ଦାସକାଠିଆ କଳାକାର : ରବିନାରାୟଣ ମିଶ୍ର

ଯୁଦ୍ଧିଷ୍ଟିର ମେହେର 323 Views
8 Min Read

[box type=”info” align=”” class=”” width=””]ଲୋକକଳାକୁ ଏଯାଏଁ ବଞ୍ଚାଇ ରଖିଆସିଥିବା ଲୋକମାନଙ୍କ ସଂଖ୍ୟା ଧିରେ ଧିରେ କମିବାରେ ଲାଗିଛି । ସବୁଠାରୁ ଅବହେଳା ଅବସ୍ଥାରେ ରହିଛି ଲୋକମାନଙ୍କ ଭିତରେ ବଂଚି ରହିଆସିଥିବା ସାଂସ୍କୃତିକ ମାଧ୍ୟମଗୁଡ଼ିକ । ଦାସକାଠିଆ ସେ ଭିତରୁ ଗୋଟିଏ । ଆଜି ଯେଉଁମାନେ ଏହି ମାଧ୍ୟମକୁ ଲୋକମାନଙ୍କ ଭିତରେ ଏଯାଏଁ ବଞ୍ଚାଇ ରଖିଆସିଛନ୍ତି ସେମାନେ ନିଜେ ବଂଚିବା ତାଙ୍କ ପାଇଁ ସବୁଠାରୁ ବଡ଼ ଆହ୍ୱାନ ହୋଇଯାଇଛି, ଯେହେତୁ ଗୋଷ୍ଠୀଗତ ଜୀବନର ପୃଷ୍ଠପୋଷକତା ଏଭଳି ଏକ ମାଧ୍ୟମ ପାଇଁ ଆଉ ଦେଖିବାକୁ ମିଳୁନାହିଁ। ଏଠାରେ ଆଲୋଚିତ ରବିନାରାୟଣ ମିଶ୍ରଙ୍କର ଜୀବନକୁ ଦେଖି ଏହି ସାଂସ୍କୃତିକ ମାଧ୍ୟମକୁ କେମିତି ଜୀବିତ କରି ରଖାଯାଇପାରିବ ତାହା ଆମ ସମସ୍ତଙ୍କ ପାଇଁ ଏକ ଆହ୍ୱାନ ।[/box]  – ସମ୍ପାଦକ

‘ଠିକ୍ ଠିକ୍ କିଡ଼ି ଠାକ୍’ ଏ ଶବ୍ଦ ଆଜିର ମୋବାଇଲ୍ ରୁ ଭାସି ଆସୁଥିବା ଶବ୍ଦ ନୁହେଁ, କି ଟେପ୍ ବା ଡିଜିଟାଲ ସାଉଣ୍ଡର ଶବ୍ଦ ନୁହେଁ । ଏ ହେଉଛି ଦାସକାଠିଆ ଲୋକକଳାର ବିରଳ ଧ୍ୱନି, ଯାହା ୪୦ବର୍ଷ ଆଗରୁ ପୂର୍ବ ଛତିଶଗଡ଼ ଏବଂ ଓଡ଼ିଶାର ପୂରପଲ୍ଲୀରେ ପ୍ରତିଭା ସୃଷ୍ଟି କରିଥିବା  ଜଣେ କଳାକାରଙ୍କର, ନାଁ’ଟି ତାଙ୍କର ରବିନାରାୟଣ ମିଶ୍ର । ପିତାଙ୍କର ନାମ ବିପିନ୍ ବିହାରୀ ମିଶ୍ର, ମାତାଙ୍କର ନାମ ବିଷ୍ଣୁପ୍ରିୟା ମିଶ୍ର । ଜନ୍ମସ୍ଥାନ ହେଉଛି ବଡ଼ବର୍ଡ଼ା କଟା,ଯାହା ସୋନପୁର ଜିଲ୍ଲାରେ ଅବସ୍ଥିତ । ୧୯୪୨ମସିହା ମଇମାସ ୧୦ତାରିଖରେ ତାଙ୍କର ଜନ୍ମ ।

