ଶ୍ରଦ୍ଧାଞ୍ଜଳି ‘ଗୁରୁଶ୍ରେଷ୍ଠ ବନମାଳୀ ମହାରଣା’ (ଶ୍ରାଦ୍ଧ ବାର୍ଷିକୀ ଉପଲକ୍ଷେ)

Swayamprava Parhi (Chief Editor)
6 Min Read

ଗୁରୁ ବନମାଳୀ ମହାରଣା, ଗତ ୨୦୧୮ ନଭେମ୍ବର ଚାରି ତାରିଖରେ ଏହି ସଙ୍ଗୀତ ଜଗତରୁ ଅନ୍ତିମ ବିଦାୟ ନେଇ ଚାଲିଗଲେ । ସମଗ୍ର ଜୀବନ ସଙ୍ଗୀତ ସାଧନା ଓ ସଙ୍ଗୀତ ଶିକ୍ଷାଦାନ ପାଇଁ  ତ୍ୟାଗର ଉଦାହରଣ ସୃଷ୍ଟି କରିଥିଲେ ଶ୍ରୀ ବନମାଳୀ ମହାରଣା

Support Samadhwani

ଓଡ଼ିଶୀ ସଙ୍ଗୀତର ମହାନ ଗାୟିକା ଶ୍ୟାମାମଣି ଦେବୀ ବନମାଳୀ ମହାରଣାଙ୍କ ସମ୍ପର୍କରେ କୋହଭରା କଣ୍ଠରେ କହିଲେ, “ବନମାଳୀ ମହାରଣାଙ୍କ ବିଷୟରେ କ’ଣ କହିବି, ଦୀର୍ଘ ୫୦ବର୍ଷ ଧରି ତାଙ୍କର ମୋର ସମ୍ପର୍କ । ଖାଲି ସମ୍ପର୍କ ନୁହଁ ନିହାତି ଆତ୍ମୀୟତା କହିଲେ ଅତ୍ୟୁକ୍ତି ହେବନାହିଁ ।

ମୋ ସହିତ ସିଏ ବଜେଇବାର ବୋଧହୁଏ ୫୦ବର୍ଷ ପାଖାପାଖି ହୋଇଯିବ । ମର୍ଦ୍ଦଳରେ ତାଙ୍କ ଅଙ୍ଗୁଠି ଗୁଡ଼ା କଥା କହେ । ତାଙ୍କ ଟିପରୁ ଶବ୍ଦ ବାହାରେ, ଭାବ ବାହାରେ, ଲାଳିତ୍ୟ ବାହାରେ । ଯାହା ଆମେ ଓଡ଼ିଶୀ ସଙ୍ଗୀତରେ ଗାଉ ତାର ସମସ୍ତ ଭାବ ସେ ମର୍ଦ୍ଦଳ ମାଧ୍ୟମରେ ବାହାର କରି ଶ୍ରୋତାଙ୍କ ନିକଟରେ ପହଞ୍ଚାଇ ଥାନ୍ତି ।

ବନମାଳୀ ମହାରଣା ଜଣେ ଏତେ ଉଚ୍ଚକୋଟୀର କଳାକାର , ତାଙ୍କର ଛୋଟ ଛୋଟ ଅଙ୍ଗୁଠିର ଚାଳନା ଯିଏ ଦେଖିଛି, ଯିଏ ଅନୁଭବ କରିଛି, ଯିଏ ତାଙ୍କ ସହିତ ଓତଃପ୍ରୋତ ଭାବେ ମିଶିଛି ଏବଂ ବାରମ୍ବାର ପ୍ରୋଗ୍ରାମ କରିଛି, ରେକର୍ଡ଼ କରିଛି, ଗ୍ରାମଫୋନ ରେକର୍ଡ଼ କରିଛି, ସିଡ଼ି କରିଛି ମୁଁ ସେଇଥିରୁ ଗୋଟିଏ ହତଭାଗିନୀ କଳାକାର ଯିଏକି ଆଜି ତାଙ୍କୁ ହରେଇ ବସିଛି ।

Support Samadhwani

ମୁଁ ଆଉ କିଛି କହିପାରିବିନି। ମୋର କହିବାପାଇଁ ଆଉ ଭାଷା ନାହିଁ । ଆମେ କ’ଣ ସତରେ ଆଉଗୋଟେ ବନମାଳୀ ମହାରଣା ପାଇବା? ନାଁ ଆଉ ମିଳିବେନି।”

