ଦ୍ଵିତୀୟପଲ୍ଲବ (ରଙ୍ଗମଞ୍ଚରେ)

Dr. Samidha Vedabala
Dr. Samidha Vedabala 303 Views
8 Min Read

[box type=”shadow” align=”” class=”” width=””]ମୋ ନିଜ କଥା ଓ ଅନ୍ୟାନ୍ୟ ରଚନାରେ ଲେଖିକା ବିନୋଦିନୀ ନିଜ ଜୀବନର ବିଭିନ୍ନ ମୁହୂର୍ତ୍ତର ପରିଚୟ ପ୍ରଦାନ କରିଛନ୍ତି I ଏହି ଲେଖାଟିରେ ସେ ଯେତେବେଳେ ରଙ୍ଗମଞ୍ଚକୁ ଯାଇଥିଲେ ତାଙ୍କ ମନରେ କେଉଁଭଳି ଭୟ ସୃଷ୍ଟି ହୋଇଥିଲା ସେ ସମ୍ପର୍କରେ ବିନୋଦିନୀ ପ୍ରକାଶ କରି କହିଛନ୍ତି ଯେ, “ଯୋଉଦିନ ନିଜ ପାର୍ଟ ନେଇ ଜନସାଧାରଣଙ୍କ ସମ୍ମୁଖରେ ଷ୍ଟେଜଉପରକୁ ଆସିଥିଲି , ସେଦିନର ଦୃଦୟଭାବ ଓ ମନର ବ୍ୟାକୁଳତା କେମିତି କହିବି I ସେଇ ସକଳ ଉଜ୍ଜ୍ୱଳ ଆଲୋକ ମାଳା , ସହସ୍ର ସହସ୍ର ଲୋକଙ୍କର ଉତ୍ସାହପୂର୍ଣ୍ଣ ଦୃଷ୍ଟି , ଏଇସବୁ ଦେଖି , ଶୁଣି ମୋର ସମସ୍ତ ଶରୀରରେ ଝାଳ ଭରିଗଲା, ଛାତି ଭିତରଟା ଧକ ଧକ କରୁଥାଏ , ଗୋଡ ଦୁଇଟି ଥର ଥର କରି ଥରୁଥାଏ, ଆଉ ଆଖି ଆଗରେ ସକଳ ଆଲୁଅ ସତେ ଯେମିତି ଧୂଆଁରେ ଆଚ୍ଛନ୍ନ ହେଇ ଯାଉଥାଏ ପରି ମନେହେଉଥାଏ I” – ସମ୍ପାଦକ[/box]

Support Samadhwani

ମହାଶୟ!

ଆପଣ ଏପର୍ଯ୍ୟନ୍ତ ଧର୍ଯ୍ୟ ସହକାରେ ମୋ ଜୀବନର ଦୁଃଖମୟ କାହାଣୀ ଶୁଣୁଛନ୍ତି , ଏହା କେବଳ ମହାଶୟଙ୍କର ମୋ ଉପରେ ଅପରିମିତ ସ୍ନେହର ପରିଚୟ I

ଆପଣ ବାରମ୍ବାର କହିଛନ୍ତି ବିଭିନ୍ନ ଜାଗାରେ ଯେ , ପ୍ରତି ଚରିତ୍ର ଅଭିନୟରେ ମୁଁ ଲୋକଙ୍କ ମନରେ ଦେବଭାବ ଅଙ୍କିତ କରିପାରିଛି I ଦର୍ଶକ ଅଭିନୟ ଦର୍ଶନରେ ଆନନ୍ଦ କରିଛନ୍ତି ଓ ମନ ସଂଯୋଗ ଦେଖେଇଛନ୍ତି ସତ , କିନ୍ତୁ କେମିତି ସେମାନଙ୍କ ସେମାନଙ୍କର ହୃଦୟରେ ଦେବ-ଦେବୀ ଛବି ଅଙ୍କିତ କରିଛି, ତାହା ଆଜିପର୍ଯ୍ୟନ୍ତ ବୁଝିପାରିନି I ଯଦି ଅବକାଶ ହୁଏ ତେବେ ବୁଝେଇ ଦେବେ I ଯଦି ଧର୍ଯ୍ୟ ଅଛି ତେବେ ଏବେ ମୋ ନାଟକୀୟ ଜୀବନ କାହାଣୀ ଶୁଣନ୍ତୁ I

