ଆଦିବାସୀ ଓ ଜଗନ୍ନାଥ ଚେତନା

Swayamprava Parhi (Chief Editor)
5 Min Read

ବିଶ୍ୱକବି ରବିନ୍ଦ୍ରନାଥ ଠାକୁର ଗୀତାଞ୍ଜଳୀର ଏକ କବିତା ପଂକ୍ତିରେ କହିଥିଲେ;

“ନିଜପାଶେ ଯାଇ ନିଜେ ପହଞ୍ଚିବା ସବୁଠାରୁ ବେଶୀ ଦୂର

ବଡ଼ କଠିନ ସେ ଗୀତର ସାଧନା ସହଜ ଯାହାର ସୁର”

ପ୍ରକୃତି ଯିଏ ବିଶ୍ୱ ବ୍ରହ୍ମାଣ୍ଡର ସୃଷ୍ଟିକର୍ତ୍ତା ତା’ ନିକଟରେ ପ୍ରତ୍ୟେକଟି ଜୀବସତ୍ତା ସମାନ । ଆମ ପୃଥିବୀ ପରି ଅନେକ ଜୀବସତ୍ତାଧାରୀ ଗ୍ରହ ଏ ବିଶ୍ୱ ବ୍ରହ୍ମାଣ୍ଡରେ ହୁଏତ ଥାଇପାରନ୍ତି, ସେଠିବି ଅନେକ କଥା ପ୍ରତି ମୁହୂର୍ତ୍ତରେ ଘଟୁଥିବ । କଳ୍ପନା କଲେ ସବୁକିଛି ନିମିତ୍ତ ମନେହୁଏ । ମଣିଷ କିନ୍ତୁ ସୃଷ୍ଟିର ଏହି ବିଚିତ୍ର କ୍ରିୟା ପ୍ରକ୍ରିୟାକୁ ବୁଝିବାରେ ଏଯାଏ ଅସଫଳ ରହିଛି । ଅତି ନିକଟରେ ଦେଖୁଥିବା ଘଟଣାଗୁଡ଼ିକ ଯେ ମହାଜାଗତିକ ପ୍ରକ୍ରିୟାର ଏକ ଏକ ଅଂଶ ଏକଥା ବୁଝିବି ଅବୁଝା ରହିଯାଉଛି ଓ ଏହା ସ୍ୱାଭାବିକ ମଧ୍ୟ । ଯାହା ପ୍ରକୃତି ଦତ୍ତ ବା ପ୍ରକୃତିର ଦାନ ତା ସହିତ ସମଗ୍ର ଜୀବଜଗତ ଯୋଡ଼ିହୋଇ ରହିଛି ଏବଂ ପରସ୍ପରର ସହଯୋଗରେ ଏହି ପ୍ରକ୍ରିୟା ଅତି ସରଳ ଭାବରେ ବଞ୍ଚି ରହିଛି । ଏତେବଡ଼ ଏଇ ବିଶ୍ୱ ବ୍ରହ୍ମାଣ୍ଡରେ ପ୍ରକୃତିର ଏହି କ୍ରିୟା ପ୍ରକ୍ରିୟାକୁ ବୁଝିବା ଦୂରର କଥା ମଣିଷ ନିଜକୁ ଓ ନିଜ ଭିତରର ଶକ୍ତିକୁ ଚିହ୍ନିବାର ପ୍ରୟାସ କରିପାରିନି ।

