ଭାରତ ଲୀଳା

ଓଡ଼ିଶାର ଗଂଜାମଜିଲ୍ଲା ଭାରତଲୀଳା ନିମନ୍ତେ ପ୍ରସିଦ୍ଧି ଅର୍ଜନ କରିବାରେ ସକ୍ଷମ ହୋଇଥିଲେ ସୁଦ୍ଧା ଏହାର ସୃଷ୍ଟି ଗଂଜାମର ସାଂସ୍କୃତିକ ପୃଷ୍ଠଭୂମିରେ ହୋଇନଥିଲା

ଅଜିତ କୁମାର ମୁନୀ
ଅଜିତ କୁମାର ମୁନୀ 388 Views
40 Min Read

  ଓଡ଼ିଶାର ଲୋକ ନାଟକ ପରମ୍ପରାରେ ଭାରତଲୀଳା ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ହାସଲ କରିବାରେ ସକ୍ଷମ ହୋଇପାରିଛି । ଗଂଜାମ ଜିଲ୍ଲା ଏବଂ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲାମାନଙ୍କରେ ଏହି ଲୀଳା ଦେଖିବାପାଇଁ ମିଳିଥାଏ । ଗଂଜାମ ଜିଲ୍ଲାରେ ବହୁଳ ଭାବରେ ଭାରତ ଲୀଳା ପ୍ରଚଳିତ ଥିଲେବି ଏହି ଲୀଳାର ସୃଷ୍ଟି ସ୍ଥାନ ପ୍ରାଚୀନ ରେଙ୍ଗୁନ ବା ମିଆଁମାର୍ର ବୋଲି ଲୋକନାଟକର ଗୁରୁମାନେ କୁହନ୍ତି । ଏହି ଲୋକନାଟକଟି ସାରଳା ଦାସଙ୍କ ରଚିତ ମହାଭାରତର ମଧ୍ୟପର୍ବ ଆଧାରରେ ସୃଷ୍ଟି ହୋଇଛି । ଭାରତଲୀଳା ସମ୍ପର୍କରେ ଏକ ଗବେଷଣାତ୍ମକ ନିବନ୍ଧ ଏଠାରେ ଉପସ୍ଥାପନ କରିଛନ୍ତି ଲୋକନାଟକ ଗବେଷକ ତଥା ଓଡ଼ିଆ ଅଧ୍ୟାପକ ଅଜିତ କୁମାର ମୁନୀ । ସମଧ୍ୱନି ପୃଷ୍ଠାରେ ସେ ଧାରାବାହିକ ଭାବରେ ଓଡ଼ିଶାର କେତୋଟି ଲୋକ ନାଟକ ପରମ୍ପରା ସମ୍ପର୍କରେ ଉପସ୍ଥାପନ କରିଛନ୍ତି । ତାଙ୍କର ସମସ୍ତ ଲେଖା ଗବେଷଣା ଧର୍ମୀ, ତଥ୍ୟ ଓ ସାକ୍ଷାତକାର ସମ୍ବଳିତ । –  ସମ୍ପାଦକ

 

ଉପକ୍ରମ :

ଓଡ଼ିଶାର ଲୋକ ନାଟକ ଓ ପାରମ୍ପରିକ ଲୋକନାଟକ ଜଗତରେ ଲୀଳା ନାଟ୍ୟପରମ୍ପରାର ସ୍ଥାନ ସ୍ୱତନ୍ତ୍ର ଅଟେ । ଓଡ଼ିଶାର ସାଂସ୍କୃତିକ ପୃଷ୍ଠଭୂମିରେ ବିଭିନ୍ନ ପ୍ରକାର ଲୀଳା ନାଟକ ଦେଖିବାକୁ ମିଳେ । ସେ ସବୁର ପରିବେଷଣ ଧାରା ଶହ ଶହ ବର୍ଷ ଧରି ଆଜି ପର୍ଯ୍ୟନ୍ତ ଚାଲିଆସିଛି । ସେଗୁଡ଼ିକ ହେଲା ଯଥା- ୧) ରାମଲୀଳା, ୨) କୃଷ୍ଣଲୀଳା, ୩) ରାସଲୀଳା, ୪) ରାଧାପ୍ରେମ ଲୀଳା, ୫) ଭାରତଲୀଳା । ଏ ସମସ୍ତ ଲୀଳାମାନଙ୍କ ମଧ୍ୟରୁ ଭାରତଲୀଳା ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ହାସଲ କରିବାରେ ସକ୍ଷମ ହୋଇପାରିଛି । ଏହା ଅଦ୍ୟାବଧି ଗଂଜାମ ଜିଲ୍ଲା ଏବଂ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲାମାନଙ୍କରେ ପରିବେଷିତ ହୋଉଛି । ।

ଉନ୍ମେଷ :

ଓଡ଼ିଶାର ଗଂଜାମଜିଲ୍ଲା ଭାରତଲୀଳା ନିମନ୍ତେ ପ୍ରସିଦ୍ଧି ଅର୍ଜନ କରିବାରେ ସକ୍ଷମ ହୋଇଥିଲେ ସୁଦ୍ଧା ଏହାର ସୃଷ୍ଟି ଗଂଜାମର ସାଂସ୍କୃତିକ ପୃଷ୍ଠଭୂମିରେ ହୋଇନଥିଲା । ଭାରତଲୀଳାର ସାଂପ୍ରତିକ ସମୟର ଜଣେ ପ୍ରମୂଖ ଗୁରୁ ଶ୍ରୀଯୁକ୍ତ ରଙ୍କନିଧି ବେହେରାଙ୍କ ମତରେ, ‘ଏହା ଗୁରୁ ଦୀନବନ୍ଧୁ ଦାସଙ୍କ ଦ୍ୱାରା ପ୍ରାଚୀନ ରେଙ୍ଗୁନ ବା ମିଆଁମାର୍‌ର ସୃଷ୍ଟି ହୋଇଥିଲା’ । ସ୍ୱାଧିନତା ପୂର୍ବବର୍ତ୍ତି ସମୟରେ ବିଶେଷ କରି ୧୮୫୦-୧୯୦୦ ବେଳକୁ ଗଂଜାମ ଅଞ୍ଚଳରୁ ଶହ ଶହ ଶ୍ରମିକ ରୋଜଗାର ଆଶାରେ ଦେଶାନ୍ତର ହୋଇ ରେଙ୍ଗୁନ୍ ଚାଲିଯାଉଥିଲେ । ସେମାନଙ୍କ ସହ ଗଂଜାମର ହିଂଜିଳିକାଟୁ ନିକଟବର୍ତ୍ତି କନ୍ଧ ଖରିଡ଼ା ଗ୍ରାମର ବାସିନ୍ଦା ଗୁରୁ ଦୀନବନ୍ଧୁ ଦାସ ମଧ୍ୟ ଦେଶାନ୍ତର ହୋଇ ଜୀବନଜୀବିକା ଅନ୍ୱେଷଣରେ ତାଙ୍କ ଅଞ୍ଚଳରୁ ଯାଇ ସେଠାରେ ନିଜର ଶ୍ରମିକ ବନ୍ଧୁମାନଙ୍କ ସହ ଦେଶାନ୍ତର ଶ୍ରମିକ ଭାବରେ ଦୁଃଖଦ ଜୀବନ ଅତିବାହିତ କରୁଥିବା ସମୟରେ ନିଜର ତଥା ବନ୍ଧୁମାନଙ୍କ ଅବସର ବିନୋଦନ ପାଇଁ ସେ ବହୁ ସମୟ ଗୀତ ଓ ନୃତ୍ୟର ସାହାରା ନେଉଥିଲେ । ଏହି ସମୟରେ ସେ ସାରଳା ମହାଭାରତର ମଧ୍ୟପର୍ବକୁ ଆଧାର କରି ନିଜର ସୃଜନଶୀଳତା ମାଧ୍ୟମରେ ଏକ ଲୋକ ନାଟକ ସୃଷ୍ଟି କରିବା ନିମନ୍ତେ ଯୋଜନା କଲେ । ଏ କ୍ଷେତ୍ରରେ ସେ ତାଙ୍କର ବନ୍ଧୁମାନଙ୍କୁ ନେଇ ଏକ ନାଟ୍ୟଦଳ ମଧ୍ୟ ଗଠନ କରିଥିଲେ । ଏହିଭଳି ଭାବରେ ୧୮୫୦-୧୯୦୦ ମଧ୍ୟରେ ରେଙ୍ଗୁନ୍ ବା ବର୍ତ୍ତମାନ ମିଆଁମାର ଠାରେ ଗୁରୁ ଦୀନବନ୍ଧୁ ଦାସଙ୍କ ସୃଜନଶୀଳତାରୁ ସୃଷ୍ଟି ହୋଇଥିଲା ଓଡ଼ିଶା ଏକ ପ୍ରମୂଖ ଲୋକନାଟକ ଭାରତ ଲୀଳା ।

ନାମକରଣ :

ଏହି ଲୋକନାଟକ ଆମର ଜନସମାଜରେ ବହୁ ନାମରେ ପରିଚିତ ଅଟେ । ସେଗୁଡ଼ିକ ଯଥା :-

୧) ଭାରତଲୀଳା । ୨) ହୁଗୁଳୀ ଭାରତ, ୩) ଭାଡ଼ିକିଳା ନାଟ, ୪) ଦୁଆରୀ ନାଟ, ୫) ସୁଭଦ୍ରା ପରିଣୟ ।

୧) ଭାରତଲୀଳା :

ବିଷୟବସ୍ତୁ ଦୃଷ୍ଟିରୁ ଚିନ୍ତା କଲେ ଜଣାଯାଏ ଯେ ଏହି ଲୋକନାଟକଟି ସାରଳା ଦାସଙ୍କ ରଚିତ ମହାଭାରତର ମଧ୍ୟପର୍ବ ଆଧାରରେ ସୃଷ୍ଟି ହୋଇଛି । ତେଣୁ ଏହାକୁ ଭାରତଲୀଳା ନାମରେ ନାମିତ କରାଯାଇଛି ।

୨) ହୁଗୁଳୀ ଭାରତ :

ଆମେ ଜାଣୁ ଏହି ଲୋକନାଟକଟି ରେଙ୍ଗୁନ୍‌ରୁ ସୃଷ୍ଟି ହୋଇଥିଲା ଏବଂ ବିଶେଷ ଭାବରେ ପଶ୍ଚିମବଙ୍ଗର ହୁଗୁଳି ଜିଲ୍ଲାରେ ରହୁଥିବା ଦେଶାନ୍ତରୀତ ଓଡ଼ିଆ ଶ୍ରମିକମାନଙ୍କର ଆମୋଦ ପ୍ରମୋଦର ଏକ ପ୍ରମୂଖ ମାଧ୍ୟମ ଭାବରେ ପରିଚିତ । ତେଣୁ ହୁଗୁଳୀ ଅଞ୍ଚଳର ପରିବେଷିତ ହେଉଥିବା ମହାଭାରତ ବିଷୟବସ୍ତୁ ଆଧାରିତ ଏହି ଲୋକନାଟକକୁ ସେତେବେଳେ ହୁଗୁଳୀ ଭାରତ କୁହାଯାଉଥିଲା ।

୩) ଭାଡ଼ିଜିଳା ନାଟ :

ଭାରତଲୀଳାରେ ପ୍ରାଥମିକ ପର୍ଯ୍ୟାୟରେ ଦର୍ଶକମାନଙ୍କୁ ହସେଇବା ଲକ୍ଷ୍ୟରେ ଏଥିରେ ବହୁବିଧ ହାସ୍ୟୋଦ୍ଦିପକ କ୍ରିୟାକଳାପର ପରିବେଷଣ କରାଯାଉଥିଲା । ଏପରିକି ବହୁ ତତ୍କାଳୀନ ସମାଜରେ ପ୍ରଚଳିତ ଦ୍ୱିଅର୍ଥବୋଧକ ଗାଳି ବା କଥା ମଧ୍ୟ ପ୍ରୟୋଗ କରାଯାଉଥିଲା । ସେହି ସମୟରେ ଭାରତଲୀଳା ନାଟକର ମୁଖ୍ୟ ଚରିତ୍ର ଅର୍ଜୁନ ହାତରେ ଏକ ବାଡ଼ି ଧରି ଯାହାକୁ ଗ୍ରାମ୍ୟ ଭାଷାରେ କିଳା କୁହାଯାଏ । କୌଣସି ଏକ ଚାଳଘରର ଭାଡ଼ି ମଧ୍ୟରୁ ବାହାରି ଆସି ମଞ୍ଚ ପ୍ରବେଶ କରୁଥିଲା । ତେଣୁ ଏହି ପରମ୍ପରା ଅନୁସାରେ ଗ୍ରାମ୍ୟ ଦର୍ଶକମାନଙ୍କ ନିକଟରେ ଏହି ଲୋକନାଟକ ଭାଡ଼ିକିଳା ନାଟ ଭାବରେ ମଧ୍ୟ ପରିଚିତ ଥିଲା ।

ଦୁଆରି ନାଟ :

ଏହି ଲୋକନାଟକକୁ ଦେଖିଲେ ଜଣାଯାଏ ଯେ ଏହାର ପରିବେଷଣରେ ଦୁଆରୀର ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ସୂତ୍ରଧର ଭାବରେ ନିଜର ଚରିତ୍ରକୁ ନିଭେଇଥାନ୍ତି । ସେହି ଦୁଆରୀ ମହାଭାରତର ସୂତ୍ରଧର କୃଷ୍ଣକଂର ପ୍ରତୀକାତ୍ମକ ଚରିତ୍ର ଭାବରେ ଏଠାରେ ଗ୍ରହଣ କରାଯାଇଛି । ସେହି ଦୁଆରି ଚରିତ୍ରର ଗୁରୁତ୍ୱକୁ ଆଖି ଆଗାରେ ରଖି ଦର୍ଶକମାନେ ଏହି ଲୋକ ନାଟକକୁ ଦୁଆରି ନାଟ ବୋଲି ମଧ୍ୟ କହିଥାନ୍ତି ।

ସୁଭଦ୍ରା ପରିଣୟ :

ଏହି ନାଁଟି ଭାରତ ଲୀଳାକୁ ସବୁଠାରୁ ତା ଶେଷରେ ମିଳିଛି । ବିଶେଷ କରି ବିଗତ ତିନି ଦଶନ୍ଧି ବେଳକୁ ଦର୍ଶକ ଏବଂ କଳାକାରମାନେ ବିଦଗ୍ଧ କାବ୍ୟ ପରମ୍ପରାର ଅନୁକରଣରେ ଭାରତଲୀଳାକୁ ସୁଭଦ୍ରା ପରିଣୟ ନାଁରେ ନାମିତ କରିଛନ୍ତି । ଭାରତଲୀଳାର ମୁଖ୍ୟ ନାୟିକା ହେଲେ ସୁଭଦ୍ରା ଏବଂ ଏହି ଲୋକ ନାଟକର ବିଷୟବସ୍ତୁ ହେଲା ଅର୍ଜୁନଙ୍କ ବୀରତ୍ୱରେ ଆକର୍ଷିତ ହୋଇ ସୁଭଦ୍ରାଙ୍କ ଅର୍ଜୁନଙ୍କୁ ପ୍ରେମ ନିବେଦନ ଏବଂ ବିବାହ ନିମନ୍ତେ ଆକୁଳ ପ୍ରାର୍ଥନା । ତେଣୁ ନାଟକୀୟ ବିଷୟବସ୍ତୁର ସାରମର୍ମ ଅନୁସାରେ ଏହି ଲୋକ ନାଟକକୁ ସୁଭଦ୍ରା ପରିଣୟ ଭାବରେ ନାମିତ କରାଯାଇଛି ।

ଭାତରଲୀଳାର କ୍ରମୋନ୍ନତି :

