ସଙ୍ଗୀତ ଯୋଗୀ: ଗୁରୁ ଶ୍ରୀ ଧନେଶ୍ୱର ଦାସ (ଶ୍ରାଦ୍ଧ ବାର୍ଷିକୀରେ )

Swayamprava Parhi (Chief Editor)
9 Min Read

ଗୁରୁ ଶ୍ରୀ ଧନେଶ୍ୱର ଦାସ ସ୍ୱରତୀର୍ଥ ସଙ୍ଗୀତ ମହାବିଦ୍ୟାଳୟର ପ୍ରତିଷ୍ଠାତା, “ସଙ୍ଗୀତ ସୁଧାକର” ପୁସ୍ତକର ରଚୟୀତା, ଜଣେ ସୁନାମଧନ୍ୟ ଶାସ୍ତ୍ରୀୟ ସଙ୍ଗୀତକାର, ସଙ୍ଗୀତ ଯୋଗୀ/ସାଧକ ଯାହାଙ୍କର ବିୟୋଗ ହୋଇଥିଲା ୨୦୧୭ ମସିହା ଡ଼ିସେମ୍ବର ୨୩ ତାରିଖରେ । ଗତବର୍ଷ ୨୦୧୭ ଡ଼ିସେମ୍ବର ୨୩ ତାରିଖ ଦିନ ୩ଟାରେ ‘ସମଧ୍ୱନି ଇ-ପତ୍ରିକା କାମରେ ବନ୍ଧୁମାନଙ୍କ ସହ ବସିଥିବା ବେଳେ ଖବରଟିଏ ମିଳିଲା ଧନେଶ୍ୱର ସାର ଚାଲିଗଲେ । ଗୁରୁଭାଇ ଶ୍ରୀ ନିର୍ମଳ କୁମାର ରାଉତଙ୍କଠାରୁ ଫୋନଯୋଗେ ଖବରଟି ମିଳିଲା । ତାଙ୍କର ବିୟୋଗ ଓଡ଼ିଶାର ତଥାକଥିତ ସଙ୍ଗୀତ ଜଗତଠାରୁ ଅଧିକ ପ୍ରଭାବିତ କରିଥିଲା ତାଙ୍କୁ ଶୁଣିଥିବା ଓ ଜାଣିଥିବା ଗୁଣି କଳାକାର ତଥା କଳାପ୍ରେମୀମାନଙ୍କୁ । ଦୁଃଖର ବିଷୟ ହେଲା ଓଡ଼ିଶା ଶାସ୍ତ୍ରୀୟ ସଙ୍ଗୀତର ଜଣେ ମହାଯୋଗୀଙ୍କୁ ହରାଇବାପରେ ବି ଚିହ୍ନିପାରିଲା ନାହିଁ । ତାଙ୍କୁ ଜାଣିବାପାଇଁ ନୂଆ ପିଢ଼ୀର ଶିକ୍ଷାର୍ଥୀମାନଙ୍କ ସହିତ ପରିଚିତ କରାଇବାପାଇଁ ଅତୀତର କିଛି ସ୍ମୃତିର ଅବତାରଣା କରାଯାଇଛି ।

