ପରିବର୍ତ୍ତନର ଆହ୍ୱାନ

Swayamprava Parhi (Chief Editor)
6 Min Read

ସାଂସ୍କୃତିକ ବିବିଧତାର ବୈଭବ ଏବଂ ସେସବୁକୁ ଅନେକ ସଂଘର୍ଷ କରି ବଞ୍ଚାଇ ରଖି ଆସିଥିବା କଳାକାର ମାନଙ୍କୁ ଆଦର କରିବାପାଇଁ ଆଗ୍ରହ, ସହର ହେଉ କି ଗାଁ, ସବୁଠି ସଙ୍କଟ ଦେଇ ଗତି କରୁଛି। ସହରରେ ଏହି ସଙ୍କଟଟି ଅଧିକ ଜଣା ପଡୁଛି। ଚକଚକିଆ ଆଲୁଅରେ ବଡ଼ ବଡ଼ ରାସ୍ତାରେ ଗାଡ଼ି ମୋଟର କେକାଁ ଭେଭାଁ ଆବାଜ ଭିତରେ ସହରର ସବୁ ସତ ଗୁଡ଼ା ଯେମିତି ଚାପି ହେଇ ଅଣ ନିଶ୍ୱାସୀ ହୋଇପଡ଼ୁଛନ୍ତି । ସହରକୁ ନେଇ ସେହି ସତ କିଛି ଘଟଣା କହୁଛି । କିଛିଦିନ ତଳେ ଓଡ଼ିଶୀ ରିସର୍ଚ୍ଚ ସେଣ୍ଟରରେ ଗୋଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାର ଖବରପାଇ ଧାଇଁଯାଇଥିଲୁ ଦେଖିବାପାଇଁ । ଆମ ରାଜ୍ୟର ଜଣେ ସୁନାମଧନ୍ୟ ଭାଓଲିନ ବାଦକ ତଥା ସମଗ୍ର ଦେଶରେ ଚହଳ ସୃଷ୍ଟିକରିଥିବା ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଙ୍ଗୀତ କଳାକାର ପଣ୍ଡିତ କୈଳାଶ ଚନ୍ଦ୍ର ପାତ୍ର ସେଦିନ ଓଡ଼ିଶୀ ରିସର୍ଚ୍ଚ ସେଣ୍ଟରରେ ନିଜର କିଛି ଭାଓଲିନ ବାଦନ ଉପସ୍ଥାପନ କରିବାରଥିଲା । ଓଡ଼ିଶୀ ରିସର୍ଚ୍ଚ ସେଣ୍ଟର ଭିତରେ ଥିବା ଏକ ହଲରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହେଲା । ହଲରେ ଏସି ଲାଗିଛି କିନ୍ତୁ ହଲର ଆନୁସଙ୍ଗୀକ ଅବସ୍ଥା ଏତେ ଖରାପ ଥିଲା ଯେ, କେମିତି ଏତେବଡ଼ କଳାକାରଙ୍କୁ ସେଠି କାର୍ଯ୍ୟକ୍ରମ କରିବାପାଇଁ ଦିଆଗଲା ମନରେ ପ୍ରଶ୍ନ ସୃଷ୍ଟିହେଲା । କିଛି ସମୟ ପରେ ସାଉଣ୍ଡରେ ସମସ୍ୟା ଦେଖାଦେଲା । ରାଜ୍ୟରେ ଓଡ଼ିଶୀର ଗୋଟିଏ ମାତ୍ର ରିସର୍ଚ୍ଚ ସେଣ୍ଟର ସେଇଠିପୁଣି ଏମିତି ଅବ୍ୟବସ୍ଥା! ଓଡ଼ିଶୀକୁ ଶାସ୍ତ୍ରୀୟ ମାନ୍ୟତା ଦେବାକୁ ଆମେ ବେଶ ଆଗଭର କିନ୍ତୁ ଓଡ଼ିଶୀ ସଙ୍ଗୀତର ଗବେଷଣାକୁ ନେଇ ଆମେ ଏତେ ଉଦାସୀନ କାହିଁକି ? କେବଳ ଓଡ଼ିଶୀ ରିସର୍ଚ୍ଚ ସେଣ୍ଟର ଭିତରକୁ ଯାଇ ଅନୁଧ୍ୟାନ କଲେ ଓଡ଼ିଶାର ରାଜଧାନୀରେ ସଙ୍ଗୀତର କ’ଣ ସ୍ଥିତି ସେଇଟା ବେଶ ବୁଝିହେବ ।