          କୌଣସି ମଣିଷର ବିକଳ୍ପ ଏ ଦୁନିଆରେ  ମିଳିବେନି । ପ୍ରତ୍ୟେକଟି ମଣିଷ କିଛି ନିଆରା ଗୁଣ ନେଇ ଜନ୍ମଲାଭ କରିଥାଏ ହେଲେ ଯୁଗଜନ୍ମା ସେଇମାନେ ହୁଅନ୍ତି ଯେଉଁମାନେ ସାଧନାର ଅସାଧାରଣ ଉଦାହରଣ ସୃଷ୍ଟି କରି ନୂଆପିଢ଼ୀଙ୍କୁ ଯୁଗ ଯୁଗ ପାଇଁ ପ୍ରେରଣା ଦେଇଥାନ୍ତି । ସେହିଭଳି ଜଣେ ଗୁରୁ ହେଉଛନ୍ତି ବନମାଳୀ ମହାରଣା ।

ତାଙ୍କର ଜଣେ ଅନ୍ୟତମ ଶିଷ୍ୟ ଧନେଶ୍ୱର ସ୍ୱାଇଁ ଗୁରୁ ବନମାଳୀ ମହାରଣାଙ୍କ ସମ୍ପର୍କରେ କହନ୍ତି ଯେ, “୧୯୭୦ ମସିହାରେ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ମର୍ଦ୍ଦଳ ବିଭାଗ ଖୋଲାହେଲା ଏବଂ ସେହି ସମୟରେ ଗୁରୁ ବନମାଳୀ ମହାରଣା ମର୍ଦ୍ଦଳ ବିଭାଗର ଅଧ୍ୟାପକ ଭାବରେ ଯୋଗଦେଲେ । ଆମେ ୧୨ଜଣ ପ୍ରଥମ ମର୍ଦ୍ଦଳ ବିଭାଗର ଛାତ୍ର ଥିଲୁ ।

୧୯୭୦ ମସିହାରୁ ଆଜିଯାଏ ତାଙ୍କ ପାଖରୁ ଶିଖିବାର ଧାରା ଚାଲିଥିଲା କିନ୍ତୁ ସେ ଆଜି ଆଉ ନାହାଁନ୍ତି । ଏତିକି କହିବି ସେ ଥିଲେ ‘ମର୍ଦ୍ଦଳର ଜଣେ ମହାନାୟକ’ । ଯଦି ମର୍ଦ୍ଦଳ ବାଦନ ପ୍ରକ୍ରିୟା କଥା ଆସେ, ତାର ତାଳ ଲୟ କଥା ଆସେ, ତାର ବାଣି କି ଭାଷା କଥା ଆସେ, ତାର କ୍ରିୟତ୍ମକ ମାର୍ଗ କି ତଥ୍ୟାତ୍ମକ ମାର୍ଗ କଥା ଆସେ ତାର ମୁଖ୍ୟ ପୁରୋଧା ହେଲେ ଗୁରୁ ବନମାଳୀ ମହାରଣା ।

ଓଡ଼ିଶୀ ନୃତ୍ୟ ଗୀତରେ ମର୍ଦ୍ଦଳ ଏକ ସୀମିତ ବାଦ୍ୟ ହୋଇ ରହିନଥିଲା । ଗାଁ’ର ପାରମ୍ପାରିକ ପର୍ବରେ ମର୍ଦ୍ଦଳ ବାଜେ, ଜାଗା ଆଖଡ଼ାରେ ମର୍ଦ୍ଦଳ ବାଜେ । କିନ୍ତୁ ସ୍ୱତନ୍ତ୍ର ଭାବରେ ମର୍ଦ୍ଦଳର ଯେଉଁ ପରିପ୍ରକାଶ ହେଲା ତାକୁ ତିଆରି କରିବା, ତାକୁ ଲୋକ ଲୋଚନକୁ ଆଣିବାରେ ମୁଖ୍ୟ ଭୂମିକା ଗୁରୁ ବନମାଳୀ ମହାରଣା ନେଇଥିଲେ । ଏଭଳି ଜଣେ ଗୁରୁଙ୍କର ଶିଷ୍ୟ  ହୋଇପାରିଥିବାରୁ ଧନ୍ୟ ହୋଇଛୁ ।

୧୯୭୦-୭୧ ମସିହାର କଥା, ସେତେବେଳେ ଗୁରୁ ବନମାଳୀ ମହାରଣା ନୂଆକରି ଅଧ୍ୟାପକ ଚାକିରୀ କରିଥାନ୍ତି । ଆମେମାନେ ଶିଷ୍ୟଥାଉ । ଦଶହରା ଛୁଟି, ଖରା ଛୁଟିରେ ପାଖରେ ପଇସା ନଥାଏ ଘରକୁ ଯିବାପାଇଁ । ଆମେ ଅପେକ୍ଷା କରିଥିବୁ ସାର୍ ଦରମା ପାଇଲେ ଆମେସବୁ ୫ଟଙ୍କା ୧୦ଟଙ୍କା ଲେଖାଏଁ ନେଇ ଘରକୁ ଯିବୁ ।

