କଥା ସାହିତ୍ୟର କୁହୁକ ପୁରୁଷ ଗାବ୍ରିଏଲ୍ ଗାର୍ସିଆ ମାକ୍ୱେର୍ଜ୍‌

କେଦାର ମିଶ୍ର
କେଦାର ମିଶ୍ର 152 Views
12 Min Read

ଆପଣ ଲେଖାଲେଖି ଆରମ୍ଭ କଲେ କେମିତି- ପ୍ରଶ୍ନଟିର ଉତ୍ତର କ’ଣ ଏତେ ସହଜ ହୋଇପାରେ? ମାକ୍ୱେର୍ଜ୍ କିନ୍ତୁ ଖୁବ୍ ସହଜରେ କହିପାରନ୍ତି-ମୁଁ ଲେଖାଲେଖି ଆରମ୍ଭ କଲି ଚିତ୍ରାଙ୍କନରୁ, ସ୍କୁଲ ଏବଂ ରଫ୍ ଖାତାରେ କାର୍ଟୁନ୍ ଅଙ୍କାରୁ ଆରମ୍ଭ ହେଲା ସାହିତ୍ୟ । ଅଜବ! ଅଦ୍‌ଭୂତ! ଆଶ୍ଚର୍ଯ୍ୟଜନକ! ଗାବ୍ରିଏଲ୍ ଗାର୍ସିଆ ମାକ୍ୱେର୍ଜ୍‌ଙ୍କ ପରିଚୟ ଆଗରେ ବିସ୍ମୟ ସୂଚକ ଆଙ୍କିବାକୁ ପାଠକେ ବାଧ୍ୟ । ପୃଥିବୀର ସବୁ କଥାକାରଙ୍କ ପରି ମାକ୍ୱେର୍ଜ୍ ବି ପ୍ରେରଣା ପାଆନ୍ତି ଜୀବନର ଯଥାର୍ଥତାରୁ । ପୃଥିବୀର ବାସ୍ତବତା ତାଙ୍କ କଳ୍ପନାକୁ ଉଚ୍ଚାଟିତ କରେ । ଅଥଚ ତାଙ୍କ ବାସ୍ତବତାକୁ ସମାଲୋଚକମାନେ କହନ୍ତି କୁହୁକ ବାସ୍ତବତା ଆଉ କେହି ବି କହନ୍ତି ଗାଲୁଗପ । ମାକ୍ୱେର୍ଜ୍‌ଙ୍କ ପ୍ରଶଂସକ ହେବାକୁ ଜଣେ ପାଠକ ବାଧ୍ୟ । ଯଦିଓ ଅନେକ ସମୟରେ ଲାଗିବ ଯେ ସେ ଗୋଟେ ମିଛୁଆ ଗାଈଆଳ ଟୋକାର ଗାଲୁଆମିକୁ ପଢ଼ୁଛି । ଗୁଡ଼ାଏ କାପୋଳକଳ୍ପିତ ଘଟଣା ଓ ଚରିତ୍ର ପାଠକଙ୍କୁ ବିଭ୍ରାନ୍ତ କରୁଛି । ତଥାପି ମାକ୍ୱେର୍ଜ୍‌ଙ୍କ ମାୟାରୁ ମୁକ୍ତି ନାହିଁ । ମାକ୍ୱେର୍ଜ୍ ପାଠକର ପାଦ ଖସେଇ ଦିଅନ୍ତି ଓ ପାଠକ ବୁଡ଼ିଯାଏ ତାଙ୍କ ଅତାଳତାଳ ବର୍ଣ୍ଣନାର ମାୟାରେ ।

ଗାବ୍ରିଏଲ୍ ଗାସିଆ ମାକ୍ୱେଜ୍‌

ଆଧୁନିକ ପୃଥିବୀର କଥା ସାହିତ୍ୟର କଥା ଉଠିଲେ ଗାବ୍ରିଏଲ ଗାର୍ସିଆ ମାକ୍ୱେର୍ଜ୍‌ଙ୍କ କଥା ନିଶ୍ଚୟ ଉଠିବ । ତାଙ୍କର ରଚନାଶୈଳୀ ପୃଥିବୀର କଥା ସାହିତ୍ୟରେ ଏକବାର ନୂଆ, ଯଦିଓ ସେ ସବୁବେଳେ ଲାଟିନ୍ ଆମେରିକାର ପୁରୁଣା, ଅନ୍ଧାରୁଆ ଜୀବନର କଥା ହିଁ କହୁଥାନ୍ତି । ଫାଣ୍ଟାସି ପ୍ରତି ତାଙ୍କର ଆଗ୍ରହ ସ୍ୱାଭାବିକ । କାରଣ ତାଙ୍କର ପିଲାଦିନର ସେ ସବୁଠୁ ବେଶୀ ସମୟ କଟେଇଛନ୍ତି ଭୂତ ଓ ସ୍ତ୍ରୀଲୋକମାନଙ୍କ ଗହଣରେ । ଉତ୍ତର କଲମ୍ବିଆର ଏକଛୋଟିଆ ସହରରେ ତାଙ୍କର ଜନ୍ମ ୬ ମାର୍ଚ୍ଚ ୧୯୨୮ରେ । ତାଙ୍କର ପିଲାଦିନ କଟିଛି ଆରାକାଟାକାର ନିଜ ଅଜା-ଆଇଙ୍କ ଘରେ, ଗୁଡ଼ାଏ ମାଇଁ, ମାଉସୀ ଓ ଭୂତ-ପ୍ରେତଙ୍କ ଅଦୃଶ୍ୟ ରହସ୍ୟମୟ ଘେର ଭିତରେ ।

