ସମୀକ୍ଷା

‘ପାଳିଆ’ର ଭାଇଚାରା ସଂସ୍କୃତି

“ପାଳିଆର ବିରଞ୍ଚିନାରାୟଣ ମନ୍ଦିରକୁ ଲାଗି ମସଜିଦ ରହିଛି ଯାହା ଭାରତ ବର୍ଷର ବାରଣାସୀ ଓ ଅନ୍ୟାନ୍ୟ ସ୍ଥାନରେ ଦୃଷ୍ଟିଗୋଚର ହୋଇଥାଏ ମାତ୍ର ଓଡ଼ିଶାରେ ଏହା ଦେଖିବା ପରି ଜଣାଯାଏ ନାହିଁ । ସେଇ ମନସୁର ଅଲ୍ଲୀଙ୍କ କବର ସ୍ଥାନ ଆମ ଗାଁର ପିର ବାବା ବୋଲି କହୁଥିବା ବେଳେ ବିଭିନ୍ନ ସମୟରେ ଏଠାରେ ହିନ୍ଦୁମାନେ ସିରିଣୀ ଭୋଗ କରି ମାନସିକ ରଖିଥାଆନ୍ତି ।” ପାଳିଆ ସାମ୍ପ୍ରଦାୟିକ ସଦଭାବର ଏକ ଉଦାହରଣ ବୋଲି ଉକ୍ତ ଲେଖାରେ ପ୍ରକାଶ କରିଛନ୍ତି ଲେଖକ ବିଶିଷ୍ଟ ସାହିତ୍ୟିକ ଓ ଚିତ୍ରକର ଅଶୋକ କୁମାର ମହାନ୍ତି। ସମଧ୍ୱନି ଓଡ଼ିଶାରେ ବିଭିର୍ଣ୍ଣ ସ୍ଥାନରେ ଥିବା ହିନ୍ଦୁ ମୁସଲମାନ ସାଂସ୍କୃତିକ ସଦ୍ଭାବର କାହାଣୀ ଧାରାବାହିକ ପ୍ରକାଶ କରୁଥିବାବେଳେ ପାଳିଆର କାହାଣୀ ପରି ଆପଣମାନଙ୍କ ଅଂଚଳର ଯଦି ଏମିତି କିଛି ଛୋଟବଡ କାହାଣୀ ଥାଏ ସମଧ୍ୱନିରେ ଉପସ୍ଥାପନା କରିବାପାଇଁ ଅନୁରୋଧ କରୁଛୁ । – ସମ୍ପାଦକ

