ଆମର ଦାୟିତ୍ୱ

Swayamprava Parhi (Chief Editor)
5 Min Read

ଜଗତିକରଣ ପରବର୍ତ୍ତି ସମୟରେ ସାଂସ୍କୃତିକ ସାମ୍ରାଜ୍ୟବାଦର ପତିଆରା ଓ ପ୍ରକୋପ ବିଶ୍ୱର ପ୍ରତିଟି ଏକଦା ଉପନିବେଶ ଥିବା ଇଲାକାରେ ପ୍ରସାରଲାଭ କରିଥିବା ବେଳେ ଆମ ରାଜ୍ୟ ସମେତ ଦେଶର ସାଂସ୍କୃତିକ ବିବିଧତା ଭରି ରହିଥିବା ପ୍ରତିଟି ଅଞ୍ଚଳର ବାତାବରଣରେ ଏଇ କିଛିବର୍ଷ ଭିତରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିଛି । ଏହି ପୃଷ୍ଠଭୂମିରେ ଆମରାଜ୍ୟ ସରକାର ଯାହାସବୁ କଳା ଓ ସଂସ୍କୃତି କ୍ଷେତ୍ରରେ ପ୍ରୟାସ କରୁଛନ୍ତି ଆମେ ତାକୁ ସମୀକ୍ଷା କରିବା ଆବଶ୍ୟକ । ଲୋକକଳାଠାରୁ ଆରମ୍ଭ କରି ଶାସ୍ତ୍ରୀୟ ସଙ୍ଗୀତ ଓ ନୃତ୍ୟକୁ ବିଶ୍ୱବ୍ୟାପି ପ୍ରଚାର ପ୍ରସାର କରାଇବାପାଇଁ କିଛି ପଦକ୍ଷେପ ନିଆଯାଉଛି । ସେ ଭିତରେ କିନ୍ତୁ ହଜି ଯାଉଛନ୍ତି ଆମ ରାଜ୍ୟର ଲକ୍ଷ ଲକ୍ଷ ଲୋକ କଳାକାର ।

ଅନେକ କହିପାରନ୍ତି ଯେ, ରାଜ୍ୟ ସରକାର କଳାକାରମାନଙ୍କୁ ଚିହ୍ନି ପାରିଛନ୍ତି ଏବଂ ସେଥିପାଇଁ ଭତ୍ତା ମଧ୍ୟ ପ୍ରଦାନ କରୁଛନ୍ତି । ଏକଥା ମଧ୍ୟ ଶୁଣିବାକୁ ମିଳୁଛି ଯେ, କଳାକାରମାନଙ୍କ ଭତ୍ତା ଯାହା ୧୨୦୦ଟଙ୍କା ଥିଲା ଏବେ ସରକାର ଏହାକୁ ୧୫୦୦ ଟଙ୍କାକୁ ବୃଦ୍ଧି କରିବାପାଇଁ ଚାହୁଁଛନ୍ତି । କିନ୍ତୁ ଯେଉଁ କଳାକାରମାନଙ୍କ ଉପରେ ସରକାରଙ୍କର ଏଯାଏ ନଜର ପଡ଼ିନି ସେମାନେ ହେଲେ ଓଡ଼ିଶାର ଗ୍ରାମାଞ୍ଚଳରେ କଳାକୁ ବଞ୍ଚାଇ ରଖି ଆସିଥିବା ଲକ୍ଷ ଲକ୍ଷ କଳାକାର । ସେମାନଙ୍କ ଭିତରେ ଗୋଟିଏ ବଡ଼ ସଂଖ୍ୟା ହେଉଛି “ଗଁଡ଼ାବଜା” ଭଳି ଆଦିବାଦ୍ୟର କଳାକାର ମାନଙ୍କର ଯେଉଁମାନେକି ଆଜିଯାଏ ସମସ୍ତଙ୍କ ନଜର ଆଢୁଆଳରେ ରହି ଆସିଛନ୍ତି । ଏମାନେ ମୁଖ୍ୟତଃ ଓଡ଼ିଶାର ପଶ୍ଚିମାଞ୍ଚଳରେ ରୁହନ୍ତି ।

