ପ୍ରଚଣ୍ଡ ପ୍ରତିଭାଧାରୀ ପଣ୍ଡିତ ଡ଼ଃ ଦାମୋଦର ହୋତା ଓ ତ୍ରିଧାରା ସଙ୍ଗୀତ ସମାରୋହ (ଶ୍ରଦ୍ଧାଞ୍ଜଳି)

Swayamprava Parhi (Chief Editor)
7 Min Read

ପ୍ରଚଣ୍ଡ ବ୍ୟକ୍ତିତ୍ୱ ଓ ପ୍ରତିଭାର ଅଧିକାରୀ ପଣ୍ଡିତ ଡ଼ଃ ଦାମୋଦର ହୋତା ୨୦୨୨ ମସିହା ଫେବୃଆରୀ ୫ ତାରିଖ ଶ୍ରୀପଞ୍ଚମୀ ଦିନ ରାତିରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ପଣ୍ଡିତ ଦାମୋଦର ହୋତା ଥିଲେ ଉତ୍କଳ ସଂଗୀତ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ, ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଙ୍ଗୀତର ଗୁରୁ ଓ ଗାୟକ, ଓଡିଶୀ ଶାସ୍ତ୍ରୀୟ ସଂଗୀତ ତଥା ଉଡ୍ର ପଦ୍ଧତିୟ ସଙ୍ଗୀତର ଗୁରୁ, ଗାୟକ ଓ ପ୍ରଚାରକ, ଆକାଶବାଣୀର ଟପଗ୍ରେଡ଼ କଳାକାର, ଜଣେ ଆଜୀବନ ସଂଗୀତ ଗବେଷକ ତଥା ସ୍ଵରରଂଗର ପ୍ରତିଷ୍ଠାତା (ଯେଉଁଠି ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଂଗୀତ ଓ ଉଡ୍ର ପଦ୍ଧତିୟ ସଂଗୀତର ଶିକ୍ଷାଦାନ କରାଯାଏ)। ଜୀବନର ଶେଷଦିନ ପର୍ଯ୍ୟନ୍ତ ସେ ସଙ୍ଗୀତ ଭିତରେ ବୁଡ଼ି ରହିଥିଲେ । ତାଙ୍କର ମୃତ୍ୟୁ ଓଡ଼ିଶାପାଇଁ ନିଶ୍ଚିତ ଭାବରେ ଏକ ଅପୂରଣୀୟ କ୍ଷତି । ତାଙ୍କର ଶେଷ ଇଚ୍ଛା ଥିଲା ଉଡ୍ର ପଦ୍ଧତିୟ ସଂଗୀତ ବା ପାରମ୍ପରିକ ଓଡିଶୀ ସଂଗୀତକୁ ଶାସ୍ତ୍ରୀୟ ମାନ୍ୟତା ମିଳିବା, ଯାହା ଓଡ଼ିଶାର ପ୍ରତ୍ୟେକଟି ସଂସ୍କୃତି ପ୍ରେମୀ ମଣିଷମାନଙ୍କ ପାଇଁ ଆଜି ସବୁଠାରୁ ବଡ ଆହ୍ୱାନ।