Samadhwani Support us

ରବିନ୍ଦ୍ରନାଥ ଠାକୁରଙ୍କ ଭାଷାରେ ତାହାହିଁ ସବୁଠାରୁ କଠିନ କାର୍ଯ୍ୟ । ଅନ୍ୟପଟେ ଅସମ୍ଭବକୁ ସମ୍ଭବ କରିବାକୁ ଯାଇ ସ୍ୱାର୍ଥନ୍ଧ ମଣିଷ ଲାଭ ଓ ଲୋଭର ବଶବର୍ତ୍ତି ହୋଇଛି । ଜ୍ଞାନର ପରାକାଷ୍ଠା ଦେଖାଇ ପ୍ରକୃତି ବିରୁଦ୍ଧାଚରଣ କଲାଭଳି ଅନେକ କାମ କରୁଛି । ଏଇ ମଣିଷମାନଙ୍କ ଭିତରେବି କିଛି ଚେତନଶୀଳ ମଣିଷ ଅଛନ୍ତି ଯେଉଁମାନଙ୍କ ଭିତରେ ପ୍ରକୃତି ଚେତନା ଓ ପ୍ରକୃତି ପ୍ରେମ ଭରିରହିଛି । ସମସ୍ତ ପ୍ରକାରର ସାମାଜିକ ଦ୍ୱନ୍ଦ୍ୱର ଊର୍ଦ୍ଧକୁ ଏମାନେ ଯାଇପାରିଛନ୍ତି ଓ ପ୍ରତ୍ୟେକ ଜୀବସତ୍ତାକୁ ପ୍ରକୃତିର ଏକ ପରିପ୍ରକାଶ ଭାବରେ ସେମାନେ ଗ୍ରହଣ କରିଛନ୍ତି । ହୁଏତ ଏହି ସରଳ ମଣିଷମାନଙ୍କର ଚେତନାଟିକୁ ଆମ ସମାଜ ବୁଝିବାରେ ବିଳମ୍ବ କରୁଛି । ସେହି ମଣିଷମାନଙ୍କୁ କିଏ ‘ଆଦିମ ଜନଜାତି’ କହିବାବେଳେ କିଏ କହୁଛି ‘ଆଦିବାସୀ’ ।

ଜଙ୍ଗଲ,  ଗଛପତ୍ର, ଝରଣା, ଡଙ୍ଗର ହେଉଛି ତା’ର କର୍ମକ୍ଷେତ୍ର । ନିଜର ସମ୍ବଳ ବଢ଼ାଇବା ବା ପ୍ରାଚୁର୍ଯ୍ୟ ଭିତରେ ନିଜ ଜୀବନ କଟାଇବା ବା ସମ୍ପତ୍ତି ଠୁଳକରି ଶକ୍ତିଶାଳୀ ହୋଇ ନିରୀହମାନଙ୍କ ଉପରେ ଅତ୍ୟାଚାର କରିବାର ବିଚାର କେବେ ସେମାନଙ୍କ ମନକୁ କବଳିତ କରିପାରିନି । ଏକାଠି କାମ କରିବା ଓ ଏକାଠି ମିଳିମିଶି ବଞ୍ଚିବାର ଚେତନା ସେମାନଙ୍କର ଗୋଷ୍ଠି ଜୀବନରେ ପ୍ରତିଫଳିତ ହୋଇଆସିଛି । ପ୍ରଫେସର ସ୍ୱାଧୀନାନନ୍ଦ ପଟ୍ଟନାୟକଙ୍କ ସହିତ ଏ ସମ୍ପର୍କରେ କିଛି ବାର୍ତ୍ତାଳାପ କରିବା ସମୟରେ ସେ କହିଥିଲେ ଯେ ‘ନାଗା’ ଅଞ୍ଚଳରେ ଆଜିବି ସେହିଭଳି କିଛି ଜୀବନଶୈଳୀର ପ୍ରତିଫଳନ ଦେଖାଯାଏ । ଜାତି, ଧର୍ମ, ପର ଆପଣାର, ଧନୀ ଗରିବର ବିଭାଜନ ଆଦିବାସୀ ସଂସ୍କୃତିକୁ ବିଭ୍ରାନ୍ତ କରିପାରିନି ।