ଛୋଟ ଗାଁ’ଟିଏ ବଡ଼ବଡ଼ା । ଆଜକୁ ୬୦ବର୍ଷ ତଳେ ଗ୍ରାମ୍ୟ ଜୀବନ ଓ ଗ୍ରାମ୍ୟ ପରିବେଶ ଗୋଟିଏ ଅଲଗା କଥା ଥିଲା । ସେଥିରେ ପୁଣି ଗ୍ରାମ୍ୟର ସାଂସ୍କୃତିକ କାର୍ଯ୍ୟକ୍ରମ ଅତି ନିଆରା । ରବିନାରାୟଣଙ୍କର ବାପା ଗାଁ’ର ନାଟକ ଦଳକୁ ନାଟକ ଶିଖାଉଥିଲେ । ସେ ଥିଲେ ଗାଁ’ର ନାଟ୍ୟଗୁରୁ । ଯୁବକମାନଙ୍କୁ ନେଇ ସେ ସମୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ହେଉଥିଲା । ନାଟ୍ୟ ନିର୍ଦ୍ଦେଶନା ତାଙ୍କର ନିଶା, ପେଶା ଥିଲା ପୁରାଣ ଗାନ କରିବା ।

ଯୁବ ବନ୍ଧୁମାନଙ୍କର ମନୋମାଳିନ୍ୟରେ ନାଟ୍ୟଦଳଟି ଭାଙ୍ଗିଗଲା । ସଙ୍ଗଠନ ବିନା ଆଉ ଆଗକୁ ଚାଲିଲା ନାହିଁ । ରବିଙ୍କର ବୟସ ସେତେବେଳେ ୧୧ବର୍ଷ । ଥରେ ସେ ପାଖ ଗାଁ ଲୁଥୁରପଙ୍କକୁ ରଥଯାତ୍ରା ଦେଖିବାକୁ ଯାଇଥାନ୍ତି ବାପାଙ୍କ ସହିତ । ରଥଯାତ୍ରା ଉପଲକ୍ଷେ ଚାଲିଥାଏ ‘ଦାସକାଠିଆ’ । ଏହି ସାଂସ୍କୃତିକ କାର୍ଯ୍ୟକ୍ରମରେ କିନ୍ତୁ ପ୍ରବଳ ଭିଡ଼ । ଛୋଟଛୁଆ ଥିବାରୁ ସୁବିଧାରେ ଦେଖିବା ସମ୍ଭବ ହେଉ ନଥାଏ ତାଙ୍କୁ । ଜନଗହଳିରେ କୌଣସି ମତେ ଏକ ଫାଙ୍କା ଜାଗାରୁ ନିଜର ଦୁଇହାତରେ ଏଡ଼ାଇ ଦେଇ ଦାସକାଠିଆ କଳାକୁ ଜୀବନରେ ପ୍ରଥମଥର ପାଇଁ ଦେଖିବାର ସୁଯୋଗ ପାଇଲେ । ଦେଖିବା ପରେ ତାଙ୍କ ମୁଣ୍ଡରେ ଅନେକ ପ୍ରକାର କଥା ଜାତ ହେଲା ।

