ସ୍ୱାଧିନତାର ସ୍ୱପ୍ନ!!

Swayamprava Parhi (Chief Editor)
576 Views
2 Min Read

ନୋବେଲ୍ ବିଜେତା କବି ଓଟାଭିଓ ପେଜ୍ (Octavio Paz) ଲେଖିଛନ୍ତି, “the great poverty of modern thought is the incapacity to think about evil.”

ବିପ୍ଲବୀ କବି ମନମୋହନ ମିଶ୍ର ଲେଖିଛନ୍ତି;

ପକାତୁ ପଛେ ଚିରା ସମାଜେ
ଯେତେ ତୋ ଇଚ୍ଛା ତାଳିରେ
ପଡ଼ିଛି ଯାର ପାଳି ।

ଭୋକ ଯେଉଁଠି ମୂରତୀ ଧରେ
କୋଟି ମଣିଷ ପଞ୍ଜରା ତଳେରେ
ସେହି ପଞ୍ଜରା ତଳେ ଖେଳେ ମରଣ
ବିକଟ ଲୁଚକାଳିରେ
ପଡ଼ିଛି ଯାର ପାଳି ।

ସମଗ୍ର ଭାରତୀୟଙ୍କର ସ୍ୱାଭିମାନ, ସାର୍ବଭୌମତା ଓ ବୌଦ୍ଧିକ ଚେତନାକୁ କବର ଦେଇ ଚାଲିଥିବା ଶାସକମାନେ ଯେତେବେଳେ ଭାରତର ଶାସନକ୍ଷମତାରେ ସେତେବେଳେ ସ୍ୱାଧିନତା ଓ ସ୍ୱାଧିନ ଚେତନାକୁ ମନେ ପକାଇବାର ଉପକ୍ରମମାନ କରିବାର ଉଦାହରଣସବୁ ଗଣମାଧ୍ୟମର ସହାୟତାରେ ସାମ୍ନାକୁ ଆସୁଛି । ଇତିହାସର ଭଲ ସ୍ମୃତିଗୁଡ଼ିକୁ ମନେ ପକାଇବାର ବାହାନା କରି ନିଜର ଅପରାଧି ଚରୀତ୍ରକୁ ଅନ୍ଧକାରରେ ରଖିବାର ପ୍ରୟାସ କରିବା ଆଜି ଶାସକମାନଙ୍କପାଇଁ ଅତି ଜରୁରୀ ହୋଇଯାଇଛି ।

Support Samadhwani

ଆଗକୁ ୧୦୦ବର୍ଷ ପରେ ଆମର ଦାୟାଦମାନେ ଇତିହାସକୁ ମନେ ପକାଇବା ପାଇଁ ଏ ଦୁନିଆଟା ବଞ୍ଚିଥିବକି ନାହିଁ, ଆମେ ନିଶ୍ଚିତ ନୁହେଁ। ଯଦି ବି ବଞ୍ଚି ରହିବ, କେଉଁଭଳି ପରିସ୍ଥିତିରେ ବଞ୍ଚିଥିବ ଭାବିଲେ ଭୟ ଲାଗୁଛି । ଭୟ, ଆତଙ୍କ ସୃଷ୍ଟିକରି, ସତ୍ୟକୁ କବର ଦେଇ, ଭୁଲ ବୁଝାମଣାର ବଶବର୍ତ୍ତୀ ହୋଇ ଗୋଟିଏ ସମାଜ କେମିତି ଅଧିକ ଦିନ ବଞ୍ଚିପାରିବ? ଅପରାଧି ହାତରେ ଯେତେବେଳେ ଦଣ୍ଡିତ କରିବାର କ୍ଷମତା ଦିଆଯାଇଛି, ସ୍ୱେଚ୍ଛାଚାରୀ ହାତରେ ଯେତେବେଳେ କ୍ଷମତା ସମର୍ପଣ କରାଯାଇଛି, ସମାଜର ଦୁର୍ଗତିକୁ ଚୁପଚାପ ବସି ଉପଭୋଗ କରୁଥିବା ସ୍ୱାର୍ଥପର ବଣିକ ଶ୍ରେଣୀ ହାତରେ ସମଗ୍ର ବିଶ୍ୱର ସମ୍ପଦକୁ ବିନା ଦ୍ୱିଧାରେ ଯେତେବେଳେ ଟେକି ଦିଆଯାଉଛି ସେତେବେଳେ ସ୍ୱାଧିନତା ଏକ ରହସ୍ୟମୟ ଶବ୍ଦ ହୋଇ ରହିଯିବାଛଡ଼ା ଆଉକିଛି ସୂଚନା ଦେଉନାହିଁ ।

