(ଫୋଟୋ କ୍ରେଡିଟ – ପୁରୁଷୋତ୍ତମ ସିଂ ଠାକୁର)
ମୋ ପାଇଁ ଅପେକ୍ଷା କର , ଏହା ଥିଲା ତୁମର ଅଙ୍ଗରେଜି ମିଡ଼ିଅମ ଫିଲ୍ମର ପ୍ରମୋସନ ବେଳର ଶେଷ ବାକ୍ୟ । ଅପେକ୍ଷା କରିବାକୁ କହୁଥିଲ ସେଦିନ କ’ଣ ତମର ଶେଷ ସମୟକୁ ? ସେ ସମୟଟା ଆଜି ଆସିଯାଇଛି ଇରଫାନ । ତମେ ଚାଲିଯାଇଛ କିନ୍ତୁ ଅପେକ୍ଷା ଶେଷ ହୋଇନି । ଏବେ କାହାକୁ ଅପେକ୍ଷା ଜଣାନାହିଁ । ମନ ହୃଦୟ ଭାରି ଭାରି ଲାଗୁଛି । ଏଯାଏ ତମ ମୃତ୍ୟୁକୁ ଗ୍ରହଣ କରିବାର ସାହସ ନିଜ ଭିତରେ ଏକାଠି କରି ହେଉନି । ପ୍ରତେକ ଦିନ ଏ ଧାରା ପୃଷ୍ଠାରେ କେହିନା କେହି ମୃତ୍ୟୁବରଣ କରୁଛନ୍ତି , ହେଲେ ତମେ ଏମିତି କେଉଁ ଭାବର ଦୁନିଆଟେ ଗଢ଼ିଛ କେଜାଣି ତମ ମୃତ୍ୟୁ ଆଜି ନୁହଁ କେବେବି ଗ୍ରହଣ କରି ହେବନି ।
କଳାର ମୃତ୍ୟୁ ନାହିଁ ତାହା ତ ବୁଝିହୁଏ ହେଲେ ତୁମଭଳି କଳାକାରର ମୃତ୍ୟୁ ଅସମ୍ଭବ ତମେ ହୃଦୟ ଭିତରେ, ଗଭୀର ମନରେ ବାରମ୍ବାର ନିଜର ଚେହେରାଟି ଆଙ୍କି ଦେଇ ପ୍ରମାଣିତ କରିଛ । ଜଣେ କଳାକାର ଯାହାଙ୍କ ପାଇଁ ଭାଷାବି କମ ପଡ଼ିଯାଏ ସେହିଭଳି ଅଦ୍ୱିତୀୟ କଳାକାର ତମେ । ଖୁବ କମ ଦିନ ତଳର ଇଂରାଜୀ ମିଡ଼ିଅମ ଚଳଚିତ୍ରରେ ତୁମର ଅଭିନୟର ଯାଦୁ ଯିଏ ଦେଖିଛି ସେ ବୋଧହୁଏ ସିନେମା ଦେଖିବାକୁ ଆଉ ପସନ୍ଦ କରିବନି ତୁମ ଚେହରା ବିନା । ବ୍ୟଙ୍ଗ କରିବାର ଅନ୍ଦାଜ ହୁଏତ ତୁମ ଭିତରେ ଏକ ନିଆରା ଢଙ୍ଗରେ ଭରି ରହିଥିଲା । ଅନୁପମା ଚୋପ୍ରାଙ୍କ ସହ ଏକ ସାକ୍ଷାତକାରରେ ସେଦିନ କ୍ୟାମେରା ପଛରେ କହିଥିଲ ଯେ , ” ତମେ ଯଦି ଜଣେ ଭଲ ମଣିଷ ନୁହଁ ତେବେ ତମେ କେବେବି ଜଣେ କଳାକାର ହୋଇପାରିବ ନାହିଁ”, ଯଦିଓ ଏହା ମିଥ୍ୟା ବୋଲି ହାସ୍ୟ ଭଙ୍ଗୀରେ ପ୍ରକାଶ କରିଥିଲ ।