ଭଦ୍ରକ ସହର ପାଖରୁ ଭଦ୍ରକ ଚାନ୍ଦବାଲି ରାସ୍ତାରେ ଗଲେ ପ୍ରାୟ ୧୨ କି.ମି ଦୂରରେ ପଡ଼େ ଅଲ୍ଲିନଗର ଛକ । ଅଲ୍ଲିନଗର ପାଖରୁ ବିରଞ୍ଚିନାରାୟଣ କଲେଜ ରାସ୍ତାରେ ଗଲେ ପଡ଼େ ପାଳିଆ ଗାଁ । ଏଇଟି ପାଳିଆବିନ୍ଧା ଗ୍ରାମ ପଞ୍ଚାୟତ ଅଧିନରେ ଏକ ଗାଁ, ଗାଁ ପାଖରେ ବହିଯାଇଛି ଶାଳ୍ୱନନ୍ଦିନୀ ଶାଳନ୍ଦୀ ନଦୀର ଏକ ଶାଖାନଦୀ ଯାହା ‘କୁଣ୍ଡି’ ନାମରେ ପରିଚିତ । ନଦୀଟି ପଞ୍ଚାୟତକୁ ଦୁଇ ଭାଗ କରିଛି । ନଈ ଅପର ପଟରେ ପାଳିଆବିନ୍ଧା ଓ ବରୁଣେଇ ଗ୍ରାମ । ନଦୀର ଏ ପାଖରେ ରହିଯାଇଛି ପାଳିଆଗ୍ରାମ । ପାଳିଆ ବହୁଦିନରୁ ତା’ର କଲେଜ ପାଇଁ ବେଶ୍ ପରିଚିତ । ଓଡିଶାରେ ଏମିତି କଲେଜଟିଏ ନାହିଁ ଯେଉଁଠି ସଟ୍‌ହେଣ୍ଡ ଟାଇପରାଇଟିଂ, ଫଟୋଗ୍ରାଫି ସହ ବହୁ ବିଷୟ ରହିଛି ପଢ଼ିବା ପାଇଁ । କଲେଜକୁ ବିଶେଷ ଭାବେ ସହାୟତା ପ୍ରଦାନ କରିଥିବା ସ୍ୱର୍ଗତ ଆର୍ଜୁନଚନ୍ଦ୍ର ବଳ ଓ ମାଧବାନନ୍ଦ ମଲ୍ଲିକ ତତ୍କାଳୀନ ଅଧ୍ୟକ୍ଷ ଶ୍ରୀଯୁକ୍ତ କମଳାକାନ୍ତ ସ୍ୱାଇଁଙ୍କ ପରାମର୍ଶ କ୍ରମେ କଳା, ବିଜ୍ଞାନ, ବାଣିଜ୍ୟ ସହ ଅନ୍ୟାନ୍ୟ ସମସ୍ତ ଭୋକେସନାଲ ପାଠ୍ୟକ୍ରମ ଯଥା ଇଲେକ୍ଟ୍ରୋନିକ୍ସ, କମ୍ପ୍ୟୁଟର ସାଇନ୍ସ, ଅଫିସ ମ୍ୟାନେଜମେଣ୍ଟ, ଟାଇପରାଇଟିଂ, ଫଟୋଗ୍ରାଫି ଇତ୍ୟାତିର ବିଷୟମାନ ରହିଥିବାରୁ ଏକ ବେସରକାରୀ ମହାବିଦ୍ୟାଳୟ ଭାବେ ଓଡ଼ିଶାରେ ତାର ସୁନାମ ଥିଲା । ଏଥିପାଇଁ ପାଳିଆ ଗାଁ ଯେତିକି ପରିଚିତି ହାସଲ କରିଥିଲା ଇତି ପୂର୍ବରୁ ଐତିହାସିକ ଓ ପୌରାଣି କିମ୍ବଦନ୍ତୀ ବହନ କରିଥିବା ବିରଞ୍ଚିନାରାୟଣ ମନ୍ଦିର ପାଇଁ ବେଶ ପ୍ରସିଦ୍ଧ ଥିଲା । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ଏହି ଯେ ମନ୍ଦିର ବେଢ଼ାକୁ ଲାଗି ମସଜିଦ, ମନ୍ଦିର ଦୁଆର ସାମ୍ନାରେ ହୋଇଥିବା ଓଡ଼ିଶାରେ ମୋ ଜାଣିବାରେ କୌଣସି ସ୍ଥାନରେ ନାହିଁ । କୌଣସି କୌଣସି ସ୍ଥାନରେ ମନ୍ଦିରର ଅନିତି ଦୂରରେ ମସ୍‌ଜିଦ ରହିଥିବା ଦେଖାଯାଏ ମାତ୍ର ମନ୍ଦିରକୁ ଲାଗି ମସଜିଦ୍ ରହିବା ସାଂପ୍ରଦାୟିକ ଭାଇଚାରର ପ୍ରତୀକ ବୋଲି ଧରାଯାଏ । ପାଳିଆକୁ ଯିବାବେଳେ ଯେଉଁ ଛକରୁ ଯିବାକୁ ହୁଏ ତାହା ଅଲ୍ଲିନଗର ଛକ । ଏହି ଛକକୁ ଲାଗି ମୁସଲମାନ ବସ୍ତି ରହିଛି । ଛକର ନାମକରଣ ତାହା ଅଲ୍ଲୀନାମକ ସଞ୍ଚାଧାରୀ ମୁସଲିମ ଲୋକମାନଙ୍କ ବସ୍ତିର ନାମ ଅନୁସାରେ ଏହାକୁ ଅଲ୍ଲିନଗର ନାମକରଣ କରାଯାଇ ପାରିଥାଏ ବୋଲି ଅନୁମାନ କରାଯାଏ । ପାଳିଆର ବିରଞ୍ଚିନାରାୟଣ ମନ୍ଦିରର ଇତିହାସ ଅବଲୋକନ କଲେ ମନ୍ଦିର ମସ୍‌ଜିଦର ରହସ୍ୟ ଓ ଭାଇଚାରର ଦୃଢ଼ତା ମପାଯାଇପାରେ ।