ପଣ୍ଡିତ କୈଳାଶ ଚନ୍ଦ୍ର ପାତ୍ର ଆକାଶବାଣୀର ଜଣେ ଟପଗ୍ରେଡ଼ କଳାକାର । ଓଡ଼ିଶାର ବରପୁତ୍ର ଯିଏକି ସର୍ବଭାରତୀୟ ସ୍ତରରେ ପନ୍ଦର ଶହ ସୀତାର ସହ ଏକକ ଭାଓଲିନ ବାଦନ କରି ଓ ୬୫ ହଜାର କଳାକାର ମାନଙ୍କ ସହ ଏକକ ଭାଓଲିନ ବାଦନ କରି ନିଜ କଳାର ଶ୍ରେଷ୍ଠତ୍ୱକୁ ପ୍ରତିପାଦନ କରିଛନ୍ତି ଓ ଗିନିଜ ବୁକ ଅଫ ରେକର୍ଡରେ ତାଙ୍କ ନାମ ଦୁଇଥର ପ୍ରକାଶ ପାଇସାରିଛି। ଏହିଭଳି ଯେତେସବୁ କଳାକାର ଓଡ଼ିଶାରୁ ବାହାରି ସାଧନା କରି ଓଡ଼ିଶାକୁ ଗୌରବାନ୍ୱିତ କରିଛନ୍ତି ଓଡ଼ିଶା ସରକାର ସେମାନଙ୍କୁ ସଠିକ ସ୍ଥାନ ଓ ସମ୍ମାନ ପ୍ରଦାନ କରୁନାହାଁନ୍ତି କାହିଁକି? କାହିଁକି ବିଦୁଷୀ ସୁନନ୍ଦା ପଟ୍ଟନାୟକଙ୍କୁ ଓଡ଼ିଶାରେ ଆଜିଯାଏ ସଠିକ ସମ୍ମାନ ଦିଆଯାଇପାରିଲା ନାହିଁ?

କାହିଁକି ଏହିଭଳି ଉଚ୍ଚମାନର କଳାକାରମାନଙ୍କୁ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ତଥା ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ସହିତ ଯୋଡ଼ିବାପାଇଁ ଓ ଓଡ଼ିଶାରୁ ଅଧିକରୁ ଅଧିକ କଳାକାର ସୃଷ୍ଟିକରି ବିଶ୍ୱବ୍ୟାପି ପଠାଇବାପାଇଁ ବ୍ୟବସ୍ଥା କରାଯାଉନାହିଁ? ସେଦିନ ଭାଓଲିନ ବଜାଇବା ବେଳେ ପଣ୍ଡିତ କୈଳାଶ ଚନ୍ଦ୍ର ପାତ୍ର ଓଡ଼ିଶୀ ସଙ୍ଗୀତରେ ଭାଓଲିନର ଯେଉଁସବୁ ପ୍ରୟୋଗ ଦେଖେଇଲେ ଶ୍ରୋତା ତଟସ୍ଥ ହୋଇଗଲେ । ଓଡ଼ିଶୀର ସେହି ପୁରାତନ ଶୈଳୀ ଗୁଡ଼ିକ କେତେ ଗୁରୁତ୍ୱପୂର୍ଣ୍ଣ ଏବଂ କେତେ ନିଆରା ମହାରାଷ୍ଟ୍ରର ନାଟ୍ୟସଙ୍ଗୀତ ସହିତ ତାକୁ ତୁଳନାକରି ସେ ଦେଖାଇଥିଲେ । ସେଦିନ ଖୁବ ଗୁରୁତ୍ତ୍ୱପୂର୍ଣ୍ଣ ବିଷୟଟିଏ ସେ କହିଥିଲେ ଯେ, ଯେତେବେଳେ ଆମ ରାଜ୍ୟକୁ କେହି ବାହାର ରାଜ୍ୟର କଳାକାର ସଙ୍ଗୀତ ପରିବେଷଣ କରିବାକୁ ଆସୁଛନ୍ତି ଆପଣମାନେ କାହିଁକି ତାଙ୍କୁ ଓଡ଼ିଶୀ, ଛାନ୍ଦ, ଚମ୍ପୁ ବଜାଇବାପାଇଁ ଓ ଗାଇବାପାଇଁ ଅନୁରୋଧ କରୁନାହାଁନ୍ତି? କାହିଁକି ଓଡ଼ିଶୀ କେବଳ ଓଡ଼ିଶାର କଳାକାର ଗାଇବେ?