ପୂର୍ବବର୍ଣ୍ଣିତ ତଥ୍ୟ ଆଧାରରେ ଆମେ ନିଦ୍ୱର୍ନ୍ଦରେ କହିପାରିବା ଯେ ଓଡ଼ିଶାର ଗଂଜାମରେ ପ୍ରଚଳିତ ଏହି ଲୋକପ୍ରିୟ ଲୋକନାଟକଟି ପ୍ରାକ୍ ସ୍ୱାଧିନତା କାଳରେ ଗୁରୁ ଦୀନବନ୍ଧୁ ଦାସଙ୍କ ଦ୍ୱାରା ରେଙ୍ଗୁନ ଠାରେ ସୃଷ୍ଟି ହୋଇଥିଲା । ସେ ଗଂଜାମ ଜିଲ୍ଲାର ହିଂଜିଳିକାଟୁ ନିକଟବର୍ତ୍ତୀ କନ୍ଧ ଖରିଡ଼ା ଗ୍ରାମର ବାସିନ୍ଦା ଥିଲେ । ସେହି ପାଟି ଋଷିକୁଲ୍ୟା ନଦୀ କୂଳରେ ଅବସ୍ଥିତ ଏକ ଛୋଟିଆ ଗାଁ ଥିଲା । ସେତେବେଳେ ସେହି ସମୟରେ ପ୍ରଥମେ ରେଙ୍ଗୁନଠାରେ ଆସିକା ନିକଟବର୍ତ୍ତୀ ମାଗୁରା ଗ୍ରାମର ଭୀମ ପଣ୍ଡା ତାଙ୍କର ଶିଷ୍ୟତ୍ୱ ଗ୍ରହଣ କରିଥିଲେ । ଯେତେବେଳେ ସେମାନେ ରେଙ୍ଗୁନ୍ ଛାଡ଼ି ନିଜ ଗାଁକୁ ଫେରି ଆସିଲେ ସେତେବେଳେ ଏହି ଦୁଆରି ନାଟର ପ୍ରଚାର ପ୍ରସାର ପାଇଁ ଗୁରୁ ଦୀନବନ୍ଧୁ ଦାସ ପ୍ରଥମେ ନିଜ ଗାଁ କନ୍ଧ ଖରିଡ଼ାରେ ଏକ ନାଟ୍ୟଦଳ ଗଠନ କଲେ । ସେଠାରେ ସେ ସର୍ବପ୍ରଥମେ ଏହି ନାଟକ ୧୮୬୧ ମସିହାରେ ପରିବେଷଣ କରିଥିଲେ । ଏଥିରେ କନ୍ଧ ଖରିଡ଼ା ଗ୍ରାମର ଶ୍ୟାମସୁନ୍ଦର ସାବତ, ସୁଭଦ୍ରା ଚରିତ୍ରରେ ଅଭିନୟ କରୁଥିଲେ । ଏହିପରି ଭାବରେ ଓଡ଼ିଶାର ଗଂଜାମ ଜିଲ୍ଲାର କନ୍ଧଖରିଡ଼ା ଗ୍ରାମରୁ ଭାରତଲୀଳା ଭଳି ଲୋକ ନାଟକର ଆଦ୍ୟବୀଜ ଅଙ୍କୁରିବା ଆରମ୍ଭ କରିଥିଲା ଏବଂ ପରବର୍ତ୍ତା ସମୟରେ ଏହା ତାର ପରିବେଷଣ ଦ୍ୱାରା ଲୋକପ୍ରିୟତା ହାସଲ କରି ଗଂଜାମ ଜିଲ୍ଲା ସାରା ଏପରିକି ଦକ୍ଷିଣ ଓଡ଼ିଶାର ଗାଁ ଗହଳିରେ ତତ୍କାଳୀନ ସମୟର ଏକ ପ୍ରମୁଖ ଲୋକନାଟକ ଭାବରେ ନିଜର ପରିଚୟ ସୃଷ୍ଟି କରିବାରେ ସକ୍ଷମ ହୋଇପାରିଥିଲା । ଏହି ନାଟ୍ୟ ପରମ୍ପରାର ବର୍ତ୍ତମାନ ସମୟର ଲୋକପ୍ରିୟ ଗୁରୁ ଶ୍ରୀ ନବଘନ ପରିଡ଼ା ମଧ୍ୟ ଏ ସମ୍ପନ୍ଧରେ ସୂଚନା ପ୍ରଦାନ କରିଛନ୍ତି ଯେ, ଓଡ଼ିଶାରେ ଭାରତଲୀଳା ପ୍ରଥମେ କନ୍ଧଖରିଡ଼ା ଗ୍ରାମରେ ପରିବେଷିତ ହୋଇଥିଲା ଏବଂ ଏଥିରେ ସେହି ଗ୍ରାମର ମୋହନ ପଟ୍ଟନାୟକ ଓ ନରସିଂହ ମୁନୀ ଯଥାକ୍ରମେ ଅର୍ଜୁନ ଓ ସୁଭଦ୍ରା ଚରିତ୍ରରେ ଅଭିନୟ କରିଥିଲେ । କିନ୍ତୁ ଏହି ଲୋକନାଟକର ପ୍ରଚାର ପ୍ରସାର ଦିଗରେ ଯେଉଁ ମାନେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ସେମାନେ ହେଲେ ଯଥା :- ଗୁରୁ ମଙ୍ଗଳା, ଗୁରୁ ଗୋବିନ୍ଦା, ଗୁରୁ ଶ୍ୟାମସୁନ୍ଦର ସାବତ, ଗୁରୁ ତ୍ରିନାଥ ପଟ୍ଟନାୟକ, ପରବର୍ତ୍ତୀ ପର୍ଯ୍ୟାୟରେ ଯେତେବେଳେ ଶ୍ୟାମସୁନ୍ଦର ସାବତ ଗୁରୁ ଭାବରେ ପ୍ରତିଷ୍ଠା ଅର୍ଜନ କଲେ ସେତେବେଳେ ସେ ଗାଁ ଗାଁ ବୁଲି ଏହି ଭାରତଲୀଳା ନାଟକ ପରିବେଷଣ କରିବା ସହ ବହୁ ଗାଁରେ ନାଟ୍ୟଦଳ ଗଢ଼ି ଏହାର ପ୍ରସାର କ୍ଷେତ୍ରରେ ଉଦ୍ୟମ କଲେ । ଏହି ପ୍ରକ୍ରିୟା ମାଧ୍ୟମରେ ବହୁ ଗୁରୁ ସୃଷ୍ଟି କରିବାପାଇଁ ସେ ସକ୍ଷମ ହୋଇପାରିଥିଲେ, ଯେଉଁମାନେ ଏହାକୁ ରାଜ୍ୟବ୍ୟାପୀ ଲୋକପ୍ରିୟ କରିବାରେ ସକ୍ଷମ ହୋଇ ପାରିଥିଲେ ସେମାନେ ହେଲେ ଦିଆନପଲ୍ଲୀର ଡମ୍ବରୁ ସାହୁ, ମହୁରିର ତିଅର ଦୁଃଖିଶ୍ୟାମ ବେହେରା, ବଡ଼ପୋଡ଼ାର ଦୁଃଖିଶ୍ୟାମ ସାହୁ ଏବଂ ପଞ୍ଚମାର ତ୍ରିନାଥ ପଟ୍ଟନାୟକ । ଏହି ଭଳି ଭାବରେ ସ୍ୱାଧିନତା ପରବର୍ତ୍ତୀ ପର୍ଯ୍ୟାୟରେ ଭାରତଲୀଳା ଓଡ଼ିଶାର ସାଂସ୍କୃତିକ ପଟ୍ଟଭୂମିରେ ଉନ୍ମେଷ ଲାଭ କରିବା ସହ ଉତ୍ତରଣ ଲାଭ କରିଥିଲା । ବିଶେଷ କରି ୧୯୫୦ ବେଳକୁ ଏହି ଲୋକନାଟକର ପରିବେଷଣ ତଥା ପ୍ରସ୍ତୁତିରେ ବହୁ ସୁଧାରଆସିବା ସହ ପ୍ରଗତି ମଧ୍ୟଆସିବା ଆରମ୍ଭ କରିସାରିଥିଲା । ଏହି କ୍ଷେତ୍ରରେ ପଞ୍ଚମାର ତ୍ରିନାଥ ପଟ୍ଟନାୟକ, ଗୌତୁମିର ରାମଚନ୍ଦ୍ର ରେଡ଼ି ଏବଂ କନ୍ଧ ଖରିଡ଼ାର ଶ୍ୟାମସୁନ୍ଦର ପଟ୍ଟନାୟକ ପ୍ରମୁଖ । ତେଣୁ ଗଂଜାମ ଜିଲ୍ଲାରେ ଏହି ଲୋକ ନାଟକକୁ ଅଧାର କରି ଏକ ଢଗ ଜନସମାଜରେ ଆଜି ବି ଶୁଣିବାକୁ ମିଳେ ।

ଅର୍ଥେ ପଞ୍ଚମା ନବରଙ୍ଗେ ଭୀମା,

ଗୌତୁମି ରୀମା କନ୍ଧଖରିଡ଼ା ଶ୍ୟାମା ।

ଉପର ବର୍ଣ୍ଣିତ ଗୁରୁମାନଙ୍କ ଦ୍ୱାରା ୧୯୫୦ ମସିହା ବେଳକୁ ଏହି ଲୋକ ନାଟକର ପରିସରରେ ଯେଉଁ ସବୁ ସଂସ୍କାର ତଥା ପରିବର୍ତ୍ତନ ଆସିଥିଲା ସେଗୁଡ଼ିକ ସଂକ୍ଷେପରେ ନିମ୍ନରେ ତାଲିକାଭୁକ୍ତ କରାଗଲା ।

୧) ଭାରତଲୀଳାର ପରିବେଷଣରେ ପ୍ରଚଳିତ ଥିବା ଅଶ୍ଳୀଳତା ଓ ନଗ୍ନତାକୁ ସୀମତି କରାଗଲା ।

୨) ପ୍ରାଚୀନ ଓ ମଧ୍ୟଯୁଗୀୟ ଓଡ଼ିଆ ସାହିତ୍ୟର ପୂରାଣ କାବ୍ୟ ଓ କବିତାର ପ୍ରୟୋଗ ଭାରତଲୀଳା ଭଳି ଏକ ସମ୍ପୂର୍ଣ୍ଣ ଗ୍ରାମ୍ୟଧର୍ମୀ ଆଧାରିତ ଲୋକନାଟକରେ ଦେଖିବାକୁ ମିଳିଲା । ସାରଳା ଦାସ, ବଳରାମ ଦାସ, ଜଗନ୍ନାଥ ଦାସ, ଦୀନକୃଷ୍ଣ ଦାସ, ଉପେନ୍ଦ୍ର ଭଞ୍ଜ, ଅଭିମନ୍ୟୁ ସାମନ୍ତ ସିଂହାର, ବଳଦେବ ରଥ, ରାଧାନାଥ ରାୟ, ଗଙ୍ଗାଧର ମେହେର ଆଦିଙ୍କ ରଚନାମାନଙ୍କର ପ୍ରୟୋଗ ଭାରତଲୀଳାର ପରିବେଷଣକୁ ରୁଚିକର କରିବା ସହ ରସାଣିତ କରିବାରେ ସହାୟକ ହୋଇପାରିଲା ।

୩) ପ୍ରାରମ୍ଭ, ଶୀର୍ଷ ଓ ସମାପ୍ତି ଆଧାରରେ ଏହା ଏକ ସଂପୂର୍ଣ୍ଣ ନାଟକୀୟ ଗଠନ ଶୈଳୀ ମଧ୍ୟରେ ପରିବେଷିତ ହେବା ଆରମ୍ଭ ହେଲା ।

୪) କ୍ରମଶଃ ଏହାର ପରିବେଷଣରେ ଛାନ୍ଦ, ଚମ୍ପୁ, ଚଉପଦୀ, ଚଉତିଶା, ଭଜନ, ଜଣାଣ, ପ୍ରାଚୀନ ଓଡ଼ିଶୀ ରାଗମାନଙ୍କୁ ଆଧାର କରି ରଚିତ ହୋଇଥିବା ଓଡ଼ିଶୀ ସଂଗୀତ ଏବଂ ବିଭିନ୍ନ ଉଚ୍ଚାଙ୍ଗ ମୂଲ୍ୟବୋଧ ଆଧାରିତ ସଂସ୍କୃତ ଶ୍ଲୋକମାନଙ୍କର ପ୍ରୟୋଗ ଦେଖାଗଲା । ଫଳରେ ଏହା ନାଟୀକୟ ପରିବେଷଣକୁ ରୁଚିକର କରିବା ସହ ଗୁରୁମାନଙ୍କର ପାଣ୍ଡିତ୍ୟକୁ ପ୍ରମାଣ କରିବାରେ ସହାୟକ ହୋଇପାରିଲା ।

୫) ମୁଖ୍ୟତଃ ହାରମୋନିୟମ୍‌, ଢୋଲକ, ଗିନି, ଦାସକାଠି, ଘୁଡ଼ୁକି, ରାମତାଳି, ଝୁମୁକା, ଆଦି ବାଦ୍ୟଯନ୍ତ୍ର ଏବଂ ବିଭନ୍ନ ଲୋକପ୍ରିୟ ଛନ୍ଦ ଅଳଙ୍କାରର ପ୍ରୟୋଗ ଏହାର ସାଂଗିତିକତାକୁ ମୁଗ୍ଧକର କରିପାରିଲା ।

୬) କ୍ରମଶଃ ଆମ ଓଡ଼ିଆ ସଂସ୍କୃତି ଅନୁସରଣରେ ଏହାର ମୁଖସଜ୍ଜା ଓ ବେଶ ପରିପାଟି ପ୍ରସ୍ତୁତ ହେବା ଫଳରେ ଚରିତ୍ରମାନଙ୍କୁ ସୁନ୍ଦର ଭାବରେ ପରିବେଷଣ କରି ଦର୍ଶକମାନଙ୍କୁ ଆକୃଷ୍ଟ କରାଯାଇପାରିଲା ।

ଫଳସ୍ୱରୁପ ଏହା ଅତି ସ୍ୱଳ୍ପ ସମୟ ମଧ୍ୟରେ ଓଡ଼ିଶାର ସାଂସ୍କୃତିକ ପୃଷ୍ଠଭୂମିରେ ଏକ ସ୍ୱତନ୍ତ୍ର ପରିଚୟ ହାସଲ କରିବାରେ ସକ୍ଷମ ହୋଇପାରିଥିଲା । ଗୁରୁ ରକଂନିଧି ବେହେରାଙ୍କ ମତରେ ଗୁରୁ ଦୀନବନ୍ଧୁଦାସଙ୍କ ପ୍ରଥମ ନାଟ୍ୟଦଳଙ୍କୁ ଆରମ୍ଭ କରି ଆଜି ମଧ୍ୟରେ ପ୍ରାୟ ଶତାଧିକ ଭାରତଲୀଳା ଦଳ ଗଠିତ ହୋଇଛି । ଏବଂ ଆଜି ମଧ୍ୟ ଏହା ଓଡ଼ିଆ ଲୋକନାଟକ କ୍ଷେତ୍ରରେ ତାର ସ୍ୱତନ୍ତ୍ରତା ବଜାୟ ରଖିଛି । ଏପରିକି ଗଂଜାମର ଭାରତଲୀଳାକୁ ବାଦ ଦେଇ ଓଡ଼ିଆ ଲୋକନାଟକର ସାଂପ୍ରତିକ ସ୍ଥିତିକୁ ଆକଳନ କରି ହେବନି କହିଲେ କିଛି ଭୁଲ୍ ହେବନି ।

ଭାରତଲୀଳାର ନାଟକୀୟ ବିଷୟବସ୍ତୁ :

