Home / ଅଡ଼ିଓ ଭିଡିଓ / କୁଚିପାଲିର “ଜୁଗାର ଯାତ୍ରା” : ସଂସ୍କୃତିରେ ନୂତନ ଦୃଷ୍ଟିଭଙ୍ଗୀ

କୁଚିପାଲିର “ଜୁଗାର ଯାତ୍ରା” : ସଂସ୍କୃତିରେ ନୂତନ ଦୃଷ୍ଟିଭଙ୍ଗୀ

Share Samadhwani

ଲୋକ ସଂସ୍କୃତି ଭିତରେ ସମୟକ୍ରମେ, ଆକସ୍ମିକ ସଂସ୍କୃତି ଅଧାରିତ ପର୍ବ-ପର୍ବାଣୀ ଗୁଡ଼ିକ ସଂଲଗ୍ନିତ ହୋଇ ଏକ ନୂତନ ସ୍ୱୀକୃତି ପାଇଯାଆନ୍ତି । ଏଇ ପରିପ୍ରେକ୍ଷୀରେ ବରଗଡ଼ ଜିଲ୍ଲାର କୁଚିପାଲି ଗାଆଁର “ଜୁଗାର ଯାତ୍ରା ” ହେଉଛି ଏକ ପ୍ରକୃଷ୍ଟ ଉଦାହରଣ ।

“ଜୁଗାର” ହେଉଛି ଲିଆ (ଖଇ) ଓ ଗୁଡ଼ରେ ପ୍ରସ୍ତୁତ ଦେଉଳ ବା ମନ୍ଦିର ଆକୃତିର ଲଡ଼ୁ, ଯାହାକି ଦେବାଦେବୀଙ୍କ ପୂଜାମହୋତ୍ସବରେ ଭୋଗ ଆକାରରେ ବ୍ୟବହୃତ ହୋଇଥାଏ ।

ଅନ୍ୟ ଦୃଷ୍ଟିରୁ ବିଶ୍ଲେଷଣ କରିଲେ ଗୋଟିଏ ସ୍ପଷ୍ଟ ଚିତ୍ର ଦେଖିବାକୁ ମିଳେ ଯେ, କୁତ୍ସିତ ବଳି ପ୍ରଥା ବିରୁଦ୍ଧରେ ସ୍ୱର ଉତ୍ତୋଳନ ବା ପ୍ରତିବାଦ ର ସାଙ୍କେତିକ ଉପସ୍ଥାପନା ଭାବେ କେତୋଟି ସ୍ୱତନ୍ତ୍ର ଦ୍ରବ୍ୟ ଧାର୍ମିକ କାର୍ଯ୍ୟକଳାପ ଭିତରେ ଦେଖାଯାଉଛି ।

ଏହି କ୍ରମରେ “କୁଷ୍ମାଣ୍ଡ”, “କାକରା”, ଭିନ୍ନ ଭିନ୍ନ ଫୁଲ ଫଳ ଇତ୍ୟାଦି ଦେବାଦେବୀଙ୍କୁ ଅର୍ପଣ କରାଯାଉଛି ସନ୍ତୁଷ୍ଟିକରଣ ପାଇଁ ବା ନିଜର ମାନସିକ ପୂରଣ ହେବା ଆଶାରେ ।

ଏହି ପରିପ୍ରେକ୍ଷୀରେ ମାଁ କାଳୀଙ୍କ ଠାରେ “ଜୁଗାର”କୁ ଅର୍ପଣ କରାଯିବାରୁ ହିଁ କୁଚିପାଲିର “ଜୁଗାର ଯାତ୍ରା” ସୃଷ୍ଟି ।

କୁହାଯାଇଥାଏ ଯେ, ଅଶୀ ଦଶକରେ ଗୋଟିଏ ଦମ୍ପତି ମାଁ କାଳୀଙ୍କ ଠାରେ ଅର୍ଦ୍ଦଳି କରି କହିଥିଲେ  ଯେ “ତାଙ୍କର ଯଦି କିଛି ସନ୍ତାନ ସନ୍ତତି ଜାତ ହୁଅନ୍ତି ତା’ ହେଲେ ସେମାନେ ତାଙ୍କୁ ଏକ “ଜୁଗାର” ଭୋଗଭାବେ ଅର୍ପଣ କରିବେ ।”

ପ୍ରକୃତରେ ମାଁ କାଳୀ ସେମାନଙ୍କର ପ୍ରାର୍ଥନା ଶୁଣିଲେ । ସେମାନଙ୍କର ପରବର୍ତ୍ତୀ ବର୍ଷରେ ସନ୍ତାନଟିଏ  ଲାଭ ହେଲା । ଏହି ଘଟଣା ସମୟକ୍ରମେ ଏକ ଲୋକବିଶ୍ୱସରେ ପରିଣତ ହୋଇଗଲା ।

ଅଶୀ ଦଶକରୁ ଏ ପର୍ଯ୍ୟନ୍ତ ଲୋକେ କୁଚିପାଲିର କାଳୀପୂଜା ଅବସରରେ ବିଭିନ୍ନ ମାନସିକ ଆଧାରରେ “ଜୁଗାର” ଭୋଗ ରୂପେ ଅର୍ପଣ କରି ଆସୁଛନ୍ତି । ଅବ୍ୟଶ୍ୟ ସମୟର ଗତି ସହିତ ଏହା ପରମ୍ପରାରେ ପରିଣତ ହୋଇଯାଇଛି ।