୧୮୧୦ମସିହାରୁ କଲମ୍ବିଆ ସ୍ପେନଠାରୁ ସ୍ୱାଧୀନତା ହାସଲ କରିଥିଲା ଓ ଲାଟିନ୍ ଆମେରିକାର ଏହା ଥିଲା ସବୁଠୁ ପୁରୁଣା ଗଣତନ୍ତ୍ର । ଭିନ୍ନ ଭିନ୍ନ ଆଭ୍ୟନ୍ତରୀଣ ଯୁଦ୍ଧ ଓ ସ୍ୱେଚ୍ଛାଚାରୀ ଶାସନତନ୍ତ୍ରର ଉଦ୍ଭବ ଫଳରେ ଶହେବର୍ଷ ଧରି କଲମ୍ବିଆ ଏକ ଅସ୍ଥିର ଅଶାନ୍ତ ଇତିହାସର ଭୂମି ପାଲଟି ସାରିଥିଲା । ଊନବିଂଶ ଶତାବ୍ଦୀର କଲମ୍ବିଆ ଯୁଦ୍ଧ ଥିଲା ବିଦ୍ରୋହ, ରକ୍ତପାତ ଓ ନାଗରିକ ନିପାତର କରୁଣ ଚିତ୍ରଭୂମି । ୧୮୯୯ ମସିହାରେ କଲମ୍ବିଆର କୁଖ୍ୟାତ ହଜାରେଦିନିଆଁ ଯୁଦ୍ଧ ଆରମ୍ଭ ହୋଇଗଲା । ଏଇ ଯୁଦ୍ଧରେ ପ୍ରାୟ ଲକ୍ଷେ ଲୋକ ମୃତ୍ୟୁବରଣ କରିଥିଲେ । ଯୁଦ୍ଧବିଧ୍ୱସ୍ତ କଲମ୍ବିଆର ଧ୍ୱଂସସ୍ତୁପ ଭିତରେ ମାକ୍ୱେର୍ଜ୍‌ଙ୍କର ଅଜା ଥିଲେ ଅନ୍ୟତମ ନାୟକ । ଅଜାଙ୍କ ସମେତ୍ ଏହି ଯୁଦ୍ଧର ବହୁ ଅଂଶୀଦାର ପରବର୍ତ୍ତୀ କାଳରେ ମାକ୍ୱେର୍ଜ୍‌ଙ୍କ କଥା ସାହିତ୍ୟରେ ଆସିଛନ୍ତି ଚରିତ୍ର ହୋଇ । ତାଙ୍କର ସର୍ବାଧିକ ପ୍ରସିଦ୍ଧ ଉପନ୍ୟାସ ୱାନ ହଣ୍ଡ୍ରେଡ଼୍ ଇୟର୍ସ ଅଫ୍ ସଲିଚ୍ୟୁଡ଼୍‌’ର ବୁଏନ୍ଦିଆ ପରିବାର ଏହି ଯୁଦ୍ଧର ଉପଜ ।