ମୁଁ ଏମିତି ୩ଥର ସାରଙ୍କ ନିକଟରୁ ଟଙ୍କା ନେଇ ଘରକୁ ଯାଇଛି । ପିଲାମାନଙ୍କୁ ଭାରି ଭଲପାଉଥିଲେ, ନିଜ ପୁଅଭଳି ଦେଖୁଥିଲେ । ସେମିତି ସମ୍ପର୍କ ବହୁତ କମ୍ ଦେଖିବାକୁ ମିଳେ । ସବୁ ଲୋକ ପାଖରେ ସେଇଟା ଦେଖିବାକୁ ମିଳେନି ।

ସେ ଜଣେ କେବଳ ଗୁରୁ ନୁହଁନ୍ତି ସେ ଜଣେ ବନ୍ଧୁ । ତାଙ୍କ ମନରେ ଗର୍ବ ଅହଂକାର କିଛି ନଥାଏ । ଏତେ ଶ୍ରଦ୍ଧା, ଏତେ ଆପଣେଇବାର ଯେଉଁ ମନୋବୃତ୍ତି ତାଙ୍କର ଥିଲା ସେଥିପାଇଁ ଖୁବ ଭଲ ମଣିଷଟିଏ ହୋଇ ରହିଲେ ଏବଂ ଯାହା ସେ ପ୍ରତିଷ୍ଠା କରିଦେଇ ଚାଲିଗଲେ ତାହା ନିଶ୍ଚିତ ଭାବରେ ଅମର ହୋଇ ରହିବ ।

          ଅମାୟିକ, ସରଳ ନିରାଡ଼ାମ୍ବର ଜୀବନର ଅନେକ ଉଦାହରଣ ମଧ୍ୟ ଓଡ଼ିଶା ମାଟିରେ ଅଛି କିନ୍ତୁ ଜଣେ କଳାକାର ଏତେଦୂର ପ୍ରଚାର ବିମୁଖ ଏବଂ ଏତେ ଅମାୟିକ ହୋଇପାରନ୍ତି ବନମାଳୀ ମହାରଣାଙ୍କୁ ନ ଦେଖିଲେ କେବେ ବିଶ୍ୱାସ କରିହେବ ନାହିଁ ।

ସେଦିନ ମୃତ ଶରୀରର ଶେଷ ଦର୍ଶନବେଳେ ତାଙ୍କର ବନ୍ଧୁ ବେହେଲା ବାଦକ ଶ୍ରୀ ଦୟାନିଧି ବେହେରାଙ୍କ ସହ ବାର୍ତ୍ତାଳାପ ବେଳେ ସେ ଯେଉଁପଦଟି ବନମାଳି ସାରଙ୍କ ଉଦ୍ଦେଶ୍ୟରେ କହିଥିଲେ ତାହା ଅତି ମର୍ମସ୍ପର୍ଶି ।

ସେ କହିଥିଲେ ଯେ, ‘ବନମାଳୀ ସାରଙ୍କ ଚାଣ୍ଟାରେ ଯେଉଁ ମାଧୁର୍ଯ୍ୟତା ଶୁଣାଯାଏ ଆଜିଯାଏ ସମଗ୍ର ବଜାଇବା ଜୀବନରେ କାହାରି ମର୍ଦ୍ଦଳର ଚାଣ୍ଟାରେ ମୁଁ ସେଇ ମାଧୁର୍ଯ୍ୟତାର ସ୍ପର୍ଶ ଶୁଣିବାକୁ ପାଇନି ।

          ତାଙ୍କର ଆଉଜଣେ ଶିଷ୍ୟ ନିରଞ୍ଜନ ପାତ୍ର ଯିଏକି ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ଅଧ୍ୟାପନା କଲାପରେ ଏବେ ଅବସର ଗ୍ରହଣ କରିଛନ୍ତି ତାଙ୍କ ମତରେ, “ ଗୁରୁ ବନମାଳୀ ମହାରଣା ବହୁତ ପାଠ ପଢ଼ି ନାହାଁନ୍ତି କିନ୍ତୁ ତାଙ୍କର ଛୋଟ ଛୋଟ ଅଙ୍ଗୁଠି ମାଧ୍ୟମରେ ସେ କଥା କୁହନ୍ତି ।

ସଂଯୁକ୍ତା ପାଣିଗ୍ରାହୀ ହୁଅନ୍ତୁ କି ସୋନାଲ ମାନସିଂ ହୁଅନ୍ତୁ କି ଅରୁଣା ରାୟ ହୁଅନ୍ତୁ ସମସ୍ତଙ୍କ ସହ ସେ ଦେଶ ବିଦେଶ ଯାଇ ଅନେକ କାର୍ଯ୍ୟକ୍ରମରେ ଭାଗ ନେଇଛନ୍ତି । ଏତେ ଦେଶ ସେ ଯାଇଛନ୍ତି ଯେ ଆମେ ବି ହିସାବ ରଖିନୁ ।