Support Samadhwani

ମୁଁ ଯେତେବେଳେ ପ୍ରଥମ ପ୍ରଥମ ଥିଏଟର ଗଲି , ସେତେବେଳେର ସିକନିୟୋଗୀଙ୍କର ଗଙ୍ଗାଘାଟ ଉପରେ ଯୋଉ ଘରଥିଲା , ସେଠି ଥିଏଟର ଅଭ୍ୟାସ ହୁଏ I  ସେଇ ଜାଗାଟା କଥା ଯଦିଓ ମୋର ବିଶେଷ ମନେନାହିଁ , ଟିକେ ଟିକେ ମନେ ଅଛି I ଭାରି ରମଣୀୟ ଜାଗାଟା , ଗଙ୍ଗା ଉପରେ ଘର ଓ ବାରଣ୍ଡା, ତଳେ ଗଙ୍ଗା ଘାଟ; ଦି ପାଖରେ ଅନ୍ତିମ ପଥ ଯାତ୍ରୀ ମାନଙ୍କର ବିଶ୍ରାମ ଘର I ମୋ ବାଳିକା ବେଳର ସେଇ ରମଣୀୟ ଛବି ଦୂର ସ୍ମୃତିରେ ଏବେବି ମୋର ମନେଅଛି ଝାପସା ଝାପସା I କୁଳୁକୁଳୁ କରି ଗଙ୍ଗା ବହି ଚାଲିଥାଏ I ମୁଁ ବାରଣ୍ଡାରେ ଦୌଡୁଥାଏ I ମୋ ମନରେ କେତେ ଆନନ୍ଦ , କେତେ ସୁଖ-ସ୍ବପ୍ନ ଭରି ରହିଥାଏ I ଝିଅ ଛୁଆଟେ ବୋଲି ହଉବା , ଶିକ୍ଷା ଦୀକ୍ଷାରେ ବିଶେଷ ଆଗ୍ରହ ଦେଖଉଥିବା ପାଇଁ ହଉ , ସମସ୍ତେ ମୋତେ ବିଶେଷ ସ୍ନେହ ଓ ଯତ୍ନ କରୁଥିଲେ I ଆମେ ବହୁତ ଗରିବ ଥିଲୁ ସେ କଥା ତ ଆଗୁରୁ କହିଛି; ଆମର ଏଇ ଘରଟି ଛଡା ଭଲ ଲୁଗାପଟା ବା ଅନ୍ୟକିଛି ନଥିଲା I ସେଇ ସମୟରେ “ରାଜା”  ବୋଲି ଯେ ପ୍ରଧାନ ଅଭିନେତ୍ରୀ ଥିଲେ, ସେ ମୋର ଛୋଟ ହାତକଟା ଦିଟି ଜାମା ତିଆରି କରିଥିଲେ I ସେଇଟା ପାଇ ମୁଁ ଭାରି ଆନନ୍ଦ ପାଇଥିଲି , ତା କହିବା କଷ୍ଟ I  ସେଇ ଜାମା ଦିଖଣ୍ଡ ହିଁ ଶୀତରେ ମୋର