ମୋର ଅନ୍ୟତମ ଜେଜେବାପା ଉମାଚରଣ ମହାନ୍ତି ଥିଲେ ଜଣେ ରାଷ୍ଟ୍ରପତି ପୁରସ୍କୃତ କୋହ୍ଲ ୟୁପି ସ୍କୁଲର ପ୍ରଧାନ ଶିକ୍ଷକ । ସେ ଅନେକ ଛୋଟ ବଡ଼ ପୁସ୍ତକ ରଚନା କରିଥିଲେ । ଆମ ଗାଁର ସେ ବୋଧହୁଏ ପ୍ରଥମ କରି ଜଣେ କବି ଓ ଲେଖକ ଥିଲେ । ତାଙ୍କ ପରେ ମୃତ୍ୟୁଞ୍ଜୟ ବଳ ସାହିତ୍ୟ ସାଧନା କରିଥିଲେ । ଉମା ସାଆନ୍ତ ଙ୍କ ରଚନା ମଧ୍ୟରୁ ଶ୍ରେଷ୍ଠ ରଚନା ଥିଲା “ବିରଞ୍ଚି ଇତିହାସ” ପୁସ୍ତକ । ଏଇଟି ବୋଧହୁଏ ତାଙ୍କ ଜୀବନକାଳର ଶେଷସନ୍ତକ ଓ ଶେଷ ସୃଷ୍ଟି । ପୁସ୍ତକ ପ୍ରକାଶିତ ହେଲାବେଳକୁ ସେ ଏ ପୁରରେ ନ ଥିଲେ । ବହିଟି ପ୍ରାୟ ଦୁଇ ଶହ ପୃଷ୍ଠା ସମ୍ବଳିତ ଥିଲା, ଏହାଥିଲା ପ୍ରକାଶନର ପ୍ରଥମ ଭାଗ । ଦ୍ୱିତୀୟ ଭାଗ ପାଣ୍ଡୁଲିପି ଅପ୍ରକାଶିତ ରହିଗଲା । ପାଳିଆ ବିରଞ୍ଚିନାରାୟଣ ମାଧବ-ଅର୍ଜୁନ ମହାବିଦ୍ୟାଳୟ ଅଧୁନା ବିରଞ୍ଚିନାରାୟଣ କଲେଜ ଅବା ପାଳିଆ କଲେଜ ନାମରେ ଖ୍ୟାତ । ତନ୍ମଧ୍ୟରୁ ମାଧବାନନ୍ଦ ମଲ୍ଲିକଙ୍କ ଶ୍ରୀମତି ରଜନୀ ଦେବୀଙ୍କ ସୌଜନ୍ୟରୁ ଭଦ୍ରକ ବିଦ୍ୟାମନ୍ଦିର ଦ୍ୱାରା ପ୍ରକାଶ ପାଇଥିଲା । ମନ୍ଦିର ସଂପର୍କରେ କିଛି ଇତିହାସକୁ ଅବତାରଣା କରିବା କ୍ଷେତ୍ରରେ ସେ ଥିଲେ ପ୍ରଥମ ବ୍ୟକ୍ତି । ପାଳିଆକୁ ବୈଦ୍ଧ କ୍ଷେତ୍ର କିମ୍ବା ଅର୍କକ୍ଷେତ୍ର କୁହାଯାଏ । ଇତିହାସ କହେ ସାଧୁ ଶଙ୍କରାଚାର୍ଯ୍ୟ ବୌଦ୍ଧ ଧର୍ମ ପରିବର୍ତ୍ତେ ସନାତନ ହିନ୍ଦୁଧର୍ମର ପ୍ରଚାର ପ୍ରସାର କରିଥିଲେ । ବିରଞ୍ଚି ପୀଠରେ ସୌର ଉପାସନା ଅତି ପ୍ରାଚୀନ । ମନ୍ଦିରର ନିର୍ମାଣ ଶୈଳୀ ମୂର୍ତ୍ତିମାନଙ୍କ ଉପସ୍ଥିତି ଓ ମନ୍ଦିର ନିକଟରେ ପାଳିତ ହେଉଥିବା ମେଳା ମହୋତ୍ସବ ଆଦି ସୂର୍ଯ୍ୟପୂଜାର ସ୍ପଷ୍ଟ ସୂଚନା ଦିଏ । ଆମେ ପିଲାବେଳେ ଏହାକୁ ବ୍ରାହ୍ମଙ୍କ ମନ୍ଦିର ବୋଲି କହୁଥିଲୁ । କେବଳ ମୁଁ କାହିଁକି ସର୍ବତ୍ର ଏହି ଭାବେ ପାଳିଆକୁ ଚିହ୍ନିଥିଲେ । ଲେଖକ ସ୍ୱର୍ଗତ ଉମାଚରଣ ମହାନ୍ତି ତାଙ୍କ ବିରଞ୍ଚିକାବ୍ୟରେ ଲେଖିଛନ୍ତି ।

