Home / ସାହିତ୍ୟ ସଂସ୍କୃତି / ସାହିତ୍ୟ / ସର୍ବ ମଂଗଳ ଜଗନ୍ନାଥ

ସର୍ବ ମଂଗଳ ଜଗନ୍ନାଥ

Share Samadhwani

ସବିତାର ବୟସ ୨୨/୨୩ ହବ । ବାପା, ମାଙ୍କର ଗୋଟିଏ ବୋଲି ପିଲା । ଖୁବ୍ ଅଲିଅଳୀ । ପାଠ ଭଲ ପଢ଼େ । ଇଂଜିନିୟରିଂ ପାସ୍ କରି ଘରକୁ ଆସିଛି । ହେଲେ କଲେଜରେ ପଢ଼ିଲା ବେଳେ ପ୍ରଥମେ ପ୍ରଥମେ ଖୁବ୍ ଟାହିଟାପରା ସହିବାକୁ ପଡ଼ିଛି । “ଆରେ ଗବ ନାନୀ ଆଇଲା । ନାନୀ ଗୋଟିଏ ଗବ ପାଇଁ ସାତ ଜଣ ତେଲି ବୁଡ଼ିମଲେ । ଆହାହା!” କଥା କଣ କି ସବିତା ଜାତିରେ ତେଲି । ସେମାନେ ତୈଳିକ ବୈଶ୍ୟ । ବେପାର ବଣିଜ ହାତ ଭଲ । ଖୁବ୍ କଞ୍ଜୁସ । ପଇସାପତ୍ର, ସୁନାରୂପା ଭଲ ଜାକି ପାରନ୍ତି । ସବିତାର ବାପ ଗୋପଳ ସାହୁ ଓ ମା ରଂଗ ଦେଇ ହିହେଁ ଭଲ ଲୋକ । ନିଜ କାମରେ ଲାଗିଥାନ୍ତି । ଅନ୍ୟର ଭଲମନ୍ଦରେ ସେମାନଙ୍କର ମୁଣ୍ଡ ନ ଥାଏ । ସବୁ କଥା ଗୋଟେ ପଟେ । ଜାତି ଗୋଟେ ପଟେ । ମନୁ ଭାଇନା ତ ଜାତି କଥାଟି ଏମିତି ତାଙ୍କ ମନୁସ୍ମୃତିରେ ଲେଖି ଦେଇଛନ୍ତି ଯେ ୨/୩ ହଜାର ବର୍ଷ ହେଲାଣି ଭାରତ ଜାତିବାଦ ଯୋଗୁଁ ଉଠିପାରୁନି । ଦେଶ ଉଠୁ ବା ପଡ଼ୁ ବ୍ରାହ୍ମଣ ଜାତିରେ ଠେକ । ବୈଶ୍ୟ ଟିକେ ନିକମାଜାତି!

ପାଠ ପଢ଼ା ତ ସରିଲା । ବାପା ମା ଝିଅକୁ ଉଠେଇ ଦେବା ପାଇଁ ଜ୍ୱାଇଁ ଖୋଜା ଖୋଜି କରୁଛନ୍ତି । ସବିତାର ରଂଗ ଟିକେ କମ୍ । ହେଲେ ଗୋଟିଏ ଚାଉଳରେ ଗଢ଼ା । ବାପା ଦବା ନବାରେ କୋହଳ କରିବେନି । ରଂଗ ପାଇଁ ପୁଅର ବାପାମାନେ ଟିକେ ନାକ ଟେକୁଛନ୍ତି । ଆରେ ସେମାନେ କ’ଣ ଜାଣନ୍ତିନି ରୂପ ସୁନ୍ଦର ଶ୍ମଶାନକୁ ଗୁଣ ସୁନ୍ଦର ସଂସାରକୁ । ଝିଅ ତ ଗୁଣର । କାହା ସୁନାକୁ କ’ଣ କିଏ ଭେଣ୍ଡି କହେ, ବାପା ଯେତେ କହିଲେ ବି ଯୋଗତ ପଡ଼ୁନି । ବାପା ମା ଚିନ୍ତାରେ ଅଛନ୍ତି । ଏ ଭିତରେ ସବିତା ଭୁବନେଶ୍ୱର ଯାଇଛି । ପାଠ ତ ସରିଲା । ଝିଅ ପୁଣି କାହିଁକି ଭୁବନେଶ୍ୱର ଯାଉଛି । ବାପା ମା କିଛି ଟେର ପାଉ ନାହାଁନ୍ତି ।