ଅଜା କୋଲୋନେଲ ନିକୋଲାସ୍ ରିକାର୍ଡୋ ମାକ୍ୱେର୍ଜ୍ ମେଜିଆଙ୍କର ପ୍ରଭାବ ମାକ୍ୱେର୍ଜଙ୍କୁ ପୃଥିବୀର ଶ୍ରେଷ୍ଠତମ କଥାଶିଳ୍ପୀ ହେବାରେ ସାହାଯ୍ୟ କରିଛି । କଲମ୍ବିଆର ଯୁଦ୍ଧଗ୍ରସ୍ତ ଜୀବନରେ କଲୋନେଲ ମାକ୍ୱେର୍ଜ ଥିଲେ ଜଣେ ଜଟିଳ-ଆକର୍ଷଣୀୟ ବ୍ୟକ୍ତିତ୍ୱ । ଆରାକାଟାକାକୁ ସେ ନିଜହାତରେ ବସେଇଥିଲେ । ଧନପତି ଓ ଧର୍ମପତିମାନଙ୍କ ବିରୁଦ୍ଧରେ ରାଫେଲ ଉରିବେଙ୍କ ନେତୃତ୍ୱରେ କର୍ଣ୍ଣେଲ ମେଜିଆଙ୍କର ଯୁଦ୍ଧ ଥିଲା ବେଶ ରୋମାଞ୍ଚକର । ଯୁଦ୍ଧ ସରିଗଲା ପରେ କର୍ଣ୍ଣେଲଙ୍କୁ ଘେରି ଯେଉଁ ନିଃସଙ୍ଗତା ରହିଥିଲା, ତା’ଥିଲା ଖୁବ୍ ଦୁଃସହ । ହଜାର ଦିନର ଯୁଦ୍ଧ ପରେ ଜୀବନ ଲାଗିଲା ନିରସ, ଶୁଷ୍କ ଓ ଗତିହୀନ । କର୍ଣ୍ଣେଲ ମେଜିଆ ମାକ୍ୱେର୍ଜଙ୍କ ଜୀବନର ଏଇ ଦିନମାନଙ୍କୁ ନେଇ ମାକ୍ୱେର୍ଜ ସୃଷ୍ଟି କଲେ ତାଙ୍କର ପ୍ରଧାନ ଉପନ୍ୟାସ – One hundred Yaers of Solitude, No one writes to the colonel  and Atumn of Patriarch.

ଆରାକାଟାକାରେ ନିଜର ପିଲାଦିନର କଥା ମନେ ପକାଇ ମାକ୍ୱେର୍ଜ ଲେଖିଛନ୍ତି- ଲୋକମାନଙ୍କ ଅପେକ୍ଷା ଆରାକାଟାକାରେ ଥିବା ସେଇ ଘର, ଯେଉଁଠି ମୋ ଅଜା, ପଣିଅଜାମାନଙ୍କ ସହ ମୁଁ ରହିଥିଲି,ଏବେ ମୋର ସ୍ମୃତିରେ ବେଶ୍ ସତେଜ ଓ ସ୍ପଷ୍ଟ । ଏବେ ବି ତାହା ସ୍ୱପ୍ନ ଭିତରକୁ ବାରମ୍ବାର ବାହୁଡ଼ି ଆସେ । ଏବେ ବି ସ୍ୱପ୍ନ ଭିତରେ ଗୋଟେ ଅହେତୁକ ଭୟ ଯାହା ମୋର ପିଲାବେଳସାରା ବ୍ୟାପୀ ରହିଥିଲା । ମୁଁ ଭାବେ ୟାର କାରଣ ମୋ ଜେଜେମା ।ସେ କହେ ରାତି ହେଲେ ଭୂତ, ପ୍ରେତ, ଡାହାଣୀମାନେ ସବୁ ସାକାର ହୋଇ ଉଠନ୍ତି ।

ହଁ ଏଇଠି ରହିଛି ମାକ୍ୱେର୍ଜ୍‌ଙ୍କ କାହାଣୀର ମୂଳସୂତ୍ର । ଆଇ ଡୋନ୍ ଟ୍ରାନ୍‌କୁଇଲାନାଙ୍କ ଯାବତୀୟ ଭୂତ କାହାଣୀ ମାକ୍ୱେର୍ଜ୍‌ଙ୍କ ମନ ଭିତରେ ତିଆରି କରିଛି ବାସ୍ତବତାର ଆଉ ଏକ ଜଗତ । ଆଇଙ୍କର କାହାଣୀ ଓ ଅଜାଙ୍କର ଯୁଦ୍ଧର ସ୍ମୃତିଚାରଣ ଭିତରେ କଟିଛି ତାଙ୍କର ପିଲାଦିନ । ତାଙ୍କ ଅଜାଙ୍କର ଥିଲେ ଷୋହଳ ପିଲାଛୁଆ । ପିଲାବେଳେ ଅଜା ହିଁ ମାକ୍ୱେର୍ଜ୍‌ଙ୍କୁ ଶିଖାଇଥିଲେ ଜୀବନକୁ ଗୋଟେ ଯୋଦ୍ଧା ଭାବେ ଜିଇଁବାର କଳା । ଅଜାଙ୍କର ପ୍ରତ୍ୟେକ ସ୍ମୃତି ସହ ଜଡ଼ିତ ଥିଲା କଲମ୍ବିଆ -ପରୋକ୍ଷରେ ଲାଟିନ୍ ଆମେରିକାର ଭାଗ୍ୟ ।