ଏଠି ଦୃଢ଼ତାର ସହିତ କୁହାଯାଇପାରେ ଯେ, ଗଁଡ଼ାବଜାର ଏଭଳି କ୍ଷମତା ଅଛି ଯାହାକି ଓଡ଼ିଶାର କଳା କ୍ଷେତ୍ରକୁ ବିଶ୍ୱରେ ପରିଚିତି କରାଇପାରିବ । କିନ୍ତୁ ଆମ ରାଜ୍ୟର ଜନଗଣ ନିଜ ପାଖରେ ଥିବା ରତ୍ନକୁ ନିଜେ ଯଦି ପଥର କରି ତଳେ ପକାଇବେ ସେଥିରେ କାହାକୁ ଦୋଷ ଦିଆଯିବ! ଆମ ରାଜ୍ୟର ପ୍ରାଚୁର୍ଯ୍ୟମୟ ସାଂସ୍କୃତିକ ବିବିଧତାକୁ ନେଇ ଥିବା ବୈଭବକୁ ଜଗତିକରଣର ପ୍ରକୋପରୁ ଉଦ୍ଧାରକରି କିଭଳି ଏକ ସୃଜନଶୀଳ ବାତାବରଣ ତିଆରି କରାଯାଇ ପାରିବ ସେ ବିଷୟରେ ତର୍ଜମା ଆଲୋଚନା କରିବା କ’ଣ ଆମର ଦାୟିତ୍ୱ ନୁହଁ କି?

ଏବେତ ରାଜଧାନୀରେ କଳା ଓ ସାଂସ୍କୃତିକ କାର୍ଯ୍ୟକ୍ରମମାନ ବେଶ ଧୁମ୍ ଧାମରେ ଚାଲିଛି । କୋଣାର୍କ ମହୋତ୍ସବଠାରୁ ଆରମ୍ଭକରି ଧଉଳି ମହୋତ୍ସବ, ରାଜାରାଣୀ ମହୋତ୍ସବ ପୁଣି ଏବେ ରବିନ୍ଦ୍ର ମଣ୍ଡପରୁ ଆରମ୍ଭ କରି ଭଞ୍ଜକଳାମଣ୍ଡପ ଯାଏ ସବୁଠି ନାଟକ ମହୋତ୍ସବରେ ଭିଡ଼ । ବସନ୍ତ ଋତୁରେ ସମଗ୍ର ରାଜ୍ୟରେ ଏବେ ପରବ ପରମ୍ପରା ଆରମ୍ଭ ହୋଇଛି । ବିଭିନ୍ନ ଜିଲ୍ଲା ଓ ଅଞ୍ଚଳ ସ୍ତରରେ ଉତ୍ସବମାନ ହେଉଛି । କିନ୍ତୁ ଏତେସବୁ ଉତ୍ସବ ଅନୁଷ୍ଠିତ ହେଉଥିବାବେଳେ ଆମେ ରାଜ୍ୟରେ ସାଂସ୍କୃତିକ ବାତାବରଣ ତିଆରି ହୋଇଗଲାଣି ବୋଲି କହିପାରିବା କି? ପ୍ରତ୍ୟେକ ଗାଁରେ ପ୍ରତ୍ୟେକ ପରିବାରରେ ସଙ୍ଗୀତ, ସଂସ୍କୃତି, ଇତିହାସ ଚର୍ଚ୍ଚା ଆରମ୍ଭ ହେଲାଣି କି? ଏଇ କଥାଟି କିନ୍ତୁ ଆମେ ପିଲାଦିନେ ଗାଁରେ ଦେଖିଥିଲୁ ।