ବିଶେଷକରି ଆଦିକବି ସାରଳା ଦାସଙ୍କ ରଚିତ ମହାଭାରତର ମଧ୍ୟପର୍ବରେ ଅର୍ଜୁନ ଓ ସୁଭଦ୍ରାଙ୍କ ବିବାହ ଘଟଣାକୁ ଆଧାର କରି ଭାରତଲୀଳା ପରିବେଷିତ ହୋଇଥାଏ । ପ୍ରାଥମିକ ପର୍ଯ୍ୟାୟରେ ଗୋସିଂହ ଦୈତ୍ୟ ବଧ, ସୁଭଦ୍ରା ହରଣ ଏବଂ ସୁଭଦ୍ରା ପରିଣୟ ଏହି ସମସ୍ତ ବିଷୟବସ୍ତୁ ପରିବେଷିତ ହେଉଥିଲାବେଳେ ପରବର୍ତ୍ତୀ ସମୟରେ ଏହାର ବିଷୟବସ୍ତୁ କେବଳ ସୁଭଦ୍ରା ପରିଣୟରେ ସୀମିତ କରିଦିଆଗଲା । ପୁରାଣର ବର୍ଣ୍ଣନାନୁସାରେ ଯେତେବେଳେ କୃଷ୍ଣ ଓ ବଳରାମ ରୈବତ ପର୍ବତରେ ଯଜ୍ଞ କରୁଥିଲେ ସେତେବେଳେ ଗୋସିଂହ ଦୈତ୍ୟ ସେମାନଙ୍କୁ ଆକ୍ରମଣ କରି ପରାଜିତ କରିବା ସହ ତ୍ରିଭୂବନକୁ କରାୟତ୍ତ କରିବାକୁ ଚାହୁଁଥିଲା । ଏପରିକି ସେ କୃଷ୍ଣ ଓ ବଳରାମଙ୍କୁ ହତ୍ୟା କରି ନିଜକୁ ଶ୍ରେଷ୍ଠ ଯୋଦ୍ଧା ରୂପେ ପ୍ରତିପାଦିତ କରିବାକୁ ମଧ୍ୟ ଚାହୁଁଥିଲା । ତେଣୁ ଗୋସିଂହ ଦୈତ୍ୟ ଯେତେବେଳେ ଯଜ୍ଞଭୂମିକୁ ଯାଇ ଆକ୍ରମଣ ଆରମ୍ଭ କଲା ସେତେବେଳେ ଭୟରେ ସମସ୍ତେ ଲୁଚିଗଲେ । ଏହି ସମୟରେ ଦେବୀ ସତ୍ୟଭାମାଙ୍କ ଉପରେ ଗୋସିଂହର ନିଜର ପଡ଼ିଲା ଏବଂ ଗୋସିଂହ ସତ୍ୟଭାମାଙ୍କୁ ରଥରେ ବସାଇ ଅପହରଣ କରି ନେଇଗଲା । ରଥରେ ବସାଇ ନେଇ ଯାଉଥିବା ସମୟରେ ଆକାଶ ମାର୍ଗରେ ରହି ସତ୍ୟଭାମା ନିଜର ସୁରକ୍ଷା ପାଇଁ ଚିତ୍କାର କରିବାକୁ ଲାଗିଲେ । ଏହି ସମୟରେ ସତ୍ୟଭାମାଙ୍କ ଚିତ୍କାର ବନବାସ ବ୍ରତ ପାଳନ କରୁଥିବା ଯୋଦ୍ଧା ଅର୍ଜୁନଙ୍କ କାନରେ ବାଜିଲା । ଏହି ସମୟରେ ଅର୍ଜୁନ ଇନ୍ଦ୍ରଙ୍କ ଖାଣ୍ଡବବନ ଦହନ କରି ସୂର୍ଯ୍ୟଙ୍କୁ ଲୁଦୁବୁଦୁ ବ୍ୟାଧିରୁ ମୁକ୍ତ କରିବା ଲାଗି ତପ ଆଚରଣ କରୁଥିଲେ । ଅର୍ଜୁନ ଯେତେବେଳେ ସତ୍ୟଭାମାଙ୍କ କ୍ରନ୍ଦନ ଶୁଣିଲେ ସେତେବେଳେ ସେ ମଧ୍ୟରାତ୍ରରେ ମାନଭେଦି ଶର ପ୍ରୟୋଗ ପୂର୍ବକ ସତ୍ୟଭାମାଙ୍କୁ ଅଟକାଇ ପାରିଥିଲେ ଏବଂ ତୀର ପ୍ରୟୋଗ କରି ଏକ ମାୟାଜାଲ ସୃଷ୍ଟି କରି ସେଥିରେ ସେମାନଙ୍କୁ ଆବଦ୍ଧ କରି ରଖିଥିଲେ । ପରଦିନ ସକାଳେ ଯୁଦ୍ଧ ରଚନା କରି ଅର୍ଜୁନ ଗୋସିଂହ ଦୈତ୍ୟକୁ ହତ୍ୟା କରିବା ସହ ସତ୍ୟଭାମାକୁ ଉଦ୍ଧାର କରି ଆଣି ସଖା କୃଷ୍ଣଙ୍କ ନିକଟରେ ଛାଡ଼ିଥିଲେ । ଏହି ସମୟରେ କୃଷ୍ଣଙ୍କ ଅନୁରୋଧକୁ ଏଡ଼େଇ ନପାରି ଅର୍ଜୁନ ସେଠାରେ ଅତିଥି ଭାବରେ କିଛି ଦିନ ଅତିବାହିତ କରିଥିଲେ ।

ଏହି ସମୟରେ ଶ୍ରୀକୃଷ୍ଣଙ୍କ ଭଗିନୀ ସୁନ୍ଦରୀ ସୁଭଦ୍ରା, ଅର୍ଜୁନଙ୍କ ବୀରତ୍ୱ ଓ ସୌନ୍ଦର୍ଯ୍ୟରେ ମୁଗ୍ଧ ହୋଇ ଆକର୍ଷିତ ହୋଇଥିଲେ । ଫଳସ୍ୱରୂପ ସେ ଅର୍ଜୁନଙ୍କୁ ବିବାହ କରିବା ନିମନ୍ତେ ଅତିଶୟ ଆଗ୍ରହ ପ୍ରକାଶ କଲେ । ସୁଭଦ୍ରା ଯେତେବେଳେ ଜାଣିବାକୁ ପାଇଛନ୍ତି ଯେ ଅର୍ଜୁନ ତାଙ୍କ ନିକଟରେ କୃଷ୍ଣଙ୍କ ଅତିଥି ଭାବରେ ରହୁଛନ୍ତି । ସେତେବେଳେ ଏହାକୁ ଏକ ସୁବର୍ଣ୍ଣ ସୁଯୋଗ ବୋଲି ଭାବି ସୁଭଦ୍ରା ଅର୍ଜୁନଙ୍କୁ ପ୍ରେମନିବେଦନ କରିବା ନିମନ୍ତେ ନିଶାର୍ଦ୍ଧ ସମୟରେ ସତ୍ୟଭାମାଙ୍କ ସହ ଅର୍ଜୁନକୁ ଶୟନ କକ୍ଷ ନିକଟରେ ପହଞ୍ôଚଯାଇଛନ୍ତି । ଏହି ସମୟରେ ସୁଭଦ୍ରାଙ୍କ ପ୍ରେମକୁ ସଫଳ କରିବା ନିମନ୍ତେ ଅର୍ଜୁନଙ୍କ ଦ୍ୱାର ରକ୍ଷକ ବହୁ ସହାୟତା ପ୍ରଦାନ କରିଛନ୍ତି । ତାଙ୍କୁ ବେତ୍ରହସ୍ତ ମଧ୍ୟ କୁହାଯାଏ । ସେ ସୁଭଦ୍ରା ଓ ଅର୍ଜୁନଙ୍କ ବିବାହରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି । ଅର୍ଜୁନ, ସୁଭଦ୍ରା ଓ ଦ୍ୱାରରକ୍ଷକ ର ତିନିକାଣିୟ ଯୁକ୍ତିତର୍କ ତଥା ବାର୍ତ୍ତାଳାପ ପ୍ରକ୍ରିୟା ମଧ୍ୟରେ ଏହା ପରିବେଷିତ ହୋଇଥାଏ ।

ଭାରତଲୀଳାରେ ବିଶେଷ କରି ଅର୍ଜୁନଙ୍କ ନିକଟକୁ ସୁଭଦ୍ରାଙ୍କ ପ୍ରେମ ନିବେଦନ କରିବା ପ୍ରକ୍ରିୟା ଠାରୁ ଆରମ୍ଭ କରି ସେମାନଙ୍କ ବିବାହ ପର୍ଯ୍ୟନ୍ତ କାହାଣୀକୁ ପରିବେଷିତ କରାଯାଇଥାଏ ।

ଭାରତଲୀଳାର ପରିବେଷଣ ଶୈଳୀ :

ଭାରତୀୟ ନାଟ୍ୟପରମ୍ପରାରେ ପ୍ରାୟତଃ ଲୋକନାଟକ ନାଟ୍ୟଶାସ୍ତ୍ରରେ ବର୍ଣ୍ଣିତ ନାଟ୍ୟତତ୍ୱର ଆଶିଂକ ଆଧାରରେ ପରିବେଷିତ ହୋଇଥାଏ । ସର୍ବପ୍ରଥମେ ଭାରତଲୀଳାରେ ମା ଭବାନୀ ଏବଂ ଅଗ୍ରପୂଜ୍ୟ ଗଜାନନଂକ ଉଦ୍ଦେଶ୍ୟରେ ନାନ୍ଦୀଗାନ କରିସାରି ନାଟକ ପରିବେଷଣ ଆରମ୍ଭ କରାଯାଏ । ମଧ୍ୟରାତ୍ର ସମୟରେ ଅର୍ଜୁନ ଶଯ୍ୟା ଗ୍ରହଣ କରିଥିବା ସମୟରେ କିଏ ଜଣେ ସ୍ତ୍ରୀ ଲୋକ ଆସି ଅର୍ଜୁନଙ୍କ ଶୟନ କକ୍ଷ ଦ୍ୱାରରେ କରାଘାତ କରନ୍ତି ଫଳରେ ଅର୍ଜୁନଙ୍କ ନିଦ୍ରା ବ୍ୟାଘାତ ହୁଏ । ସେ ଦ୍ୱାର ରକ୍ଷକକୁ ଘଟଣା ବୁଝିବା ନିମନ୍ତେ ନିର୍ଦ୍ଦେଶ ପ୍ରଦାନ କରନ୍ତି । ଫଳରେ ତାଙ୍କର ଦ୍ୱାରରକ୍ଷକ ବା ଦୁଆରି ଆସି ଦେଖନ୍ତି ଯେ ଦ୍ୱାର ଦେଶରେ ଆସି ଦୁଇଜଣ ନାରୀ ଅର୍ଜୁନଙ୍କୁ ଭେଟିବା ନିମନ୍ତେ ଆକୁଳ ପ୍ରାର୍ଥନା କରୁଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ସୁଭଦ୍ରା ଓ ଜଣେ ସତ୍ୟଭାମା । ଏହି ସମୟରେ ଦ୍ୱାର ରକ୍ଷକ ମଞ୍ଚକୁ ପ୍ରବେଶ କରନ୍ତି । ସେ ମଞ୍ଚକୁ ପ୍ରବେଶ କରିପାରିବା ପରେ ସେ ମଧ୍ୟ ଲୋକନାଟକ ପରିବେଷଣର ପାରମ୍ପରିକତାକୁ ରକ୍ଷା କରି ପ୍ରଭୁ ଜଗନ୍ନାଥ, ଶିବ, ବାକ୍ୟଦେବୀ ମା ସରସ୍ୱତୀ ଏବଂ ଗଣେଶଙ୍କୁ ପ୍ରାର୍ଥନା ପୂର୍ବକ ଆଶିର୍ବାଦ ଭିକ୍ଷା କରିବା ସହ ନାଟକର ନିର୍ବିଘ୍ନ ପରିବେଷଣ ନିମନ୍ତେ ନାନ୍ଦିଗାନ ପରିବେଷଣ କରନ୍ତି । ତତ୍‌ପରେ ସେ ସୁଭଦ୍ରା ଓ ଅର୍ଜୁନଙ୍କ ମଧ୍ୟରେ ଯୋଗସୂତ୍ର ରକ୍ଷା କରିବାରେ ମୁଖ୍ୟ ସୁତ୍ରଧରର ଦାୟିତ୍ୱ ନିର୍ବାହ କରନ୍ତି । ନାଟକର ପ୍ରାରମ୍ଭିକ ପର୍ଯ୍ୟାୟରେ ଯେତେବେଳେ ସୁଭଦ୍ରାଙ୍କ ପ୍ରେମକୁ ଅର୍ଜୁନ ପ୍ରତ୍ୟାଖ୍ୟାନ କରିବା ସହ ବିବାହକୁ ଅଗ୍ରାହ୍ୟ କରନ୍ତି ସେତେବେଳେ ଦୁଆରୀ ପୂରାଣ ଓ କାବ୍ୟ ସାହିତ୍ୟର ସାଗରକୁ ଲମ୍ପ ପ୍ରଦାନ କରି ନିଜର ତର୍କ ମାଧ୍ୟମରେ ସୁଭଦ୍ରାଙ୍କୁ ବିବାହ କରିବା ନିମନ୍ତେ ଅର୍ଜୁନଙ୍କୁ ବୁଝାନ୍ତି । ଏଠାରେ ଦୁଆରି ନିଜର ପାଣ୍ଡିତ୍ୟ ତଥା ଚାତୁରୀର ପ୍ରୟୋଗ ଅତ୍ୟନ୍ତ ଚିତ୍ତାକର୍ଷକ ଅଟେ । ଓଡ଼ିଆ ସାହିତ୍ୟର ବିଭିନ୍ନ ଉଦାହରଣ ମାଧ୍ୟମରେ ଦୁଆରି ନିଜର ଦୂରଦର୍ଶିତା, ବିଚାରଶକ୍ତି, ପାଣ୍ଡିତ୍ୟ, କଳାପ୍ରବଣତା ଏବଂ ଆଧ୍ୟାତ୍ମିକତାର ପ୍ରମାଣ ପ୍ରଦାନ କରି ରଚିତ୍ରକୁ ଜୀବନ୍ତ କରିବା ସହ ନାଟକକୁ ଗତିଶୀଳ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥାନ୍ତି । ନାଟକର କାହାଣୀ ଅନୁସାରେ ଯେହେତୁ ଅର୍ଜୁନ ସୁଭଦ୍ରାଙ୍କ ପ୍ରେମପ୍ରତି ଆକୃଷ୍ଟ ନୁହନ୍ତି ତେଣୁ ସେ ସୁଭଦ୍ରାଙ୍କ ପ୍ରତି ଅତ୍ୟନ୍ତ ନିଷ୍ଠୁର ବ୍ୟବହାର ପରିବେଷଣ କରନ୍ତି । ତେଣୁ ଏ କ୍ଷେତ୍ରରେ ବିଶେଷ କରି ଦୁଆରୀ ଅର୍ଜୁନ ସୁଭଦ୍ରାଙ୍କୁ ଗ୍ରହଣ କରିବା କ୍ଷେତ୍ରରେ ପ୍ରମୁଖ ଭୂମିକା ପରିବେଷଣ କରନ୍ତି । ଏହି ସମୟରେ ଦୁଆରି ଅର୍ଜୁନଙ୍କ ସମ୍ମୁଖରେ ସୁଭଦ୍ରାଙ୍କ ପ୍ରେମକୁ ଯଥାର୍ଥ, ପବିତ୍ର ତଥା ସୁକ୍ତିସିଦ୍ଧ ବୋଲି ପ୍ରମାଣ କରିବାକୁ ଯାଇ ପୁରାଣ ସାହିତ୍ୟର ବହୁ ଗୁରୁତ୍ୱପୂର୍ଣ୍ଣ ଘଟଣା ଯଥା ସୃଷ୍ଟିତତ୍ତ୍ୱ, ମନୁଷ୍ୟ ଜଗତର ସୁଖ ଓ ଶାନ୍ତିର ମାର୍ଗ ପାପପୂଣ୍ୟ, ନାରୀ ନିର୍ଯ୍ୟାତନାର କୁପରିଣାମ, ଭାରତୀୟ ବିବାହ ପରମ୍ପରା ଆଦି ସମ୍ବନ୍ଧରେ ବହୁ ଉପାଦେୟ ବିଷୟକୁ ନାଟକୀୟ ଶୈଳୀରେ ପରିବେଷଣ କରି ନାଟକର ସାହିତ୍ୟିକ ମୂଲ୍ୟବୋଧକୁ ବଢ଼େଇବାରେ ସଫଳ ପ୍ରୟାସ କରିଥାନ୍ତି । ଏ କ୍ଷେତ୍ରରେ ସୁଭଦ୍ରାଙ୍କୁ ଉତ୍ସାହିତ କରିବା ସହ ଅର୍ଜୁନଙ୍କୁ ସୁଭଦ୍ରାଙ୍କୁ ଗ୍ରହଣ କରିବା ନିମନ୍ତେ ସତ୍ୟଭାମା ମଧ୍ୟ ପ୍ରମୁଖ ଭୂମିକା ନିର୍ବାହ କରନ୍ତି । ପରିବେଷଣରେ ସୁଭଦ୍ରାଙ୍କ ପ୍ରେମ ନିବେଦନ ପଛରେ ଲୁଚି ରହିଥିବା କୃଷ୍ଣଙ୍କ ଲକ୍ଷ୍ୟକୁ ଦୁଆରୀ ଦର୍ଶକମାନଙ୍କ ସମ୍ମୁଖରେ ଏବଂ ଅର୍ଜୁନଙ୍କ ଆଗରେ ପ୍ରକାଶ କରନ୍ତି । କାରଣ ଅର୍ଜୁନ ଏବଂ ସୁଭଦ୍ରାଙ୍କ ମିଳନରୁ ଯେଉଁ ବିଦ୍ୱାନ, ପ୍ରତିଭାବାନ ତଥା ଅସାମାନ୍ୟ ବୀରତ୍ୱ ଥିବା ପୁତ୍ର ଜନ୍ମଲାଭ କରିବ ତାର ନାମ ରହିବ ଅଭିମନ୍ୟୁ । ମହାଭାରତ ଯୁଦ୍ଧରେ ସେ ଅତ୍ୟନ୍ତ ବିଧି ବିରୁଦ୍ଧ ଏବଂ ନିଷ୍ଠୁର ଭାବରେ ସପ୍ତରଥିଙ୍କ ଦ୍ୱାରା ନିହିତ ହେବେ । ଯାହା କୌରବମାନଙ୍କ ବିରୁଦ୍ଧରେ ପ୍ରତିଶୋଧ ପରାୟଣ ହୋଇ ଯୁଦ୍ଧ କରିବା ନିମନ୍ତେ ଅର୍ଜୁନଙ୍କ ମନରେ ପତିକ୍ରିୟା ସୃଷ୍ଟି କରିବ । ଫଳରେ ମହାଭାରତ ଯୁଦ୍ଧରେ କୌରବମାନେ ପରାଜିତ ହେବ, ପାଣ୍ଡବମାନେ ବିଜୟ ଲାଭ କରିବେ ଏବଂ ଧରାରେ ନ୍ୟାୟ ପ୍ରତିଷ୍ଠା ହେବ ।