ପଣ୍ଡିତ ଦାମୋଦର ହୋତାଙ୍କୁ ମୁଁ ଜାଣିଲି ୧୯୯୦ ମସିହା…୩୨ ବର୍ଷ ତଳେ । ସେଦିନ ଥିଲା ୩ୟ ବର୍ଷ ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଙ୍ଗୀତର ପରୀକ୍ଷା । ଆହ୍ଲାବାଦ ବିଶ୍ୱବିଦ୍ୟାଳୟ ଅଧିନରେ ସ୍ୱରତୀର୍ଥ ସଙ୍ଗୀତ ପରିଷଦ ତରଫରୁ ଭଦ୍ରକ ହାଇସ୍କୁଲ ପରିସରରେ ପରୀକ୍ଷା ନିଆଯାଉଥାଏ। ପଣ୍ଡିତ ଦାମୋଦର ହୋତା ଏକ୍ସଟର୍ନାଲ ହୋଇ ଆସିଥାନ୍ତି ଆମ ପରୀକ୍ଷା ନେବାପାଇଁ । ଯାହା ହେଉ ମୋ ପାଳି ପଡ଼ିଲା । ରାଗ ୟମନର ବଡ଼ା ଖେୟାଲ ଗାଇବାପାଇଁ ପ୍ରସ୍ତୁତି କରିଥାଏ । ମୁଁ ଚଳନ କରିବା ଆରମ୍ଭ କଲି । ଟିକେ ସମୟ ପରେ ପରୀକ୍ଷକ ମୋତେ ରୋକିଦେଇ କହିଲେ ଏବେ ରାଗ ଗାଅ । ମୁଁ ଟିକେ ହଡ଼ବଡ଼ ହେଇଗଲି କାରଣ ଏତେ କମ ସମୟ ଚଳନ କରି ଗୀତ ଗାଇବାର ଅଭ୍ୟାସ ନଥାଏ । ତଥାପି ଡ଼ରି ଡ଼ରି ଗାଇଲି । ଆଜିବି ମନେଅଛି ମୁଁ ଯେତିକି ରାଗର ରୂପ ପରିପ୍ରକାଶ କରିବା କଥା ଡ଼ରରେ କରିପାରିଲିନି । ଆଉ କେବେ ଗୁରୁଜୀଙ୍କୁ ଭୁଲିନି । ପରେ ୧୯୯୪-୯୬ ମସିହାରେ ଯେତେବେଳେ ବାଣୀବିହାରକୁ ଆସିଲି ଗୁରୁଜୀଙ୍କ ସମ୍ପର୍କରେ ଅନେକ ଆଲୋଚନା ଶୁଣିଛି । ଭାରି ଷ୍ଟ୍ରିକ୍ଟ ଲୋକ, ରାଗୀ ଲୋକ ଏମିତି ଅନେକ… ।

ଅନେକ ବର୍ଷ ପରେ ପାଖାପାଖି ୨୦ବର୍ଷର ବ୍ୟବଧାନରେ ମୁଁ ପୁଣିଥରେ ଗୁରୁ ଶ୍ରୀ କରୁଣାକର ନାୟକଙ୍କ ନିକଟରୁ ଶାସ୍ତ୍ରୀୟ ସଙ୍ଗୀତ ଶିକ୍ଷା ଆରମ୍ଭ କଲି । କରୁଣାକର ସାର ଗୁରୁଜୀଙ୍କ ସମ୍ପର୍କରେ ଆମକୁ ଅନେକ ସମୟରେ କୁହନ୍ତି । କେମିତି ତାଙ୍କର ସଙ୍ଗୀତ ଶିକ୍ଷା ଆରମ୍ଭ ହୋଇଥିଲା । ଏତେସବୁ କଥା ଶୁଣି ଶୁଣି ତାଙ୍କୁ ଭେଟିବାର ଆଗ୍ରହ ମୋର ବଢ଼ିଗଲା । କରୁଣାକର ସାରଙ୍କୁ ଅନୁରୋଧ କଲି ତାଙ୍କ ସହିତ ଭେଟ କରାଇବା ପାଇଁ । ସାର ତାଙ୍କ ଘରକୁ ଥରେ ଆମମାନଙ୍କୁ ନେଇ ଗଲେ । ଘର ଭିତରକୁ ଆମେ ପଶୁ ପଶୁ ଛୋଟ ପିଲାଙ୍କ ପରି ହସିଦେଲେ । ଆମ ସହିତ ଦୁଇଜଣ ପିଲା ବି ଯାଇଥିଲେ ଯେଉଁମାନେ କରୁଣାକର ସାରଙ୍କଠାରୁ ସଙ୍ଗୀତ ଶିକ୍ଷା କରୁଥିଲେ । ପିଲାମାନଙ୍କୁ ଦେଖି ସମ ବୟସ୍କ ପିଲାମାନେ ପରସ୍ପର ଯେମିତି ଗପନ୍ତି ଠିକ ସେମିତି ଅନୁଭବ ହେଉଥିଲା । ସେତେବେଳେ ମନେପଡ଼ୁଥିଲା ଏକ୍ସଟର୍ନାଲ ପଣ୍ଡିତ ଦାମୋଦର ହୋତା ଏବଂ ଆଜିର ଗୁରୁଜୀ ଦୁଇଜଣ ଯେମିତି ପୁରା ଅଲଗା ଲୋକ । ଅତି ଷ୍ଟ୍ରିକ୍ଟ ଲୋକ କେତେବେଳେ କେତେବେଳେ ସରଳ, ଅମାୟିକ, ନିସ୍କପଟ ଶିଶୁ ସୁଲଭ ହୋଇଉଠନ୍ତି ।