ସମ୍ବଳ ଥିଲେ I  ସମସ୍ତେ କହୁଥିଲେ ଏଇ ଝିଅଟିକୁ ଭଲକରି ଶିକ୍ଷା ଦେଲେ ବୋଧେ ଭଲ କରିବ I ସେତେବେଳେ ସ୍ବର୍ଗୀୟ ଧର୍ମଦାଶ ସୁର ମହାଶୟ ମ୍ୟାନେଜର ଥିଲେ ସ୍ବର୍ଗତଃ ଅବିନାଶ ଚନ୍ଦ୍ର କର ମହାଶୟ ଆସିଷ୍ଟାଣ୍ଟ ମ୍ୟାନେଜର ଥିଲେ I  ଆଉ ବୋଧେ ବାବୁ ମହେନ୍ଦ୍ରନାଥ ବାସୁ ଶିକ୍ଷା ଦଉଥିଲେ I ମୋର ଠିକ ମନେ ପଡୁନି I ତେବେ ସେତେବେଳେ ବେଲ ବାବୁ , ମହେନ୍ଦ୍ର ବାବୁ, ଅର୍ଧେନ୍ଦୁ ବାବୁ ଓ ଗୋପାଳ ବାବୁ , ଏଇମାନେ ହିଁ ସବୁ ଶିକ୍ଷା ଦଉଥିଲେ I ସେତେବେଳେ ବାବୁ ରାଧା ମାଧବ କର ବି ଉକ୍ତ ଥିଏଟର ରେ ଅଭିନୟ କରୁଥିଲେ ଏବଂ ବର୍ତ୍ତମାନ ସମୟର ସୁପ୍ରସିଦ୍ଧ ଡାକ୍ତର ଶ୍ରୀଯୁକ୍ତ ରାଧା ଗୋବିନ୍ଦ କର ମହାଶୟ ଉକ୍ତ ନ୍ୟାସନାଲ ଥିଏଟର ଅଵେତନିକ ଅଭିନେତା ଥିଲେ I ସେମାନେ ସମସ୍ତେ ପରାମର୍ଶ କରି ମୋତେ “ବେଣୀ-ସଂଘାର” ବହିରେ ଗୋଟେ ଛୋଟ ପାର୍ଟ ଦେଲେ ,ସେଇଟା ଦ୍ରୌପଦୀର ଗୋଟିଏ ସକ୍ଷୀର ପାର୍ଟ , ବହୁତ ଅଳ୍ପ କଥା I ସେତେବେଳେ ବହି ପ୍ରସ୍ତୁତ ହେଲେ ନ୍ୟାସନାଲ ଥିଏଟର ଯାଇ ଡ୍ରେସ- ରହରସଲ ଦେବାକୁ ପଡୁଥିଲା I ଉକ୍ତ ବହିର ଡ୍ରେସ-ରିହରସଲ ଦିନ ମୋତେ ଏତେ ଡର ଲାଗିନି – କାହିଁକି ନା ଘରେ ଯୋଉମାନେ ରିହରସଲ ଦେଖୁଥିଲେ , ସେଠିବି ପ୍ରାୟେ ସେଇମାନେ ଓ ଦିଚାରିଜଣ ଅନ୍ୟ ଲୋକ ଥିଲେ I