ପ୍ରଥମେ ଦେଖିଲେ ଯେ, ମାତ୍ର ତିନିଜଣରେ ଏହା ହେଉଛି ଏବଂ ଅତି ସୁନ୍ଦର ଗୀତ, ନାଚ, ନୃତ୍ୟର ସମାଗମ ତା ଭିତରେ ଅଛି । ନାଟକରେ ଦରକାର ପଡ଼ୁଥିବା ବ୍ୟକ୍ତିସମୂହ, ନାଟ୍ୟ ସାମଗ୍ରୀ ଅପେକ୍ଷା ଅଳ୍ପ ଖର୍ଚ୍ଚରେ ଏହା ଚାଲିଛି । ଜଟିଳ ନାଟକ କାର୍ଯ୍ୟକ୍ରମଠୁ ଏହା ତାଙ୍କୁ ଭିନ୍ନ ଏବଂ ସହଜଲାଗିଲା । ତେଣୁ ଗାଁରେ ପୂର୍ଣ୍ଣଛେଦ ପଡ଼ିଥିବା ନାଟକ ବଦଳରେ ଦାସକାଠିଆ କଳାକୁ ଆରମ୍ଭ କରିବାର ଉକ୍ରଣ୍ଠା ଜାତ ହେଲା ରବିଙ୍କର । ଦିନକୁ ଦିନ ଏହା ତାଙ୍କୁ ଏତେ ପ୍ରଭାବିତ କଲା ଯେ, ପୁଅର ଶିଖିବା ଜିଦରେ ପୂରାଣଗାୟକ ବାପା ହାର ମାନିଲେ । ନିଜେ ଗାୟକ ଥିବାରୁ ସମସ୍ତ ରସ, ରାଗ, ଛାନ୍ଦ ଆଦିରେ ଧିରେ ଧିରେ ପୁଅକୁ ଶିଖାଇବାକୁ ଲାଗିଲେ । ପ୍ରଥମେ ବାଉଁଶର ଛୋଟ ଛୋଟ କାଠି ତିଆରି କରି ସେଥିରେ ଝୁମୁକା ଦେଇ ନିଜ ବାସଭବନରେ ବାପାଙ୍କ ଆଗରେ ଗୀତଗାଇ ନାଚିବା ଆରମ୍ଭ କଲେ । ନିରନ୍ତର ହସ୍ତଚାଳନାର ଅଭ୍ୟାସରେ କାଠିକୁ ଠିକ୍ ଭାବରେ ବଜାଇ ପାରିବାରୁ ଏହି କଳାରେ ଶେଷରେ ସେ ପାସ୍ ହେଲେ ।

ନିଜେ ଦାସକାଠିଆର ଗୁରୁ କଳାକାର ହୋଇ ଆଉ ନିଜ ଦୁଇ ଭାଇଙ୍କୁ ସାଥି କଳାକାର ଭାବରେ ନେଇ ‘ରେଢ଼଼ାଖୋଲର ରେଙ୍ଗାଳି ଗାଁରେ ‘ଲାଖବିନ୍ଧା’ ଚରିତ୍ର ପରିବେଷଣ କରି ଆବାଳ ବୃଦ୍ଧବନିତାଙ୍କୁ ଚମକାଇ ଦେଇଥିଲେ । ସେତେବେଳେ ତାଙ୍କୁ ମିଳିଥିଲା ମାତ୍ର ୧୮ପଇସା । ତା ଥିଲା କଳାକାରଙ୍କ ପ୍ରଥମ ରଙ୍ଗମଞ୍ଚର ପ୍ରଥମ ରଜନୀ ।

ତା’ପରେ ସେ ଆଉ ପଛକୁ ଚାହିଁନାହାନ୍ତି । ଗୋଟିଏ ପରେ ଗୋଟିଏ ଗାଁ ଓ ନଗରର ମଞ୍ଚ ତାଙ୍କୁ ଅପେକ୍ଷା କରିବସିଥିଲା ବୋଧହୁଏ । ଓଡ଼ିଶାର ଅନୁଗୁଳ, ସମ୍ବଲପୁର, ବରଗଡ଼, ବଲାଙ୍ଗୀର, ଦେବଗଡ଼, ପୁରୀ, ନୂଅାଁପଡ଼ା, ସୋନପୁର, ଗଞ୍ଜାମ, କଳାହାଣ୍ଡି, ପୂର୍ବ ଛତିଶଗଡ଼, ରାୟପୁର, ରାଏଗଡା ଆଦି ଜିଲ୍ଲାରେ ନିଜ କଳାର ପାରିଦର୍ଶିତା ଦେଖାଇଛନ୍ତି ।