ଏହି ସ୍ୱାର୍ଥପର ବଣିକ ଶ୍ରେଣୀ, ସେମାନଙ୍କୁ ସହଯୋଗ କରୁଥିବାରାଷ୍ଟ୍ର ବା ଆତଙ୍କ ଖେଳାଉଥିବା ଆଦର୍ଶବାଦରେ ବିଶ୍ୱାସୀ ଶାସକମାନେ କେହି ବି ପୃଥିବୀରେ ସ୍ୱର୍ଗ ପ୍ରତିଷ୍ଠା କରିପାରିବେନି । ଅନେକ ଆଗଧାଡ଼ିର ବୈଜ୍ଞାନିକମାନେ ଆମକୁ ତାଗିଦ କରିସାରିଲେଣି ଯେ ମଣିଷ ସମାଜ ବିଲୁପ୍ତ ହୋଇଯିବାର ଆଶଙ୍କା ଦେଖାଗଲାଣି । ପ୍ରାଚୁର୍ଯ୍ୟ ବା ତୃପ୍ତି ଭିତରେ ବୁଡ଼ି ରହିଥିବା ଲୋକେ ଆଗକୁ ମାଡ଼ି ଆସୁଥିବା ଏହି ବିପଦ ପ୍ରତି ଉଦାସୀନ ରହିବା ଆଧୁନିକ ବିଶ୍ୱ ପାଇଁ ସବୁଠାରୁ ବଡ଼ ଦୁଃସମ୍ବାଦ ଆଣିଦେଉଛି ।

ଯେକୌଣସି ରାଷ୍ଟ୍ରର ସବୁଠୁ ମୂଲ୍ୟବାନ ସମ୍ପଦ ହେଉଛନ୍ତି ତାର ଜନବାଦି ବୁଦ୍ଧିଜୀବୀ ସମାଜ । ସେମାନଙ୍କୁ କୁହାଯାଇପାରେ ‘ସମାଜର ବିବେକ’ । ଶାସକ ଶ୍ରେଣୀ ଏମାନଙ୍କୁ ‘ଦେଶ ବିରୋଧୀ’ ଆଖ୍ୟା ଦେଉଛନ୍ତି ଓ ତଥାକଥିତ ଉଦାସୀନ ସମାଜ ଅନେକ ସ୍ଥାନରେ ଏମାନଙ୍କୁ ଦେଶଦ୍ରୋହୀ ବୋଲି କହି କଠୋର ସମାଲୋଚନାର ଶରବ୍ୟ କରାଉଛି ।

Support Samadhwani

ସ୍ୱାଧିନ ଚିନ୍ତା, ସ୍ୱାଧିନ ମତବ୍ୟକ୍ତ କରିବାର ପରିବେଶ ଧିରେ ଧିରେ ସଙ୍କୁଚିତ ଏଭଳି ପରିସ୍ଥିତିରେ ସ୍ୱାଧିନତା ଆନ୍ଦୋଳନକୁ ମନେପକାଇବା ଓ ଯେଉଁମାନେ ସ୍ୱେଚ୍ଛାଚାରୀ ଶାସକ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରି ସ୍ୱାଧିନତା ପାଇଁ ବଳୀଦାନ ଦେଇଥିଲେ ସେମାନଙ୍କ ଚଲାପଥକୁ ଅନୁସରଣ କରିବା ଅଧିକ ଜରୁରୀ ମନେହୁଏ ।

PHOTO CREDIT- https://www.google.com/search?biw=1366&bih=603&tbm=isch&sa=1&ei=u_VUXebsFcPn-gSa9oSwDw&q=independence+quotes+from+rabindranath&oq=independence+quotes+from+rabindranath&gs_l=img.3…41086.50044..50887…0.0..0.1094.11567.5-13j3j1……0….1..gws-wiz-img…….0j0i8i30j0i24.s2AtDMuLqDk&ved=0ahUKEwimtsiUmoTkAhXDs54KHRo7AfYQ4dUDCAY&uact=5#imgrc=e96u1qk0XD0hAM:

Share This Article
ସ୍ଵୟଂପ୍ରଭା ପାଢ଼ୀ, ମୁଖ୍ୟ ସମ୍ପାଦକ, ସମଧ୍ୱନି | ସଂସ୍କୃତି ସାମ୍ବାଦିକ | କଣ୍ଠଶିଳ୍ପୀ | ଛାତ୍ରଛାତ୍ରୀଙ୍କ ସହଯୋଗରେ ଓଡ଼ିଶାରେ ଚାଲିଥିବା ଆମ ଗାଁ, ଆମ ଜୀବନ ବା ଗାଁ ଇତିହାସ ଆନ୍ଦୋଳନର ନେତୃତ୍ଵ ନେଉଛନ୍ତି / Editor-in-Chief, Samadhwani | Cultural Journalist & Vocal Artist | Leading the Student-Led “Our Village, Our Life” - Village History Movement in Odisha She has been working closely with noted organic farmer Sri Natabar Sarangi since 2008 in the Narisho/Niali areas and documenting his childhood memories, life experiences and food history of coastal Odisha.