ଦରବୁଢ଼ା ଲୋକଟି । ପଚାଶରୁ ଅଧିକ ତା’ ବୟସ । ନିଇତି ଧୋତି ଆଉ ଚେକ୍ ଜାମା ପିନ୍ଧୁଥିବା ନିଶୁଆ ଆଉ ଚନ୍ଦା । ଯିଏ ସବୁଦିନେ ରାସ୍ତାକଡ଼ରେ ଛିଡ଼ା ହୋଇଥାଏ । ପ୍ରତିଟି ଘଟଣାକୁ ନିରେଖି ଦେଖୁଥାଏ । କେବେ ତା’ର ଯୋଡ଼େ ହାତ ପଛ ପଟକୁ ଥାଏ ତ, କେବେ ବାପୁ ଚଷମା (ପୁରୁଣା କାଳିଆ, ଗୋଲେଇ କାଚବାଲା) ପିନ୍ଧି ଗଣ୍ଠିଲିଟେ ପିଠି ପଛପାଖେ ପକେଇ ଟିକିନିଖି ଘଟଣା, ଦୁର୍ଘଟଣାର ସାକ୍ଷୀ ହୋଇ ଅନେଇ ଥାଏ ।
ସେଇ ପ୍ରସିଦ୍ଧ, ନିଆରା ଚରିତ୍ରଟି ହେଉଛି ‘ସାଧାରଣ ଜନତା’ (କମନ୍ ମ୍ୟାନ୍) । ଅର୍ଦ୍ଧ ଶତାବ୍ଦୀରୁ ଅଧିକ ସମୟ ଧରି ଏହି ଚରିତ୍ରଟି କୋଟି କୋଟି ଭାରତୀୟଙ୍କ ଆଶା, ଆଶଙ୍କା, ସମସ୍ୟାର ପାହାଡ଼ର ସତେ ଯେମିତି ପ୍ରତୀକ ପାଲଟି ଯାଇଥିଲା । ଇଂରାଜୀ ଦୈନିକ ‘ଦି ଟାଇମ୍ସ ଅଫ୍ ଇଣ୍ଡିଆ’ରେ ପ୍ରକାଶିତ କମନ୍ ମ୍ୟାନ୍ ଲୋକପ୍ରିୟତାର ଶୀର୍ଷରେ ଥିଲା ।
ଆଉ ଯେଉଁ ବ୍ୟଙ୍ଗଚିତ୍ରକର (କାର୍ଟୁନିଷ୍ଟ) ଜୀବନ୍ୟାସ ଦେଇଥିଲେ ତା’କୁ ସେ ହେଉଛନ୍ତି- ସଦା ପରିଚିତ ଆର୍.କେ ଲକ୍ଷ୍ମଣ । ରସିପୁରମ୍ କ୍ରିଷ୍ଣସ୍ୱାମୀ ଆୟାର ଲକ୍ଷ୍ମଣ । ଟାଇମ୍ସ ଅଫ୍ ଇଣ୍ଡିଆରେ ‘ୟୁ ସେଡ୍ ଇଟ୍’ (ତମେ ଏଇଆ କହିଛ) କାର୍ଟୁନ ସ୍ତମ୍ଭରେ ୧୯୫୧ ମସିହାରୁ ନିୟମିତ ଭାବେ ୫୦ ବର୍ଷରୁ ଅଧିକ ସମୟ ପ୍ରକାଶିତ ହୋଇ ଆସୁଥିଲା କମନ୍ ମ୍ୟାନ୍ । ଯେତେକ ଦୁର୍ନୀତି, ମିଛ ପ୍ରତିଶ୍ରୁତିର ଲମ୍ବା ଧାଡ଼ି, ଛଳନା, ପ୍ରତାରଣାକୁ ଏହି ଚରିତ୍ରଟି ସଭିଙ୍କ ସାମ୍ନାକୁ ଆଣିଥିଲା । ମୋଟାମୋଟି ଭାବେ କହିଲେ- ଭାରତୀୟ କାର୍ଟୁନ ସଂସାରରେ ଚିର ଅଭୁଲା ଚରିତ୍ରର ମର୍ଯ୍ୟାଦା ପାଇଛି କମନ୍ ମ୍ୟାନ୍ ।