Samadhwani Support us

ସଂନ୍ଧ୍ୟାବେଳେ ଭାଗବତ ଟୁଙ୍ଗୀରେ ଭଜନ, ଜଣାଣ, ଭାଗବତ ପାଠ ଭିତରେ ସଂସ୍କୃତି ଓ ସାଂସ୍କୃତିକ ବାତାବରଣଟି ବଞ୍ଚି ରହୁଥିଲା । ପ୍ରତିବର୍ଷ ଗାଁରେ ନାଟକ ହେଉଥିଲା । ସବୁଠାରୁ ଅଧିକ ସଂସ୍କୃତିର କେନ୍ଦ୍ର ଥିଲା ବିଦ୍ୟାଳୟ । ଜାନୁଆରୀ ୨୬, ଅଗଷ୍ଟ ପନ୍ଦରରେ ସଙ୍ଗୀତ, ଖେଳର ପ୍ରତିଯୋଗୀତା ସାଙ୍ଗକୁ ତର୍କ ପ୍ରତିଯୋଗୀତା ହେଉଥିଲା । ବର୍ଷରେ ପ୍ରାୟ ଅଧିକାଂଶ ବିଦ୍ୟାଳୟରେ ୨ଟି ନାଟକ ହେଉଥିଲା । କେଉଁଠି କେଉଁଠି ପୁଅପିଲାମାନେ ବଡ଼ ବଡ଼ ନାଟକ ବହି ମଞ୍ଚସ୍ଥ କରୁଥିବା ବେଳେ, ଝିଅମାନେ ଗୀତିନାଟ୍ୟ, ନୃତ୍ୟ ନାଟିକା ଓ ଓଡ଼ିଶୀ ନୃତ୍ୟ ପ୍ରଦର୍ଶନ କରୁଥିଲେ ।

ଏମିତି ଭାବରେ ପରିବେଶ ସାଂସ୍କୃତିକ ଥିଲା ଯେ ଆମ ଦୋଳସାହି, ରାମନାରାୟଣ ହାଇସ୍କୁଲରେ ମୋ ନାଁ ଥିଲା ଗୀତ ଝିଅ । ପାଠ ଭୂଲ କଲେ ବି ସ୍କୁଲ ହେଡ଼ମାଷ୍ଟେ( ମୋ ସମୟରେ ୧୯୮୬-୮୭ ମୋର ଅଷ୍ଟମ ଶ୍ରେଣୀ ବେଳକୁ ହେଡ଼ମାଷ୍ଟର ଥିଲେ ଅନିରୁଦ୍ଧ କବି) ବହୁତ କଡ଼ା ହୋଇଥିଲେ ବି ସଙ୍ଗୀତ ପ୍ରତି ତାଙ୍କର ଏତେ ଆଗ୍ରହ ଥିଲା ଯେ, ସେ କହୁଥିଲେ ଗୀତ ଝିଅର ଯଦି ପାଠରେ ଆଗ୍ରହ ନାହିଁ ତାକୁ କିଛି କୁହନି । ସେ ଭଲ ଗୀତ ଗାଉ ଆଉ ଆମ ସ୍କୁଲର ନାଁ ରଖୁ । ପିଲାଙ୍କ ଭିତରେ ବିଦ୍ୟାଳୟ ମାନଙ୍କରେ ମନୋବଳ ସୃଷ୍ଟି କରାଯାଉଥିଲା । ସେହି ମନୋବଳ ହିଁ ପରବର୍ତ୍ତୀ ପର୍ଯ୍ୟାୟରେ ପିଲାମାନଙ୍କୁ କୌଣସି ନିର୍ଦ୍ଦିଷ୍ଟ ଦିଗରେ ଆଗେଇବାପାଇଁ ସହଯୋଗ କରୁଥିଲା ।