ଅର୍କ ବିରଞ୍ଚି ମନ୍ଦିର                     ବେନି ଦିଶେ ସୁନ୍ଦର

ବେନି ତୀର୍ଥଧାମ ଏକ ସ୍ତରେ ଗଠିତ

ଶିଳ୍ପ ଭାସ୍କର ତାତ୍ପର୍ଯ୍ୟ                 ତୁଚ୍ଛ ମରତେ ବୈଦୁର୍ଯ୍ୟେ

ବେନି କି ଏକ ପ୍ରକାର ଲୋକଚରିତ

ଜନପଦ ସମ ପାଳିଆ

ପୂଣ୍ୟତୋୟା କୁଣ୍ଡୀପୀଠ ଜାଣେ ଦୁନିଆଁ ।

କବିବର ରାଧାନାଥ ରାୟ ତାଙ୍କ ଉଷା କାବ୍ୟରେ ପାଳିଆ ବିରଞ୍ଚି ନାରାୟଣଙ୍କ ଉପରେ ଲେଖିଛନ୍ତି “ମାଗଧ ଅନୁପେ ସୀମା ସ୍ତମ୍ଭ ରୂପେ ତୋଳିଛି ଶୀର, ଯେବେଶେ ବିରଞ୍ଚି ନାରାୟଣଙ୍କର ତୁଙ୍ଗ ମନ୍ଦିର । କବିବରଙ୍କର ପୁତ୍ର ଶଶିଭୂଷଣ ରାୟ ପାଳିଆ ବିରଞ୍ଚିନାରାୟଣ ମନ୍ଦିର ଶୀର୍ଷକ ଏକ ଲେଖାରେ ଲେଖିଥିଲେ ଯାହାକି ପୂର୍ବେ ଷାଠିଏ ଦଶକରେ ମାଧ୍ୟମିକ ସ୍କୁଲ ସାହିତ୍ୟ ବହିରେ ସ୍ଥାନ ପାଇଥିଲା । ଶଶିଭୂଷଣ ରାୟ ସ୍ପଷ୍ଟ ଭାବରେ ଉଲ୍ଲେଖ କରିଥିଲେ ବିରଞ୍ଚିନାରାୟଣ ମନ୍ଦିର କେଶରୀ ବଂଶର ରାଜାଙ୍କ ସମୟରେ ନିର୍ମିତ । ଯେଉଁ ସମୟରେ ଭୂବନେଶ୍ୱରରେ ରାଜାରାଣୀ ମନ୍ଦିର ପ୍ରଭୃତି ନିର୍ମାଣ କରାଯାଇଥିଲା ସେହି ସମୟରେ ବିରଞ୍ଚି ନାରାୟଣ ମନ୍ଦିର ମଧ୍ୟ ନିର୍ମିତ ହୋଇଥିଲା । ସ୍ୱର୍ଗତ ରାୟ ଆହୁରି ମଧ୍ୟ ଲେଖିଥିଲେ ବିରଞ୍ଚି ନାରାୟଣ ମନ୍ଦିର ମଧ୍ୟରେ ପାଲିଭାଷାରେ ପ୍ରସ୍ତର ଖୋଦିତ ଲେଖା ତଥା ପ୍ରସ୍ତର ଖୋଦିତ ସୂର୍ଯ୍ୟଘଣ୍ଟା ଥିବାର ଉଲ୍ଲେଖ ଥିଲା ଅବଶ୍ୟ ଏବ ତାହା ଦୃଷ୍ଟିଗୋଚର ହୁଏ ନାହିଁ । ପୁନଶ୍ଚ ସ୍ୱର୍ଗତ ଲାଲା ନରେନ୍ଦ୍ର କୁମାର ରଚିତ ଓ ୧୯୩୬ ମସିହାରେ ପ୍ରକାଶିତ ‘ବିବିଧରତ୍ନ ସଂଗ୍ରହ’ (ପୃଷ୍ଠା ୬୭୪)ରେ ବିରଞ୍ଚି ନାରାୟଣ ମନ୍ଦିର ସଂପର୍କରେ ଉଲ୍ଲେଖ କରିଛନ୍ତି । ସେ ଉକ୍ତ ମନ୍ଦିର କେଶରୀ ବଂଶର ରାଜାଙ୍କ ସମୟରେ ନିର୍ମିତ ହୋଇଥିବା ମତ ଦେଇଛନ୍ତି ।