ଭାରତଲୀଳାର ସଂଗୀତ ପରମ୍ପରା :

ସାଧାରଣତଃ ଭାରତଲୀଳା ଲୋକନାଟକଟି ସଂଗୀତ ଓ ନୃତ୍ୟର ବହୁଳ ବ୍ୟବହାର ଆଧାରରେ ପରିବେଷିତ ହୋଇଥାଏ । ଏହି ଲୋକନାଟକରେ ସଂଳାପର ପ୍ରୟୋଗ ବହୁତ କମ୍ ଦେଖାଯାଏ । କିନ୍ତୁ ବର୍ତ୍ତମାନ ଧିରେ ଧିରେ ଏହାର ପରିବେଷଣରେ ସଂଳାପର ପ୍ରୟୋଗ ବଢ଼ିବାରେ ଲାଗିଛି । ନାଟକର ପ୍ରମୁଖ ଚରିତ୍ର ଦୁଆରୀ ବିଭିନ୍ନ ଲୋକ ଓ ପାରମ୍ପରିକ ଶୈଳୀର ଗାୟନକୁ ପ୍ରୟୋଗ କରିଥାନ୍ତି । ଏପରିକି ଏଥିରେ ପରିବେଷିତ ହେଉଥିବା ଗୀତଗୁଡ଼ିକରେ ଦଣ୍ଡନାଟ, ଦାସକାଠି, ଡାହାଣୀ, ଘୋଡ଼ାନାଟ, ପାଲାର ପ୍ରଭାବ ମଧ୍ୟ ଦେଖିବାକୁ ମିଳେ । ସୁଭଦ୍ରା ଓ ଦୁଆରୀଙ୍କ ଅଭିନୟ ସମ୍ପୂର୍ଣ୍ଣ ଭାବରେ ନୃତ୍ୟ ଓ ସଂଗୀତ ପ୍ରାଧାନ୍ୟ ଅଟେ । ବିଶେଷ କରି ଏଥିରେ ପରିବେଷିତ ଗୀତଗୁଡ଼ିକରେ ଆଞ୍ଚଳିକ ପରିବେଷଣ ଶୈଳୀ ଦେଖିବାକୁ ମିଳିଥାଏ । ଯାହା ଏହାର ପରିବେଷଣକୁ ରସାଣିତ କରିବା ସହ ଉପଭୋଗ୍ୟ କରିଥାଏ । ତତ୍‌ସହିତ ଓଡ଼ିଶୀ ସଂଗୀତର ବହୁବିଧ ପାରମ୍ପରିକ ରାଗ ଆଧାରିତ ଗୀତ, ଛାନ୍ଦ, ଚମ୍ପୁ, ଚଉପଦୀ, ଭଜନ ଏବଂ ଜଣାଣର ପ୍ରୟୋଗ ଏହି ନାଟକର ସଂଗୀତ ଓ ସୌନ୍ଦର୍ଯ୍ୟକୁ ବୃଦ୍ଧି କରିବାରେ ସହାୟକ ହୋଇଥାଏ ।

ଅପରପକ୍ଷରେ ଏହାର ସଂଗୀତ ପରିବେଷଣ କ୍ଷେତ୍ରରେ ବ୍ୟବହୃତ ହେଉଥିବା ବାଦ୍ୟଯନ୍ତ୍ରଗୁଡ଼ିକ ହେଲା ଯଥା : ହାରମୋନିୟମ, ତବଲା, ଢୋଲକ, ଯୋଡ଼ିନାଗରା, ମର୍ଦ୍ଦଳ, ରାମତାଳି, ଗିନି ଏବଂ ଘୁଡ଼ୁକି । ଆଧୁନିକତାର ପ୍ରଭାବରେ ଏଥିରେ କେସିଓ ଏବଂ ରୋଲାଣ୍ଡ ଭଳି ଆଧୁନିକ ବାଦ୍ୟଯନ୍ତ୍ର ଗୁଡ଼ିକର ପ୍ରୟୋଗ ଦେଖିବାକୁ ମିଳେ ।

ପରିବେଷଣ ସ୍ଥଳ ଓ ସମୟ :

ସାଧାରଣତଃ ଏହି ଲୋକନାଟକ ଗାଁମାନଙ୍କରେ ସାହି ମଝିରେ ଚାରିକୋଣରେ ଚାରୋଟି ବାଉଁଶ ଖୁଣ୍ଟ ସହାୟତାରେ ବନ୍ଧାଯାଉଥିବା ଚାନ୍ଦୁଆ ତଳେ ପରିବେଷଣ କରାଯାଉଥିଲା । ଏହାର ପ୍ରାଥମିକ ପର୍ଯ୍ୟାୟରେ ମଞ୍ଚକୁ ସାଧାରଣତଃ ମଶାଲ କିମ୍ବା କିରୋସିନି ବତୀ ସହାୟତାରେ ଆଲୋକିତ କରାଯାଉଥିଲା । ୧୯୭୦ ପରଠାରୁ ଏହାର ପରିବେଷଣରେ ବିଦ୍ୟୁତ ବଲବର ପ୍ରଚଳନ ଆରମ୍ଭ ହେଲା । କିନ୍ତୁ ବିଗତ ଦୁଇ ଦଶନ୍ଧି ଠାରୁ ବିଭିନ୍ନ ପ୍ରକାର ବିଦ୍ୟୁତ ବଲବ ପ୍ରଚଳନ କରିବା ସହ ମଞ୍ଚକୁ ବିଭିନ୍ନ ରଙ୍ଗର ଆଲୋକର ପ୍ରୟୋଗ ପୂର୍ବକ ଏହାର ପରିବେଷଣକୁ ଆହୁରି ସୁନ୍ଦର କରାଯାଇପାରିଲା । ବର୍ତ୍ତମାନ ସବୁ ବିଭିନ୍ନ ସୁନ୍ଦର ତଥା ଅସ୍ଥାୟୀ ଏବଂ ଭ୍ରାମ୍ୟମାଣ ମଞ୍ଚ ସହ ସୁସଜ୍ଜିତ ମଞ୍ଚସଜ୍ଜାର ପ୍ରୟୋଗ ଦେଖାଯାଏ । ଠିକ୍ ସେହିପରି ଆଗ କାଳରେ ବିଶେଷ କରି ୧୯୬୦ ପୂର୍ବରୁ ଭାରତଲୀଳାର କଳାକାରମାନେ ଅଭିନେତାମାନେ ବିନା ମାଇକ୍ରୋଫୋନ୍ କିମ୍ବା ଡାକବାଜି ଯନ୍ତ୍ରର ସହାୟତାରେ ସେମାନଙ୍କର ନାଟକ ପରିବେଷଣ କରୁଥିଲେ । କିନ୍ତୁ ବିଗତ ଚାରି ଦଶନ୍ଧି ଠାରୁ ସେମାନେ ମାଇକ୍ରୋଫୋନ୍ ଡାକବାଜି ଯନ୍ତ୍ର ବଡ଼ ବଡ଼ ସାଉଣ୍ଡ ବକ୍ସର ବ୍ୟବହାର କରି ଆସୁଛନ୍ତି ଫଳ ସ୍ୱରୂପ ସେମାନଙ୍କ ବାଚିକ ଅଭିନୟ ଦୁରରେ ବସିଥିବା ଦର୍ଶକମାନଙ୍କ ପାଖରେ ମଧ୍ୟ ସହଜରେ ପହଞ୍ôଚ ପାରୁଛି । ଏପରିକି ଆଜିକାଲି ବହୁ କଳାକାର କର୍ଡ଼ଲେସ ଲାପଲ୍ ମଧ୍ୟ ବ୍ୟବହାର କରିବା ଦେଖାଗଲାଣି ।

ଭାରତଲୀଳାର ଚରିତ୍ର :

ଭାରତଲୀଳାର ବିଷୟବସ୍ତୁ ଓ ପରିବେଷଣକୁ ଅନୁଧ୍ୟାନ କଲେ ଜଣାଯାଏ ଯେ ଦୁଆରି, ଅର୍ଜୁନ, ସୁଭଦ୍ରା ଓ ସତ୍ୟଭାମା ଏହି ନାଟକର ମୁଖ୍ୟଚରିତ୍ର । ଏହାକୁ ବାଦ ଦେଲେ ଅନ୍ୟ କେତେକ ଗୌଣ ଚରିତ୍ର ଏଥିରେ ଦେଖିବାକୁ ମିଳେ ସେମାନେ ହେଲେ ଯଥା :- ହାଡ଼ି, ହାଡ଼ିଆଣି, ବାୟା, ପୁରୋହିତ ଇତ୍ୟାଦି । ଏହି ଗୌଣ ଚରିତ୍ରଗୁଡ଼ିକ କେବଳ ଦର୍ଶକମାନଙ୍କର ସାମୟିକ ହାସ୍ୟରସାତ୍ମକ ମନୋରଂଜନ କ୍ଷେତ୍ରରେ ସହାୟକ ହୋଇଥାନ୍ତି । ଏମାନଙ୍କର ଭାରତଲୀଳାର ମୂଳ କାହାଣୀ ସହିତ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବରେ ଆଦୌ କୌଣସି ସମ୍ପର୍କ ନାହିଁ କରିଲେ ଚଳେ । ପୂର୍ବ ବର୍ଣ୍ଣିତ ଆଲୋଚନା ଏହା ସୃଷ୍ଟ ଯେ ଭାରତଲୀଳା ଲୋକ ନାଟକର ମୁଖ୍ୟ ଚରିତ୍ର ଦୁଆରି ଅଟନ୍ତି ଯିଏ କି ନାଟକର ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ସୂତ୍ରଧରର ଭୂମିକା ନିର୍ବାହ କରନ୍ତି । ଏଥିରେ ଦୁଆରୀକୁ ଶ୍ରୀକୃଷ୍ଣଙ୍କ ପ୍ରତିକାତ୍ମକ ଚରିତ୍ର ଭାବରେ ଗ୍ରହଣ କରାଯାଏ । ଗଂଜମ ଜିଲ୍ଲା କବି ସୂର୍ଯ୍ୟନଗରର (ବୋଇରାଣୀର) ଲୋକପ୍ରିୟ ଗୁରୁ ଶ୍ରୀଯୁକ୍ତ ନବଘନ ପରିଡ଼ାଙ୍କ ମତାନୂସାରେ ଦ୍ୱାପର ଯୁଗରେ ଗୋସିଂହ ଦୈତ୍ୟର ନିଧନ ପରେ ଅର୍ଜୁନଙ୍କ ପ୍ରତି ସତ୍ୟଭାମାଙ୍କର ଏକ ସ୍ୱତନ୍ତ୍ର ସମ୍ମାନ ସୃଷ୍ଟି ହେଲା । ନିଣନ୍ଦ ସୁଭଦ୍ରା ମଧ୍ୟ ତାଙ୍କ ଦ୍ୱାରା ପ୍ରୋତ୍ସାହିତ ହୋଇ ଅର୍ଜୁନଙ୍କୁ ପ୍ରେମ ନିବେଦନ କରିବା ନିମନ୍ତେ ନିଶାର୍ଦ୍ଧ ସମୟରେ ଅର୍ଜୁନଙ୍କ ନିଟକୁ ଯାଇଥିଲେ । ଏହି ସମୟରେ କାଳେ କୌଣସି ଅଘଟଣ ଘଟିବା ଆଶଙ୍କା କରି ଶ୍ରୀକୃଷ୍ଣ ଦୁଆରି ବେଶରେ ସୁଭଦ୍ରା ଓ ସତ୍ୟଭାମାଙ୍କ ନିକଟରେ ଥିଲେ ଏବଂ ସୁଭଦ୍ରାଙ୍କ ପ୍ରେମ ସଫଳ ହୋଇ ତାହା ବିବାହରେ ରୂପାନ୍ତରିତ ହେବାରେ ମୁଖ୍ୟ ଭୂମିକା ନିର୍ବାହ କରିଥିଲେ । ଏହି ଲୋକନାଟକର ଅନ୍ୟ ପ୍ରମୁଖ୍ୟ ଚରିତ୍ର ଦ୍ୱୟ ହେଲେ ଯଥା : ଅର୍ଜୁନ ଓ ସଭଦ୍ରା । ଏଠାରେ ଅର୍ଜୁନ ନାୟକ ଓ ସୁଭଦ୍ର ନାୟୀକା ଭାବରେ ଉପସ୍ଥାପିତ ହୋଇଥାନ୍ତି । ଭାରତ ଲୀଳାରେ ଦେଖା ଯାଉଥିବା ନାରୀ ଚରିତ୍ର ଦ୍ୱୟ ଯଥା ସୁଭଦ୍ରା ଓ ସତ୍ୟଭାମା । ଯଦିଓ ସୁଭଦ୍ରା ଏଠାରେ ନାୟୀକା, ସତ୍ୟଭାମା ମଧ୍ୟ କାହାଣୀରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରନ୍ତି । ଯିଏକି ସୁଭଦ୍ରା ଓ ଅର୍ଜୁନଙ୍କ ମଧ୍ୟରେ ଏକ ପ୍ରମୁଖ ମାଧ୍ୟମ ଭାବରେ କାର୍ଯ୍ୟ କରିଥାନ୍ତି । ନାୟୀକା ସୁଭଦ୍ରା ନାଟକର ଆରମ୍ଭରୁ ନିଜର ପ୍ରେମକୁ ସଫଳ ରୂପ ଦେବା ପାଇଁ ଚେଷ୍ଟା କରନ୍ତି ଏବଂ ଶେଷରେ ସଫଳ ହୁଅନ୍ତି । ଠିକ୍ ସେହିଭଳି ନାଟକର ନାୟକ ଅର୍ଜୁନ ମଧ୍ୟ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ନିଜର ବୀରତ୍ୱର ଆହମିକା ପରିବେଷଣ ପୂର୍ବକ ସୁଭଦ୍ରାଙ୍କ ପ୍ରେମକୁ ପ୍ରତ୍ୟାଖ୍ୟାନ କରନ୍ତି ଏବଂ ପରିଶେଷରେ ସୁଭଦ୍ରାକୁ ଗ୍ରହଣ କରନ୍ତି । ବିଷୟବସ୍ତୁ ପରିବେଷଣରେ ଚରିତ୍ରମାନଙ୍କ ଗୁରୁତ୍ୱକୁ ଦେଖି ଭାରତଲୀଳାର ଚରିତ୍ରମାନଙ୍କୁ ନିମ୍ନମତେ ପର୍ଯ୍ୟାୟଭୁକ୍ତ କରାଯାଇଛି । ଯଥା :-

