ଓଡ଼ିଶାର ସମତାଭିତ୍ତିକ ସଂସ୍କୃତି ଓ ଜଗନ୍ନାଥ ସଂସ୍କୃତି

ପ୍ରଫେସର ଭଗବତ ପ୍ରସାଦ
ପ୍ରଫେସର ଭଗବତ ପ୍ରସାଦ 346 Views
3 Min Read

ଭଗବତ ପ୍ରସାଦ ହେଉଛନ୍ତି ଇଂରାଜୀ ଭାଷାର ଅବସରପ୍ରାପ୍ତ ଅଧ୍ୟାପକ । ଜଣେ ପ୍ରଗତିଶୀଳ ବୁଦ୍ଧିଜୀବୀ ଭାବରେ ଅନେକ ପତ୍ରପତ୍ରିକାରେ ତାଙ୍କର ନିବନ୍ଧ ପ୍ରକାଶିତ ହୋଇଛି । ଏଭଳି ଜଣେ ଗାନ୍ଧିବାଦୀ ବ୍ୟକ୍ତିତ୍ୱଙ୍କ ସହିତ ‘ସମଦୃଷ୍ଟି’ର ସମ୍ପାଦକ ତଥା ବିଶିଷ୍ଟ ସମାଜବିଜ୍ଞାନୀ ସୁଧୀର ପଟ୍ଟନାୟକ ଯେଉଁ ଆଲୋଚନା କରିଛନ୍ତି ତାହା ଏଠାରେ ଉପସ୍ଥାପିତ କରାଯାଇଛି । ଜଗନ୍ନାଥ ସଂସ୍କୃତି ଏବଂ ବର୍ତ୍ତମାନ ସମୟରେ ଏହାସହିତ ଯୋଡ଼ି ହୋଇଥିବା ବିଭିନ୍ନ ପ୍ରସଙ୍ଗ ଏହି ଆଲୋଚନାର ମୁଖ୍ୟ ବିଷୟ ।             – ସମ୍ପାଦକ

Support Samadhwani

ଭଗବତ ପ୍ରସାଦ – ଶବର ହୁଅନ୍ତୁ ବା ଯେତେସବୁ ଆଦିମ ଅଧିବାସୀ ସେମାନେ ଅନେକ ମାତ୍ରାରେ ସମତାଭିତ୍ତିକ ସଂସ୍କୃତିର ଦାୟାଦ ଏବଂ ସେମାନଙ୍କର ପରସ୍ପର ସମ୍ପର୍କ ଅତି ନିବିଡ଼ କହିଲେ ଚଳେ । ସେମାନଙ୍କର ଗୋଷ୍ଠୀଗତ ସମ୍ପର୍କଟା ବହୁତ ବେଶୀ । ସେଠି ଦେବତା ରହିଲେ ବି ଦେବତା ସମସ୍ତଙ୍କର, ଦେବତା ଆଉ ନିର୍ଦ୍ଦିଷ୍ଟ ଗୋଷ୍ଠୀର ହୋଇ ରହିପାରିବେ ନାହିଁ ।

ସୁଧୀର ପଟ୍ଟନାୟକ-ନିୟମଗିରି ଏବଂ ଡଙ୍ଗରିଆ କନ୍ଧମାନଙ୍କର ସମ୍ପର୍କକୁ ଯଦି ଆମେ ଦେଖିବା, ନିୟମଗିରିକୁ ନେଇ ଡଙ୍ଗରିଆମାନେ ଯେଉଁଭଳି ଦେଖୁଛନ୍ତି ଏବଂ ଯେଉଁଭଳି ତାଙ୍କର ନିୟମଗିରି ପ୍ରତି ତା’ର ସୁରକ୍ଷା ପ୍ରତି ଶ୍ରଦ୍ଧା ଅଛି, ନିଷ୍ଠା ଅଛି, ଉତ୍ସର୍ଗୀକୃତ ମନୋଭାବ ଅଛି ଜଗନ୍ନାଥଙ୍କୁ ନେଇ ସେବାୟତମାନଙ୍କ ପାଖରେ ସେହିଭଳି ଭାବନା ଦେଖୁଛନ୍ତି କି?