କିଛି ବି କରିହେଲାନି ତାଙ୍କୁ ନେଇ, ତାଙ୍କ ସଙ୍ଗୀତର ଧାରାଟି ବିନା ରେକଡ଼ିଂରେ ସବୁଦିନପାଇଁ ହଜିଗଲା । ଅନେକ ଥର ଚିନ୍ତା କରାଯାଇଛି ସାରଙ୍କ ପାଖକୁ ଯାଇ ତାଙ୍କର ଶୈଳୀକୁ ରେକଡ଼ିଂ କରି ସମଧ୍ୱନି ଇ ପତ୍ରିକାରେ ଧାରାବାହିକ ଭାବେ ଭିଡ଼ିଓ, ଅଡ଼ିଓ ପ୍ରକାଶ କରିବାପାଇଁ, ତାଙ୍କ ଉପରେ ଡ଼କ୍ୟୁମେଣ୍ଟାରୀ କରିବାପାଇଁ । ସେ ଗାଉଥିବେ, ସଙ୍ଗୀତ ସମ୍ପର୍କରେ ବୁଝଉଥିବେ ସବୁକୁ ଯେମିତି ସାଇତି ରଖିହେବ ପରପିଢ଼ୀ ପାଇଁ । ହୁଏତ ଏମିତି ସାଧକ ଓଡ଼ିଶା ମାଟିରେ ଆଉ ଜନ୍ମ ନେବେ କି ନାହିଁ ସନ୍ଦେହ । ସବୁ କଳ୍ପନା ଓ ସବୁ ଆଶାର ଅନ୍ତଃ ହୋଇଗଲା ଖବରଟି ପାଇ ।

ତାଙ୍କର ସାଧନାମୟ ଜୀବନର ବିକଳ୍ପ ଖୋଜିବା ଅସମ୍ଭବ । ଯେଉଁ ବୟସରୁ ଗୁରୁ ଆଶ୍ରମରେ ଯେଉଁଭଳି ତ୍ୟାଗ ଓ ସାଧନା କରି ସେ ସଙ୍ଗୀତକୁ ଆୟତ୍ତ କରିଥିଲେ ସେଭଳି ଅଦ୍ୱିତୀୟ ସାଧନା ଆଜିର ଦିନରେ ଅସମ୍ଭବ ମନେହୁଏ । କେବଳ ଧନେଶ୍ୱର ଦାସ ନୁହଁନ୍ତି ସମସାମୟିକ ଏବଂ ପୂର୍ବକାଳର ସଙ୍ଗୀତ ସାଧକମାନଙ୍କ ଜୀବନୀକୁ ପଢ଼ିଲେ ସେହି ସାଧନାର ଜୀବନଟି ଅନୁଭବ କରିହୁଏ । ତେବେ ଏତିକି କୁହାଯାଇପାରେ ସେହିସବୁ ଗୁରୁ ଓ ସାଧକମାନଙ୍କ ଜୀବନକୁ ଅନୁସରଣ କରିବାପାଇଁ ଯଦି ଯୁବପିଢ଼ୀ ନିଜକୁ ପ୍ରସ୍ତୁତ କରନ୍ତି ତେବେ କିଛିମାତ୍ରାରେ ସେହି ସଫଳତାର ରାସ୍ତାରେ ଅଗ୍ରସର ହୋଇପାରିବେ ।

ଗୁରୁ ଧନେଶ୍ୱର ସାରଙ୍କ ବିୟୋଗର ମାସକ ପୂର୍ବରୁ ନଭେମ୍ବର ୧୧ ତାରିଖରେ ତାଙ୍କୁ ଭେଟିବାପାଇଁ ଯାଇଥିଲୁ ସ୍ୱରତୀର୍ଥ ପରିସରସ୍ଥ ତାଙ୍କ ଘରକୁ । ଅଦ୍ଭୁତ ଆନନ୍ଦ ତାଙ୍କ ଆଖିରେ ଦେଖିଥିଲୁ ସେଦିନ । କେବେ ଯେଉଁ ଲୋକ ରେକଡ଼ିଂ କିମ୍ବା ସାକ୍ଷାତକାରପାଇଁ ରାଜି ହୁଅନ୍ତିନି ସେଦିନ କହିଲେ, “ସ୍ୱୟଂପ୍ରଭା ମୁଁ ଭଲ ହୋଇଯିବି । ଗୁରୁଙ୍କ ଆଶ୍ରିତ ହୋଇଛି । ଗୁରୁ କହିଛନ୍ତି ମୁଁ ପୁଣିଥରେ ଗାଇବି । ତମେ ମୋ ଗୀତ ରେକଡ଼୍ କରିବାକୁ ଚାହୁଁଛ ନାଁ ନିଶ୍ଚେ କରିବ । ସାକ୍ଷାତକାର ବି ଦେବି ।” ବୋଧହୁଏ ବହୁତ ଡ଼େରି କରିଦେଇଥିଲି।  ସଙ୍ଗୀତ କ୍ଷେତ୍ରରେ ଯେଉଁ କାର୍ଯ୍ୟଟି (ସମଧ୍ୱନି) ଆରମ୍ଭ କରିଥିଲି ତା’ ଉପରେ ଗୁରୁଙ୍କର ମୋହର ଲାଗିଯାଇଛି । ଏହା କମବଡ଼ କଥା ନୁହଁ । ତାଙ୍କ ଗାୟନର ରେକଡ଼ିଂ ଯଦି କୌଣସି ଗୁରୁଭାଇ/ଭଉଣୀଙ୍କ ନିକଟରେ ଥାଏ ସେସବୁକୁ ସଂଗ୍ରହ କରି ଇ-ପତ୍ରିକାରେ ଅଡ଼ିଓ ଆକାରରେ ପ୍ରକାଶ କରିବାପାଇଁ ପ୍ରୟାସ କରିବୁ ।

