‘ଠିକ୍ ଠିକ୍ କିଡ଼ି ଠାକ୍’ ଏ ଶବ୍ଦ ଆଜିର ମୋବାଇଲ୍ ରୁ ଭାସି ଆସୁଥିବା ଶବ୍ଦ ନୁହେଁ, କି ଟେପ୍ ବା ଡିଜିଟାଲ ସାଉଣ୍ଡର ଶବ୍ଦ ନୁହେଁ । ଏ ହେଉଛି ଦାସକାଠିଆ ଲୋକକଳାର ବିରଳ ଧ୍ୱନି, ଯାହା ୪୦ବର୍ଷ ଆଗରୁ ପୂର୍ବ ଛତିଶଗଡ଼ ଏବଂ ଓଡ଼ିଶାର ପୂରପଲ୍ଲୀରେ ପ୍ରତିଭା ସୃଷ୍ଟି କରିଥିବା ଜଣେ କଳାକାରଙ୍କର, ନାଁ’ଟି ତାଙ୍କର ରବିନାରାୟଣ ମିଶ୍ର । ପିତାଙ୍କର ନାମ ବିପିନ୍ ବିହାରୀ ମିଶ୍ର, ମାତାଙ୍କର ନାମ ବିଷ୍ଣୁପ୍ରିୟା ମିଶ୍ର । ଜନ୍ମସ୍ଥାନ ହେଉଛି ବଡ଼ବର୍ଡ଼ା କଟା,ଯାହା ସୋନପୁର ଜିଲ୍ଲାରେ ଅବସ୍ଥିତ । ୧୯୪୨ମସିହା ମଇମାସ ୧୦ତାରିଖରେ ତାଙ୍କର ଜନ୍ମ ।
ଛୋଟ ଗାଁ’ଟିଏ ବଡ଼ବଡ଼ା । ଆଜକୁ ୬୦ବର୍ଷ ତଳେ ଗ୍ରାମ୍ୟ ଜୀବନ ଓ ଗ୍ରାମ୍ୟ ପରିବେଶ ଗୋଟିଏ ଅଲଗା କଥା ଥିଲା । ସେଥିରେ ପୁଣି ଗ୍ରାମ୍ୟର ସାଂସ୍କୃତିକ କାର୍ଯ୍ୟକ୍ରମ ଅତି ନିଆରା । ରବିନାରାୟଣଙ୍କର ବାପା ଗାଁ’ର ନାଟକ ଦଳକୁ ନାଟକ ଶିଖାଉଥିଲେ । ସେ ଥିଲେ ଗାଁ’ର ନାଟ୍ୟଗୁରୁ । ଯୁବକମାନଙ୍କୁ ନେଇ ସେ ସମୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ହେଉଥିଲା । ନାଟ୍ୟ ନିର୍ଦ୍ଦେଶନା ତାଙ୍କର ନିଶା, ପେଶା ଥିଲା ପୁରାଣ ଗାନ କରିବା ।
ଯୁବ ବନ୍ଧୁମାନଙ୍କର ମନୋମାଳିନ୍ୟରେ ନାଟ୍ୟଦଳଟି ଭାଙ୍ଗିଗଲା । ସଙ୍ଗଠନ ବିନା ଆଉ ଆଗକୁ ଚାଲିଲା ନାହିଁ । ରବିଙ୍କର ବୟସ ସେତେବେଳେ ୧୧ବର୍ଷ । ଥରେ ସେ ପାଖ ଗାଁ ଲୁଥୁରପଙ୍କକୁ ରଥଯାତ୍ରା ଦେଖିବାକୁ ଯାଇଥାନ୍ତି ବାପାଙ୍କ ସହିତ । ରଥଯାତ୍ରା ଉପଲକ୍ଷେ ଚାଲିଥାଏ ‘ଦାସକାଠିଆ’ । ଏହି ସାଂସ୍କୃତିକ କାର୍ଯ୍ୟକ୍ରମରେ କିନ୍ତୁ ପ୍ରବଳ ଭିଡ଼ । ଛୋଟଛୁଆ ଥିବାରୁ ସୁବିଧାରେ ଦେଖିବା ସମ୍ଭବ ହେଉ ନଥାଏ ତାଙ୍କୁ । ଜନଗହଳିରେ କୌଣସି ମତେ ଏକ ଫାଙ୍କା ଜାଗାରୁ ନିଜର ଦୁଇହାତରେ ଏଡ଼ାଇ ଦେଇ ଦାସକାଠିଆ କଳାକୁ ଜୀବନରେ ପ୍ରଥମଥର ପାଇଁ ଦେଖିବାର ସୁଯୋଗ ପାଇଲେ । ଦେଖିବା ପରେ ତାଙ୍କ ମୁଣ୍ଡରେ ଅନେକ ପ୍ରକାର କଥା ଜାତ ହେଲା ।
