ଗୁରୁଶ୍ରେଷ୍ଠ ବନମାଳୀ ମହାରଣା

Swayamprava Parhi (Chief Editor)
1 View
3 Min Read

ଗୁରୁ ବନମାଳୀ ମହାରଣା, ଯାହାଙ୍କପାଇଁ ଜଗତଟି ଥିଲା ସଙ୍ଗୀତମୟ…ଗତ ୨୦୧୮ ନଭେମ୍ବର ୧୭ ତାରିଖରେ ଏହି ସଙ୍ଗୀତ ଜଗତରୁ ଦେହ ଅସୁସ୍ଥତା ଯୋଗୁଁ ଅନ୍ତିମ ବିଦାୟ ନେଇଛନ୍ତି । ସମଗ୍ର ଜୀବନ ସଙ୍ଗୀତ ସାଧନା ଓ ସଙ୍ଗୀତ ଶିକ୍ଷାଦାନ ପାଇଁ ସବୁକିଛି ତ୍ୟାଗର ଉଦାହରଣ ସୃଷ୍ଟି କରିଥିବାରୁ ଜୀବନର ଅନ୍ତଃରେ ଗୁରୁଶ୍ରେଷ୍ଠ ବୋଲି ପ୍ରମାଣିତ କରିଛନ୍ତି ଶ୍ରୀ ବନମାଳୀ ମହାରଣା । ବିଶ୍ଵବ୍ୟାପି ମର୍ଦ୍ଦଳର କଳାକାରିତାର ଯାଦୁ ପ୍ରଦର୍ଶନ କରିବା ପରେ ଗୁରୁଭାବେ ନିଜର ମୌଳିକ ଦାୟିତ୍ୱଟିକୁ ଶେଷ ପର୍ଯ୍ୟନ୍ତ ଭୂଲିନଥିଲେ ସେ । ନିଜ ଘରେ ସେତେବେଳେ ବିଶେଷ ସୁବିଧା ନଥାଇବି ଶିକ୍ଷାର୍ଥୀମାନଙ୍କୁ ଘରେ ରଖି ଶିକ୍ଷାଦାନ କରୁଥିଲେ । ଶିକ୍ଷାର୍ଥୀମାନଙ୍କର ନିଜ ପିଲା ଭଳି ଖାଇବା ପିିଇବା, ଭଲମନ୍ଦର ଦାୟିତ୍ୱ ନେଉଥିଲେ ।

ଅନ୍ତିମ ଯାତ୍ରା ଯାଏ ଗୁରୁର ଦାୟିତ୍ୱରୁ କେବେ ଅବ୍ୟାହତି ନେଲେନାହିଁ । ସେଥିପାଇଁ କେବଳ ସେ ଗୁରୁଶ୍ରେଷ୍ଠ ନୁହଁନ୍ତି ବରଂ ସରଳ, ନିସ୍ୱାର୍ଥପର, ପ୍ରଚାର ବିମୁଖ ଏହିସବୁ ମହାନ ଗୁଣର ଅଧିକାରୀ କଳାକାର ଗୁରୁ ସେ, ଓଡ଼ିଶମାଟିରେ ଜନ୍ମ ନେଇଥିବାରୁ ଓଡ଼ିଶା ତାଙ୍କପାଇଁ ଗର୍ବିତ ।