ଭଗବତ ପ୍ରସାଦ – ନାଁ । ଓଡ଼ିଶାର ସାଧାରଣ ମଣିଷଙ୍କ ପାଖରେ ଜଗନ୍ନାଥଙ୍କୁ ନେଇ ସେମିତି ଭାବନା ରହିଛି । ଜଗନ୍ନାଥଙ୍କୁ ନେଇ ସାରା ଭାରତବର୍ଷର ଲୋକଙ୍କ ଭିତରେ ସେମିତି ଶ୍ରଦ୍ଧା, ଭକ୍ତି ରହିଛି । ନିୟମଗିରିରେ ନିୟମରଜା ପ୍ରତି ଯେଉଁ ଭାବନା ଲୋକଙ୍କର ଅଛି ସେଇଟା ଗୋଟିଏ ପ୍ରବୃତ୍ତି । ବିଶେଷତଃ ଧର୍ମ ପ୍ରତି ଯେଉଁ ଆକର୍ଷଣ ସେଇଟା (ମଣିଷର ଗୋଟିଏ ପର୍ଯ୍ୟାୟର ଯଦିଓ ସବୁ ସମୟର ନୁହେଁ) ତା’ର ବିଭିନ୍ନ ସ୍ତର ଦେଇ ଗତିକଲାବେଳେ ଏକ ନିର୍ଦ୍ଦିଷ୍ଟ ସ୍ତରରେ ଏହି ଦେବତାମାନଙ୍କ ପ୍ରତି ପ୍ରଚଣ୍ଡଭାବରେ ଆଗ୍ରହ  ବଢ଼ିଯାଇଥିଲା । ସେଇଟା ବି ଆଜିଯାଏ ସ୍ଥାୟୀ ହୋଇ ଅନେକ ସ୍ଥାନରେ ରହିଯାଇଛି । ଡଙ୍ଗିରିଆଙ୍କର  ନିୟମରାଜାଙ୍କ ପ୍ରତି ଯେଉଁ ଆଦର, ଶ୍ରଦ୍ଧା କିମ୍ବା ସମ୍ମାନ ରହିଛି ଏଠି ବି ଜଗନ୍ନାଥଙ୍କ ପ୍ରତି ସାଧାରଣ ଜନତାର ସେମିତି ରହିଛି । କିନ୍ତୁ ସେବାୟତମାନେ ଜନତା ଠୁଁ ଭିନ୍ନ । ସେମାନଙ୍କର ଦୃଷ୍ଟିଭଙ୍ଗୀ ଭିନ୍ନ । ସେମାନଙ୍କର ଦୃଷ୍ଟିଭଙ୍ଗୀ ହେଉଛି ଜଗନ୍ନାଥଙ୍କୁ ନେଇ ସେମାନେ କେତେ ଅର୍ଥ ରୋଜଗାର କରିପାରିବେ । ମହାଭାରତରେ ଗୋଟେ ଶ୍ଳୋକ ଅଦ୍ଭୁତ ଭାବରେ ଶାନ୍ତିପର୍ବରେ ରହିଛି । ଯେଉଁଥିରେ କୁହାଯାଇଛି ଦେବପୂଜକ, ପୂରୋହିତ ଏବଂ ଜ୍ୟୋତିଷ ଏ ସମସ୍ତେ ହେଉଛନ୍ତି ଚଣ୍ଡାଳ କର୍ମବାଲା । ସେମାନଙ୍କୁ ଖୁବ୍ ଜୋରରେ ନିନ୍ଦା କରାଯାଇଛି ଏବଂ  ସଂସ୍କୃତରେ ‘ମାମଲାବାଜ’ ସହିତ ତୁଳନା କରାଯାଇଛି ଯିଏକି ଗାଁ’ରେ ଓକିଲଙ୍କ ପାଇଁ ମକଦ୍ଦମା ଯୋଗାଡ଼ କରନ୍ତି ।    ଆମର ତଥାକଥିତ ସଭ୍ୟ ସମାଜ ଭିତରେ ଦେବପୂଜକ ଯେଉଁଠି ଯେତେ ଜାଗାରେ ଅଛନ୍ତି ସବୁଠି ଉଣାଅଧିକେ ଏକ ନ୍ୟସ୍ତସ୍ୱାର୍ଥ ଗୋଷ୍ଠୀ ଗଢ଼ିଉଠିଛନ୍ତି । କିନ୍ତୁ ଆଦିମ ସମାଜ ଭିତରେ କେବଳ ଦେବତା ନୁହଁ, ଯେହେତୁ ସେ ସମାଜ ସମତାଭିତ୍ତିକ ଅନେକଟା ଗୋଷ୍ଠୀକୈନ୍ଦ୍ରିକ ସମାଜ ଆଉ ଗୋଷ୍ଠୀ ଗୋଷ୍ଠୀ ଭିତରେ ନିବିଡ଼ ସମ୍ପର୍କ ରହିଛି, ସେଠି ଏମିତି ଉତ୍କଟ ଭାବରେ ଏକ ବ୍ୟବସାୟିକ ସଂସ୍କୃତି ଗଢ଼ିଉଠିନି ।

Support Samadhwani

 

 

photo credit – https://bit.ly/2OfDyGq

Share This Article
ସର୍ବୋଦୟ କର୍ମୀ, ସମାଜ ବିଜ୍ଞାନୀ