ପ୍ରଥମେ ଦେଖିଲେ ଯେ, ମାତ୍ର ତିନିଜଣରେ ଏହା ହେଉଛି ଏବଂ ଅତି ସୁନ୍ଦର ଗୀତ, ନାଚ, ନୃତ୍ୟର ସମାଗମ ତା ଭିତରେ ଅଛି । ନାଟକରେ ଦରକାର ପଡ଼ୁଥିବା ବ୍ୟକ୍ତିସମୂହ, ନାଟ୍ୟ ସାମଗ୍ରୀ ଅପେକ୍ଷା ଅଳ୍ପ ଖର୍ଚ୍ଚରେ ଏହା ଚାଲିଛି । ଜଟିଳ ନାଟକ କାର୍ଯ୍ୟକ୍ରମଠୁ ଏହା ତାଙ୍କୁ ଭିନ୍ନ ଏବଂ ସହଜଲାଗିଲା । ତେଣୁ ଗାଁରେ ପୂର୍ଣ୍ଣଛେଦ ପଡ଼ିଥିବା ନାଟକ ବଦଳରେ ଦାସକାଠିଆ କଳାକୁ ଆରମ୍ଭ କରିବାର ଉକ୍ରଣ୍ଠା ଜାତ ହେଲା ରବିଙ୍କର । ଦିନକୁ ଦିନ ଏହା ତାଙ୍କୁ ଏତେ ପ୍ରଭାବିତ କଲା ଯେ, ପୁଅର ଶିଖିବା ଜିଦରେ ପୂରାଣଗାୟକ ବାପା ହାର ମାନିଲେ । ନିଜେ ଗାୟକ ଥିବାରୁ ସମସ୍ତ ରସ, ରାଗ, ଛାନ୍ଦ ଆଦିରେ ଧିରେ ଧିରେ ପୁଅକୁ ଶିଖାଇବାକୁ ଲାଗିଲେ । ପ୍ରଥମେ ବାଉଁଶର ଛୋଟ ଛୋଟ କାଠି ତିଆରି କରି ସେଥିରେ ଝୁମୁକା ଦେଇ ନିଜ ବାସଭବନରେ ବାପାଙ୍କ ଆଗରେ ଗୀତଗାଇ ନାଚିବା ଆରମ୍ଭ କଲେ । ନିରନ୍ତର ହସ୍ତଚାଳନାର ଅଭ୍ୟାସରେ କାଠିକୁ ଠିକ୍ ଭାବରେ ବଜାଇ ପାରିବାରୁ ଏହି କଳାରେ ଶେଷରେ ସେ ପାସ୍ ହେଲେ ।
ନିଜେ ଦାସକାଠିଆର ଗୁରୁ କଳାକାର ହୋଇ ଆଉ ନିଜ ଦୁଇ ଭାଇଙ୍କୁ ସାଥି କଳାକାର ଭାବରେ ନେଇ ‘ରେଢ଼଼ାଖୋଲର ରେଙ୍ଗାଳି ଗାଁରେ ‘ଲାଖବିନ୍ଧା’ ଚରିତ୍ର ପରିବେଷଣ କରି ଆବାଳ ବୃଦ୍ଧବନିତାଙ୍କୁ ଚମକାଇ ଦେଇଥିଲେ । ସେତେବେଳେ ତାଙ୍କୁ ମିଳିଥିଲା ମାତ୍ର ୧୮ପଇସା । ତା ଥିଲା କଳାକାରଙ୍କ ପ୍ରଥମ ରଙ୍ଗମଞ୍ଚର ପ୍ରଥମ ରଜନୀ ।