ବେଳେ ବେଳେ ମନେହୁଏ ବିଶ୍ୱ କବିଙ୍କର ସେହି ଉକ୍ତିଟି ସତରେ ଏମାନଙ୍କ ପାଇଁ କେତେ ପ୍ରାସଙ୍ଗିକ । ସରଳ ମଣିଷ…ଚାକଚକ୍ୟ କ’ଣ ଜଣାନାହିଁ…ଆଧୁନିକତାକୁ ବୁଝିନି…ହେଲେ ନିଜ ଲୋକମାନଙ୍କର ସୁଃଖ ଦୁଃଖ, ଭଲ ମନ୍ଦରେ ଏତେ ସହାନୁଭୂତି କେମିତି? ତାହା ପୁଣି କେବଳ ନିଜ ଲୋକମାନଙ୍କ ପାଇଁ ନୁହେଁ ସମସ୍ତ ଜୀବଜଗତ ପାଇଁ । କୋଇଲିର କୁହୁତାନ ଠାରୁ ଆରମ୍ଭ କରି ଝରଣାର କୁଳୁ କୁଳୁ ଶବ୍ଦ, ମିଠାମିଠା ଫଳରେ ଭରା ଜଙ୍ଗଲଠାରୁ ଆରମ୍ଭ କରି ଅଙ୍କାବଙ୍କା ମାଟିର ଚଲାପଥ ସବୁ ଯେମିତି ତା ଜୀବନର ଏକ ଏକ ଅଙ୍ଗ । ସେ ନିଜକୁ ଏମାନଙ୍କ ଠାରୁ ଅଲଗା ଦେଖିପାରେନି । ମନେପଡ଼େ ନିୟମ ଡଙ୍ଗରରେ ପୂଜା କରୁଥିବା ସେହି ପୂଜାରୀଙ୍କ କଥା(ଜନମତ ବୃତ୍ତଚିତ୍ରରେ ପ୍ରଦର୍ଶୀତ) ଯିଏ ପୂଜା ଭିତରେ ମାଗୁଥିଲେ, “ହେ ନିୟମରଜା ମୋତେ କିଛି ଲୋଡ଼ାନାହିଁ…ଏ ପ୍ରକୃତି, ଝରଣା, ଡଙ୍ଗର, ପାହାଡ଼କୁ ବଞ୍ଚାଇ ରଖ…ସେମାନେ ବଞ୍ôଚଲେ ଆମେ ବଞ୍ôଚବୁ…ତୁ ଯଦି ରୁଷ୍ଠ ହେବୁ ତେବେ ଆମେ ସମସ୍ତେ ଧ୍ୱଂସ ହୋଇଯିବୁ…ତୋର କୃପା ଆମ ଉପରେ ରଖିଥିବୁ ।” କେତେ ଚେତନଶୀଳ, କେତେ ପରିପକ୍ୱ ମଣିଷ ସେମାନେ । ସମଗ୍ର ପୃଥିବୀରେ ଯେତେସବୁ ଜନଜାତି ଅଛନ୍ତି ସମସ୍ତଙ୍କ ନିକଟରେ ଏଇ ପ୍ରକୃତି ଚେତନା ଓ ବିଶ୍ୱ ପ୍ରେମ ଭରିରହିଛି ।

ସେମାନଙ୍କର ଚେତନାର କେନ୍ଦ୍ରବିନ୍ଦୁ ପ୍ରକୃତି । ଏଥିପାଇଁ ସେ ଆଧୁନିକ ମଣିଷର ପ୍ରକୃତିବିରୋଧି ସମସ୍ତ କାର୍ଯ୍ୟକଳାପକୁ ତୀବ୍ର ପ୍ରତିବାଦ କରୁଛନ୍ତି। ସମଗ୍ର ବିଶ୍ୱରେ ଯେଉଁଠି ବି ପ୍ରକୃତି ଉପରେ ଅତ୍ୟାଚାର ହେଉଛି ଏହି ମଣିଷମାନେ ଜୀବନ ଦେଇ ତା’ର ସୁରକ୍ଷାପାଇଁ ଲଢ଼େଇ ଜାରିରଖିଛନ୍ତି । କାରଣ ସେମାନେ ବୁଝିଛନ୍ତି ଏ ଜୀବଜଗତ ବଞ୍ôଚରହିବାର ଏକମାତ୍ର ଆଧାର ହେଉଛି ପ୍ରକୃତି । ସେମାନଙ୍କୁ ଜଣାନାହିଁ ସେମାନଙ୍କ କଥାଟିକୁ ଆମ ସମାଜ କେତେ ବୁଝିପାରୁଛି ବା ଗ୍ରହଣ କରୁଛି କିନ୍ତୁ ନିଜର ଅଙ୍ଗୀକାରବଦ୍ଧତାକୁ ଶେଷପର୍ଯ୍ୟନ୍ତ ସେମାନେ ପ୍ରମାଣିତ କରିଚାଲିଛନ୍ତି ।

ଜଗନ୍ନାଥ ସଂସ୍କୃତି ଏହିଭଳି ଏକ ମହାନ ଚେତନାର ବାର୍ତ୍ତା ବହନ କରେ ବୋଲି ଆମେ ସବୁବେଳେ ଯୁକ୍ତି କରିଆସିଛିୁ କିନ୍ତୁ ଜଗନ୍ନାଥ ସଂସ୍କୃତିର ଦାୟାଦମାନେ ସରଳ ଆଦିବାସୀର ଏହି ପ୍ରକୃତି ଚେତନାକୁ କେବେବି ଆପଣେଇ ପାରିନାହାଁନ୍ତି । ଜଗନ୍ନାଥ କେବଳ ନିମିତ୍ତମାତ୍ର ହୋଇ ରହିଯାଇଛନ୍ତି ବଡ଼ବାଡ଼ିଆଙ୍କର ରହସ୍ୟ ଭିତରେ । ଜଗନ୍ନାଥ ଦର୍ଶନର ପ୍ରକୃତ ଚେତନା (ଯାହା ଓଡ଼ିଆ ଜାତିର ଦର୍ଶନ ବୋଲି ଆମେ କହିଆସିଛୁ) ଆଜିର ସମୟରେ ଖୋଜି ପାଇବା ହୁଏତ କଷ୍ଟକର ।