Samadhwani Support us

୧୯୩୩ ମସିହା ଜୁଲାଇ ୫ ତାରିଖରେ ପିତା ଶୁକଦେବ ଦାସ, ମାତା ଜୟନ୍ତି ଦେବୀଙ୍କ ଔରଷରୁ ଜନ୍ମଲାଭ କରିଥିଲେ ଏହି ସଙ୍ଗୀତ ଯୋଗୀ -ଗୁରୁ ଶ୍ରୀ  ଧନେଶ୍ୱର ଦାସ । ବାଲ୍ୟକାଳରୁ ସେ ଗୁରୁଙ୍କ ନିକଟରେ ଆଶ୍ରମରେ ରହି ଗୁରୁ ତୈଲୋକ୍ୟ ରାଣା(ନେପାଳ ରାଜପରିବାରର ସଙ୍ଗୀତଜ୍ଞ)ଙ୍କ ନିକଟରୁ ଶିକ୍ଷାଗ୍ରହଣ କରିଥିଲେ । ବିବାହ, ସଂସାରର ମାୟା କେବେବି ତାଙ୍କର ନଥିଲା ତଥାପି ପରିବାରର ଚାପରେ ସେ ବିବାହ କରିଥିଲେ ବୋଲି ନିଜେ ଗୁରୁମା କୁହନ୍ତି । ବିବାହ ପରେ ଗୁରୁଆଶ୍ରମ ଫେରି ପାରିଲେନି ସେଥିପାଇଁ ଭଦ୍ରକରେ ରହି ସଙ୍ଗୀତ ଶିକ୍ଷାଦାନ କରିବାପାଇଁ ମନସ୍ତ କଲେ । ଆରମ୍ଭ କଲେ “ସ୍ୱରତୀର୍ଥ” ସଙ୍ଗୀତ ଅନୁଷ୍ଠାନ । ପଇସାପତ୍ରର ଘୋର ଅଭାବ ଥାଇ ବି କେବେ ସେ ସଙ୍ଗୀତକୁ ବେପାର ଅର୍ଥରେ ପ୍ରୟୋଗ କରି ନାହାଁନ୍ତି । ଯେଉଁଭଳି ଲଗାତାର ୨୦-୨୫ବର୍ଷ ସାଧନାର ଜୀବନ ଗୁରୁ ଅ୍ରାଶ୍ରମରେ କଟାଇ ସଙ୍ଗୀତକୁ କଣ୍ଠସ୍ଥ ଏବଂ ଆତ୍ମସ୍ଥ କରିଥିଲେ ଚାହିଁଥିଲେ ଓଡ଼ିଶାର ସର୍ବୋଚ୍ଚ ଶାସ୍ତ୍ରୀୟ ଗାୟକର ପଦବୀ ଅଳଂକୃତ କରିପାରି ଥାନ୍ତେ । ସେଥିପ୍ରତି କେବେବି ନଜର ନଥିଲା ତାଙ୍କର ।