କଲୋନେଲ ମାକ୍ୱେର୍ଜ୍ ଥିଲେ ଯୋଦ୍ଧା ଓ ଆବିଷ୍କାରକ । ଆଇ କିନ୍ତୁ ବଞ୍ଚାଉଥିଲେ ପୃଥିବୀର ଆଦିମ ବିଶ୍ୱାସ ସହିତ । ଆଇ ମା’ କହୁଥିବା ଭୂତ ପ୍ରେତର କାହାଣୀକୁ ଜମାରୁ ବିଶ୍ୱାସ ନକରିବା ପାଇଁ ଅଜା ତାଙ୍କୁ ପରାମର୍ଶ ଦେଉଥିଲେ । କହୁଥିଲେ, ତୁ ସେ ମାଇକିନାଙ୍କ କଥାକୁ ଜମାରୁ ବିଶ୍ୱାସ କରନା । ତଥାପି ମାକ୍ୱେର୍ଜ୍ ଶୁଣୁଥିଲେ ସେ ସବୁ କାହାଣୀ । ଆଇମା କାହାଣୀ କହିଲାବେଳେ ତାଙ୍କ ମୁହଁରେ ଯେଉଁ ଦୃଢ଼ତା ଏବଂ ଆତ୍ମପ୍ରତ୍ୟୟ ଥିଲା, ସେଇଟା ମାକ୍ୱେର୍ଜ୍‌ଙ୍କୁ ବେଶୀ ବେଶୀ ଆକର୍ଷିତ କରୁଥିଲା ।

ମାକ୍ୱେର୍ଜ୍‌ଙ୍କ ବାପା ଓ ମା’ଙ୍କ ପ୍ରେମକାହାଣୀ ଥିଲା ଖୁବ୍ ରୋମାଞ୍ଚକର । କଲୋନେଲ ମାକ୍ୱେର୍ଜ୍ ମେଜିଆଙ୍କ ଝିଅ ଲୁଇସା ସାଣ୍ଟିଆଗା ମାକ୍ୱେର୍ଜ୍ ଇଗୁଆରାନ୍ ଭଲ ପାଇଥିଲେ ଗାବ୍ରିଏଲ୍ ଏଲିଜିଓ ଗାର୍ସିଆଙ୍କୁ । ଗାର୍ସିଆଙ୍କୁ ଗ୍ରହଣ କରିବାକୁ କଲୋନେଲ ଜମାରୁ ପ୍ରସ୍ତୁତ ନଥିଲେ, କାରଣ କଲୋନେଲ ଲିବେରାଲ ହୋଇଥିଲାବେଳେ ଗାର୍ସିଆ ଥିଲେ କନ୍‌ଜେରଭେଟିଭ୍ । ଗାର୍ସିଆଙ୍କୁ କୁହାଯାଉଥିଲା, ‘ଶୁଖିଲା ପତ୍ର’ ଯାର ପରିଚୟ ବା ଅସ୍ତିତ୍ୱ କିଛି ନଥିଲା । ତା’ପରେ ସିଏ ଥିଲେ ଟିକେ ବାତରା ସ୍ୱଭାବର । ତାଙ୍କର ଚାରୋଟି ଅବୈଧ ସନ୍ତାନ ମଧ୍ୟ ରହିଥିଲେ । ଫଳରେ କଲୋନେଲ ତାଙ୍କ ଝିଅ ପାଇଁ ଏହିପରି ଏକ ପୁରୁଷକୁ ନାପସନ୍ଦ କରିଥିଲେ । ଲୁଇସା ଓ ଗାର୍ସିଆଙ୍କ ପ୍ରେମ କିନ୍ତୁ ଶକ୍ତିଶାଳୀ ଥିଲା । ସବୁପ୍ରକାର ବିରୋଧ ସତ୍ତ୍ୱେ ସେମାନେ ପରସ୍ପରକୁ ବିବାହ କରିଥିଲେ । ନିଜ ବାପା, ମା’ଙ୍କ ପ୍ରେମ କାହାଣୀ ଆଧାରରେ ମାକ୍ୱେର୍ଜ୍ ଲେଖିଥିଲେ ତାଙ୍କର ଅନ୍ୟତମ ଶ୍ରେଷ୍ଠ ଉପନ୍ୟାସ Love in the time of cholera..