ବାରମ୍ବାର ମନରେ ପ୍ରଶ୍ନଆସେ ଜଗନ୍ନାଥ ସଂସ୍କୃତିର ମୂଳମନ୍ତ୍ରଟି ଆଦିବାସୀମାନଙ୍କର ବୋଲି କୁହାଯାଉଥିବା ବେଳେ ଆଦିବାସୀର ଏହି ପ୍ରକୃତି ଚେତନା ଆମକୁ ପ୍ରଭାବିତ କରିପାରିନି କାହିଁକି? ଆମେ ଯେମିତି ମଣିଷ ସିଏ ବି ସେମିତି ମଣିଷ, ତେବେ ଫରକ ରହିଗଲା କେଉଁଠି? ପ୍ରଶ୍ନ ଭିତରେ ହିଁ ଉତ୍ତରଟି ଲୁଚିରହିଛି ।

ହୁଏତ ପ୍ରକୃତିର କୋଳରେ, ପ୍ରକୃତି ସହିତ ଯୋଡ଼ିହୋଇ ରହିଥିବା ସେହି ମଣିଷମାନେ ପ୍ରକୃତି ଦ୍ୱାରା ପ୍ରଭାବିତ, ପ୍ରକୃତି ଦ୍ୱାରା ଅନୁପ୍ରେରିତ । ସେମାନେ ଜାଣନ୍ତି ସମସ୍ତେ ଏକ, ସମସ୍ତେ ସେଇ ପ୍ରକୃତିର ଅଂଶ ଯେଉଁଠି ଗୋଟିଏ ବିନା ଅନ୍ୟଟି ବଞ୍ଚିରହିବା ସମ୍ଭବ ନୁହେଁ । ସେମାନଙ୍କ ଦର୍ଶନ ଏହିଭଳି ମହାନ ଦର୍ଶନ ଯେଉଁ ଦର୍ଶନ ନିଜ ଭିତରେ ବିଶ୍ୱକୁ ଏବଂ ସମଗ୍ର ବିଶ୍ୱରେ ନିଜର ଅସ୍ତିତ୍ୱକୁ ଖୋଜିଥାଏ ।

ଜଗନ୍ନାଥ ସଂସ୍କୃତିକୁ ଭଲ ପାଉଥିବା ମଣିଷମାନେ ଜଗନ୍ନାଥ ଦର୍ଶନର ଏହି କଥାଟିକୁ ଆପଣେଇ ନେଲେ ହୁଏତ ଧ୍ୱଂସମୁଖି ବିଶ୍ୱକୁ ବଞ୍ଚାଇ ରଖିବାର ମାର୍ଗ ମିଳିଯିବ। ସେଇ ଚେତନାର ଜାଗ୍ରତ ଆଜି ସମଗ୍ର ଜୀବ ଜଗତ ବଂଚି ରହିବାର ଏକମାତ୍ର ସମ୍ଭାବନାର ସୂଚକ ହୋଇଛି।

Share This Article
ସ୍ଵୟଂପ୍ରଭା ପାଢ଼ୀ, ମୁଖ୍ୟ ସମ୍ପାଦକ, ସମଧ୍ୱନି | ସଂସ୍କୃତି ସାମ୍ବାଦିକ | କଣ୍ଠଶିଳ୍ପୀ | ଛାତ୍ରଛାତ୍ରୀଙ୍କ ସହଯୋଗରେ ଓଡ଼ିଶାରେ ଚାଲିଥିବା ଗାଁ'ର ଜୀବନୀ ବା ଗାଁ ଇତିହାସ ଲିପିବଦ୍ଧ କରିବା ଆନ୍ଦୋଳନର ନେତୃତ୍ଵ ନେଉଛନ୍ତି / Editor-in-Chief, Samadhwani | Cultural Journalist & Vocal Artist | Leading the Student-Led “Village Biography/ Village History Documentation" Movement in Odisha She has been working closely with noted organic farmer Sri Natabar Sarangi since 2008 in the Narisho/Niali areas and documenting his childhood memories, life experiences and food history of coastal Odisha.