୧) ମୁଖ୍ୟ ଚରିତ୍ର :

ଦୁଆରି, ଅର୍ଜୁନ, ସୁଭଦ୍ରା, ସତ୍ୟଭାମା,

୨) ଗୌଣ ଚରିତ୍ର

ହାଡ଼ି, ହାଡ଼ିଆଣୀ, ବାୟା, ପୁରୋହିତ ।

ଫୋଟ                                                              ଫୋଟ

ଚରିତ୍ର – ଦୁଆରି                                                   ଚରିତ୍ର-ସୁଭଦ୍ରା

ଅଭିନେତା – ରଙ୍କିନିଧି ବେହେରା                           ଅଭିନେତ୍ରୀ – ପ୍ରିୟଙ୍କା ନାୟକ

ଶ୍ରୀ ଜଗନ୍ନାଥ ନାଟ୍ୟ ସଂଘ                                    ଶ୍ରୀ ଜଗନ୍ନାଥ ନାଟ୍ୟ ସଂଘ

ଗୁଡ଼ିଆପଲ୍ଲି, କୋଦଳା, ଗଂଜାମ                             ଗୁଡ଼ିଆପଲ୍ଲି, କୋଦଳା, ଗଂଜାମ,

ଫଟୋ                                                                 ଫଟୋ

ଚରିତ୍ର- ଅର୍ଜୁନ                                            ଚରିତ୍ର-ସତ୍ୟଭାମା

ବିଦ୍ୟାଧର ପ୍ରଧାନ                                         ପ୍ରଭାସିନୀ ନାୟକ

ଜଗନ୍ନାଥ ନାଟ୍ୟସଂଘ                                         ଜଗନ୍ନାଥ ନାଟ୍ୟସଂଘ

ଖୁଡ଼ିଆପଲ୍ଲି, କୋଦାଳ, ଗଂଜାମ୍‌                        ଗୁଡ଼ିଆପଲ୍ଲି, କୋଦାଳ, ଗଂଜାମ୍‌

ପୋଷାକ ଓ ମୁଖସଜ୍ଜା :

ମୁଖ୍ୟତଃ ଭାରତଲୀଳାରେ ଦୁଇ ପ୍ରକାର ବେଶ ପୋଷାକର ପ୍ରୟୋଗ ଦେଖିବାକୁ ମିଳେ । ଗୋଟିଏ ପଟରେ ଅର୍ଜୁନ, ସୁଭଦ୍ରା ଓ ସତ୍ୟଭାମା ଭଳି ମହାଭାରତୀୟ ପୌରାଣିକ ଚରିତ୍ର ମାନଙ୍କ ନିମନ୍ତେ ପାରମ୍ପରିକ ତଥା ପୌରାଣିକ ବେଶପୋଷକର ପ୍ରୟୋଗ କରାଯାଇଥାଏ । ବିଶେଷ କରି ସୁଭଦ୍ରା ଓ ସତ୍ୟଭାମାଙ୍କ ଦ୍ୱାରା ବ୍ୟବହୃତ ମୁଖସଜ୍ଜାରେ ପାରମ୍ପରିକ ଓଡ଼ିଆ ସଂସ୍କୃତିର ପ୍ରଭାବ ଦେଖିବାକୁ ମିଳୁଥିଲା । କିନ୍ତୁ ବିଶେଷ କରି ସୁଭଦ୍ରା ଓ ସତ୍ୟଭାମାଙ୍କ ନିମନ୍ତେ ବ୍ୟବହୃତ ପୋଷାକର ସ୍ୱାଧିନତା ପୂର୍ବବର୍ତ୍ତୀ ସମୟର ରେଙ୍ଗୁନ୍ ଓ ଓଡ଼ିଶୀ ସଂସ୍କୃତିର ସମନ୍ୱୟ ଦେଖିବାକୁ ମିଳେ । ଅପରପକ୍ଷରେ ଦୁଆରୀ ଚରିତ୍ର ନିମନ୍ତେ ବ୍ୟବହୃତ ପୋଷାକର ପରିକଳ୍ପନା ସମ୍ପୂର୍ଣ୍ଣ ଭିନ୍ନ ଅଟେ । ଦୁଆରୀ ଚରିତ୍ରର ବେଶବିନ୍ୟାସ ଓ ମୁଖ ସଜ୍ଜାରେ ଉଭୟ ପାରମ୍ପରିକ ତଥା ପୌରାଣିକ ଏବଂ ଆଧୁନିକ ଶୈଳୀର ସମନ୍ୱୟ ଦେଖିବାକୁ ମିଳେ । ସାଧାରଣତଃ ଏହି ନାଟକରେ ଦୁଆରୀ ଏକ କଳାରଙ୍ଗର ହାଫ୍‌ପ୍ୟାଣ୍ଟ ସାଙ୍ଗକୁ ଧଳା କିମ୍ବା ନାଲି ରଙ୍ଗର ହାପ୍‌ସାଟ ପରିଧାନ କରୁଥାନ୍ତି । ତତ୍‌ସହିତ ଏକ ହାତକଟା କଳା ଜାକେଟ୍ ମଧ୍ୟ ପରିଧାନ ରୂପରେ ବ୍ୟବହାର କରିଥାନ୍ତି । ତାଙ୍କର ବେଶ ପୋଷାକରୁ ତତ୍କାଳୀନ ସମୟର ଏକ ସାଧାରଣ ଦ୍ୱାର ରକ୍ଷକ ଭଳି ଜଣାଯାଏ । କିନ୍ତୁ ତାଙ୍କ ଚରିତ୍ରର ମୁଖସଜ୍ଜା ସମ୍ପୂର୍ଣ୍ଣ ଭିନ୍ନ ଅଟେ । ମୁଣ୍ଡରେ ବ୍ୟବହୃତ ହୋଇଥିବା କେଶଗୁଚ୍ଛ ଏବଂ ସୀମନ୍ତରେ ଖୋସାଯାଇଥିବା ମୟୁର ପୁଚ୍ଛ ଆକାରର ଖୋସଣିକୁ (ହେୟାର୍‌କ୍ଳିପକୁ ଦେଖିଲେ ତାହା କୃଷ୍ଣଙ୍କର ପ୍ରତୀକାତ୍ମକ ମୁଖସଜ୍ଜା ଭଳି ମନେ ହୁଏ ।) କାରଣ ଏହି କେଶଗୁଚ୍ଛ ଏବଂ ସେହି ହେୟାରକ୍ଲିପ୍ କୃଷ୍ଣଙ୍କ ମୟୁର ପୁଚ୍ଛ ସହ ସମାନ ବୋଲି ଭାରତଲୀଳାର କଳାକାର ତଥା ଗୁରୁମାନେ ବିଶ୍ୱାସ କରିଥାନ୍ତି । ଏତତ୍‌ବ୍ୟତୀତ ଅନ୍ୟାନ୍ୟ ଗୌଣ ଚରିତ୍ର ଯଥା ହାଡ଼ି, ହାଡ଼ିଆଣୀ କାୟା ଓ ପୁରୋହିତଙ୍କ କ୍ଷେତ୍ରରେ ବାସ୍ତବ ଶୈଳୀର ମୁଖସଜ୍ଜା ପ୍ରୟୋଗ କରାଯାଉଥାଏ ।

ଭାରତଲୀଳାର ପ୍ରମୁଖ ରଚୟିତା :

୧) ସ୍ୱର୍ଗତ ଦୀନବନ୍ଧୁ ଦାସ,

୨) ସ୍ୱର୍ଗତ ଯୋଗୀନ୍ଦ୍ର ମଲିକ

୩) ସ୍ୱର୍ଗତ ଶ୍ରୀନିବାସ ଦାସ

୪) ସ୍ୱର୍ଗତ ତ୍ରିନାଥ ପଟ୍ଟନାୟକ

୫) ସ୍ୱର୍ଗତ ଭୀମ ପରିଡ଼ା

୬) ସ୍ୱର୍ଗତ ଶ୍ୟାମ ସୁନ୍ଦର ସାବତ

୭) ସ୍ୱର୍ଗତ କିର୍ତ୍ତନ ଗୌଡ଼

୮) ଡମ୍ବରୁଧର ସାହୁ

୯) ନବଘନ ପରିଡ଼ା

୧୦) ସନ୍ତୋଷ କୁମାର ପାଢ଼ୀ

୧୧) ରଙ୍କନିଧି ବେହେରା

ଭାରତଲୀଳା ନାଟକ ନିମନ୍ତେ ପ୍ରସିଦ୍ଧି ଅର୍ଜନ କରିଥିବା ଗାଁ :

ଗୁରୁ ଶ୍ରୀ ନବଘନ ପରିଡ଼ାଙ୍କ ମତାନୁସାରେ ବିଂଶ ଶତାବ୍ଦୀର ପ୍ରାରମ୍ଭରୁ ଏକବିଂଶ ଶତକର ଶେଷ ପର୍ଯ୍ୟନ୍ତ ଭାରତଲୀଳା ଗଂଜାମ ଜିଲ୍ଲାର ଲୋକପ୍ରିୟ ତଥା ପ୍ରମୁଖ ଲୋକନାଟକର ଭାବରେ ପରିବେଷିତ ହୋଇ ଆସୁଥିଲା । ପାଖାପାଖି ଦୁଇଶହରୁ ଅଧିକ ଗାଁରେ ଭାରତଲୀଳାର ନାଟ୍ୟଦଳ ଥିଲା । କାଳକ୍ରମେ ଅବ୍ୟବସ୍ଥିତ ପରିଚାଳନା, ଅର୍ଥାଭାବ, କଳାକାରମାନଙ୍କ ଜୀବିକାଜନିତ ବିସ୍ଥାପନ କାରଣରୁ ବହୁ ନାଟ୍ୟଦଳ ଦୁର୍ବଳ ହୋଇପଡ଼ିଲା ଏପରିକି ଭାଙ୍ଗିଗଲା । ଏହା ପକ୍ଷରେ ଥିବା ପ୍ରମୁଖ କାରଣ ହେଲା ଗାଁ କଳାକାରମାନଙ୍କ ଜୀବନ ଜୀବିକା ନିମନ୍ତେ ବମ୍ବେ, ଗୁଜୁରାଟ ଭଳି ପଡ଼ୋଶି ପ୍ରଦେଶମାନଙ୍କୁ ଶ୍ରମ ଖଟିବା କାରଣରୁ ବିସ୍ଥାପନ । ଏ ସବୁ ସତ୍ତ୍ୱେ ଆଜି ମଧ୍ୟ ଓଡ଼ିଶାର ଗଂଜାମ ଜିଲ୍ଲାରେ ପାଖାପାଖି ଶହେ ନାଟ୍ୟଦଳ ରହି ଏହି ନାଟକର ପ୍ରଚାର ପ୍ରସାର କରି ଆମ ନାଟ୍ୟ ସଂସ୍କୃତିକୁ ଉଜ୍ଜିବୀତ କରି ରଖିଛନ୍ତି । ଏପରିକି ଗଂଜାମ ଜିଲ୍ଲା ଦ୍ୱାରା ପ୍ରଭାବିତ ହୋଇ ପଡ଼ୋଶି ଗଜପତି, କନ୍ଧମାଳ, ନୟାଗଡ଼ ଓ ଖୋର୍ଦ୍ଧାର ମଧ୍ୟ କେତେକ ସ୍ଥାନରେ ଭାରତଲୀଳା ନାଟ୍ୟଦଳ ଗଢ଼ା ହେଲାଣି ।

ଗଂଜାମ ଜିଲ୍ଲାର ଯେଉଁସବୁ ଗାଁ ଗୁଡ଼ିକ ଭାରତଲୀଳା ପରିବେଷଣରେ ପ୍ରସିଦ୍ଧି ଅର୍ଜନ କରିପାରିଛନ୍ତି ସେଗୁଡ଼ିକ ଯଥା :-୧) କନ୍ଧଖରିଡ଼ା, ହିଂଜିଳିକାଟୁ, ନୁଆଁଗଡ଼, ସାରୁ, ରାଳବ, ଅରଖପୁର, ଟଙ୍କାଛାଇ ପ୍ରତାପଗିରି, ଖରିଡ଼ା, ଷୋଳଘର, ଝାଡ଼ବନ୍ଧ, ନନ୍ଦିକ, କବିସୂର୍ଯ୍ୟନଗର, ଗୁଡ଼ିଆଳି, ହାଡ଼ିଚିରା, ବାଲିଆସୋରା, ଖଲିଙ୍ଗି, କଙ୍କୋରଡ଼ା, ମହାନଳା, କୁରୁଳା, ଜିରାଉ, ପାଟ୍ଟପୁର, କଳାଷଣ୍ଢପୁର, ନବରତ୍ନପୁର, ମାମୁଁଡିହ, ଗୁଣଣ୍ଠୁପଡ଼ା, ବନ୍ଥପଲ୍ଲୀ, ଗାଙ୍ଗପୁର, ମାଗୁରା, ସୁପ୍ତମରାଇ, ମଙ୍ଗଳପୁର, ଧରାକୋଟ, ସୁନ୍ଦରାପଲ୍ଲି, ରାମଚନ୍ଦ୍ରପୁର, ଖାରିଗୁଡ଼ା, ଅଣ୍ଡରାସିଙ୍ଗି, ଏରେଣ୍ଡ୍ରା, କୁରୁଳା, ଢେଙ୍କିଶାଳ, ଠୁରୁବୁରାଇ, କୁଲାଗଡ଼, ଶେରଗଡ଼, ବି ନାରାୟଣପୁର, ସିଏଚ୍‌. ଟିକରପଡ଼ା, ଚକାତେନ୍ତୁଳି, ଦିଗପହଣ୍ଡି, ଲୋଚାପଡ଼ା, ଲାଠି ଦକ୍ଷିଣପୁର, ତିଅର ପେଣ୍ଠ, ଝଡ଼ାଙ୍କୁଲି, (ଗୋଳନ୍ଥରା), ପଞ୍ଚମା, ଦିଆନପଲ୍ଲୀ, ନରେନ୍ଦ୍ରପୁର, ପଇତା ଗାଁ, ନାଟଙ୍ଗା, ବି. କରଡ଼ାବାଡ଼ି, ଦଦରାଖୋଲ, ଧାନପଲ୍ଲି, ଝରାପଲ୍ଲି, ସରାବାଡ଼ି, ଅଳାସୁ, ପୋଲସରା, ହାତୀଓଟ, ମନ୍ତ୍ରୀଡ଼ି, କଞ୍ଚୁଡ଼ୁ, ସାତପାଣ୍ଡିଆ, ପାତ୍ରପୁର, ଚିକିଟୀ, ଗୁଡ଼ିଆପଲ୍ଲି, ବୁତାମ୍ବ, ଆର୍‌.ଉଦୟଗିରି, ଭିନ୍ନଳା, ପାରଳାଖେମୁଣ୍ଡି, ସାନକୁମାରୀ, ବଡ଼କୁମାରୀ, କେ. ସରଶିଙ୍ଗ୍‌, ବାୟାପଲ୍ଲି, ମୁଣ୍ଡଳା ଏବଂ ଅନ୍ୟାନ୍ୟ ।

ସାଂପ୍ରତିକ ସମୟର ଭାରତ ଲୀଳାର ଗୁରୁ :