ପ୍ରକୃତରେ ମନରେ ବାରମ୍ବାର ପ୍ରଶ୍ନ ଆସେ କିଏ ଜଣେ କଳାକାରଙ୍କ ନାଁ କୁହନ୍ତୁ ଯିଏକି ଓଡ଼ିଶୀ ସଙ୍ଗୀତକୁ ସାରା ରାତି ଲୋକଙ୍କୁ ଶୁଣେଇବେ ଓ ଲୋକେ ପୁରା ଏକଲୟରେ ଶୁଣିଚାଲିବେ? କାହିଁକି ଆମ ଓଡ଼ିଶୀକୁ ସର୍ବଭାରତୀୟ ସ୍ତରକୁ ନେବାଭଳି ପ୍ରସ୍ତୁତି ଆମର ନାହିଁ? କିଏ ଆଜିର ଦିନରେ ଉସ୍ତାଦ ରସିଦ ଖାଁଙ୍କ ସହ ତାଳ ଦେଇ, ବିଦୁଷୀ କୌଶିକୀ ଚକ୍ରବର୍ତ୍ତୀ ତଥା ଅମଜାଦ ଅଲ୍ଲୀ ଖାଁ, ପଣ୍ଡିତ ହରିପ୍ରସାଦ ଚୌରସିଆଙ୍କ ସହ ବସି ଏକାଠି ଚର୍ଚ୍ଚା କରିପାରିବେ ଓଡ଼ିଶୀ ସଙ୍ଗୀତର ମହାନତା ସମ୍ପର୍କରେ? ଆଜି ମନରେ ପ୍ରଶ୍ନ ଆସେ ଯେ, ଓଡ଼ିଶୀ ସଙ୍ଗୀତରେ ସେହିଭଳି ଗବେଷଣା ତଥା ସେହିଭଳି ପ୍ରସ୍ତୁତି ଆମ ରାଜ୍ୟରେ କରାଯାଇଛି କି? କେବଳ ଶାସ୍ତ୍ରୀୟ ଘୋଷଣା କରିଦେଲେ କେହିବି ଶାସ୍ତ୍ରୀୟ ବୋଲି ଗ୍ରହଣ କରିବେ ନାହିଁ ।

Samadhwani Support us

ଯଦି ଆପଣଙ୍କ ପାଖରେ ସେହିଭଳି ଉଚ୍ଚମାନର ସଙ୍ଗୀତ ରହିଛି ଏହାକୁ ଘସିମାଜି ପ୍ରସ୍ତୁତ କରିବା କାହାର ଦାୟିତ୍ୱ? କେଉଁମାନେ ସେ ଗୁରୁ ଯିଏକି ଶିକ୍ଷାର୍ଥୀମାନଙ୍କୁ ସର୍ବଭାରତୀୟ ସ୍ତରରେ ପ୍ରଦର୍ଶନ କରାଇବାପାଇଁ ତିଆରି କରିବେ? କେଉଁଠି ଏହିସବୁ ଶିକ୍ଷା ପ୍ରଦାନ କରାଯିବ? ରାଜ୍ୟ ସରକାର ଓଡ଼ିଶୀ ସଙ୍ଗୀତକୁ ଯଦି ଏତେ ଗୁରୁତ୍ତ୍ୱ ଦେଉଛନ୍ତି ବୋଲି ଆମେ କହୁଛନ୍ତି କାର୍ଯ୍ୟକ୍ଷେତ୍ରରେ ଏହାର ପ୍ରତିଫଳନ ହୋବା ଜରୁରୀ ନୁହେଁ କି ? ଉପରଠାଉରିଆ ସଙ୍ଗୀତ କାର୍ଯ୍ୟକ୍ରମ କରି ଆମେ ସମଗ୍ର ଦେଶ ସହିତ ପ୍ରତିଯୋଗୀତା କରିପାରିବା ନାହିଁ । ଏଥିପାଇଁ ଗଭୀର ଚର୍ଚ୍ଚା ଆଲୋଚନା, କର୍ମଶାଳା ଆରମ୍ଭ ହେବା ଜରୁରୀ । ସମଗ୍ର ରାଜ୍ୟରେ ବିଭିନ୍ନ ପ୍ରାନ୍ତରରେ ଓଡ଼ିଶୀ ଗବେଷଣା କେନ୍ଦ୍ର ଅତି କମରେ ୫ଟି ଯିବା ଦରକାର ।