ଆଜି ଆମ ଗାଁ’ ବିଦ୍ୟାଳୟରେ ଆଉ ସେ ପରିବେଶ ନାହିଁ । ବିଦ୍ୟାଳୟର କୋଠରୀ ଆହୁରି ଚିକ୍କଣ ହୋଇଯାଇଛି । ଖେଳପଡ଼ିଆର ଚାରିପଟେ କଂକ୍ରିଟ କାନ୍ଥ ଉଠିଛି କିନ୍ତୁ ବିଦ୍ୟାଳୟର ସାଂସ୍କୃତିକ ଓ ଶୈକ୍ଷିକ ବାତାବରଣରେ ଗୋଟିଏ ଆକାଶ ପାତାଳ ପରିବର୍ତ୍ତନକୁ ଅନୁଭବ କରିହେଉଛି । ଏଇଟା କେମିତି ହେଲା, କାହିଁକି ହେଲା ଓ କେତେବେଳେ ହେଲା? ଆମେ କେତେବେଳେ ନିଜ ଗାଁକୁ ଓ ନିଜ ବିଦ୍ୟାଳୟ ଗୁଡ଼ିକରୁ ତାର ଜୀବନକୁ ମରିଯିବାପାଇଁ ଦେଲୁ ନିଜେ ବି ଜାଣିପାରିଲୁ ନାହିଁ ।

ଏବେ ଆବଶ୍ୟକ ଏକ ଜାଗ୍ରତ ଅଭିଭାବକ ଶ୍ରେଣୀଙ୍କର ଯେଉଁମାନେ ନିଜ ପିଲାଦିନର ଗାଁର ପରିବେଶ ଓ ବିଦ୍ୟାଳୟର ପରିବେଶକୁ ପୁନଃର୍ଜାଗରଣ କରାଇବାପାଇଁ ଅଣ୍ଟା ଭିଡ଼ିବେ । ଏମିତିବି କିଛି ଉଦାହରଣ ଏବେ ବି ଆମେ “ଆମ ଗାଁର ଜୀବନୀ” କାର୍ଯ୍ୟକ୍ରମ ପାଇଁ ରାଜ୍ୟର ବିଭିନ୍ନ ଗାଁ ଉପରେ କାମକରିବା ଭିତରେ ପାଇଛୁ । ଅତି ଉପାନ୍ତ ଅଞ୍ଚଳରେ ଗାଁମାନଙ୍କରେ ନିଜ ଗାଁକୁ ଆଦର୍ଶ ଗାଁ ଭାବରେ ଗଢ଼ିତୋଳିବା ପାଇଁ ଉଦ୍ୟମ ଆରମ୍ଭ ହେଇଛି । ଆମେ ଆମ ଗାଁର ଜୀବନୀ କାମ କରିବା ଭିତରେ ଦେଖିଛୁ ପିଲାମାନଙ୍କ ଭିତରେ ନିଜ ଗାଁକୁ ନେଇ କିଛି କରିବାର ଇଚ୍ଛା ବହୁଗୁଣିତ ହେବାରେ ଲାଗିଛି । ଯଦି ଏହିଭଳି କିଛି ମନ୍ଥନ ସମଗ୍ର ରାଜ୍ୟର ଗାଁ ଗାଁରେ ଆରମ୍ଭ ହୁଏ ସେଦିନ ଦୂର ନାହିଁ ଆମେ ନିଜେ ଆମ ଗାଁରେ ସାଂସ୍କୃତିକ ଅଭ୍ୟୁଦୟକୁ ଦେଖିପାରିବା ଓ ଆଉ ଥରେ ଆମ ପିଲାଦିନକୁ ଆମେ ଆମ ପିଲାମାନଙ୍କୁ ଆଣିଦେଇ ପାରିବା ।

 

Photo credit – https://www.google.com/search?q=school+theater+festival&sxsrf=ALeKk03yiC-iNEpc4YCRBWG82wp2AMVFIQ:1616255889118&source=lnms&tbm=isch&sa=X&ved=2ahUKEwiS8ouxnr_vAhWKc30KHWMrDucQ_AUoAXoECAIQAw&biw=1366&bih=568#imgrc=wCbZGgncNJ8lfM

Share This Article
Editor-in-Chief, Samadhwani | Cultural Journalist || Vocal Artist | Leading the Student-Led “Village Biography/ Village History Documentation" Initiative in Odisha.