 କୌଣସି ମଣିଷର ବିକଳ୍ପ ଏ ଦୁନିଆରେ କେବେବି ମିଳେନି । ପ୍ରତ୍ୟେକଟି ମଣିଷ କିଛି ନିଆରା ଗୁଣ ନେଇ ଜନ୍ମଲାଭ କରିଥାଏ।ହେଲେ ଯୁଗଜନ୍ମା ସେଇମାନେ ହୁଅନ୍ତି ଯେଉଁମାନେ ସାଧନାର ମନ୍ଦିର ତିଆରି କରି ନୂଆପିଢ଼ୀଙ୍କୁ ଯୁଗ ଯୁଗ ପାଇଁ ପ୍ରେରଣା ଦିଅନ୍ତି। ଅମାୟିକ, ସରଳ ନିରାଡ଼ାମ୍ବର ଜୀବନର ଅନେକ ଉଦାହରଣ ମଧ୍ୟ ଓଡ଼ିଶା ମାଟିରେ ଗୋପବନ୍ଧୁ ଚୌଧୁରୀଙ୍କ ପରିବାର ଠାରୁ ଆରମ୍ଭ କରି ଗୋପବନ୍ଧୁ ଦାସଙ୍କ ଯାଏ ସୃଷ୍ଟି କରିଛନ୍ତି କିନ୍ତିୁ ଜଣେ କଳାକାର ଏତେଦୂର ପ୍ରଚାର ବିମୁଖ ଏବଂ ଏତେ ଅମାୟିକ ହୋଇପାରନ୍ତି ବନମାଳୀ ମହାରଣାଙ୍କୁ ନଦେଖିବା ଲୋକ ବିଶ୍ୱାସ କରିବ ନାହିଁ ।

ସେଦିନ ମୃତଶରୀରର ଶେଷ ଦର୍ଶନ ବେଳେ ତାଙ୍କର ବନ୍ଧୁ ବେହେଲା ବାଦକ ଶ୍ରୀ ଦୟାନିଧି ବେହେରାଙ୍କ ସହ ବାର୍ତ୍ତାଳାପ ବେଳେ ସେ ଯେଉଁପଦଟି ବନମାଳୀ ସାରଙ୍କ ଉଦ୍ଦେଶ୍ୟରେ କହିଥିଲେ ତାହା ଅତି ମର୍ମସ୍ପର୍ଶି । ସେ କହିଥିଲେ ଯେ, ‘ବନମାଳୀ ସାରଙ୍କ ଚାଣ୍ଟାରେ ଯେଉଁ ମାଧୁର୍ଯ୍ୟତା ଶୁଣାଯାଏ ଆଜିଯାଏ ସମଗ୍ର ବଜାଇବା ଜୀବନରେ କାହାରି ମର୍ଦ୍ଦଳର ଚାଣ୍ଟାରେ ମୁଁ ସେଇ ମାଧୁର୍ଯ୍ୟତାର ସ୍ପର୍ଶ ଶୁଣିବାକୁ ପାଇନି । “ଚାଣ୍ଟା”ଯେତେ ଶଦ୍ଦଟି ଛୋଟ ସେତେ ବିରାଟ ତା’ର ମାଧୁର୍ଯ୍ୟତାର ସାଧନା ।

Samadhwani Support us

ମନେପଡ଼େ କବିଗୁରୁ ରବିନ୍ଦ୍ରନାଥଙ୍କର ଗୋଟିଏ ପଦ;

