‘ଚିର ପ୍ରଦୀପ୍ତ’ – କବି ସଚ୍ଚିଦାନନ୍ଦ ରାଉତରାୟ

Swayamprava Parhi (Chief Editor)
4 Min Read

[box type=”shadow” align=”” class=”” width=””]ପ୍ରଖ୍ୟାତ କବି ସଚ୍ଚିଦାନନ୍ଦ ରାଉତରାୟ ମାତୃଭୂମି ପୃଷ୍ଠାରେ ‘ଚିର ପ୍ରଦୀପ୍ତ’ ଶୀର୍ଷକ କବିତାଟି ପ୍ରକାଶ କରି ୧୯୬୯ର ଛାତ୍ର ଜାଗରଣକୁ ପ୍ରୋତ୍ସାହନ ଯୋଗାଇଥିଲେ । ସଚ୍ଚିଦାନନ୍ଦ ରାଉତରାୟଙ୍କ କବିତା ମାତୃଭୂମି ସମ୍ବାଦପତ୍ରରେ ୨୮ ସେପ୍ଟେମ୍ବର ୧୯୬୯ରେ ପ୍ରକାଶିତ ହୋଇଥିଲା। ଆଜିର ସମୟରେ ଯେତେବେଳେ କି ଦେଶର ବଡ ବଡ ବିଶ୍ଵବିଦ୍ୟଳୟର ଛାତ୍ରଛାତ୍ରୀମାନେ ଶାସକମାନଙ୍କ ବିରୋଧରେ ସ୍ୱର ଉତ୍ତ୍ୱଳନ କରି ଅପରାଧୀ ମାନଙ୍କପରି ଗିରଫ ହୋଇ ଜେଲ ଦଣ୍ଡରେ ଦଣ୍ଡିତ ହେଉଛନ୍ତି, ସେହି ସମୟରେ କବିତାର ପ୍ରାସଙ୍ଗିକତା ଅଛି ବୋଲି ଅନୁଭବ କରି ସମଧ୍ୱନି ପୃଷ୍ଠାରେ ପୁନଃ ପ୍ରକାଶ କରାଯାଉଛି । – ସମ୍ପାଦକ[/box]

ମାରିଚ ଯାହାକୁ ହାରିଚ ତାହାଠୁ ଆରେ କାପୁରୁଷ ଦଳ
ମୁକୁଟ ତମର ଖସିପଡ଼ି ଚୁମେ ତାହାରି ଚରଣ ତଳ ।।

ସାମନା ତାରତ କରିବାକୁ ତମ ଆଖିରେ ନଥିଲା ବଳ
ନିରସ୍ତ୍ର ତାର ମୁକୁଳା ପିଠିରେ ଦାବିଅଛ ରାଇଫେଲ ।।

ନିଆଁକୁ ମାରିବ କେଉଁପରି ତୁମେ? ନିଆଁ କିରେ କେବେ ମରେ?
ସୁପ୍ତ ଝଡ଼କୁ କରିବ ବନ୍ଦୀ ତୁମରି ଅସ୍ତ୍ରାଗାରେ?

Samadhwani Support us

ନିଜେ ତ ଦେଖିଚ ଗୋଟିଏ ପିଲାର ତୋଫାନରେ ଗଲାଉଡ଼ି ।
ତମ ଗୁଳିଗୁଳା ଫଉଜ ରାଇଜ, ପାଟଛତ, ସୁନାବାଡ଼ି ।।

ସେଠୁ ଉଡ଼ିଆସି ପଡ଼ିଲ ଏଠାରେ, ଜମାଇଛ କିଛି ଥାନ
ଇତିହାସର ତା ବଡ଼ ପରିହାସ, ମୋ ଜାତିର ଅପମାନ ।।

ଦୁରୁତାହା ଦେଖି କାନ୍ଦୁଛି ବାଜି, ଆଖିରୁ ଝରୁଛି ଲୁହ
କୋଟି ଜନତାର ବୁକୁରୁ ଉଠୁଛି ଏକ ଅଗ୍ନିର ସୂଅ ।।