ଆମ ସହିତ ସେଦିନ ତାଙ୍କ ପିଲାଦିନଠାରୁ ଆରମ୍ଭ କରି ଅନେକ କଥା ଗପିଲେ । କେମିତି ସେ ଗଦାଧର ହାଇସ୍କୁଲରେ ପଢ଼ିଲା ବେଳେ ସଙ୍ଗୀତ ଗାଇ ଲିଡ଼୍ କରୁଥିଲେ ଓ ସ୍କୁଲ ଡ଼୍ରାମାରେ ଗୀତ ଗାଉଥିଲେ, କେମିତି ହାଇସ୍କୁଲ ହେଡ଼ମାଷ୍ଟର ତାଙ୍କ ବାପାଙ୍କୁ ସଙ୍ଗୀତ ଅପସନାଲ ପୁଅକୁ ଦେବାପାଇଁ ପ୍ରବର୍ତ୍ତାଇ ଥିଲେ । ସ୍କୁଲରେ ନୃସିଂହନାଥ ଖୁଣ୍ଟିଆଙ୍କ ପାଖରୁ ସଙ୍ଗୀତ ଶିକ୍ଷା ନେଲାବେଳେ ତାଙ୍କର କ’ଣ ଅନୁଭୂତି ସବୁ ରହିଥିଲା । କେମିତି ସେ ଉତ୍କଳ ସଙ୍ଗୀତ ସମ୍ମିଳନୀରେ ଭାଗନେଇ ପୁରସ୍କାର ପାଇଥିଲେ। ଗୁରୁଜୀ ୫ଟଙ୍କା ପକେଟରେ ଧରି ଟ୍ରେନରେ ପୁନେ ପଳେଇଥିଲେ ଡ଼ିଭି ପଲୁସ୍କରଙ୍କ ନିକଟରୁ ସଙ୍ଗୀତ ଶିକ୍ଷା ଗ୍ରହଣ କରିବାପାଇଁ । ପରେ କିନ୍ତୁ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରେ ଏମ୍‌.ଏସ ପର୍ଯ୍ୟନ୍ତ ଶିକ୍ଷା ଗ୍ରହଣ କରିଥିଲେ ଓ ମୁମ୍ବାଇସ୍ଥିତ ଗନ୍ଧର୍ବ ମହାବିଦ୍ୟାଳୟରୁ ପରବର୍ତ୍ତୀ ସମୟରେ ଡ଼କ୍ଟରେଟ ଲାଭ କରିଥିଲେ । ଓଡ଼ିଶା ପାଇଁ କିଛି କରିବେ ବୋଲି ପଣକରି ବାହାରକୁ ନଯାଇ ଓଡ଼ିଶା ଭିତରେ ରହିଗଲେ।