କିନ୍ତୁ ଯୋଉଦିନ ନିଜ ପାର୍ଟ ନେଇ ଜନସାଧାରଣଙ୍କ ସମ୍ମୁଖରେ ଷ୍ଟେଜଉପରକୁ ଆସିଥିଲି , ସେଦିନର ଦୃଦୟଭାବ ଓ ମନର ବ୍ୟାକୁଳତା କେମିତି କହିବି I ସେଇ ସକଳ ଉଜ୍ଜ୍ୱଳ ଆଲୋକ ମାଳା , ସହସ୍ର ସହସ୍ର ଲୋକଙ୍କର ଉତ୍ସାହପୂର୍ଣ୍ଣ ଦୃଷ୍ଟି , ଏଇସବୁ ଦେଖି , ଶୁଣି ମୋର ସମସ୍ତ ଶରୀରରେ ଝାଳ ଭରିଗଲା, ଛାତି ଭିତରଟା ଧକ ଧକ କରୁଥାଏ , ଗୋଡ ଦୁଇଟି ଥର ଥର କରି ଥରୁଥାଏ, ଆଉ ଆଖି ଆଗରେ ସକଳ ଆଲୁଅ ସତେ ଯେମିତି ଧୂଆଁରେ ଆଚ୍ଛନ୍ନ ହେଇ ଯାଉଥାଏ ପରି ମନେହେଉଥାଏ I ମୋ ଅଧ୍ୟକ୍ଷ ମାନେ ମୋତେ ଆଶ୍ୱାସନା ଦେଉଥାନ୍ତି I ଭୟ , ଭାବନା ଓ ମନର ଚଞ୍ଚଳତା ସହିତ କେମିତି ଗୋଟେ କୌଣସି ଏକ ଆଗ୍ରହ ମନ ଭିତରେ ଜାଗି ଉଠିଲା I ତାହା କେମିତି କହିବି ? ଏମିତି ମୁଁ ଅତିଶୟ ବାଳିକା , ପୁଣି ଗରିବ ଘରଝିଅ , ଏଭଳି ଏକ ସମାରୋହକୁ ଯିବା ଭଳି ଉପାୟ ହିଁ ନଥିଲା I  ବାଲ୍ୟକାଳେ ବହୁବାର ମାଁ କୁହନ୍ତି ଶୁଣିଛି ଡର ଲାଗିଲେ ହରିଙ୍କୁ ଡାକିବୁ I  ସେଇଆ କଲି , କେତେଟା କଥା କହିବା ପାଇଁ ପ୍ରେରିତ ହେଇଥିଲି , ପ୍ରାଣପଣେ ଯତ୍ନ ସହକାରେ ସୁଚାରୁ ରୂପେ , ସେଇ ଭାବ ଭଙ୍ଗି ସହିତ ଅଭିନୟ କରିଚାଲି ଆସିଲି I ଆସିବାବେଳେ ସମସ୍ତ ଦର୍ଶକ ଆନନ୍ଦରେ କରତାଳି ବଜଉଥାନ୍ତି I ଭୟରେ ହଉ ବା ଉତ୍ତେଜନାରେ ହଉ ମୋର ଏବେବି ଦେହ ଥରୁଥାଏ ଭିତରକୁ ଆସିଲାବେଳକୁ ଅଧ୍ୟକ୍ଷମାନେ ବହୁତ ଆଦରକଲେ I  କିନ୍ତୁ ସେତେବେଳେ କରତାଳିର ମର୍ମ କଣ ତାହା ଜାଣିନଥିଲି I ପରେ ସମସ୍ତେ ବୁଝେଇଲେ , ଯେ, କାର୍ଯ୍ୟରେ ସଫଳତା ଲାଭ କଲେ ଲୋକେ ଆନନ୍ଦରେ କରତାଳି ବଜାନ୍ତି I ଏହାର କିଛିଦିନ ପରେ ସମସ୍ତଙ୍କ ପରାମର୍ଶରେ ମୋତେ ହରଲାଲ ରାୟଙ୍କର “ହେମଲତା” ନାଟକରେ ହେମଲତା ଭୂମିକାରେ ଅଭିନୟ କରିବାପାଇଁ ଶିକ୍ଷା ଆରମ୍ଭ ହେଲା I ମୋର ପାର୍ଟ ଶିଖିବାରେ ଆଗ୍ରହ ଦେଖି ସମସ୍ତେ କହୁଥିଲେ ଏଇ ଝିଅଟି ହେମଲତାର ପାର୍ଟଭଲ କରି ଅଭିନୟ କରିପାରିବ I ସେଇ ସମୟରେ ଆଉଜଣେ ଅଭିନେତ୍ରୀ ଆସିଲେ ଓ ତାଙ୍କ ସାଙ୍ଗରେ ମଦନମୋହନ ବର୍ମନ ଅପେରା ମାଷ୍ଟର ହେଇ ଥିଏଟରରେ ଯୋଗ ଦିଅନ୍ତି I ଉକ୍ତ ଅଭିନେତ୍ରୀଙ୍କ ନା କାଦମ୍ବିନୀ ଦାସି I ବହୁତ ଦିନ ପର୍ଯ୍ୟନ୍ତ ବିଶେଷ ସୁଖ୍ୟାତି ସହିତ କାଦମ୍ବିନୀ ଅଭିନୟ କରିଛନ୍ତି I ଏବେ ସେ ଅବସରପ୍ରାପ୍ତ I ଏଇ “ହେମଲତା” ଶିକ୍ଷା ସମୟରେ ମୋର ହୃଦୟ ଉତ୍ସାହ ଓ ଆନନ୍ଦରେ ପ୍ରଫୁଲ୍ଲିତ ହେଇ ଉଠିଥାଏ I ମୁଁ କାମ ସାରିକି ଯେତେବେଳେ ଘରକୁ ଆସେ , ସେଇ ସକଳ କାର୍ଯ୍ୟ ମୋ ଆଖିଆଗରେ ନାଚୁଥାଏ I ସେ ଯେମିତି କୁହନ୍ତି , ସେଇଭଳି ମୋ ମନେଥାଏ I ସେମାନେ ଯେମିତି ଶିଖନ୍ତି , ଯେଭଳି ଭାବଭଙ୍ଗି ଦେଖେଇ ଦିଅନ୍ତି , ସେଇ ସକଳ ଜିନିଷ ମୋ ସାଙ୍ଗଭଳି ମୋ ଚାରିଦିଗରେ ଘେରି ରହୁଥିଲେ I ମୁଁ ଯେତେବେଳେ ଘରେ ଖେଳୁଥାଏ ସେତେବେଳେ ବି ସତେଯେମିତି ଏକ ଅବ୍ୟକ୍ତ ଶାନ୍ତି ଘେରି ଆଚ୍ଛନ୍ନ ରହିଥାଏ ମୋ ମନ ଭିତରେ I ଘରେ ରହିବାକୁ ଇଛା ହଉ ନଥାଏ I କେତେବେଳେ ଗାଡି ଆସିବ , କେତେବେଳେ ମୋତେ ନବ , ସେଠିଯାଇ ନୂଆନୂଆ ଜିନିଷ ଶିଖିବି , ଏଇସବୁ ହିଁ ମନ ଭିତରେ ରହୁଥାଏ I ଯଦିଓ ସେତେବେଳେ ବହୁତ ଛୋଟ ଥିଲି , ତଥାପି ମନ ଭିତରେ କେମିତି ଏକ ଉତ୍ସାହପୂର୍ଣ୍ଣ ମଧୁର ଭାବ ଘୁରି ବୁଲୁଥାଏ I ଏହାପରେ ଯେତେବେଳେ ମୋର ଶିକ୍ଷା ଶେଷହେଲା , ଅଭିନୟର ଦିନ ଆସିଲା , ସେତେବେଳେ ଆଉ ପ୍ରଥମଥର ପରି ଭୟ ଲାଗିଲାନି ସତ , କିନ୍ତୁ ମନ ଭିତରଟା କେମିତି ଗୋଟେ ଲାଗୁଥିଲା I ସେଦିନ ମୁଁ ରାଜକନ୍ୟା ଅଭିନୟ କରିବି – ଝକଝକ ଉଜ୍ବଳ ପୋଷାକ ଦେଖି ଆମୋଦ ହେଉଥାଏ I ସେମିତି ପୋଷାକ ପିନ୍ଧିବା ଦୂରର କଥା କେବେ ଆଖିରେ ଦେଖିନି I  ଯାହାହଉ , ଈଶ୍ୱରଙ୍କ ଦୟାରୁ “ହେମଲତା” ପାର୍ଟ ମୁଁ ସୁଚାରୁ ରୂପେ ଅଭିନୟ କରିଦେଲି I  ଲୋକେ କହିଲେ “ୟା ଉପରେ ଈଶ୍ୱରର ଦୟାଅଛି”I ଏବେ ମୁଁ ବି ସେଇଆ ଭାବେ , ତା ନହେଲେ ମୋଭଳି ଏକକ୍ଷୁଦ୍ର ଦୁର୍ବଳ ବାଳିକା ଈଶ୍ୱର ଅନୁଗ୍ରହ ବ୍ୟତୀତ କେମିତି ଏପରି ଏକ ଦୁରୁହ କାର୍ଯ୍ୟ ସମାପନ କରିବ I କାହିଁକିନା ମୋର ସେମିତି କିଛି ଗୁଣନ ଥିଲା I ସେତେବେଳେ ଭଲ ଲେଖା ପଢା ବି କରି ନଥିଲି , ଗୀତ ବି ଭଲ ଜାଣିନଥିଲି I ତେବେ ଶିଖିବାର ଇଚ୍ଛା ବହୁତ ଥିଲା I