ପ୍ରକୃତରେ ଇରଫାନ ତମେ ଜଣେ ଖୁବ ଭଲ ମଣିଷ ସେଥିପାଇଁ ଜଣେ ଅଦ୍ୱିତୀୟ କଳାକାର । ତମ କଥା ଓ କଳା ଭିତରେ ଥିବା ସମାନତା ଓ ମାନବିକତାର ପରିପ୍ରକାଶ ଥିଲା ତୁମ ଭିତରର ପ୍ରକୃତ କଳାକାରୀତା । ତୁମେ ବାରମ୍ବାର କହୁଥିଲନା ସବୁ କାମରେ ତୁମେ ଖୁବ ଶୀଘ୍ର ବୋର ହୋଇଯାଅ, ସେଥିପାଇଁ ତମେ ଫିଲ୍ମ କରି ନିଜକୁ ଉଦ୍ଜୀବିତ କରି ରଖ। ତୁମର ହୁଏତ ଧାରଣା ନାହିଁ ତୁମ ଫିଲ୍ମ କେତେ ମଣିଷଙ୍କୁ ଜୀବନ୍ତ କରି ବଞ୍ଚାଇରଖେ । ତମେ ସବୁବେଳେ କୁହ ମୁଁ ଯାହା ମୋତେ ଲୋକ ସେହିଭଳି ବୁଝନ୍ତୁ ସେହିଭଳି ଗ୍ରହଣ କରନ୍ତୁ ହେଲେ କେହି ତୁମକୁ ବୁଝି ପାରନ୍ତି ନାହିଁ ବୋଲି ତମର ଦୁଃଖ ଥିଲା ।
ସତରେ ତମକୁ ବୁଝିବା ପାଇଁ ଯେଉଁ ମାନସିକତାର ଓ ଯେଉଁ ଗୁଣବତ୍ତା ଦରକାର ହୁଏତ ଆମ ଫିଲ୍ମ ଇଣ୍ଡଷ୍ଟ୍ରି ସେହି ଚେତନାରେ ପହଂଚିବା ପାଇଁ ଅନେକ ଦୂର ବାକି ଅଛି। ସେଥିପାଇଁ ତ ଯୁବକ ସମୟରେ ତୁମ କଳାର ଉତ୍କର୍ଷତା ଯାହା ହିନ୍ଦୀ ଫିଲ୍ମ ଦୁନିଆକୁ ଆଉ ଏକ ସ୍ତରକୁ ନେଇଯାଇଥାନ୍ତା ଆମେ ଦେଖିବାରୁ ବଂଚିତ ହୋଇଛୁ । ଆମ ଫିଲ୍ମ ଦୁନିଆର ଏହି ଅପାରଗ ପଣିଆ ପାଇଁ ତମେ ବାରମ୍ବାର ବିଚଳିତ ହେଉଥିଲା ନା ? ତୁମର ଅନ୍ତଃରେ ଆଜି ଫିଲ୍ମ ଦୁନିଆର ସେହି ଅପାରଗ ପଣିଆକୁ ଧିକ୍କାର କରିବାକୁ ମନ କହୁଛି।
ତୁମକୁ ଜାଣିବା ପାଇଁ ତୁମର ଏକ ଚିଠି ଯାହା ତମେ ଲେଖିଥିଲ ଉର୍ଦ୍ଦୁ ଭାଷାର ଜଣେ ବଡ ସାହିତ୍ୟିକ ‘ସମସୁର ରେହେମାନ ଫରିକି ସାହାବ’ଙ୍କୁ 2013 ମସିହାରେ ସେଥିରୁ କିଛି କଥା କହିବି । ଚିଠିରେ ତମେ ଲେଖିଲ ସିନେମା କରିବା ଭିତରେ କାହାଣୀ ସହ ତମର ସମ୍ପର୍କ ସବୁବେଳେ ରହି ଆସିଛି । ଦର୍ଶକଙ୍କ ସହ ନିଜକୁ ବାଣ୍ଟିବାପାଇଁ କାହାଣୀ ଠାରୁ ଭଲ ଜାଗା କିଛି