କମନ୍ ମ୍ୟାନ୍ର ସ୍ରଷ୍ଟା ଲକ୍ଷ୍ମଣଙ୍କ ଜନ୍ମ କର୍ଣ୍ଣାଟକର ମହୀଶୂରରେ । ଅକ୍ଟୋବର ୨୪, ୧୯୨୧ ମସିହାରେ । ଘରେ ଛଅ ପୁଅଙ୍କ ଭିତରୁ ସବା ସାନ ଥିଲେ ଲକ୍ଷ୍ମଣ । ତାଙ୍କଭାଇ ଆର୍.କେ ନାରାୟଣ ଭାରତୀୟ ସାହିତ୍ୟ ସଂସାରର ଦିଗ ଦେଖାନ୍ତି ନକ୍ଷତ୍ର ରକମ । ନାରାୟଣଙ୍କ ମାଲ୍ଗୁଡ଼ି ସହର ଓ ସ୍ୱାମୀ ନାମକ ଅମାନିଆ ପିଲାର କାହାଣୀର ପସରା ମଣିଷର ଛାତି ଭିତରେ କୋଉଠି ନା କୋଉଠି ଆବେଗ ଭରିଦିଏ । ଲକ୍ଷ୍ମଣଙ୍କ ବାପାଥିଲେ ଜଣେ ପ୍ରଧାନଶିକ୍ଷକ । ପିଲାବେଳୁ ଲକ୍ଷ୍ମଣ ଗାରେଇବା ଆରମ୍ଭ କରିଥିଲେ ମେଞ୍ଚାଏ ଏଣୁତେଣୁ, କ୍ରମଶଃ ଯାହା କାର୍ଟୁନର ରୂପ ନେଇଥିଲା । ନିଜ ଆତ୍ମଜୀବନୀ ‘ଦି ଟନେଲ୍ ଅଫ୍ ଟାଇମ୍’ରେ ଲକ୍ଷ୍ମଣ ଏ କଥା ଲେଖିଛନ୍ତି- ‘ମୋ ଝରକା ବାହାରର ଘଟଣା, ଚରିତ୍ରର ଛବି ମୁଁ ଆଙ୍କୁଥିଲି । ଟାଆଁସିଆ ଖରାରେ ଗଡ଼ୁଥିବା ଶୁଖିଲା କାଠ ଗଣ୍ଡି, ଝରାପତ୍ର, ଝିଟିପିଟି ପରି ଗୁରୁଣ୍ଡୁ ଥିବା ପ୍ରାଣୀ ଆଦି ସବୁ ମୋ ଆଖିରେ ବନ୍ଧାହୋଇ ଯାଉଥିଲା । ଯାହା ପ୍ରତିଫଳିତ ହେଉଥିଲା ଛବିରେ । ଘର ବାହାରେ କାଠ ହାଣୁଥିବା ମଣିଷ ଏବଂ ଘର ସାମ୍ନା ପିଢ଼ାରେ ନାନା ପ୍ରକାରେ ଥଣ୍ଟବୁଲାଉ ଥିବା କାଉ ବିଶେଷ କରି ମତେ ଆକର୍ଷିତ କରୁଥିଲା ।’
ଲକ୍ଷ୍ମଣଙ୍କ ଶୈଶବରେ ଅଚାନକ ଗୋଟେ ଭୂମିକମ୍ପ ଆସିଲା ଯେତେବେଳେ ତାଙ୍କ ବାପା ରୋଗରେ ନିଶ୍ଚଳ ହୋଇପଡ଼ିଲେ । ତା’ ବର୍ଷକ ଭିତରେ ସେ ଚିର ବିଦାୟ ନେଇଗଲେ । କିନ୍ତୁ ସବୁ ଭିତରେ ଲକ୍ଷ୍ମଣଙ୍କ ପାଠପଢ଼ା ଚାଲୁ ରହିଥିଲା । କାରଣ- ବଡ଼ ଭାଇମାନେ ଘରର ଦାୟିତ୍ୱ ମୁଣ୍ଡେଇ ନେଇଥିଲେ ।
ଲକ୍ଷ୍ମଣଙ୍କ କ୍ୟାରିଅରରେ ଭାରି ଅଜବ ଗୋଟେ ଘଟଣା ଘଟିଥିଲା। ଯେଉଁ ଲୋକଟି ଭାରତର ଶ୍ରେଷ୍ଠ କାର୍ଟୁନିଷ୍ଟର ମାନ୍ୟତା ପାଇଥିଲେ, ତାଙ୍କୁ ଭାରତର ପ୍ରତିଷ୍ଠିତ ଜେ.ଜେ ସ୍କୁଲ୍ ଅଫ୍ ଆର୍ଟସ୍ ନାମ ଲେଖାଇବାକୁ ମନା କରି ଦେଇଥିଲା । କହିଥିଲା- ଚିତ୍ରକଳା ପାଇଁ ଲକ୍ଷ୍ମଣଙ୍କ ଭିତରେ ପ୍ରତିଭାର ଅଭାବ ରହିଛି । ମହୀଶୂର ବିଶ୍ୱବିଦ୍ୟାଳୟରୁ ଲକ୍ଷ୍ମଣ କଳାରେ ସ୍ନାତକ ପାସ୍ କରିଥିଲେ ।