ଭିସୁଭି ଏସବୁ ସୁରାର ପାତ୍ରେ ବନ୍ଦୀ କରିବ ତୁମେ!
ଆରେ ହତଭାଗା ଭାଗ୍ୟ ଶିକାରୀ! ବସିଛ ଶାସନ ନାମେ ।।
ତମ ନାସଦାନୀ ଭିତରେ ଭାବିଚ ବିପ୍ଳବ ଯିବ ଲୁଚି
ଖୁଣୀ ହେବେ କାହିଁ ଜିଣିନି ଲଢ଼େଇ କରିନି ସାମନା କିଛି ।।
ଖୁଣୀ ସବୁଦିନ ଖୁଣୀ,
ତାର ବିଚାରକ ଏଦେଶ ତରୁଣ, ବିଧାତାର ଶୁଭବାଣୀ ।।

ସେ ତ ଏଦେଶର ଦୀପ୍ତଚେତନା, ଚିର ପ୍ରଦୀପ୍ତ ଶିଖା ।
ଆଗାମୀ କାଲିର ସେ ଯେ ରୂପକାର ସକାଳର ପାଦଟୀକା ।।

ଯୁଗେ ଯୁଗେ ସିଏ ଆସିଛି ଆସିବ, ଜଳିଚି ଜଳିବ ପୁଣି
ସେ ନିଆଁ ନିଭେନି ନ ନିଭିବ ଆଗୁ ଶୋଷଣର ସୟତାନୀ ।।

ସେ ନିଆଁ ନିଭେନି ଭାଙ୍ଗିବା ଆଗୁ ପ୍ରତିକ୍ରିୟାର ଗଡ଼
ସେ ନିଆଁକୁ କେହି ନିଭାଏ ନାହିଁରେ ସେ ଯେ ଚେତନାର ଝଡ଼ ।
ଆପଣା ଛାଏଁ ସେ ନିଭେ ପୁଣି ଜଳେ, ଜଳେ ପୁଣି ନିଭେ କେବେ
ଆଜିତା ଜଳିଛି ଜାଳି ଦେବ ବୋଲି ଶୋଷଣବାଦର ଶବେ ।।

ଭାବିଅଛୁ ପ୍ରତିଥର
ବିପ୍ଳବର ତ ହେଲା ଏବେ ଇତି, ଶେଷ ହେଲା ଏଇ ଥର ।।
ସମର ହୋଇଲା ଶେଷ
କ୍ଳାନ୍ତ ସଇନ ଫେରିଯିବ ଘରେ ବିଜୟର ଉଲ୍ଲାସ ।।
ମାତ୍ର ଭୁଲିଛୁଁ ଚିର

ବିପ୍ଳବ କେବେ ହୁଏ ନାହିଁ ଶେଷ – ଅଲିଭା ସେ ଚିରକାଳ ।।
ମୋର ଉଜାଗର ଆଖି
ଶୋଇବା ପିଲାର ହୁକୁମ ନମାନି କିବା ସେ ଯାଉଚି ଦେଖି?
ସେଇ ନିର୍ଜନ ଶିଖା
ଜଳୁଛି ଯେଉଁଠି ଏକାକୀ ନମାନି ରାତ୍ରିର ଯବନିକା ।।

ମୁଁ ତାକୁ ଦେଖିନି କେବେତ ଆଖିରେ ଜୀବନେ ବା ମଲାପରେ
ତଥାପି ଜାଣେ ସେ ମୋ ଏକ ଅଂଶ ସେ ଯେ ମୋର ଚେତନାରେ
ରହିଥିଲା ଲୁଚି, ମୁଁ ତାହା ଜାଣେନା କେତେଦିନୁଁ କେଉଁପରି,
ଆଜି ସେ ଆସିଚି ସବୁରି ଆଗକୁ ମରଦେହ ଏକ ଧରି
ଚିର ଅମଳିନ ଚିର ସୁରଭିତ ଆରେରେ ମଶାଣି ମଡ଼ା
କୋଟିଏ ବୁକୁର ଆଲିଙ୍ଗନରୁ ପୁଲିସ ହାତର ଭିଡ଼ା
କିପରି କରିବ ଛିନ୍ନ ତୋତେ ରେ କିପରି ଜାଳିବ ତୋତେ?
ଖାନନଗରର ବିକଳ ବାଲିରେ କୋଟି ହୃଦ ଜନପଥେ ।