ସେ ସଙ୍ଗୀତକୁ ଜୀବନ ସହ ଯୋଡ଼ି ଜୀବନ ତିଆରି କରିବାର ମାଧ୍ୟମ ଭାବରେ ଦେଖୁଥିଲେ । ଯଶ, ଖ୍ୟାତି, ଅର୍ଥ ସର୍ବସ୍ୱ ସଙ୍ଗୀତର ସେ ଥିଲେ ସମ୍ପୁର୍ଣ୍ଣ ବିରୋଧୀ । ଆଶ୍ରମର ଜୀବନ ଓ ସାଧନାର ଧାରା ତାଙ୍କ ସମଗ୍ର ପାରିବାରିକ ଜୀବନରେ ପ୍ରତିଫଳିତ ହେଉଥିଲା। ଯଦିଓ ପରିବାର ଭିତରେ ଥିଲେ ଗୁରୁମା ବାରମ୍ବାର କହିଛନ୍ତି ସେ କିନ୍ତୁ ସଂସାରୀ ନୁହଁନ୍ତି । ତାଙ୍କ ମନ ଆଉ କେଉଁ ଦୁନିଆରେ ସବୁବେଳେ ଥାଏ । ଦେହାନ୍ତର ଗୋଟିଏ ବର୍ଷ ପରେ ତାଙ୍କ ସହିତ କଟିଥିବା ସମୟ ଗୁଡ଼ିକୁ ସ୍ମୃତିରୁ ଆଣି ସମୀକ୍ଷା କଲାବେଳେ ଜଣେ ମହାନ ମଣିଷର ସୂଚନା ତାଙ୍କ ଜୀବନ ଦେଇଥାଏ ।

ଅତି ସରଳ, ନିସ୍କପଟ, ସାଧା ସିଧା ସଙ୍ଗୀତ ସାଧକ ଜଣେ । କେବେ ନିଜର ଏହି ଅସାଧାରଣ ଗୁଣ ଓ ସ୍ୱରକୁ କାହା ଆଗରେ ପ୍ରକାଶ କରିବାର ଦେଖାଯାଏ ନାହିଁ । ଆଦୌ ସ୍କୁଲର ପିଣ୍ଡା ଚକଟି ନାହାଁନ୍ତି କାରଣ ଆରମ୍ଭରୁ ଗୁରୁ ଆଶ୍ରମରେ ସଙ୍ଗୀତ ଶିକ୍ଷାପାଇଁ ରହିଥିଲେ କିନ୍ତୁ ଏତେ ଭାଷା ଜାଣିଲେ କେମିତି? ହିନ୍ଦି, ବଙ୍ଗଳା, ଓଡ଼ିଆ, ଇଂରାଜୀ, ସବୁ ଭାଷାରେ କହି ପାରନ୍ତି ଓ ଲେଖିପାରନ୍ତି । ଅନେକ ଲେଖା ତାଙ୍କର ପ୍ରକାଶିତ ମଧ୍ୟ ହୋଇଛି । ଖବରକାଗଜରେ ସେତେବେଳେ ଓଡ଼ିଶୀକୁ ନେଇ ବିତର୍କ ସ୍ତମ୍ବ ବାହାରୁଥାଏ ତାଙ୍କର । ବାରମ୍ବାର ଓଡ଼ିଶାର କଳାକାର ମାନଙ୍କ ଉପରେ ସେ ବିରକ୍ତି ପ୍ରକାଶ କରନ୍ତି, କୁହନ୍ତି ସାଧନାରେ ଦୃଢ଼ତା ନଥାଇ ଶାସ୍ତ୍ରୀୟ ମାନ୍ୟତା ପାଇବାପାଇଁ ଗଣ୍ଡୋଗୋଳ । ଏବେ ଯେତେବେଳେ ସବୁ ଜିନିଷ ନିକଟରୁ ଦେଖିବାକୁ ମିଳୁଛି ତାଙ୍କ କଥାର ସତ୍ୟତା ବେଶ୍ ବୁଝି ହେଉଛି ।