ନିଜପାଶେ ରହି ନିଜକୁ ଖୋଜିବା ଅଟଇ ଅନେକ ଦୂର

କେଡ଼େ କଠିନ ସେ ଗୀତର ସାଧନା ସହଜ ଯାହାର ସୁର

ଗୁରୁ ବନମାଳୀ ମହାରଙ୍କ ସ୍ମୃତିଚାରଣ ସଂଗୀତ ସଂଧ୍ୟାରେ ତାଙ୍କ ସହ ଏକାଠି ବିଭିର୍ନ ସମୟରେ ବିଭିର୍ନ କାର୍ଯ୍ୟକ୍ରମରେ ଓଡିଶୀ ସଂଗୀତ ଗାୟନରେ ସାଥି ଦେଉଥିବା ମହାନ ଗାୟିକା ଶ୍ୟାମାମଣୀ ଦେବୀ ତାଙ୍କୁ ମନେପକାଇ କୋହଭରା ସମ୍ମାନ ପ୍ରଦର୍ଶନ କରିଥିଲେ ଓ କହିଲେ ସେ ଏତେବଡ କଳାକାର ଶବ୍ଦରେ ତାଙ୍କ ପାଇଁ କିଛି କହିବା ସମ୍ଭବ ନୁହଁ। ଅନେକ କଳାକାରଙ୍କ ଠାରୁ ସେହି ଗୋଟିଏ କଥା ଶୁଣାଯାଉଥିଲା ଗୁରୁ ଓ କଳାକାର ଭାବରେ ସମଗ୍ର ବିଶ୍ୱରେ ସେ ପଋଚିତ । ଓଡିଶୀ ମର୍ଦଳ କଥା ବିଶ୍ୱର ଯେଉଁଠି ଯେତେବେଳେ ଆସିବ ଗୁରୁ ବନାମାଣାଳୀ ମହାରଣା ନିଶ୍ଚୟ ସେମାନଙ୍କୁ ସ୍ମରଣ ହେବେ। ବିଶ୍ୱ ବ୍ୟାପି ନିଜର ଶିଷ୍ୟ ସୃଷ୍ଟି କରିଥିବା ଏହି ମହାନ ଗୁରୁଙ୍କ ପଦାଙ୍କ ଅନୁସରଣ ଯୁବପିଢୀକୁ ସେହି ସାଧନାର ପଥରେ ଅନେକ ବାଟ ଯିବାରେ ସହଯୋଗ କରିବ। ଖାଲି ସାଧନା ଓ କାଳର ପ୍ରଦର୍ଶନ ନୁହେଁ ଗୁରୁଙ୍କର ସବୁଠାରୁ ନିଆରା ଥିଲା ସରଳ ଅମାୟିକ ହୃଦୟ ଯାହା ସବୁବେଳେ ଦୁର୍ଲଭ। ସାଧନାରତ ପ୍ରତ୍ୟେକ କଳାକାର ଗୁରୁ ବନମାଳୀ ମହାରଣାଙ୍କର ସ୍ମୃତିଚାରଣ କଲାବେଳେ ନିଶ୍ଚୟ ଅନେକ ସୁନ୍ଦର ମୂହୂର୍ତ୍ତଗୁଡ଼ିକର ସ୍ମୃତିଚାରଣ କରିବେ । ସେହିସବୁ ସ୍ମୃତିକୁ ଏକାଠି କରି ଆଗାମୀ ପିଢ଼ିପାଇଁ କିଛି ପ୍ରେରଣାଦାୟୀ ଇତିହାସ, ସଙ୍ଗୀତ ଓ ସାହିତ୍ୟ ସୃଷ୍ଟି ହୋଇପାରିଲେ ବନମାଳୀ ମହାରଣାଙ୍କ ଗୁରୁ ହେବାର ଟେକ ରହିବ ।

ଜୀବନବ୍ୟାପି ଓଡ଼ିଶୀ ସଙ୍ଗୀତ ଓ ନୃତ୍ୟକୁ ଏକ ବଳିଷ୍ଠ ସ୍ଥାନରେ ଅବସ୍ଥାପିତ କରିବାପାଇଁ ବନମାଳୀ ସାର୍ ଯେଉଁ ନୀରବଛିନ୍ନ ଉଦ୍ୟମ କରିଚାଲିଥିଲେ ଯଦି ଓଡ଼ିଶୀକୁ ସେହି ସମ୍ମାନନୀୟ ସ୍ଥାନରେ ଅବସ୍ଥାପିତ କରିବା ଲକ୍ଷ୍ୟରେ ସମଗ୍ର ଓଡ଼ିଶାର ଭିର୍ନ ଭିର୍ନ ଅଂଚଳର ସଂଗୀତରେ ଥିବା ଅଉତ୍କର୍ଷତାକୁ ଏକାଠି କରିବାପାଇଁ ପୁଣିଥରେ ଏକ ବ୍ୟାପକ ଗବେଷଣା ଓ ପ୍ରୟାଶ ଆରମ୍ଭ ହୁଏ ତେବେ ଏହା ହିଁ ହେବ ତାଙ୍କପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ।

Share This Article
Editor-in-Chief, Samadhwani | Cultural Journalist || Vocal Artist | Leading the Student-Led “Village Biography/ Village History Documentation" Initiative in Odisha.