ହଠାତ୍ ଦିନେ ଝିଅ ଘରକୁ ଆସୁଛି । ସାଙ୍ଗରେ ଗୋଟିଏ ପୁଅ ପିଲା । ସେଇ ୨୨/୨୩ କି୨୪ ବର୍ଷ ବୟସ ହେବ । ଡେଙ୍ଗା, ଖୁବ୍ ଡଉଲ ଡାଉଲ ଚେହେରା । ରଂଗ ସଫା । ଝିଅ ୫/୬ ମାସ ପରେ ଘରକୁ ଆସିଛି । ମା’ ଖୁସିରେ ଫାଟି ପଡ଼ିଲାଣି । ଝିଅକୁ କୁଣ୍ଢେଇ ପକାଉଛି । ଆରେ, ଆରେ, ଏ କ’ଣ । ପୁଅଟି ବାପା, ମା ଦିହିଙ୍କୁ ଆଣ୍ଠୁଭାଂଗି ମାନ୍ୟ ହେଲାଣି । ଚେହେରା, ରଂଗ, ଚାଲିଚଳନରୁ ସାହୁଏ ଠଉରେଇଲେଣି ପୁଅଟା ଉଚ୍ଚ ଜାତିର ପିଲା ହୋଇଥିବ । ବେଶୀ ବେଳ ନାହିଁ । ଝିଅ ଏକା ଦମରେ କହି ପକାଉଛି “ମା, ସେ ପରା ତୋ ଜ୍ୱାଇଁ ହେବେ । ମା ଓଢ଼ଣାଟା ଟାଣି ଦେଇ ଜିଭ କାମୁଡ଼ି ପକାଇଲେଣି । ସାହୁ ବୋକାଙ୍କ ଭଳି ଟିକେ ପୁଅକୁ ତ ଟିକେ ଝିଅକୁ ଚାହୁଁଛନ୍ତି । ପୁଅ କଥାଟା ଫିଟାଇ ଦେଲା ।” “ମୁଁ ସୁଜାନଗର ଗୌରାଙ୍ଗ ମିଶ୍ରଙ୍କ ପୁଅ । ସବିତାର ସାଙ୍ଗ । ଆମେ ଦୁହିଙ୍କୁ ଦୁହେଁ ଭଲ ପାଉ । ଆପଣମାନଙ୍କ ଆଶୀର୍ବାଦ ପାଇଁ ଆସିଛୁ ।” ଗୋପାଳ ସାହୁଙ୍କୁ ଏକଥାଗୁଡ଼ାକ ପରିକଥା ଭଳି ଲାଗିଲାଣି । ସେ ନିଜକୁ ନିଜେ ବିଶ୍ୱାସ କରି ପାରୁ ନାହାଁନ୍ତି । “ଆରେ ସବିତା କ’ଣ କରିବାକୁ ଯାଉଛି । ବାମନ ହୋଇ ଚାନ୍ଦକୁ ହାତ ବଢ଼ାଇଲାଣି ।” ଗୌରାଙ୍ଗ ମିଶ୍ରଙ୍କୁ ସାହୁଏ ଜାଣନ୍ତି । ନୈଷ୍ଠିକ ବ୍ରାହ୍ମଣ । ଏ ଦଶକୋଶରେ ସେ ପଣ୍ଡିତ । ପୋଥି ଦେଖି ପାପ ପୁଣ୍ୟ କୁହନ୍ତି । ପଣ୍ଡିତଙ୍କ ପାଖରେ ଗୋପାଳ କେବେ ସିଧା ହୋଇ ଠିଆ ହୋଇନି । ଆଣ୍ଠୁଭାଂଗି ଦଣ୍ଡବତ କରେ । ମିଶ୍ର ବାହ୍ମଣ । ଛତିଶ ପାଟକରେ ରଜା । ଆମ ହାତରୁ ପାଣି ଛୁଅନ୍ତି ନି ।” ଗୋପାଳର ମୁଣ୍ଡ ବାତଚକ୍ର ଖାଇଲାଣି । ଘରଣୀ କଂର ଏତେ ଗହୀରକୁ ଧାପ ନାହିଁ । ସେ ଜ୍ୱାଇଁ ଚର୍ଚ୍ଚାରେ ଲାଗିଗଲେଣି ।