୧୯୫୮ମସିହା ଫେବୃୟାରୀ ୨୧ତାରିଖରେ ବଡ଼ବଡ଼ାକଣ୍ଟା ଠାରେ ବହୁ ଦର୍ଶକଙ୍କ ଗହଳିରେ ଦାସକାଠିଆ ପରିବେଷଣ କରିଥିବାରୁ ସେଠାରେ ଉପସ୍ଥିତ ଥିବା ସ୍ଥାନୀୟ ବି.ଡ଼ି.ଓ ତାଙ୍କୁ ମାନପତ୍ର ସହ ଏକ ପେଟ୍ରୋମାକ୍ସ ଲାଇଟ ପୁରସ୍କାର ଦେଇଥିଲେ । ୧୯୮୩ମସିହାର କଥା- ରାଏଗଡ଼ାର ଗଡଉମରିଆ ଗ୍ରାମରେ କାର୍ଯ୍ୟକ୍ରମ ହେବାକୁ ଥାଏ । ସମୟ ରାତ୍ର ୭.୩୦ମି ହେବ । କମିଟିର ନିର୍ଦ୍ଦେଶ କ୍ରମେ ହଠାତ୍ ଦାସକାଠିଆ କଳାର ମଧୂର ଶବ୍ଦ ଠିକ୍ଠାକ୍ ଓ ଗଙ୍ଗାଧରଙ୍କ ପଦ୍ୟାବୃର୍ତ୍ତି ଆରମ୍ଭ ହେଲା । କିଛି ଦର୍ଶକଙ୍କ ବ୍ୟତୀତ ଅନ୍ୟମାନେ କଳା ପରିବେଷଣର ସଠିକ୍ ସମୟ ଜାଣି ନଥିଲେ । କିଏ ରାତ୍ରିଭୋଜନ କରିନଥାଏ, କିଏ ଖାଇବା ଅବସ୍ଥାରେ ତ କେଉଁମାନେ ଖାଇପିଇ ବାସନ ମଜାମୁଜିରେ ଲାଗିଥାନ୍ତି । ଅପ୍ରସ୍ତୁତ ସମୟରେ ଦର୍ଶକ ସାଜି ଦୀର୍ଘ ୬ଘଣ୍ଟା ରହିଗଲେ ଗାଁ ଲୋକେ । ବ୍ରାହ୍ମଣ ସମାଜ ଓ ଉଚ୍ଚଶିକ୍ଷିତବର୍ଗଙ୍କ ଜାଗା ହେଉଛି ଗଡ଼ଉମରିଆ । ସକାଳ ପାଇବାମାତ୍ରେ ବହୁ ପ୍ରଶଂସିତ ହେଲେ ରବି ନାରାୟଣ ମିଶ୍ର । ଏହି ମଞ୍ଚଟି କଳାକାରଙ୍କର ଅତି ସ୍ମରଣୀୟ । ସେଠି ଥିବାବେଳେ ଦେଖଣାହାରିଙ୍କ ଆଗ୍ରହ, ଅନୁରୋଧ ଏବଂ କରତାଳିରେ ୬ଘଣ୍ଟା କଟିଗଲା ।

ବରପାଲି ହେଉଛି କଳା, ସାହିତ୍ୟ ଓ ସଂସ୍କୃତର ଗନ୍ତାଘର । ସେଇଠି ସେ ଦୀର୍ଘ ୨୫ରାତ୍ରି ଦାସକାଠିଆ ମଞ୍ଚସ୍ଥ କରି ସେ ଅଞ୍ଚଳରେ ଇତିହାସ ରଚନା କରିଥିଲେ । ଆଉ ଥରେ ସେହି ଜାଗାରେ ପଶ୍ଚିମ ଓଡ଼ିଶାର ସାଂସ୍କୃତିକ ପରିଷଦ ତରଫରୁ କଳା ପରିବେଷଣ ପାଇଁ ୧୯୮୩ ମାର୍ଚ୍ଚ ମାସ ୫ ତାରିଖରେ ନାଟ୍ୟକାର ଭଗବାନ ସାହୁଙ୍କଠାରୁ ମାନପତ୍ର ପାଇଥିଲେ ।