ଅସାଧାରଣ ସ୍ୱରର ଅଧିକାରୀ, ପ୍ରଚାର ବିମୁଖ, କୈଣସି ବସ୍ତୁ ବା ଜିନିଷ ପ୍ରତି ଆଗ୍ରହ ନାହିଁ, ସଙ୍ଗୀତରେ ଅହରହ ବଂଚିଥାନ୍ତି ସେ। ବସିଲେ ସଙ୍ଗୀତ, ଶୋଇଲେ ସଙ୍ଗୀତ, ରେଡ଼ିଓ ଖୋଲିଲେ ସଙ୍ଗୀତ, ସଙ୍ଗୀତ ମୟ ତାଙ୍କର ଏହି ଯୋଗୀ ଜୀବନକୁ ସମୀକ୍ଷା କରିବାପାଇଁ ଚେଷ୍ଟା କରିବା ଏତେ ସହଜ ସାଧ୍ୟ ନୁହଁ । ତଥାପି ନିଜ ସହିତ ତାଙ୍କର କିଛି ଶିକ୍ଷାଦାନର ମୂହୂର୍ତ୍ତକୁ ପ୍ରକାଶ କରିବି ଯାହା ସବୁଦିନ ପାଇଁ ସ୍ମୃତି ହୋଇ ରହିଯାଇଛି ।

ତାଙ୍କ ସ୍ୱରରେ ଥାଏ ଗାମ୍ଭିର୍ଯ୍ୟତା, ସ୍ପଷ୍ଟତା, ଲାଳିତ୍ୟ, ଅନ୍ତର୍ମୁଖି ହେବାର ମାର୍ଗ । ବିଶେଷକରି ଧ୍ରୃପଦ ଗାୟନ ବେଳେ ଏହା ଅତ୍ୟନ୍ତ ଅନ୍ତର୍ମୁଖି ହୋଇଉଠେ । ଗୁରୁ ଗମ୍ଭୀର ସ୍ୱରରେ ଯେମିତି ମନ ଭିତରଟା ସ୍ଥିର ହୋଇଯାଏ । ଯେତେବେଳେ ସେ ଭୂପାଲି ଗାଆନ୍ତି ବିଶେଷ କରି ‘ମହାଦେବ’ ବନ୍ଦିସ ଅପୂର୍ବ ଭାବ ମନରେ ସୃଷ୍ଟି ହୁଏ ।

ସଙ୍ଗୀତ ସାଧନାର ଉଦ୍ଦେଶ୍ୟ ଅନ୍ତର୍ମୁଖି ହେବା, ବାହାରେ କିଏ ଯଦି ଶୁଣି ବାହା ବାଃ କରୁଛି କିଛି ସେଥିରେ ଯାଏ ଆସେ ନାହିଁ । ଯଦି ସଙ୍ଗୀତ ସାଧନ ତମ ଭିତରକୁ ତମ ନିଜକୁ ଖୋଜିବାର ମାର୍ଗଟି ଖୋଲି ପାରୁନି ତେବେ ସାଧନାରେ ବ୍ୟତୀକ୍ରମ ରହିଛି ବୋଲି ଜାଣିବ – ଏ ଥିଲା ଗୁରୁ ଧନେଶ୍ୱର ଦାସଙ୍କର ସବୁ ଶିକ୍ଷାର୍ଥୀମାନଙ୍କ ପାଇଁ ସଙ୍ଗୀତକୁ ବୁଝିବାପାଇଁ ପଦେ । ସଙ୍ଗୀତକୁ ନେଇ ଏମିତି ବୁଝାମଣା ଥିବା ସରଳ ସିଧା ସାଧା ମଣିଷଟି କ’ଣ ଯୋଗୀ ସ୍ଥରର ନୁହଁ?

