ଆମର ସ୍ୱପ୍ନ ଓ ବାସ୍ତବତା

Swayamprava Parhi (Chief Editor)
2 Min Read

ଏକ ବିଶେଷ ଘଡ଼ିସନ୍ଧି ମୂହୂର୍ତ୍ତ ଦେଇ ଆମ ସମାଜ ଏବଂ ସାଂସ୍କୃତିକ ଜୀବନ ଗତିକରୁଛି, ଏକଥା ଅନେକ ସ୍ୱୀକାର କରିଛନ୍ତି । ଏଭଳି ସମୟରେ ବିନା ପୃଷ୍ଠପୋଷକତାରେ ବଡ଼ବଡ଼ ସ୍ୱପ୍ନ ଦେଖିବା ଓ ଲକ୍ଷ୍ୟ ରଖିବା ହୁଏତ ସମଧ୍ୱନିକୁ ଅନେକ ସମାଲୋଚନାର ପରିସରକୁ ଆଣିପାରେ । ସେଥିପାଇଁ ବି କିଛି ବ୍ୟତିବ୍ୟସ୍ଥ ହେବାର ନାହିଁ ।

ଯେଉଁ ରାସ୍ତାଟି ଦୀର୍ଘ ସ୍ଥାୟୀ ଏବଂ ଯାହା କେବଳ ଆମକୁ ଲକ୍ଷ୍ୟପଥରେ ପହଞ୍ଚାଇପାରିବ ତାହାହିଁ କରିବା ଆମର ଧର୍ମ ।

‘ସମଧ୍ୱନି’ ବିଶ୍ୱାସ କରେ, ଲୋକସଂସ୍କୃତି ଏକ ପ୍ରାକୃତିକ ଜୀବନଶୈଳୀ ସହିତ ଯୋଡ଼ିହୋଇ ରହିଥାଏ । ଯେଉଁଠି ଦୈନନ୍ଦିନ ଜୀବନର ସବୁଭଲ ମନ୍ଦ ଗୁଡ଼ିକ ସହିତ ସଂସ୍କୃତି ଜଡ଼ିତ । କ୍ଷେତ ବାଡ଼ି, ଜଙ୍ଗଲ, ଗଛ, ପାହାଡ଼, ପର୍ବତ, ଝରଣା ହେଉଛି ଏହି ସଂସ୍କୃତିର ଉତ୍ପତ୍ତି ସ୍ଥଳ । ଯେତେବେଳେ ଲୋକଟି ତା’ର ସାଂସ୍କୃତିକ ପରିବେଶରେ ଥାଏ ତାର ସଂସ୍କୃତି ହଜି ହଜି ଯିବାର ସମ୍ଭାବନାଟି ମଧ୍ୟ ନଥାଏ । ଯେତେବେଳେ ବାହାରର ଲୋକ ସେମାନଙ୍କୁ ନିଜ ପାଣିପବନ ଓ ମାଟିରୁ ଅଲଗା କରିବାପାଇଁ ଚେଷ୍ଟାକରନ୍ତି ସେତେବେଳେ ଲୋକଙ୍କ ସହିତ ସେମାନଙ୍କ ସଂସ୍କୃତି ଧ୍ୱଂସ ହୁଏ ।

ଯାହାର ଅନେକ ଗୁଡିଏ ଉଦାହରଣ ଆଜି ଓଡ଼ିଶାର ବିଭିର୍ଣ୍ଣ ଗାଁ ରେ ଆମେ ଦେଖିପାରୁଛନ୍ତି। ଲୋକ କଲା ଓ ସଂସ୍କୃତି ସୁରକ୍ଷା କରିବାର ଉଦ୍ୟମ ଅନେକ ଅର୍ଥ ବ୍ୟୟ କରି ସରକାରୀ ସ୍ତରରେ ଚାଲିଛି କିନ୍ତୁ ସାଧାରଣ କଳାକାରଟି ଏହିସବୁ ଯୋଜନାରୁ ବା ପ୍ରୋତ୍ସାହନ ରୁ କେତେଦୂର ଲାଭବାନ ହେଉଛି କାହା ପାଖରେ ହିସାବ ନାହିଁ। ସଂସ୍କୃତିର ଠିକାଦାର ମାନଙ୍କ ପାଖରେ କିନ୍ତୁ ସବୁର ଠିକ ହିସାବ ଟି ମିଳିଯାଉଛି।

Samadhwani Support us

ତେବେ ସାଧାରଣ ମଣିଷଟି ପାଖରେ ପହଂଚିବା କାମଟି ସରକାରଙ୍କ ଠାରୁ ସଂସ୍କୃତିର ସୁରକ୍ଷା ପାଇଁ ସଚେତନ ଥିବା ଲୋକେ ନିଜେ ହାତକୁ ନେଲେ ହୁଏତ ଟିକେ ସବୁକାମ ଅଧିକ ପ୍ରାସଙ୍ଗିକ ହୋଇପାରନ୍ତା ଭଳି ମନେହୁଏ। ସମଧ୍ୱନି ଏହି ଦିଗରେ କାମ କରିଚାଲିଛି ଓ ଆଗକୁ କରିବାର ଲକ୍ଷ ମଧ୍ୟ ରଖିଛି। ପ୍ରଶ୍ନ ଆସିପାରେ ଏମିତି ଏକ ସ୍ୱପ୍ନକୁ ସାକାର କରିବାପାଇଁ କେଉଁମାନେ ଆମ ସହିତ ଅଛନ୍ତି ଏବଂ ଏଥିପାଇଁ ପୁଞ୍ଜି କିଏ ଯୋଗାଇବ? ଆମେ ବାରମ୍ବାର ଗୋଟିଏ କଥା କହିବୁ ଯୁବପିଢ଼ିକୁ ସାଙ୍ଗରେ ନନେଇ କେହିବି ଭବିଷ୍ୟତ ଗଢ଼ିବା ପାଇଁ ସ୍ୱପ୍ନ ଦେଖିପାରିବାନାହିଁ ।

ଓଡ଼ିଶାର ଲକ୍ଷ ଲକ୍ଷ ଯୁବକ/ଯୁବତୀ, ଶାସ୍ତ୍ରୀୟ କଳାକାରଙ୍କଠାରୁ ଆରମ୍ଭକରି ଲୋକକଳାର କଳାକାର ଏବଂ କଳାରେ ଆଗ୍ରହ ରଖୁଥିବା ଜନଗଣ ହେବେ ଓଡ଼ିଶାର ସାଂସ୍କୃତିକ ପରିବର୍ତ୍ତନର ମୂଳ କର୍ଣ୍ଣଧାର । ଏକା ‘ସମଧ୍ୱନି’ ନୁହେଁ ‘ସମଧ୍ୱନି’ ଭଳି ଅନେକ କଳା ଓ ସାଂସ୍କୃତିକ ଅନୁଷ୍ଠାନ ଯେତେବେଳେ ଗୋଟିଏ ସ୍ୱପ୍ନକୁ ଏକାଠି ଦେଖିବେ ସେତେବେଳେ ହୁଏତ ଅସମ୍ଭବ ମନେହେଉଥିବା କଥାଟି ଲୋକଙ୍କ ଜନଜୀବନରେ ଯୋଡ଼ି ହୋଇଯିବ ।

Share This Article
Editor-in-Chief, Samadhwani | Cultural Journalist || Vocal Artist | Leading the Student-Led “Village Biography/ Village History Documentation" Initiative in Odisha.