ଗାଁ’

ସ୍ଵୟଂପ୍ରଭା
ସ୍ଵୟଂପ୍ରଭା 280 Views
1 Min Read

ଗାଁ ଦାଣ୍ଡି ଘର ସୁନା ଧାନ ବିଲ
ଅଙ୍କାବଙ୍କା ଗାଁ ନଈ
ଭାବିଛକି କେବେ ଇତିହାସ ପ୍ରୁଷ୍ଠା
ନୀରବ କିଆଁ ତା ପାଇଁ
ହଜି ହଜି ଗଲା ଗାଁ…. ପୋଛିଲା କିଏ ତା ନାଁ

ଚାଷୀଭାଇ ଯହିଁ ଖତ ଭାର ଧରି
ବିଲମାଳ ବୁଣି ଦିଏ
ଧାନ ବିରି ମୁଗ ହରଡ କାନ୍ଦୁଲ
ସବୁଜିମା ଭରିଯାଏ
ଆଜି ହଜିଗଲା ସବୁ କିଆଁ…. ପୋଛିଲା କିଏ ତା ନାଁ

ପୋଖରୀ ତୁଠରେ ଭୂଆସୁଣୀ ବସି
ଗୋଡରେ ହଳଦି ମାଖେ
ଖିଲିପାନ ଗପ ସଞ୍ଜ ପହରର
ଗ୍ରାମଦେବୀ ପିଠେ  ବସେ
ହଜି ହଜି ଗଲା ଗାଁ…. ପୋଛିଲା କିଏ ତା ନାଁ

ଦୁଃଖିନୀ ମା’ଟି ବିଦେଶୀ ପୁଅର
ବାଟ ଜଗି ବସି ରହେ
ବେପାରୀ ଗୁମାସ୍ତା ହିସାବରେ ପକ୍କା
ସୁଧ ଖୋଜି ବୁଲିଥାଏ
ହଜି ହଜି ଗଲା ଗାଁ…. ପୋଛିଲା କିଏ ତା ନାଁ

ଗରୀବ ଝିଅର ପାଠେ ଡୋରୀ ବନ୍ଧା
ଛିଣ୍ଡା ଲୁଗା ପେଟେ ଭୋକ
ଦରବାରୁ ଦିଶେ ଦିହ ଜଳଜଳ
ଓଳିକର ଉପାବାସ
ଦୁଃଖ ତା କେହି ବୁଝନା…. ହଜି ହଜି ଗଲା ଗାଁ…

ସର୍ବନାଶ ବେଳ ଆସିଲାଣି ଜାଣ
ମେସିନ କରିବ ଚାଷ
କମ୍ପାନୀ ରାଇଜ ବିସ୍ତାର କରିବ
ଚାଷ ଚାଷୀ ହେବେ ନାଶ
ହଳ ବଳଦ ହେଲେ କିମିଆଁ….ହଜି ହଜି ଗଲା ଗାଁ…

ଜନମ ଲଭିଲି ତୋରି କୋଳରେ
ବୁଝିଲିନି ତୋର ଦୁଃଖ
ଶପଥ ନେଇଛି ଗଢିବି ଗାଁରେ
ନୂଆ ଏକ ଇତିହାସ
ଏଠି ଗଢିଉଠିବ ଜୀବନ …
ହେବ ସଂସ୍କୃତି ସମ୍ପର୍ଣ୍ଣ…ଏଇ ମୋ ମାଟି ମା
ଏଇ ମୋ ମାଟି ମା …. ଏଇ ମୋ ମାଟି ମା

Share This Article
Ms Swayamprava Parhi is a vocal artist and a cultural journalist. She is the Chief Editor of Samadhwani Cultural Magazine (www.samadhwani.com), and director of Samadrusti Mukta Vidyalaya and Samadhwani Sanskrutika Gabeshana Kendra. Swayamprava has been involved in the Village Biography Writing Initiatives with school students since 2005.She also happens to be a Documentary Filmmaker and a Pod caster.