Samadhwani Support us

ପଣ୍ଡିତ ଦାମୋଦର ହୋତା ପ୍ରତିବର୍ଷ ଉଡ୍ର ପଦ୍ଧତିୟ ସଙ୍ଗୀତର ପ୍ରସାର ପ୍ରଚାର ପାଇଁ ତ୍ରୀଧାରା ସଙ୍ଗୀତ ସମାରୋହ ରାଜଧାନୀ ଭୁବନେଶ୍ୱରରେ ଆୟୋଜନ କରୁଥିଲେ । କେମିତି ସେ ଉଡ଼୍ର ସଙ୍ଗୀତର ଭିନ୍ନତାକୁ ପ୍ରମାଣିତ କରୁଥିଲେ ତାହା ଅତ୍ୟନ୍ତ ଉଚ୍ଚକୋଟିର ତଥା ତଥ୍ୟ ସମ୍ବଳିତ ଯୁକ୍ତି ଥିଲା । ଜୀବନର ଏକ ମହତ୍ତ୍ୱପୂର୍ଣ୍ଣ ଅଂଶ ସେ ଉଡ଼୍ର ସଙ୍ଗୀତକୁ ଶାସ୍ତ୍ରୀୟ ସଙ୍ଗୀତ ଭାବରେ ଅବସ୍ଥାପିତ କରିବାପାଇଁ ଉତ୍ସର୍ଗ କରିଦେଇଥିଲେ । ଏଥିପାଇଁ ତାଙ୍କୁ ଅନେକ ସମାଲୋଚନାର ଶିକାର ହେବାକୁ ପଡ଼ିଥିଲା । କୌଣସି ପ୍ରକାର ସମାଲୋଚନାକୁ ସେ ଯଥେଷ୍ଟ ଯୁକ୍ତି ଓ ତଥ୍ୟ ଦେଇ ଭୁଲ ପ୍ରମାଣିତ କରୁଥିଲେ । କହିବାକୁ ଗଲେ ତାଙ୍କ ସହିତ ତଥ୍ୟ ତଥା ଗାୟକି ଉପସ୍ଥାପନ କରି ଯୁକ୍ତି କରିବାର ସାହସ ଓଡ଼ିଶାରେ ବହୁତ କମ୍ କଳାକାରଙ୍କ ନିକଟରେ ଦେଖିବାକୁ ମିଳେ । ପ୍ରଚଣ୍ଡ ପ୍ରତିଭାଦୀପ୍ତ କଳାକାର ପଣ୍ଡିତ ଦାମୋଦର ହୋତା ଥିଲେ ଜଣେ ନିର୍ଭିକ, ସାଲିସହୀନ ମଣିଷ । ସତ୍ୟକୁ ଯୁଗେ ଯୁଗେ ଯେଉଁମାନେ ତୋଳି ଧରିଛନ୍ତି ଓ ବ୍ୟବସ୍ଥାକୁ ସମାଲୋଚନା କରିଛନ୍ତି ସବୁବେଳେ ସେମାନେ ଅନେକ ଝଡ଼ଝଞ୍ଜା ଓ କଟୁ ସମାଲୋଚନାର ଶିକାର ହୋଇଆସିଛନ୍ତି । ଇତିହାସରେ ଏମିତି ଅନେକ କଳାକାର ଅଛନ୍ତି ଯେଉଁମାନେ କ୍ଷମତାର ଚାଟୁ କରିବା ଛାଡ଼ି କ୍ଷମତାକୁ ତୀବ୍ର ସମାଲୋଚନା କରି ରୋଷର ଶିକାର ହୋଇଆସିଛନ୍ତି । ହୁଏତ ଗୁରୁଜୀ ଓଡ଼ିଶାର ସଙ୍ଗୀତ ଜଗତରେ ସେହିଭଳି ଜଣେ ଉଜ୍ୱଳ ତାରକା ଯିଏକି ବ୍ୟବସ୍ଥା ତଥା ବ୍ୟବସ୍ଥାକୁ ପ୍ରଭାବିତ କରୁଥିବା ମଣିଷମାନଙ୍କ ରୋଷର ଶିକାର ବାରମ୍ବାର ହୋଇଥିଲେ, ଯାହାକୁ ସେ କେବେ ଖାତିର ମଧ୍ୟ କରୁନଥିଲେ । ପୁରସ୍କାରର ଉର୍ଦ୍ଧ୍ୱରେ ଥିଲେ ପଣ୍ଡିତ ଡ଼ଃ ଦାମୋଦର ହୋତା । ତାଙ୍କର ପ୍ରଚଣ୍ଡ ଜ୍ଞାନକୁ ସମ୍ମାନ କରିବାପାଇଁ ଓଡ଼ିଶାରେ ହୁଏତ ଗୁଣୀଜନଙ୍କର ଅଭାବ ରହିଥିଲା । ଅଭାବଥିଲା ସେହିଭଳି ଦୃଷ୍ଟିଭଙ୍ଗୀ ଥିବା ମଣିଷଙ୍କର ଯିଏକି ତାଙ୍କ କଥାକୁ ବୁଝି କାମକୁ ଆଗକୁ ନେବାପାଇଁ ପ୍ରୟାସ କରିବେ । ଓଡ଼ିଶାରେ ସେହିଭଳି ଦୃଷ୍ଟିଭଙ୍ଗୀ ସମ୍ପନ୍ନ ମଣିଷଙ୍କର ଅଭାବ ସବୁବେଳେ ରହିଆସିଛି । ରାଜନୀତିର ପଶାପାଲିରେ ଯିଏ ଶାସକବର୍ଗର ନିକଟତର ହେଇ ଶାସନକୁ ପ୍ରଭାବିତ କରିଛନ୍ତି ସେଇମାନଙ୍କ ପରାମର୍ଶ ହିଁ ଶାସକମାନଙ୍କ କାନରେ ଗୁଞ୍ଜରଣ ହୋଇଛି । ଗୁଣୀଜନଙ୍କର ଯୁକ୍ତି, ତର୍କ ଅନେକ ସ୍ଥଳରେ ଆଲୋଚନାର ପରିସର ମଣ୍ଡନ କରିପାରୁନାହିଁ । ସେଥିପାଇଁ ତ୍ରୀଧାରା ଭଳି ସଙ୍ଗୀତ ସମାରୋହ ଓଡ଼ିଶାରେ ଜଣେ ଗୁରୁଙ୍କର ତତ୍ତ୍ୱାବଧାନରେ ହେଉଥିବାବେଳେ ସରକାର ଏଥିପ୍ରତି ବିଶେଷ ଦ୍ରୃଷ୍ଟି ଦେଇନାହାଁନ୍ତି । କେବଳ କିଛି ଆର୍ଥିକ ଅନୁଦାନ ଦେଇ ନିଜର କର୍ତ୍ତବ୍ୟ ସମାପନ କରିଦେଇଛନ୍ତ । ଓଡ଼ିଶୀକୁ ଶାସ୍ତ୍ରୀୟ ପ୍ରମାଣିତ କରିବା ଦିଗରେ ତ୍ରୀଧାରା ଯେ ଏକ ମାଇଲ ଖୁଣ୍ଟ ହେଇପାରିବ ଏକଥାକୁ ବିଚାର ମଧ୍ୟ କରାଯାଇନାହିଁ । ପ୍ରକୃତରେ ଏହି କାର୍ଯ୍ୟକ୍ରମଟି ରାଜ୍ୟ ସରକାରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ହେବାକଥା । ବିଶେଷକରି ଗୁରୁଜୀଙ୍କର ବିୟୋଗରେ ଏହି କାର୍ଯ୍ୟକ୍ରମଟିକୁ ବଞ୍ଚାଇ ରଖିବାପାଇଁ ପ୍ରୟାସ କରିବାର ଦାୟିତ୍ୱ ସରକାର ନିଜତରଫରୁ ନେବା ଉଚିତ୍। ସେହି ପ୍ରଚଣ୍ଡ ପ୍ରତିଭାଙ୍କୁ ସମଗ୍ର ଜୀବନ ଯେଉଁଭଳି ଉପେକ୍ଷିତ କରାଯାଇଛି ତାହାର ପ୍ରାଶ୍ଚିତ କରାଯିବା ନିହାତି ଜରୁରୀ । ଆମେ ‘ସମଧ୍ୱନି’ ତରଫରୁ ଏହି କାର୍ଯ୍ୟକ୍ରମକୁ ଆଗେଇ ନେବା କ୍ଷେତ୍ରରେ ସମ୍ପୁର୍ଣ୍ଣ ସହଯୋଗ କରିବାପାଇଁ ପ୍ରସ୍ତୁତ ଅଛୁ । ଯଦି ରାଜ୍ୟ ସରକାର ଏଥିପ୍ରତି ଆନ୍ତରିକତା ପ୍ରଦର୍ଶନ କରନ୍ତି ତେବେ ତ୍ରୀଧାରା ସଙ୍ଗୀତ ସମାରୋହ ଓଡ଼ିଶୀ ସଙ୍ଗୀତ ଶାସ୍ତ୍ରୀୟ ମାନ୍ୟତା ପାଇବା ଦିଗରେ ଏକ ମହତ୍ୱପୂର୍ଣ୍ଣ ଯୋଗଦାନ ସାବ୍ୟସ୍ତ ହେବ । ପଣ୍ଡିତ ଦାମୋଦର ହୋତା ନିଜ ଜୀବୀତାବସ୍ଥାରେ ଯେଉଁ ସ୍ୱପ୍ନନେଇ ଜୀବନର ଏକ ଗୁରୁତ୍ତ୍ୱପୂର୍ଣ୍ଣ ସମୟ ଉତ୍ସର୍ଗ କରିଥିଲେ ସେହି ସ୍ୱପ୍ନ ରାଜ୍ୟ ସରକାରଙ୍କ ସହଯୋଗରେ ସମଗ୍ର ରାଜ୍ୟବାସୀ ଯେତେବେଳେ ଦେଖିବା ଆରମ୍ଭ କରିବେ ପଣ୍ଡିତ ଦାମୋଦର ହୋତାଙ୍କର ତ୍ୟାଗ, ନିଷ୍ଠା ଓ ପ୍ରତିବଦ୍ଧତା ପ୍ରତି ପ୍ରକୃତ ସମ୍ମାନ ମିଳିବ ଓ ତାହା ହିଁ ହେବ ତାଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ।

Photo credit- from the timeline of Raghunath Sahu

Share This Article
Editor-in-Chief, Samadhwani | Cultural Journalist || Vocal Artist | Leading the Student-Led “Village Biography/ Village History Documentation" Initiative in Odisha.