ହୀରାକୁଦ ନଦୀବନ୍ଧର ପାଦ ଦେଶରେ ବଳରସପୁର ଗାଁରେ ୧୩ଟି ରାତ୍ରି କାର୍ଯ୍ୟକ୍ରମ ପାଇଁ କଳାକାର କି ଦୁଃଖ ପାଇଛନ୍ତି । ସେଠାରେ ଜାଳେଣି ଅଭାବରୁ ଖାଦ୍ୟ ତିଆରି ହୋଇପାରୁନଥାଏ । ଶେଷରେ ଏକ କୈବର୍ତ୍ତ ଘରେ ମୁଢ଼ି ଓ ଚା ପିଇ ୪ଦିନ କଟାଇଦେଲେ । ୧୯୭୭ମସିହା ଜୁନ୍ ୧୭ତାରିଖରେ ଉଚ୍ଚକୋଟିର ଲୋକକଳା ପ୍ରଦର୍ଶନ କରି କୋଲରାଠାରେ ବି.ଡ଼ି.ଓଙ୍କଠାରୁ ଉଚ୍ଚ ପ୍ରଶଂସିତ ହୋଇ ପ୍ରଶଂସାପତ୍ର ପାଇଥିଲେ । ସୁନ୍ଦରଗଡ଼ର ବଇଣ୍ଡା କଲେଜ, ସଇତଳାର ପଞ୍ଚାୟତ କଲେଜ ଲରମ୍ଭାର ଲରମ୍ଭା କଲେଜ ଓ ବିଭିନ୍ନ ସ୍କୁଲମାନଙ୍କରେ ଏହି ଲୋକକଳାର ନିଖୁଣ ପ୍ରଦର୍ଶନ ପାଇଁ ମାନପତ୍ର ପାଇଥିଲେ । ୧୯୬୩ ମସିହାରେ ବଲାଙ୍ଗୀର ଜିଲ୍ଲା ପରିଷଦର ତକ୍ରାଳୀନ ଅଧ୍ୟକ୍ଷ ସପ୍ନେଶ୍ୱର ମିଶ୍ର ତାଙ୍କୁ ଅସଲ କଳାକାର ଭାବରେ ମାନପତ୍ର ପ୍ରଦାନ କରିଥିଲେ । ସାଥି କଳାକାର ନମିଳିବା ହେତୁ ସେ ନିଜେ ୧୭ବର୍ଷ କାଳ ଏକା ଦାସକାଠିଆ ମଞ୍ଚସ୍ଥ କରିଥିଲେ । ଏହା ଦେଖି ଅନେକଙ୍କୁ ଆଶ୍ଚର୍ଯ୍ୟ ଲାଗେ ।

ତାଙ୍କପାଇଁ ବଡ଼ ଦୁଃଖର କଥାଥିଲା ସେ ଯେଉଁଦିନ ରେଡ଼ିଓ ଷ୍ଟେସନରେ ଅଡ଼ିସନ୍ ଦେବାପାଇଁ ଉପସ୍ଥିତ ହେବା କଥା ସେଦିନରେ ତାଙ୍କର ବିବାହଲଗ୍ନ ସ୍ଥିର ହୋଇଗଲା, ଅଡ଼ିସନ୍ ଦେବାକୁ ଯାଇପାରିଲେ ନାହିଁ । ଅନ୍ୟଦିନ ଯିବାର ସୁଯୋଗ ମଧ୍ୟ ଜୁଟିପାରିଲା ନାହିଁ ତାଙ୍କ ଭାଗ୍ୟରେ । ମୋଟର ସାଇକେଲ, ଜିପ୍, ବସ, ଯାନବାହାନାର ବିଶେଷ ସୁବିଧା ନଥିବାବେଳେ ରାସ୍ତାର ମଧ୍ୟ ସେ ସମୟରେ ଉନ୍ନତି ହୋଇନଥାଏ । ତେଣୁ କଳାକାର ସେ ସମୟରେ ନିଜ ସାଇକେଲ୍ ସାହାରାରେ ଯାଉଥିଲେ ବିଭିନ୍ନ ସ୍ଥାନକୁ କଳା ପ୍ରଦର୍ଶନ କରିବାପାଇଁ । ଶହ ଶହ କି.ମି. ଦିନରେ ଯାଇ ରାତ୍ରରେ ମଞ୍ଚରେ ଛିଡ଼ା ହେଉଥିଲେ ସେ ।