ଉମାଚରଣ ମହାନ୍ତିଙ୍କ ‘ବିରଞ୍ଚି ଇତିହାସ’ ପୁସ୍ତକରେ ଏହା କୋଣାର୍କ ମନ୍ଦିର ସମସମାୟିକ ଶିଳ୍ପୀ ମାନଙ୍କ ଦ୍ୱାରା ନିର୍ମାଣ କରାଯାଇଥିବା ଅନୁମାନ କରିଛନ୍ତି । ଓଡ଼ିଶାକୁ ତୁଗାଖାଁ ଆକ୍ରମଣ କରିବାକୁ ଆସିଥିବା ବେଳେ ଲାଙ୍ଗୁଳା ନରସିଂହ ଦେବ ତୁଗାଖାଁକୁ ପରାସ୍ତ କରି ଫେରୁଥିବା ବାଟରେ ବିରଞ୍ଚି ମନ୍ଦିରର ଜୀର୍ଣ୍ଣବସ୍ଥା ଦେଖି ତାହାର ସଂସ୍କାର କାର୍ଯ୍ୟ ଅର୍କ ମନ୍ଦିର ନିର୍ମାଣ କରିଥିବା ଶିଳ୍ପୀମାନଙ୍କ ଦ୍ୱାରା କରାଇଥିଲେ । ଉଭୟ ମନ୍ଦିରର ଗଠନଶୈଳୀର ସମାନତା ହେତୁ ଲୋକେ ଏହା ସୂର୍ଯ୍ୟ ମନ୍ଦିର ବୋଲି କହିଥାଆନ୍ତି । ବିରଞ୍ଚି ମନ୍ଦିର ରଥ ଆକାରର । ମାତ୍ର ସୂର୍ଯ୍ୟଙ୍କର ରଥରେ ୧୦୦ କୋଟି ଚକଥାଏ ଓ ସାତଗୋଟି ଅଶ୍ୱ ଯୋଚା ଯାଇଥାଏ । ପ୍ରସ୍ଥର ମନ୍ଦିରଗୁଡ଼ିକ ୬୦୦ କିମ୍ବା ୭୦୦ ବର୍ଷ ମଧ୍ୟରେ ଜୀର୍ଣ୍ଣ ହୋଇଥାଏ ବୋଲି ତାର ସଂସ୍କାର ଆବଶ୍ୟକ ପଡ଼ିଥାଏ । ୧୨ ଶହ ଶତାବ୍ଦୀ ମଧ୍ୟ ଭାଗରେ ଲାଙ୍ଗୁଳା ନରସିଂହଦେବ ୧୨ ଶହ ଶିଳ୍ପୀଙ୍କୁ ନେଇ କୋଣାର୍କ ମନ୍ଦିର ନୂତନ ଭାବେ ନିର୍ମାଣ କରାଇଥିଲେ । ସେହି ସମୟରେ ଏହା ନିର୍ମାଣ କରାଯାଇଥିବାର ଯୁକ୍ତିବାଢ଼ିଥିବା ବେଳେ ଖ୍ୟାତନାମା ଐତିହାସିକ କେଦାର ନାଥ ମହାପାତ୍ର ଗୋଟିଏ ପତ୍ରିକାରେ ପ୍ରକାଶ କରିଥିଲେ ଯେ ଏହା ସୂର୍ଯ୍ୟ ମନ୍ଦିର ନୁହେଁ ବରଂ ଏହା ସୂର୍ଯ୍ୟ ମନ୍ଦିର ଠାରୁ ଶ୍ରେଷ୍ଠ ଓ ପ୍ରାଚୀନତମ ମନ୍ଦିର । କାରଣ ଏହାସହ ପୌରାଣିକ ଉପାଖ୍ୟାନ ଶାମ୍ବର କୁଷ୍ଠ ରୋଗରୁ ମୁକ୍ତି ପାଇବା କାହାଣୀ ଜଡ଼ିତ ରହିଛି ।

ମନ୍ଦିରକୁ ଲାଗି ମସଜିଦ ଭାରତ ବର୍ଷର ବାରଣାସୀ ଓ ଅନ୍ୟାନ୍ୟ ସ୍ଥାନରେ ଦୃଷ୍ଟିଗୋଚର ହୋଇ ଥାଏ ମାତ୍ର ଓଡ଼ିଶାରେ ଏହା ଦେଖିବା ପରି ଜଣାଯାଏ ନାହିଁ । ସେଇ ମନସୁର ଅଲ୍ଲୀଙ୍କ କବର ସ୍ଥାନ ଆମ ଗାଁର ପିର ବାବା ବୋଲି କହୁଥିବା ବେଳେ ବିଭିନ୍ନ ସମୟରେ ଏଠାରେ ହିନ୍ଦୁମାନେ ସିରିଣୀ ଭୋଗ କରି ମାନସିକ ରଖିଥାଆନ୍ତି । ଏଥର ଗାଁକୁ ଗଲାବେଳେ ପ୍ରତ୍ନତତ୍ତ୍ୱ ବିଭାଗ ଦ୍ୱାରା ମନ୍ଦିର ବେଢ଼ା ନିର୍ମାଣ କାମ ଆରମ୍ଭ ହୋଇଛି ଓ ମାଳିବାଡ଼ିରେ ଏକ ସୁଦୃଶ୍ୟ କଲ୍ୟାଣ ମଣ୍ଡପ ଅତିଥିଶାଳା ମଧ୍ୟ ନିର୍ମାଣ ହୋଇଥିବା ଦେଖିବାକୁ ମିଳିଲା । ନଦୀ ତୁଠକୁ ମଧ୍ୟ ପୁନରୁଦ୍ଧାର ହୋଇଛି । ଗାଁଟା ଅଧା ସହର ପାଲଟି ଯାଇଥିବା ବେଳେ ପୀର ଆସ୍ଥାନର ମଧ୍ୟ ଅନୁରୂପ ଭାବେ ପରିବର୍ତ୍ତନ ହେବା ସଂଗେ ସଂଗେ ମୁସଲମାନ ବସ୍ତିରେ ନମାଜ ପଢ଼ିବା ପାଇଁ ସେମାନଙ୍କ ଏକ ଧର୍ମ ମନ୍ଦିର ମସଜିଦ ମଧ୍ୟ ନିର୍ମାଣ ହୋଇଛି ।