ନାହିଁ । କାହାଣୀ ତମ ଭିତରର ଅଂଶ ହୋଇଯାଆନ୍ତି ଓ ତମ ସହ ରୁହନ୍ତି । କାହାଣୀ ଗୁଡିକ ତମ ସହ ମାସ ମାସ ବର୍ଷ ବର୍ଷ ଧରି କଥା ହୁଅନ୍ତି । କାହାଣୀ ଯେଉଁଗୁଡିକ ଜୀବନର ନୂତନ ଦିଗ ବିଷୟରେ କୁହନ୍ତି ତୁମକୁ ରାସ୍ତା ଦେଖନ୍ତି। ତୁମର ଏମିତି କିଛି ଫିଲ୍ମ ଅଛି ଯାହାର କାହାଣୀ ସହ ଖୁବ ନିବିଡ ସମ୍ପର୍କ ରହିଛି । ସେକ୍ସପିଅରଙ୍କ ମେକବେଥ କାହାଣୀରୁ ବିଶାଳ ଭରଦ୍ୱାଜଙ୍କ ଫିଲ୍ମ ମକବୁଲ, ଝୁମ୍ପା ଲାହିରଙ୍କ ଗଳ୍ପ , ‘ଦ ନେମ ସେକ’ ଯାହାକୁ ମୀରା ନାୟର ନିର୍ଦ୍ଦେଶନା ଦେଇଥିଲେ, ଦ ଲାଇଫ ଅଫ ପାଏ, ୟାନ ମାର୍ଟେଲଙ୍କ ଏହି ସୃଷ୍ଟି ଯେଉଁଥିରେ ସମୁଦ୍ର ଭିତରେ ଗୋଟେ ଏକୁଟିଆ ଲୋକ ବାଘ ସହ କେତେମାସ ଧରି ଏକୁଟିଆ ରହୁଥାଏ । ସେଥିରେ ଗୋଟିଏ ଦର୍ଶନ ତମେ ପାଇଥିଲା ଜୀବ ଜନ୍ତୁ କେମିତି ଏକାଠି ରହିପାରୁଛନ୍ତି ଓ ପରସ୍ପରକୁ ଭରସା କରିପାରୁଛନ୍ତି ।
କୁହାଯାଏ ପୁସ୍ତକକୁ ତୁମେ ଖୋଜନି ପୁସ୍ତକ ତୁମକୁ ଖୋଜିନିଏ । ତୁମକୁ ଲାଗୁଥିଲା ସମସୁର ରେହେମାନ ଫରିକି ସାହାବଙ୍କ ପୁସ୍ତକ ତୁମକୁ ଖୋଜି ନେଇଥିଲା । ତୁମେ ତାଙ୍କ ପୁସ୍ତକ ପଢିବା ପରେ ସ୍ଥମ୍ବିଭୁତ ହୋଇଥିଲ। ଲେଖାର ଗଭୀରତାକୁ ମାପୁଥିଲ । ଯେବେଠାରୁ ତାଙ୍କ ବହିଟି ପଢିଥିଲ ତୁମ ମନରେ ସେ ବହି ବସି ରହିଥିଲା ବୋଲି କହୁଥିଲ। ତୁମକୁ ଲାଗୁଥିଲା ସେ ବହି ତୁମକୁ ବାନ୍ଧି ରଖିଛି । ତମର ଏହିସବୁ ଚେତନା ତୁମକୁ ଏକ ଉଚ୍ଚ ସ୍ତରର କଳାକାରରେ ପହଞ୍ଚାଇଥିଲା, ଯାହା ପାଇଁ ଭାଷାର ଅଭାବ ଆଜି ଦେଖାଦେଇଛି । ତୁମ ଅଭିନୟ ପାଖରେ ଭାଷା ନତମସ୍ତକ ହୋଇଛି। ହେ ଶ୍ରେଷ୍ଠ କଳାକାର ତମେ ଅଜୟ ହୋଇଯାଇଛ। ଇରଫାନ ସବୁଦିନେ ଦର୍ଶକଙ୍କର ହୃଦୟ ଭିତରେ ତମେ ଜିଇଁ ରହିବ।