ଯୋଗାରୁଢ଼ସ୍ୟ ତସ୍ୟୈବ ଶମଃ କାରଣ ମୁଚ୍ୟତେ । ସଫଳ ଯୋଗୀଙ୍କର ମୁଖ୍ୟ ଉପଲବ୍ଧି ହେଉଛି ‘ଶମ’ । ‘ଶମ’ ବା ଚିତ୍ତପ୍ରଶାନ୍ତିର ତତ୍ତ୍ୱ ।  ପ୍ରତ୍ୟେକ ଦିନର ଜୀବନରେ ସେ ଥିଲେ ଜଣେ କର୍ମ ଯୋଗୀ । ବେଶ, ପୋଷାକ, ଖାଦ୍ୟପେୟ, ଆଚାର ବ୍ୟବହାର, ଚିନ୍ତା ଚେତନା, ଭାବ ଭଙ୍ଗୀ ସବୁଥିରେ ସେ ଥିଲେ ଯୋଗୀ । ବାହାରେ କାହା ଆଗରେ କିମ୍ବା କୌଣସି ମଞ୍ଚରେ ଯଦି ସଙ୍ଗୀତ ପରିବେଷଣ କରିବାପାଇଁ କେହି ଅନୁରୋଧ କରନ୍ତି ତେବେ ଗୁରୁ ଧନେଶ୍ୱର ଦାସ ବାରଣ କରିଥାନ୍ତି । ସାଧନାରେ ବ୍ୟାହତ ହେବ । ଏତେ ଚଞ୍ଚଳ ହୁଅନି । ତଥାପି ବେଳେ ବେଳେ ବାଧ୍ୟ ହୋଇ କୁହନ୍ତି ଯଦି ଗାଇବାକୁ ଚାହୁଁଛ କିଛି ଶାସ୍ତ୍ରୀୟ ରାଗ ଗାଅ, ନିଜ ମନରେ ଦୃଢ଼ତା ଆସିବ । ସଙ୍ଗୀତ କେବଳ ଏକ ମନୋରଞ୍ଜନର ମାଧ୍ୟମ ଏକଥା ସେ ଆଦୌ ଗ୍ରହଣ କରୁନଥିଲେ । ଇତର ଜଗତ ପାଇଁ ଏହି ଆମୋଦ ପ୍ରମୋଦ ସମ୍ଭବ କିନ୍ତୁ ସାଧକପାଇଁ ନିଜ ଭିତରେ ଭରି ରହିଛି ଅସୀମ ଆନନ୍ଦ ସେହି ଆନନ୍ଦର ଅନ୍ୱେଷଣ ହିଁ ସଙ୍ଗୀତ ସାଧନା ଓ ସ୍ୱର ସାଧନାର ମୂଳ ଉଦ୍ଦେଶ୍ୟ ବୋଲି କହୁଥିଲେ ସେ । ସେଥିପାଇଁ ପିଲାଦିନେ ଯେତେବେଳେ ବାହାରେ ଗାଇବା କଥା ଆସୁଥିଲା ସାରଙ୍କୁ ଲୁଚୁଥିଲୁ । ସେ ଦେଖୁ ଦେଖୁ ସତ ଜାଣିଯାଉଥିଲେ ।