ସାଂପ୍ରତିକ ସମୟରେ ମଧ୍ୟ ଭାରତଲୀଳାକୁ ବାଦ ଦେଇ ଓଡ଼ିଆ ଲୋକନାଟକର କଥା ଚିନ୍ତା କରି ହବନି । ଆଜି ମଧ୍ୟ କଳା ସଂସ୍କୃତିର ପୂଜାରୀ ଭଳି ଯେଉଁ ମହାନ ସାରସ୍ୱତ ସାଧକମାନେ ଏହି ଲୋକ ସଂସ୍କୃତିର ସୁରକ୍ଷା କବଚ ସାଜିବା ସହ ଏହାର ପ୍ରଚାର ପ୍ରସାରରେ ନିଜକୁ ଉତ୍ସର୍ଗ କରି ଦେଖିଛନ୍ତି ସେମାନେ ହେଲେ ଯଥା : ନବଘନ ପରିଡ଼ା, ରଙ୍କନିଧି ବେହେରା, ସନ୍ତୋଷ କୁମାର ପାଢ଼ୀ, ବ୍ରଜମୋହନ ଅଧିକାରୀ, ଶୁକଦେବ ଜେନା, ସହଦେବ ସାହୁ, ନୀଳାଚଳ ମିଶ୍ର, ଧର୍ମେନ୍ଦ୍ର ବେହରା, ଲଡ଼ୁକିଶୋର ସେଠି, ବାବୁଲା ସାହୁ, ହରିକୃଷ୍ଣ ବିଶ୍ୱାଳ, ସନ୍ତୋଷ ଗୌଡ଼, ଝୁନା ପ୍ରଧାନ, ପୁରୁଷୋତ୍ତମ ପ୍ରଧାନ, ସୁଶାନ୍ତ ପଟ୍ଟନାୟକ, ବାବୁଲା ଭୂୟାଁ, ହୀନ ସାହୁ, ହରିକୃଷ୍ଣ ରାଉଳ, ସନ୍ତୋଷ ସାହୁ, ଆନନ୍ଦ ବାଡ଼ତ୍ୟା, ପ୍ରଫୁଲ୍ଲ ସ୍ୱାଇଁ, କବିରାଜ ସ୍ୱାଇଁ, ଜଗନ୍ନାଥ ପ୍ରଧାନ, ଜଗଦୀଶ ଗୌଡ଼, ଭଜରାମ ଡାକୁଆ, କାଳୁ ଜେନା, ଏବଂ ଅନ୍ୟାନ୍ୟ ।

ଭାରତଲୀଳାର ପ୍ରମୁଖ ମହିଳା ଗୁରୁ :

ସମୟକ୍ରମେ ଆଧୁନିକତାର ପ୍ରଭାବରେ ଏବଂ ଶିକ୍ଷାର ପ୍ରସାର ଫଳରେ କିଛି ମହିଳା କଳାକାର ମଧ୍ୟ ଭାରତ ଲୀଳାରେ ଦୁଆରି ଭୂମିକାରେ ଅଭିନୟ କରି ପ୍ରତିଷ୍ଠା ଅର୍ଜନ କରିବାର ସଫଳତା ପାଇବା ସହ ଗୁରୁ ହିସାବରେ ପ୍ରତିଷ୍ଠା ଅର୍ଜନ କରିବାରେ ସକ୍ଷମ ହୋଇସାରିଲେଣି । ସେମାନେ ହେଲେ ଯଥା : ୧) ବାସନ୍ତୀ ପରିଡ଼ା, ୨) ବିଷ୍ଣୁପ୍ରିୟା ପଣ୍ଡା, ୩) ଲତା ବେହେରା, ୪) ତୁଲସୀ ଗୌଡ଼ ।

ଭାରତଲୀଳାର ସାଂପ୍ରତିକ ସ୍ଥିତି :

କ୍ଷେତ୍ର ଅଧ୍ୟୟନ ସମୟରେ ସଂଗୃହୀତ ତଥ୍ୟମାନଙ୍କୁ ଆଧାର କରି ଭାରତଲୀଳାର ସାଂପ୍ରତିକ ସ୍ଥିତି ସମ୍ବନ୍ଧରେ ଏକ ସ୍ଥିତି ଆକଳନ କରାଯାଇଛି । ତୁଳାନାତ୍ମକ ଭାବରେ ଦେଖିବାକୁ ଗଲେ ଅନ୍ୟାନ୍ୟ ଲୋକନାଟକଗୁଡ଼ିକ ଭଳି ଓଡ଼ିଶାର ଭାରତଲୀଳାର ସ୍ଥିତି ଅତ୍ୟନ୍ତ ଦୟନୀୟ ନହୋଇଥିଲେ ମଧ୍ୟ ସ୍ଥିତି ସନ୍ତୋଷଜନକ ନୁହଁ । ଆଧୁନିକତା ଓ ଜଗତୀକରଣର ପ୍ରଭାବରେ ସମସ୍ତ ଲୋକନାଟକ ସାମାନ୍ୟ କିମ୍ବା ବହୁଳ ଭାବରେ ପ୍ରଭାବିତ ହୋଇଛି । ଏହି ଭାରତଲୀଳା ମଧ୍ୟ ସମୟକ୍ରମେ ଏହାର ବିଷୟବସ୍ତୁ ପରିବେଷଣ ଏବଂ ସାଜସଜ୍ଜାରେ ବହୁ ପରିବର୍ତ୍ତନ ଧାରଣ କରିଛି । ସେଗୁଡ଼ିକ ସଂକ୍ଷେପରେ ପ୍ରଦତ୍ତ କରାଯାଇଛି ।

୧) ପ୍ରାଥମିକ ପର୍ଯ୍ୟାୟରେ ଏହି ଭାରତଲୀଳା କେବଳ ଏକ ହାସ୍ୟରସାଶ୍ରିତ ମନୋରଂଜନଧର୍ମୀ ଅନୁକରଣ ଭାବରେ ପରିବେଷିତ ହେଉଥିଲା । ଆଦ୍ୟଗୁରୁ ଦୀନବନ୍ଧୁ ଦାସ ପ୍ରଥମେ ମହାଭାରତର ମଧ୍ୟପର୍ବର ସୁଭଦ୍ରା ଓ ଅର୍ଜୁନଙ୍କ ବିବାହ ଆଧାରିତ ମୂଳକଥାକୁ ନୃତ୍ୟ, ଗୀତ ଓ ଅଭିନୟ ମାଧ୍ୟମରେ ପରିବେଷଣ କରୁଥିଲେ । ଯେତେବେଳେ ସେ ରେଙ୍ଗୁନରୁ ଫେରି ଓଡ଼ିଶା ଆସିଲେ ତା ପରେ ତାଙ୍କର ଶିଷ୍ୟମାନେ ଏହାକୁ ଜୀବନ ଜୀବିକା ଭାବରେ ଗ୍ରହଣ କଲେ ସେତେବେଳେ ବିଶେଷ କରି ୧୯୫୦ ବେଳକୁ ଏହା ଏକ ସମ୍ପୂର୍ଣ୍ଣ ନାଟକୀୟ ଗଠନ ଶୈଳୀରେ ପଡ଼ି ପୂର୍ଣ୍ଣାଙ୍ଗ ଅବୟବ ଧାରଣ କରିବାରେ ସକ୍ଷମ ହେଲା । ଏହି କ୍ଷେତ୍ରରେ ଗୁରୁ ଶ୍ୟାମ ସୁନ୍ଦର ସାବତ, ଯୋଗିନ୍ଦ୍ର ମଲ୍ଲିକ, ଭୀମା ପଣ୍ଡା, ତ୍ରିନାଥ ପଟ୍ଟନାୟକ, କୀର୍ତ୍ତନ ଗୌଡ଼, ରାମଚନ୍ଦ୍ର ରେଡ୍ଡି ଆଦି ପ୍ରମୁଖ ଅଟନ୍ତି । ପରବର୍ତ୍ତୀ ପର୍ଯ୍ୟାୟରେ ବିଶେଷ କରି ୧୯୭୫-୮୦ ବେଳକୁ ଭାରତଲୀଳା ତାର ଉତ୍ତରଣ କ୍ଷେତ୍ରରେ ଆଉ ପାଦେ ଆଗେଇ ଗଲା । ଏହା ନୂଆ ପିଢ଼ିର ଗୁରୁମାନେ ଓଡ଼ିଶୀ ସଂଗୀତ ଆଧାରିତ ବହୁ ଛାନ୍ଦ, ଚମ୍ପୁ, ଭଜନ, ଜଣାଣ, ଚଉପଦୀ, ଚଉତିଶା ସହ ଆମର ଅଷ୍ଟାଦଶ ମହାପୂରାଣ ଓ ଉପପୂରାଣ ମାନଙ୍କର ମୂଳକଥା ଓ ଉପକଥାମାନଙ୍କୁ ଏଥିରେ ପ୍ରୟୋଗ କରି ଏହାର ନାଟକୀୟ ବିଷୟବସ୍ତୁକୁ ରସାପ୍ଲୁତ କରିବା ସହ ଉପଭୋଗ୍ୟ କରିବା ଦିଗରେ ସଫଳ ହେଲେ । ସେମାନଙ୍କ ମଧ୍ୟରେ ଗୁରୁ ନବଘନ ପରିଡ଼ା, ଗୁରୁ ରକଂନିଧି ଗୌଡ଼, ଗୁରୁ କାମ୍ପ ଗୌଡ଼, ଗୁରୁ ସଦାଶିବ ପ୍ରଧାନ, ଗୁରୁ ଚକ୍ରପାଣି ବାଡ଼ତ୍ୟା ଆଦି ପ୍ରମୁଖ ଅଟନ୍ତି । ପୂର୍ବରୁ ଏହି ଲୋକନାଟକରେ ପରିବେଷିତ ହୋଇ ଆସୁଥିବା ଅଶ୍ଳୀଳ ଏବଂ ଦ୍ୱି-ଅର୍ଥବୋଧକ ବିଷୟମାନଙ୍କୁ ମୂଳରୁ ହଟେଇ ଏହା ମାର୍ଜିତ କରିବା କ୍ଷେତ୍ରରେ ନବଘନ ପରିଡ଼ା, ସନ୍ତୋଷ ପାଢ଼ୀ, ସହଦେବ ସାହୁ, ବାବୁଲା ଭୟାଁ, ଜଗନ୍ନାଥ ପ୍ରଧାନ, ଶୁକଦେବ ଜେନା, ଜଗଦୀଶ ଗୌଡ଼, ଭଜରାମ ଡାକୁଆ ଆଦି ପ୍ରଂଶସାଯୋଗ୍ୟ ।

୨) ଗଂଜାମ ଜିଲ୍ଲାର ଶେଉଗଡ଼ ପଞ୍ଚାୟତ ସମିତି ଅଧିନସ୍ଥ ଗୋଠଗାଁର ଭାରତଲୀଳା ଗୁରୁ ଶ୍ରୀ କବିରାଜ ସ୍ୱାଇଁ ଏବଂ କୋଦଳା ପଞ୍ଚାୟତ ସମିତି ଅଧିନସ୍ଥ ଗୁଡ଼ିଆପଲ୍ଲି ଗ୍ରାମର ଗୁରୁ ରକଂନିଧି ବେହେରାଙ୍କ ମତରେ ୧୯୫୦ ପୂର୍ବରୁ ଏହି ଲୋକନାଟକ ଗାଁ ମାନଙ୍କରେ ସାହି ମଝିରେ ବଡ଼ କିରୋସିନ ବତୀ କିମ୍ବା ମଶାଲ ସହାୟତାରେ ପରିବେଷିତ ହେଉଥିଲା । ଏହି ଧାରା ୧୯୮୦ ପର୍ଯ୍ୟନ୍ତ ବଳବତ୍ତର ରହିଥିଲା । ପରବର୍ତ୍ତୀ ସମୟରେ ୧୯୮୦ ବେଳକୁ ଗାଁମାନଙ୍କୁ ବିଦ୍ୟୁତ୍ ଯୋଗାଯୋଗ ପରେ ବିଜୁଳି ବତୀ ମାଧ୍ୟମରେ ନାଟକ ପରିବେଷଣ ସହଜ ଓ ସୁନ୍ଦର ହେଲା । ଏପରିକି କ୍ରମଶଃ ହେଲୋଜେନ୍‌, ଏଲ୍‌ଇଡ଼ି ବଳ୍ପ, ଅତ୍ୟାଧୁନିକ ବିଭିନ୍ନ ରଙ୍ଗର ବିଜୁଳିବତୀ, ଫନେଲ, ସାଉଣ୍ଡ ବକ୍ସ, ମାଇକ୍ରୋଫୋନ୍ ଏପରିକି ବେତାର ୟୁଏସ୍‌ବି ମାଇକ୍ରୋଫୋନ୍ ଏବଂ ଲାପ୍‌ଲ୍ ମଧ୍ୟ ଆଜି ଦିନରେ ଏହାର ପରିବେଷଣ ପରିଧି ଭିତରକୁ ପ୍ରବେଶ କରିସାରିଲାଣି । ଫଳସ୍ୱରୁପ ଏହାର ଶ୍ରବଣ ଓ ଦର୍ଶନ କ୍ଷେତ୍ରରେ କୌଣସି ଅସୁବିଧା ପରିଲକ୍ଷିତ ହେଉନାହିଁ ।

୩) ମଞ୍ଚସଜ୍ଜା କ୍ଷେତ୍ରରେ ମଧ୍ୟ ଆଧୁନିକତା ପ୍ରଭାବରେ ବହୁ ଆଖିଦୃଶିଆ ପରିବର୍ତ୍ତନ ପରିଲକ୍ଷିତ ହୁଏ । ପ୍ରାଥମିକ ପର୍ଯ୍ୟାୟରେ ଏହା ଗାଁର ସାହି ମଝିରେ ଚାରିକୋଣରେ ପୋତା ଯାଇଥିବା ଚାରୋଟି ବାଉଁଶ ଖୁଣ୍ଟରେ ଏକ ଚାନ୍ଦୁଆ ବାନ୍ଧି ମଞ୍ଚ ପ୍ରସ୍ତୁତ କରାଯାଉଥିଲା । ପରବର୍ତ୍ତୀ ପର୍ଯ୍ୟାୟର ବିଶେଷକରି ୧୯୯୦ ମସିହା ବେଳକୁ ଲୁହା ପାଇପ୍ ସହାୟତରେ ପ୍ରସ୍ତୁତ କରାଯାଇଥିବା ଏକ ସ୍ଥାୟୀ ମଞ୍ଚକୁ ରଙ୍ଗ ବେରଙ୍ଗି ଚାନ୍ଦୁଆରେ ସଜାଯାଇ ପେଣ୍ଡାଲ ନ ଥିବା ଭ୍ରାମ୍ୟମାଣ କ୍ଷୁଦ୍ର ଯାତ୍ରାମଞ୍ଚ ଭଳି ମଞ୍ଚ ନିର୍ମାଣ କରାଗଲା । ଯାହା ଭାରତଲୀଳାର ମଞ୍ଚର ସୌନ୍ଦର୍ଯ୍ୟ ବୃଦ୍ଧି କରିବାରେ ସହାୟକ ହୋଇପାରିଲା ।

୪) ଭାରତଲୀଳାରେ ପରିବେଷିତ କରାଯାଉଥିବା ସଙ୍ଗୀତକୁ ଦେଖିଲେ ଏଥିରେ ଥିବା ଆଧୁନିକତାର ପ୍ରଭାବକୁ ସ୍ପଷ୍ଟ ଜଣାପଡ଼େ । ଆଜିକାଲି ପ୍ରାୟତଃ ନାଟ୍ୟଦଳଗୁଡ଼ିକ ପାରମ୍ପରିକ ବାଦ୍ୟଯନ୍ତ୍ର ବଦଳରେ ଆଧୁନିକ ତଥା ଆତ୍ୟାଧୁନିକ ବୈଦ୍ୟୁତିକ ବାଦ୍ୟଯନ୍ତ୍ର ସବୁ ପ୍ରୟୋଗ କଲେଣି ଯଥା :- କେସିଓ ସିନ୍ଥେସାଇଜର, ୟାମାହା କିମ୍ବା ରୋଲାଣ୍ଡ ଅକ୍ଟୋପ୍ୟାଡ଼, କଙ୍ଗୋଠ୍ରାମ୍ ସେଟ୍‌, ଆଧୁନିକ ଡ୍ରମ ଇତ୍ୟାଦି । ଏହି ପରମ୍ପରା ଏଥିରେ ୧୯୯୦ ମସିହା ପର ଠାରୁ ଦେଖାଗଲାଣି । ୧୯୯୦ ମସିହା ପୂର୍ବରୁ ଏଥିରେ କେବଳ ଢୋଲକ୍‌, ଯୋଡ଼ିନାଗରା, ହାର୍‌ମୋନିୟମ୍‌, ମହୁରି, ଝାଞ୍ଜ, ଗିନି, ଦାସକାଠି ଓ ଘୁଡ଼ୁକି ଆଦି ପାରମ୍ପରିକ ବାଦ୍ୟଯନ୍ତ୍ରର ପ୍ରୟୋଗରେ ସଂଗୀତ ଓ ନୃତ୍ୟ କାର୍ଯ୍ୟ ସମ୍ପାଦିତ ହେଉଥିଲା ।