ନିମିଷକେ କଥା ପ୍ରଘଟ । ହାଡ଼ି ବାଇଦ କୋଶେ ତୁଣ୍ଡ ବାଇଦ ଶହସ୍ର କୋଶ । ସାହି ମାଇପ ଟୁପ୍‌ଟାପ୍ ହେଲେଣି । “ଆରେ ଏ ସବିତା ମାଛିକୁ ମ କହେନି । ତାର ପୁଣି ଏତେ ଗୁଣ ଥିଲା । ଏ କି କଥା । ବ୍ରାହ୍ମଣ ପିଲାକୁ ଫସେଇ କହିଲାଣି ବାହା ହବ । ବାପା, ମାଙ୍କ ନାଁ ପକାଇବ । ଏତେ କଥାକୁ ସେ ଟୋକାର ବାପ କ’ଣ ରାଜି ହେବ? ଏକେତ ତେଲୁଣୀଘର । ସେଥିକି ପୁଣି କାଳୀ । ସେ କାନ୍ଦୁଥିଲା ଗୋଟେ କାଳୀ ବୋହୂ କରିବ । ରଜା ପୁଅକୁ କ’ଣ ଖଜା ଅଭାବ । ଗୋଟେ ସୁଆଙ୍ଗ ଲଗାଇଛି । ବାପା ରାଜି ହେବେ ନା କ’ଣ । ଲୋଭୀ ବ୍ରାହ୍ମଣ ତ । ପୁଅ ତ ଜାତି ପତି ଛାଡ଼ି ଅଜାତିରେ ବାହା ହବା ଠିକ୍ କଲାଣି । ଘରଣୀ କି କହିଲେଣି” ଏବେ ତ ଏମିତି ଚାଲିଲାଣି । ପୁଅକୁ ଝିଅ । ଆମେ ତ ଛୋଟ ଜାତିରୁ ଝିଅ ଆଣିବା । ଚଳିବ । ହଇଓ ମିଆଁ ବିବି ତ ରାଜି କ୍ୟା କରେଗା କାଜି । ତୁମେ ରାଜି ହୋଇଯାଅ । “ରାଜି ହେବି ଯେ ରମେଶ ବୋଉ । କିନ୍ତୁ ସେ ଗୋପାଳିଆ ଉପରେ ମୁଁ ମୋଟା ଅଂକ ଭିଡ଼ିବି । ତୁମେ କିଛି ଉଁଚୁଁ ପାଟି ଫିଟାଇବନି । ଗୋପାଳ ତେଲି ଜାତି । ଭାରି କାଂପି, ଖୁବ୍ ସୁନା, ରୂପା, ପଇସା ପତ୍ର ରଖିଛି । ଛିଣ୍ଡା ପୋଳୁହରେ ଭାକୁଡ଼ ମାଡ଼ି ବସିଛି । ଦଉ ପାଂଚ ସାତ ଲକ୍ଷ ।” ଗୋପାଳ ପହଞ୍ôଚଗଲେ । ଦି ସମୁଧିଙ୍କର ମୂଳଚାଲ ଚାଲିଲା । ୩ ଲକ୍ଷ ଟଙ୍କା, ୨୦ ଭରିସୁନା, ଦି ସାର ବାସନ, ଲୁଗାପଟାରେ ସରିବରି ହେଲା । ଗୋପାଳ ସୁନାପିଲା ପରି ମୌନେ ସମ୍ମତି ଲକ୍ଷଣମ୍ । ମିଶ୍ରେ ବୁଝିଗଲେ ।” ହଁ, ପୁଅ ଏ ଜରସନର ଟେର ଯେପରି ନ ପାଏ ।” ଗୋପାଳ ମୁଣ୍ଡ ଟୁଙ୍ଗାରି ସ୍ୱୀକାର କଲା । ହେଲେ ଶୁଭସ୍ୟ ଶୀଘ୍ରଂ । ଆଗତ ଭବିଷ୍ୟ ଅଛି । ଯଦି ହାତ ମାଛ ଚିଲ ଝାମ୍ପିନିଏ କିଏ ମନା କରିବ? ଦି ସମୁଧୀ କଥା ହେଲେ । ଆଗିଲା ତିଥିରେ ବାହାଘର, ଗୋପାଳ ମନେ ମନେ ଗୋଳେଇ ଘାଣ୍ଟିହେଲେ, ଘଣ୍ଟାଏଦେଢ଼ ଘଣ୍ଟାବସିଲେ । ପାଣି ଗିଲାସେ କି ପାନ ଖଣ୍ଡେ ମିଳିଲାନି । “ହଉ ବାହାଘର ସରୁ । ଝିଅ ମିଶ୍ର ଆପଣଙ୍କୁ ପାନେ ଦବ ଯେ ।”

