରେ ଥରେ ଏହି ମକର ପର୍ବରେ ସେ ଲାଖ ବିନ୍ଧାଳିମାନଙ୍କୁ ଖାଇବାକୁ ଦିଏ।

ତୁମେ ଜାଣିଛ ଆମପରି ଅନ୍ୟ ଆଦିବାସୀ ଭାଇମାନେ ବି ତିନି ଦିନ ଧରି ଏହି ପର୍ବ ପାଳନ୍ତି,” ଜାମ୍ବରୁ କହିଲା । “କିନ୍ତୁ ସମସ୍ତଙ୍କ ପାଳିବା ରୀତି ଟିକେ ଅଲଗା ଅଲଗା। ଏହି ତିନି ଦିନ ଯାକ ଆମ ଲୋକେ ଆଉ କାହାରି ମୂଲ ଲାଗିବାକୁ ଯାଆନ୍ତି ନାହିଁ । ଆମୋଦ ପ୍ରମୋଦ ଓ ଖେଳ କୌତୁକ ମଧ୍ୟରେ ଆମର ଏହି ତିନି ଦିନ କଟିଯାଏ । ଆମେ ପର୍ବ ଦିନରେ ହାଣ୍ଡିଆ ପିଉ ଓ ମାଂସର ପୋଡପିଠା ସନ୍ଧ୍ୟାବେଳେ ଖାଉ । ଏମିତି ଅତି ଆନନ୍ଦରେ ଆମ ମକର ପାଳନ ହୁଏ।”

ଟିକରି ମୁଣ୍ଡ ହଲାଇଲା ଯେମିତି ସବୁ ସେ ବୁଝି ଯାଇଛି । କହିଲା, “ବାପା ମୁଁ କାଲିଠୁ ତିନି ଦିନଯାଏ ସବୁକୁ ଏଥର ଦେଖିବି । ଭୁବନେଶ୍ଵର ଗଲେ ସମସ୍ତଙ୍କୁ ଆମ ମକର ବିଷୟରେ କହିବି । କାହିଁକି ଜାଣିଛ ଆମର ସେଠି ଡାକ୍ତର ବାବୁଙ୍କ ଘରେ ମକର ସଂକ୍ରାନ୍ତି ପାଳନ ହୁଏ । ସେମାନେ ମକର ପର୍ବକୁ ଅଲଗା ପ୍ରକାର ପାଳନ୍ତି ।”

ହୋ ହୋ ହୋଇ କୁନ୍ଦୁରୁ ହସିଦେଲା । ଜାମ୍ବରୁ ପଚାରିଲା “ହସୁଛୁ କାହିଁକି?” କୁନ୍ଦୁରୁ କହିଲା, “ଏ ମକର ପର୍ବକୁ ସଂକ୍ରାନ୍ତି କାହିଁକି କହୁଛି?” ଟିକରି କହିଲା, “ତୁ ମକର ସଂକ୍ରାନ୍ତି ବିଷୟରେ କ’ଣ ସତରେ କିଛି ଜାଣିନାହୁଁ?” କୁନ୍ଦୁରୁ କହିଲା, “ଆମେ ତ ମକର ପର୍ବ କହୁଛୁ । ସଂକ୍ରାନ୍ତି କ’ଣ ମୁଁ କେମିତି ଜାଣିବି? ତୁ ଯଦି ଜାଣିଛୁ ଆମକୁ କହ ଆମେ ବି ଜାଣିବୁ ।”

ଟିକରି କହିଲା, “ମୁଁ ଏ ବିଷୟରେ କିଛି ପଢିନି । ଡାକ୍ତର ବାବୁ ଓ ମା ଯାହାସବୁ କଥା ହୁଅନ୍ତି ଓ ଘରେ ପାଳନ୍ତି ମୁଁ ଦେଖିଛି । ଆମର ସେଠି ମକର ସଂକ୍ରାନ୍ତି ଦିନଟିକୁ ମକର ପର୍ବ କହନ୍ତି । ମା ଏହି ସଂକ୍ରାନ୍ତିକୁ ତିଳଉ ସଂକ୍ରାନ୍ତି ବୋଲି ବି କହନ୍ତି । ସୂର୍ଯ୍ୟ ସେଦିନ ମକର ରାଶିରେ ପହଞ୍ଚନ୍ତି ବୋଲି ବାବୁ କହୁଥିଲେ । ଏହି ସଂକ୍ରାନ୍ତିକୁ ଉତ୍ତରାୟଣ ସଂକ୍ରାନ୍ତି ବୋଲି ମଧ୍ୟ କୁହାଯାଏ । କାରଣ, ହଜାର ହଜାର ବର୍ଷ ହେଲା ସୂର୍ଯ୍ୟଙ୍କର ଉତ୍ତରାୟଣ ଗତି ସେହି ଦିନ ଆରମ୍ଭ ହେଉଥିଲା । ମାତ୍ର ବର୍ତ୍ତମାନ ସେହି ଉତ୍ତରାୟଣ ଗତି ଏହି ସଂକ୍ରାନ୍ତି ଦିନ ନ ହୋଇ ତାହାର କୋଡ଼ିଏ ଦିନ ଆଗରୁ ଆରମ୍ଭ ହେଉଅଛି ବୋଲି ବାବୁ କହୁଥିଲେ । ତଥାପି ଏବେ ମଧ୍ୟ ଏହି ମକର ସଂକ୍ରାନ୍ତିକୁ ଉତ୍ତରାୟଣ ସଂକ୍ରାନ୍ତି ବୋଲି କୁହାଯାଉଛି ।