ବନମାଳୀ ସାର ଡ଼୍ୟାନସର ମାନଙ୍କର ଗୋଡ଼ ଦେଖିକି ବଜାନ୍ତି । ଡ଼୍ୟାନସର ମାନଙ୍କର ଷ୍ଟେଜ୍ ଉପରେ ପଦାଙ୍କ ଅନୁସରଣ କରନ୍ତି । ଷ୍ଟେଜରୁ ଆସିବା ପରେ ବାହାରେ ଡ଼୍ୟାନ୍ସରମାନେ ତାଙ୍କର ପଦାଙ୍କ ଅନୁସରଣ କରନ୍ତି ।

ବିଭିନ୍ନ ବିଷୟରେ ସେମାନେ ସାରଙ୍କଠାରୁ ପରାମର୍ଶ ନିଅନ୍ତି । ଆପଣ ଦେଖିବେ ଗୁରୁ ବନମାଳୀ ମହାରଣା ଯେତିକି ଛାତ୍ର ଛାତ୍ରୀ ତିଆରି କରିଛନ୍ତି ସେମାନେ ସମଗ୍ର ବିଶ୍ୱରେ  ବ୍ୟାପିକି ରହିଛନ୍ତି ।

ଏମିତି ଅନେକ ଗୁରୁ, କଳାକାର, ଶିଷ୍ୟମାନଙ୍କର ସ୍ମୃତିକୁ ଏକାଠି କରି ଆଗାମୀ ପିଢ଼ିପାଇଁ କିଛି ପ୍ରେରଣାଦାୟୀ ଇତିହାସ, ସାହିତ୍ୟ, ବୃତ୍ତଚିତ୍ର ସୃଷ୍ଟି କରାଯାଇପାରିଲେ ବନମାଳୀ ମହାରଣାଙ୍କ ମହାନ କାର୍ଯ୍ୟଟି ବଂଚି ରହିବ ।

ଏହାଛଡ଼ା ଜୀବନବ୍ୟାପି ଓଡ଼ିଶୀ ଗୀତ, ନୃତ୍ୟ ଓ ବାଦ୍ୟକୁ ଏକ ବଳିଷ୍ଠ ସ୍ଥାନରେ ଅବସ୍ଥାପିତ କରିବାପାଇଁ ବନମାଳୀ ମହାରଣା ଯେଉଁ ନୀରବଛିନ୍ନ ଉଦ୍ୟମ କରିଚାଲିଥିଲେ ଯଦି ଓଡ଼ିଶୀକୁ ସେହି ସମ୍ମାନନୀୟ ସ୍ଥାନରେ ଅବସ୍ଥାପିତ କରିବା ଉଦ୍ଦେଶ୍ୟରେ ଏକ ମିଳିତ ଉଦ୍ୟମ ଆରମ୍ଭ କରି ଆହୁରି ବ୍ୟାପକ ଭାବରେ ସମଗ୍ର ଓଡ଼ିଶାର ବିଭିନ୍ନ ଅଞ୍ଚଳର ସାଂସ୍କୃତିକ ବୈଭବକୁ ଏହି ପ୍ରକ୍ରିୟାରେ ସାମିଲ କରିବାପାଇଁ ପ୍ରୟାସ କରାଯାଏ ତେବେ ଏହା ହିଁ ହେବ ତାଙ୍କପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ।

Photo credit –

https://www.google.com/search?q=guru+banamali+maharana&source=lnms&tbm=isch&sa=X&ved=0ahUKEwjg9_i7ocXfAhXE_aQKHc4GCIMQ_AUIESgE&biw=1366&bih=626#imgrc=ncDfRE8oV3Fb3M:

Share This Article
ସ୍ଵୟଂପ୍ରଭା ପାଢ଼ୀ, ମୁଖ୍ୟ ସମ୍ପାଦକ, ସମଧ୍ୱନି | ସଂସ୍କୃତି ସାମ୍ବାଦିକ | କଣ୍ଠଶିଳ୍ପୀ | ଛାତ୍ରଛାତ୍ରୀଙ୍କ ସହଯୋଗରେ ଓଡ଼ିଶାରେ ଚାଲିଥିବା ଆମ ଗାଁ, ଆମ ଜୀବନ ବା ଗାଁ ଇତିହାସ ଆନ୍ଦୋଳନର ନେତୃତ୍ଵ ନେଉଛନ୍ତି / Editor-in-Chief, Samadhwani | Cultural Journalist & Vocal Artist | Leading the Student-Led “Our Village, Our Life” - Village History Movement in Odisha She has been working closely with noted organic farmer Sri Natabar Sarangi since 2008 in the Narisho/Niali areas and documenting his childhood memories, life experiences and food history of coastal Odisha.