ମହୀଶୂରର ମହାରାଜା କଲେଜରେ ପଢୁଥିବା ବେଳେ ଲକ୍ଷ୍ମଣ ନିଜ ବଡ଼ଭାଇ ଆର୍.କେ ନାରାୟଣଙ୍କ ଗପପାଇଁ ଚିତ୍ର ଆଙ୍କୁଥିଲେ । ସେତେବେଳେ ସେହିସବୁ ଗପ ଓ ଚିତ୍ର ‘ଦି ହିନ୍ଦୁ’ରେ ପ୍ରକାଶ ପାଉଥିଲା । ପରେ ଲକ୍ଷ୍ମଣ ସ୍ଥାନୀୟ ଖବରକାଗଜଗୁଡ଼ିକ ପାଇଁ ରାଜନୈତିକ ବ୍ୟଙ୍ଗଚିତ୍ର ଆଙ୍କିବା ଆରମ୍ଭ କରିଥିଲେ । ‘ସ୍ୱତନ୍ତ୍ର’ ନାମକ ଖବରକାଗଜ ପାଇଁ ସେ ନିୟମିତଭାବେ କାର୍ଟୁନ ପଠାଉ ଥିଲେ । କନ୍ନଡ଼ଭାଷାର ହାସ୍ୟରସ ପତ୍ରିକା ‘କୋରାଭାନ୍ଜି’ ପାଇଁ ବି କାର୍ଟୁନ ଆଙ୍କିଥିଲେ ।
ପେଶାଦାର କାର୍ଟୁନିଷ୍ଟ ଭାବେ ଲକ୍ଷ୍ମଣଙ୍କ କ୍ୟାରିଅର୍ ଆରମ୍ଭ ହୋଇଥିଲା ‘ଦି ଫ୍ରି ପ୍ରେସ୍ ଜର୍ଣ୍ଣାଲ୍’ ପାଇଁ । ପରେ ଯାଇଥିଲେ ‘ଦି ଟାଇମ୍ସ ଅଫ୍ ଇଣ୍ଡିଆ’କୁ । ଆଉ ସେ ମଜଭୁତ ସଂପର୍କ ୫୦ ବର୍ଷରୁ ଅଧିକ ସମୟ ଧରି ଅତୁଟ ରହିଥିଲା ।
ନିଜର ଲମ୍ବା ଆଉ ପ୍ରସିଦ୍ଧ କ୍ୟାରିଅର୍ ଭିତରେ ଲକ୍ଷ୍ମଣ ଜୀବନର ପ୍ରତିଟି ସ୍ତର, ଆବେଗକୁ ନେଇ କାର୍ଟୁନ ଆଙ୍କିଛନ୍ତି । କେବେ ମଜାଳିଆ, କେବେ ଆବେଗରେ ଛାତି ଭିତରକୁ ଓଦାକରି ଦେଉଥିବା, ଆଖି ପତାକୁ ଲୁହ ଟୋପାରେ ଓଜନିଆ କରୁଥିବା, କେବେ ଚଟାକ୍ କରି ଛଳନାକୁ ଧରା ପକେଇ ଦେବା, ମଣିଷର ଅସହାୟପଣକୁ ସାମ୍ନାକୁ ଆଣିବା, ଆଶାକୁ ଜୀବନ୍ତ କରିବା ଆଦି ଭଳିକି ଭଳି କାର୍ଟୁନରେ ଭରିଥିଲା ଲକ୍ଷ୍ମଣଙ୍କ କାର୍ଟୁନ ଝୁଡ଼ି । ସେଥିରେ ଆବିଳତା ନଥିଲା । ନ ଥିଲା ଟିକିଏ ବି କୁତ୍ସିତ ଭାବ । ଆଉ ସେଇ କାରଣରୁ ଲକ୍ଷ୍ମଣ ଆମର ସଦାପ୍ରିୟ ।
ଅନ୍ୟାନ୍ୟ କୃତି