ତା’ପରେ ସେ ଆଉ ପଛକୁ ଚାହିଁନାହାନ୍ତି । ଗୋଟିଏ ପରେ ଗୋଟିଏ ଗାଁ ଓ ନଗରର ମଞ୍ଚ ତାଙ୍କୁ ଅପେକ୍ଷା କରିବସିଥିଲା ବୋଧହୁଏ । ଓଡ଼ିଶାର ଅନୁଗୁଳ, ସମ୍ବଲପୁର, ବରଗଡ଼, ବଲାଙ୍ଗୀର, ଦେବଗଡ଼, ପୁରୀ, ନୂଅାଁପଡ଼ା, ସୋନପୁର, ଗଞ୍ଜାମ, କଳାହାଣ୍ଡି, ପୂର୍ବ ଛତିଶଗଡ଼, ରାୟପୁର, ରାଏଗଡା ଆଦି ଜିଲ୍ଲାରେ ନିଜ କଳାର ପାରିଦର୍ଶିତା ଦେଖାଇଛନ୍ତି ।
୧୯୫୮ମସିହା ଫେବୃୟାରୀ ୨୧ତାରିଖରେ ବଡ଼ବଡ଼ାକଣ୍ଟା ଠାରେ ବହୁ ଦର୍ଶକଙ୍କ ଗହଳିରେ ଦାସକାଠିଆ ପରିବେଷଣ କରିଥିବାରୁ ସେଠାରେ ଉପସ୍ଥିତ ଥିବା ସ୍ଥାନୀୟ ବି.ଡ଼ି.ଓ ତାଙ୍କୁ ମାନପତ୍ର ସହ ଏକ ପେଟ୍ରୋମାକ୍ସ ଲାଇଟ ପୁରସ୍କାର ଦେଇଥିଲେ । ୧୯୮୩ମସିହାର କଥା- ରାଏଗଡ଼ାର ଗଡଉମରିଆ ଗ୍ରାମରେ କାର୍ଯ୍ୟକ୍ରମ ହେବାକୁ ଥାଏ । ସମୟ ରାତ୍ର ୭.୩୦ମି ହେବ । କମିଟିର ନିର୍ଦ୍ଦେଶ କ୍ରମେ ହଠାତ୍ ଦାସକାଠିଆ କଳାର ମଧୂର ଶବ୍ଦ ଠିକ୍ଠାକ୍ ଓ ଗଙ୍ଗାଧରଙ୍କ ପଦ୍ୟାବୃର୍ତ୍ତି ଆରମ୍ଭ ହେଲା । କିଛି ଦର୍ଶକଙ୍କ ବ୍ୟତୀତ ଅନ୍ୟମାନେ କଳା ପରିବେଷଣର ସଠିକ୍ ସମୟ ଜାଣି ନଥିଲେ । କିଏ ରାତ୍ରିଭୋଜନ କରିନଥାଏ, କିଏ ଖାଇବା ଅବସ୍ଥାରେ ତ କେଉଁମାନେ ଖାଇପିଇ ବାସନ ମଜାମୁଜିରେ ଲାଗିଥାନ୍ତି । ଅପ୍ରସ୍ତୁତ ସମୟରେ ଦର୍ଶକ ସାଜି ଦୀର୍ଘ ୬ଘଣ୍ଟା ରହିଗଲେ ଗାଁ ଲୋକେ । ବ୍ରାହ୍ମଣ ସମାଜ ଓ ଉଚ୍ଚଶିକ୍ଷିତବର୍ଗଙ୍କ ଜାଗା ହେଉଛି ଗଡ଼ଉମରିଆ । ସକାଳ ପାଇବାମାତ୍ରେ ବହୁ ପ୍ରଶଂସିତ ହେଲେ ରବି ନାରାୟଣ ମିଶ୍ର । ଏହି ମଞ୍ଚଟି କଳାକାରଙ୍କର ଅତି ସ୍ମରଣୀୟ । ସେଠି ଥିବାବେଳେ ଦେଖଣାହାରିଙ୍କ ଆଗ୍ରହ, ଅନୁରୋଧ ଏବଂ କରତାଳିରେ ୬ଘଣ୍ଟା କଟିଗଲା ।
ବରପାଲି ହେଉଛି କଳା, ସାହିତ୍ୟ ଓ ସଂସ୍କୃତର ଗନ୍ତାଘର । ସେଇଠି ସେ ଦୀର୍ଘ ୨୫ରାତ୍ରି ଦାସକାଠିଆ ମଞ୍ଚସ୍ଥ କରି ସେ ଅଞ୍ଚଳରେ ଇତିହାସ ରଚନା କରିଥିଲେ । ଆଉ ଥରେ ସେହି ଜାଗାରେ ପଶ୍ଚିମ ଓଡ଼ିଶାର ସାଂସ୍କୃତିକ ପରିଷଦ ତରଫରୁ କଳା ପରିବେଷଣ ପାଇଁ ୧୯୮୩ ମାର୍ଚ୍ଚ ମାସ ୫ ତାରିଖରେ ନାଟ୍ୟକାର ଭଗବାନ ସାହୁଙ୍କଠାରୁ ମାନପତ୍ର ପାଇଥିଲେ ।