ଏ ବିରଳ କଳାର ପ୍ରତିଭା ଓ ଝାଳବୁହା ଯାତ୍ରା ଆଜିକାଲିର ଯୁବ ସମାଜରେ କମ୍ ଦେଖିବାକୁ ମିଳେ । ଓଡ଼ିଶାର ବଣ-ପାହାଡ଼, ଜଙ୍ଗଲ, ସିଙ୍ଗଡ଼ା ଘାଟି, ବଡ଼ରମା ଘାଟି, ପିପିର୍ଡ଼ାଘାଟି ଦେଇ ସେ ବଞ୍ଚାଇ ରଖିଥିଲେ ଏହି କଳାକୁ । ରସମୟ, ଛନ୍ଦମୟ ସାତ୍ତ୍ୱିକ ଗୀତର ଏହି ଲୋକକଳା ଆଜି ହଜିଯିବାକୁ ବସିଛି ।

ଚନ୍ଦ୍ରାବତୀ ହରଣ, ଚନ୍ଦ୍ରକଳାହରଣ, ସୂର୍ଯ୍ୟକାନ୍ତିହରଣ, ଦ୍ରୈପଦୀ ହରଣ, ରାମଚରିତ୍ର ସମ୍ପୂର୍ଣ୍ଣ ମହାଭାରତ ଓ ରାମାୟଣ କଥା ତଥା ଗଙ୍ଗାଧର ମେହେର, ଉପେନ୍ଦ୍ରଭଞ୍ଜ, ଅଭିମନ୍ୟୁ ସାମନ୍ତସିଂହାର, ଆଦି କବିଙ୍କର ପୁରାଣ ବର୍ଣ୍ଣିତ କଥାବସ୍ତୁର ଚରିତ୍ର ଚିତ୍ରଣ କଳା ମାଧ୍ୟମରେ ହୁଏତ ଲୋକେ ଆଉ ଶୁଣିବାକୁ ପାଇବେନି । କେତେ ସମ୍ମାନ, ମାନପତ୍ର, ପ୍ରଶଂସାପତ୍ର କଳାକାରଙ୍କ ହାତକୁ ଅଜାଡ଼ି ଦିଆହୋଇଛି । ତା ବଦଳରେ ତାଙ୍କୁ ମିଳିଛି କ’ଣ?

ଏହି ଲୋକକଳାକୁ ପ୍ରତିଷ୍ଠା କରାଇବା ପାଇଁ ତାଙ୍କର ଉଦ୍ୟମ ସେଇଠି ଅଟକିଯାଇଛି । ସମାଜ ବଦଳିବା ସହିତ କଳାର ପରିଭାଷା ବି ବଦଳିଯାଇଛି । ପ୍ରଚାର ଅଭିମୁଖି କଳା ଏବଂ କଳାକାରଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ସେଇମାନେ ହିଁ ଆଜି ଉଦାହରଣ ହୋଇପାରୁଛନ୍ତି । ଉଭୟ ନିଶା ଓ ପେସା କରିଥିବା ଏହି ଦାସକାଠିଆ କଳାକାର ପ୍ରଥମେ ୧୮ପଇସାରୁ ଶେଷକୁ ୪୦୦ଟଙ୍କା ପର୍ଯ୍ୟନ୍ତ ପାରିଶ୍ରମିକ ପାଇଛନ୍ତି । ବର୍ତ୍ତମାନ ହାତ ଠିକ୍ ଚଳୁନି, କାନକୁ ଶୁଭୁନି ଭଲରେ । କେବେ କେବେ ନିରୋଳା ଓ ନିରାଡ଼ମ୍ବର ପରିବେଶରେ ବାସଭବନରେ ନିଜ ପତ୍ନୀଙ୍କ ସହିତ ମନ ନମାନିଲେ ବାହାର କରନ୍ତି ସେହି ସାଇତା କାଠିକୁ ବଜାଇ ଚାଲନ୍ତି ‘ଠିକ୍ ଠାକ୍ ଠିକ୍ ଠାକ୍’ ଶବ୍ଦରେ । ତା’ରି ଭିତରେ ନିଜେ ଜିଅଁନ୍ତି ଆଉ ଅନ୍ୟମାନଙ୍କୁ ଜିଇଁବାର ରାସ୍ତାଟି ଖୋଜିବା ପାଇଁ ପ୍ରେରଣା ଦିଅନ୍ତି ।

Share This Article
ସାମ୍ବାଦିକ
Exit mobile version