ସେଇ ସମୟଠାରୁ ମୁଁ ପ୍ରାୟେ ସବୁ ମୁଖ୍ୟ ପାର୍ଟ ଅଭିନୟ କରିବାକୁ ବାଧ୍ୟ ହଉଥିଲି I ମୋ ଅଗ୍ରଵର୍ତୀ ଅଭିନେତ୍ରୀ ଗଣ ଯଦିଓ ମୋ ଅପେକ୍ଷା ଅଧିକ ବୟସ୍କା ଥିଲେ , କିନ୍ତୁ ମୁଁ ତାଙ୍କ ସମାନ କାମ ପାଉଥିଲି I କିଛି ମାସ ପରେ “ଗ୍ରେଟ ନ୍ୟାସନାଲ” ଥିଏଟର କମ୍ପାନୀ ପଶ୍ଚିମାଞ୍ଚଳେ ଥିଏଟର କରିବାକୁ ବାହାରିଲେ , ଏବଂ ମୋର ଆଉ ପାଞ୍ଚ ଟଙ୍କା ଦରମା ବଢ଼େଇ ମୋତେ ଓ ମାଁଙ୍କୁ ସାଙ୍ଗରେ ନେଇଗଲେ I ନାନା ଦେଶ ଭ୍ରମଣ କଲୁ I ପଶ୍ଚିମରେ ଥିଏଟର କରିବା ବେଳର ଗୋଟେ ଦିଟା ଘଟଣା ଶୁଣନ୍ତୁ- ଯଦିଓ ସେ ଘଟଣା ଖାଲି ମୋର ନୁହେ ହେଲେ ତାହା କୌତୁହଳ କର I

… କ୍ରମଶଃ

Photo credit- https://bit.ly/3sP7QAS

Share This Article
ସୀତାରର କଳାକାର, ଅଧ୍ୟାପିକା (ସଙ୍ଗୀତ ବିଭାଗ, ସିକିମ୍ ବିଶ୍ୱବିଦ୍ୟାଳୟ) Samidha Vedabala (Ph.D., Rabindra Bharati University, Kolkata), a performer and researcher of Indian Classical Music, Sitar. She has been working as an assistant professor of music in the Department of Music at Sikkim University since 2011. Along with performance in music, she is actively involved in academic research in Indian music. She has published two books and many academic journals. Her professional and academic association with Sitar inspires her to continue writing on the instrument and its various aspects. Her book titled "Sitar Music: The Dynamics of Structure and Its Playing Techniques" is one of them. Her work has been the source of information for one of the documentaries on Sitar in the UK. She has also attended many national and international seminars on sitar music. As a writer, Dr. Samidha has been associated with Samadhwani for over a decade.