ଓଡିଆ ଲୋକେ କିପରି ମକର ପର୍ବ ପାଳନ୍ତି ଜାଣିଛ? ନୂଆ ଅରୁଆ ଚାଉଳରେ ଦୁଧ, ଗୁଡ଼, ଛୋଟ ଛୋଟ, ଆଖୁଖଣ୍ଡ, ନଡ଼ିଆ, ଅଦା, ପାକଲା କଦଳୀ ପ୍ରଭୃତି ସୁସ୍ୱାଦୁ ଜିନିଷ ମିଶେଇ ମା ଯେଉଁ ଭୋଗ ପ୍ରସ୍ତୁତ କରନ୍ତି ତାକୁ ମକର ଚାଉଳ ବୋଲି କୁହନ୍ତି । ମା ସେଦିନ ମୁଁ ଆସିଲାବେଳେ ମୋତେ ଓଡିଆଙ୍କ ମକର ବିଷୟରେ ବହୁତ କଥା କହିଥିଲେ । ମା କହିଲେ ଯେ, ମକର ଦିନ ମନ୍ଦିରରେ ବିଶେଷ କରି ପୁରୀ ଜଗନ୍ନାଥ ମନ୍ଦିରରେ ସଂକ୍ରାନ୍ତିର ପୂର୍ବ ଦିନରୁ ମକର ଚାଉଳର ଅଧିବାସ କରାଯାଇଥାଏ । ପୂଜକମାନେ ମକର ଚାଉଳ ପ୍ରସ୍ତୁତ କରି ତାହାକୁ ଦିଗ ପରିକ୍ରମା କରାନ୍ତି ବୋଲି ମା କହୁଥିଲେ । ସେହି ଅଧିବାସ ଦିନ ନବାଙ୍କ ଯାତ୍ରା କୁଆଡ଼େ ହୁଏ । ଏହି ନବାଙ୍କ କ’ଣ ଜାଣ ? ନବାଙ୍କ ହେଉଛି ନୂଆ ଅଙ୍କ ବା ନୂଆ ବର୍ଷ । ଏହି ସଂକ୍ରାନ୍ତି ଦିନ ଦେବତାମାନଙ୍କର “ନବାନ୍ନ ଭୋଜନ” ବା ନୂଆଖିଆ ଆରମ୍ଭ ହୁଏ ।

ମା କହୁଥିଲେ ମକର ପରଦିନରୁ ଶୀତ କମି ଯାଇ ବସନ୍ତ ଋତୁ ନିକଟବର୍ତ୍ତୀ ହୋଇଥାଏ । ବର୍ଷକ ପରିଶ୍ରମର ଫସଲ ଧାନ, ବିରି, ମୁଗ ପ୍ରଭୃତି ଶସ୍ୟ ସେହି ସମୟକୁ ଲୋକେ ଅମଳ କରି ସାରିଥାନ୍ତି । ଓଡିଶାର ଗାଁ ମାନଙ୍କରେ ଅନେକ ପ୍ରକାର ଶସ୍ୟ ଏହି ସମୟକୁ ସଂଗ୍ରହ ହୋଇଥାଏ । ଲୋକଙ୍କର ଖାଇବା ପିଇବାର ବିଶେଷ ଅସୁବିଧା ନଥାଏ । ଓଡିଶାରେ ଚାଷ କରି ଅଧିକ ଲୋକ ବଞ୍ଚନ୍ତି । ଚାଷକାମ ସରିଯିବା ପରେ ମକର ପର୍ବକୁ ଅତି ଆନନ୍ଦରେ ଲୋକେ ପାଳନ କରିଥାନ୍ତି ।”

ଜାମ୍ବରୁ କହିଲା, “ସବୁ ସେଇ ଗୋଟେ କଥା । ଆମେ ବି ମକରକୁ ଚାଷକାମ ସରିବା ପରେ ଖୁସିରେ ପାଳନ କରୁ । ଚାଲ ଟିକରି ରାତି ହେଲାଣି ତୋତେ ମୁଁ ଏବେ ବୁଆଙ୍ଗ ଦେଖେଇ ଆଣିବି ।” ବାପା ଝିଅ ଏବେ ଗାଁ ଆଡକୁ ଚାଲିଲେ ।

Share This Article