୫) ସାଂପ୍ରତିକ ସ୍ଥିତିରେ ଏହାର ପରିବେଷଣକୁ ଅନୁଧ୍ୟାନ କଲା ପରେ ଜଣାଯାଇଛି ଯେ ବିଶେଷକରି ୧୯୯୫ ପରଠାରୁ ଏଥିରେ ପରିବେଷିତ ହେଉଥିବା ଗୀତ ଓ ନୃତ୍ୟମାନଙ୍କରେ ଅଶ୍ଳିଳତା ଓ ନଗ୍ନତା ବହୁ ମାତ୍ରାରେ ବଢ଼ିଯାଇଛି । ଦୀର୍ଘ ଦୁଇ ଦଶନ୍ଧି ଧରି ସେମାନେ ଗାଁର ଅଶିକ୍ଷିତ ଓ ଅର୍ଦ୍ଧଶିକ୍ଷିତ ଯୁବ ସମାଜକୁ ଆମୋଦିତ କରିବା ନିମନ୍ତେ ନାଟ୍ୟ ପରିବେଷଣ ମଝିରେ ମଝିରେ ନାଟକରେ ସୁଭଦ୍ରା ଓ ସତ୍ୟଭାମା ଚରିତ୍ରରେ ଅଭିନୟ କରୁଥିବା ଅଭିନେତ୍ରୀମାନଙ୍କ ଦ୍ୱାରା ଦ୍ୱିଅର୍ଥବୋଧକୁ ଅଶ୍ଳିତ ଗୀତ ପରିବେଷଣ କରିବା ଏକ ପରମ୍ପରା ଭାବରେ ଗ୍ରହଣ କରିସାରିଲେଣି । ଏଥିରେ ବିଶେଷ କରି ଆଲ୍‌ବମ୍ ଓ ଚଳଚ୍ଚିତ୍ର ମାନଙ୍କର ଲୋକପ୍ରିୟ ଗୀତଗୁଡ଼ିକରେ ସେମାନେ ନୃତ୍ୟ ପ୍ରଦର୍ଶନ କରୁଛନ୍ତି । ଫଳସ୍ୱରୂପ ସୁଭଦ୍ରା ଓ ସତ୍ୟଭାମା ଭଳି ମହନୀୟ ଚରିତ୍ରମାନଙ୍କର ଗୁରୁତ୍ୱ ରହୁନି । ଏପରିକି ସେମାନଙ୍କ ପ୍ରତି ଦର୍ଶକମାନଙ୍କର ମଧ୍ୟ ସମ୍ମାନ ବୋଧ ନଷ୍ଟ ହୋଇଛି । ସମୟ ସମୟରେ ଏହା ନାଟକୀୟ ଆଧ୍ୟାତ୍ମିକତାକୁ ନଷ୍ଟ କରିବା ସହ ବିଶୃଙ୍ଖଳା ମଧ୍ୟ ସୃଷ୍ଟି କରିଥାଏ ।

୬) ୧୯୯୦ ପରଠାରୁ ଭାରତଲୀଳାର ପରିବେଷଣର କ୍ଷେତ୍ରକୁ ବିଶେଷ କରି ସୁଭଦ୍ରା ଏବଂ ସତ୍ୟଭାମା ଚରିତ୍ରର ଅଭିନୟ ନିମନ୍ତେ ଅଭିନେତ୍ରୀମାନେ ପ୍ରବେଶ କଲେଣି । ଏପରିକି ସେମାନେ ଏହାକୁ ମାଧ୍ୟମ କରି ସେମାନଙ୍କ ଜୀବନ ଜୀବିକା ଅର୍ଜନ କରିବାରେ ମଧ୍ୟ ସକ୍ଷମ ହୋଇପାରିଛନ୍ତି । ଏପରିକି କେତେକ ପ୍ରତିଭାବାନ୍ ଅଭିନେତ୍ରୀ ନାଟକର ମୁଖ୍ୟ, ଦୁଆରୀ ଚରିତ୍ର ପରିବେଷଣ କରିବା ସହ ନିଜକୁ ଜଣେ ଜଣେ ସଫଳ ଗୁରୁ ଭାବରେ ମଧ୍ୟ ପ୍ରତିଷ୍ଠିତ କରିବାରେ ସକ୍ଷମ ହୋଇପାରିଛନ୍ତି । ସେମାନଙ୍କ ମଧ୍ୟରୁ ବାସନ୍ତୀ ପରିଡ଼ା, ବିଷ୍ଣୁପ୍ରିୟା ପଣ୍ଡା, ଲତା ବେହେରା ଓ ତୁଳସୀ ଗୌଡ଼ ଆଦି ପ୍ରମୁଖ । ଭାରତଲୀଳାର ପ୍ରଚାର ପ୍ରସାର ସାଙ୍ଗକୁ ଏଥିରେ ସୁଭଦ୍ରା ଓ ସତ୍ୟଭାମା ଚରିତ୍ରର ଅଭିନୟ ନିମନ୍ତେ ଅଭିନେତ୍ରୀମାନଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । ଫଳରେ ଗଂଜାମ ଜିଲ୍ଲାର ଭାରତଲୀଳାର ଗୁରୁମାନେ ଆଦିବାସୀ ବହୁଳ ପଡ଼ୋଶୀ ଜିଲ୍ଲା ସିଧା ଗଜପତି, ରାୟଗଡ଼ା, କନ୍ଧମାଳ ଆଦି ଜିଲ୍ଲାମାନଙ୍କରୁ ବହୁ କଳାପ୍ରେମୀ ଗରିବ ଆଦିବାସୀ ଯୁବତୀ ଏହା ମାଧ୍ୟମରେ ଜୀବନ ଜୀବିକା ଉପାର୍ଜନ କରିବାରେ ସଫଳ ହୋଇଛନ୍ତି । ଏପରିକି ଏମାନଙ୍କ ପ୍ରଭାବରେ ଏବଂ ଉଦ୍ୟମରେ ଏହି ସବୁ ଅଞ୍ଚଳ ଯଥା ଗଜପତି, ରାୟଗଡ଼ା, କନ୍ଧମାଳ ଆଦି ଅଞ୍ଚଳରେ କେତେ ଭାରତଲୀଳାର ନାଟ୍ୟଦଳ ମଧ୍ୟ ଗଢ଼ାଯାଇଛି । ଭାରତଲୀଳାକୁ ମହିଳା ଅଭିନେତ୍ରୀମାନଙ୍କ ପ୍ରବେଶ ଓ ସେମାନଙ୍କର ଦୁଆରି ଭୂମିକାର ଅଭିନୟ କରିବା ବାସନ୍ତୀ ପରିଡ଼ାଙ୍କ ଆଦ୍ୟ ପ୍ରୟାସ ଏବଂ ଏଥି ନିମନ୍ତେ ଗୁରୁ ନବଘନ ପରିଡ଼ାଙ୍କ ପ୍ରେରଣା ଓ ସହଯୋଗ ଏକ ବଳିଷ୍ଠ ପଦକ୍ଷେପ ଅଟେ । କେତେକାଂଶରେ ଦେଖାଯାଏ ଯେ ଏହି ଭାରତଲୀଳା ବା ସୁଭଦ୍ରା ପରିଣୟରେ ସୁଭଦ୍ରା ଓ ସତ୍ୟଭାମା ଚରିତ୍ରର ଅଭିନୟ କରୁଥିବା ଏବଂ ଦର୍ଶକମାନଙ୍କ ଆଗରେ ମହାଭାରତୀୟ ବିଷୟବସ୍ତୁର ପ୍ରଚାର ପ୍ରସାର କରିବା ସହ ନାଟକୀୟ ଆନନ୍ଦ ପ୍ରଦାନ କରୁଥିବା ମହିଳା ଅଭିନେତ୍ରୀମାନେ ବାସ୍ତବ ଜୀବନରେ ବେଳେବେଳେ ଗୁରୁ, ନାଟ୍ୟପରିଚାଳକ କିମ୍ବା ପୃଷ୍ଠପୋଷକତା ପ୍ରଦାନ କରୁଥିବା ପ୍ରଭାବଶୀଳ ବ୍ୟକ୍ତିମାନଙ୍କର ଯୌନଶୋଷଣର ଶୀକାର ହୋଇ ନିର୍ଯ୍ୟାତିତ ଜୀବନ ଯାପନ କରୁଛନ୍ତି ଯାହା ଏକ ଦୁଃଖଦ ଘଟଣା ଅଟେ ।

୭) ୧୯୫୦ ମସିହାରୁ ଆରମ୍ଭ କରି ୧୯୮୫-୯୦ ପର୍ଯ୍ୟନ୍ତ ବିଶେଷ କରି ଭାରତଲୀଳାରେ ମୁଖସଜ୍ଜା ନିମନ୍ତେ ବଜାରରେ ଉପଲବ୍ଧ ହେଉଥିବା ସାଧାରଣ ପାରମ୍ପରିକ ପ୍ରସାଧାନର ପ୍ରୟୋଗ କରୁଥିଲେ । ଏହି ସମୟରେ ସେମାନେ ସାଧାରଣତଃ ହଳଦୀ, ଚନ୍ଦନ, କାଜଲ, ଅଳତା, ସିନ୍ଦୁର, ପାରମ୍ପରିକ ମେହେନ୍ଦି ଆଦି ପ୍ରୟୋଗ କରୁଥିଲେ । ସମୟକ୍ରମେ ୧୯୮୫ ମସିହା ପରଠାରୁ ଭାରତୀୟ ସଭ୍ୟତା ଓ ସଂସ୍କୃତି ଉପରେ ଆଧୁନିକତା ଓ ଜଗତିକରଣର ପ୍ରଭାବ ଫଳରେ ଆନ୍ତର୍ଜାତୀୟ ବଜାରର ଆଧୁନିକ, ପାନ୍‌କେ, ଲେକ୍‌ମି ଲିପ୍‌ଷ୍ଟିକ୍‌, ମୋଦିକେୟାର ଓ ଆମୱେର କାଜଲ୍ ଓ ଆଇଲାଇନ୍‌ର ଏବଂ ଅନ୍ୟାନ୍ୟ ପ୍ରସାଧନ ଉପଯୋଗୀ ଉପାଦାନର ପ୍ରୟୋଗ ଦେଖାଗଲାଣି ।

୮) ପ୍ରାଥମିକ ପର୍ଯ୍ୟାୟରେ ସୁନ୍ଦର ପାରମ୍ପରିକ ସମ୍ବଲପୁରୀ କିମ୍ବା ବ୍ରହ୍ମପୁରି ପାଟରେ ସିଲା ହୋଇଥିବା ପୋଷକକୁ ସୁଭଦ୍ରା ଓ ସତ୍ୟଭାମା ଚରିତ୍ର ନିମନ୍ତେ ବ୍ୟବହୃତ ହେଉଥିଲା । ପରବର୍ତ୍ତୀ ପର୍ଯ୍ୟାୟରେ ବନାରସୀ ପାଟ ଭଳି ଦାମିଦାମି ସୁନ୍ଦର ଲେହେଙ୍ଗା ଭଳି ପୋଷାକମାନ ସୁଭଦ୍ରା ଓ ସତ୍ୟଭାମା ଚରିତ୍ର ପାଇଁ ବ୍ୟବହାର କରିବା ଆରମ୍ଭ କଲେ । ଏହା ସହିତ ବଜାରରେ ଉପଲବ୍ଧ ହେଉଥିବା ସୁନ୍ଦର ସୁନ୍ଦର ସୁନେଲି ଓ ରୂପେଲି ଅଳଙ୍କାର ଗୁଡ଼ିକୁ ମଧ୍ୟ ବ୍ୟବହାର କରିବା ଆରମ୍ଭ କଲେଣି ।

୯) ସଂଗୃହୀତ ତଥ୍ୟରୁ ଜଣାଗଲା ଯେ ଅଧିକାଂଶ କ୍ଷେତ୍ରରେ ଗୁରୁମାନଙ୍କୁ ଏହାର ପରିବେଷଣକୁ ଜୀବିକା ଭାବରେ ଗ୍ରହଣ କରି ନିଜର ପରିବାର ପ୍ରତିପୋଷଣ କରିବା କାଟିକର ପାଠ ହୋଇପଡ଼ୁଛି । ଗୁରୁ ନବଘନ ପରିଡ଼ା, ସନ୍ତୋଷ ପାଢ଼ୀ, ରଙ୍କନିଧି ବେହେରା, ଶୁକଦେବ ଜେନା, କବିରାଜ ସ୍ୱାଇଁ, ସହଦେବ ସାହୁ, ବାସନ୍ତୀ ପରିଡ଼ା, ବିଷ୍ଣୁପ୍ରିୟା ପଣ୍ଡା ଭଳି କେବଳ ଅଳ୍ପକେତେ ହାତଗଣତି ପ୍ରତିଷ୍ଠିତ ଗୁରୁ ଏହା ମାଧ୍ୟମରେ ସଫଳତାର ସହ ଜୀବିକାର୍ଜନ କରିପାରୁଛନ୍ତି । ବିଶେଷ କରି ନବାଗତ ଗୁରୁମାନଙ୍କ କ୍ଷେତ୍ରରେ ଏହା ବହୁ କଷ୍ଟଦାୟକ ହୋଇପଡ଼ୁଛି ।

୧୦) ବିଂଶ ଶତକର ଶେଷ ଦଶକରୁ ଆରମ୍ଭ କରି ଆଜି ପର୍ଯ୍ୟନ୍ତ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପୃଷ୍ଠପୋଷକତାରେ ଜିଲ୍ଲା ପ୍ରଶାସନ ମାଧ୍ୟମରେ ବହୁ ଗୁରୁତ୍ୱପୂର୍ଣ୍ଣ ରାଜନୈତିକ ଓ ସାମାଜିକ ସମସ୍ୟା ସମ୍ବନ୍ଧରେ ଲୋକମାନଙ୍କୁ ସଚେତନ କରାଇବା ନିମନ୍ତେ ଲୋକନାଟକକୁ ଏକ ପ୍ରମୁଖ ମାଧ୍ୟମ ରୂପେ ବ୍ୟବହାର କରାଯାଇଆସୁଛି । ଠିକ୍ ସେହିଭଳି ଭାରତଲୀଳାର କଳାକାରମାନେ ମଧ୍ୟ ସେମାନଙ୍କର ଲୋକନାଟକ ମାଧ୍ୟମରେ ଏଡ଼୍‌ସ୍‌, ମ୍ୟାଲୋରିଆ, ଯକ୍ଷ୍ମା, କରୋନା, ଜନ୍ମ ନିୟନ୍ତ୍ରଣ, ମାନବିକ ଅଧିକାର, ନାରୀ ସୁରକ୍ଷା, କନ୍ୟା ଭ୍ରୁଣହତ୍ୟା, ସ୍ୱଚ୍ଛ ନିର୍ବାଚନ ଭଳି ବିଷୟବସ୍ତୁମାନଙ୍କୁ ପରିବେଷଣ କରି ଜନସଚେତନତା ସୃଷ୍ଟି କରୁଛନ୍ତି । ଏହି କ୍ଷେତ୍ରରେ ଲୋକକଳାର କଳାକାରମାନଙ୍କୁ ସାମୟିକ ନିଯୁକ୍ତି ପ୍ରଦାନ କରିବା ଆଳରେ ରାଜ୍ୟ ସରକର ବ୍ଲକ ସ୍ତରରେ ଓ ଜିଲ୍ଳା ସ୍ତରରେ ସାଂସ୍କୃତିକ ସଂଘମାନ ଗଠନ କରିଛନ୍ତି । ଏହା ସମ୍ପୂର୍ଣ୍ଣ ଭାବରେ ନ ହେଲେ ମଧ୍ୟ ସାମୟିକ ଭାବରେ ଏହି ଲୋକନାଟକର କଳାକାର ଓ ଗୁରୁମାନଙ୍କୁ ଜୀବନଜୀବିକା ଅର୍ଜନରେ ସହାୟକ ହୋଇପାରୁଛି ।