ସମୟ କ୍ରମରେ ଏଥି ସହିତ “ଜୁଗାର ପ୍ରସ୍ତୁତି ପ୍ରଣାଳୀର ପରିପାଟୀ ମଧ୍ୟ ବଦଳି ଯାଇଛି । ଏପରିକି ୨୦ ଫୁଟ ଉଚ୍ଚତାଯାଏ “ଜୁଗାର ପ୍ରସ୍ତୁତ କରାଯାଇଛି । ଏଇ ଜୁଗାରରେ ଫାଳ ନଡ଼ିଆ, ଗୋଲମରିଚ ଏବଂ ଅନ୍ୟାନ୍ୟ ଦ୍ରବ୍ୟ ମଧ୍ୟ ବ୍ୟବହାର କରାଯାଉଛି । ଜୁଗାର ପ୍ରସ୍ତୁତ କରିବା ପଇଁ ସ୍ୱତନ୍ତ୍ର କାରିଗର ରହିଛନ୍ତି । ବଜାରରେ ବିଭିନ୍ନ ଆକୃତିର ଛାଞ୍ଚ ମିଳୁଛି । “ଜୁଗାର”ଗୁଡ଼ିକ ଜରି, ଫୁଲ, କନା ଓ ରଙ୍ଗୀନ କାଗଜରେ ସୁସଜ୍ଜିତ କରାଯାଉଛି ।

ବିଶେଷତ୍ୱ ଏଇ ଯେ, “ଜୁଗାର ଗୁଡ଼ିକ ନେଇ ଏକ ଆକର୍ଷଣୀୟ ଶୋଭାଯାତ୍ରା ପ୍ରତିବର୍ଷ ଅନୁଷ୍ଠିତ  ହୋଇ ଆସୁଛି । ଲୋକ ନୃତ୍ୟ, ଆଧୁନିକ ନୃତ୍ୟ ଏବଂ ଭିନ୍ନ ଭିନ୍ନ ଶୈଳୀର ସାଂସ୍କୃତିକ ଦଳ ଏଇ ଶୋଭାଯାତ୍ରାରେ ସାମିଲ ହୋଇଥାନ୍ତି । ଆଶ୍ଚର୍ଯ୍ୟର ବିଷୟ ଯେ ଏଥର ଏଇ ଧରଣର ଶୋଭାଯାତ୍ରାରେ ୫୦୦ଟି  “ଜୁଗାର” ସାମିଲ ହୋଇଥିଲେ ।

“ଜୁଗାର” ଗୁଡ଼ିକୁ ଲୋକେ କାନ୍ଧରେ ବହନ କରିଥିବା ବେଳେ, କେତୋଟି ଜୁଗାର ଯାନବାହନରେ ସୁନ୍ଦର ଭାବେ ସଜ୍ଜିତ ହୋଇ ଶୋଭାଯାତ୍ରରେ ଯାଉଥିଲେ ।

ଏଇ ଜୁଗାର ଯାତ୍ରାର ଅନ୍ୟ ଏକ ବିଶେଷତ୍ୱ ହେଉଛି ହିନ୍ଦୁ ଓ ମୁସଲମାନଙ୍କ ଭିତରେ ରହିଥିବା ଭାଇଚାରାର ନିଦର୍ଶନ । ଉଭୟ ସଂପ୍ରାଦୟ ମିଳିତ ଭାବେ ପରିଚାଳନା କମିଟୀରେ ରହି “ଜୁଗାର” ଯାତ୍ରାକୁ ଜାତୀୟ ସ୍ତର “ମିଡ଼ିଆ”ରେ ପହଂଚାଇବା ପାଇଁ ସମର୍ଥନ ହୋଇଛନ୍ତି ।

ପ୍ରକୃତରେ ବଳିପ୍ରଥା ବିରୁଦ୍ଧରେ କୁଚିପାଲିର “ଜୁଗାର ଯାତ୍ରା” ହେଉଛି ଏକ ବିଶେଷ ବାର୍ତ୍ତା ବହନ କରୁଥିବା ଲୋକପର୍ବ ।


Share Samadhwani
Support Samadhwani

About ଅଶୋକ ବହିଦାର

ବିଶିଷ୍ଟ ନାଟ୍ୟ ନିର୍ଦ୍ଦେଶକ, କଳାକାର, ଲୋକ କାଳର ଗବେଷକ

Check Also

ଗୁରୁ ଶ୍ରୀ ରାମଚନ୍ଦ୍ର ମହାନ୍ତିଙ୍କ ସହ ସାକ୍ଷାତକାର

Share Samadhwaniଗୁରୁ ଶ୍ରୀ ରାମଚନ୍ଦ୍ର ମହାନ୍ତି ଓଡ଼ିଶାର ଜଣେ ଲବ୍ଧ ପ୍ରତିଷ୍ଠିତ ବେହେଲା ବାଦକ ଓ ଗୁରୁ I ନାମଟି …

One comment

  1. ଓଡିଶା କ୍ରିଏଟିଭ ଗ୍ରୁପ

    ବଳିପ୍ରଥା ବିରୁଦ୍ଧରେ କୁଚିପାଲିର “ଜୁଗାର ଯାତ୍ରା” ପ୍ରବନ୍ଧ ଅତ୍ୟନ୍ତ ଶିକ୍ଷଣୀୟ ମନେହେଉଛି l ନାଟ୍ୟକାର ଅଶୋକ ବହିଦାରଙ୍କୁ ଏଥିପାଇଁ ଅନେକ ଅନେକ ଧନ୍ୟବାଦ l ଲୋକ କଲା ସଂସ୍କୃତି ସମ୍ପର୍କରେ ଏହିଭଳି ଲେଖା ଓ ବିଶ୍ଳେଷଣ ପାଇଁ ସମଧ୍ୱନି ଅତ୍ୟନ୍ତ ପ୍ରୟୋଜନୀୟ ମନେହୁଏl