ପିଲାଦିନ ମାକ୍ୱେର୍ଜ୍‌ଙ୍କୁ ପରିବାର ଲୋକେ ଡାକୁଥିଲେ ଗାବିଟୋ, ଗାବୋ, ନାଁରେ । ସେ ଥିଲେ ଖୁବ୍ ଲାଜକୁଳା । ଘରର ସ୍ତ୍ରୀ ଲୋକଙ୍କଠାରୁ ଭୂତପ୍ରେତର କାହାଣୀ ଶୁଣି ଶୁଣି ତାଙ୍କୁ ଏତେ ଡର ଲାଗୁଥିଲା ଯେ ସେ ବସିଥିବା ଜାଗାରୁ ଉଠିବାକୁ ଭୟ ପାଉଥିଲେ । ବନ୍ଦର ସହର ବାରନ୍‌କିଲାରେ ଆରମ୍ଭ ହେଲା ତାଙ୍କର ଆନୁଷ୍ଠାନିକ ପାଠପଢ଼ା । ସେଇ ସ୍କୁଲରେ ହିଁ ଆରମ୍ଭ ହୁଏ ତାଙ୍କର କବିତା ଲେଖା ଓ କାର୍ଟୁନ ଅଙ୍କା । ସ୍କୁଲ ସହପାଠୀମାନେ ଚିଡ଼ାଉଥିଲେ ତାଙ୍କୁ ବୁଢ଼ା ବୋଲି, କାରଣ ସବୁକଥାରେ ମାକ୍ୱେର୍ଜ୍ ଲାଗୁଥିଲେ ବେଶ ପରିପକ୍ୱ ଓ ଚିନ୍ତାଶୀଳ । ପ୍ରାଥମିକ ଶିକ୍ଷା ପରେ ବୃତ୍ତି ପାଇ ଉଚ୍ଚଶିକ୍ଷା ପାଇଁ ଗଲେ ବୋଗାଟୋ । ଏଇ ସମୟ ଭିତରେ ଜଣେ ଲେଖକ ଭାବରେ ତାଙ୍କର କିଛି କିଛି ପରିଚୟ ସୃୃଷ୍ଟି ହୋଇସାରିଥିଲା । ବହି ପଢ଼ିବା, ଗପ-କବିତା ଲେଖିବା ଏବଂ କାର୍ଟୁନ ଆଙ୍କିବାରେ ସରୁଥିଲା ତାଙ୍କର ପଢ଼ା ସମୟ । ବାପା ମାଙ୍କ ଇଚ୍ଛାକ୍ରମେ ସେ ଆଇନ ପଢ଼ିଲେ, ଯଦିଓ ପରବର୍ତ୍ତୀ ସମୟରେ ଆଇନ ପାଠ ତାଙ୍କର କୌଣସି କାମରେ ଲାଗିଲା ନାହିଁ । ଆଇନ ପଢ଼ୁଥିଲା ବେଳେ ତାଙ୍କର ଦେଖାହୁଏ ମର୍ସିଡିଜ୍ ନାମ୍ନୀ କଳା ଚୁପଚାପ୍ ଝିଅଟି ସହ । ମାକ୍ୱେର୍ଜ୍‌ଙ୍କ ଦୃଷ୍ଟିରେ ସବୁଠୁ ଆକର୍ଷଣୀୟ ଏଇ ଝିଅଟି ହିଁ ହେଲା ତାଙ୍କର ଜୀବନ ସଙ୍ଗିନୀ ।

ସାହିତ୍ୟର କୁହୁକ ଆକର୍ଷଣ:

ଏକଦା ଗୋଟେ ସାକ୍ଷାତକାରରେ ମାକ୍ୱେର୍ଜ୍ କହିଥିଲେ Literature is nothing but carpentry. ଲେଖାଲେଖି କେବଳ ଗୋଟିଏ ବିଳାସ ନୁହଁ । ଟେବୁଲଟିଏ ତିଆରି କରିବାକୁ ବଢ଼େଇ ଯେମିତି ପରିଶ୍ରମ କରେ, ଲେଖକକୁ ମଧ୍ୟ ସେତିଗ୍ଦଶ ପରିଶ୍ରମ କରିବାକୁ ପଡ଼ିଥାଏ । ପ୍ରାଉଷ୍ଟଙ୍କର ଗୋଟିଏ ମନ୍ତବ୍ୟ ( ଲେଖାଲେଖିରେ ଦଶଭାଗ ପ୍ରେରଣା ତ ନବେ ଭାଗ ପରିଶ୍ରମ ଆବଶ୍ୟକ)କୁ ମାକ୍ୱେର୍ଜ୍ ସମର୍ଥନ କରିଛନ୍ତି । ସେଥିପାଇଁ ଆଇନର ଛାତ୍ର ଥିଲାବେଳୁ ତାଙ୍କୁ ସାହିତ୍ୟ ବେଶି ଆକର୍ଷିତ କଲା । ସେ ନିୟମିତ କ୍ଲାସ୍କ୍‌କୁ ଗଲେ ନାହିଁ । ଏଠି ସେଠି ବୁଲିଲେ । କବିତା ଓ ଗପ ବହି ପଢ଼ିଲେ । ନୂଆ ନୂଆ ଲେଖକ ଓ ସାମ୍ବାଦିକଙ୍କ ସହ ମିଶିଲେ । ତାଙ୍କର କେହି ଜଣେ ବନ୍ଧୁ ତାଙ୍କୁ ଅଷ୍ଟ୍ରିଆର ମହାନ୍ ଲେଖକ ଫ୍ରାନ୍‌ସ କାଫ୍‌କାଙ୍କର ବହି Metamorphosis ପଢ଼ିବାକୁ ଦେଲେ । କାଫ୍‌କାଙ୍କର ବର୍ଣ୍ଣନାଶୈଳୀ ମାକ୍ୱେର୍ଜ୍‌ଙ୍କୁ ଲାଗିଲା ତାଙ୍କ ଜେଜିମା କାହାଣୀ ପରି । As gregor Samsa awake that Morning from uneasy dreams, he found himself transformed in his bed into a gignatic insect .  ଏଇ ଧାଡ଼ିଟି ପଢ଼ୁ ପଢ଼ୁ ଚମକି ପଡ଼ିଥିଲେ ମାକ୍ୱେର୍ଜ୍ । କାହାଣୀ ଯେ ଏମିତି ବି ଲେଖାଯାଇ ପାରିବ, ଏକଥା ସେ ବିଶ୍ୱାସ କରି ପାରୁନଥିଲେ । ତାପରେ କାଫ୍‌କାଙ୍କର କଥନର ରୀତି ସହିତ ସେ ମନେ ପକାଉଥିଲେ ତାଙ୍କର ଜେଜେମାଙ୍କୁ ଜେଜେମା କାହାଣୀ କହିଲା ବେଳେ କେତେ ବିଶ୍ୱାସ ଓ ସତ୍ୟତା ତାଙ୍କୁ ମୁହଁରେ ଫୁଟି ଉଠୁଥିଲା, ତା’ ଥିଲା କାଫ୍‌କାଙ୍କର ବର୍ଣ୍ଣନାର ସତ୍ୟତା ସହ ସମାନ । ଏବଂ ଏଇଠୁ ହିଁ ମାକ୍ୱେର୍ଜ୍ ଆରମ୍ଭ କରନ୍ତି ତାଙ୍କର କାହାଣୀ ରଚନା ।