ପିଲାଦିନେ ଆମ ଗାଁର ଧୋବା, ବାରିକ, ହିନ୍ଦୁ, ମୁସଲମାନ, ପାଣ, କଣ୍ଡରା ସବୁ ଜାତିର ଲୋକମାନେ ମିଳିମିଶି ଚଳୁଥିଲେ । ବ୍ରାହ୍ମଣ ସାହିର ପିଲାମାନେ ଆସି ଆମ ଗାଁରେ ପାଠ ମଧ୍ୟ ପଢ଼ୁଥିଲେ । ମୋର ସାଙ୍ଗ ଗୋପାଳ ଶତପଥୀ, ମୁସଲମାନ ସାହିର ଅହିନୁର ମିଆଁ, ଲକ୍ଷ୍ମୀଧର ପାତ୍ର, ସୁବାଷ ପାତ୍ର, ଧନେଶ୍ୱର ନାୟକ, ନରେନ୍ଦ୍ର ନାୟକ ପ୍ରଭୃତି ପିଲାମାନେ ବହୁତ ସାଙ୍ଗ ଥିଲୁ । ଅହିନୁର ବାପା ହକମିଆଁ ଜାଲ ପକାଇ ବେଶ ମାଛ ଧରୁଥିଲେ । ତା ସାମନା ଘର ସ୍କୁଲ ହତାକୁ ଲାଗି ଜାଫର ମିଆଁ ଘର । ସେ ହାଟ ପାଳିଦିନ ଛେଳି କାଟେ ମାଂସ ବ୍ୟବସାୟ କରେ । ଆମେ ତାକୁ ଜାଫର ଭାଇ ବୋଲି ଡ଼ାକୁ । ସ୍ୱଭାବରେ ସେ ଖୁବ୍ ଶାନ୍ତ ସରଳ ଓ ଅମାୟିକ ମଣିଷଟିଏ । କାହାକୁ ଟାଣ କଥା ପଦେ କହି ନ ଥିବେ । ବେଶ ନମ୍ର ଧିର ସ୍ୱଭାବର । ବିବାହ ଉତ୍ସବରେ ବଇନା ନେଇ ଛେଳିଗୁଡ଼ା ଆଣି ବାଡ଼ିରେ କାଟି ଘରେ ମାଂସ ମପେଇ ଦେଇଯିବ । ସେ ଏବେ ନାହିଁ କିନ୍ତୁ ଆମ ସ୍ମରଣରେ ଅଛି ତାର ଉତ୍ତମ ବ୍ୟବହାର ପାଇଁ । ଆମ ଗାଁର ହିନ୍ଦୁ-ମୁସଲମାନ ସମେସ୍ତ ଗୋଟିଏ ପରିବାର ଭଳି ଚଳନ୍ତି । କାହାକୁ ସାଆନ୍ତ, କାହାକୁ ଦାଦା, କାହାକୁ ମାମୁଁ, କାହାକୁ ଖୁଡ଼ି ଇତ୍ୟାଦି ଡାକିବା ଦ୍ୱାରା ଗୋଟିଏ ପରିବାର ଭଳି ମନେ ହୁଅନ୍ତି । ଆମ ଗାଁର ହିନ୍ଦୁଙ୍କର ପର୍ବ ପର୍ବାଣୀ ଖୁବ୍ ଧୁମ୍ ଧାମରେ ପାଳୁଥିବା ବେଳେ ମୁସଲମାନଙ୍କର ଏତେଟା ଜଣାପଡ଼ିନି, ଅଥଚ ଆମ ପର୍ବପର୍ବାଣୀରେ ସେମାନେ ସାମିଲ ହୁଅନ୍ତି । ଏକ ସୁଦୃଢ଼ ଭାଇଚାରା ଭିତରେ ଗଢ଼ି ଉଠିଛି ଆମ ଗାଁ । ଉଭୟ ସଂପ୍ରଦାୟର ହାନିଲାଭ, ଭଲମନ୍ଦରେ ସାମିଲ ହେଉଥିଲେ ଉଭୟେ ।