ହୀରାକୁଦ ନଦୀବନ୍ଧର ପାଦ ଦେଶରେ ବଳରସପୁର ଗାଁରେ ୧୩ଟି ରାତ୍ରି କାର୍ଯ୍ୟକ୍ରମ ପାଇଁ କଳାକାର କି ଦୁଃଖ ପାଇଛନ୍ତି । ସେଠାରେ ଜାଳେଣି ଅଭାବରୁ ଖାଦ୍ୟ ତିଆରି ହୋଇପାରୁନଥାଏ । ଶେଷରେ ଏକ କୈବର୍ତ୍ତ ଘରେ ମୁଢ଼ି ଓ ଚା ପିଇ ୪ଦିନ କଟାଇଦେଲେ । ୧୯୭୭ମସିହା ଜୁନ୍ ୧୭ତାରିଖରେ ଉଚ୍ଚକୋଟିର ଲୋକକଳା ପ୍ରଦର୍ଶନ କରି କୋଲରାଠାରେ ବି.ଡ଼ି.ଓଙ୍କଠାରୁ ଉଚ୍ଚ ପ୍ରଶଂସିତ ହୋଇ ପ୍ରଶଂସାପତ୍ର ପାଇଥିଲେ । ସୁନ୍ଦରଗଡ଼ର ବଇଣ୍ଡା କଲେଜ, ସଇତଳାର ପଞ୍ଚାୟତ କଲେଜ ଲରମ୍ଭାର ଲରମ୍ଭା କଲେଜ ଓ ବିଭିନ୍ନ ସ୍କୁଲମାନଙ୍କରେ ଏହି ଲୋକକଳାର ନିଖୁଣ ପ୍ରଦର୍ଶନ ପାଇଁ ମାନପତ୍ର ପାଇଥିଲେ । ୧୯୬୩ ମସିହାରେ ବଲାଙ୍ଗୀର ଜିଲ୍ଲା ପରିଷଦର ତକ୍ରାଳୀନ ଅଧ୍ୟକ୍ଷ ସପ୍ନେଶ୍ୱର ମିଶ୍ର ତାଙ୍କୁ ଅସଲ କଳାକାର ଭାବରେ ମାନପତ୍ର ପ୍ରଦାନ କରିଥିଲେ । ସାଥି କଳାକାର ନମିଳିବା ହେତୁ ସେ ନିଜେ ୧୭ବର୍ଷ କାଳ ଏକା ଦାସକାଠିଆ ମଞ୍ଚସ୍ଥ କରିଥିଲେ । ଏହା ଦେଖି ଅନେକଙ୍କୁ ଆଶ୍ଚର୍ଯ୍ୟ ଲାଗେ ।
ତାଙ୍କପାଇଁ ବଡ଼ ଦୁଃଖର କଥାଥିଲା ସେ ଯେଉଁଦିନ ରେଡ଼ିଓ ଷ୍ଟେସନରେ ଅଡ଼ିସନ୍ ଦେବାପାଇଁ ଉପସ୍ଥିତ ହେବା କଥା ସେଦିନରେ ତାଙ୍କର ବିବାହଲଗ୍ନ ସ୍ଥିର ହୋଇଗଲା, ଅଡ଼ିସନ୍ ଦେବାକୁ ଯାଇପାରିଲେ ନାହିଁ । ଅନ୍ୟଦିନ ଯିବାର ସୁଯୋଗ ମଧ୍ୟ ଜୁଟିପାରିଲା ନାହିଁ ତାଙ୍କ ଭାଗ୍ୟରେ । ମୋଟର ସାଇକେଲ, ଜିପ୍, ବସ, ଯାନବାହାନାର ବିଶେଷ ସୁବିଧା ନଥିବାବେଳେ ରାସ୍ତାର ମଧ୍ୟ ସେ ସମୟରେ ଉନ୍ନତି ହୋଇନଥାଏ । ତେଣୁ କଳାକାର ସେ ସମୟରେ ନିଜ ସାଇକେଲ୍ ସାହାରାରେ ଯାଉଥିଲେ ବିଭିନ୍ନ ସ୍ଥାନକୁ କଳା ପ୍ରଦର୍ଶନ କରିବାପାଇଁ । ଶହ ଶହ କି.ମି. ଦିନରେ ଯାଇ ରାତ୍ରରେ ମଞ୍ଚରେ ଛିଡ଼ା ହେଉଥିଲେ ସେ ।