ତାଙ୍କର ପ୍ରଥମ ଗପ ପ୍ରକାଶ ପାଏ ସେତେବେଳର ପ୍ରସିଦ୍ଧ ଖବରକାଗଜ ଏଲ୍ ସ୍ପେକ୍ଟାଡୋରର ସାହିତ୍ୟ ପୃଷ୍ଠାରେ । ବୌଦ୍ଧିକତାରେ ଭରପୂର ସେ କାହାଣୀ ସେତେବେଳେ କଲମ୍ବିଆରେ ପୂରାପୂରି ନୂଆ । ତାଙ୍କ ଲେଖା ପ୍ରକାଶିତ ହେଲାପରେ ଆଲୋଚକମାନେ କହିଲେ, ଗପରେ ଜେମ୍‌ସ୍ ଜୟେସ୍‌ଙ୍କ ପ୍ରଭାବ ରହିଛି । ଯଦିଓ ସେତେବେଳେ ସେଯାଏଁ ସେ ଜୟେସ୍‌ଙ୍କୁ ପଢ଼ିନଥାନ୍ତି । ବୌଦ୍ଧିକତାର ସାହିତ୍ୟ ଓ ଜୀବନବୋଧର ସାହିତ୍ୟ ଏମିତି ଦୁଇଟି ପରିଧିର ଅନୁଭବ ଆସିଛି ମାକ୍ୱେର୍ଜ୍‌ଙ୍କ ଜୀବନରେ । କାଫ୍‌କା, ଜୟେସ୍‌, ଫକ୍‌ନର, ଭର୍ଜିନିଆଁ ଉଲ୍‌ଫ୍‌ଙ୍କ ଲେଖା ପଢ଼ିଲା ପରେ ପରେ ସେ ଲେଖିଥିବା କେତୋଟି ଗପରେ ବୌଦ୍ଧିକତା ଥିଲା, କିନ୍ତୁ ଜୀବନବୋଧ ନଥିଲା । ଜୀବନକୁ ଚିହ୍ନିବା ପାଇଁ ଓ ଜୀବନକୁ ନେଇ ସାହିତ୍ୟ ରଚନାକରିବାର ନୂଆ ପର୍ଯ୍ୟାୟଟିଏ ଆରମ୍ଭ ହେଲା ୧୯୪୮ ମସିହାରୁ ।