ନିଜ ଭାଇ ଆର୍.କେ ନାରାୟଣଙ୍କ ଗପ ପାଇଁ ଲକ୍ଷ୍ମଣ ଅନେକ କାର୍ଟୁନ ଆଙ୍କିଥିଲେ । ସେଥିମଧ୍ୟରୁ ମାଲ୍ଗୁଡ଼ି ସହରକୁ ନେଇ ଗପ ‘ମାଲ୍ଗୁଡ଼ି ଷ୍ଟୋରିଜ୍’ ଆମ ସ୍ମୃତିରେ ଭାରି ସତେଜ । ତା’କୁ ନେଇ ଶଙ୍କର ନାଗ ହିନ୍ଦୀ ଧାରାବାହିକ ନିର୍ଦ୍ଦେଶନା ଦେଇଥିଲା । ସେଇଟି ବିଶେଷ ଲୋକପ୍ରିୟତା ବି ହାସଲ କରିଥିଲା । ଏସିଆନ୍ ପେଣ୍ଟସ୍ କଂପାନୀ ପାଇଁ ଲକ୍ଷ୍ମଣ ଶୁଭଙ୍କର (ମାସ୍କଟ୍) ‘ଗଟ୍ଟୁ’ ସୃଷ୍ଟି କରିଥିଲେ।
ଲକ୍ଷ୍ମଣ ନିଜେ ଅନେକ ବହି ବି ଲେଖିଛନ୍ତି । ଯେମିତି- ବ୍ରସିଙ୍ଗ୍ ଅପ୍ ଦି ୟର୍ସ୍ (୨୦୦୮), କଲେକ୍ଟେଡ୍ ରାଇଟିଙ୍ଗ୍ସ୍ (୨୦୦୩), ଡିଜର୍ଟେଡ୍ ମିରର୍ (୨୦୦୪), ହୋଟେଲ୍ ରିଭିଏରା-ଇଣ୍ଡିଆ (୧୯୮୯), ଲାଫ୍ ଉଇଥ୍ ଲକ୍ଷ୍ମଣ (୧୯୯୯), ଲାଫ୍ଟର୍ ଲାଇନ୍ସ୍ (୨୦୦୨), ଦି ମେସେର୍ (୧୯୯୩), ସର୍ଭ୍ୟାଂଟସ୍ ଅଫ୍ ଇଣ୍ଡିଆ (୨୦୦୦), ଟନେଲ୍ ଅଫ୍ ଟାଇମ୍ (୧୯୯୮) ଏବଂ ଭୋଟ୍ ଫର୍ ଲାଫ୍ଟର୍ (୨୦୦୩) ।
ସମ୍ମାନ
ଭାରତୀୟ ଗଣମାଧ୍ୟମ ଜଗତକୁ ନିଜର ସାମଗ୍ରିକ ଅବଦାନ ପାଇଁ ଲକ୍ଷ୍ମଣଙ୍କୁ ମିଳିଛି ପଦ୍ମଭୂଷଣ ଏବଂ ପଦ୍ମ ବିଭୂଷଣ ସମ୍ନାନ । ସାମ୍ବାଦିକତା, ସାହିତ୍ୟ ଓ ସୃଜନଶୀଳ ରଚନା ପାଇଁ ଲକ୍ଷ୍ମଣଙ୍କୁ ମିଳିଥିଲା ରମଣ ମାଗାସେସ୍ ସମ୍ମାନ ୧୯୮୪ରେ । ଦୈନିକ ଖବରକାଗଜ ଇଣ୍ଡିଆନ୍ ଏକ୍ସପ୍ରେସ୍ ଗ୍ରୁପ୍ ପକ୍ଷରୁ ଲକ୍ଷ୍ମଣଙ୍କୁ ବି.ଡି ଗୋଏଙ୍କା ସମ୍ମାନରେ ସମ୍ମାନିତ କରାଯାଇଥିବା ବେଳେ ହିନ୍ଦୁସ୍ତାନ ଟାଇମ୍ସ ସମ୍ମାନିତ କରିଥିଲା ଦୁର୍ଗା ରତନ୍ ଗୋଲଡ୍ ମେଡ଼ାଲରେ ।
ଜୀବନର ଖିଅ
ଲକ୍ଷ୍ମଣ ପ୍ରଥମେ ପ୍ରସିଦ୍ଧ ଭାରତନାଟ୍ୟମ୍ ନୃତ୍ୟାଙ୍ଗନା କମଳା ଲକ୍ଷ୍ମଣଙ୍କ ସାଙ୍ଗେ ସଂସାର ଗଢ଼ିଥିଲେ । କମଳା ଜଣେ ଅଭିନେତ୍ରୀ ବି ଥିଲେ । ପରେ ତାଙ୍କ ଜୀବନକୁ ଆଉ ଜଣେ କମଳା ଆସିଥିଲେ । ଲକ୍ଷ୍ମଣ ତାଙ୍କୁ ବାହା ହୋଇଥିଲେ । କମଳା ଜଣେ ଶିଶୁ ସାହିତ୍ୟିକା ।