ପୋଡ଼ି କି ପାରିବ ତାକୁ କେଉଁ କାଠ ତାକୁ କି ପାରିବ ଜାଳି
ଶୁଖିଲା ପାଉଁଶୁ ତାର କି ଜନ୍ମ ହେବ ନାହିଁ ମହାକାଳୀ?
ରୁହ ବିଷାଦ ଝଡ଼
ସେହି ଅକ୍ରୁର ଶିଖାର ଚରଣେ ସୁପ୍ତ ପାଲଟି ଜଡ଼ ।

ଅସାମ୍ୟ ଆଉ ଦ୍ୱନ୍ଦ୍ୱର ଜାଳେ ଛିନ୍ନ ପତିତ ଧରା
ବ୍ୟଭିଚାରର ବୀଜାଣୁ ଛାଇଚି ଆମର ବସୁନ୍ଧରା
ମଣିଷର ଚିର ଆଶା ଭଙ୍ଗୁର ନଷ୍ଟ ଦିଗର ସ୍ୱର,
ମଣିଷର ଭୂଇଁ ବିଡ଼ମ୍ବନାର ଯେଉଁଠି ନାମାନ୍ତର ।

ସଢ଼ା ଅତୀତର ପୃଷ୍ଠା ବିଦାରି ନୂଆ ମଣିଷର ନାମ
ଖୋଜି ଖୋଜି ଯହିଁ ଦୀପ୍ତ ତରୁଣ ହୋଇଛି ବ୍ୟର୍ଥକାମ,
ନୂତନର ଅଭିସାରେ
ପୁରୁଣାକୁ ଯିଏ ଜୀର୍ଣ୍ଣବସନ ପରି ଫିଙ୍ଗିଦିଏ ଦୂରେ ।

ତଥାପି ହୋଇନି ସିଏ କାକୁସ୍ତଭୀତ ଅବା ପଳାତକ
ବାସ୍ତବେ ଡରି ପଳାଇ ଯାଇନି ଯିଏ ନେତୃତ୍ୱ ଛକ
ପଳାଇ ଯାଇନି ସାମନାରୁ ଦୂରେ ଲୋଡ଼ି ଆଶ୍ରୟ କେଉଁ
ମାଦକ ବିଶ୍ୱେ ମାରିଜୋନ୍ ବା ମୁକ୍ତପ୍ରେମର ଢ଼େଉ ।

ହିପ୍ପୀର ଜଗତକୁ
ବାସ୍ତବରେ ସେ କରିଚି ସାମନା, ଚାହିଁଚି ଦେବାକୁ ତାକୁ
ସୁନ୍ଦର ଏକ ରୂପ
ସେଇ ସଂଗ୍ରାମୀ ଶିବିରରେ ତୁମେ ଅଗ୍ରଣୀ ଅପରୂପ ।

ଜଳ, ଜଳ ଶିଖାଜଳ
ଆକାଶ ପ୍ରଣମେ ପଦତଳେ ତୁମ, ପୃଥିବୀଯେ କରେ କୋଳ ।
ସେ ଶିଖା ନିଭିବ ନାହିଁ
ନିଭେନା ସେ ଶିଖା ନିଭିବା ଆଗରୁ ଶେଷ ସାମନ୍ତସାହୀ ।

PHOTO CREDIT – https://bit.ly/3kaR7Sy

Share This Article
Editor-in-Chief, Samadhwani | Cultural Journalist || Vocal Artist | Leading the Student-Led “Village Biography/ Village History Documentation" Initiative in Odisha.