ନିଜ ଲେଖାର ଆରମ୍ଭ କାଳରେ ଦୁଇଟି ବିଶେଷ ଘଟଣା ତାଙ୍କୁ ଉଦ୍‌ବୁଦ୍ଧ କରିଥିଲା ବୋଲି ସେ କହିଛନ୍ତି । ପ୍ରଥମଟି ୧୯୪୮ମସିହାରେ କଲମ୍ବିଆର ନେତା ଗାଇତାନ୍‌ଙ୍କୁ ହତ୍ୟା କରାଗଲା । ତାଙ୍କୁ ହତ୍ୟା କରାଗଲା ପରେ ବୋଗୋଟାରେ ଭୀଷଣ ଦଙ୍ଗା ବ୍ୟାପିଗଲା । ମାକ୍ୱେର୍ଜ୍ ନିଜେ ମଧ୍ୟ ସେଇ ଦଙ୍ଗାରେ ଅଂଶଗ୍ରହଣ କରିଥିଲେ । ହିଂସା ଓ ରକ୍ତପାତର ସେଇ ପ୍ରତିକ୍ରିୟାଶୀଳ ପରିବେଶ ତାଙ୍କୁ ତାଙ୍କ ଦେଶର ଯଥାର୍ଥତା ବିଷୟରେ ସଚେତନ କରିଥିଲା । ନିଜଦେଶର ବାସ୍ତବତାକୁ ହିଁ ତାଙ୍କୁ ଲେଖିବାକୁ ପଡ଼ିବ- ଏଇଟା ଥିଲା ତାଙ୍କର ଅନ୍ତର୍ବୋଧ । ସେଇ ଅନ୍ତର୍ବୋଧ ହିଁ ତାଙ୍କୁ ପ୍ରେରଣା ଯୋଗାଇଛି ଲାଟିନ୍ ଆମେରିକାର ସାମାଜିକ, ରାଜନୈତିକ ବାସ୍ତବତାକୁ ଚିତ୍ରିତ କରିବା ପାଇଁ, ଭିନ୍ନ ଏକ ଶୈଳୀରେ ।

୧୯୫୦-୫୧ବେଳକୁ ମାକ୍ୱେର୍ଜ୍ ତାଙ୍କ ମା’ଙ୍କ ସହ ଫେରନ୍ତି ପିଲାବେଳର ପ୍ରିୟଭୂମି ଆରାକାଟାକାକୁ । ସେତେବେଳେକୁ ତାଙ୍କ ବୟସ ୨୨ବର୍ଷ ଓ ସେ ଆଠବର୍ଷ ବୟସରୁ ଆରାକାଟାକା ଛାଡ଼ିଥିଲେ । ଏଇ ଚଉଦବର୍ଷ ଭିତରେ ଆରାକାଟାକା ଟିକେ ବି ବଦଳି ନଥିଲା । ମାକ୍ୱେର୍ଜ୍ କହୁଛନ୍ତି, କିଛି ବି ସତରେ ବଦଳି ନଥିଲା, ମୁଁ ସତରେ ଗାଁଟିକୁ ଦେଖିନଥିଲି । ଗାଁକୁ ଅନୁଭବ କରୁଥିଲି । ସତେ କି ମୁଁ ତାଙ୍କୁ ପଢ଼ୁଛି । ମୁଁ ଯାହା ଲେଖିବାକୁ ଚାହୁଁଛି ସବୁ ଏଇଠି ପୂର୍ବରୁ ଲେଖାହୋଇ ରହିଛି । ମୋତେ ଖାଲି ସେ ସବୁକୁ ଉତ୍ତାରିବାକୁ ପଡ଼ିବ । ସେଠିକାର ଘର, ଲୋକବାକ ଏବଂ ସ୍ମୃତି ମୋ ସାହିତ୍ୟରେ ଉତ୍ତରିତ ହେଲେ । ଏଇଟା ଥିଲା ଦ୍ୱିତୀୟ ଘଟଣା, ଯାହା ତାଙ୍କୁ ଲେଖିବା ପାଇଁ ବାଧ୍ୟ କରିଥିଲା । ଆରାକାଟାକାରୁ ଫେରି ସେ ଲେଖନ୍ତି ତାଙ୍କର ପ୍ରଥମ ଉପନ୍ୟାସ ଦ ଲିଫ୍ ଷ୍ଟର୍ମ- ଏଇ ଉପନ୍ୟାସରୁ ଜନ୍ମନିଏ ପୃଥିବୀ ସାହିତ୍ୟର ସେଇ କୁହୁକ ଗାଁ ମାକୋଣ୍ଡୋ । ପ୍ରଥମଥର ପାଇଁ ଏଇ ଉପନ୍ୟାସଟି ପ୍ରକାଶ ଉପଯୋଗୀ ନୁହଁ ବୋଲି ପ୍ରକାଶକ ଫେରାଇ ଦିଅନ୍ତି । ପରେ ୧୯୫୫ରେ ମାକ୍ୱେର୍ଜ୍‌ଙ୍କର କେତେଜଣ ବନ୍ଧୁ ଏହାର ପାଣ୍ଡୁଲିପିକୁ ଟେବୁଲ ଡ୍ରୟାରରୁ ଉଦ୍ଧାର କରି ପୁନଃପ୍ରକାଶ କରନ୍ତି ।