୧୧) ଲୋକନାଟକର ପ୍ରଚାର ପ୍ରସାର ତଥା ପ୍ରଗତି ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ନିକଟରୁ ଆସୁଥିବା ଅର୍ଥରାଶି ପୁରା ସମୁଦ୍ରକୁ ଶଙ୍ଖେ ପାଣି ସଦୃଶ୍ୟ । ଯେଉଁଥିରେ ବର୍ଷସାରା କୌଣସି ନାଟ୍ୟଦଳ ପରିଚାଳିତ ହୋଇପାରିବ ନାହିଁ । ଏହା ମଧ୍ୟ ପରିଲକ୍ଷିତ ହୋଇଛି ଯେ, ଏ କ୍ଷେତ୍ରରେ ମାତ୍ର ଅଳ୍ପ କେତେକ ଆଗଧାଡ଼ିର ଗୁରୁ କ୍ରମାଗତ ସରକାରୀ ପ୍ରୋତ୍ସାହନ ପାଉଥିବା ବେଳେ ଅନ୍ୟମାନେ ସେସବୁ ସୁବିଧାରୁ ବଞ୍ôଚତ ହେଉଛନ୍ତି । ଏ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ୫୦ ବର୍ଷ ବୟସରୁ ଅଧିକ ବୟସ୍କ କଳାକାରମାନେ ରାଜ୍ୟ ସରକାରଙ୍କ ତରଫରୁ ପ୍ରଦାନ କରାଯାଉଥିବା ମାସିକ କଳାକାର ଭତ୍ତା ପାଇ ବୁଢ଼ା ବୟସରେ ନିଜର ନ୍ୟୁନତମ ଆବଶ୍ୟକତା ପୂରଣ କରିପାରୁଛନ୍ତି ।

୧୨) ଏହି ଲୋକନାଟକଟି ଆଜି ପର୍ଯ୍ୟନ୍ତ ଆମର ସାହିତ୍ୟ ଓ ସଂସ୍କୃତିର ପ୍ରଚାର କରି ଆସୁଥିଲେ ସୁଦ୍ଧା ରାଜ୍ୟ କିମ୍ବା କେନ୍ଦ୍ର ସରକାରଙ୍କ ତତ୍ୱାବଧାନରେ ଏହାର ପରିବେଷଣ, ପ୍ରଶିକ୍ଷଣ କିମ୍ବା ଗବେଷଣାକୁ ପ୍ରୋତ୍ସାହିତ କରିବା ନିମନ୍ତେ କୌଣସି ଅନୁଷ୍ଠାନ ଗଢ଼ିବା ନିମନ୍ତେ ସରକାର ସେଭଳି କୌଣସି ବଳିଷ୍ଠ ପଦକ୍ଷେପ ନେଇ ନାହାନ୍ତି । ଏ କ୍ଷେତ୍ରରେ ରାଜ୍ୟ ସରକାର ପାଦେ ଆଗକୁ ଯାଇ ଗୁରୁମାନଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ କିଛି ନୂଆଁ ଯୁବ ପ୍ରତିଭା ସୃଷ୍ଟି କରିବା ନିମନ୍ତେ ଦୀକ୍ଷାନ୍ତ ଭଳି ଯୋଜନା ୨୦୨୦ମସିହାରୁ କାର୍ଯ୍ୟକାରୀ କରିଛନ୍ତି । କିନ୍ତୁ ଏହା ସୁଫଳ କେବଳ ଗୁରୁମାନଙ୍କ ନିକଟରେ ଅଟକି ଯାଇଛି ।

୧୩) ବୁଡ଼ିଯାଇଥିବା ନାଟ୍ୟଦଳ ଗୁଡ଼ିକର ପୁନରୁଦ୍ଧାର ନିମନ୍ତେ ଆଜି ପର୍ଯ୍ୟନ୍ତ ସରକାରୀ କିମ୍ବା ବେସରକାରୀ ଉଦ୍ୟମରେ କୌଣସି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇନାହିଁ ।

୧୪) ଅର୍ଥ ଉପାର୍ଜନ ଓ ସାମାଜିକ ସମ୍ମାନ ଦିଗରେ ଏକବିଂଶ ଶତାବ୍ଦୀରେ ଏହା ଏକ ସଫଳ ଓ ସୁରକ୍ଷିତ ମାଧ୍ୟମ ହୋଇପାରି ନ ଥିବାରୁ ବର୍ତ୍ତମାନ ସମୟର ଗୁରୁମାନେ ତାଙ୍କର ପରବର୍ତ୍ତୀ ପିଢ଼ିର ବଂଶଧରମାନଙ୍କୁ ଏହା ଭିତରେ ସାମିଲ କରିବାକୁ ଆଗ୍ରହ ପ୍ରକାଶ କରୁନାହାନ୍ତି ।

୧୫) ଅତ୍ୟନ୍ତ ଦୁଃଖର କଥା ବର୍ତ୍ତମାନ ସମୟରେ ଓଡ଼ିଆ ଲୋକନାଟକ ଓ ପାରମ୍ପରିକ ଲୋକନାଟକ ଗୁଡ଼ିକର ସାମାଜିକ ଆଦୃତି ଓ ସମ୍ମାନ ଧିରେ ଧିରେ କମିବାରେ ଲାଗିଛି । ଫଳସ୍ୱରୁପ ସମୟ ସମୟରେ ଶିକ୍ଷିତ ତଥା ସ୍ୱାଭିମାନୀ କଳାକାରମାନେ ଲୋକ କଳା ଓ ସଂସ୍କୃତି କ୍ଷେତ୍ରରେ ତାଙ୍କର ତ୍ୟାଗକୁ ନେଇ ସେମାନେ ଗର୍ବ କରିପାରୁନାହାନ୍ତି । ଆଧୁନିକ ଯୁଗର ବୈଷୟିକ ବିଦ୍ୟାର ଛାତ୍ରଛାତ୍ରୀ ତଥା ଉଚ୍ଚଶିକ୍ଷିତ ଯୁବ ସମାଜ ସେମାନଙ୍କୁ ଏବଂ ସେମାନେ ପ୍ରଦର୍ଶନ କରୁଥିବା କଳାକୁ ସାଦର ସମ୍ମାନ ପ୍ରଦର୍ଶନ କରୁନାହାନ୍ତି । ତତ୍‌ସହିତ ଭାରତଲୀଳାରେ ବଢ଼ିବଢ଼ି ଚାଳିଥିବା ଅଶ୍ମିଳତା ଓ ନଗ୍ନତା ଭଳି ଅପସଂସ୍କୃତି କାରଣରୁ କଳାକାରମାନେ ଧିରେ ଧିରେ ବିତସ୍ପୃହ ହୋଇ ପଡ଼ୁଛନ୍ତି ।

୧୬) ଆଜିକାଲି ଏହି ଲୋକନାଟକର ପରିବେଷଣରେ ବଢ଼ି ଚାଲିଥିବା ଅଶ୍ଳିଳତା ଓ ନଗ୍ନତା କାରଣରୁ ଭଦ୍ର ତଥା ଶିକ୍ଷିତ ଦର୍ଶକମାନେ ମଧ୍ୟ ମୁହଁ ଫେରେଇବା ଆରମ୍ଭ କଲେଣି । ଏପରିକି ବେଳେବେଳେ ସପରିବାର ବସି ଏହି ନାଟକକୁ ଉପଭୋଗ କରିବା କଷ୍ଟ ହୋଇ ପଡ଼ୁଛି ।

୧୭) ସର୍ବଶେଷରେ ଏତିକି କୁହାଯାଇପାରେ ଏହି ଲୋକନାଟକ ଟି ଯଥା ସମ୍ଭବ ବ୍ୟବସାୟିକ ସଫଳତା ହାସଲ କରିବା ସହ ଦର୍ଶକୀୟ ଆଦୃତି ଲାଭ କରି ଧିରେ ଧିରେ ବଢ଼ି ଚାଲିଛି । ଏପରିକି ଗଂଜାମଠୁ ଆରମ୍ଭ କରି ଗଜପତି, କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧାର କିଛି କିଛି ଅଞ୍ଚଳରେ ଏହାର ନାଟ୍ୟଦଳମାନ ଦେଖିବାକୁ ମିଳୁଛି ।

୧୮) ଗତ କିଛି ବର୍ଷ ଧରି ସମଗ୍ର ବିଶ୍ୱବ୍ୟାପୀ କରୋନାର ପ୍ରଭାବରେ ସମସ୍ତ ଲୋକ ନାଟକ ତଥା ପାରମ୍ପରିକ ଲୋକନାଟକ ଗୁଡ଼ିକ ଭଳି ଭାରତଲୀଳା ମଧ୍ୟ ପ୍ରଭାବିତ ହୋଇଥିଲା । ଯାହା ଏହି ଲୋକନାଟକର ଗୁରୁ ତଥା କଳାକାରମାନଙ୍କ ବୃତ୍ତିଗତ ଜୀବନକୁ ଦୁର୍ବିସହ କରି ପକାଉଥିଲା । ଏହି ସମୟରେ ଏହି ମାନଙ୍କ ପ୍ରତି ବେସରକାରୀ କିମ୍ବା ସରକାରୀ ସ୍ତରରେ କୌଣସି ସହାୟତା ନ ପହଞ୍ôଚବା ସେମାନଙ୍କ ବୃତ୍ତିଗତ ଜୀବନର ସୁରକ୍ଷା ପ୍ରତି ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଫଳସ୍ୱରୂପ ବହୁ ଗ୍ରାମୀଣ ଗରିବ ପ୍ରତିଭାବାନ୍ ଯୁବକଳାକାର ପରିବାରର ସୁରକ୍ଷା ତଥା ଜୀବନ ଜୀବିକାର ନିଶ୍ଚିତ ସୁଯୋଗକୁ ଆଖିଆଗରେ ରଖି ଗାଁ କଳାକାରର ପରିଚୟକୁ ଗାଁରେ ଥୋଇଦେଇ ପଡ଼ୋଶି ପ୍ରଦେଶ ଯଥା ଆନ୍ଧ୍ରା, କେରଳ, ଚେନ୍ନାଇ, ଗୁଜୁରାଟ, ବମ୍ବେ ଚାଲି ଯାଇଛନ୍ତି ।

ଶେଷ କଥା :

ତଥ୍ୟସଂଗ୍ରହ ସମୟରେ ଯେଉଁ ସବୁ ପ୍ରମୁଖ ସମସ୍ୟା ସାମ୍ନାକୁ ଆସିପାରିଲା ସେଗୁଡ଼ିକ ହେଲା ଯଥା :-ପରିବେଷଣରେ ଅଶ୍ଳିଳତା, ପ୍ରଶିକ୍ଷଣ ଓ ଗବେଷଣାରେ ଶିଥିଳତା, ସାଂସ୍କୃତିକ ବିଷୟବସ୍ତୁରେ ଅପସଂସ୍କୃତି ଆଧାରିତ ଉପାଦାନର ପ୍ରୟୋଗ, ଲୋକନାଟକ ପ୍ରତି ସମାଜର ଶିକ୍ଷିତ ବର୍ଗର ବିମୁଖତା, ଆର୍ଥିକ ପ୍ରୋତ୍ସାହନ କ୍ଷେତ୍ରରେ ସରକାରୀ ଉଦାସୀନତା, ଏହାର ପରିବେଷଣ ନିମନ୍ତେ ପର୍ଯ୍ୟାପ୍ତ ସୁଯୋଗ ସୃଷ୍ଟି ଏବଂ କଳାକାରମାନଙ୍କ ସମ୍ମାନ, ସ୍ୱାଭିମାନ ଓ ସୁରକ୍ଷା ଏ ସବୁ ଦିଗରେ ଆମକୁ ସଜାଗ ଦୃଷ୍ଟି ପ୍ରଦାନ କରି ମହାଭାରତୀୟ ବିଷୟବସ୍ତୁ ପ୍ରଚାର କରୁଥିବା ଏହି ଭାରତଲୀଳାକୁ ପ୍ରଗତି ପଥରେ ଅଗ୍ରସର ହେବାକୁ ସହଯୋଗର ହାତ ବଢ଼େଇବା ଆବଶ୍ୟକ । ନଚେତ୍ ଏହା ଅଶ୍ଳୀଳତା ଓ ନଗ୍ନତା ଭଳି ଅପସଂସ୍କୃତିରେ ସମାଜକୁ ବୁଡ଼େଇ ଦେବା ସହ ନିଜେ ମଧ୍ୟ ଅପସଂସ୍କୃତିର ପ୍ରଖର ସ୍ରୋତରେ ବୁଡ଼ି ହଜିଯିବ । ଫଳରେ ଏହା ଆମ ସାଂସ୍କୃତିକ ଜଗତରୁ ନିଶ୍ଚିହ୍ନ ହୋଇଯିବା ସହ ଅର୍ଥ ଓ ସମ୍ମାନ ଉପାର୍ଜନ କରି ସ୍ୱାଭିମାନର ସହ ବଞ୍ଚୁଥିବା କଳାକାରମାନଙ୍କର ପରିଚୟ ଟିକକ ବୁଡ଼ିଯିବ । ଏ ଦିଗରେ ଆମେ ସମସ୍ତେ ଯଥା ଦର୍ଶକ, ଗୁରୁ, କଳାକାର, ସମାଲୋଚକ, ଗବେଷକ, ପୃଷ୍ଠପୋଷକ ତଥା ସରକାର ଯତ୍ନବାନ ହେବା ନିତାନ୍ତ ଆବଶ୍ୟକ ।

ସହାୟକ ଗ୍ରନ୍ଥସୂଚୀ

୧) ଚର୍ଚ୍ଚି ଡଃ ବାୟାମନୁ, ୨୦୧୨, ଗଂଜାମର ଲୋକନାଟ୍ୟ ପରମ୍ପରା, ଆଥେନା ପବ୍ଲିକେଶନ୍‌, ଭୁବନେଶ୍ୱର, ଓଡ଼ିଶା ।

୨) ଦାସ ଡଃ ହେମନ୍ତ କୁମାର, ୨୦୧୧, ଓଡ଼ିଆ ଲୋକ ନାଟକ, ଗ୍ରନ୍ଥ ମନ୍ଦିର, କଟକ, ଓଡ଼ିଶା ।

୩) ଦାସ ଡଃ ହେମନ୍ତ କୁମାର, ୧୯୭୦, ଓଡ଼ିଆ ନାଟକର ବିକାଶ ଧାରା, ସାଥି ମହଲ, କଟକ, ଓଡ଼ିଶା ।

୪) ସାହୁ ଡଃ ନାରାୟଣ, ୨୦୧୨, ଓଡ଼ିଶା, ଆସାମ ଓ ବଙ୍ଗଳାର ଲୋକନାଟ୍ୟ, ଚିନ୍ମୟ ପ୍ରକାଶନ, ବିନୋଦ ବିଭାରୀ, କଟକ, ଓଡ଼ିଶା ।

୫) ଦାସ ଡଃ ହେମନ୍ତ କୁମାର, ୧୯୯୦, ନାଟକ ପ୍ରବେଶ, ଓଡ଼ିଶା ରାଜ୍ୟ ପାଠ୍ୟ ପୁସ୍ତକ ପ୍ରଣୟନ ଓ ପ୍ରକାଶନ ସଂସ୍ଥା, ଭୁବନେଶ୍ୱର, ଓଡ଼ିଶା ।

Share This Article
ନାଟ୍ୟ ଗବେଷକ, କଳାକ ଶିକ୍ଷକ