ସଙ୍ଗୀତର ସ୍ଥିତି ଓ ଆଜିର ସମୟର ଆହ୍ୱାନକୁ ନେଇ ଏଭଳି କିଛି ପ୍ରଶ୍ନ ମନକୁ ଆନ୍ଦୋଳିତ କରିବାରୁ ସେ ସମ୍ପର୍କରେ ପାଠକମାନଙ୍କୁ ଅବଗତ କରାଇବା ଉଚିତ ମନେକଲି । ଆମର ଉଦ୍ଦେଶ୍ୟ ନୁହଁ କେବଳ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମକୁ ସମାଲୋଚନା କରିବା ବା ପ୍ରଶଂସା କରିବା । ରାଜ୍ୟ ସରକାର କିଛି ପଦକ୍ଷେପ ନେଇଛନ୍ତି ରାଜ୍ୟର ସାଂସ୍କୃତିକ ବିକାଶ ପାଇଁ ଏକଥା ସତ କିନ୍ତୁ ସମଗ୍ର ରାଜ୍ୟରେ ଏକ ପରିବର୍ତ୍ତନ ଆଣିବାପରି ଆହ୍ୱାନକୁ ଏଯାଏ ଗ୍ରହଣ କରିନାହାଁନ୍ତି ।

ଖାଲି କିଛି ସାଂସ୍କୃତିକ କର୍ଯ୍ୟକ୍ରମ ଅନୁଷ୍ଠିତ କରି ସଂସ୍କୃତି ବିଭାଗର ମଙ୍ଗ ଧରିଥିବା ବ୍ୟକ୍ତିମାନେ ବାହାବା ନେବାର ଯେଉଁ ପ୍ରକ୍ରିୟା ଚାଲିଛି ସେଥିରେ ପ୍ରକୃତରେ ବିଶେଷ କଛି ହେବନାହିଁ । ରାଜ୍ୟବାସୀଙ୍କ ଭିତରେ ସାଂସ୍କୃତିକ ଚେତନାର ଜାଗରଣ ପାଇଁ କିଛି ଧାରାବାହିକ କାର୍ଯ୍ୟ କରାଯିବା ଜରୁରୀ । ସେହିଭଳି କିଛି ଚିନ୍ତା ଭିତରୁ ଏଠାରେ ଏକ ପ୍ରସ୍ତାବ ରାଜ୍ୟ ସରକାରଙ୍କ ଉଦେଶ୍ୟରେ ଉପସ୍ଥାପନ କରୁଛୁ ।