ସାହିତ୍ୟର ନିଶା ତାଙ୍କୁ କୌଣସି ସ୍ଥାୟୀ ବୃତ୍ତି ଦେଇ ପାରୁନଥାଏ । ବିନା ପଇସାପତ୍ରରେ ସେ ଗୋଟେ ବେଶ୍ୟାଳୟରେ ରହୁଥାନ୍ତି ଏବଂ ଏଲ୍ ହେରାଲ୍‌ଡୋ ଖବରକାଗଜରେ ନିୟମିତ ସ୍ତମ୍ଭକଲେଖୁଥାନ୍ତି । ଜୀବନର ସବୁଠୁ ବିପର୍ଯ୍ୟସ୍ତ ସମୟରେ ଅନ୍ୟଜଣେ ବିପର୍ଯ୍ୟସ୍ତ ମଣିଷର ଜୀବନ କାହାଣୀ ମାକ୍ୱେର୍ଜ୍‌ଙ୍କୁ ବଞ୍ଚାଇ ଦେଇଥିଲା । ୧୯୫୫ ମସିହାରେ କଲମ୍ବିଆର ଏକ ଜଳପୋତ ସମୁଦ୍ର ମଝିରେ ନଷ୍ଟ ହୋଇଗଲା । ଗୁଡ଼ାଏ ସୈନିକ ଏଥିରେ ମୃତ୍ୟୁବରଣ କଲେ । ଲୁଇସ୍ ଆଲେକଜାଣ୍ଡ୍ରୋ ଭେଲାସ୍କୋ ନାମକ ଜଣେ ମାତ୍ର ସୈନିକ ଏଥିରୁ ବର୍ତ୍ତି ଯାଇଥିଲା । ସେଇ ସୈନିକଙ୍କ ଜୀବନ କାଣୀ ‘ଦ ଷ୍ଟୋରି ଅଫ୍ ଏ ସିପ୍‌ରେକ୍‌ଡ଼୍ ସେଇଲର’ (The story of a shipwrecked Sailor)  ।

ଅଲ୍ ସ୍ପେକ୍ଟାଡୋରରେ ଲେଖିଥିବା ମାକ୍ୱେର୍ଜ୍ କଲମ୍ବିଆ ସରକାରଙ୍କ କୋପଦୃଷ୍ଟିରେ ପଡ଼ିଥିଲେ । ପରେ ଜଣାପଡ଼ିଥିଲା ଯେ ଉକ୍ତ ଜଳପୋତଟିରେ ଅବୈଧ ଭାବରେ ବିସ୍ଫୋରକ ଚାଲାଣ ହୋଇଥିଲା । କଲମ୍ବିଆ ସରକାରଙ୍କଠାରୁ ସୁରକ୍ଷା ଦେବା ଲାଗି ଅଲ୍ ସ୍ପେକ୍ଟାଡୋର ତାଙ୍କୁ ପଠେଇ ଦେଇଥିଲା ନିଜର ୟୁରୋପ୍ ପ୍ରତିନିଧି ଭାବରେ । ଜଣେ ସାମ୍ବାଦିକ ଓ ଲେଖକ ଭାବରେ ମାକ୍ୱେର୍ଜ୍‌ଙ୍କ ଜୀବନରେ ବିଶେଷ କିଛି ଘଟିନାହିଁ । ଅନ୍ୟ ଲେଖକଙ୍କ ପରି ନିଜର ଦୁଃଖ, ଯାତନା ଓ ଯନ୍ତ୍ରଣାକୁ ପ୍ରଦର୍ଶନୀ କରିବାରେ ସେ ବିଶ୍ୱାସ ରଖନ୍ତି ନାହିଁ । ଜଣେ ସଚ୍ଚା ସାମ୍ବାଦିକ ଭାବରେ ଲାଟିନ ଆମେରିକାର ପୀଡ଼ା ଓ ମାନବୀୟ ଯନ୍ତ୍ରଣାକୁ ସେ ଲିପିବଦ୍ଧ କରିଛନ୍ତି । The story of a shipwrecked Sailor, chronicle of a death foretold, News of a kidnapping ଇତ୍ୟାଦିରେ ଜଣେ ସାମ୍ବାଦିକର ସୃଜନଶୀଳ ରିପୋଟିଂ ଆମେ ପଢ଼ିଥାଉ । ସାହିତ୍ୟ ଓ ସାମ୍ବାଦିକା ଯେ ବିଶେଷ ଭିନ୍ନ ନୁହେଁ, ଏକଥାର ପ୍ରମାଣ ମାକ୍ୱେର୍ଜ୍‌ଙ୍କର ରଚନା ।

ଆମ ସମୟ ଓ ପୃଥିବୀର ସାହିତ୍ୟରେ ମାକ୍ୱେର୍ଜ୍ ଯେ ଏକ ତୁଙ୍ଗତମ ବ୍ୟକ୍ତିତ୍ୱ, ଏଥିରେ ସନ୍ଦେହର ଅବକାଶ ନାହିଁ ।

Photo credit -https://www.theparisreview.org/interviews/3196/the-art-of-fiction-no-69-gabriel-garcia-marquez

Courtesy- Samadrusti

Share This Article
କବି, ସାମ୍ବାଦିକ, ସଙ୍ଗୀତ ସମାଲୋଚକ