ଅନେକ ସମୟରେ ଦେଖିଛି ଗାଇବାବେଳେ ଯଦି ଧ୍ୟାନଚ୍ୟୁତ ହୁଏ ତେବେ ଭିଷଣ ବିରକ୍ତ ହୋଇ କୁହନ୍ତି ମନ ସ୍ଥିର କର ତେବେଯାଇ ସଙ୍ଗୀତର ସୁର୍ ଲାଗିବ । ଗୋଟିଏ ଥର ମୁଁ ତାଙ୍କ ସହ ରାଗ ବାହାର ର ଆଳାପ କରୁଥାଏ । ସମଗ୍ର ପରିବେଶ ପୁରା ଚୁପଚାପ ।  ତାଙ୍କ ସ୍ୱରରେ ସ୍ୱର ମିଶାଇ ଚଲନ କରୁଥାଏ । ଜଣେ ଗୁରୁଭାଇ ପାଖରେ ବସି ଶୁଣୁଥାନ୍ତି । ଆଳାପ ସରିଲା, ବନ୍ଦିସ ଆରମ୍ଭ ହେବ, ସାର ଟିକେ ରହିଯାଇ କହିଲେ ତୁ ପରୀକ୍ଷାରେ ଫେଲ ହୋଇଯାଆନ୍ତୁକି ଭଲ ହୁଅନ୍ତା । ମୋର ଯୁକ୍ତ ତିନି ଶେଷ ବର୍ଷର ପରୀକ୍ଷା । ସାର୍ କାହିଁକି ଏମିତି କହିଲେ କିଛି ବୁଝି ପାରିଲିନି । ପରେ ଜାଣିଲି ସେ କ’ଣ କହୁଥିଲେ । ଗୁରୁଭାଇ ହସିବାରୁ ସାର କରିଲେ ତାର ସଙ୍ଗୀତ ଅଛି କିନ୍ତୁ ଏଇ କଲେଜ ଫଲେଜ ତା ସଙ୍ଗୀତକୁ ଖାଇଗଲେ । ସାଧନାତ କରିପାରୁନି କ’ଣ ପାଇବ ଚୋପା?

ପରେ ତାଙ୍କର ଏହି ଅନ୍ତରର କଥାଟିର ଗୁଢ଼ ରହସ୍ୟ ବୁଝିଲି, ହେଲେ ଆଉ ମୋର କିଛି କରିବାପାଇଁ ସମୟ ନଥିଲା । କେବଳ ଅନୁତାପ ସାଧନା କରିପାରିଲିନି । ଏତେ ବଡ଼ ଗୁରୁଙ୍କୁ ପାଇବି ସାଧନାରେ ବିଫଳତା ମୋର ନିଜର ଇଚ୍ଛାଶକ୍ତିର ଅଭାବକୁ ପ୍ରମାଣିତ କରିଥିଲା । ଯେଉଁ ଆନନ୍ଦ ଟିକକ ମୋତେ ସେହି ଦିନ ମାନଙ୍କରେ ମିଳିଥିଲା ଏବଂ ନିଜକୁ ଖୋଜିବାପାଇଁ ରାସ୍ତାଟି ଗୁରୁ ଦେଖାଇଥିଲେ ସେଇ ରାସ୍ତାଟିକୁ ସବୁ ମଣିଷଙ୍କ ନିକଟରେ ପହଞ୍ଚାଇବି ବୋଲି ନିସ୍ପତ୍ତି ନେଇ ‘ସମଧ୍ୱନି’ ଆରମ୍ଭ କରିବାପାଇଁ ଆଉଥରେ ଅଣ୍ଟା ଭିଡ଼ିଛି । ସବୁଠାରୁ ଆନନ୍ଦର କଥା ହେଲା ଗୁରୁଙ୍କର ଏଥିରେ ମୋହର ଲାଗିଛି । କାମଟି ସମସ୍ତଙ୍କର ସହଯୋଗରେ ଆଗେଇଚାଲିଛି ଏକ ବୃହତ୍ତର ଲକ୍ଷନେଇ ।

Share This Article
Editor-in-Chief, Samadhwani | Cultural Journalist || Vocal Artist | Leading the Student-Led “Village Biography/ Village History Documentation" Initiative in Odisha.