ଏ ବିରଳ କଳାର ପ୍ରତିଭା ଓ ଝାଳବୁହା ଯାତ୍ରା ଆଜିକାଲିର ଯୁବ ସମାଜରେ କମ୍ ଦେଖିବାକୁ ମିଳେ । ଓଡ଼ିଶାର ବଣ-ପାହାଡ଼, ଜଙ୍ଗଲ, ସିଙ୍ଗଡ଼ା ଘାଟି, ବଡ଼ରମା ଘାଟି, ପିପିର୍ଡ଼ାଘାଟି ଦେଇ ସେ ବଞ୍ଚାଇ ରଖିଥିଲେ ଏହି କଳାକୁ । ରସମୟ, ଛନ୍ଦମୟ ସାତ୍ତ୍ୱିକ ଗୀତର ଏହି ଲୋକକଳା ଆଜି ହଜିଯିବାକୁ ବସିଛି ।
ଚନ୍ଦ୍ରାବତୀ ହରଣ, ଚନ୍ଦ୍ରକଳାହରଣ, ସୂର୍ଯ୍ୟକାନ୍ତିହରଣ, ଦ୍ରୈପଦୀ ହରଣ, ରାମଚରିତ୍ର ସମ୍ପୂର୍ଣ୍ଣ ମହାଭାରତ ଓ ରାମାୟଣ କଥା ତଥା ଗଙ୍ଗାଧର ମେହେର, ଉପେନ୍ଦ୍ରଭଞ୍ଜ, ଅଭିମନ୍ୟୁ ସାମନ୍ତସିଂହାର, ଆଦି କବିଙ୍କର ପୁରାଣ ବର୍ଣ୍ଣିତ କଥାବସ୍ତୁର ଚରିତ୍ର ଚିତ୍ରଣ କଳା ମାଧ୍ୟମରେ ହୁଏତ ଲୋକେ ଆଉ ଶୁଣିବାକୁ ପାଇବେନି । କେତେ ସମ୍ମାନ, ମାନପତ୍ର, ପ୍ରଶଂସାପତ୍ର କଳାକାରଙ୍କ ହାତକୁ ଅଜାଡ଼ି ଦିଆହୋଇଛି । ତା ବଦଳରେ ତାଙ୍କୁ ମିଳିଛି କ’ଣ?
ଏହି ଲୋକକଳାକୁ ପ୍ରତିଷ୍ଠା କରାଇବା ପାଇଁ ତାଙ୍କର ଉଦ୍ୟମ ସେଇଠି ଅଟକିଯାଇଛି । ସମାଜ ବଦଳିବା ସହିତ କଳାର ପରିଭାଷା ବି ବଦଳିଯାଇଛି । ପ୍ରଚାର ଅଭିମୁଖି କଳା ଏବଂ କଳାକାରଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ସେଇମାନେ ହିଁ ଆଜି ଉଦାହରଣ ହୋଇପାରୁଛନ୍ତି । ଉଭୟ ନିଶା ଓ ପେସା କରିଥିବା ଏହି ଦାସକାଠିଆ କଳାକାର ପ୍ରଥମେ ୧୮ପଇସାରୁ ଶେଷକୁ ୪୦୦ଟଙ୍କା ପର୍ଯ୍ୟନ୍ତ ପାରିଶ୍ରମିକ ପାଇଛନ୍ତି । ବର୍ତ୍ତମାନ ହାତ ଠିକ୍ ଚଳୁନି, କାନକୁ ଶୁଭୁନି ଭଲରେ । କେବେ କେବେ ନିରୋଳା ଓ ନିରାଡ଼ମ୍ବର ପରିବେଶରେ ବାସଭବନରେ ନିଜ ପତ୍ନୀଙ୍କ ସହିତ ମନ ନମାନିଲେ ବାହାର କରନ୍ତି ସେହି ସାଇତା କାଠିକୁ ବଜାଇ ଚାଲନ୍ତି ‘ଠିକ୍ ଠାକ୍ ଠିକ୍ ଠାକ୍’ ଶବ୍ଦରେ । ତା’ରି ଭିତରେ ନିଜେ ଜିଅଁନ୍ତି ଆଉ ଅନ୍ୟମାନଙ୍କୁ ଜିଇଁବାର ରାସ୍ତାଟି ଖୋଜିବା ପାଇଁ ପ୍ରେରଣା ଦିଅନ୍ତି ।