ଏକ ଶୃଙ୍ଖଳିତ ଓ ସଂସ୍କୃତି ସମ୍ପର୍ଣ୍ଣ ରାଜ୍ୟ ଗଠନ କରିବାପାଇଁ ପ୍ରତ୍ୟେକ ପିଲାଙ୍କୁ ବିଦ୍ୟାଳୟ ଯିବା ବୟସରେ ସଙ୍ଗୀତ ଶିକ୍ଷା ବାଧ୍ୟତାମୂଳକ କରିବା, ପ୍ରତ୍ୟେକ ବିଦ୍ୟାଳୟରେ ସଙ୍ଗୀତ ଶିକ୍ଷକ ନିଯୁକ୍ତି ଦେବା ଅତିକମରେ ଦ୍ୱାଦଶ ଶ୍ରେଣୀ ଯାଏ ଜରୁରୀ । ଗୋଟିଏ କଥା ବୁଝିହୁଏନି ଯେ, ଗୋଟିଏ ଇଂରାଜୀମାଧ୍ୟମ ବିଦ୍ୟାଳୟରେ ଚିତ୍ରକଳା, ସଙ୍ଗୀତ, ସାଂସ୍କୃତିକ କାର୍ଯ୍ୟକ୍ରମ ସଙ୍ଗଠିତ କରାଯିବା କଥାଟିକୁ ସମସ୍ତେ ବେଶ ପସନ୍ଦ କରନ୍ତି କିନ୍ତୁ ସରକାରୀ ସ୍କୁଲରେ ଏଭଳି ସଙ୍ଗୀତ ନାଟକ କରିବାର ପ୍ରକ୍ରିୟାକୁ ସମ୍ପୁର୍ଣ୍ଣ ବନ୍ଦ କରିବା କଥାଟି କେବେଠୁ ଆରମ୍ଭ ହେଲା ଆମେ କେହି କେମିତି ଜାଣିପାରିଲେ ନାହିଁ?

ଅତି ସାଧାରଣ ଲୋକଙ୍କ ପିଲାଏ ଯେଉଁ ସ୍କୁଲରେ ପଢ଼ନ୍ତି ସେମାନଙ୍କର ବୌଦ୍ଧିକ ଓ ସାଂସ୍କୃତିକ ବିକାଶ ନହେଲେ ରାଜ୍ୟର ବିକାଶ ସମ୍ଭବ କେମିତି ହେବ? ଆମେ ବାରମ୍ବାର ଭୂଲିଯାଉ ଯେ, ରାଜ୍ୟର କଳା ସଂସ୍କୃତିକୁ ସବୁବେଳେ ସେଇ ସାଧାରଣ ଲୋକମାନେ ହିଁ ଧରି ରଖିଥାନ୍ତି । ସେହି ସାଧାରଣ ଲୋକଙ୍କୁ ଆମ ତାଲିକା ଭିତରକୁ ଆଣିବା ବଦଳରେ ଆମେ ସବୁବେଳେ ସେମାନଙ୍କୁ ଅଣଦେଖା କରିଥାଉ ବା ସେମାନଙ୍କପାଇଁ କିଛି କରାଯିବା ଜରୁରୀ ବୋଲି ଗ୍ରହଣ କରିପାରୁ ନାହିଁ । ସଙ୍ଗୀତରେ ପ୍ରବେଶ କରୁଥିବା ଅଧିକାଂଶ ଶିକ୍ଷାର୍ଥୀ ହେଉଛନ୍ତି ଏହି ସାଧାରଣ ପରିବାରର । ପିଲାଟି ଦିନରୁ ଯଦି ଆମେ ସେମାନଙ୍କୁ ସଙ୍ଗୀତ ଶିକ୍ଷା ଦେବାପାଇଁ ସୁଯୋଗ ସୃଷ୍ଟିକରିପାରିବା ଭବିଷ୍ୟତରେ ସେମାନଙ୍କ ଭିତରୁ ଖୁବ ଭଲ କଳାକାରମାନେ ବାହାରିବେ ଓ ସେଇମାନେ ହିଁ ଓଡ଼ିଶାର ସଂସ୍କୃତିକୁ ଆଗେଇ ନେବାପାଇଁ ଅଣ୍ଟା ଭିଡ଼ିବେ । ଏଭଳି କିଛି ପଦକ୍ଷେପ ନିଶ୍ଚୟ ଆମ ପାଇଁ ଓ ସରକାରଙ୍କ ପାଇଁ ଏକ ଆହ୍ୱାନ।

Share This Article
Editor-in-Chief, Samadhwani | Cultural Journalist || Vocal Artist | Leading the Student-Led “Village Biography/ Village History Documentation" Initiative in Odisha.