ଜ୍ୟୋତିଷ ଆସିଗଲେ । ଜ୍ୟୋତିଷ କ’ଣ ଗାଁ ଅବଧନ ମଁ । ଗୋପାଳ ଘରଣୀଙ୍କୁ ବରାଦ କଲେ । ରଂଗ ଦେଇ ଓଢ଼ଣା ଟିକେ ଆଗକୁ ଟାଣି ଦେଇଛନ୍ତି । ୨ ଗୌଣୀ ଉସୁନା ଚାଉଳ, ଗୌଣୀଏ ଅରୁଆ ଚାଉଳ, କାନପୁରୀ ଫାଳ ହରଡ଼ ଡାଲି ୨ ସେର ଅନୁମାନ । ନଡ଼ିଆ ୨ କଡ଼ା । ଫଳଫୁଲ ସଂଚା ଅବଧାନଙ୍କ ଆଗରେ ଥୋଇ ଦେଲେ ଗୋପାଳ ମଇଳା ନୋଟ ୫/୭ ଖଣ୍ଡି ୫୦୦ ଟଙ୍କା ସଂଚା ଉପରେ ରଖିଲେ । ଜ୍ୟୋତିଷ ସଂଚା ଉପରେ ଟିକେ ଆଖି ବୁଲାଇ ଦେଲେ । ଖଡ଼ି ପାଠ ଆରମ୍ଭ କଲେ । ଦୁଧୁ ଖଡ଼ିରେ ବାରଣ୍ଡାରେ ଗୁଡ଼ାଏ ଗାରିଆ ଗାରି କଲେ । ସବୁ କିଛି ଭାଣ୍ଡାମି । ଆରେ ଜ୍ୟୋତିଷ କ’ଣ ଗୋଟେ ପାଠରେ ଲେଖା । ମନଗଢ଼ା । ଅବଧାନ ମିଛି ମିଛିକା ଖଡ଼ିରେ ଗୁଡ଼ାଏ ଚଷି ପକାଇ ଲିଭାଇଗଲେ । ଖଡ଼ି ମୁଣ୍ଡରେ ମାରି ରାୟ ଶୁଣାଇଲେ, “ତୁମ ଝିଅର ଆଗିଲା ତିଥିକୁ ବାହା ଶୁଝୁନି । ଶନି ମହାଦଶାକୁ ଷଷ୍ଠ ବୃହସ୍ପତି, ଚନ୍ଦ୍ରଶୁଦ୍ଧି ନାହିଁ । ଆର ସାଲକୁ ବାହାଘର ରଖ । ସଂଚା ସବୁ ଲଣ୍ଡେଇ ପଣ୍ଡେଇ ଗାମୁଛାରେ ଦି ଜାଉଳି ବାଂଧି ଅବଧାନ ଭାଗିସ୍ । ଗୋପାଳ ମୁଣ୍ଡରେ ବଜ୍ର ପଡ଼ିଲା ଜାଣ । ମାଲ ଦିଆନିଆ ସରିଛି । ମିଶ୍ର ଆଗରୁ ଜଣେଇଛନ୍ତି ପଇସା ଦିଆ ନିଆ ଡାହାଣୀ ଚିରୁଗୁଣୀ ଯେପରି ନ ଜାଣନ୍ତି । ମହାଜନଙ୍କ ମୁଣ୍ଡରେ ସତେ ଯିମିତି ଆକାଶ ଛିଡ଼ି ପଡ଼ୁଛି ।