ଭଦ୍ରକରେ ୧୯୯୨ ମସିହାର ଦଙ୍ଗା ଆମ ଗାଁ ଉପରେ ସାମାନ୍ୟତମ ପ୍ରଭାବ ପକାଇ ନ ଥିଲା । ମନେଅଛି ଭଦ୍ରକ ଦଙ୍ଗାଦିନ ଆମେ ଅର୍ଥାତ୍ ଶାନ୍ତନୁ ପଟ୍ଟନାୟକ, ପବନ ଶର୍ମା, ଚନ୍ଦ୍ରକାନ୍ତ ମହାନ୍ତି, ଅଭୟ ଦ୍ୱିବେଦୀ, ଦେବବ୍ରତ ମହାନ୍ତି, ମୁଁ ‘ଭଙ୍ଗା ଆଇନା’ର ମହୁରତ ସାରି ମୁଁ ସୁଟିଂ ସ୍ପଷ୍ଟ ଦେଖିବାକୁ ଛାନ୍ଦିଆଚାର୍ଯ୍ୟ କ୍ରୋମପ୍ଳାଣ୍ଟକୁ ଯାଇଥିବା ବେଳେ ହଠାତ୍ ଦଙ୍ଗା ହୋଇଗଲା ବୋଲି ଶୁଣିଲି ଧାଁ ଦଉଡ଼ ଭିତରେ ଭଦ୍ରକ ସହରକୁ ନଯିବା ପାଇଁ ସମସ୍ତେ ବାରଣ କଲେ । ମୁଁ ଭୟରେ ଗୋଟା ପଣେ ଥରୁଥାଏ । ପାଖରେ ଥିବା ମୋ ମାଉସୀଘରକୁ ଯାଇ ସେଠାରେ ରାତି କଟେଇଲି । ସେଇ ରାତିରେ ପାଖରେ ଥିବା ମାଂସ ଦେକାନୀର ଚାଳିଆରେ କିଏ ନିଆଁ ଲାଗଇଲା କେଜାଣି ତାହା ହୁତ୍ ହୁତ୍ ହୋଇ ଜଳିବାକୁ ଲାଗିଲା । ଭାରି ସଂଶୟ ମଧ୍ୟରେ ରାତିପାହିବା ମାତ୍ରେ ମୁଁ ଏକ ଟ୍ରେକରରେ ଫେରି ଆସିଲି । ଦଙ୍ଗାର ପ୍ରାୟ ସାତଦିନ ପରେ ଅମେ ଭଦ୍ରକରୁ ପ୍ରକାଶ ପାଉଥିବା ବିଶେଷ ଖବରରେ ଦଙ୍ଗା ଉପରେ ଏକ ବିବରଣୀ ପ୍ରକାଶ ପାଇଁ ପ୍ରମୋଦ ରାୟଙ୍କ ସହ ଏକ ମୋଟରସାଇକେଲରେ ପୁରୁଣା ବଜାର ଯାଇଥିଲୁ । ଦଙ୍ଗାରେ ବେଶି କ୍ଷତିଗ୍ରସ୍ଥ ହୋଇଥିଲେ ମାରୱାଡ଼ି ମାନେ, ସେମାନଙ୍କ ଲୁଗାଗୋଦାମକୁ ସେତେବେଳେ ବି ଧୁଆଁ ବାହାରୁ ଥିଲା । ତା ଭିତରେ ହିନ୍ଦୁ ମୁସଲମାନ ସମସ୍ତେ ମିଳିମିଶି ରହିଥିଲେ।  ଶେଷରେ ସେଠାରେ ଥିବା ସମସ୍ତ ଗୋଦାମ ଘର ଭଦ୍ରକ ସହର ଆଡ଼କୁ ଉଠି ଆସିଲା । ବହୁ ଦୋକାନ ଜଳି ପୋଡ଼ି ଛାରଖାର ହୋଇଗଲା ବେଳେ ଏହି ସୁଯୋଗରେ ଲୁଟେରାମାନେ ଅନେକ ଦୋକାନ ଭାଙ୍ଗି ଜିନିଷପତ୍ର ଲୁଟ କରି ନେଲେ । ସେତେବେଳେ ପୋଲିସ ସୁପରିଟେଣ୍ଡଣ୍ଟ ପାୱୋର ସାହେବଙ୍କ ଦୃଢ଼ ପଦକ୍ଷେପ ଯୋଗୁ ଦଙ୍ଗାପର ଅଗ୍ନି ନିର୍ବାପିତ ହୋଇଥିଲା । ଏହା ସୋର ପର୍ଯ୍ୟନ୍ତ ମାତି ଯାଇଥିବାର ଖବର ଆମେ ପାଇଥିଲୁ । ଶେଷରେ ଏକ ଶାନ୍ତି କମିଟୀ ବସି ଉଭୟଙ୍କ ମଧ୍ୟରେ ସୌହାର୍ଦ୍ଧ ଫେରାଇ ଆଣିଥିଲେ । ମହମ୍ମଦ ବାରିଙ୍କୁ ଏଥିପାଇଁ ରାଷ୍ଟ୍ରପତି ସମ୍ମାନିତ କରିଥିଲେ ।