ଦାଣ୍ଡରେ ଗାଁ ମୁରବୀ ଘନଶ୍ୟାମ ବାବୁ ଚାଲିଛନ୍ତି । ଗୋପାଳ ଆଖି ପଢ଼ିଲା । ବାହାରକୁ ଆସି ଘନଶ୍ୟାମ ମକଦ୍ଦମଙ୍କୁ ମାନ୍ୟକଲା । “କିରେ ଗୋପାଳ କ’ଣ ହେଲା କିରେ? କାହିଁକି ଆଖି ଛଳ ଛଳ ଦେଖାଯାଉଛି । ମୁହଁଶୁଖି ଯାଉଛି?” ଗୋପାଳ କାନ୍ଦକାନ୍ଦ ମୁଦ୍ରାରେ । ମକଦ୍ଦମଙ୍କୁ ମାନ୍ୟ କରି କ ଠାରୁ କ୍ଷ ପର୍ଯ୍ୟନ୍ତ ଗାଳି ପକାଇଲା । ଘନଶ୍ୟାମ ମକଦ୍ଦମଙ୍କର ଟିକେ ମଣିଷ ପଣିଆ ଅଛି । ଗୋପାଳକୁ ଆଶ୍ୱାସନା ଦେଇ କୁହନ୍ତି” ଆରେ ଗୋପାଳ । ଜ୍ୟୋତିଷ ଗୁଡ଼ାଙ୍କୁ ମୁଁ ହାଡ଼େ ହାଡ଼େ ଚିହ୍ନିଛି । ଏ ତିଥିରେ ନ ହେଲା ତ ତୁ ପୁଣି ଆର ସାଲକୁ ସେଇ ଅବଧାନକୁ ଡାକିବୁ । ସେ ପୁଣି ଆଟିକା କରିବ । ତାର ବେପାର କଥା । ମଣିଷ ଗୁଡ଼ାକ ଡରୁଆ, ଜ୍ୟୋତିଷ ଅବଧାନଙ୍କ କଥାକୁ ପିଇଯାଆନ୍ତି । ଛାଡ଼ ସେଣିକି ଯିବାନି, ତୋ ଝିଅ ବାହାଘର ଆଗ ତିଥିରେ ହବ ହିଁ ହବ, ତୁ ସର୍ବ ମଂଗଳ ଜଗନ୍ନାଥ କରି ଗୁଆବଣ୍ଟା କର । “ଗୋପାଳ ମୁଣ୍ଡରୁ ଯେପରି ଶକ୍ତ ବୋଝଟେ ଖସି ପଡ଼ୁଛି । ଟିକେ ମୁରୁକି ହସ ମୁହଁରେ ମକଦ୍ଦମକୁ ଜୁହାର ହେଲା ।


Share Samadhwani
Support Samadhwani

About ନଟବର ଷଡ଼ଙ୍ଗୀ

ଅବସରପ୍ରାପ୍ତ ଶିକ୍ଷକ, ବିଶିଷ୍ଟ ଜୈବ ଚିନ୍ତକ ଓ ଦେଶୀଚାଷୀ ( Indigenous farmer, Organic Thinker and Retired Teacher)

Check Also

ପ୍ରଥମ ଓଡ଼ିଆ ଦଳିତ ଉପନ୍ୟାସ : ଏକ ଦୃଷ୍ଟି

Share Samadhwaniଦୁନିଆର ବହୁତ କଥାକୁ ବୁଝିହୁଏ ସିନା ଅସଲରେ ବୁଝେଇ ହୁଏ ନାହିଁ । ‘ସାହିତ୍ୟ’ ବି ସେଭଳି ଏକ …