ଏହି ଦୁଇ ତିନି ବର୍ଷ ମଧ୍ୟରେ ୨୦୧୭ରେ ରାଜନୈତିକ ହିଂସାକାଣ୍ଡ ଦଙ୍ଗାର ରୂପ ନେଲା । ତାହା ଏତେ ବେଶି ବ୍ୟାପକ ନଥିଲା । କାଁ ଭାଁ ଛୋଟ ମୋଟ ଦୋକାନ ଜାଳିବା, ଭାଙ୍ଗିବା ପ୍ରଭୃତି କାର୍ଯ୍ୟ ହୋଇଥିଲେ ବି ଲୋକଙ୍କ ମଧ୍ୟରେ ଭାଇଚାରା ଅତୁଟ ଥିଲା । ସେତେବେଳେ ମିଛ ଗୁଜବ ବ୍ୟାପକ ଭାବେ ବ୍ୟାପି ଲୋକଙ୍କ ମଧ୍ୟରେ ହିଂସାଭାବକୁ ଏତେଟା ଜ୍ୱାଳାମୁଖୀ କରି ପାରିନଥିଲା । ବିଗତ ଦଙ୍ଗାରୁ ଯେଉଁ ଶିକ୍ଷା ଭଦ୍ରକବାସୀ ପାଇଥିଲେ ସେମାନେ ଏତେଟା ଉଗ୍ର ହିଂସାତ୍ମକ ରୂପ ଧାରଣ କରିପାରିଲେ ନାହିଁ । ଏ ନିଆଁ ୪ ରୁ ୫ ଦିନ ମଧ୍ୟରେ ନିର୍ବାପିତ ହୋଇଗଲା ।’ ଗୋଟିଏ ଶିକ୍ଷା ହେଲା ଯେ ମିଛ ଗୁଜବ ମଣିଷ ମଣିଷ, ଜାତି ଜାତି ମଧ୍ୟରେ କି ଭଳି ହିଂସାର ପାଚେରୀ ଠିଆ କରିଥାଏ, ତାର ଏକ ନଜିର ହେଲା ଗତ ଦଙ୍ଗା । ଭାରତ ପାକିସ୍ଥାନକୁ ଆଳ କରି ରାଜନୈତିକ ଫାଇଦା ପାଇଁ ଯେଉଁ ନେତାମାନେ ମଣିଷମାନଙ୍କ ଭିତରେ ପାଚେରୀ ସୃଷ୍ଟି କରୁଛନ୍ତି ସେମାନଙ୍କୁ ଲୋକମାନେ କ୍ରମଶଃ ଚିହ୍ନି ଗଲେଣି । ଶିକ୍ଷାର ଦୁଢ଼ ପ୍ରସାର ଏବଂ ସମାଜର ପରିବର୍ତ୍ତନ ସହ ଏ ସଂକର୍ଣ୍ଣତା ମଣିଷ ଭିତରୁ କ୍ରମଶଃ ଦୂରେଇ ଯିବ ଏଥିରେ ସନ୍ଦେହ ନାହିଁ । ଗାନ୍ଧିଜୀ ତାଙ୍କ ଉଜନରେ ଯାହା କହିଥିଲେ ଯାହା ଆଜିର ଦିନରେ ଆବଶ୍ୟକତା ଅଛି :-

“ଇଶ୍ୱର ଆଲ୍ଲା ତେରେ ନାମ

ସବ୍‌କୋ ସନମତି ଦେ ଭଗବାନ ।

ଏ ମଣିଷ ମନରେ ସତ୍‌ବୁଦ୍ଧି ଉଦୟ ହେଉ । ସମସ୍ତ ଅନ୍ଧାର କାଳିମା ହଟିଯାଉ ସମସ୍ତେ ସୁଖରେ ରୁହନ୍ତୁ ।

ସର୍ବେ ଭବନ୍ତୁ ସୁଖିନ, ସର୍ବେ ସନ୍ତୁ ନିରାମୟା, ସର୍ବେ ଭଦ୍ରାଣୀ ପଶ୍ୟନ୍ତୁ, ମା’ କଶ୍ଚିତ୍ ଦୁଃଖ ଭାଗ୍ ଭବେତ୍ ।

Please support atleast Rs 20/- , Rs 50/- , Rs 100/- for a story.

ଶ୍ରୀ ଅଶୋକ କୁମାର ମହାନ୍ତି

ଚିତ୍ରକର, କଳା ଶିକ୍ଷକ, ଲେଖକ

Related Articles

Leave a Reply

Your email address will not be published.

Back to top button